spot_img
Home Blog Page 675

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ୧୧ ଜିଲ୍ଲାରେ ହଇଜା ବ୍ୟାପିଥିବା ବେଳେ ରାଜ୍ୟ ସରକାରଙ୍କ ବର୍ଷପୂର୍ତ୍ତି ଉତ୍ସବ ପାଳନକୁ କଂଗ୍ରେସର ସମାଲୋଚନା

ନନ୍ଦିଘୋଷ ବ୍ୟୁରୋ: ନାରୀ ସୁରକ୍ଷାରେ ରାଜ୍ୟ ସରକାର ବିଫଳ । ୧୧ଟା ଜିଲ୍ଲାରେ ବ୍ୟାପିଛି ହଇଜା । ବେଫିକର ରାଜ୍ୟ ସରକାର ମାତିଛନ୍ତି ବର୍ଷପୂର୍ତ୍ତି ପାଳନରେ । ୨୦୩୬ କଥା କହି ବିଜେପି ସରକାର ବର୍ତ୍ତମାନ ଲୋକଙ୍କୁ ସୁଶାସନ ଦେବାରେ ବିଫଳ ହୋଇଛି । ପ୍ରତିବାଦରେ ପିସିସି ସଭାପତିଙ୍କ ନେତୃତ୍ବରେ କଂଗ୍ରେସ ନେତା କରିଛନ୍ତି ଅନଶନ । ବିଜେପି ଉତ୍ସବରେ ନମାତି ଲୋକଙ୍କ ପାଖକୁ ଯାଇ ସମସ୍ୟା ବୁଝୁ ବୋଲି ପ୍ରସ୍ତାବ ଦେଇଛି କଂଗ୍ରେସ ।

ଗୋପାଳପୁରରେ ମହିଳାଙ୍କୁ ଗଣଦୁଷ୍କର୍ମ । ବାରିପଦାରେ ମହିଳାଙ୍କୁ ଘରୁ ଟେକି ନେଇ ଗଣଦୁର୍ଷମ । କେନ୍ଦୁଝରରେ ମହିଳାଙ୍କୁ ଦୁର୍ଷମ ପରେ ହତ୍ୟା । ବର୍ଷେ ଭିତରେ ଓଡିଶାରେ ପ୍ରତ୍ୟେକ ଦିନ ୧୫ଟି ଗଣଦୁର୍ଷମ ହେଉଥିବା ଅଭିଯୋଗ । ପର୍ଯ୍ୟଟନ ସ୍ଥଳୀଠାରୁ ଆରମ୍ଭ କରି ଘର ଭିତର, କେଉଁଠି ବି ସୁରକ୍ଷିତ ନୁହନ୍ତି ମହିଳା । ବିଜେପି ସରକାର ଆସିବା ଦିନଠାରୁ ନାରୀ ନିର୍ଯାତନା, ଦୁଷ୍କର୍ମ ଓ ହତ୍ୟା ମହାମାରୀରେ ପରିଣତ ହୋଇଛି । ଡବଲ ଇଂଜିନ ସରକାର ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ବି ବିଫଳ ହୋଇଛି । ୧୧ଟି ଜିଲ୍ଲାରେ ହଇଜା ବ୍ୟାପିଛି । ଗଲାଣି ୨୫ ଜୀବନ । ଲୋକଙ୍କ ସରକାରର କିନ୍ତୁ ଏସବୁ ପ୍ରତି ଖାତିର ନାହିଁ । ମାତିଛି ବର୍ଷପୂର୍ତ୍ତି ଉତ୍ସବରେ । ନାରୀ ନିର୍ଯାତନା ଓ ହଇଜାକୁ ମୁଖ୍ୟ ପ୍ରସଙ୍ଗ କରି ବିଜେପି ସରକାରକୁ ଘେରିଛି କଂଗ୍ରେସ । ବିଜେପିର ବର୍ଷପୂର୍ତ୍ତି ବିରୋଧରେ ପିସିସି ସଭାପତିଙ୍କ ନେତୃତ୍ବରେ ଅନଶନ ଆନ୍ଦୋଳନ କରିଛି ଦଳ । ତୁରନ୍ତ ବିଜେପି ସରକାର ଉତ୍ସବ ଛାଡି ଲୋକଙ୍କ ସମସ୍ୟା ଦୂର କରିବାକୁ ଦଳ ଦେଇଛି ପ୍ରସ୍ତାବ ।

ଡବଲ ଇଂଜିନ ସରକାରରେ ଓଡିଶା ପାଇଛି କ’ଣ ତାହାକୁ ନେଇ ମୁହାଁମହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ । ପୂର୍ବତନ ପିସିସି ସଭାପତି ଜୟଜେବ ଜେନା କହିଛନ୍ତି, କେନ୍ଦ୍ର ସରକାର ଆନ୍ଧ୍ର ଓ ବିହାରକୁ ସ୍ବତନ୍ତ୍ର ଅନୁଦାନ ଦେଉଥିବା ବେଳେ ଓଡିଶାକୁ କ’ଣ ଦେଇଛନ୍ତି ତାହାର ହିସାବ ବିଜେପି ସରକାର ଦେଉ । ବର୍ଷକ ଭିତରେ ବିଜେପି ସରକାର କେବଳ ଓଡିଶାବାସୀଙ୍କୁ ପ୍ରତାରଣା ଦେଇଛି । ବିଜେପି ବିଧାୟକ ସରୋଜ ପାଢୀ କହିଛନ୍ତି, ବିଜେପି ସରକାର ସମୟରେ ଓଡିଶା ଅଧିକ ଅନୁଦାନ ପାଇଛି ।

ଆଇନଶୃଙ୍ଖଳାଠାରୁ ଆରମ୍ଭ କରି ନାରୀ ସୁରକ୍ଷା । ସବୁ କ୍ଷେତ୍ରରେ ବିଫଳ ରାଜ୍ୟ ସରକାର । ତେଜୁଛି ଜନ ଅସନ୍ତୋଷ ।

