spot_img
Home Blog Page 674

ICCର ନିୟମ ଭାଙ୍ଗିଲେ ଶୁଭମନ୍ ଗିଲ୍, ଦେଇପାରନ୍ତି ବଡ଼ ଜରିମାନା

ନନ୍ଦିଘୋଷ ବ୍ୟୁରୋ: ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଖେଳୁଛି ଭାରତ । ପ୍ରଥମ ଦିନରେ ଦୃଢ଼ ସ୍ଥିତିରେ ରହିଛି ଟିମ ଇଣ୍ଡିଆ । ଅଧିନାୟକ ଶୁଭମନ ଗିଲ ଏବଂ ଜୟସ୍ବାଲଙ୍କ ଶତକୀୟ ପାଳି ବଳରେ ଭାରତ ଏବେ ଦୃଢ଼ ସ୍ଥିତିରେ ରହିଛି । ତେବେ ପ୍ରଥମ ଦିନରେ ଅଧିନାୟକ ଶୁଭମନ ଗିଲ ଆଇସିସିର ଏକ ବଡ଼ ନିୟମ ଭାଙ୍ଗିଥିବା କୁହାଯାଉଛି । ଯେଉଁ କାରଣରୁ ତାଙ୍କ ବଡ଼ ଜରିମାନା ମଧ୍ୟ ଦେବାକୁ ପଡ଼ିପାରେ । ତେବେ ଗିଲ ଯେତେବେଳେ ବ୍ୟାଟିଂ ଆସିଥିଲଷ ସେତେବେଳେ ସେ ଧଳା ମୋଜା ବଦଳରେ କଳା ମୋଜା ପିନ୍ଧି ବ୍ୟାଟିଂ ଆସିଥିବା ଦେଖିବାକୁ ମିଳିଥିଲା । ନିୟମ ଅନୁସାରେ ଟେଷ୍ଟ ମ୍ୟାଚରେ ଧଳା ମୋଜା ପିନ୍ଧିବା କଥା । MCC ଦ୍ବାରା ଏଭଳି ନିୟମ କରାଯାଇଛି । ଡ୍ରେସକୋଡ୍ ନିୟମ ଉଲଙ୍ଘନ କରିଥିବା କାରଣରୁ ତାଙ୍କ ଜରିମାନା ଦେବାକୁ ପଡ଼ିବ । ତେବେ ଏହି ମାମଲାରେ ସ୍କାଏ ସ୍ପୋର୍ଟ ପକ୍ଷରୁ ଟୁଇଟ୍ କରାଯାଇଥିବା ଦେଖିବାକୁ ମିଳିଛି । ପୋଷାକ ସମ୍ବନ୍ଧୀୟ ICC ନିୟମ 19.45 ଅନୁଯାୟୀ ଜଣେ ଖେଳାଳି ଟେଷ୍ଟ ମ୍ୟାଚ୍ ସମୟରେ ଧଳା ପୋଷାକ, କ୍ରିମ୍ କିମ୍ବା ହାଲୁକା ମାଟିଆ ରଙ୍ଗର ମୋଜା ପିନ୍ଧିବା ଉଚିତ, କିନ୍ତୁ ଶୁଭମନ ଗିଲ୍ କଳା ମୋଜା ପିନ୍ଧିଥିଲେ, ଯାହା ICC ନିୟମର ଉଲ୍ଲଂଘନ। ଏହି ନିୟମ 2023 ମେ ମାସରେ ଲାଗୁ କରାଯାଇଥିଲା। ତେବେ ନିୟମ ଅନୁସାରେ ମ୍ୟାଚ ଫି’ର ୧୦ରୁ ୨୦ ପ୍ରତିଶତ ତାଙ୍କୁ ଦେବାକୁ ପଡ଼ିପାରେ ।

 

