spot_img
Home Blog Page 6733

ଚୋରୀ ପରେ ନିଆଁ ଲଗେଇ ଫେରାର୍ ହେଲେ, ଜଳିଗଲେ ୨ଜଣ…..

0

ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କଳିଗାଁରେ ଅଭାବନୀୟ ଘଟଣା ଘଟିଛି । ବୁଧବାର ବିଳମ୍ବିତ ରାତିରେ ଗାଁରେ ଥିବା ଗୋଟିଏ ତେଜରାତି ଦୋକାନରୁ କେହି ଦୁର୍ବୁତ୍ତ ଚୋରି କରିବା ପରେ ଦୋକାନ ପାଖରେ ଥିବା ଏକ ଘରେ ନିଆଁ ଲଗାଇଦେଇଛନ୍ତି । ଘର ଭିତରେ ଥିବା ୨ଜଣ ଜିଅନ୍ତା ଜଳିଯାଇଛନ୍ତି । ମୃତକ ହେଲେ ମା ପୁଅ ଜଞ୍ଜାଳୀ ଜେନା ଓ ବନମାଳୀ ଜେନା  ।

ଶୋଇଥିବା ଅବସ୍ଥାରେ ନିଆଁ ଲାଗିଥିବାରୁ ଉଭୟଙ୍କ ମୃତ୍ୟୁ ହୋଇଛି । ନିଆଁ ଲଗାଇବାର କାରଣ ଅସ୍ପଷ୍ଟ ରହିଛି । ତେବେ ଘଟଣାସ୍ଥଳରୁ ଏକ ରକ୍ତାକ୍ତ ବାଉଁଶ ଉଦ୍ଧାର ହୋଇଛି । ଦୁର୍ବୃତ୍ତ ଚୋରି କରୁଥିବା ବେଳେ ମା ପୁଅ ଦେଖିଦେଇଥିବାରୁ ବୋଧହୁଏ ମା ପୁଅଙ୍କୁ ପ୍ରଥମେ ପିଟିପିଟି ମାରିବା ପରେ ଘରେ ନିଆଁ ଲଗାଇଦେଇଥିବା ସନ୍ଦେହ କରାଯାଉଛି । ଅତ୍ୟନ୍ତ ଗରିବ ହୋଇଥିବାରୁ ଏମାନେ ପଞ୍ଚାୟତର ଗୋଟିଏ ପରିତ୍ୟକ୍ତ ଘରେ ରହୁଥିଲେ । ଘଟଣାସ୍ଥଳରେ ନନ୍ଦିପଦା ଥାନା ପୋଲିସ ପହଞ୍ଚି ଯାଞ୍ଚ କରୁଥିବା ବେଳେ ଫରେନସିକ୍ ଟିମ୍ ମଧ୍ୟ ଯାଞ୍ଚ କରିବ ।

ରାଜଧାନୀ ସଂକ୍ରମଣ ଥମୁନି : କରୋନା ପାଇଁ ବିଏମସି କରୁଛି ସ୍ୱତନ୍ତ୍ର ପ୍ରସ୍ତୁତି

ଭୁବନେଶ୍ୱର: ସଂକ୍ରମଣ ରୋକିବା ପାଇଁ ସରକାର ଅଧିକ ଟେଷ୍ଟିଂ ଉପରେ ଗୁରୁତ୍ୱ ଦେଉଛନ୍ତି । ଏହି କ୍ରମରେ ରାଜ୍ୟରେ ପ୍ରାୟ ୫୬ଟି କେନ୍ଦ୍ରରେ ଦୈନିକ ୫୦ ହଜାରରୁ ଅଧିକ ଟେଷ୍ଟିଂ ହେଉଛି । ଗଞ୍ଜାମରେ ସ୍ଥିତି ସାମାନ୍ୟ ହେବା ପରେ ଏବେ ଖୋର୍ଦ୍ଧାରେ ସଂକ୍ରମଣର ମାତ୍ରା ଅଧିକ । ଖୋର୍ଦ୍ଧା ସଂକ୍ରମଣ ପଛରେ ସବୁଠାରୁ ଅଧିକ ଦାୟୀ ରାଜଧାନୀ ଭୁବନେଶ୍ୱର । ଭୁବନେଶ୍ୱର ମହାନଗର ନିଗମରେ ସକ୍ରିୟ ସଂକ୍ରମଣ ଏବେ ଗଞ୍ଜାମଠାରୁ ଅଧିକ  ।