ଚିକିତ୍ସା ଲାଗି ମୁମ୍ବାଇ ଗଲେ ନବୀନ, ପ୍ରିୟ ନେତାଙ୍କ ଆଶୁ ଆରୋଗ୍ୟ କାମନା କରି ଶୁଭେଚ୍ଛା ଜଣାଇଲେ ଶୁଭେଚ୍ଛୁ

ନନ୍ଦିଘୋଷ ବ୍ୟୁରୋ: ସର୍ଭିକାଲ ଆଥ୍ରାଇଟିସ ଚିକିତ୍ସା ପାଇଁ ମୁମ୍ବାଇ ଗଲେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ୨୨ ତାରିଖ ଅର୍ଥାତ ରବିବାରଠାରୁ ମୁମ୍ବାଇର କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଆଥ୍ରାଇଟିସର ଚିକିତ୍ସା ଆରମ୍ଭ ହେବ । ଖବର ଜାଣିବା ପରଠାରୁ ସାରା ରାଜ୍ୟରୁ ନବୀନଙ୍କ ଆଶୁ ଆରୋଗ୍ୟ କାମନା ସହ ଶୁଭେଚ୍ଛାର ସୁଅ ଛୁଟିଥିଲା । ଆଉ ଆଜି ସକାଳେ ସେ ଫ୍ଲାଇଟ ଧରିବାକୁ ଗଲା ବେଳେ ନବୀନ ନିବାସରୁ ଏୟାରପୋର୍ଟ ହୋଇଯାଇଥିଲା ଲୋକାରଣ୍ୟ । ଦଳୀୟ ନେତା ଓ କର୍ମୀଙ୍କ ସହ ଅଗଣିତ ମହିଳା ଏକାଠି ହୋଇ ନବୀନ ଶୀଘ୍ର ସୁସ୍ଥ ହେବା ଲାଗି ପ୍ରାର୍ଥନା କରିବା ସହ ଜଣାଇଥିଲେ ଶୁଭେଚ୍ଛା ।

ଚିକିତ୍ସା ପାଇଁ ମୁମ୍ବାଇ ଗଲା ବେଳେ ଦେଖିବାକୁ ମିଳିଥିଲା ନେତା ଓ ଜନତାଙ୍କ ନବୀନଙ୍କ ପ୍ରତି ଭଲ ପାଇବା । ସକାଳୁ ସକାଳୁ ନବୀନ ନିବାସରୁ ବିମାନ ବନ୍ଦର ଯାଏଁ ଦେଖିବାକୁ ମିଳିଥିଲା ଭିନ୍ନ ଏକ ପରିବେଶ । ଧର୍ମ, ବର୍ଣ୍ଣ, ବର୍ଗ ଓ ରାଜନୀତିର ଉପରେ ରହି ସବୁ ବର୍ଗର ଲୋକେ ନବୀନଙ୍କ ଶୁଭ ମନାସି ଥିଲେ । ଧୀରେ ଧୀରେ ଏହି ସଂଖ୍ୟା ବଢିବା ସହ ଶଙ୍ଖ ହୁଳହୁଳି ଧ୍ୱନିରେ ନବୀନ ନିବାସ କମ୍ପିଥିଲା । ପ୍ରଥମେ ଦଳୀୟ ନେତା, କାର୍ଯ୍ୟକର୍ତ୍ତା ନବୀନ ନିବାସରେ ନବୀନଙ୍କୁ ସାକ୍ଷାତ କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ଏହା ପରେ ନବୀନ ବିମାନ ବନ୍ଦର ଅଭିମୁଖେ ବାହାରିଥିଲେ । ରାସ୍ତା କଡରେ ଲୋକମାନେ ତାଙ୍କୁ ଶୁଭେଚ୍ଛା ଜଣାଉଥିବା ଦେଖିବାକୁ ମିଳିଥିଲା । ବାଟରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ଶତାଧିକ ମହିଳା, ଯୁବ, ଛାତ୍ର ତଥା ବିଜେଡି ନେତାମାନେ ଏକାଠି ହୋଇ ଶୁଭକାମନା ଜଣାଇଥିଲେ । ସେଠାରୁ ବିରାଟ ପଟୁଆରରେ ଚାଲି ଚାଲି ଲୋକେ ବିମାନ ବନ୍ଦର ପର୍ଯ୍ୟନ୍ତ ଆଣିଥିଲେ । ରାସ୍ତାରେ ନବୀନ ଗାଡି ଭିତରୁ ହାତ ହଲାଇ ଲୋକଙ୍କ ଭଲ ପାଇବା ଗ୍ରହଣ କରିଥିଲେ ।

ବିମାନବନ୍ଦରରେ ପହଞ୍ଚିବା ପରେ ଦଳୀୟ ନେତା, ବିଧାୟକ, ସାଂସଦ ତଥା ଯୁବ, ଛାତ୍ର, ମହିଳା ନେତ୍ରୀମାନେ ନବୀନଙ୍କୁ ଫୁଲ ତୋଡା ଦେଇଥିଲେ । ନବୀନ ପଟ୍ଟନାୟକ ଜିନ୍ଦାବାଦ ଓ ନବୀନ ପଟ୍ଟନାୟକ ଲଙ୍ଗ ଲିଭ ଧ୍ୱନିରେ କମ୍ପିଥିଲା ବିମାନ ବନ୍ଦର ପରିସର । ନବୀନ ମଧ୍ୟ ସମସ୍ତଙ୍କୁ ପ୍ରତି ନମସ୍କାର ଜଣାଇ ପ୍ରତି ଉତ୍ତର ଦେଇଥିଲେ । ମହାପ୍ରଭୁ ଜଗନ୍ନାଥ ସାଢ଼େ ଚାରିକୋଟି ଓଡ଼ିଆଙ୍କ ପ୍ରିୟ ନେତା ନବୀନ ପଟ୍ଟନାୟକଙ୍କୁ ଶୀଘ୍ର ସୁସ୍ଥ କରିବା ସହ ଓଡିଶାବାସୀଙ୍କର ପୁଣି ସେବା କରିବାର ସୁଯୋଗ ଦେବେ ବୋଲି ଦଳୀୟ ନେତା ଏହି ଅବସରରେ ଆଶା କରିଥିଲେ । ଲୋକେ ନବୀନଙ୍କ କାର୍ଯ୍ୟ ଓ ବ୍ୟକ୍ତିତ୍ୱକୁ ଆଜି ବି ଝୁରି ହେଉଥିବା କୁହାଯାଇଛି ।

