ବ୍ରହ୍ମପୁର: ବ୍ରହ୍ମପୁର ଗୋପାଳପୁର ଗଣଦୁଷ୍କର୍ମ ଘଟଣା ସମଗ୍ର ରାଜ୍ୟରେ ଚହଳ ପକାଇଥିଲା । ତା ପରେ ପରେ ପୁଣି ବ୍ରହ୍ମପୁରରେ ଜଣେ ନାବଳିକାଙ୍କୁ ନିଶା ଦେଇ ଦୁଷ୍କର୍ମ ଘଟଣା ଆଲୋଡନ ସୃଷ୍ଟି କରିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ନକଲି ଡାକ୍ତର ଭବାନୀ ଶଙ୍କର ଦାସ ଏବଂ ତାର ଦୁଇ ଜଣ ମହିଳା ସହଯୋଗୀଙ୍କୁ ଗିରଫ କରି ଗତକାଲି ପୋଲିସ କୋର୍ଟ ଚାଲାଣ କରିଛି । ଏଥିସହ ସମ୍ପୃକ୍ତ କ୍ଲିନିକକୁ ସିଲ୍ କରିଛି । କିନ୍ତୁ ଏହି ଘଟଣା ପରେ ମହିଳାମାନେ ଅସୁରକ୍ଷିତ ମଣୁଛନ୍ତି ।
ବ୍ରହ୍ମପୁର ନାବାଳିକା ଦୁଷ୍କର୍ମ ମାମଲାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡିର ବରିଷ୍ଠ ସାଧାରଣ ସଂପାଦକ ସ୍ନେହାଙ୍ଗିନୀ ଛୁରିଆ। ଯେଉଁ ଅସ୍ମିତାର ଦ୍ଵାହି ଦେଇ ବିଜେପି କ୍ଷମତାକୁ ଆସିଛି, ଆଜି ତାହା ଭୂଲୁଣ୍ଠିତ। ଗୋଟିଏ ବର୍ଷର ଉପଲବଧି କ୍ରାଇମରେ ଭର୍ତ୍ତି । ନାରୀ ଆଜି କାହିଁକି ଅସୁରକ୍ଷିତ ବୋଲି ପ୍ରଶ୍ନ କରିଛନ୍ତି ସ୍ନେହାଙ୍ଗନୀ। ସବୁଠୁ ବଳି ଯାଇଛି ଆମେରିକାର ଆଡଭାଇଜରି । ଦୁଷ୍କର୍ମ, ଅପରାଧ ଯୋଗୁଁ ଓଡି଼ଶା ଆଜି ବିଶ୍ବରେ ନିନ୍ଦିତ ହୋଇଛି । ବର୍ଷେ ତଳେ ନବୀନ ସରକାରଙ୍କ ସମୟରେ ବିଭିନ୍ନ କ୍ଷେତ୍ରରେ ଓଡି଼ଶା ସାରା ବିଶ୍ଵରେ ପ୍ରଶଂସିତ ହେଉଥିଲା ବୋଲି କହିଛନ୍ତି ସ୍ନେହାଙ୍ଗନୀ।
ବ୍ରହ୍ମପୁରରେ ଅସୁରକ୍ଷିତ ମହିଳା
ଶୁଭାରମ୍ଭ ହେଲା ଇ-ରେଜିଷ୍ଟେସନ ଆପ୍
ନନ୍ଦିଘୋଷ ବ୍ୟୁରୋ : ଜମି କିଣାବିକା ପାଇଁ ସବ ରେଜିଷ୍ଟ୍ରାର ଅଫିସ ଯିବାକୁ ପଡ଼ିବ ନାହିଁ। ଶୁଭାରମ୍ଭ ହେଲା ଇ-ରେଜିଷ୍ଟେସନ ଆପ୍। ପେପର ଲେସ୍ ଓ କ୍ୟାସଲେସ୍ ହେବ ରେଜିଷ୍ଟ୍ରେସନ ସେବା। ଏଣିକି ଗୋଟିଏ ମୋବାଇଲ୍ ଆପରେ ମିଳିବ ସମସ୍ତ ରାଜସ୍ବ ସେବା । ଘରେ ବସି ଲୋକେ ପାଇବେ ସମସ୍ତ ରାଜସ୍ୱ ସଂକ୍ରାନ୍ତ ସୁବିଧା । ଲୋକସେବା ଭବନରେ ଆପକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆପ୍ ଦ୍ଵାରା କୌଣସି ସେବା କେନ୍ଦ୍ରକୁ ନ ଯାଇ ଘରେ ବସି ବିଭିନ୍ନ ସମସ୍ୟାର ସମାଧାନ କରିହେବ। ଛୋଟ ଛୋଟ କାମ ପାଇଁ ରାଜସ୍ୱ ବିଭାଗ କିମ୍ବା କାର୍ଯ୍ୟାଳୟକୁ ଲୋକଙ୍କୁ ଦୌଡ଼ିବାକୁ ପଡ଼ିବନି ।