ରାଜ୍ୟ ସରକାର ସଂପ୍ରତି ଏନେଇ ଏକ ସମୀକ୍ଷା ବୈଠକ କରିଥିଲେ । ରାଜଧାନୀକୁ ସ୍ପେଶାଲ ଫୋକସକୁ ଆଣି କରୋନାଜନିତ ମୁକାବିଲା ପାଇଁ ପ୍ରସ୍ତୁତ ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ବିଏମସି ମଧ୍ୟ ପୂର୍ବାପେକ୍ଷା ଅଧିକ ସକ୍ରିୟ ଭାବେ ପରିଚାଳନାଗତ କାର୍ଯ୍ୟକୁ ସମ୍ପାଦନ କରୁଛି । ଏବେ ରାଜଧାନୀରେ, ୨୩ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ମାଗଣା ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କରାଯାଉଛି । ସେହିପରି ସରକାରୀ ଡାକ୍ତରଖାନାରେ ଆଣ୍ଟିଜେନ୍, ଆରଟିପିସିଆର ଓ ଟ୍ରୁନାଟ ଟେଷ୍ଟି ସହିତ ବିଭିନ୍ନ ଘରୋଇ ଟେଷ୍ଟିଂ ଲ୍ୟାବରେ ମଧ୍ୟ ଦେୟ ଯୁକ୍ତ ପରୀକ୍ଷା କରାଯାଉଛି । ବିଏମସି ଭ୍ରାମ୍ୟମାନ ଟେଷ୍ଟିଂ ଭ୍ୟାନ୍ ଜରିଆରେ ବିଭିନ୍ନ ଅଞ୍ଚଳରୁ ନମୁନା ସଂଗ୍ରହ କରୁଛି ।

ଟେଷ୍ଟିଂ ଉପରେ ଜୋରସୋରରେ ଫୋକସ୍ ଦେଇ ସଂକ୍ରମଣକୁ କାବୁ କରିବାକୁ ପ୍ରଚେଷ୍ଟା ଜାରି ରଖିଚି ।  ଏବେ ରାଜଧାନୀ ଟେଷ୍ଟିଂ ସଂଖ୍ୟା ପ୍ରାୟ ଦେଢ଼ ଲକ୍ଷ ପାର କଲାଣି । ଅନ୍ୟପକ୍ଷରେ ବିଏମସି କମିଶନର ପ୍ରେମଚାନ୍ଦ୍ର ଚୌଧରୀ ରାଜଧାନୀବାସୀଙ୍କୁ ସ୍ୱତପ୍ରୋତ ଭାବେ ଟେଷ୍ଟ ପାଇଁ ଆଗେଇ ଆସିବାକୁ ଅପିଲ୍ କରିଛନ୍ତି ।

ଆଜି ବାୟୁସେନାରେ ସାମିଲ ହେବ ରାଫେଲ୍, ଯୋଗଦେବେ ଫ୍ରାନ୍ସ୍ ପ୍ରତିରକ୍ଷା ମନ୍ତ୍ରୀ…

ହରିୟାଣା: ଆଜି ହରିୟାଣାର ଅମ୍ବାଲା ଏୟାରବେସରେ ଭାରତୀୟ ବାୟୁସେନାରେ ସାମିଲ ହେବ ରାଫେଲ ଯୁଦ୍ଧ ବିମାନ । ଏଥିପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲେ ମଧ୍ୟ ଯୋଗ ଦେବେ । ପୂର୍ବରୁ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିଲା ।