ଦୀର୍ଘ ବର୍ଷର ଶାସନ ସମୟରେ ହେଉ କିମ୍ବା ବିରୋଧୀ ଦଳ ନେତା ଭାବେ ସବୁଠି ନବୀନ ପଟ୍ଟନାୟକ ଓଡିଶାବାସୀଙ୍କ ପାଇଁ ସମର୍ପିତ ହୋଇ କାର୍ଯ୍ୟ କରି ଆସୁଛନ୍ତି । ଆଧୁନିକ ଓଡିଶାର ବିକାଶ ପୁରୁଷର ମାନ୍ୟତା ପାଇଛନ୍ତି । ତେଣୁ ନିଜର ପ୍ରିୟ ନେତାଙ୍କ ଟିକେ ଝଲକ ପାଇବା ଲାଗି ଓ ତାଙ୍କର ସୁସ୍ଥ ଜୀବନ କାମନା କରି ବିମାନ ବନ୍ଦରକୁ ଯିବା ବେଳେ ବହୁ ସାଧାରଣ ଲୋକ ମଧ୍ୟ କିଛି କ୍ଷଣ ଅଟକି ଯାଇଥିଲେ ।

ବିଜେପି ସରକାରର ବର୍ଷପୂର୍ତ୍ତିରେ ପ୍ରଧାନମନ୍ତ୍ରୀ: କହିଲେ, ଦେଶର ପେଟ୍ରୋଲିୟମ ହବରେ ଓଡ଼ିଶା

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟ ବିଜେପି ସରକାରର ବର୍ଷପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜଧାନୀରେ କଲେ ରୋଡ ଶୋ’ । କହିଲେ, ଓଡ଼ିଶାକୁ କରାଯିବ ପେଟ୍ରୋଲିୟମ ହବ । ବିକଶିତ ଓଡ଼ିଶା ୨୦୩୬ ଲାଗି ଭିଜନ ପ୍ରସ୍ତୁତ ହୋଇଛି । ମାଓବାଦର ଅନ୍ତ ହେବ ଓ ଓଡ଼ିଶା ବିକାଶର ଇଞ୍ଜିନ ହେବ । ଏହାସହ ୧୯ ହଜାର କୋଟି ଟଙ୍କାର ୧୦୫ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଜନତା ମୈଦାନରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ଓଡ଼ିଶାକୁ ଭାରତର ପେଟ୍ରୋଲିୟମ ହବ୍ ଭାବେ ପରିଣତ କରାଯିବ । ପେଟ୍ରୋଲିୟମ କ୍ଷେତ୍ର ଲାଗି ୧ ଲକ୍ଷ କୋଟି ଟଙ୍କା ନିବେଶ ହୋଇଛି । ପାରାଦୀପରୁ ଝାରସୁଗୁଡା ଶିଳ୍ପ କରିଡର ହେବ । ଚଣ୍ଡିଖୋଲରେ ହେବ ଅଶୋଧିତ ତୈଳ ଗଚ୍ଛିତ ଭଣ୍ଡାର । ଗୋପାଳପୁରରେ ହେବ ଏଲଏନଜି ଟର୍ମିନାଲ । ରାଜ୍ୟର ଔଦ୍ୟୋଗିକ କ୍ଷେତ୍ର, ଖଣିର ବିକାଶ ସାଧନ କରାଯିବ । ଓଡ଼ିଶାକୁ ବୃହତ ଶିଳ୍ପଭିତ୍ତିକ ରାଜ୍ୟ ଭାବେ ଗଠନ କରିବା ଲାଗି ପଦକ୍ଷେପ ନିଆଯିବ । ଆଗକୁ କହିଥିଲେ ଓଡ଼ିଶା ଭାରତର ବିକାଶ ଇଞ୍ଜିନ ହେବ । ଓଡ଼ିଶା ପ୍ରଗତିର ବାର୍ତ୍ତାବହ ସାଜିଛି । ରାଜ୍ୟରେ ସାମାଜିକ, ଅର୍ଥନୈତିକ ପରିବର୍ତ୍ତନର ନୂଆ ଯୁଗ ଆସିଛି । କେନ୍ଦ୍ର ଓ ରାଜ୍ୟ ଯୋଜନାର ଡବଲ ଲାଭ ରାଜ୍ୟବାସୀ ପାଉଛନ୍ତି । କେନ୍ଦ୍ରର ଅନେକ ଯୋଜନାର ସୁଫଳ ଓଡ଼ିଶାବାସୀ ପାଉଛନ୍ତି । ବିଜେପି ଦେଇଥିବା ଗ୍ୟାରେଣ୍ଟିକୁ ପୂରଣ କରାଯାଉଛି । ଓଡ଼ିଶାର ୧୧ ଜିଲ୍ଲାରେ ୪୦ ଆବାସିକ ବିଦ୍ୟାଳୟ ନିର୍ମାଣ ହେଉଛି । ଧୀବରମାନଙ୍କ ଲାଗି ପିଏମ ମତ୍ସ୍ୟ ସମ୍ପଦ ଯୋଜନା କାର୍ଯ୍ୟକାରୀ କରାଯାଇଛି । ବିଜେପିର ବିକାଶ ମଡେଲ ଅନେକ ରାଜ୍ୟରେ ପ୍ରତିଫଳିତ ବୋଲି କହିଛନ୍ତି ମୋଦି ।

ଓଡ଼ିଶାର ସାମଗ୍ରିକ ବିକାଶକୁ ରାଜ୍ୟ ସରକାର ଫୋକସ କରୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ୨୦୩୬ ଲାଗି ରାଜ୍ୟ ସରକାର ଭିଜନ ପ୍ରସ୍ତୁତ କରିଛନ୍ତି । ଯୁବ ସମାଜର ସାମର୍ଥ୍ୟରେ ଓଡ଼ିଶାକୁ ବିକାଶ ଧାରାରେ ଆଗେଇ ନିଆଯିବ । ବିକାଶର ରୋଡମ୍ୟାପ ନେଇ କାମ କରାଯାଉଛି । ଓଡ଼ିଶା ଶହ ଶହ ବର୍ଷ ଧରି ଭାରତୀୟ ସଭ୍ୟତା, ସଂସ୍କୃତିକୁ ସମୃଦ୍ଧ କରିଛି ବୋଲି କହିଛନ୍ତି ମୋଦି ।