ଆପରେ ବିଭିନ୍ନ ପ୍ରକାର ସେବା ପାଇଁ ଆବେଦନ ହୋଇପାରିବ। ଆୟ ପ୍ରମାଣପତ୍ର, ଜାତି ପ୍ରମାଣପତ୍ର, ବାସସ୍ଥାନ ପ୍ରମାଣ ପତ୍ର ଭଳି ଗୁରୁତ୍ୱପୂର୍ଣ୍ଣ ସେବା ମୋବାଇଲ ଆପରେ ମିଳିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଆପ୍ ଦ୍ବାରା ଜମି ରେଜିଷ୍ଟ୍ରେସନ କରିହେବ। ଏହା ଏବେ ଆଣ୍ଡ୍ରଏଡ଼୍ ମୋବାଇଲରେ ଉପଲବ୍ଧ ରହିଛି । କିଣାବିକା ହେବାକୁ ଥିବା ଯେ କୌଣସି ଜାଗାର ପ୍ଲଟ ଓ ଖାତା ନମ୍ବର ଦେଲେ, ସଂପୃକ୍ତ ସବ-ରେଜିଷ୍ଟ୍ରାରଙ୍କ ପାଖକୁ ତାହା ଯିବ । ଜଣେ ବ୍ୟକ୍ତି ଏହି ଆପ୍ ମାଧ୍ୟମରେ ଇସି, ଜମିର ମୂଲ୍ୟ ବାବଦରେ ଜାଣିବା ସହ ରେଜିଷ୍ଟ୍ରାର ଅଫିସରେ ସ୍ଲଟ ବୁକ୍ କରିପାରିବ । ସମସ୍ତ କାଗଜପତ୍ର ମଧ୍ୟ ଆପ୍ ଜରିଆରେ ଡାଉନଲୋଡ ହୋଇପାରିବ।
ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ଅଜବ ନିଷ୍ପତ୍ତି; ତିନି ଘରୋଇ ବ୍ୟାଙ୍କ ସହ କାରବାର ନେଇ ଅର୍ଥ ବିଭାଗର ୟୁ-ଟର୍ଣ୍ଣ
ନନ୍ଦିଘୋଷ ବ୍ୟୁରୋ : ତିନି ଘରୋଇ ବ୍ୟାଙ୍କ ସହ କାରବାର ନେଇ ଅର୍ଥ ବିଭାଗର ୟୁ-ଟର୍ଣ୍ଣ। ପରିଣାମକୁ ଆକଳନ ନ କରି ଲୋକ ଦେଖାଣିଆ ଭାବେ ନିର୍ଦ୍ଦେଶନାମା ଜାରି କରିଥିଲା ଅର୍ଥ ବିଭାଗ। ଏବେ ନେଡି ଗୁଡ କହୁଣୀକୁ ବୋହିଗଲା ପରେ ଅର୍ଥ ବିଭାଗର ଚେତା ପଶିଛି । ବାହାବା ନେବାକୁ ଉଦ୍ୟମ କରି ଫସିଯାଇଛି ଅର୍ଥ ବିଭାଗ। ଅର୍ଥ ବିଭାଗର ଏପରି ବେପରୁଆ ମନୋଭାବକୁ ସମାଲୋଚନା କରିଛନ୍ତି ବିଶେଷଜ୍ଞ। ନଜର ପକାନ୍ତୁ ଅର୍ଥ ବିଭାଗର ଏହି ନିର୍ଦ୍ଦେଶନାମା ଉପରେ। ୨୧ ଜୁନରେ ଚିଠି ନମ୍ବର ୧୮ ହଜାର ୫୬୦ରେ ଅର୍ଥ ବିଭାଗର ପ୍ରମୁଖ ସଚିବ ଶାଶ୍ବତ ମିଶ୍ର, ସବୁ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଓ ସଚିବ ମାନଙ୍କୁ କଡ଼ା ନିର୍ଦ୍ଦେଶନାମା ଜାରି ହୋଇଥିଲା। ଆଇସିଆଇସିଆଇ, ଏଚଡିଏଫସି ଓ ଆକ୍ସିସ ବ୍ୟାଙ୍କ ସହ କୌଣସି ଆର୍ଥିକ କାରବାର ନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସରକାରୀ ଏମ୍ ପ୍ୟାନେଲ ତାଲିକାରୁ ହଟାଇବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ଏହାର ତିନି ଦିନ ପରେ ଅର୍ଥାତ ୨୪ ଜୁନରେ ଅର୍ଥ ବିଭାଗର ପ୍ରମୁଖ ସଚିବ ୟୁ ଟର୍ଣ୍ଣ ମାରିଛନ୍ତି। ୨୧ ତାରିଖର କଟକଣାକୁ ୨୪ ତାରିଖରେ ପ୍ରତ୍ୟାହାର କରିଛନ୍ତି। ଏହା ଅର୍ଥ ବିଭାଗର ଦୂରଦୃଷ୍ଟିର ଅଭାବ ଓ ଅପରିଣାମଦର୍ଶୀ ନିଷ୍ପତ୍ତି ଥିଲା ବୋଲି କହିଛନ୍ତି ବିଶେଷଜ୍ଞ।
୨୧ ତାରିଖରେ ୩ ଘରୋଇ ବ୍ୟାଙ୍କ ସହ ବ୍ୟବସାୟିକ ସମ୍ପର୍କ ଓ ସରକାରୀ ଜମା ହେବନି ବୋଲି ଜାରି ହୋଇଥିଲା ନିର୍ଦ୍ଦେଶ। ସଞ୍ଚୟ ଜମା, କରେଣ୍ଟ ଜମା ତତ୍କାଳ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିଲା। ଫିକ୍ସଡ ଟର୍ମ ଡିପୋଜିଟ ବର୍ତ୍ତମାନ ପାଇଁ ରହିବ, ଅବଧି ପରେ ଟଙ୍କା ଅନ୍ୟତ୍ର ନେବାକୁ ସବୁ ବିଭାଗ, ସୋସାଇଟି, ସରକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଏହାର ପରିଣାମ ବାବଦରେ ଚିନ୍ତା କରିନଥିଲେ। ଯେଉଁ ଭୂଲ୍ ପାଇଁ ଅପଦସ୍ତ ହେଲା ଅର୍ଥ ବିଭାଗ। ପରିବର୍ତ୍ତିତ ନିଷ୍ପତ୍ତିରେ ୩ ଘରୋଇ ବ୍ୟାଙ୍କରେ କେବଳ ନୂଆ ଆକାଉଣ୍ଟ ଖୋଲିବା ଉପରେ କଟକଣା ବଳବତ୍ତର ରହିଛି। ଏବଂ ପୂର୍ବ ଭଳି କାରବାର କରିବାକୁ ନିର୍ଦ୍ଦେଶ ଦେଇଛି ଅର୍ଥ ବିଭାଗ। ଏହା ଅର୍ଥ ବିଭାଗର ଖାମଖିଆଲି ଓ ମିଛ ବାହାବା ନେବାକୁ ଉଦ୍ୟମ ବୋଲି ସମାଲୋଚନା କରିଛି ବିଜେଡି।
କାହା ଚାପରେ ଚାପି ହୋଇଥିଲା ଅର୍ଥ ବିଭାଗ ? କଟକଣା ଜାରି କରିବା ପୂର୍ବରୁ ଏହାର ପରିଣାମ ଉପରେ କାହିଁକି କରାଗଲାନି ତର୍ଜମା ? ସରକାରଙ୍କୁ ଲୋକହସା କରିବାକୁ ହୋଇଥିଲା କି ଚକ୍ରାନ୍ତ ? ପରିବର୍ତ୍ତିତ ନିଷ୍ପତ୍ତି ପଛରେ ରହିଛି କି କିକବ୍ୟାକ୍ ? ଅର୍ଥ ବିଭାଗର ୟୁ ଟର୍ଣ୍ଣ ପରେ ଏମିତି ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି।
ବୁଲ୍ଡୋଜର୍ ଜଷ୍ଟିସକୁ ହାଇକୋର୍ଟଙ୍କ ଭତ୍ସନା
