spot_img
Home Blog Page 6745

ଆକାଶଛୁଆଁ ପରିବା ଦର, ପ୍ରଭାବିତ ହେଉଛି ହାଣ୍ଡିଶାଳ

0

ଭୁବନେଶ୍ୱର: ଆକାଶଛୁଆଁ ପରିବା ଦର । ସବୁ ପରିବାର ଦର ପାଖାପାଖି ୫୦ ଉପରେ । ପନିପରିବା ଦାମ ବୃଦ୍ଧି ଯୋଗୁଁ ପ୍ରଭାବିତ ହୋଇଛି ହାଣ୍ଡିଶାଳ  । ଚିନ୍ତାରେ ବ୍ୟବସାୟୀ, ଅସନ୍ତୁଷ୍ଟ ଖାଉଟି । ବନ୍ୟାରେ ଫସଲହାନୀ ଯୋଗୁଁ ମୂଲ୍ୟ ବୃଦ୍ଧି ଘଟୁଥିବା ବ୍ୟବସାୟୀ କହିଥିବାବେଳେ ଦରକୁ ଦେଖି ବଢିଛି ଗ୍ରାହକଙ୍କ ଅସନ୍ତୋଷ ।

ଅନେକ ଅଞ୍ଚଳରେ ବନ୍ୟାଜଳ ପଶି ଫସଲ ନଷ୍ଟ ହୋଇଛି । ଗୋଟିଏ ପଟେ ଚାଷୀ ନିଜର ଫସଲ ହରାଇ ଚିନ୍ତାରେ ଥିବାବେଳେ ସ୍ଥିତି ସୁଧୁରିବାକୁ ଆହୁରି ମାସେ ଲାଗିବ ବୋଲି କହିଛନ୍ତି ବ୍ୟବସାୟୀ । କରୋନା କଟକଣା ଯୋଗୁଁ ଅନେକଙ୍କ ଆର୍ଥିକ ସ୍ଥିତି ଖରାପ ଥିବାବେଳେ ପରିବାର ଆକାଶଛୁଆଁ ଦର ଲୋକଙ୍କୁ ଖୁବ ବାଧୁଛି ।

ଭୁବନେଶ୍ୱର ଉପକଣ୍ଠ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ରାଜଧାନୀକୁ ପରିବା ଆସିଥାଏ । ହେଲେ ଅନେକ ଅଞ୍ଚଳରେ ବନ୍ୟାଜଳ ପଶି ଫସଲ ନଷ୍ଟ କରିଛି । ଗୋଟିଏ ପଟେ ଚାଷୀ ନିଜର ଫସଲ ହରାଇ ଚିନ୍ତାରେ ଥିବାବେଳେ ସ୍ଥିତି ସୁଧୁରିବାକୁ ଆହୁରି ମାସେ ଲାଗିବ ବୋଲି କହିଛନ୍ତି ବ୍ୟବସାୟୀ । କଟକ ଛତ୍ର ବଜ଼ାରରେ ଗତ କିଛି ଦିନ ହେବ ପରିବା ଦର ହୁହୁ ହୋଇ ବାଢ଼ିଛି। ଆଜି ବଜ଼ାରରେ ଆଳୁ କିଲୋ ୩୫ ଟଙ୍କା, ପିଆଜ ୩୦,ବିଲାତି କିଲେକୁ ୫୦ଟଙ୍କା, ବନ୍ଧାକୋବି ୩୦, ଭେଣ୍ଡି ୫୦, ବାଇଗଣ ୪୦ ପୋଟଳ ୧୦୦ ଟଙ୍କା ରହିଛି। ସେପଟେ କରୋନା କଟକଣା ଯୋଗୁଁ ଅନେକଙ୍କ ଆର୍ଥିକ ସ୍ଥିତି ଖରାପ ଥିବାବେଳେ ପରିବାର ଆକାଶଛୁଆଁ ଦର ଲୋକଙ୍କୁ ଖୁବ ବାଧୁଛି ।