ସେହିପରି ମାଓବାଦକୁ ନେଇ ନିଜର ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି, ଦେଶରେ ମାଓବାଦର ଅନ୍ତ ହେବାରେ ଲାଗିଛି । ନକ୍ସଲବାଦ ଶେଷ ହେବ । ଏହା ବିଁ ମୋଦିଙ୍କ ଗ୍ୟାରେଣ୍ଟି । ସେ କହିଛନ୍ତି, ଦେଶରେ ନକ୍ସଲ ହିଂସା ହ୍ରାସ ପାଇଛି । ଓଡ଼ିଶାରେ ବହୁ ଜନଜାତି ସମାଜ ଅଛନ୍ତି । ସେମାନଙ୍କ ବିକାଶ ଲାଗି ସରକାର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଆଦିବାସୀ ସମାଜକୁ ହିଂସାରୁ ବାହାରକୁ ଅଣାଯାଇଛି । ସେମାନେ ବିକାଶ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ବେଦାନ୍ତ ଲାଞ୍ଜିଗଡ଼ରେ ସ୍କ୍ରାପ କଳାକୃତି ପ୍ରତିଯୋଗିତା

ନନ୍ଦିଘୋଷ ବ୍ୟୁରୋ: ଭାରତର ଅଗ୍ରଣୀ ସ୍ମେଲ୍ଟର-ଗ୍ରେଡ୍ ଆଲୁମିନା ଉତ୍ପାଦକ ତଥା ବେଦାନ୍ତ ଆଲୁମିନିୟମର ଏକ ଅଂଶ ବେଦାନ୍ତ ଲାଞ୍ଜିଗଡରେ ସ୍କ୍ରାପ୍ ଆର୍ଟ ଚମତ୍କାରକ ପ୍ରତିଯୋଗିତା । ଶିଳ୍ପସଂସ୍ଥାରୁ ବାହାରୁ ଥିବା ସ୍କ୍ରାପକୁ ଆକର୍ଷଣୀୟ କଳାକୃତୀରେ ପରିଣତ କରିବା ଲକ୍ଷ୍ୟରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ନବସୃଜନ, ସ୍ଥିରତା ଓ ଦଳଗତ କାର୍ଯ୍ୟକୁ ଆଧାର କରି କର୍ମଚାରୀ ଓ ବ୍ୟବସାୟିକ ଅଂଶୀଦାରଙ୍କୁ ନେଇ ଆୟୋଜିତ ଏହି ପ୍ରତିଯୋଗିତାରେ ପ୍ରତ୍ୟେକ ବିଭାଗୀୟ ମୁଖ୍ୟଙ୍କ ନେତୃତ୍ୱରେ ସେମାନଙ୍କ ଟିମ୍ ଉତ୍ସାହୀ ପ୍ରଦର୍ଶନ କରିଥିଲେ । କର୍ମସ୍ଥଳକୁ ଉନ୍ନତ କରିବା ପାଇଁ ଦଳଗୁଡ଼ିକ ଦୈନନ୍ଦିନ ଶିଳ୍ପ ବର୍ଜ୍ୟକୁ ଆକର୍ଷଣୀୟ କଳାକୃତିରେ ପରିଣତ କରିଥିଲେ ।

ବେଦାନ୍ତ ଆଲୁମିନା ବ୍ୟବସାୟ, ଲାଞ୍ଜିଗଡ଼ ସିଇଓ, ପ୍ରଣବ ଭଟ୍ଟାଚାର୍ଯ୍ୟ କହିଥିଲେ, ବେଦାନ୍ତରେ, ଆମେ ବିଶ୍ୱାସ କରୁ ପ୍ରକୃତ ନବସୃଜନ ସେତେବେଳେ ସଫଳ ହୁଏ ଯେତେବେଳେ ଆମ ଲୋକେ ଭିନ୍ନ ଭାବରେ ଚିନ୍ତା କରିବାକୁ ସଶକ୍ତ ହୁଅନ୍ତି । ଏହି ପଦକ୍ଷେପ କେବଳ ଆମର ଦଳଗୁଡ଼ିକୁ ଏକାଠି କରିନାହିଁ ବରଂ କଳ୍ପନାଶୀଳ ସମସ୍ୟାର ସମାଧାନ ଓ ସ୍ଥାୟୀ ଚିନ୍ତାଧାରାର ଏକ ସଂସ୍କୃତିକୁ ମଧ୍ୟ ଉଦ୍ରେକ କରିଛି । ଆମେ ଏକ କର୍ମକ୍ଷେତ୍ରକୁ ପୋଷଣ କରିବାରେ ଗର୍ବିତ, ଯେଉଁଠାରେ ସୃଜନଶୀଳତା ପାଳନ କରାଯାଏ ଓ ପ୍ରତ୍ୟେକ ବ୍ୟକ୍ତି ଅନନ୍ୟ, ପ୍ରଭାବଶାଳୀ ଉପାୟରେ ଯୋଗଦାନ ଦେବାର ସ୍ୱାଧୀନତା ପାଇଥାଏ ।

କଳା ପ୍ରତିଯୋଗିତା ବ୍ୟତିରକେ ଏହି କାର୍ଯ୍ୟକ୍ରମ ଆନ୍ତଃ ବିଭାଗୀୟ ସହଯୋଗକୁ ସୁଦୃଢ଼ କରିବା ଓ ବର୍ଜ୍ୟରୁ ସମ୍ପଦ ଅଭ୍ୟାସକୁ ନେଇ ଅର୍ଥପୂର୍ଣ୍ଣ ବାର୍ତ୍ତାଳାପକୁ ପ୍ରୋତ୍ସାହିତ କରିବା ପାଇଁ ଏକ ମଜଭୁତ ମଞ୍ଚ ଭାବେ କାର୍ଯ୍ୟ କରିଥିଲା । ଏହି ପଦକ୍ଷେପ ବେଦାନ୍ତ ଆଲୁମିନିୟମର ଏକ ପ୍ରଗତିଶୀଳ, ଭବିଷ୍ୟତ ପାଇଁ ପ୍ରସ୍ତୁତ କାର୍ଯ୍ୟସ୍ଥଳୀ ସୃଷ୍ଟି ପ୍ରତି ନିରନ୍ତର ପ୍ରତିବଦ୍ଧତାକୁ ଦର୍ଶାଉଛି ।

