ନନ୍ଦିଘୋଷ ବ୍ୟୁରୋ : ବୋଇଂ ଡ୍ରିମଲାଇନରର ହେବ ଯାଞ୍ଚ । ପ୍ଲେନ କ୍ରାସ ପରେ DGCAର ବଡ଼ ନିଷ୍ପତ୍ତି । ବୋଇଂ ଡ୍ରିମଲାଇନର ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି । ଜୁନ୍ ୧୫ରୁ ବୋଇଂ ଡ୍ରିମଲାଇନର ସବୁ ଉଡ଼ାଣର ହେବ ଅତିରିକ୍ତ ଯାଞ୍ଚ । ଉଡ଼ାଣ ପୂର୍ବରୁ ଫୁଏଲ ପାରାମିଟର, ସିଷ୍ଟମ ଯାଞ୍ଚ ଲାଗି ନିର୍ଦ୍ଦେଶ ଦେଇଛି DGCA । ଏହାସହ ଇଞ୍ଜିନ କଣ୍ଟ୍ରୋଲ ସିଷ୍ଟମର ମଧ୍ୟ ଯାଞ୍ଚ ହେବ । କ୍ୟାବିନ ଏୟାର କମ୍ପ୍ରେସର ଓ ହାଇଡ୍ରୋଲିକ ସିଷ୍ଟମ ବି ଯାଞ୍ଚ ହେବ । ବିମାନ ଉଡ଼ାଣ ମାନଦଣ୍ଡର ପୁନଃସମୀକ୍ଷା କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଜେନେକ୍ସ ଇଞ୍ଜିନ ଥିବା ସବୁ ବିମାନର ଇଞ୍ଜିନ ଯାଞ୍ଚ ହେବ ବୋଲି କୁହାଯାଇଛି । ସେପଟେ ଟାଟା ଗ୍ରୁପ ଅଫ କମ୍ପାନୀକୁ ଏକାଧିକ କାରଣ ଦର୍ଶାଅ ନୋଟିସ ଜାରି କରିଛି ଡିଜିସିଏ । କିଭଳି ଓ କେଉଁ ପରିସ୍ଥିତିରେ ହେଲା ଦୁର୍ଘଟଣା ? ବିମାନର ରକ୍ଷଣାବେକ୍ଷଣରେ କିଛି ତ୍ରୁଟି ଥିଲା କି ? ଏ ନେଇ ଆସନ୍ତା ୧୬ ତାରିଖ ସୁଦ୍ଧା ନୋଟିସର ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଦେବସ୍ନାନ ପୂର୍ଣ୍ଣିମାରେ ବିଶୃଙ୍ଖଳା, ସ୍ନାନବେଦୀ ଉପରକୁ ଉଠି ଶ୍ରୀଜିଉଙ୍କ ଅଙ୍ଗ ସ୍ପର୍ଷକଲେ ଅଣ ସେବାୟତ
ପୁରୀ : ମାନିଲେନି ନିୟମ । ପ୍ରଶାସର କଡ଼ା ତାଗିଦ ସତ୍ତ୍ବେ ବିଶୃଙ୍ଖଳା । ସ୍ନାନ ବେଦୀରେ ଶ୍ରୀଜିଉଙ୍କ ଅଙ୍ଗସ୍ପର୍ଷ କଲେ ଅଣସେବାୟତ । ସେବାୟତ ଓ ବୁଦ୍ଧିଜୀବୀଙ୍କ ଅସନ୍ତୋଷ । ଦୃଢ କାର୍ଯ୍ଯାନୁଷ୍ଠାନ ଦାବି । ସ୍ନାନ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ସ୍ନାନ ଯାତ୍ରା ଓ ହାତୀବେଶ ନୀତି ଶୃଙ୍ଖଳିତ ଭାବେ ସମାପନ ହୋଇଥିଲା । ତେବେ ଗଜାନନ ବେଶ ଓଲାଗି ପରେ ରାତିରେ ଦେଖିବାକୁ ମିଳିଥିଲା ବିଶୃଙ୍ଖଳା । ବହୁ ସଂଖ୍ୟାରେ ସାଧାରଣ ଲୋକ ନିୟମକୁ ଉଲ୍ଲଂଘନ କରି ସ୍ନାନ ବେଦୀ ଉପରକୁ ଯାଇ ଶ୍ରୀବିଗ୍ରହଙ୍କୁ ସ୍ପର୍ଶ କରିଥିବା ନଜରକୁ ଆସିଥିଲା । ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଘଟଣା ନେଇ ପ୍ରଶାସନର ପଦକ୍ଷେପ ସନ୍ଦେହ ପ୍ରକାଶ ପାଇଥିବା ବେଳେ ପୁରୀବାସୀ ଏଥିରେ ମର୍ମାହତ ହୋଇଛନ୍ତି । ତୁରନ୍ତ ତଦନ୍ତ କରି ଦୃଢ କାର୍ଯ୍ଯାନୁଷ୍ଠାନ ନେବାକୁ ଉଠିଛି ଦାବି ।
