spot_img
Home Blog Page 673

ଉବୁଟୁବୁ ସୁବର୍ଣ୍ଣରେଖା ନଦୀ: ବାଲେଶ୍ବରର ୩ ବ୍ଲକର ୧୦ରୁ ଅଧିକ ଗାଁରେ ପଶିଛି ବନ୍ୟାଜଳ, ଭାସିଗଲେ ଜଣେ ଯୁବକ

ଭୁବନେଶ୍ବର: ମୌସୁମୀ ଋତୁର ପ୍ରଥମ ବର୍ଷାଜଳରେ ଉବୁଟୁବୁ ସୁବର୍ଣ୍ଣରେଖା ନଦୀ । ରାଜଘାଟରେ ଜଳସ୍ତର ବିପଦ ସଙ୍କେତ ଉପରେ ବହୁଥିବାରୁ ବାଲେଶ୍ବର ଜିଲ୍ଲାର ବସ୍ତା, ଭୋଗରାଇ, ବାଲିଆପାଳ ବ୍ଲକର ୧୦ରୁ ଅଧିକ ଗାଁରେ ପଶିଛି ବନ୍ୟାଜଳ । ବନ୍ୟା ସ୍ରୋତରେ ଜଣେ ଯୁବକ ଭାସିଯାଇ ନିଖୋଜ ହୋଇଛନ୍ତି । ଏବେ ବିପଦ ସାଜିଛି ଭୋଗରାଇ ବ୍ଲକ ଖାଳଝରି ସ୍ଲୁଇସ୍ ଗେଟ । ୩ଟି ଗେଟ ଦେଇ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ଗେଟରେ ଥିବା ଫାଟ ଯୋଗୁଁ ଚିନ୍ତାରେ ୧୮ ପଞ୍ଚାୟତ । ବ୍ରିଟିଶ ଅମଳର ଏହି ପୁରୁଣା ପୋଲ ଭାଙ୍ଗିବାର ଆଶଙ୍କା କରିଛନ୍ତି ସ୍ଥାନୀୟ ବାସିନ୍ଦା । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି ବୋଲି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି । ତେବେ ପାଣିପାଗ ଅନୂକୂଳ ଥିବାରୁ ଶୀଘ୍ର ସ୍ଥିତି ସୁଧୁରିବ ବୋଲି ସୂଚନା ମିଳିଛି ।

ସୁବର୍ଣ୍ଣରେଖାରେ ବର୍ଷର ପ୍ରଥମ ବନ୍ୟା ଜଳ । ବାଲେଶ୍ବର ଜିଲ୍ଲାର ବସ୍ତା, ଭୋଗରାଇ ଓ ବାଲିଆପାଳ ବ୍ଲକ ପ୍ରଭାବିତ । ପାଣି ଘେରରେ ଶହ ଶହ ଲୋକ । ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସଜାଗ ଜିଲ୍ଲା ପ୍ରଶାସନ । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ରାଜଘାଟରେ ସୁବର୍ଣ୍ଣରେଖା ବିପଦ ସଙ୍କେତ ଉପରେ ବହୁଛି । ରାଜଘାଟରେ ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ଏବେ ଜଳସ୍ତର ୧୧.୦୫ ମିଟର ରହିଛି । ଗତକାଲି ପ୍ରଶାସନ ପକ୍ଷରୁ ଡାକବାଜି ଜରିଆରେ ଲୋକଙ୍କୁ ରାତିରେ ସୁରକ୍ଷିତ ସ୍ଥାନରେ ରହିବା ପାଇଁ କୁହାଯାଇଥିଲା । କିନ୍ତୁ ରାତିରେ ନଦୀର ଜଳ କ୍ରମଶଃ ବଢି ଭୋଗରାଇ ବ୍ଲକର ୧୦ରୁ ଅଧିକ ଗାଁ ଭିତରେ ପାଣି ପଶିଛି । ମନୁନଗର, ହୁଡାପାଳ, ଆରୁହାବର୍ତ୍ତି ଗାଁ ଦାଣ୍ଡରେ ପାଣି ଲହଡ଼ି ମାରୁଛି । ସେହିପରି ବାଲିଆପାଳ ବ୍ଲକର କୁଦମାନସିଂ, ଚଡପଦା, ଅସ୍ତି, ରସଲପୁର, ପାଳ ଯାମକୁଣ୍ଡା ଗାଁରେ ବନ୍ୟ ପାଣି ପଶିଥିବାରୁ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ଶହ ଶହ ଲୋକେ । ଅସୁସ୍ଥ ବାପାଙ୍କ ପାଇ ଔଷଧ ଆଣିବାକୁ ଯାଇଥିବା କୁଲ୍ଲା ଗ୍ରାମର ମହେଶ୍ବର ପିଳା ଜାମକୁଣ୍ଡା ନିକଟରେ ବନ୍ୟା ଜଳରେ ଭାସି ଯାଇଛନ୍ତି । ଅଗ୍ନିଶମ ଟିମ୍ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ପତ୍ତା ମିଳିନାହିଁ ।