ଇସ୍ରାଏଲ ରକେଟ ମାଡ଼ରେ ଇରାନର ପରମାଣୁ ବୈଜ୍ଞାନିକ ମୃତ

ନନ୍ଦିଘୋଷ ବ୍ୟୁରୋ: ଦିନକୁ ଦିନ ଘନେଇବାରେ ଲାଗିଛି ଇସ୍ରାଏଲ-ଇରାନ ଯୁଦ୍ଧ । ଅଷ୍ଟମ ଦିନରେ ଇରାନକୁ ଲାଗିଛି ଆଉ ଏକ ବଡ଼ ଝଟକା । ଇସ୍ରାଏଲ ରକେଟ ମାଡ଼ରେ ପ୍ରାଣ ହରାଇଛନ୍ତି ଇରାନର ଆଉ ଜଣେ ପରମାଣୁ ବୈଜ୍ଞାନିକ । ଇରାନ ରାଜଧାନୀ ତେହେରାନର ଗିଶା ଅଞ୍ଚଳରେ ଆଜି ସକାଳେ ହୋଇଥିବା ଜୋରଦାର ବିସ୍ଫୋରଣରେ ଜଣେ ପରମାଣୁ ବୈଜ୍ଞାନିକଙ୍କ ମୃତ୍ୟୁ ଘଟିଛି । ଇସ୍ରାଏଲ ସେନା IDF ଏହି ଆକ୍ରମଣ କରିଥିବର ଜଣେ ଇସ୍ରାଏଲ ଅଧିକାରୀ Kan Newsରେ ଦାବି କରିଛନ୍ତି ।

ଇସ୍ରାଏଲ ଅଧିକାରୀଙ୍କ ଅନୁସାରେ, ଇରାନର ପରମାଣୁ କାର୍ଯ୍ୟକ୍ରମ ସହ ଜଡିତ ଜଣେ ବରିଷ୍ଠ ବୈଜ୍ଞାନିକ ଟାର୍ଗେଟରେ ଥିଲେ । ପ୍ରାଥମିକ ସୂଚନା ଅନୁସାରେ ଏହି ଆକ୍ରମଣରେ ସମ୍ପୃକ୍ତ ବୈଜ୍ଞାନିକଙ୍କ ମୃତ୍ୟୁ ଘଟିଛି । ତେବେ ଇରାନ ସରକାରଙ୍କ ପକ୍ଷରୁ ଏନେଇ କୌଣସି ଅଧିକାରୀକ ବୟାନ ଆସିନାହିଁ । ହେଲେ ଏହି ଘଟଣା ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ତିକ୍ତତାକୁ ଆହୁରି ବଢ଼ାଇ ଦେଇଛି ।

ସେପଟେ ଇସ୍ରାଏଲ ଆକ୍ରମଣକୁ ନେଇ ଇରାନ ରାଷ୍ଟ୍ରପତି ମସୁଦ ପେଜେଶକିୟନ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ଶାନ୍ତି ପାଇଁ ଏକମାତ୍ର ବାଟ ହେଲା ଇସ୍ରାଏଲ ବିନା ସର୍ତ୍ତରେ ତୁରନ୍ତ ଆକ୍ରମଣ ବନ୍ଦ କରୁ । ଯଦି ଇସ୍ରାଏଲ ପକ୍ଷରୁ ଆକ୍ରମଣ ଜାରି ରହିବ ତେବେ ଇରାନ ଏହାର ମୁହଁତୋଡ଼ ଜବାବ ଦେବ ।

ଇରାନ ବୈଦେଶିକ ମନ୍ତ୍ରୀ ଅବ୍ବାସ ଅରାକଚୀ କହିଛନ୍ତି, ଯେପର୍ଯ୍ୟନ୍ତ ଇସ୍ରାଏଲର ଆକ୍ରମଣ ଜାରି ରହିବ ଆମେରିକା ଓ ଅନ୍ୟ କୌଣସି ଦେଶ ସହ ଏନେଇ ଆଲୋଚନା ହେବ ନାହିଁ । ସେ ଆଗକୁ କହିଛନ୍ତି, ଏମିତି ପରିସ୍ଥିତିରେ ଆମେ କାହା ସହ ବିଶେଷ କରି ଆମେରିକା ସହ ଆଲୋଚନା କରିବାକୁ ଚାହୁଁନାହୁଁ । ଆମେରିକା ଆମ ସହ ଏକାଧିକ ଥର ଯୋଗାଯୋଗ କରି ଆଲୋଚନା ପାଇଁ ପ୍ରସ୍ତାବ ଦେଇଛି । ହେଲେ ଆମେ ସ୍ପଷ୍ଟ କରି ଦେଇଛୁ, ଯେପର୍ଯ୍ୟନ୍ତ ଇସ୍ରାଏଲର ଆକ୍ରମଣ ଜାରି ରହିବ କୌଣସି ଆଲୋଚନା କି କୁଟନୈତିକ ସ୍ତରରେ ବୈଠକ ହେବାର ପ୍ରଶ୍ନ ଉଠୁନି ।