୨୦୧୪ ପରଠାରୁ ଶ୍ରୀବିଗ୍ରହଙ୍କୁ ସ୍ପର୍ଶ ନକରିବାକୁ କଡ଼ା ନିୟମ ରହିଛି । ଜଗତ ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମତକୁ ଗ୍ରହଣ କରି ଏପରି ପଦକ୍ଷେପ ନେଇଥିଲେ ସରକାର । ମାତ୍ର ବିଭିନ୍ନ ସମୟରେ ଏହାକୁ ଉଲ୍ଲଙ୍ଘନ କରାଯାଉଥିବା ଦେଖିବାକୁ ମିଳୁଛି । ଗତ ରଥଯାତ୍ରା ସମୟରେ କିଛି ପ୍ରତିଷ୍ଠିତ ବ୍ୟକ୍ତି ସେବାୟତ ବେଶରେ ରଥ ଉପରକୁ ଚଢ଼ିଥିଲେ । ସ୍ନାନ ବେଦୀ ସମୟରେ ମଧ୍ୟ ବହୁ ବ୍ୟକ୍ତି ଶ୍ରୀବିଗ୍ରହଙ୍କୁ ସ୍ପର୍ଶ କରିଥିବା ଦେଖିବାକୁ ମିଳିଥିଲା । ପ୍ରଶାସନ କୌଣସି ଦୃଷ୍ଟାନ୍ତ ମୂଳକ କାର୍ଯ୍ଯାନୁଷ୍ଠାନ ନେଉ ନଥିବାରୁ ଏପରି ଅବ୍ଯବସ୍ଥା ଦେଖିବାକୁ ମିଳୁଥିବା ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି । କିଛି ପ୍ରଶାସନିକ ଅଧିକାରୀଙ୍କ ଅପାରଗତା ଯୋଗୁଁ ବାରମ୍ବାର ଏପରି ନିୟମ ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହୋଇଛି ।
ପୁରୀ ରେଳଷ୍ଟେସନରେ ଆଣ୍ଟି ଟେରର୍ ମକଡ୍ରିଲ୍
ପୁରୀ : ରଥଯାତ୍ରା ପାଇଁ ଷ୍ଟେସନରେ ଖଚାଖଚ ଭିଡ଼ । ହଠାତ୍ ୩ ଆତଙ୍କବାଦୀ ହାଇଜାକ କଲେ ଟ୍ରେନ୍ । ଯାତ୍ରୀଙ୍କୁ କବଜାରେ ରଖିଛନ୍ତି ଆତଙ୍କୀ । ଉଦ୍ଧାର ପାଇଁ ତୟାର ଯବାନ । ଆରମ୍ଭ ହେଲା ଅପରେସନ । ଶେଷରେ ଗୋଟିଏ ପରେ ଗୋଟି ଆତଙ୍କବାଦୀଙ୍କୁ ଗୁଳିକରି ହତ୍ଯାକଲେ ଉଦ୍ଧାରକାରୀ ଦଳ । ଏହା କୌଣସି ସତସତିକା ନୁହେଁ, ରଥଯାତ୍ରା ପୂର୍ବରୁ ପୁରୀ ରେଳଷ୍ଟେସନରେ ଏପରି ଏକ ଡେମୋ ଦେଖାଇଛନ୍ତି RPF, GRP, ସ୍ପେଶାଲ କମାଣ୍ଡୋ, SOG, ଅଗ୍ନିଶମ, ଓଡ୍ରାଫ ଓ ପୁରୀ ପୋଲିସ୍ । ଯଦି ରଥଯାତ୍ରା ସମୟରେ ଟ୍ରେନରେ କୌଣସି ଆତଙ୍କୀ କାର୍ଯ୍ୟକଳାପ ଦେଖାଯାଏ ତାକୁ କିଭଳି ମୁକାବିଲା କରାଯିବ ସେନେଇ ଡେମୋ ଦେଖାଇଛନ୍ତି ମିଳିତ ଟିମ୍ । ମକଡ୍ରିଲ ପାଇଁ ୩ ନମ୍ବର ପ୍ଲାଟଫର୍ମରେ ତପସ୍ୱିନୀ ଏକ୍ସପ୍ରେସକୁ ବ୍ୟବହାର କରାଯାଇଥିଲା ।