ସ୍ଥାନୀୟ ଲୋକଙ୍କ ପାଇଁ ଏବେ କାଳ ସାଜିଛି ଖାଳଝରି ସ୍ଲୁଇସ୍ ଗେଟ । ଭୋଗରାଇ ବ୍ଲକ ନାଚିନ୍ଦ ପଞ୍ଚାୟତରେ ଥିବା ଏହି ବ୍ରିଟିଶ ଅମଳର ଗେଟରେ ଫାଟ ଯୋଗୁଁ ଭାଙ୍ଗି ଯିବାର ସମ୍ଭାବନା ଦେଖାଦେଇଛି । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଅସନ୍ତୋଷ ଥିବା ବେଳେ ଏହା ଉପରେ ନଜର ରଖାଯାଇଛି ବୋଲି ଜୁନିୟର ଇଞ୍ଜିନିୟର କହିଛନ୍ତି । ସୁବର୍ଣ୍ଣରେଖାରେ ବନ୍ୟା ପାଣି ଯୋଗୁଁ ବାଲେଶ୍ୱରର ୩ ବ୍ଲକ ସବୁଠୁ ଅଧିକ ପ୍ରଭାବିତ ହୋଇଛି ।  ବସ୍ତା, ବାଲିଆପାଳ, ଭୋଗରାଇରେ ତଳିଆ ଅଂଚଳରେ ପାଣି ପଶିଥିବାରୁ ହଜାର ହଜାର ଲୋକେ ଜଳମଗ୍ନ ଅବସ୍ଥାରେ ଅଛନ୍ତି । ତେବେ ପାଣିପାଗ ଅନୁକୂଳ ଥିବାରୁ କମ ଦିନରେ ସ୍ଥିତି ସୁଧୁରିବ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।

ସୁବର୍ଣ୍ଣରେଖା ଫୁଲିବା ପରେ ଏବେ ଅନ୍ୟ ନଦୀ ଉପରେ ନଜର ରଖିଛି ଜଳସମ୍ପଦ ବିଭାଗ । ସମ୍ଭାବ୍ୟ ବନ୍ୟା ପାଇଁ ପ୍ରସ୍ତୁତ ରହିବାକୁ ସ୍ବାସ୍ଥ୍ୟ ବିଭାଗ, ରାଜସ୍ବ ବିଭାଗ, ବ୍ଲକ ପ୍ରଶାସନକୁ ସଜାଗ କରାଯାଇଛି ।

କ୍ଲିଣ୍ଟନଙ୍କ ବଡ଼ ଅଭିଯୋଗ: କ୍ଷମତାରେ ରହିବାକୁ ଇରାନ ସହ ଯୁଦ୍ଧ କରୁଛନ୍ତି ନେତାନ୍ୟାହୁ

ନନ୍ଦିଘୋଷ ବ୍ୟୁରୋ: ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି ଇସ୍ରାଏଲ-ଇରାନ ବିବାଦ । ଦୁଇ ଦେଶ ପରସ୍ପର ଉପରେ ଜାରି ରଖିଛନ୍ତି ମିଜାଇଲ ଓ ଡ୍ରୋନ ଆଟାକ୍ । ଇରାନ ଆଜି ଇସ୍ରାଏଲର ରାଜଧାନୀ ତେଲ ଅବିବ ଉପରେ ଏକାଧିକ ବାଲେଷ୍ଟିକ ମିଜାଇଲ ଓ ରକେଟ୍ ମାଡ଼ କରିଛି । ସେପଟେ ଇସ୍ରାଏଲ ଇରାନର କୁଦସ ଫୋର୍ସର ଅସ୍ତ୍ରଶସ୍ତ୍ର ଟ୍ରାନ୍ସଫର ୟୁନିଟ୍ ମୁଖ୍ୟ କମାଣ୍ଡର ବେନହମ ଶାହରିୟାରୀଙ୍କୁ ହତ୍ୟା କରିଛି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଭୟଙ୍କର ସ୍ଥିତିରେ ପହଞ୍ଚି ଥିବା ବେଳେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ କ୍ଲିଣ୍ଟନଙ୍କ ଆସିଛି ବଡ଼ ବୟାନ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଉପରେ କ୍ଲିଣ୍ଟନ ଗୁରୁତର ଅଭିଯୋଗ ଲଗାଇଛନ୍ତି । ସେ କହିଛନ୍ତି, ନେତାନ୍ୟାହୁ କ୍ଷମତାରେ ରହିବା ପାଇଁ ଦୀର୍ଘ ଦିନରୁ ଇରାନ ସହ ଯୁଦ୍ଧ କରିବାକୁ ଚାହୁଁଥିଲେ ।

ସେପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ତାଙ୍କ ଗୁଇନ୍ଦା ସଂସ୍ଥାରେ ବି ହଲଚଲ ଆରମ୍ଭ ହୋଇଯାଇଛି । କାରଣ ନିଜ ଗୁଇନ୍ଦା ସଂସ୍ଥାର ରିପୋର୍ଟକୁ ବି ମିଛ ମାନୁଛନ୍ତି ଟ୍ରମ୍ପ । ସୂଚନାଯୋଗ୍ୟ, ଆମେରିକା ଗୁଇନ୍ଦା ସଂସ୍ଥା ନିଜ ଅଧିକାରୀକ ରିପୋର୍ଟରେ ଉଲ୍ଲେଖ କରିଛି ଯେ, ଇରାନ ବର୍ତ୍ତମାନ ପରମାଣୁ ବୋମା ବନାଇବାକୁ ଯାଉନାହିଁ । ଏହି ରିପୋର୍ଟ ଆମେରିକାର ଗୁଇନ୍ଦା ସଂସ୍ଥା ମୁଖ୍ୟ ତୁଲସୀ ଗବାର୍ଡ ଦେଇଛନ୍ତି । ହେଲେ ତୁଲସୀଙ୍କ ରିପୋର୍ଟକୁ ଟ୍ରମ୍ପ ଭୁଲ ବୋଲି କହିଛନ୍ତି । ସେ କହିଛନ୍ତି, ଯଦି ଆମ ଗୁଇନ୍ଦା ସଂସ୍ଥା ଏମିତି କହୁଛି, ତେବେ ସେମାନ ଭୁଲ କରୁଛନ୍ତି ।

ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଶତକ ମାରି ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ପନ୍ତ

ନନ୍ଦିଘୋଷ ବ୍ୟୁରୋ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରିଷଭ ପନ୍ତଙ୍କ ମହା ରେକର୍ଡ । ଶତକ ମାରିବା ସହ ଇତିହାସ କରିଛନ୍ତି ପନ୍ତ । ଏବେ ପନ୍ତ ଭାରତର ପାଇଁ ଟେଷ୍ଟ କ୍ରିକେଟରେ ସବୁଠାରୁ ଅଧିକ ଶତକ ମାରିଥିବା ଖେଳାଳି ବନିଯାଇଛନ୍ତି । ଏହା ତାଙ୍କ କ୍ୟାରିୟରର ୭ମ ଶତକ । ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ (୬) ଏବଂ ରିଦ୍ଧିମାନ ଶାହା (୩)ଙ୍କୁ ପଛରେ ପକାଇ ଦେଇଛନ୍ତି ।

ଏହି ଧୂଆଁଧାର ଶତକୀୟ ପାରିରେ ପନ୍ତ ଏକାଧିକ ରେକର୍ଡ ନିଜ ନାଁରେ କରିଛନ୍ତି । ଶତକ କରିବା ବେଳେ ପନ୍ତ ୧୦ ଚୌକା ଓ ୪ ଛକା ମାରିଛନ୍ତି । ଇଂଲଣ୍ଡରେ ଏହା ପନ୍ତଙ୍କ ତୃତୀୟ ଶତକ । ବିଦେଶ ମାଟିରେ ୫ ଓ ଭାରତରେ ଦୁଇଟି ଶତକ ହାସଲ କରିଛନ୍ତି ପନ୍ତ । ପନ୍ତ ଏକମାତ୍ର ଭାରତୀୟ ଯିଏ ଇଂଲଣ୍ଡ ମାଟିରେ ଇଂଲଣ୍ଡ ବିପକ୍ଷରେ ୩ଟି ଶତକ ମାରିଛନ୍ତି ।