ଆମେଟି ଗାଁରେ ଜ୍ବର ଆତଙ୍କ  

ନନ୍ଦିଘୋଷ ବ୍ୟୁରୋ: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଉକମ୍ବା ପଞ୍ଚାୟତ ଆମେଟି ଗାଁରେ ଜ୍ବର ଆତଙ୍କ । ଗତ ୨୦ ଦିନ ହେବ ପ୍ରତି ଘରେ ଜ୍ଵର ହେବା ସହ ଦେହ କୁଣ୍ଡାଇ ହେବା ଓ ଗୋଡ଼ ବ୍ୟଥା ହେଉଛି । କିଛି ଲୋକ ଭଲ ହୋଇଥିବା ବେଳେ ଆହୁରି ଅନେକ ଲୋକ ଘରେ ଶୋଇ ରହିଛନ୍ତି । ଆଉ କିଛି ରୋଗୀ ଚିକିତ୍ସା ପରେ ସ୍ୱାସ୍ଥ୍ୟରେ ଉନ୍ନତି ନଆସିବାରୁ ଆନ୍ଧ୍ର ମୁହାଁ ହୋଇଥିବା ଅଭିଯୋଗ ହୋଇଛି । ଖବର ପାଇ ଉକମ୍ବା ଓ ରାମନାଗୁଡା ଡାକ୍ତରଖାନାର ଟିମ ଗାଁକୁ ଯାଇ ଚିକିତ୍ସା କରି ଫେରିଛନ୍ତି । ଏପଟେ ରୁତୁ ପରିବର୍ତ୍ତନ ହେବା ପରେ ଭାଇରାଲ ଜ୍ଵର ଆଉ ସମସ୍ତଙ୍କ ରକ୍ତ ନମୁନା ନେଗେଟିଭ ରହିଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି ।

ଗାଁ ଦାଣ୍ଡରେ ଆଶାକର୍ମୀଙ୍କୁ ମାଡ଼ : ଉଦ୍ଧାର କରିବାକୁ ଯାଇ ଆକ୍ରମଣର ଶିକାର ହେଲେ ଯୁବକ

ନନ୍ଦିଘୋଷ ବ୍ୟୁରୋ: ଗାଁ ଦାଣ୍ଡରେ ଆଶାକର୍ମୀଙ୍କୁ ମାଡ଼ । ଉଦ୍ଧାର କରିବାକୁ ଯାଇ ଆକ୍ରମଣର ଶିକାର ହେଲେ ଯୁବକ । ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ପାର୍ବତୀପୁର ଗାଁରେ । ଏହି ଗାଁରେ ଝାଡାବାନ୍ତି ବ୍ୟାପିଥିବା ବେଳେ ଜଣେ ଆଶାକର୍ମୀ ଔଷଧ ଦେବାକୁ ଯାଇଥିଲେ । ଏହି ସମୟରେ ସେହି ଗାଁର ସୁବାଷ ବେହେରା, ଲୋକନାଥ ବେହେରା ଏବଂ ଆଉ ଦୁଇଜଣ ଅଜଣା ଯୁବକ ଅତ୍ୟଧିକ ମଦ୍ୟପାନ କରି ଗାଳିଗୁଲଜ କରିଥିଲେ । ଏହାକୁ ଆଶାକର୍ମୀ ବାରଣ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଏହାଦେଖି ମାୟାଧର ପ୍ରଧାନ ନାମକ ଜଣେ ବ୍ୟକ୍ତି ତାଙ୍କୁ ଉଦ୍ଧାର କରିବାକୁ ଆସିଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି । ଗାଁଲୋକେ ଉଭୟ ଆଶାକର୍ମୀ ଏବଂ ମାୟାଧରଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି । ଏନେଇ ଆଶାକର୍ମୀ ଫତେଗଡ଼ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ପାର୍ବତୀପୁର ଗ୍ରାମରେ ପହଞ୍ଚି ଅଭିଯୁକ୍ତକୁ ଧରିବା ପାଇଁ ଚଢ଼ାଉ ଆରମ୍ଭ କରିଥିବା ଜଣାପଡିଛି।