ରଥଯାତ୍ରା ପାଇଁ ଅନେକ ଯାତ୍ରି ଟ୍ରେନ ଯୋଗେ ଆସିବେ l ସେହି ସମୟରେ ଯେପରି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହୁଏ ସେନେଇ ମକଡ୍ରିଲ କରାଯାଇଛି । ପ୍ରଥମେ ଅସୁସ୍ଥ ଯାତ୍ରୀଙ୍କୁ କିପରି ପ୍ରାଥମିକ ଚିକିତ୍ସା ଦିଆଯିବ, ପରେ କିଭଳି ଆମ୍ବୁଲାନ୍ସକୁ ନିଆଯିବ ଓ ଆମ୍ବୁଲାନ୍ସ ସ୍ବତନ୍ତ୍ର ଗ୍ରୀନ୍ କରିଡ଼ରରେ ମେଡିକାଲ୍ ପର୍ଯ୍ୟନ୍ତ ନିଆଯିବ ନେଇ ହୋଇଥିଲା ଡେମୋ । ଏହାଦ୍ବାରା ଭକ୍ତମାନେ ସୁବିଧାରେ ସମସ୍ତ ବିଷୟରେ ଅବଗତ ହୋଇପାରିବେ ବୋଲି କହିଛନ୍ତି ପୁରୀ ଏସପି। ରଥଯାତ୍ରା ଯେତେ ପାଖେଇ ଆସୁଛି ପ୍ରଶାସନର ଚିନ୍ତା ସେତିକି ବଢ଼ିବାରେ ଲାଗିଛି l ଭକ୍ତଙ୍କ ସୁରକ୍ଷା ପାଇଁ ଦିଆଯାଉଛି ପ୍ରାଥମିକତା ଏ ନେଇ କରାଯାଇଛି ଆଣ୍ଟି ଟେରର ମକଡ୍ରିଲ l
୫ ବନ୍ଧୁକ ବେପାରୀ ଗିରଫ, ୬ଟି ବନ୍ଧୁକ ଜବତ
ଭୁବନେଶ୍ୱର : ବନ୍ଧୁକ ବେପାରୀଙ୍କ ଭାଣ୍ଡାଫୋଡ । ଗରାଖ ବେଶରେ ଯାଇ ମାଡିବସିଲା ସ୍ପେଶାଲ ସ୍କ୍ବାଡ । ଜଟଣୀ ଅଞ୍ଚଳରେ ରହୁଥିଲେ, ରାଜଧାନୀରେ ବୁଲି ବୁଲି ବିକୁଥିଲେ । ଭୁବନେଶ୍ୱରରେ ବଢୁଥିଲା ୟୁପି ବନ୍ଧୁକ କ୍ରେଜ୍ । ୪ ଟି ୭.୬୫ ଏମଏମ ସେମି ଅଟୋମେଟିକ ପିସ୍ତଲ । ଗୋଟିଏ ସିକ୍ସ ରାଉଣ୍ଡ ଲିଭଲଭର । ଗୋଟିଏ ସିଙ୍ଗିଲ ସଟ୍ ବନ୍ଧୁକ ସହ ୧୮ ରାଉଣ୍ଡ ଗୁଳି । ଉତ୍ତରପ୍ରଦେଶରୁ ବନ୍ଧୁକ ଆଣି ରାଜଧାନୀ ଭୁବନେଶ୍ବରରେ ବିକ୍ରି କରୁଥିଲେ ଏହି ଆନ୍ତଃରାଜ୍ୟ ଅପରାଧୀ । ଉତ୍ତରପ୍ରଦେଶର ୩ ଜଣ ମଧ୍ୟପ୍ରଦେଶରୁ ଜଣେ ବନ୍ଧୁକ ବେପାରୀ ଆସି ଜଟଣୀ ଅଞ୍ଚଳରେ ଘରଭଡା ନେଇ ରହୁଥିଲେ । ସହଯୋଗ କରୁଥିଲା କଟକ ଜିଲ୍ଲା ସାଲେପୁରର ମାଷ୍ଟରମାଇଣ୍ଡ ଏସ୍.କେ. ସକିଲ । କାଲି ଗୋଟିଏ ବନ୍ଧୁକ ସପ୍ଲାଏ ପାଇଁ, ବେପାରୀ ଟିମ ପୋଖରୀପୁଟ ଆସିଥିବା ବେଳେ ଗ୍ରାହକ ବେଶରେ ଯାଇ ମାଡିବସିଥିଲା ସ୍ପେଶାଲ ସ୍କ୍ବାଡ । ୫ ଜଣଙ୍କୁ ଗିରଫ ସହ ସେମାନଙ୍କ ଠାରୁ ଗୁଜୁରାଟ ରେଜିଷ୍ଟ୍ରେସନ ନମ୍ବର ଥିବା ଏକ କାର ଓ ୫ ଟି ମୋବାଇଲ ଜବତ କରାଯାଇଛି । କିଛି ବ୍ୟବସାୟୀ, ଦେହବେପାରୀ ଓ ଇଞ୍ଜିନିୟରିଂ ପାଠ ପଢ଼ୁଥିବା ଛାତ୍ର ଏମାନଙ୍କ ଠାରୁ ବନ୍ଧୁକ କିଣିବା ପାଇଁ ଯୋଗାଯୋଗରେ ଥିବା ଜାଣିବାକୁ ପାଇଛି କମିଶନରେଟ ପୋଲିସ ।