ଆସନ୍ତାକାଲି ନବୀନ ପଟ୍ଟନାୟକଙ୍କ ହେବ ଅସ୍ତ୍ରୋପଚାର

ନନ୍ଦିଘୋଷ ବ୍ୟୁରୋ: ସର୍ଭିକାଲ ଆଥ୍ରାଇଟିସ ଚିକିତ୍ସା ପାଇଁ କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଗତକାଲି ମୁମ୍ବାଇ ଯାଇ ନବୀନ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଆସନ୍ତାକାଲି ସକାଳେ ତାଙ୍କର ଅସ୍ତ୍ରୋପଚାର ହେବ ବୋଲି ଜଣାପଡିଛି ।

ସେପଟେ ନବୀନଙ୍କ ଅସୁସ୍ଥତା ନେଇ ସାରା ରାଜ୍ୟରୁ ଆଶୁ ଆରୋଗ୍ୟ କାମନାର ସୁଅ ଛୁଟୁଛି । ଗତକାଲି ନବୀନ ଭୁବନେଶ୍ବର ଛାଡିବା ସମୟରେ ବହୁ ସଂଖ୍ୟାରେ ମହିଳା ଓ ବିଜେଡି ନେତା, କର୍ମୀ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ସାରା ରାଜ୍ୟରେ ନବୀନଙ୍କ ଆରୋଗ୍ୟ କାମନା କରି ଦୀପଦାନ କରାଯାଉଛି । ବାଲେଶ୍ୱର ଜିଲ୍ଲା ବାବା ବକ୍ରେଶ୍ୱର ଶୈବ ପୀଠରେ ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ଆଜି ଶତାଧିକ ମହିଳା ଓ ପୁରୁଷ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ୧୦୮ ଦୀପ ଦାନ କରିଛନ୍ତି । ଏହାସହ ବାବାଙ୍କ ପାଖରେ ପୂଜାର୍ଚ୍ଚନା କରିଛନ୍ତି । ଏଥିରେ ସିମୁଳିଆ ନିର୍ବାଚନ ମଣ୍ଡଳୀର ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ । ମହିଳାମାନେ ହୁଳହୁଳି ପକାଇ ଉପାସ ରହି ନବୀନଙ୍କ ପାଇଁ ପୂଜା କରିଥିଲେ । ଶୀଘ୍ର ନବୀନ ସୁସ୍ଥ ହୋଇ ପୁଣି ଓଡିଶାକୁ ଆସି ଲୋକଙ୍କ ସେବା ଜାରି ରଖନ୍ତୁ ବୋଲି ସେମାନେ କାମନା କରିଛନ୍ତି ।

ଉଦଳା ବିଜେଡି ପକ୍ଷରୁ ଆଜି ସମୂହ ଦୀପ ଦାନ କରାଯାଇଛି । ପୂର୍ବତନ ଉଦଳା ବିଧାୟକ ଶ୍ରୀନାଥ ସୋରେନଙ୍କ ସମେତ ଉପଖଣ୍ଡର ସମସ୍ତ ବିଜେଡି ନେତା ଉଦଳା ହନୁମାନ ମନ୍ଦିରରେ ପହଞ୍ଚି ବିଜେଡି ସୁପ୍ରିମୋଙ୍କ ଆଶୁ ଆରୋଗ୍ୟ କାମନା କରି ୧୦୮ ଦୀପ ପ୍ରଜ୍ଜ୍ବଳନ କରି ପୂଜାର୍ଚ୍ଚନା କରିଥିଲେ । ନବୀନ ଶୀଘ୍ର ସୁସ୍ଥ ହୋଇ ଫେରିବା ପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ ସମସ୍ତେ । ସେହିପରି ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ନୀଳଗିରି ବିଜେଡି ପକ୍ଷରୁ ମା’ ଭୂଧାରଚଣ୍ଡୀଙ୍କ ନିକଟରେ ଦୀପଦାନ କରାଯାଇଛି । ବିଜେଡିର ଶହ ଶହ କର୍ମୀ ପୂର୍ବତନ ବିଧାୟକ ସୁକାନ୍ତ ନାୟକଙ୍କ ନେତୃତ୍ବରେ ମା’ଙ୍କ ପୀଠରେ ପହଞ୍ଚି ଦୀପଦାନ କରିବା ସହ ନବୀନଙ୍କ ପାଇଁ ପୂଜାର୍ଚ୍ଚନା କରିଛନ୍ତି ।