କଟକ: ବୁଲ୍ଡୋଜର୍ ଜଷ୍ଟିସକୁ ହାଇକୋର୍ଟଙ୍କ ଭତ୍ସନା। ଅଦାଲତି ଅଙ୍କୁଶ ସତ୍ତ୍ବେ ଭାଙ୍ଗିଦେଲେ ଗୋଷ୍ଠୀ ଗୃହ। ଯାହାକୁ ନେଇ ଜିଲ୍ଲା ପ୍ରଶାସନ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଜାରି କରାଯାଇଛି । କୁମାରପୁର ଶାସନ ଯୁବଗୋଷ୍ଠୀ କେନ୍ଦ୍ର ଏବଂ ଅନ୍ୟମାନଙ୍କ ପକ୍ଷରୁ ଆଗତ ମାମଲାର ବିଚାର କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଏସ୍.କେ. ପାଣିଗ୍ରାହୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ପ୍ରଶାସନ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନାରୁ ୨ ଲକ୍ଷ ତତ୍କାଳୀନ ଆଠଗଡ଼ ତହସିଲଦାରଙ୍କ ଠାରୁ ଆଦାୟ କରାଯିବ ବୋଲି ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି। ନିର୍ଦ୍ଦିଷ୍ଟ କିସ୍ତି ଆକାରରେ ସଂପୃକ୍ତ ତହସିଲଦାରଙ୍କ ଦରମାରୁ ଏହି ଜରିମାନା ଆଦାୟ କରାଯିବ ।
ସେହିପରି ବାକି ୮ ଲକ୍ଷ ଟଙ୍କା ଜିଲ୍ଲା ପ୍ରଶାସନ ୮ ସପ୍ତାହ ମଧ୍ୟରେ ଆବେଦନକାରୀଙ୍କୁ ପ୍ରଦାନ କରିବେ। ହାଇକୋର୍ଟଙ୍କ କଟକଣା ସତ୍ତ୍ୱେ ଉଚ୍ଛେଦ କରିଥିବା ସଂପୃକ୍ତ ତହସିଲଦାରଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଉଚ୍ଛେଦ କିପରି କରାଯିବ ସେନେଇ ଏକ ଗାଇଡ୍ଲାଇନ୍ ଜାରି କରିବାକୁ ହାଇକୋର୍ଟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ବାଂଲାଦେଶୀ, ପାକିସ୍ଥାନୀ ପରେ ଏବେ ଆଫଗାନି ଚିନ୍ତା
ନନ୍ଦିଘୋଷ ବ୍ୟୁରୋ : ବାଂଲାଦେଶୀ, ପାକିସ୍ଥାନୀ ପରେ ଏବେ ଆଫଗାନି ଚିନ୍ତା । କୁଆଡେ ଆସୁଛନ୍ତି, କେଉଁଠି ରହୁଛନ୍ତି, ମିଳୁନି ପତ୍ତା । ଓଡ଼ିଶା ପାଲଟିଛି ଅନୁପ୍ରବେଶକାରୀଙ୍କ ପାଇଁ ସେଫ ପ୍ଲେସ।ଭୁବନେଶ୍ବର ବିମାନବନ୍ଦରରୁ ୟାହା ଖାନ୍ ଗିରଫ ହେବା ପରେ, ଭୟ ବଢିଛି । ଯେଉଁ ଘରେ ୟାହା ଖାନ୍ ରହୁଥିଲା ସେହି ଘର ଭିତରେ ଏବେ ବି ରହୁଛନ୍ତି ଆହୁରି ତିନି ଆଫଗାନି । ସେମାନେ ବର୍ଷବର୍ଷ ଧରି ଏଠାରେ ରହି ଆସୁଛନ୍ତି। କେବେଠାରୁ ଏବଂ କେଉଁ ଉଦ୍ଦେଶ୍ୟରେ ଏମାନେ ଓଡ଼ିଶାରେ ଡେରା ପକାଇଛନ୍ତି ? ତାର ଉତ୍ତର କାହା ପାଖରେ ନାହିଁ। ଘର