କରୋନା କଟକଣା ଯୋଗୁଁ ଅନେକଙ୍କ ଆର୍ଥିକ ସ୍ଥିତି ଖରାପ ଥିବାବେଳେ ପରିବାର ଆକାଶଛୁଆଁ ଦର ଲୋକଙ୍କୁ ବାଧୁଛି । ଅନ୍ୟପଟେ ରାଉରକେଲା ସହରରେ ପରିବା ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ରାଉରକେଲା ସହରରେ ଆଳୁ କିଲୋ ୩୪ଟଙ୍କା, ପିଆଜ ୨୫ ଟଙ୍କା, ଫୂଲକୋବି ୮୦ଟଙ୍କା, ଟମାଟର ୬୦ ଟଙ୍କା,ପୋଟଳ ୬୦ ଟଙ୍କା, ବାଇଗଣ ୪୦ ଟଙ୍କା, କଦଳୀ ୪୦ଟଙ୍କା, ମାଟିଆଳୁ ୪୦ ଟଙ୍କା, କଖାରୁ ୨୦ ଟଙ୍କା ବିକ୍ରି କରାଯାଉଛି। ରାଉରକେଲା ସହରରେ ଆଳୁ ସହିତ ଅନ୍ୟ ପରିଵା ଦର ବୃଦ୍ଧି ପାଉଥିବାରୁ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।

ଝୁଲୁଛି ଗିରଫଦାରୀ ଖଣ୍ଡା ! ରିୟାଙ୍କୁ ଆଜି ପୁଣି ଜେରା କରିବ ଏନସିବି, ସେପଟେ ସତ ଓଗାଳୁଛନ୍ତି ସୌଭିକ ଓ ସାମୁଏଲ

ମୁମ୍ବାଇ: ସୁଶାନ୍ତ ମୃତ୍ୟୁ ମାମଲାରେ ଡ୍ରଗ୍‌ସ କନେକ୍ସନ୍ ନେଇ ଏନସିବିର ତନାଘନା । ଗତକାଲି ୬ଘଣ୍ଟା ଜେରା ପରେ ଆଜି ପୁଣି ରିୟାଙ୍କୁ ହେବ ପଚରାଉଚରା । କାଲି ଜେରା ବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ରିୟା ମୁହଁ ଖୋଲିଥିବା ସୂଚନା ମିଳିଛି । ମାର୍ଚ୍ଚ ୧୭ରେ ସାମୁଏଲ୍ ମିରାଣ୍ଡା ଡ୍ରଗ୍‌ସ ଆଣିବାକୁ ଜୈଦଙ୍କ ନିକଟକୁ ଯାଇଥିଲେ । ଏସଂପର୍କରେ ରିୟା ଜାଣିଥିଲେ ।

 

କେବଳ ସେତିକି ନୁହେଁ, ରିୟା ଓ ସୌଭିକ ଡ୍ରଗ୍‌ସ ଡିଲରଙ୍କ ସହ ଡ୍ରଗ୍‌ସ ପାଇଁ କୋଅର୍ଡିନେସନ୍ କରୁଥିବା ମାନିଛନ୍ତି । ଭାଇ ସୌଭିକଙ୍କ ଦ୍ୱାରା ସୁଶାନ୍ତଙ୍କ ପାଇଁ ରିୟା ଡ୍ରଗ୍‌ସ ମଗାଉଥିଲେ । ଏଥିସହ ଡ୍ରଗ୍‌ସ ପେଡଲର ବାସିତଠାରୁ ସୌଭିକ, ସୁଶାନ୍ତଙ୍କ ପାଇଁ ଡ୍ରଗ୍‌ସ କିଣୁଥିବା ସେ ଜାଣିଥିଲେ ବୋଲି ରିୟା ମାନିଛନ୍ତି । ରିୟାଙ୍କ ଘରକୁ ମଧ୍ୟ ଯିବାଆସିବା କରୁଥିଲା ବାସିତ ।

ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକଙ୍କ ସମେତ ୭ଜଣଙ୍କୁ ଗିରଫ କରିଛି ଏନସିବି । ରିୟାଙ୍କ ଉପରେ ମଧ୍ୟ ଗିରଫଦାରୀ ଖଣ୍ଡା ଝୁଲୁଛି । ତାଙ୍କୁ ଗିରଫ କରାଯିବା ନେଇ ଆଶଙ୍କା ଦେଖାଦେଇଛି ।

ଗାଁ ପଡ଼ିଆରୁ ମିଳିଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ !

ବାଲେଶ୍ୱର: ବାଲେଶ୍ୱର ଭୋଗରାଇ ବିଚିତ୍ରପୁର ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର କରାଯାଇଛି । ଗାଁ ପଡ଼ିଆରେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ ବିଚିତ୍ରପୁର ବାତ୍ୟା ଆଶ୍ରୟ ସ୍ଥଳି  ନିକଟରେ ଥିବା ଏକ ପଡ଼ିଆରେ ଅଧାପୋଡା ଅବସ୍ଥାରେ ମହିଳାଙ୍କ ମୃତ ଦେହକୁ ଗ୍ରାମବାସୀ ଦେଖିବାକୁ ପାଇଥିଲେ । ମୃତକ ଜଣଙ୍କ ହେଲେ ସେହି ଗାଁର ମାର୍କଣ୍ଡ ଗାରୁଙ୍କ ସ୍ତ୍ରୀ ମଣି ଗାରୁ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।

ଆଜିଠୁ ଟ୍ରାକରେ ଦିଲ୍ଲୀ ଲାଇଫ୍ ଲାଇନ୍…ପାଞ୍ଚ ମାସ ପରେ ମେଟ୍ରୋ ସେବା ପାଇବେ ଦିଲ୍ଲୀବାସୀ

ନୂଆଦିଲ୍ଲୀ: ପୁଣି ଟ୍ରାକରେ ଦିଲ୍ଲୀ ମେଟ୍ରୋ । ପାଞ୍ଚ ମାସ ପରେ ଟ୍ରାକକୁ ଓହ୍ଲାଇଛି ଦିଲ୍ଲୀ ଲାଇଫ ଲାଇନ୍ । କରୋନା କଟକଣା ପାଇଁ ଦୀର୍ଘ ପାଞ୍ଚ ମାସ ଧରି ବନ୍ଦ ରହିଥିଲା ଦିଲ୍ଲୀର ଲାଇଫ ଲାଇନ୍ କୁହାଯାଉଥିବା ମେଟ୍ରୋ ଟ୍ରେନ୍ । କରୋନା ପାଇଁ ସଚେତନତା ସୁରୂପ ଷ୍ଟେସନରେ ସାନିଟାଇଜ୍ କାମ ଶେଷ ହୋଇଛି ।

ଯାତ୍ରୀଙ୍କୁ ସଚେତନ କରାଇବା ପାଇଁ ସମସ୍ତ ପଦକ୍ଷେପ ନେଇଛି ଦିଲ୍ଲୀ ମେଟ୍ରୋ । ତେବେ କଟକଣା ମଧ୍ୟରେ ଗଡୁଛି ଦିଲ୍ଲୀ ମେଟ୍ରୋ । କରୋନା ପାଇଁ ସ୍ୱତନ୍ତ୍ର ଭାବେ ଗାଇଡଲାଇନ୍ ଜାରି ହୋଇଛି । ମେଟ୍ରୋରେ ଯାତ୍ରା କରିବାକୁ ହେଲେ ପ୍ରଥମେ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ ହେବ । ଲକ୍ଷଣ ନଥିବା ଯାତ୍ରୀଙ୍କୁ ମିଳିବ ସୁବିଧା ।