ପ୍ରଥମ ପର୍ଯ୍ୟାୟରେ ଭାରତକୁ ୫ଟି ରାଫେଲ ବିମାନ ଜୁଲାଇ ୨୯ରେ ଭାରତରେ ପହଁଚିଥିଲା । ବାୟୁସେନା ଅଧିକାରୀ ମାନେ ବର୍ତ୍ତମାନ ରାଫେଲକୁ ନେଇ ବିଭିନ୍ନ ଟ୍ରେନିଂ କରୁଛନ୍ତି । ଫ୍ରାନ୍ସରୁ ସହ ଭାରତ ସରକାର ୩୬ଟି ରାଫେଲ ପାଇଁ ଚୁକ୍ତି କରିଛନ୍ତି । ଭାରତୀୟ ବାୟୁ ସେନାକୁ ଆହୁରି ସଶକ୍ତ କରିବା ପାଇଁ ୫୯ ହଜାର କୋଟି ଟଙ୍କାର ଏହି ଚୁକ୍ତି କରାଯାଇଛି । ରାଫେଲରେ ଭାରତ ସରକାର ମେଡ ଇନ ଇଣ୍ଡିଆ ଯୁଦ୍ଧାସ୍ତ୍ର ଲଗେଇବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

ପୁଣି ବର୍ଷାରେ ଭିଜିବ ଓଡ଼ିଶା, ୪ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଭୁବନେଶ୍ୱର: ୧୩ରୁ ହୋଇପାରେ ବର୍ଷା । ୧୩ ତାରିଖରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହାର ପ୍ରଭାବରେ ଆଜିଠାରୁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ସନ୍ଧ୍ୟା ସମୟରେ ପାଗ କୋହଲା ରହିବ । ଏହା ସହ ୧୩ ତାରିଖରେ ରାଜ୍ୟର ୪ ଟି ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁରରେ ପ୍ରବଳ ବର୍ଷା ହୋଇପାରେ । ଏଥିପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଆଲର୍ଟ ଜାରି କରାଯାଇଛି । ଏହାସହ ଆଜି ୨୧ ଟି ଜିଲ୍ଲାକୁ ସନ୍ଧ୍ୟା ସମୟରେ ଘଡଘଡି ବର୍ଷା ପାଇଁ ଆଲର୍ଟ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେପଟେ ଗତକାଲି ବଜ୍ରପାତରେ ରାଜ୍ୟରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଅନୁଗୁଳ ଜିଲ୍ଲାରେ ବଜ୍ରପାତ ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବରଗଡ଼ରେ ଜଣଙ୍କର ମୃତ୍ୟୁ ଘଟିଛି ।

ପୁରୀରେ ସେବାୟତଙ୍କୁ କରୋନା ନେଇ ବଢୁଛି ଚିନ୍ତା, ଆଜିଠାରୁ ଘରଘର ବୁଲି ସର୍ଭେ କରିବ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଟିମ୍

ପୁରୀ: ପୁରୀରେ ଚିନ୍ତା ବଢାଇଲାଣି କରୋନା । ବିଶେଷକରି ଶ୍ରୀମନ୍ଦିର ସେବାୟତଙ୍କ ସଂକ୍ରମଣ ଚିନ୍ତା ବଢାଇଛି। କିଛି ସେବାୟତ ମଧ୍ୟ କରୋନାରେ ପ୍ରାଣ ହରାଇଛନ୍ତି । ତେଣୁ ଆଜିଠାରୁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଟିମ୍ ସେବାୟତଙ୍କ ଘର ଘର ବୁଲି ସର୍ଭେ କରିବ । ଏହି ଟିମରେ ଏଏନଏମ, ଆଶା ଓ ଜେଟିପିଙ୍କୁ ନେଇ କୋଭିଡ ସର୍ଭେ ଟିମ ଗଠନ କରାଯାଇଛି । ଯେଉଁମାନଙ୍କର ଥଣ୍ଡା, ଜ୍ୱର, କାଶ ଆଦି ଲକ୍ଷଣ ଆଦି ଥିବ, ସେମାନଙ୍କୁ ଚିକିତ୍ସା ଯୋଗାଇ ଦିଆଯିବ ।