କିଛିଦିନ ତଳେ ବନ୍ଧୁକର ଗୋଦାମ ପାଲଟିଥିବା ଗଞ୍ଜାମରେ କ୍ଲିନ ସୁଇପ କରିଥିଲା ପୋଲିସ । ମୁଙ୍ଗେର ମାଉଜର ର ଏନ୍ତୁଡ଼ିଶାଳ ପାଲଟିଥିବା ଗଞ୍ଜାମରେ ଚାଲିଥିଲା, ଖୁରାନିଆଙ୍କ ଖୁର । ଏହାର କିଛିଦିନ ପୂର୍ବରୁ ବୈୟାଳିଶମୌଜାରେ ଗୁହାଳ ଘରେ ଠାବ ହୋଇଥିଲା ବନ୍ଧୁକ କାରଖାନା । ନିଜ ସହରରେ ବେତାଜ ବାଜଶାହା ଓ ଭାଇ ବନିବା ପାଇଁ ଅଣ୍ଟାରେ ବନ୍ଧୁକ ଖୋସି ବୁଲୁଥିବା କ୍ରିମିନାଲଙ୍କ ହାତରେ ହାତକଡି ପକାଇଥିଲା ପୋଲିସ । ଜମି ହଡପ, ବୋମାମାଡ଼, ବାଲିଘାଟ, ଠିକାଦାରୀ ଓ ମଦ କାରବାର ଚଳାଉଥିବା ମାଫିଆ ଥିଲେ ଗ୍ରାହକ । ମୁଣ୍ଡକୁ ପିତ୍ତ ଚଢ଼ିବା ବେଳେ ଘନ ଘନ କରୁଥିଲେ ଗୁଳିମାଡ଼ । କିନ୍ତୁ ବଡ଼କଥା ହେଉଛି ଭୁବନେଶ୍ୱରକୁ ଅଶାନ୍ତ କରିବା ପାଇଁ ଏମାନେ ଯୋଜନା ଚଳାଉଥିବା ବେଳେ, ସ୍ପେଶାଲ ସ୍କ୍ବାଡ ଶେଷ କରିଛି ସ୍ପେଶାଲ ଅପରେସନ । ଖୁବଶୀଘ୍ର ଏହି ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ । ରିମାଣ୍ଡ ବେଳେ ସେମାନଙ୍କ କ୍ରାଇମ ହିଷ୍ଟ୍ରି ଓ କ୍ରାଇମ ସିଣ୍ଡିକେଟ ସମ୍ପର୍କରେ ହେବ ଅଧିକ ଖୋଳତାଡ଼ ।
ଅପରାଧୀଙ୍କୁ ଜଗିବ AI କ୍ୟାମେରା, ଗଳିନ୍ଦିରେ ବୁଲିବ ଡ୍ରୋନ
ବଲାଙ୍ଗୀର : ଅପରାଧୀଙ୍କୁ ଜଗିବ AI କ୍ୟାମେରା । ଡ୍ରୋନ୍ ସହାୟତାରେ ଚିହ୍ନଟ ହେବେ କ୍ରିମିନାଲ । ଅପରାଧ ରୋକିବାକୁ ବଲାଙ୍ଗୀର ପୋଲିସର ନୂଆ ଷ୍ଟ୍ରାଟେଜି । ଦିନକୁ ଦିନ ବିଗିଡିବାରେ ଲାଗିଛି ବଲାଙ୍ଗୀରର ଆଇନଶୃଙ୍ଖଳା ସ୍ଥିତି । ଅପରାଧୀଙ୍କୁ ଧରିବାକୁ ନାକେଦମ ହେଉଛି ପୋଲିସ୍ । ଗତ କିଛିଦିନ ଧରି ପୋଲିସର ନିଦ ହଜାଇଥିଲେ ଆସ୍କା ଲୁଟେରା । ଗତ ୨ ତାରିଖରେ ପାଟଣାଗଡ଼ ବ୍ୟବସାୟୀ ପର୍ଶୁରାମ୍ ପାନସାରୀଙ୍କ ଠାରୁ ୪ ଲକ୍ଷ ଟଙ୍କା ଥିବା ବ୍ୟାଗ୍ ଝାମ୍ପି ନେଇ ଫେରାର ଥିଲେ । ପାଟଣାଗଡରେ ଲାଗିଥିବା AI କ୍ୟାମେରା ସହାୟତାରେ ୪ ପେସାଦାର ଲୁଟେରାଙ୍କୁ କାବୁ କରାଯାଇଥିଲା । ଏହି ଲୁଟେରାଙ୍କ ବିରୋଧରେ ୬ ଜିଲ୍ଲାରେ ରହିଛି ୧୯ ରୁ ଅଧିକ ମାମଲା । ଗିରଫ ହୋଇ ଚେନ୍ନାଇ ସେଣ୍ଟ୍ରାଲ ଜେଲରେ ମଧ୍ଯ ଥିଲେ ଅଭିଯୁକ୍ତ । ବଲାଙ୍ଗୀରରେ ଏପରି ଲଗାତର ଘଟଣା ଘଟୁଥିବାରୁ ଚିନ୍ତାବ୍ଯକ୍ତ କରିଛନ୍ତି ସହରବାସୀ ।