ସେ ଆହୁରି କହିଛନ୍ତି, ଇରାନ ଏବେ ଆତ୍ମରକ୍ଷା ସ୍ଥିତିରେ ଅଛି ଓ ନିଜର ସୁରକ୍ଷା ଆମର ଅଧିକାର । ଆମ ମିଜାଇଲର ଲକ୍ଷ୍ୟ କେବଳ ଇସ୍ରାଏଲର ସାମରିକ କେନ୍ଦ୍ର ଉପରେ ରହିଛି ନା କି ସାଧାରଣ ନାଗରିକ ଓ ହସ୍ପିଟାଲ । ଯଦି ଇସ୍ରାଏଲ ଆମ ଅର୍ଥନୈତିକ କେନ୍ଦ୍ରକୁ ଆକ୍ରମଣ କରିବ ଆମେ ବି ସେମାନଙ୍କ ଅର୍ଥନୈତିକ କେନ୍ଦ୍ରକୁ ଟାର୍ଗେଟ କରିବୁ ।

ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ମୋଦି, ଏୟାରପୋର୍ଟରୁ ଜନତା ମୈଦାନକୁ ରୋଡ ଶୋ’

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟ ବିଜେପି ସରକାରର ଏକବର୍ଷ ପୂର୍ତ୍ତି ପାଳନ ଉତ୍ସବରେ ସାମିଲ ହେବାକୁ ଓଡ଼ିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଜନତା ମୈଦାନକୁ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ’ ଚାଲିଛି । ଜନତା ମୈଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ । ଏହାପରେ ଜନତ ମୈଦାନ ଆଡକୁ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ’ ଚାଲିଛି । ସେଠାରେ ପ୍ରଧାନମନ୍ତ୍ରୀ ୧୯ ହଜାର କୋଟି ଟଙ୍କାର ୧୦୫ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ୬୦ ପ୍ରକଳ୍ପର ଶିଳାନ୍ୟାସ ଏବଂ ଓ ପ୍ରକଳ୍ପର ଲୋକାର୍ପଣ କରିବେ ମୋଦି । ଏୟାରପୋର୍ଟରୁ ଜନତା ମଇଦାନ ଭିତରେ ସ୍ଵାଗତ ଲାଗି ବିଜେପି ପକ୍ଷରୁ ସ୍ଵତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

ଅପରେସନ ସିନ୍ଦୂରକୁ ନେଇ ପାକିସ୍ତାନର ବଡ଼ ସ୍ବୀକାରୋକ୍ତି

ନନ୍ଦିଘୋଷ ବ୍ୟୁରୋ : ଅପରେସନ ସିନ୍ଦୂରକୁ ନେଇ ପାକିସ୍ତାନର ବଡ଼ ସ୍ବୀକାରୋକ୍ତି। ପାକିସ୍ତାନର ଦୁଇଟି ପ୍ରମୁଖ ଏୟାରବେସ ରାଓଲପିଣ୍ଡିସ୍ଥିତ ନୁର ଖାଁ ଏୟାରବେସ୍ ଓ ସୋରକୋଟ ଏୟାରବେସ ଉପରେ ଭାରତ ଆକ୍ରମଣ କରିଥିଲା ବୋଲି କହିଛନ୍ତି ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ଇଶାକ ଦର। ଏପ୍ରିଲ ୨୬ ପହଲଗାଓଁ ହମଲା ପରେ ଏହା ଜବାବ ଦେବା ଲାଗି ମେ ୭ରେ ଭାରତ ଆରମ୍ଭ କରିଥିଲା ଅପରେସନ ସିନ୍ଦୂର। ପାକିସ୍ତାନର ବିଭିନ୍ନ ଆତଙ୍କୀ ତାଲିମ ଶିବିର, ଏୟାରବେସ ଆଦିରେ ହମଲା କରିଥିଲା ଭାରତ। ଭାରପ ପକ୍ଷରୁ କୁହାଯାଇଥିଲା ଏହି ଅପରସେନ ଥିଲା ଲକ୍ଷ୍ୟଭେଦୀ। ଆତଙ୍କବାଦକୁ ଦମନ କରିବା ଲାଗି ଅପରେସନ ସିନ୍ଦୂର ହୋଇଥିଲା ବୋଲି ଭାରତ ପକ୍ଷରୁ କୁହାଯାଇଥିଲା। ଅପରେସନ ସିନ୍ଦୂର ପରେ ଭାରତ ସିନ୍ଧୁ ଜଳ ଚୁକ୍ତି ବାତିଲ କରିଥିଲା।

ପଦାକୁ ଆସିଲା ଏୟାର ଇଣ୍ଡିଆର ନିରାପତ୍ତା ନେଇ ଅବହେଳା : ଦୁର୍ଘଟଣାଜନିତ ତଦନ୍ତ ଲାଗି ଦିଆଯାଉନାହିଁ ଗୁରୁତ୍ବ

ନନ୍ଦିଘୋଷ ବ୍ୟୁରୋ : ପଦାକୁ ଆସିଲା ଏୟାର ଇଣ୍ଡିଆର ନିରାପତ୍ତା ନେଇ ଅବହେଳା। ଗତ ମାର୍ଚ୍ଚରେ ବିମାନ ଦୁର୍ଘଟଣାର ତଦନ୍ତ ଓ ବିମାନ ଚଳାଚଳ ନିରାପତ୍ତା ସଂକ୍ରାନ୍ତ ପାଣ୍ଠି ଯୋଗାଣ ପ୍ରସଙ୍ଗରେ ତାଳମେଳ ରହୁ ନଥିବା ନେଇ ସଂସଦୀୟ କମିଟି ଉଦବେଗ ପ୍ରକାଶ କରିଥିଲା। ବିଶ୍ବ ସ୍ତରରେ ଭାରତ ତୃତୀୟ ବୃହତ ଆଭିଏସନ ମାର୍କେଟରେ ପରିଣତ ହୋଇଥିବାବେଳେ ନିରାପତ୍ତା ଭିତ୍ତିଭୂମି ଓ ଦୁର୍ଘଟଣାଜନିତ ତଦନ୍ତ ଲାଗି ଖୁବ୍ କମ୍ ବ୍ୟୟବରାଦକୁ ନେଇ କମିଟି ଉଦବେଗ ପ୍ରକାଶ କରିଥିଲା। ଗତ ମାର୍ଚ୍ଚ ୨୫ରେ ପର୍ଯ୍ୟଟନ, ପରିବହନ ଓ ସଂସ୍କୃତି ସମ୍ପର୍କିତ ସଂସଦୀୟ ଷ୍ଟାଣ୍ଡିଂ କମିଟି ପକ୍ଷରୁ ଏହି ରିପୋର୍ଟ ରାଜ୍ୟସଭାରେ ଦାଖଲ କରାଯାଇଥିଲା।