ବିନା ମାସ୍କରେ ଯାତ୍ରୀଙ୍କୁ ଏଣ୍ଟ୍ରି ମିଳିବ ନାହିଁ । ମୋବାଇଲରେ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ପେପର ସ୍ଲିପ୍ ଟିକେଟ୍ ପାଇଁ ସାନିଟାଇଜ୍ ବାଧ୍ୟତାମୂଳକ ରହିଛି । କମ୍ ଜିନିଷ ସହ ଯାତ୍ରୀ ଯାତ୍ରା କରିପାରିବେ ।  କଣ୍ଟେନମେଣ୍ଟ ଜୋନରେ ଖୋଲିବନି ମେଟ୍ରୋ । ଯାତ୍ରୀଙ୍କ ସୁବିଧା ପାଇଁ ଷ୍ଟେସନରେ ରହିଛି ସାନିଟାଇଜର୍ ।

ଯାତ୍ରୀମାନେ ସ୍ମାର୍ଟ କାର୍ଡ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଦିଲ୍ଲୀବାସଙ୍କ ପାଇଁ ଜାରି ହୋଇଥିବା SOP ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ସକାଳ ୭ରୁ ୧୧ଟା ଯାଏଁ ଚାରି ଘଣ୍ଟା ପାଇଁ ଚାଲିବ ମେଟ୍ରୋ । ସେପ୍ଟେମ୍ବର ୯ ତାରିଖରେ ଦ୍ୱିତୀୟ ଓ ସେପ୍ଟେମ୍ବର ୧୦ ତାରିଖରେ ତୃତୀୟ ପର୍ଯ୍ୟାୟରେ ଗଡିବ ମେଟ୍ରୋ । ଦିଲ୍ଲୀ ମେଟ୍ରୋ ସମେତ ଲକ୍ଷ୍ନୌ ମେଟ୍ରୋ ମଧ୍ୟ ଗଡିବା ପାଇଁ ପ୍ରସ୍ତୁତ ହୋଇ ରହିଛି ।

ଏହି ରାଶିର ଲୋକଙ୍କର ଆଜି ବଢିପାରେ ସ୍ୱାସ୍ଥ୍ୟ ସମସ୍ୟା

ଆଜିର ପଞ୍ଚାଙ୍ଗ:

୭ ସେପ୍ଟେମ୍ବର, ୨୦୨୦, ସୋମବାର

୧୪୨୮ ସାଲ, ୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍,

ସିଂହ ୨୩ ଦିନ, କୃଷ୍ଣପକ୍ଷ ପଞ୍ଚମୀ ତିଥି

– ମେଷ ରାଶିରେ ରହିବେ ଚନ୍ଦ୍ର

– ଦ୍ୱିଜା ନକ୍ଷତ୍ର

– ଘାତଚନ୍ଦ୍ର- ମେଷ ରାଶି ପାଇଁ ଘାତଚନ୍ଦ୍ର

– ଘାତ ବାର- ମିଥୁନ ରାଶି ପାଇଁ ଘାତବାର

ଯୋଗିନୀ ଦକ୍ଷିଣ ଦିଗରେ ରହିବେ

ତେଣୁ ଏହି ଦିଗକୁ ଯାତ୍ରା ନିଷେଧ

– ଶୁଭ ସମୟ –

ସକାଳ ୯ଟା ରୁ ଦିନ ୧୧ଟା  ୪୦ ମିନିଟ୍ ପର୍ଯ୍ୟନ୍ତ

– ଅଶୁଭ ସମୟ –

ସକାଳ ୭ଟା ରୁ ସକାଳ ୮ଟା ୩୦ ମିନିଟ୍

 

ମେଷ ରାଶି

ଅଶ୍ୱିନୀ ନକ୍ଷତ୍ର – ଅନ୍ୟ ଉପରେ ଭରସା ଓ ବିଶ୍ୱାସ କରି କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ

ଦ୍ୱିଜା ନକ୍ଷତ୍ର – ଜୀବନସାଥୀଙ୍କ ସହଯୋଗରେ କୌଣସି କାମ କରନ୍ତୁ

କୃତ୍ତିକା ନକ୍ଷତ୍ର – ମାଙ୍ଗଳିକ କାମ କରିବା ପାଇଁ ଯୋଜନା କରିପାରନ୍ତି

ଗାୟତ୍ରୀମନ୍ତ୍ର ୧୧ ଥର ପାଠ କରନ୍ତୁ

ବୃଷ ରାଶି

କୃତ୍ତିକା ନକ୍ଷତ୍ର – ମିତ୍ର ବନ୍ଧୁଙ୍କର ସହଯୋଗ ପାଇବେ, ଅଟକିଥିବା କାମ ତ୍ୱାରାନିତ ହେବ

ରୋହିଣି ନକ୍ଷତ୍ର – କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଗୁରୁଜନମାନଙ୍କର ପରାମର୍ଶ ନିଅନ୍ତୁ

ମୃଗଶିରା ନକ୍ଷତ୍ର – ଆତ୍ମବିଶ୍ୱାସ ବଢିବ, ବରିଷ୍ଠ ବ୍ୟକ୍ତିଙ୍କ ପରାମର୍ଶ  ନିଅନ୍ତୁ

ଓଁ ଶୁକ୍ରାୟ ନମଃ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ

ମିଥୁନ ରାଶି

ମୃଗଶିରା ନକ୍ଷତ୍ର- ଅବିବାହିତମାନଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ

ଆର୍ଦ୍ରା ନକ୍ଷତ୍ର – କମ୍ କଥା କୁହନ୍ତୁ , ଅନ୍ୟର କଥା ଶୁଣନ୍ତୁ

ପୁନର୍ବସୁ ନକ୍ଷତ୍ର – କାର୍ଯ୍ୟବ୍ୟସ୍ତତାରେ ସମୟ କଟିବ

ଓଁ ନମୋ ଦାମୋଦରାୟ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ

କର୍କଟ ରାଶି

ପୁନର୍ବସୁ ନକ୍ଷତ୍ର – ବନ୍ଧୁଙ୍କ ସହ ସମୟ କାଟନ୍ତୁ

ପୁଷ୍ୟା ନକ୍ଷତ୍ର – ନୂଆ କାର୍ଯ୍ୟ ଶୁଭାରମ୍ଭ କରନ୍ତୁ ନାହିଁ, ନିଜ ବ୍ୟବହାର ପରିବର୍ତ୍ତନ କରନ୍ତୁ

ଅଶ୍ଲେଷା ନକ୍ଷତ୍ର – ମନୋରଞ୍ଜନ ପୂର୍ଣ୍ଣ କାର୍ଯ୍ୟରେ ସମୟ କଟିବ

ଓଁ ଗଂ ଗଣପତୟେ ନମଃ ମନ୍ତ୍ର ୨୧ ଥର ଜପ କରନ୍ତୁ

ସିଂହ ରାଶି

ମଘା ନକ୍ଷତ୍ର – ସ୍ୱାସ୍ଥ୍ୟ ସମସ୍ୟା ବଢିପାରେ

ପୂର୍ବାଫାଲଗୁନି ନକ୍ଷତ୍ର – ସକରାତ୍ମକ ଭାବନା ରଖି ଆଗକୁ ବଢିବେ, ନିଜ କାମ ପାଇଁ ପ୍ରଶଂସା ମିଳିବ