ଅହମ୍ମଦାବାଦ ଏୟାର ଇଣ୍ଡିଆ କ୍ରାସ : ୩ ବରିଷ୍ଠ ଅଧିକାରୀଙ୍କୁ ହଟାଇବାକୁ ନିର୍ଦ୍ଦେଶ

ନନ୍ଦିଘୋଷ ବ୍ୟୁରୋ : ଅହମ୍ମଦାବାଦ ଏୟାର ଇଣ୍ଡିଆ କ୍ରାସକୁ ନେଇ ୩ ବରିଷ୍ଠ ଅଧିକାରୀଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଛି ଡିଜିସିଏ। ଏୟାର ଇଣ୍ଡିଆକୁ ଏହି ନିର୍ଦ୍ଦେଶ ଦିଆଯାଇଛି। ୩ ଅଧିକାରୀଙ୍କ ମଧ୍ୟରେ ଅଛନ୍ତି ଜଣେ ଉପାଧ୍ୟକ୍ଷ । ଗୁରୁତର ତ୍ରୁଟି ପାଇଁ କ୍ରୁ ସିଡ୍ୟୁଲିଂ ଓ ରୋଷ୍ଟରିଂ ଦାୟିତ୍ଵରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛି ଡିଜିସିଏ। କୌଣସି ବିଳମ୍ଵ ନ କରି ତୁରନ୍ତ ଆକ୍ସନ ନେବାକୁ DGCA ଏୟାର ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଛି। ଏହାର ଉତ୍ତରରେ ଏୟାର ଇଣ୍ଡିଆ କହିଛି, DGCA ର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯାଇଛି। ଅସ୍ଥାୟୀ ଭାବେ ସିଓଓ ଏହି ସବୁ ଦାୟିତ୍ଵ ବୁଝିବେ। ସୁରକ୍ଷା ପ୍ରୋଟୋକଲ ଏବଂ ସେଫଟି ଷ୍ଟାଣ୍ଡାର୍ଡର ସମସ୍ତ ନିୟମ ପାଳନ କରାଯିବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଡିଜିସିଏ ଆଦେଶରେ କୁହାଯାଇଛି: “ଲାଇସେନ୍ସିଂ, ବିଶ୍ରାମ ଏବଂ ଆବଶ୍ୟକତା ପୂରଣରେ ବିମାନ କର୍ମଚାରୀଙ୍କ ସିଡ୍ୟୁଲ୍ ଓ ଅପରେସନରେ ବାରମ୍ଵାର ତ୍ରୁଟି  କରାଯାଇଛି।  … ଡିଜିସିଏ ଏୟାର ଇଣ୍ଡିଆକୁ ଚେତାବନୀ ମଧ୍ୟ ଦେଇଛି ଯେ ଭବିଷ୍ୟତରେ କ୍ରୁ ଲିଷ୍ଟିଂରେ ଉଲ୍ଲଂଘନ ହେଲେ “କଠୋର କାର୍ଯ୍ୟାନୁଷ୍ଠାନ” ନିଆଯିବ। ଏପରିକି ଲାଇସେନସ ବି ସସପେଣ୍ଡ କରାଯାଇପାରେ। ଗତ ସପ୍ତାହରେ ଅହମଦାବାଦରେ ବୋଇଂ 787-8 ଡ୍ରିମଲାଇନର ଦୁର୍ଘଟଣା ହୋଇଥିଲା। ୨୪୧ ଯାତ୍ରୀ ସମେତ ୨୭୫ଜଣଙ୍କ ମୃତ୍ୟୁ ହୋଇଥିଲା।