ଭାରତ ପାଇଁ ନିଜ ଆକାଶ ମାର୍ଗ ଖୋଲିଲା ଇରାନ

ନନ୍ଦିଘୋଷ ବ୍ୟୁରୋ: ଅପରେସନ ସିନ୍ଧୁ। ଭାରତ ପାଇଁ ନିଜ ଆକାଶ ମାର୍ଗ ଖୋଲିଲା ଇରାନ। ଏହାପରେ ବିିମାନରେ ଇରାନରୁ ଦେଶକୁ ଫେରୁଛନ୍ତି ଭାରତୀୟ। ସେଠାରେ ଯୁଦ୍ଧ ଲାଗି ରହିଥିବାରୁ ସେଠାରେ ରହୁଥିବା ଭାରତୀୟମାନେ ଫସି ରହିଥିଲେ। ଜୀବନ ପ୍ରତି ମଧ୍ୟ ବିପଦର ଆଶଙ୍କା ଥିଲା। ଉଦ୍ଧାର କରିବାକୁ ନିଷ୍ପତ୍ତି ନେଇଥିଲେ ଭାରତ ସରକାର। ଏଥିପାଇଁ ଅପରେସନ ସିନ୍ଧୁ ଆରମ୍ଭ କରାଯାଇଛି। ଆଜିସେଠାରୁ ସିଧାସଳଖ ବିମାନ ଆସି ଦିଲ୍ଲୀରେ ପହଞ୍ଚିଛି। ଆଗରୁ ୧୧୦ ଜଣ ଭାରତୀୟ ଛାତ୍ର ଆସିଥିଲେ। କିନ୍ତୁ ଇରାନରୁ ସିଧାସଳଖ ଆସିନଥିଲେ। ଆର୍ମେନିଆ ଓ ଦୋହା ଦେଇ ସେମାନେ ଆସିଥିଲେ।

ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ, ବିଶାଳ ସ୍କୋର ଅଭିମୁଖେ ଭାରତ

ନନ୍ଦିଘୋଷ ବ୍ୟୁରୋ: କ୍ୟାପଟେନ ଭାବେ ପ୍ରଥମ ଟେଷ୍ଟରେ ଶତକ। ଏପରି ସଫଳତା ହାସଲ କରିଛନ୍ତି ଭାରତୀୟ କ୍ରିକେଟ୍ ର ନୂଆ ପ୍ରିନ୍ସ ଶୁଭମନ ଗିଲ୍। ଲିଡ୍ସ ଟେଷ୍ଟରେ ସେ ଶତକ ହାସଲ କରିଛନ୍ତି। ଓପନର ଯଶସ୍ଵୀ ଜୟସ୍ଵାଲ ମଧ୍ୟ ଶତକ ହାସଲ କରିଛନ୍ତି। ଲିଡ୍ସ ଟେଷ୍ଟରେ ଦୃଢ ସ୍ଥିତିରେ ପହଞ୍ଚିଛି। ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିଥିଲା ଟିମ୍। ୫ ମ୍ୟାଚ ବିଶିଷ୍ଟ ସିରିଜରେ ପ୍ରଥମ ମ୍ୟାଚ ଖେଳାଯାଉଛି ଲିଡ୍ସରେ। ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରୁଛି ଦଳ। ଓପନର୍ ଜଶସ୍ଵୀ ଜୟସ୍ଵାଲ ଶତକ ହାସଲ କରିଛନ୍ତି। କେଏଲ୍ ରାହୁଲ କରିଛନ୍ତି ୪୨ ରନ। କିନ୍ତୁ ନିଜ ଡେବ୍ୟୁ ମ୍ୟାଚରେ ନିରାଶ ହୋଇଛନ୍ତି ସାଇ ସୁଦର୍ଶନ । ସେ ଡକ୍ ଆଉଟ ହୋଇଛନ୍ତି। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩ ୱିକେଟ ହରାଇ କରିଛି ୩୫୯ ରନ। ଆଜି ଦ୍ବିତୀୟ ଦିନର ଖେଳ ହେବାକୁଥିବାବେଳେ ଭାରତୀୟ ଦଳ ଏକ ବିଶାଳ ସ୍କୋର କରିବ ବୋଲି ଆଶା ରଖିଛନ୍ତି ପ୍ରଶଂସକ ।

ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି

ନନ୍ଦିଘୋଷ ବ୍ୟୁରୋ: ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି । ସ୍ନାନ ପୂର୍ଣ୍ଣିମା ଠାରୁ ଅଣସର ଘରେ ଅସୁସ୍ଥ ଥିବା ଚତୁର୍ଦ୍ଧାମୂର୍ତ୍ତୀ ଦଶମୀ ତିଥିରେ ଶଯ୍ୟା ଛାଡିଛନ୍ତି । ଅଣସର ଘରେ ଚକାରେ ବିଜେ ହୋଇଛନ୍ତି ଶ୍ରୀବିଗ୍ରହ । ଏକାଦଶୀ ତିଥିରେ ଦଶମୂଳ ସେବନ ପରେ ମହାପ୍ରଭୁ ସଂପୂର୍ଣ୍ଣ ସୁସ୍ଥ ହେବେ । ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଓଷ ଲାଗି ପରେ ଧିରେ ଧିରେ ଜ୍ୱରରୁ ଉପଶମ ହୋଇଛନ୍ତି । ଦୀର୍ଘ ୯ ଦିନ ଜ୍ୱରରେ ପୀଡିତ ହୋଇ ଅଣସର ପିଣ୍ଡିରେ ବିଶ୍ରାମ ନେଉଥିବା ଶ୍ରୀଜୀଉ  ଉଠି ବସିଛନ୍ତି । ଆଜି ଏକାଦଶୀ ତିଥିରେ ମହାପ୍ରଭୁଙ୍କ ଠାରେ ଦଶମୂଳ ମୋଦକ ଲାଗି କରାଯିବ । ଏହାପରେ ଅସୁସ୍ଥ ଥିବା ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ । ଗତକାଲି ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଦଶମୂଳ ମୋଦକ ସାତୋଟି ବଢାରେ ଶ୍ରୀମନ୍ଦିରରେ ଆସି ପହଞ୍ଚିଥିଲା ।

ଏକାଦଶୀ ତିଥି ପରେ ମହାପ୍ରଭୁଙ୍କୁ ଏହା ଲାଗି କରାଯିବାର ପରମ୍ପରା ରହିଛି । ଆଜି ଖଳିଲାଗି ଏକାଦଶୀରେ ଠାକୁରମାନଙ୍କୁ ଖଳି ଲାଗି କରାଯିବ । ଦଇତା ଓ ପତିମହାପାତ୍ର ତିନି ବାଡରେ ଶ୍ରୀଅଙ୍ଗରେ ଚନ୍ଦନ ଲେପନ କରିବେ । ଚନ୍ଦନରେ କର୍ପୂର , କେଶର ଓ ଆବଶ୍ୟକ ପରିମାଣର କସ୍ତୁରୀ ମିଶାଯାଇ ଶ୍ରୀବିଗ୍ରହ ମାନଙ୍କୁ ଲାଗି କରାଯିବାର ବିଧି ରହିଛି । ମହାପ୍ରଭୁ ବାରଲାଗି ପାଟ ପରିଧାନ କରିବେ । ତୁଳସୀ ଲାଗି କରିବା ପରେ ମହାପ୍ରଭୁଙ୍କୁ ଦଶମୂଳ ଲାଗି କରାଯିବ । ଏହାପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ । ତେବେ ମହାପ୍ରଭୁ ଜ୍ୱରରେ କମ୍ପୁ ଥିବାରୁ ଭୋଗଲାଗି ସମୟରେ  ଘଂଟ ବାଜିବା ବନ୍ଦ ରହିଥାଏ ।  ଖଳି ଲାଗି ସମୟରେ ଘଂଟ ଓ କାହାଳୀ ବଜାଇ ଶ୍ରୀଜୀଉମାନେ ସୁସ୍ଥ ହେଉଥିବା ବାର୍ତ୍ତା ଭକ୍ତଙ୍କୁ ଜଣାଇବାର ପରମ୍ପରା ରହିଛି ।

ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବୃଦ୍ଧି

ନନ୍ଦିଘୋଷ ବ୍ୟୁରୋ: ଉପରମୁଣ୍ଡରେ ଜଳସ୍ତର ବୃଦ୍ଧି ଯୋଗୁଁ ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବୃଦ୍ଧି। ଫୁଲୁଛି ସୁବର୍ଣ୍ଣରେଖା। ଗତ ରାତି ୧୦ ଟା ସୁଦ୍ଧା ରାଜଘାଟରେ ୧୧.୨୨ ମିଟର ଜଳ ପ୍ରବାହିତ ହେଉଥିଲା। ପ୍ରଶାସନ ପକ୍ଷରୁ ଡାକ ବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ରାତିରେ ସୁରକ୍ଷିତ ସ୍ଥାନରେ ରହିବା ପାଇଁ ନିବେଦନ କରାଯାଇଥିଲା। କିନ୍ତୁ ନଦୀର ଜଳ କ୍ରମଶଃ ବଡୁଥିବାରୁ ଭୋଗରାଇ ବ୍ଲକର ମନୁ ନଗର ଓ ହୁଡାପାଳ, ଆରୁହା ବର୍ତ୍ତି ଗାଁ ଭିତରକୁ ଜଳ ପଶିବା ଆରମ୍ଭ କରିଛି। ବାଲିଆପାଳ ବ୍ଳକ୍ ର କୁଦମାନସଂ, ଚଡ ପଦା, ଅସ୍ତି, ରସଲପୁର, ପାଳଯାମକୁଣ୍ଡା ଗାଁରେ ବନ୍ୟା ପାଣି ପଶିବାରେ ଲାଗିଛି।ସମସ୍ତ ଅଫିସରଙ୍କ ଛୁଟି ବାତିଲ ହୋଇଛି। ବିନା ନିର୍ଦ୍ଦେଶରେ ହେଡକ୍ୱାର୍ଟର ନଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ। ବାଲେଶ୍ଵର ଜିଲ୍ଲାରେ ଜଳେଶ୍ଵର, ଭୋଗରାଇ, ବସ୍ତା ଓ ବାଲିଆପାଳ ବ୍ଲକରେ ସମ୍ଭାବ୍ୟ ବନ୍ୟା ଆଶଙ୍କା ଦେଖାଦେଇଛି। ୪ଟି ବ୍ଲକର ସମସ୍ତ ଅଫିସରଙ୍କୁ ୨୪ ଘଣ୍ଟା ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଆବଶ୍ୟକ ସ୍ଥଳେ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି। ଅତ୍ୟାବଶ୍ୟକ ମେଡିସିନ ମହଜୁଦ ରଖିବା ସହ ଶୁଖିଲା ଖାଦ୍ୟ ପଦାର୍ଥ ମହଜୁଦ ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ

ନନ୍ଦିଘୋଷ ବ୍ୟୁରୋ: ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ୨୦୨୫ ମସିହାର ଅନ୍ତର୍ଜାତୀୟ ଯୋଗ ଦିବସର ବିଷୟବସ୍ତୁ ହେଉଛି ‘ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ’। ଯୋଗ ହେଉଛି ବିଶ୍ଵକୁ ଭାରତର ଅନନ୍ୟ ଅବଦାନ। ପ୍ରତି ବର୍ଷ ଜୁନ୍ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ରୂପେ ପାଳନ କରାଯାଉଛି। ଯୋଗ ଉଭୟ ଶାରୀରିକ ଓ ମାନସିକ ଭାବେ ଶରୀରକୁ ସୁସ୍ଥ ରଖେ। କାହିଁ କେଉଁ କାଳରୁ ଭାରତର ମୁନି ଋଷିମାନେ ଯୋଗ କରି ଆସୁଛନ୍ତି। କିଛି ବର୍ଷ ମଧ୍ୟରେ ଏହାର ପ୍ରଚାର ପ୍ରସାର ମଧ୍ୟ ବଢିଛି। କାରଣ ଏହାର ଅନେକ ଉପାଦେୟତା ଅଛି। ଆଜି ବିଶ୍ଵର ୧୩୦୦ଟି ସହରରେ ଯୋଗ ଦିବସ ପାଳନ କରାଯାଉଛି। ବ୍ରାଜିଲ, ଆର୍ଜେଣ୍ଟିନା, ଋଷ, ଚୀନ୍, ଦକ୍ଷିଣ ଆଫ୍ରିକା, ମାଲେସିଆ, ଶ୍ରୀଲଙ୍କା, ଇଣ୍ଡୋନେସିଆ, ସିଙ୍ଗାପୁର ଏବଂ ଦକ୍ଷିଣ କୋରିଆ ସମେତ 15 ଟି ଦେଶର 17 ଜଣ ଯୋଗଗୁରୁ ଏବଂ ଅଭ୍ୟାସକାରୀ ସମଗ୍ର ଭାରତରେ ଯୋଗ ଦିବସ କାର୍ଯ୍ୟକ୍ରମଗୁଡ଼ିକର ନେତୃତ୍ୱ ନେବେ।

ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି: ସୁନ୍ଦରଗଡ଼, ମୟୂରଭଞ୍ଜ ଓ ବାଲେଶ୍ଵରର ଅନେକ ଗାଁ ଜଳବନ୍ଦୀ