ଏଥିପାଇଁ ଉତ୍କଳ ହିନ୍ଦୀ ବିଦ୍ୟାପୀଠରେ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଉଛି । ସୋମବାର, ବୁଧବାର, ଶନିବାର ଦିନ ୧୧ଟାରେ ୨ଟା ଯାଏଁ ଏହି ବ୍ୟବସ୍ଥା କରାଯିବ । କୋଭିଡ କେୟାର ସେଣ୍ଟର କରାଯାଇଥିବା ହୋଟେଲ ରକୱେରେ ୮୦ ଜଣଙ୍କର ଚିକିତ୍ସା କରାଯାଉଥିବା ବେଳେ ନୀଳାଚଳ ଭକ୍ତ ନୀବାସରେ ମଧ୍ୟ ସେବାୟତ ରହିଛନ୍ତି । ଆବଶ୍ୟକ ପଡିଲେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଉଛି । ବର୍ତମାନ ସ୍ଥିତିରେ ସେବାୟତମାନେ କିଭଳି ସୁରକ୍ଷିତ ରହିବେ ସେନେଇ ସମସ୍ତ ବ୍ୟବସ୍ଥା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଉଛି ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ।

ଗୁପ୍ତ ସେନା ବାହିନୀ ଗଠନରେ ବିଜୁ ବାବୁଙ୍କ ଥିଲା ପ୍ରମୁଖ ଭୂମିକା: ନାଭାଲ କମାଣ୍ଡର ରଞ୍ଜିତ

0

ନୂଆଦିଲ୍ଲୀ: ଚୀନ-ଭାରତ ମଧ୍ୟରେ ବିବାଦ ଚରମସୀମାରେ ଥିବା ବେଳେ ସିନୋ-ଇଣ୍ଡିଆନ ଯୁଦ୍ଧ ବେଳେ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ମନେପକାଇଛନ୍ତି ନାଭାଲ କମାଣ୍ଡର ରଞ୍ଜିତ ରାୟ । କହିଛନ୍ତି ବିଜୁ ପଟ୍ଟନାୟକ ଜଣେ ଦୁର୍ଦ୍ଦଶ ଯୋଦ୍ଧା । ତିଦ୍ଦତୀୟ ଶରଣାର୍ଥୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷାକରି ଚୀନ ବିରୋଧରେ ସ୍ପେଶିଆଲ ଫ୍ରଣ୍ଟିଅର ଫୋର୍ସ ଗଠନ କରିବାରେ ତାଙ୍କ ଭୂମିକା ଥିଲା ଅତୁଳନୀୟ । ଆରମ୍ଭରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ନେହରୁଙ୍କ ଅଗ୍ରାହ୍ୟ ସତ୍ତ୍ୱେ, ବିଜୁଙ୍କ ହସ୍ତକ୍ଷେପ ପରେ କମାଣ୍ଡୋ ୟୁନିଟ ପାଇଁ କେନ୍ଦ୍ର ସରକାର ଦେଇଥିଲେ ଅନୁମତି । ପ୍ରଥମେ ଏହି ଡିଭିଜନର ନାମ ବିକାଶ ବାଟାଲିଆନ ରଖାଯାଇଥିବା ବେଳେ, ପରେ ଏହାର ନାମ ବଦଳାଇ ରଖାଯାଇଥିଲା ସ୍ପେସିଆଲ ଫ୍ରଣ୍ଟିୟର ଫୋର୍ସ ।