ପୋଖରୀରେ ବିଷ, ମରି ଭାସୁଛନ୍ତି ମାଛ

ଭୁବନେଶ୍ବର : ଗାଁ ପୋଖରୀରେ ବିଷ । ଦୁଇ ଦୁଇଟି ପୋଖରୀରେ ବିଷ ପକାଇଲେ ଲିଜଧାରୀ। ଯାହାକୁ ନେଇ ଗାଁରେ ଅସନ୍ତୋଷ ବଢିବାରେ ଲାଗିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଜଗଦଳପୁର ପଞ୍ଚାୟତରେ । ଜଗଦଳପୁର ଗୋପାଳି ଗ୍ରାମରେ ଥିବା ଦୁଇଟି ପଞ୍ଚାୟତ ପୋଖରୀରେ ହଜାର ହଜାର ସଂଖ୍ୟାରେ ମାଛ ମରି ଭାସୁଛନ୍ତି । ଗତକାଲି ରାତିରେ ପୋଖରୀ ଲିଜଧାରୀ ପୋଖରୀରେ ବିଷ ପକାଇଥିବା ଅଭିଯୋଗ ହୋଇଛି । ପଞ୍ଚାୟତର ଚୁକ୍ତି ଅନୁଯାୟୀ କେହି ବ୍ୟକ୍ତି ପୋଖରୀରେ ବିଷ ପକାଇ ପାରିବେ ନାହିଁ। କିନ୍ତୁ ଚୁକ୍ତିକୁ ବେଖାତିର କରି ଲିଜାଧାରୀ ପୋଖରୀରେ ବିଷ ପକାଇଥିବା ଗ୍ରାମବାସୀ ଭଦ୍ରକ ଗ୍ରାମାଞ୍ଚଳ ଥାନା ଓ ବ୍ଲକ ଉନ୍ନୟନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏପରି ସ୍ଥିତିରେ ପୋଖରୀ ପାଣିକୁ ଦୂଷିତ କରିବାକୁ ଅପଚେଷ୍ଠା କରିଥିବା ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହିତ ତୁରନ୍ତ ପୋଖରୀ ପାଣୀକୁ ବିଶୁଦ୍ଧ କରିବାକୁ ଦାବୀ ହୋଇଛି। ଅନ୍ୟପଟେ ବିଡ଼ିଓଙ୍କ ନିର୍ଦ୍ଦେଶ କ୍ରମେ ଗ୍ରାମରେ ଲୋକଙ୍କୁ ପୋଖରୀ ଜଳ ବ୍ୟବହାର ନକରିବାକୁ ବ୍ୟାନର ଓ ନାଲି ପତାକା ଲଗା ଯାଇଥିବା କହିଛନ୍ତି ଜଗଦଳପୁର ସରପଞ୍ଚ । ଏଥି ସହିତ ଦୁଇଟି ପୋଖରୀକୁ କିପରି ତୁରନ୍ତ ବିଶୁଦ୍ଧ କରାଯିବ ସେଥିନେଇ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ସରପଞ୍ଚ।

ଗୋପାଳପୁରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା, ଅଭିଯୁକ୍ତଙ୍କ ହେଲା ଟିଆଇ ପରେଡ

ବ୍ରହ୍ମପୁର : ଗୋପାଳପୁର ସମୁଦ୍ର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା ।  ବ୍ରହ୍ମପୁର ଜେଲରେ ଟିଆଇ ପ୍ୟାରେଡ ହୋଇଥିବା ସୂଚନା ମିଳିଛି । ଗତକାଲି ଅପରାହ୍ନରେ ଟିଆଇ ପ୍ୟାରେଡ କରାଯାଇଛି । ଅଭିଯୁକ୍ତମାନଙ୍କୁ ଅଭିଯୋଗକାରିଣୀ ଓ ତାଙ୍କ ପୁରୁଷବନ୍ଧୁଙ୍କ ଆଗରେ ରଖି ଟିଆଇ ପ୍ୟାରେଡ କରାଯାଇଛି । ଅଭିଯୋଗକାରିଣୀ ଘଟଣା ଘଟାଇଥିବା ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରିଥିବା ମଧ୍ୟ ସୂଚନା ମିଳିଛି । ଏହି ଘଟଣାରେ ଟିଆଇ ପ୍ୟାରେଡ ପାଇଁ କ୍ରାଇମବ୍ରାଞ୍ଚ ବ୍ରହ୍ମପୁର ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଆବେଦନ କରିଥିଲା । କୋର୍ଟଙ୍କ ଅନୁମତି ମିଳିବା ପରେ ନିୟମ ଅନୁଯାୟୀ ଟିଆଇ ପ୍ୟାରେଡ କରାଯାଇଛି । ବଡ କଥା ହେଉଛି ସମସ୍ତ ୬ ଅଭିଯୁକ୍ତଙ୍କୁ ପୀଡ଼ିତା ଏବଂ ତାଙ୍କ ପୁରୁଷ ବନ୍ଧୁ ଚିହ୍ନଟ କରିଛନ୍ତି । ପରବର୍ତ୍ତୀ ସମୟରେ ଏମାନଙ୍କୁ ରିମାଣ୍ଡରେ ଅଣାଯାଇପାରେ । ଗତ ରବିବାର ରଜ ସଂକ୍ରାନ୍ତି ସଂଧ୍ୟାରେ ପୀଡ଼ିତା ତାଙ୍କ ପୁରୁଷ ବନ୍ଧୁଙ୍କ ସହ ସମୁଦ୍ର ବେଳାଭୂମିରେ ବୁଲୁଥିବା ବେଳେ ଗଣଦୁଷ୍କର୍ମ ଶିକାର ହୋଇଥିବା ଅଭିଯୋଗ ହୋଇଥିଲା ।

ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେବାକୁ ପାକିସ୍ତାନର ପ୍ରସ୍ତାବ

ନନ୍ଦିଘୋଷ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେବାକୁ ପ୍ରସ୍ତାବ ଦେଇଛନ୍ତି ପାକିସ୍ତାନ ସରକାର। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେବା ସପକ୍ଷରେ ଯୁକ୍ତି ବାଢିଛନ୍ତି। ଆମେରିକା ରାଷ୍ଟ୍ରପତିଙ୍କ ଯୋଗୁଁ ଭାରତ-ପାକ୍ ବିବାଦ ବନ୍ଦ ହୋଇଛି ବୋଲି କହିଛନ୍ତି ଶେହବାଜ ସରିଫ। ଏଥିଲାଗ ପାକିସ୍ତାନ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେବାକୁ ଯୁକ୍ତି ବାଢିଛନ୍ତି। ଭାରତ-ପାକିସ୍ତାନ ମୁହାଁମୁହିଁ ସମୟରେ ଟ୍ରମ୍ପଙ୍କ କୂଟନୈତିକ ମଧ୍ୟସ୍ଥତା ଦୁଇ ପରମାଣୁ ଅସ୍ତ୍ରଶସ୍ତ୍ର ସମ୍ପନ୍ନ ଦେଶ ମଧ୍ୟରେ ଏକ ବଡ଼ ଯୁଦ୍ଧକୁ ଏଡାଇବାରେ ସାହାଯ୍ୟ କରିଥିଲା ​​ବୋଲି କହିଛନ୍ତି ପାକିସ୍ତାନ ସରକାର। ପାକିସ୍ତାନ କହିଛି ଯେ ଭାରତ-ପାକ୍ ବିବାଦ ସମୟରେ ଟ୍ରମ୍ପଙ୍କ କୂଟନୈତିକ ପଦକ୍ଷେପ ଏବଂ ମଧ୍ୟସ୍ଥତା ଏକ ବଡ଼ ଯୁଦ୍ଧକୁ ଏଡାଇବାରେ ସାହାଯ୍ୟ କରିଥିଲା। ଟ୍ରମ୍ପ ନୂଆଦିଲ୍ଲୀ ଏବଂ ଇସଲାମାବାଦ ଉଭୟଙ୍କ ସହ କଥା ହୋଇ ଅସ୍ତ୍ରବିରତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହା ଦୁଇ ପରମାଣୁ ଶକ୍ତି ମଧ୍ୟରେ ଯୁଦ୍ଧ ସମ୍ଭାବନାକୁ ଏଡାଇ ଦେଇଥିଲା। ପୂର୍ବରୁ ପାକିସ୍ତାନ ସେନା ଫିଲ୍ଡ ମାର୍ଶଲ ଅସୀମ ମୁନୀରଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଥିଲେ ରାଷ୍ଟ୍ରପତି ଟ୍ରମ୍ପ। ଅସୀମ ମୁନୀର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେବାକୁ ଯୁକ୍ତି ବାଢିଥିଲେ। ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ କରିବାରେ ଟ୍ରମ୍ପଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ଥିଲା ବୋଲି କହିଥିଲେ। କିଛି ଦିନ ତଳେ ମୁନୀର ଓ ଟ୍ରମ୍ପ  ଉଭୟ ହ୍ୱାଇଟ୍ ହାଉସର କ୍ୟାବିନେଟ୍ ରୁମରେ ଏକାଠି ମଧ୍ୟାହ୍ନ ଭୋଜନ କରିଥିଲେ।