ନନ୍ଦିଘୋଷ ବ୍ୟୁରୋ: ଉତ୍ତର ଓଡ଼ିଶାର ପ୍ରମୁଖ ନଦୀରେ ଜଳସ୍ତର ବଢୁଛି । ବ୍ରାହ୍ମଣୀ, ସୁବର୍ଣ୍ଣରେଖା, ଇବ୍ ନଦୀ ଫୁଲୁଛନ୍ତି । ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ଏହି ସବୁ ନଦୀ କୂଳ ଲଙ୍ଘିବାରେ ଲାଗିଛନ୍ତି । ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ଵର ଜିଲ୍ଲାରେ ଦେଖାଦେଇଛି ବନ୍ୟା ସ୍ଥିତି । ତଳିଆ ଅଞ୍ଚଳରେ ପାଣି ପ୍ରବେଶ କରିଥିବାରୁ ଲୋକେ ଚିନ୍ତାରେ ପଡ଼ିଲେଣି ।

ଲଘୁଚାପ ବର୍ଷା ଓ ଝାଡ଼ଖଣ୍ଡର ଚାଣ୍ଡିଲ ଡ୍ୟାମର ଗେଟ୍ ଖୋଲିବାରୁ ସୁବର୍ଣ୍ଣରେଖାର ଜଳସ୍ତର ବଢିଛି । ଗଲୁଡିହି ବ୍ୟାରେଜରୁ ଛଡ଼ା ଯାଇଛି ୨ ଲକ୍ଷ ୪୨ ହଜାର କ୍ୟୁସେକ ପାଣି । ସୁବର୍ଣ୍ଣରେଖାର ପାଣିରେ ଜଳବନ୍ଦୀ ମୟୂରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକର ଅନେକ ଗାଁ । ଏହା ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ । ନଦୀର ଜଳସ୍ତର ବଢ଼ିବା ପରେ ପ୍ରାୟ ହଜାରେ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଇଛି । ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପି ସ୍ଥିତି ସମୀକ୍ଷା କରିଛନ୍ତି । ସାରସକଣା ବିଡିଓ ଏବଂ ଏଡିଏମ୍ ମଧ୍ୟ ସ୍ଥିତିର ତଦାରଖ କରିଛନ୍ତି । ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ଏନଡିଆରଏଫ୍, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ମୁତୟନ ହୋଇଛନ୍ତି । ସ୍ଥାନ୍ତାର ହୋଇଥିବା ଲୋକଙ୍କୁ ଖାଦ୍ୟ ପ୍ରଦାନ କରାଯାଇଛି ।

ବାଲେଶ୍ଵର ରାଜଘାଟରେ ବିପଦ ସଂକେତ ଟପିଛି ସୁବର୍ଣ୍ଣରେଖା । ଏଠାରେ ବିପଦ ସଂକେତ ୧୦.୩୬ ମିଟର ରହିଥିବା ବେଳେ ସୁବର୍ଣ୍ଣରେଖାର ଜଳସ୍ତର ରହିଛି ୧୦.୪୩ ମିଟର । ରାଜଘାଟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ, ଏସପି ଓ ଅନ୍ୟ ଅଧିକାରୀ । ସୁବର୍ଣ୍ଣରେଖାରେ ବନ୍ୟା ପାଣି ଆସିବାରୁ ଦହମୁଣ୍ଡା ନିକଟରେ ଅନେକ ମାଙ୍କଡ଼ ଫସି ରହିଥିଲେ । ଚାରିଆଡ଼େ ପାଣି ଥିବାରୁ ସେମାନେ ସ୍ଥଳଭାଗକୁ ଆସିପାରି ନଥିଲେ । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇଛି ।

ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ କେତେକ ସ୍ଥାନରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ହଠାତ ବଢ଼ିଛି ଇବ୍ ନଦୀର ଜଳସ୍ତର । ଭଷ୍ମା ଥାନା କୁଡ଼ାବଗା ନିକଟରେ ଏକ ଟାପୁରେ ଜଣେ ଯୁବକ ଫସି ଯାଇଥିଲେ । ବ୍ୟାରେଜରେ ସେ ଜଗୁଆଳି ଭାବେ କାମ କରନ୍ତି । ଅଗ୍ନିଶମ କର୍ମଚାରୀ ତାଙ୍କୁ ଉଦ୍ଧାର କରିଛି ।