ଆଫଗାନିସ୍ତାନ ହୋଇଥିଲେ ବି ସେମାନେ ବେଧଡ଼କ କଟକରେ ରହି ନିଜର ଜାଲି ପାସପୋର୍ଟ ଓ ଆଧାରକାର୍ଡ ତିଆରି କରିଛନ୍ତି। ବିଦେଶ ଯାତ୍ରା କରିନଥିଲେ, ୟାହା ଖାନ ଧରା ପଡ଼ିନଥାନ୍ତା । ଏଭଳି ଖବର ମିଳିବା ପରେ ଗୁଇନ୍ଦା ବିଭାଗ ଓ କେନ୍ଦ୍ରୀୟ ସଂସ୍ଥା ପକ୍ଷରୁ ଚାଲିଛି ଛାନଭିନ ।
ଚୋର ଗଲା ପରେ, ବୁଦ୍ଧି ପସିଲା ଭଳି କମିସନରେଟ ପୋଲିସର ଅବସ୍ଥା । ଆଫଗାନିସ୍ତାନୀ ଯୁବକ ବନ୍ଧା ହେବା ପରେ, ବିଭିନ୍ନ ସ୍ଥାନକୁ ଯାଇ ପ୍ରମାଣପତ୍ର ଯାଞ୍ଚ କରୁଛି ପୁଲିସ। କିଛି ଲୋକଙ୍କୁ ଥାନାକୁ ଡାକି ବିଳମ୍ବିତ ରାତିଯାଏଁ ଜେରା କରାଯାଉଛି । ଦୀର୍ଘଦିନ ଧରି ଆଡ୍ଡା ଜମାଇଥିବା ବିଦେଶୀମାନଙ୍କ ପ୍ରକୃତ ଉଦ୍ଦେଶ୍ୟ କ’ଣ ? କାହିଁକି ଓଡ଼ିଶାକୁ ଏମାନେ ସେଫ୍ଜୋନ୍ ହିସାବରେ ନେଉଛନ୍ତି ? ଗୁଇନ୍ଦା ବିଭାଗ ଏବାବଦରେ କେମିତି ଜାଣି ପାରୁନି ? ଆଇବି ଟିମ୍ ଏ ଦିଗରେ ଅନ୍ୟ ସହଯୋଗୀଙ୍କୁ ପଚରା ଉଚରା କରିଛି । କିନ୍ତୁ ସ୍ଥାନୀୟ ପୁଲିସ କିମ୍ବା ପ୍ରଶାସନ କେମିତି ଜାଣି ପାରିଲେନି ବୋଲି ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ପୁଲିସ ଅଧିକାରୀ।
ସବୁଠାରୁ ଶକ୍ତିଶାଳି ପୁଲିସ କୁହାଯାଉଥିବା କମିସନରେଟ ପୁଲିସ ଅଧିନରେ ଯଦି ମାଳ ମାଳ ଆଫଗାନିସ୍ଥାନୀ, ବାଂଲାଦେଶୀ ମାନେ ଆଡ୍ଡା ଜମାଇଛନ୍ତି, ତାହାହେଲେ ଅନ୍ୟ ଉପାନ୍ତ ଅଞ୍ଚଳ ମାନଙ୍କର ଅବସ୍ଥା କଣ ଥିବ? ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଚି ।
ରାଜସ୍ଥାନ ଉଦୟପୁରରେ ବିଦେଶିନୀଙ୍କୁ ଦୁଷ୍କର୍ମ ଅଭିଯୋଗ
ନନ୍ଦିଘୋଷ ବ୍ୟୁରୋ: ରାଜସ୍ଥାନ ଉଦୟପୁରରେ ବିଦେଶିନୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଜଣେ ଫ୍ରେଞ୍ଚ ମହିଳାଙ୍କୁ ଜଣେ ଯୁବକ ଏକ ଆପାର୍ଟମେଣ୍ଟରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମହିଳାଙ୍କୁ ଏକ ରେଷ୍ଟୁରାଣ୍ଟରେ ଆୟୋଜିତ ଏକ ପାର୍ଟିରୁ ନେଇ ଯୁବକ ଜଣକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଯୁବକ ଜଣକ ଫେରାର ହୋଇଯାଇଛି। ଉଦୟପୁରର ବାଦଗାଁ ପୋଲିସ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି।