କମିଟି ପକ୍ଷରୁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ ବା ଡିଜିସିଏ, ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ ବା ଏଏଆଇବି ଓ ବେସାମରିକ ବିମାନ ନିରାପତ୍ତା ବା ବିସିଏଏସ ନିକଟରେ ଏହି ବିଷୟ ଅବଗତ କରାଯାଇଥିଲା।ଏପରିକି ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ଡିଜିସିଏକୁ ୩୦ କୋଟି, ଏଏଆଇବିକୁ ୨୦ କୋଟି ଓ ବିସିଏଏସକୁ ୧୫ କୋଟି ଟଙ୍କାର ପାଣ୍ଠି ଦିଆଯାଇଥିଲା। ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ତଦନ୍ତ ବର୍ତ୍ତମାନ ଏଏଆଇବି କରୁଛି। ଏହି ଦୁର୍ଘଟଣାରେ ୨୭୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହା ସହ ଡିଜିସିଏ, ବିସିଏଏସ ଓ ଏଏଆଇରେ ସୀମିତ ମାନବ ଶକ୍ତି ନେଇ ବି କମିଟି ଉଦବେଗ ପ୍ରକାଶ କରିଥିଲା।

ପୁଣି ଅଟକିଲା ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ଆକ୍ସିଅମ୍-୪ ମିଶନ୍

ନନ୍ଦିଘୋଷ ବ୍ୟୁରୋ : ପୁଣି ଅଟକିଲା ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ଆକ୍ସିଅମ୍-୪ ମିଶନ୍। ଆସନ୍ତା ୨୨ ତାରିଖରେ ମହାକାଶ ଅଭିମୁଖେ ଯାତ୍ରା କରିବ ନାହିଁ ଏହି ଯାନ। ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କୁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ନେବା ପାଇଁ ଥିବା ଆକ୍ସିଅମ୍ ସ୍ପେସ୍ ମିଶନକୁ ପୁଣି ଥରେ ସ୍ଥଗିତ ରଖାଯାଇଛି। ଏହା ପୂର୍ବରୁ ଉତକ୍ଷେପଣ ଚଳିତ ମାସ ୧୯ ତାରିଖରେ ହେବାର ଥିଲା ତେବେ ଏହାକୁ ୨୨ ଜୁନ୍ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା। ଏବେ ଏହାକୁ ପୁଣି ବୃଦ୍ଧି କରାଯାଇଛି।

ଆକ୍ସିଅମ୍ ୪ ମିଶନର ନୂତନ ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ। ନୂତନ ତାରିଖ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ନାସା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନର ପ୍ରକ୍ଷେପଣ ବ୍ୟବସ୍ଥା ସମୀକ୍ଷା ପରେ ଏହି ନିଷ୍ପତ୍ତି ନେଇଛି। ନାସା ପକ୍ଷରୁ ଲଗାତାର ସମୀକ୍ଷା ଜାରି ରହିଛି। କିଛି ତ୍ରୁଟିରୁ ପ୍ରକ୍ଷେପଣରୁ ଓହରିଯିବାକୁ ନିଷ୍ପତ୍ତି ନିଆଯାଇଛି। ଆଗାମୀ ଦିନରେ ନୂତନ ପ୍ରକ୍ଷେପଣ ତାରିଖ ଘୋଷଣା କରାଯିବ। ତଥାପି ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଆନ୍ତର୍ଜାତିକ ସ୍ପେସ ଷ୍ଟେସନର ସମୀକ୍ଷାଲାଗି ଅଧିକ ସମୟ ନେଉଛି ନାସା।

ଶୁଭଂଶୁ ଶୁକ୍ଳାଙ୍କ ରକେଟ୍ ଉତକ୍ଷେପଣ ବାରମ୍ବାର ସ୍ଥଗିତ କରାଯାଇଛି। ପ୍ରଥମ ଉତକ୍ଷେପଣ ତାରିଖ ଗତ ମେ ୨୯ ତାରିଖ ସ୍ଥିତ ହୋଇଥିଲା। ସ୍ପେସ୍‌ଏକ୍ସ ନିଜେ ଫାଲ୍‌କନ୍‌-୯ ରକେଟ୍‌ରେ ତରଳ ଅମ୍ଳଜାନ ଲିକ୍ ହୋଇଥିବା କହିଥିଲା। ପରେ ଏହି ସମସ୍ୟାର ସମାଧାନ କରାଯାଇଛି। କେନେଡି ସ୍ପେସ ସେଣ୍ଟରରୁ ଆରମ୍ଭ ହେବାକୁ ଥିବା ସ୍ପେସଏକ୍ସ-୪ ମିଶନରେ ସାମିଲ ହେବେ ଶୁଭାଂଶୁଙ୍କ ସମେତ ଆମେରିକା, ପୋଲାଣ୍ଡ ଓ ହଙ୍ଗେରୀର ଚାରି ମହାକାଶଚାରୀ । ଏହି ମିଶନରେ ସାମିଲ ଅଛନ୍ତି ଆକ୍ସିୟମ ସ୍ପେସ, ନାସା, ସ୍ପେସ ଏକ୍ସ ଓ ଇସ୍ରୋ ।

୧୯୮୪ରେ ପ୍ରଥମ ଭାରତୀୟ ଭାବେ ରାକେଶ ଶର୍ମା ମହାକାଶକୁ ଯାଇଥିବାବେଳେ ପ୍ରାୟ ଚାରି ଦଶନ୍ଧି ପରେ ଶୁଭାଂଶୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯିବେ। ଅନ୍ୟ ଯେଉଁ ତିନିଜଣ ଆଇଏସଏସକୁ ଯିବେ ସେମାନେ ହେଲେ ହଙ୍ଗେରୀର ତିବୋର କାପୁ, ନାସାର ପୂର୍ବତନ ଆଷ୍ଟ୍ରୋନଟ ପେଗି ହୁଇଟସନ, ପୋଲାଣ୍ଡ ତଥା ୟୁରୋପିଆନ ସ୍ପେସ ଏଜେନ୍ସିର ସ୍ଲାଓଜ ଉଜନସ୍କି ଉଇସନିସ୍କି। ମହାକାଶଚାରୀମାନେ ଆଇଏସଏସରେ ୧୪ ଦିନ ରହିବେ । ସେଠାରେ ସେମାନେ ବୈଜ୍ଞାନିକ ଗବେଷଣା କରିବା ସହ ୩୦ଟି ଦେଶର ବୈଜ୍ଞାନକଙ୍କ ସହ ଯୋଗାଯୋଗରେ ରହିବେ।