ବଲାଙ୍ଗୀରରେ ଦିନକୁ ଦିନ ଘଟିଚାଲିଛି ଅପରାଧ । ଅପରାଧୀଙ୍କୁ ଧରିବାକୁ ନାକେଦମ ହେଇଛି ପୋଲିସ୍ । ଅପରାଧ ଘଟାଇ ବାହାର ରାଜ୍ଯକୁ ଚାଲିଯାଉଛନ୍ତି ଅପରାଧୀ । ତେଣୁ ଆନ୍ତଃରାଜ୍ଯ କ୍ରମିନାଲଙ୍କୁ କାବୁ କରିବା ପାଇଁ ଏଣିକି ନୂଆ ଷ୍ଟ୍ରାଟେଜି ଆପଣେଇ ପୋଲିସ । AI କ୍ଯାମେରାର ସହାୟତା ନିଆଯିବା ସହ ଗଳିକନ୍ଦିରେ ଡ୍ରୋନ ଦ୍ବାରା ନଜର ରଖାଯିବ ବୋଲି କହିଛନ୍ତି ଉତ୍ତରାଞ୍ଚଳ ଆଇଜି ଓ ଏସ୍ପି ।
ମରଣଯନ୍ତା ପାଲଟିଛି କଣ୍ଟାମାଳ ବ୍ଲକ ବଘିଆବାହାଲ-ଝିଙ୍କରପାଲି ରାସ୍ତା
କଣ୍ଟାମାଳ ; ରାସ୍ତା ମଝିରେ ଗର୍ତ୍ତ । କେଉଁଠି କଂକ୍ରିଟ ଗେଟି ଗଡୁଛି ତ କେଉଁଠି ରାସ୍ତା ଫାଟି ଆଁ କରିଛି । ଏ ହେଉଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲସାଗୋରା ପଂଚାୟତର ବଘିଆବାହାଲ ଠାରୁ ଝିଙ୍କରପାଲି ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା । ବଘିଆବାହାଲ ଡାକଘର ଛକ ୪୧ ନମ୍ବର ରାଜ୍ୟ ରାଜପଥ ଠାରୁ ଝିଙ୍କରପାଲି ଗାଁକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡକର ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି । ରାସ୍ତାର ଅଧିକାଂଶ ସ୍ଥାନରେ ପିଚୁ ଉଠିଯିବା ପରେ ରାସ୍ତାରେ ଦିଆଯାଇଥିବା ମେଟାଲ, ଚିପ୍ସ ଓ ପିଚୁ ଉଠି ରାସ୍ତା ଉପରେ ଗଦା ହୋଇ ରହୁଛି । ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି ।
୨୦୧୭ ମସିହାରେ ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ଏହି ତିନି କିଲୋମିଟର ନଅ ଶହ ମିଟର ରାସ୍ତା ନିର୍ମାଣ କରାଯାଇଥିଲା । ରାସ୍ତା ଉପରେ ୮ ଖଣ୍ଡ ଗାଁ ଲୋକେ ନିର୍ଭର କରନ୍ତି । ହେଲେ ରାସ୍ତାର ଦୁରବସ୍ଥା ଏବେ ଲୋକଙ୍କ ପାଇଁ କାଳ ସାଜିଛି । ଅନେକ ସମୟରେ ଦୁର୍ଘଟଣା ଘଟିବା ସହ ବୟସ୍କ ଲୋକେ ଓ ସ୍କୁଲ ପିଲାମାନେ ସମସ୍ଯାରେ ପଡୁଛନ୍ତି । ଏଥିସହ ବର୍ଷା ଦିନେ ଅଞ୍ଚଳକୁ ଆମ୍ବୁଲାନ୍ସ ଯିବା କଷ୍ଟକର ହୋଇ ପଡୁଛି । ସମସ୍ଯା ନେଇ ଲୋକେ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରୁଥିଲେ ମଧ୍ଯ କେହି ଶୁଣୁନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଯିବା ସହ ତୁରନ୍ତ ରାସ୍ତା ମରାମତି ପାଇଁ ଦାବି କରିଛନ୍ତି ।