ଉତ୍ତରାଫାଲଗୁନୀ ନକ୍ଷତ୍ର – ନିଜର ଭାବନା ଓ ଚିନ୍ତାଧାରା ଦ୍ବାରା ଅନ୍ୟକୁ ପ୍ରଭାବିତ କରିବେ

ଓଁ ନମଃ ଶିବାୟ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ

କନ୍ୟା ରାଶି

ଉତ୍ତରାଫାଲଗୁନୀ ନକ୍ଷତ୍ର – ଭବିଷ୍ୟତ ଜୀବନକୁ ନେଇ କିଛି ଯୋଜନା କରିପାରନ୍ତି

ହସ୍ତା ନକ୍ଷତ୍ର – ଭୁଲ ବୁଝାମଣା ଯୋଗୁ ସଂପର୍କ ଖରାପ ହୋଇପାରେ

ଚିତ୍ରା ନକ୍ଷତ୍ର – ପ୍ରୟାସ କରୁଥିବା ଯୋଜନା ଆଜି ପୂରଣ ହେବ

ହନୁମାନ ଚାଳିଶା ୩ ଥର ପାଠ କରନ୍ତୁ

ତୁଳା ରାଶି

ଚିତ୍ରା ନକ୍ଷତ୍ର – ନିଜ କାମ ଦ୍ୱାରା ଅନ୍ୟକୁ ଆକର୍ଷିତ କରିବେ

ସ୍ୱାତୀ ନକ୍ଷତ୍ର – ଯାତ୍ରା ସମୟରେ ସତର୍କତା ରୁହନ୍ତୁ, ଦୁର୍ଘଟଣା ଘଟିପାରେ

ବିଶାଖା ନକ୍ଷତ୍ର – ପୂର୍ବରୁ ରହିଥିବା ସମସ୍ୟାର ସମାଧାନ ହେବ

ଓଁ ଶ୍ରୀ ନମଃ ମନ୍ତ୍ର ଜପ କରନ୍ତୁ

ବିଛା ରାଶି

ବିଶାଖା ନକ୍ଷତ୍ର – ସନ୍ତାନଙ୍କୁ ନେଇ କିଛି ଶୁଭ ସୂଚନା ମିଳିପାରେ

ଅନୁରାଧା ନକ୍ଷତ୍ର – ନିଜର ବିଶ୍ୱସ୍ତ ବ୍ୟକ୍ତି କ୍ଷତି କରିପାରନ୍ତି

ଜ୍ୟେଷ୍ଠା ନକ୍ଷତ୍ର – ଉଚ୍ଚ ଅଧିକାରୀଙ୍କର ସମର୍ଥନ ମିଳିବ

ବିଷ୍ଣୁ ସହସ୍ରନାମ ଶ୍ରବଣ କରନ୍ତୁ , ଦିନଟି ଭଲରେ କଟିବ

ଧନୁ ରାଶି

ମୂଳା ନକ୍ଷତ୍ର – ନିଜର ଆବଶ୍ୟକତାକୁ ପୁରା କରିବା ପାଇଁ ଭୁଲ୍ ନିଷ୍ପତ୍ତି ନେଇପାରନ୍ତି

ପୂର୍ବାଷାଢା ନକ୍ଷତ୍ର – ପାରିବାରିକ ଅଶାନ୍ତି ଦୁର ହେବ, ସମାଜରେ ମାନସମ୍ମାନ ବଢିବ

ଉତ୍ତରାଷାଢା ନକ୍ଷତ୍ର – ପରିବାର ସହିତ ସମୟ କାଟିବାର ଶୁଭ ଯୋଗ ରହିଛି

ସିଦ୍ଧ କୁଞ୍ଜିକା ସ୍ତୋତ୍ର ପାଠ କରନ୍ତୁ

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର – କୌଣସି ଶୁଭ କାମ ପାଇଁ ଯୋଜନା କରିପାରନ୍ତି

ଶ୍ରବଣା ନକ୍ଷତ୍ର – ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ପୂର୍ବରୁ ପିତାମାତାଙ୍କର ପରାମର୍ଶ ନିଅନ୍ତୁ

ଧନିଷ୍ଠା ନକ୍ଷତ୍ର – ପଡୋଶୀଙ୍କ ସହ ସଂପର୍କ ଆହୁରି ସୁଦୃଢ ହେବ

ଓଁ ଶଂ ଶନୈଶ୍ଚରାୟ ନମଃ ମନ୍ତ୍ର ଜପ କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର – ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ପରିବାରରେ ଆଲୋଚନା କରିପାରନ୍ତି