ଇସ୍ରାଏଲ ଉପରେ ଇରାନର କ୍ଲଷ୍ଟର ବୋମା ବର୍ଷଣ

ନନ୍ଦିଘୋଷ ବ୍ୟୁରୋ : ଇସ୍ରାଏଲ ଉପରେ ଇରାନର କ୍ଲଷ୍ଟର ବୋମା ବର୍ଷଣ। ଏହି ବିଧ୍ଵଂସକ ବୋମା ମାଡ଼ କରିଥିବା କହିଛି ଇସ୍ରାଏଲର ସେନା। ଇରାନ-ଇସ୍ରାଏଲ ଯୁଦ୍ଧରେ ପ୍ରଥମ ଥର ପାଇଁ ପଡିଲା କ୍ଲଷ୍ଟର ବୋମା। ଏହାକୁ ଯୁଦ୍ଧ ଅପରାଧ ଭାବେ ଅଭିହିତ କରିଛି ଇସ୍ରାଏଲ। ସାଧାରଣ ନାଗରିକଙ୍କୁ ହତ୍ୟା ଲାଗି ଏହି କ୍ଲଷ୍ଟର ବୋମା ବୋଲି କହିଛି ଇସ୍ରାଏଲ। ଇରାନ ଇସ୍ରାଏଲ ଯୁଦ୍ଧର ଆଜି ଅଷ୍ଟମ ଦିନ ହୋଇଥିବାବେଳେ ସଂଘର୍ଷ ଆହୁରି ତେଜିଛି।

ଇସ୍ରାଏଲ ଉପରେ ଅତି କମରେ ଗୋଟିଏ କ୍ଲଷ୍ଟର ବୋମା ବହନ କରୁଥିବା କ୍ଷେପଣାସ୍ତ୍ର ନିକ୍ଷେପ କରିଛି ଇରାନ। କ୍ଲଷ୍ଟର ବୋମାର ଲକ୍ଷ୍ୟ ହେଉଛି ଅଧିକ ଅଧିକ ଧନଜୀବନ ନଷ୍ଟ କରିବା। ଇରାନୀ କ୍ଷେପଣାସ୍ତ୍ରର ଯୁଦ୍ଧାସ୍ତ୍ର ପ୍ରାୟ ୭ କିଲୋମିଟର ଉଚ୍ଚତାରେ ଖୋଲିଥିଲା ଏବଂ କେନ୍ଦ୍ରୀୟ ଇସ୍ରାଏଲ ଉପରେ ପ୍ରାୟ ୮ କିଲୋମିଟର ବ୍ୟାସାର୍ଦ୍ଧରେ ଏଥିରୁ ପ୍ରାୟ ୨୦ଟି ବୋମା ପଡ଼ିଥିଲା ବୋଲି କହିଛି ଇସ୍ରାଏଲ। ସେପଟେ ଇରାନକୁ ଆଉ ଦୁଇ ସପ୍ତାହର ସମୟ ଦେଇଛି ଆମେରିକା। ଇରାନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଲାଗି ଆଉ ୨ ସପ୍ତାହର ସମୟ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।

ଏହାପରେ ଆମେରିକା ଯୁଦ୍ଧରେ ସିଧାସଳଖ ସାମିଲ ହେବ କି ନାହିଁ ନିଷ୍ପତ୍ତି ନେବ। ଏ ନେଇ ହ୍ଵାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ଇସ୍ରାଏଲ ଉପରେ ଜବରଦସ୍ତ ହମଲା କରିଥିଲା ଇରାନ। IDF କମାଣ୍ଡ ସେଣ୍ଟରକୁ ଟାର୍ଗେଟ କରିଥିଲା ଇରାନ। ରାଜଧାନୀ ତେଲ ଅଭିଭର ଏକ ହସ୍ପିଟାଲ ଉପରେ ହୋଇଛି ମିସାଇଲ ମାଡ଼। ଇସ୍ରାଏଲ ଇରାନର ଖୋଣ୍ଡାବ ପରମାଣୁ କେନ୍ଦ୍ରର ଭାରିଜଳ କେନ୍ଦ୍ରକୁ ଟାର୍ଗେଟ କରିଥିବା ବେଳେ ତେହେରାନ ଏକ କ୍ଷେପଣାସ୍ତ୍ର ଆକ୍ରମଣରେ ଦକ୍ଷିଣ ଇସ୍ରାଏଲର ସବୁଠାରୁ ବଡ଼ ହସ୍ପିଟାଲ ସୋରୋକା ମେଡିକାଲ ସେଣ୍ଟର କ୍ଷତିଗ୍ରସ୍ତ ହୋଇଥିଲା। ଇସ୍ରାଏଲ ଆକ୍ରମଣରେ ଇରାନର ୮ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଅନ୍ୟପଟେ ଇରାନ ଆକ୍ରମଣରେ ଇସ୍ରାଏଲର ୨୪ ଜଣଙ୍କ ମୃତ୍ୟୁ ଘଟିଛି। ସମ୍ଭାବ୍ୟ ଯୁଦ୍ଧ ଭୟରେ ବହୁ ଦେଶର ଲୋକ ଛାଡୁଛନ୍ତି ଇରାନ। ସେପଟେ କତାରରେ ଥିବା ଆମେରିକୀୟ ଏୟାରବେସରୁ ପ୍ରାୟ ୪୦ଟି ସାମରିକ ବିମାନକୁ ଫେରାଇ ନିଆଯାଇଥିବା ସୂଚନା ମିଳିଛି।