ମହାପ୍ରଭୁଙ୍କ ବସ୍ତ୍ର ତିଆରିରେ ନିମଗ୍ନ ଆଠଗଡ ନୂଆପାଟଣା ଗାଁର ବୁଣାକାର ପରିବାର
ଆଠଗଡ଼ : ଅଣସରରେ ଜଗତ ସାଆନ୍ତ । ଆଉ ଦିନ କେଇଟା ପରେ ରଥଯାତ୍ରା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରେ ଲାଗି ହେବ ନବ ବସ୍ତ୍ର । ଏଥିଲାଗି ବସ୍ତ୍ର ତିଆରିରେ ନିମଗ୍ନ ବୁଣାକାର ପରିବାର । କିଏ ସୂତା ଯୋଖିବାରେ ବ୍ୟସ୍ତ ତ କିଏ ତନ୍ତରେ ବସି ଗୀତଗୋବିନ୍ଦ ଲେଖିବାରେ ବ୍ୟସ୍ତ । କଟକ ଜିଲ୍ଲା ଆଠଗଡ ନୂଆପାଟଣା ଗାଁର ବୁଣାକାର ପରିବାର ଶ୍ରୀଜିୟୁଙ୍କ ବସ୍ତ୍ରକୁ ବାନ୍ଧରେ ବୁଣି ସଜାଉଛନ୍ତି । ସ୍ନାନଯାତ୍ରା ପାଇଁ ଖଣ୍ଡୁଆ ପାଟ ପୁରୀରେ ପହଞ୍ଚିଥିବା ବେଳେ ଗୁଣ୍ଡିଚା ପୂର୍ବରୁ ମହାପ୍ରଭୁଙ୍କ ବସ୍ତ୍ର ଶ୍ରୀମନ୍ଦିର ପ୍ରଶାସକ ପାଖରେ ପଇଠ କରାଯିବ । ସେଥିପାଇଁ ଚଳଚଞ୍ଚଳ ବୁଣାକାର ।
ଶ୍ରୀ ଜିଉଙ୍କ ସ୍ନାନଯାତ୍ରା ହେଉ ଅବା ଘୋଷଯାତ୍ରା । ନୀଲାଦ୍ରୀ ବିଜେ ହେଉ ଅବା ଅନବସର । ମହାପ୍ରଭୁଙ୍କ ଅଙ୍ଗରେ ଲାଗିହୁଏ ଅନେକ ପ୍ରକାର ବସ୍ତ୍ର । ଏହି ବସ୍ତ୍ରରେ ଅନେକ ପ୍ରକାର ଡିଜାଇନ ତିଆରି ହୋଇଥାଏ । କେଉଁ ବସ୍ତ୍ରରେ ଗୀତ ଗୋବିନ୍ଦ ଲେଖା ଯାଇଥାଏ ତ ଅନେକ ବସ୍ତ୍ରରେ ଲେଖାଯାଇଥାଏ ଅନେକ ପ୍ରକାର ଶ୍ଲୋକ । ଏସବୁ ବସ୍ତ୍ରକୁ ବାନ୍ଧରେ ବୁଣି ସଜାଇଥାନ୍ତି ନୂଆପାଟଣା ଗାଁର ବୁଣାକାର ପରିବାର । ଘରର ପିଲା ଠାରୁ ବୃଦ୍ଧା ଯାଏଁ ଏହି ବସ୍ତ୍ରକୁ ତିଆରିରେ ଲାଗିପଡିଥାନ୍ତି । ଏହି ବସ୍ତ୍ରକୁ ପିନ୍ଧି ପ୍ରଭୁ ଘୋଷଯାତ୍ରାରେ ଗଲାବେଳେ ଖୁବ ଆନନ୍ଦ ଲାଗିଥାଏ ବୋଲି କହିଛନ୍ତି ବୁଣାକାର । ଜଗତରନାଥ ଜଗନ୍ନାଥଙ୍କ ବିଭିନ୍ନ ସେବାରେ ଲାଗିଥାନ୍ତି ଭିନ୍ନ ଭିନ୍ନ ସେବକ ପରିବାର । ପ୍ରଭୁଙ୍କ ଶ୍ରୀ ଅଙ୍ଗରେ ଲାଗି ହେଉଥିବା ବସ୍ତ୍ର ବୁଣିବାର ସୌଭାଗ୍ଯ ପାଇଥିବାରୁ ନିଜକୁ ଧନ୍ଯ ମନେ କରିଥାନ୍ତି ବୁଣାକାର ।
ରାତି ପାହିଲେ ରଜ, ରଜକୁ ନେଇ ଉତ୍ସବମୁଖର ପୁରପଲ୍ଲୀ