ଲଗାଣ ବର୍ଷା ଯୋଗୁଁ ରାଉରକେଲାର କେତେକ ଅଞ୍ଚଳରେ ବ୍ରାହ୍ମଣୀ ନଦୀର ପାଣି ପଶିଛି । ଉପର ମୁଣ୍ଡରେ ବର୍ଷା ଯୋଗୁଁ ମନ୍ଦିରା ଡ୍ୟାମର ୧୧ଟି ଗେଟରୁ ୭ଟି ଗେଟ୍ ଖୋଲାଯାଇଛି । ମନ୍ଦିରା ଡ୍ୟାମର ଜଳସ୍ତର ୬୮୬.୮ ଫୁଟ ରହିଛି । ୭ଟି ଗେଟ୍ ଖୋଲା ଯିବା ପରେ ବଢ଼ିଛି ବ୍ରାହ୍ମଣୀ ନଦୀର ଜଳସ୍ତର । ବାଲୁଘାଟ ବସ୍ତିରେ ବ୍ରାହ୍ମଣୀ ପାଣିରେ ଜଳବନ୍ଦୀ ହୋଇଛନ୍ତି ୨୦ରୁ ଅଧିକ ଘର ।

ସେପଟେ ମୂଷଳଧାରାରେ ବର୍ଷା ଯୋଗୁଁ ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର ଜିଲ୍ଲାରେ ଦେଖାଦେଇଛି ବନ୍ୟା ପରିସ୍ଥିତି । ଝାଡ଼ଗ୍ରାମ ଜିଲ୍ଲାରେ ଅନେକ ଅଞ୍ଚଳ ଜଳବନ୍ଦୀ । ଅନେକ ନଦୀର ଜଳସ୍ତର ବଢ଼ିଛି । ପୋଲ ଉପରେ ଚାଲୁଛି ପାଣି । ୧୫ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ହେକ୍ଟର ହେକ୍ଟର ଚାଷ ଜମି ବନ୍ୟାପାଣିରେ ବୁଡ଼ିଛି ।

ଜିଲ୍ଲା ପରେ ଜିଲ୍ଲା ବ୍ୟାପିବାରେ ଲାଗିଛି ହଇଜା, ନିରାକରଣର ବାଟ ପାଉନି ସ୍ବାସ୍ଥ୍ୟ ବିଭାଗ

ନନ୍ଦିଘୋଷ ବ୍ୟୁରୋ: ମୁଣ୍ଡ ନେଇ ଚାଲିଛି ଝାଡ଼ାବାନ୍ତି । ଆଜି ମାହାଙ୍ଗାରେ ଜଣଙ୍କର ହୋଇଛି ମୃତ୍ୟୁ । ଏହାକୁ ମିଶାଇ ସାରା ରାଜ୍ୟରେ ମୃତ୍ୟୁସଂଖ୍ୟା ୨୩ରେ ପହଞ୍ଚିଛି । ପ୍ରତିଦିନି ନୂଆ ରୋଗୀ ମେଡିକାଲରେ ଭର୍ତ୍ତି ହେଉଛନ୍ତି । ଏଭଳି ସ୍ଥିତିରେ ଝାଡ଼ାବାନ୍ତିର ମୁକାବିଲା କିପରି କରାଯିବ ତାକୁ ନେଇ ଚିନ୍ତାରେ ପଡିଛି ସ୍ବାସ୍ଥ୍ୟ ବିଭାଗ ।

ଉଜୁଡ଼ି ଯାଉଛି ସଂସାର । କାନ୍ଦ ବୋବାଳିରେ ଫାଟି ପଡୁଛି ପରିବାର । ଥମୁନି ଝାଡ଼ାବାନ୍ତି । ପ୍ରତିଦିନ ଆସୁଛି ନୂଆ ମାମଲା । ୧୧ ଦିନ ପରେ ବି କଣ୍ଟ୍ରୋଲକୁ ଆସୁନି ହଇଜା । ନିରାକରଣ ନେଇ ବାଟ ପାଉନି ସ୍ବାସ୍ଥ୍ୟ ବିଭାଗ । ଝାଡ଼ାବାନ୍ତିରେ ଆଜି ପୁଣି ଜଣଙ୍କର ମୁଣ୍ଡ ଗଡିଛି । ମାହାଙ୍ଗାରେ ଜଣେ ଯୁବକଙ୍କ ମୃତ୍ୟୁ ପରେ ଝାଡ଼ାବାନ୍ତି ମୃତ୍ୟୁସଂଖ୍ୟା ୨୩ରେ ପହଞ୍ଚିଛି । ସଂକ୍ରମଣରେ ଆଖି ବୁଜିଛନ୍ତି ମାହାଙ୍ଗା ବ୍ଲକ ମଉଦା କ୍ଷେତ୍ରପାଳ ଗାଁର ଅଜୟ ନାୟକ । ଖବର ଜଣାପଡିବା ପରେ ସ୍ବାସ୍ଥ୍ୟ ଓ ପରିମଳ ବିଭାଗର କର୍ମଚାରୀ ଗାଁରେ ପହଞ୍ଚି ପାଣିର ଉତ୍ସକୁ ବିଶୋଧନ କରିଛନ୍ତି । ଏପରିକି ପାଣିର ନମୁନାକୁ ମଧ୍ୟ ପରୀକ୍ଷା ପାଇଁ ପଠାଯାଇଛି ।