ଅନ୍ୟ ଜାତିରେ ବାହା ହେଲା ଝିଅ, ଗାଁ ଲୋକଙ୍କ ଚାପରେ ଲଣ୍ଡା ହେଲେ ପରିବାର

କାଶୀପୁର:  ପରମ୍ପରା ନାଁ ଜାତିପ୍ରଥାର କୁସଂସ୍କାର ?  ଝିଅ ଅନ୍ୟ ଜାତିର ପୁଅକୁ ବାହା ହେବାରୁ ଝିଅଙ୍କ ପରିବାରର ସମସ୍ତେ ଶୁଦ୍ଧି ହେବା ସହିତ ମୁଣ୍ଡନ କରିଛନ୍ତି। ଏପରି ଅଭାବନୀୟ ଘଟଣା ଦେବାକୁ ମିଳିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ। ବାଇଗଣଗୁଡ଼ାର ଜଣେ ଆଦିବାସୀ ଝିଅ ଅନ୍ୟ ଏକ ଜାତିର ପୁଅକୁ ଭଲ ପାଉଥିଲା। ପରିବାର ଲୋକଙ୍କ ଅନିଚ୍ଛା ସତ୍ତ୍ଵେ ଉଭୟେ ବାହା ହେବାରୁ ଗାଁ ଲୋକ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଜାତିରେ ରହିବାକୁ ହେଲେ ପରମ୍ପରା ଅନୁଯାୟୀ ଛେଳି, କୁକୁଡ଼ା, ଘୁଷୁରୀ ଆଦି ବଳି ଦେବା ସହିତ ମୁଣ୍ଡନ କରିବାକୁ ଗାଁ ଲୋକେ କହିଥିବାର ଅଭିଯୋଗ ହୋଇଛି। ଏହା ପରେ ଝିଅଙ୍କ ପରିବାର ଲୋକେ ବାଧ୍ୟ ହୋଇ ମୁଣ୍ଡନ ହୋଇଛନ୍ତି। ପରମ୍ପରା। କାଶୀପୁର ବିଡ଼ିଓ ବିଜୟ ସୋଏ କହିଛନ୍ତି, ସଂପୃକ୍ତ ଗାଁକୁ ଯାଇ ତଦନ୍ତ କରିବାକୁ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଅପରେସନ ସିନ୍ଧୁ ଜରିଆରେ ଇରାନରୁ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ଜାରି

ନନ୍ଦିଘୋଷ ବ୍ୟୁରୋ : ଅପରେସନ ସିନ୍ଧୁ ଜରିଆରେ ଇରାନରୁ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ଜାରି। ଗତକାଲି ଫେରିଲେ ୨୯୦ ଭାରତୀୟ। ଆଜି ଭୋରରୁ ୫୬ ଜଣଭାରତୀୟ ରାଜଧାନୀ ଦିଲ୍ଲୀରେ ଆସି ପହଞ୍ଚିଛନ୍ତି। ଭାରତ ପାଇଁ ନିଜ ଆକାଶ ମାର୍ଗ ଖୋଲିଲା ଇରାନ ଏହାପରେ ବିମାନରେ ଇରାନରୁ ଦେଶକୁ ଫେରୁଛନ୍ତି ଭାରତୀୟ। ସେଠାରେ ଯୁଦ୍ଧ ଲାଗି ରହିଥିବାରୁ ସେଠାରେ ରହୁଥିବା ଭାରତୀୟମାନେ ଫସି ରହିଥିଲେ। ଜୀବନ ପ୍ରତି ମଧ୍ୟ ବିପଦର ଆଶଙ୍କା ଥିଲା। ଉଦ୍ଧାର କରିବାକୁ ନିଷ୍ପତ୍ତି ନେଇଥିଲେ ଭାରତ ସରକାର। ଏଥିପାଇଁ ଅପରେସନ ସିନ୍ଧୁ ଆରମ୍ଭ କରାଯାଇଛି। ସେଠାରୁ ସିଧାସଳଖ ବିମାନ ଆସି ଦିଲ୍ଲୀରେ ପହଞ୍ଚିଛନ୍ତି। ଆଗରୁ ୧୧୦ ଜଣ ଭାରତୀୟ ଛାତ୍ର ଆସିଥିଲେ। ଇରାନରୁ ସିଧାସଳଖ ଆସିନଥିଲେ ମଧ୍ୟ ଆର୍ମେନିଆ ଓ ଦୋହା ଦେଇ ସେମାନେ ଫେରିଛନ୍ତି।