ପୋଲିସ ସୂଚନା ମୁତାବକ ଗତ ଜୁନ ୨୨ରେ ଯୁବତୀଜଣକ ଉଦୟପୁରକୁ ଆସିଥିଲେ। ଅମ୍ବାମାତା ଇଲାକାରେ ଥିବା ଏକ ହୋଟେଲରେ ମହିଳାଜଣକ ରହୁଥିଲେ। ପୀଡ଼ିତାଙ୍କ ମେଡିକାଲ ପରୀକ୍ଷା କରାଯାଇଛି ବୋଲି କହିଛନ୍ତି ଉଦୟପୁର ଏସପି ଯୋଗେଶ ଗୋୟଲ। ଫ୍ରାନ୍ସରୁ ଆସିଥିବା ଏହି ମହିଳା ଟାଇଗର ହିଲ ଅନ୍ତର୍ଗତ ଦି ଗ୍ରୀକ ଫାର୍ମ କାଫେ ଆଣ୍ଡ ରେଷ୍ଟ୍ରୋରେ ରହିଥିଲେ। ସେଠାରେ ଅଭିଯୁକ୍ତ ସିଦ୍ଧାର୍ଥଙ୍କ ସହ ତାଙ୍କର ସାକ୍ଷାତ ହୋଇଥିବା ପୋଲିସ ସୂଚନା ଦେଇଛି ।
ଅନ୍ୟପଟେ ଗତ ସପ୍ତାହରେ ଭାରତର ବିଭିନ୍ନ ରାଜ୍ୟରେ ମହିଳା ଅସୁରକ୍ଷିତ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ସତର୍କ କରାଇଥିଲେ।
ଆଇନ ଶୃଙ୍ଖଳା ବିଗିଡ଼ିବା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି
ଭୁବନେଶ୍ୱର: ବିଗିଡ଼ିଥିବା ଆଇନ ଶୃଙ୍ଖଳାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି। ବିଧାୟକ ବ୍ୟୋମକେଶ ରାୟ ଓ ଦେବୀରଂଜନ ତ୍ରିପାଠୀ ଏହି ପ୍ରସଙ୍ଗରେ ବିଜେପି ସରକାରକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ପ୍ରତିଦିନ ଦୁଷ୍କର୍ମ ହେଉଛି। ଆଇନ ଶୃଙ୍ଖଳା ବିଗିଡ଼ି ଯାଇଛି। ଶାସନ ବ୍ୟବସ୍ଥାକୁ ଅପରାଧୀଙ୍କ ଭୟ ନାହିଁ ବୋଲି କହିଛି ବିଜେଡି।
ରାଜ୍ୟ ସରକାରକୁ ବ୍ୟୋମକେଶ ରାୟ ଚେତାବନୀ ଦେଇଛନ୍ତି, ଆଇନ ଶୃଙ୍ଖଳା ସଜାଡ଼ ନ ହେଲେ ଗାଦି ଛାଡ଼। ନାରୀ ଆଜି ସବୁଠି ଅସୁରକ୍ଷିତ। ଏପରିକି କ୍ୟାମ୍ପସରେ ମଧ୍ୟ ଛାତ୍ରୀମାନେ ଅସୁରକ୍ଷିତ। ଏହାର ପ୍ରତିବାଦରେ ଆଜି ବିଜେଡିର ଛାତ୍ର ଓ ଯୁବ ସଂଗଠନ ସାରା ରାଜ୍ୟରେ ବିକ୍ଷୋଭ କରିଛି। ଏହାକୁ ଅଭୂତପୂର୍ବ ସଫଳତା ମିଳିଥିବା କହିଛନ୍ତି ଦେବୀରଂଜନ ତ୍ରିପାଠୀ। ସମସ୍ତେ ଏଥିରେ ସାମିଲ ହୋଇଥିଲେ। ଆଗକୁ ଯଦି ସ୍ଥିତି ନ ସୁଧୁରିବ, ତେବେ ଦୁର୍ବାର ଆନ୍ଦୋଳନ ହେବ ବୋଲି ସେ ବିଜେପି ସରକାରକୁ ଚେତାଇ ଦେଇଛନ୍ତି।