୨୯ରୁ ଯୁକ୍ତ ୩ ଶେଷ ସେମିଷ୍ଟାର

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରୁ ଯୁକ୍ତ ୩ ଶେଷ ସେମିଷ୍ଟାର । କରୋନା ପାଇଁ ବନ୍ଦ ସ୍କୁଲ କଲେଜ ସବୁ ବନ୍ଦ ଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ସତେ ଯେମିତି ଡୋରି ବନ୍ଧା ହୋଇଯାଇଥିଲା । କରୋନା ମହାମାରୀକୁ ଆଖିଆଗରେ ରଖି ରାଜ୍ୟରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଥିଲା । ଏବେ ସରକାର ଧିରେ ଧିରେ ଅନ୍‌ଲକ୍‌ କରିବା ସହ ବିଭିନ୍ନ କଟକଣାକୁ କୋହଳ କରିଛନ୍ତି । ଏବଂ ପିଲାଙ୍କ ପାଠ ପଢ଼ା ପ୍ରତି ମଧ୍ୟ ଧ୍ୟାନ ଦେଇଛନ୍ତି । ଏହି କ୍ରମରେ ଏବେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ସମସ୍ତ ଯୁକ୍ତ ୩ କଲେଜରେ ପରୀକ୍ଷା କରାଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏନେଇ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଦ୍ଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଦୁଇଟି ସିଟିଂରେ ପରୀକ୍ଷା ହେବ ବୋଲି ନିଷ୍ପତ୍ତି ହୋଇଛି । ସେପ୍ଟେମ୍ବର ୨୨ରୁ ୨୬ ତାରିଖ ମଧ୍ୟରେ ପ୍ରାକ୍ଟିକାଲ ପରୀକ୍ଷା ହେବା ନେଇ ନିଷ୍ପତ୍ତି ହୋଇଥିବା ବେଳେ ୨୯ରୁ ଅକ୍ଟୋବର ୩ ତାରିଖ ଯାଏଁ ଥିଓରୀ ପରୀକ୍ଷା ହେବ । ଅନ୍ୟପଟେ ଓଏମ୍‌ଆର୍‌ ସିଟ୍‌ରେ ପରୀକ୍ଷା ହେବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି ।

utkal

ମୁଣ୍ଡ ବିହୀନ ଶବ ଉଦ୍ଧାର ଘଟଣାର ପର୍ଦ୍ଦାଫାସ୍‌ କଲା ସୁବର୍ଣ୍ଣପୁର ପୋଲିସ

ସୋନପୁର: ମୁଣ୍ଡ ବିହୀନ ଶବ ଉଦ୍ଧାର ଘଟଣାର ପର୍ଦ୍ଦାଫାସ୍‌ କଲା ସୁବର୍ଣ୍ଣପୁର ପୋଲିସ । ଗତ ୫ ତାରିଖରେ ଲୁତୁରପଙ୍କ ନିକଟ ଏକ ବିଲରୁ ମିଳିଥିବା ମୁଣ୍ଡ ଓ ହାତ, ଗୋଡ ବିହୀନ ମୃତ ଦେହକୁ ଉଦ୍ଧାର କରିଥିଲା ସୁବଳୟା ପୋଲିସ । ପରେ ମୃତ ଦେହର ପରିଚୟ ମିଳିଥିବାବେଳେ ସେ ଖଇରମାଳ ଗାଁର ମାନଭଞ୍ଜନ ବିଶ୍ୱାଳ ବୋଲି ଜଣା ପଡିଥିଲା ।

ଘଟଣାର ତଦନ୍ତ କରି ସେହି ଗାଁର ଗୁପ୍ତେଶ୍ୱର ବାଙ୍କକୁ ଅଟକ ରଖି ପଚରା ଉଚରା କରିଥିଲା ପୋଲିସ । ଅଭିଯୁକ୍ତଠାରୁ ଘଟଣା ବିଷୟରେ ଅବଗତ ହେବା ସହ ସାଖି ପ୍ରମାଣକୁ ଦୃଷ୍ଟିରେ ରଖି ତାଙ୍କୁ ପୋଲିସ ଗିରଫ କରିଛି । ତା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରି ଅଭିଯୁକ୍ତକୁ ଡାକ୍ତରି ମାଇନା ପରେ କୋର୍ଟଚାଲାଣ କରାଯାଇଛି ।

ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷି ଅଧିକ୍ଷକ । ଏହି ହତ୍ୟାକାଣ୍ଡ ପରକ୍ରିୟା ପ୍ରିତୀରୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ସେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷି ଅଧିକ୍ଷକଙ୍କ ସହ ଅତିରିକ୍ତ ଆରକ୍ଷି ଅଧିକ୍ଷକ ରମେଶ ପାଣିଗ୍ରାହି, ସୋନପୁର ଏସଡିପିଓ ମିହିର ପଣ୍ଡା, ବୀରମହାରାଜପୁର ଭାରପ୍ରାପ୍ତ ଏସଡିପିଓ ଆନନ୍ଦ ବର୍ଦ୍ଧନ ଗୁରୁ ପ୍ରମୁଖ ଉପସ୍ଥିତି ଥିଲେ ।

ଆଇଏଏସ୍ ସ୍ତରରେ ଅଦଳ ବଦଳ: ଯାଜପୁର ଜିଲ୍ଲାପାଳଙ୍କୁ ସାହିତ୍ୟ, ସଂସ୍କୃତି ବିଭାଗ ଅତିରିକ୍ତ ସଚିବ ଦାୟିତ୍ୱ

ଭୁବନେଶ୍ୱର: ଆଇଏଏସ୍ ସ୍ତରରେ ଅଦଳବଦଳ । ୧୨ ଆଇଏଏସ୍ ଅଧିକାରୀଙ୍କୁ ନୂଆ ଦାୟିତ୍ୱ । ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ହେଲେ ଓଡିଶା ଭାଷା, ସାହିତ୍ୟ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ । ଗଞ୍ଜାମ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧାର୍ଥ ଶେଖର ସ୍ୱାଇଁଙ୍କୁ ଅନୁଗୁଳ ଜିଲ୍ଲାପାଳ ଭାବେ ନୂଆ ନିଯୁକ୍ତି । ୨୦୧୪ ବ୍ୟାଚ୍‍ ଆଇଏଏସ୍‍ ସ୍ୱାଧା ଦେବ ସିଂହଙ୍କୁ ନୂଆପଡା ଜିଲ୍ଲାପାଳ ଭାବେ ନିଯୁକ୍ତି । ପୂର୍ବରୁ ସେ ଏଡିଏମ୍ ମୟୂରଭଞ୍ଜଭାବେ କାର୍ଯ୍ୟରତ ଥିଲେ । ଅନୁଗୁଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତିଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ । ୨୦୧୬ ବ୍ୟାଚ୍‍ ଆଇଏଏସ୍‍ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କୁ ଗଞ୍ଜାମ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଦାୟିତ୍ୱ । ସେ ବ୍ରହ୍ମପୁର ଉପ ଜିଲ୍ଲପାଳଭାବେ କାର୍ଯ୍ୟରତ ଥିଲେ । ତେବେ ତାଙ୍କ ସ୍ଥାନରେ ୨୦୧୮ ବ୍ୟାଚ୍‌ର କୀର୍ତ୍ତି ଭାସନଙ୍କୁ ବ୍ରହ୍ମପୁର ଉପ ଜିଲ୍ଲପାଳଭାବେ ନିଯୁକ୍ତି ମିଳିଛି । ୨୦୧୬ ବ୍ୟାଚ୍‍ ଆଇଏଏସ୍‍ ସିଦ୍ଧେଶ୍ୱର ବାଲିରାମ ବୋନ୍ଦାରଙ୍କୁ ବ୍ରହ୍ମପୁର ମହାନଗର ନିଗମ କମିଶନର ଭାବେ ନିଯୁକ୍ତ । ସେହିଭଳି ୨୦୧୮ ବ୍ୟାଚ୍‍ର ଆଇଏଏସ୍‍ ଜେ. ସୋନାଲଙ୍କୁ ଗୁଣୁପୁର ଉପଜିଲ୍ଲାପାଳ ଦାୟିତ୍ୱ । ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କୁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି । ନୂଆପଡ଼ା ଜିଲ୍ଲାପାଳ ମଧୁସ୍ମିତା ସାହୁଙ୍କୁ ଜଳସମ୍ପଦ ବିଭାଗର ଉପସଚିବ ଦାୟିତ୍ୱ । ମୟୂରଭଞ୍ଜ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରଣା ହେଲେ ବଲାଙ୍ଗିର ଜିଲ୍ଲାପାଳ । ୨୦୧୪ ବ୍ୟାଚ୍‍ ଆଇଏଏସ୍‍ ଚକ୍ରବର୍ତ୍ତୀ ସିଂହ ରାଠୋର ହେଲେ ଯାଜପୁର ଜିଲ୍ଲାପାଳ ।