ସାଲେପୁର : ରାତି ପାହିଲେ ରଜ । ଆଜି ହେଉଛି ସଜବାଜ । ପହିଲି ରଜର ପହିଲି ସ୍ପର୍ଶରେ ପୁଲକ୍କିତ ହୋଇଉଠିବ ଧରା । ରଜକୁ ନେଇ ଉତ୍ସବମୁଖର ପୁରପଲ୍ଲୀ । ସଜେଇ ହେଲେଣି କୁଆଁରୀ । କୁଙ୍କୁମ, ଅଳତା, ମେହେନ୍ଦୀ, ଲିପଷ୍ଟିକ ସାଙ୍ଗକୁ ମଥାରେ ଚିତା ଲଗାଇ ହେଲେଣି ସଜବାଜ । କଟକ ଜିଲ୍ଲା ସାଲେପୁରର ତଳ ପାଟପୁର ଗାଁରେ ଏବେ ଠୁ ଜମିଲାଣି ରଜର ମାହୋଲ । ରଜ ସଜବାଜରୁ ହିଁ ଗାଁରେ ତାସ ଖେଳର ଆସର ଜମିଲାଣି । ଗାଁରେ ତିନି ଦନି ଧରି ଧୁମଧାମରେ ଚାଲିବ ରଜ ମହୋତ୍ସବ । ପୋଡ ପିଠା ସହ ରଜ ପାନ ଖାଇ ଦୋଳି ଖେଳିବେ କୁଆଁରୀ।
ଜ୍ୟେଷ୍ଠ ମାସ ଶେଷ ଓ ଆଷାଢ଼ର ପହିଲି ପୁଲକରେ ଆସେ ରଜ ପର୍ବ । ଆଉ ଏହି ରଜ ପର୍ବ ପାଇଁ ତଳ ପାଟପୁର ଗାଁରେ ବନ୍ଧା ସରିଲାଣି ଦୋଳି । ବନ୍ଧୁ ବାନ୍ଧବ କୁଣିଆ ମୈତ୍ରଙ୍କ ଲାଗିଲାଣି ଗହଳି । ଗାଁର ପିଲା ମାନେ କ୍ଯାରମ, ଲୁଡୁ ଖେଳରେ ହେଲେଣି ମସଗୁଲ । ଝିଅ ମାନେ ନାଚ ପ୍ରାକ୍ଟିସରେ ପୂଜା ମଜି ଯାଇଥିବା ବେଳେ ବୟସ୍କ ମାନେ ମଧ୍ଯ ବେଶ ଉତ୍ସାହିତ ହୋଇ ଉଠିଛନ୍ତି ।
ସ୍ବାଭାବିକ ହୋଇନି ଭଦ୍ରକ, ପୁଣି ଇଣ୍ଟରନେଟ ସେବା ବନ୍ଦ
ଭଦ୍ରକ : ସ୍ବାଭାବିକ ହୋଇନି ଭଦ୍ରକ ସ୍ଥିତି। ଦିର୍ଘ ୩୬ ଘଣ୍ଟା ଧରି ବନ୍ଦ ରହିଛି ଇଣ୍ଟରନେଟ ସେବା। ଗତକାଲି ୨୪ ଘଣ୍ଟା ଧରି ଇଣ୍ଡରନେଟ ସେବା ବନ୍ଦ ଥିବାବେଳେ ଆଜି ଆଉ ୧୨ ଘଣ୍ଟା ବନ୍ଦ ରହିଛି । ଫଳରେ ଲୋକେ ନାନାଦି ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଯୁକ୍ତ ଦୁଇ ଓ ଯୁକ୍ତ ତିନି ପାଇଁ ନାମଲେଖା ଚାଲିଥିବା ବେଳେ ଇଣ୍ଟରନେଟ ସେବା ବନ୍ଦ ଥିବାରୁ ନାମ ଲେଖା ପାଇଁ ଛାତ୍ରଛାତ୍ରୀଙ୍କୁ ଅସୁବିଧା ହେଉଛି । ଆଇଆଇଟି ଓ ଏନଆଇଟିରେ ଆଡ଼ମିସନ ହେଉକି ସିଲେକ୍ସନ ଏସବୁ ଖବର ମିଳିବା ସମ୍ଭବ ହୋଇପାରୁନାହିଁ । ଯାହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସେହିପରି ଇଣ୍ଟରନେଟ ସେବା ବନ୍ଦଥିବାରୁ ଆଧାରକାର୍ଡ଼ ସଂଶୋଧନ ଠାରୁ ଆରମ୍ଭ କରି ପାର୍ସପୋର୍ଟ ସେବା ଆବେଦନ ହୋଇପାରୁନାହିଁ । ଦୁରଦୂରାନ୍ତରୁ ଜିଲ୍ଲା ମୁଖ୍ୟାଳୟକୁ ଆସୁଥୁବା ଲୋକଙ୍କୁ ହତାଶ ହୋଇ ଫେରିବାକୁ ପଡୁଛି। ସେପଟେ ଆଜି ସନ୍ଧ୍ୟାରୁ ଇଣ୍ଟରନେଟ ସେବା ଆରମ୍ଭ ହେବ ବୋଲି ଭଦ୍ରକ ଏସପି ମନୋଜ ରାଉତ ସୂଚନା ଦେଇଛନ୍ତି।
ଯାଜପୁରରେ ସୁଧୁରୁଛି ଝାଡାବାନ୍ତି ସ୍ଥିତି