ସେପଟେ ଯାଜପୁରରେ ଏଯାଏଁ ବି ନିୟନ୍ତ୍ରଣକୁ ଆସିନି ହଇଜା । ଜିଲ୍ଲାର ୧୩ ହସ୍ପିଟାଲରେ ଏବେ ବି ୧୪୬ ଜଣ ଆକ୍ରାନ୍ତଙ୍କର ଚିକିତ୍ସା ଚାଲିଛି । ପ୍ରଭାବିତ ଅଞ୍ଚଳରେ କେନ୍ଦ୍ରୀୟ ଟିମ୍ ପକ୍ଷରୁ ସମୀକ୍ଷା କରାଯାଉଛି । ଧର୍ମଶାଳାରେ ୪୭, ଦାନଗଦିରେ ୧୩, ମଙ୍ଗଳପୁରରେ ୧୧, ବଡଚଣା ଓ ବରୀରେ ୩ ଜଣ ଲେଖାଏଁ, ବିଞ୍ଝାରପୁରରେ ୪, କୋରାଇରେ ୮, ଯାଜପୁର ରୋଡରେ ୧୦, ରସୁଲପୁରରେ ୨, ସୁକିନ୍ଦାରେ ୮ ଓ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩୭ ଜଣ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି । ସେହିପରି ଝାଡାବାନ୍ତି ବ୍ୟାପିବା ପରେ ଆରଡ଼ି ସହ ଘଟଗାଁରେ ଖାଦ୍ୟ ଦୋକାନଗୁଡିକରେ ଯାଞ୍ଚ କରାଯାଉଛି ।

ବାଲେଶ୍ବର ଜିଲ୍ଲା ସୋର, ସିମୁଳିଆ ପରେ ଏବେ ଖଇରା ଅଞ୍ଚଳକୁ ବ୍ୟାପିଛି ଡାଇରିଆ । ୫ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ସ୍ଥିତି ସାଂଘାତିକ ହେବା ପୂର୍ବରୁ ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି । ଏପଟେ କଟକ ବାଙ୍କୀ ଘୋଳପୁରରେ ନିୟନ୍ତ୍ରଣକୁ ଆସିଛି ଡାଇରିଆ । ସ୍ବାସ୍ଥ୍ୟ ବିଭାଗ ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ସଚେତନ କରିବା ସହ ବିଶୁଦ୍ଧ ପିଇବା ପାଣି ଉପରେ ଗୁରୁତ୍ବ ଦେଇଛି । ଡ୍ରେନ ପାଣି ମିଶୁଥିବା ସ୍ଥାନକୁ ମରାମତି କରି ଉଚ୍ଚ ସ୍ଥାନରେ ପାଇପ ଫିଟିଂ କରାଯାଉଛି ।

ଦିନକୁ ଦିନ ଜଟିଳ ରୂପ ନେଉଛି ସ୍ଥିତି। ମେଡିକାଲରୁ କିଛି ସୁସ୍ଥ ହୋଇ ଫେରୁଥିବା ବେଳେ, ଆଉ କିଛି ନୂଆ ରୋଗୀ ଭର୍ତ୍ତି ହେଉଛନ୍ତି। ଏଭଳି ସ୍ଥିତିରେ ଆଉ କେତେ ମୁଣ୍ଡ ନେବ ଝାଡ଼ାବାନ୍ତି, ତାକୁ ନେଇ ଲୋକେ ଆଶଙ୍କାରେ ରହିଛନ୍ତି ।