କେବେ ବସିବ ବିଧାନସଭା ଅଧିବେଶନ ? ପୁଣି ବିଚାର ବିମର୍ଶ କରିବେ ବାଚସ୍ପତି

ଭୁବନେଶ୍ୱର: ସେପ୍ଟେମ୍ବର ୨୩ରେ ବସିବ ବିଧାନସଭାର ମୌସୁମୀ ଅଧିବେଶନ । ଏନେଇ ପୁଣି ବିଚାର ବିମର୍ଶ ଆରମ୍ଭ କରିଛନ୍ତି ବାଚସ୍ପତି । ଏଥର ଅଧିବେଶନ ସଂସଦୀୟ ଢାଞ୍ଚାରେ ବସିବାକୁ ଯାଉଛି । ତେଣୁ ବିଧାନସଭାରେ ପ୍ରଶ୍ନକାଳ ହେବ ନାହିଁ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟ ବିରୋଧୀ ବିଜେପି ଓ କଂଗ୍ରେସ । ବିରୋଧୀଙ୍କ ଯୁକ୍ତି ହେଲା ପ୍ରଶ୍ନକାଳ ବିନା ବିଧାନସଭା ଚାଲିବାର କୌଣସି ଅର୍ଥ ନାହିଁ । ସେପଟେ ବରିଷ୍ଠ ବିଧାୟକମାନଙ୍କ ପାଇଁ ହୋଇଥିବା ସ୍ୱତନ୍ତ୍ର ବ୍ୟବସ୍ଥାକୁ ନାପସନ୍ଦ କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ।

ସେପଟେ ଶାସକ ଦଳ କହିଛି, ବାଚସ୍ପତି ଯାହା ନିଷ୍ପତ୍ତି ନେବେ ସେହି ଅନୁସାରେ ଗୃହ ଚାଲିବ । ଏଠି ଯିଏ ମୁଖ୍ୟ ବିରୋଧୀ ସଂସଦରେ ସେମାନେ ଶାସକ ଦଳ ଦଳ । ସଂସଦ ଅଧିବେଶନରେ ବି ପ୍ରଶ୍ନକାଳ ବନ୍ଦ କରାଯାଇଛି । କୋଭିଡ୍ ଗାଇଡ୍‌ ଲାଇନ୍‌ ଓ ସ୍ଵାସ୍ଥ୍ୟ ବିଭାଗର ପରାମର୍ଶ ଏବଂ ସଂସଦ ଅଧିବେଶନ ନୀତି ନିୟମକୁ ବିଚାର କରି ବାଚସ୍ପତି ନିଷ୍ପତ୍ତି ନେବେ ବୋଲି କହିଛି ଶାସକ ଦଳ ।

ସୂଚନା ଅନୁସାରେ ସେପ୍ଟେମ୍ବର ୨୩ ରୁ ୩୦ ଯାଏଁ ବିଧାନସଭା ବସିବ ବୋଲି ସୂଚନା ମିଳିଛି । ଅଧିବେଶନ ବସିବାର ୨ ଦିନ ପୂର୍ବରୁ ସମସ୍ତ ବିଧାୟକଙ୍କ କୋଭିଡ୍‌ ଟେଷ୍ଟ କରାଯିବ । ଏହାର ପାଞ୍ଚ ଦିନ ପରେ ପୁଣି ଥରେ ଟେଷ୍ଟ କରାଯିବ । ତେବେ ସାମ୍ବାଦିକଙ୍କୁ ଅଧିବେଶନ ଅନୁମତି ମିଳିବ କି ନାହିଁ ତାହା ଏଯାଏ ସ୍ଥିର ହୋଇନାହିଁ ।