ଯାଜପୁର ରୋଡ : ଯାଜପୁରରେ ସୁଧୁରୁଛି ଝାଡାବାନ୍ତି ସ୍ଥିତି । ଗତ ୪ ଦିନ ମଧ୍ୟରେ ଯାଜପୁର ଜିଲ୍ଲାର ବ୍ୟାସନଗର ଓ ଯାଜପୁର ପୌରାଞ୍ଚଳ ସମେତ ଧର୍ମଶାଳା, ରସୁଲପୁର, କୋରାଇ, ଦାନଗଦି ଓ ସୁକିନ୍ଦା ଆଦି ୬ ଟି ବ୍ଲକରେ ଝାଡାବାନ୍ତି ରୋଗରେ ୭୦୦ରୁ ଉର୍ଦ୍ଧ୍ବ ରୋଗୀ ଆକ୍ରାନ୍ତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ବର୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଥିବା ବେଳେ ସରକାରୀ ଭାବେ କୌଣସି ସଠିକ୍ ତଥ୍ୟ ଦିଆଯାଇନାହିଁ । ତେବେ ଗତକାଲିଠାରୁ ଆକ୍ରାନ୍ତଙ୍କ ସଂଖ୍ୟା କମିଛି । ଅର୍ଦ୍ଧାଧିକ ଲୋକ ଚିକିତ୍ସିତ ହୋଇ ସୁସ୍ଥ ଅବସ୍ଥାରେ ଘରକୁ ଫେରିଲେଣି । ରାଜ୍ୟ ଏବଂ ଜିଲ୍ଲା ସ୍ବାସ୍ଥ୍ୟ ଟିମ୍ ସହିତ ବିଭିନ୍ନ ସ୍ବାସ୍ଥ୍ୟ ଅନୁଧ୍ୟାନକାରୀ ଦଳ ମେଡିକାଲ୍ ଓ ଅଞ୍ଚଳ ଗସ୍ତ କରି ସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିଛନ୍ତି । ବିଭିନ୍ନ ପ୍ରକାରର ନମୁନା ସଂଗ୍ରହ କରାଯାଇ ପରୀକ୍ଷାନିରୀକ୍ଷା ପାଇଁ ପଠାଯାଇଛି । ୪ ଦିନ ଭିତରେ ଯାଜପୁର ରୋଡ଼ ମେଡିକାଲରେ ୨୯୦ ଜଣ ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ଏଠାରେ ବର୍ତମାନ ୩୪ଜଣ ଚିକିତ୍ସାଧୀନ ଥିବା ବେଳେ ୧୮ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କଟକ ବଡ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ୪ ଦିନରେ ଦାନଗଦି ମେଡିକାଲରେ ୧୨୮ଜଣ ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ୧୪ ଜଣଙ୍କୁ କଟକ ଓ ଜିଲ୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏଠାରେ ବର୍ତମାନ ୨୬ ଜଣ ଚିକିତ୍ସାଧୀନ ଅଛନ୍ତି । ସେହିପରି କୋରେଇ ମେଡ଼ିକାଲରେ ଏବେ ସୁଦ୍ଧା ୧୩୩ ଜଣ ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ୧୦୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳ ଆଜି ବିଭିନ୍ନ ବ୍ଲକର ଅନେକ ଗ୍ରାମକୁ ଯାଇ ସ୍ଥିତି ପରଖୁଛନ୍ତି। ନଳକୂପ ଓ ଓଭରହେଡ ପାଣି ଟାଙ୍କି ଆଦି ଜଳ ଉତ୍ସ ଗୁଡିକର ବିଶୁଦ୍ଧିକରଣ ଏବଂ ସ୍ବଚ୍ଛତା ନେଇ ତଦାରଖ କରିଛନ୍ତି। ସେପଟେ ଜନସ୍ଵାସ୍ଥ୍ଯ ନିର୍ଦ୍ଦେଶକ କହିଲେ, ୨୪ ଘଣ୍ଟା ମଧ୍ଯରେ ସ୍ଥିତି ହେବ ନିୟନ୍ତ୍ରଣାଧୀନ ।