ଶତଭିଷା ନକ୍ଷତ୍ର –

ଦାମ୍ପତ୍ୟ ଜୀବନରେ ତିକ୍ତତା ବଢିବ, ଯୁକ୍ତିତର୍କ କରନ୍ତୁ ନାହିଁ

ପୂର୍ବଭାଦ୍ର ନକ୍ଷତ୍ର – ଅନେକ ଦିନର ଆଶା ପୂର୍ଣ୍ଣ ହେବ

ଓଁ କୃଷ୍ଣାୟ ବାସୁଦେବାୟ ନମଃ ମନ୍ତ୍ରକୁ ଜପ କରନ୍ତୁ

ମୀନ ରାଶି

ପୂର୍ବଭାଦ୍ର ନକ୍ଷତ୍ର – ନୂତନ ନିଯୁକ୍ତିର ସୁଯୋଗ ଆସିବ

ଉତ୍ତରଭାଦ୍ର ନକ୍ଷତ୍ର – ଗୁପ୍ତଶତ୍ରୁ କାର୍ଯ୍ୟରେ ବାଧା ସୃଷ୍ଟି କରିପାରନ୍ତି

ରେବତୀ ନକ୍ଷତ୍ର – ବିବାଦୀୟ କାର୍ଯ୍ୟରେ ବିଜୟୀ ହେବେ

ଓଁ ନମୋ ଭଗବତେ ବାସୁଦେବାୟ ମନ୍ତ୍ର ୧୦୮ ଥର ଜପ କରନ୍ତୁ

 

ଜ୍ୟୋତିର୍ବିଦ୍ ଡ.ଶ୍ୟାମସୁନ୍ଦର ବାଘ

ଯୋଗାଯୋଗ- 9938571935

ଅନ୍ଧାର ରାସ୍ତାରୁ ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ମୋହନା: ଅନ୍ଧାରର ସୁଯୋଗ ନେଇ ଚୋରା ଚାଲାଣ । ବେଆଇନ୍ ଗଞ୍ଜେଇ ଚାଲାଣ ବେଳେ ପୋଲିସ ହାତରେ ଧରାପଡ଼ିଲେ ୨ ଅଭିଯୁକ୍ତ । ଗଜପତି ଜିଲ୍ଲା ଅଡ଼ବା ଥାନା ପୋଲିସକୁ ମିଳିଛି ବଡ଼ ସଫଳତା । ପାଟ୍ରୋଲିଂ ବେଳେ ପୋଲିସ ବଡ଼ ଧରଣର ଗଞ୍ଜେଇ ଚାଲାଣକୁ ଧରିଛି । ରବିବାର ସନ୍ଧ୍ୟା ପ୍ରାୟ ୫ଟା ୩୦ ବେଳେ ପୋଲିସ ଛୁଡ଼ଙ୍ଗପୁର, କେଶରୀଗୁଡ଼ା ଅଞ୍ଚଳରେ ପାଟ୍ରୋଲିଂ କରିଥିଲେ । ସେହି ସମୟରେ ଉକ୍ତ ରାସ୍ତା ଦ୍ରୁତଗତିରେ ଯାଉଥିଲେ ଏକ ପିକଅପ୍ ଭ୍ୟାନ୍ ।

ପୋଲିସର ସନ୍ଦେହ ହେବାରୁ ଗାଡ଼ିକୁ ଯାଞ୍ଚ ପାଇଁ ଅଟକାଇଥିଲା । ଆଉ ଯାଞ୍ଚ ପରେ ମିଳଥିବା ୧୬ କ୍ୱିଣ୍ଟାଲର ସବୁଜ ଜହର । ପୋଲିସ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି । ଗିରଫ ୨ ଜଣ ଗଞ୍ଜାମ ଜିଲ୍ଲା କଂସାମାରୀ ଗାଁର ଏସ୍. ଡିଲେସ ଦୋରା ଓ ଧରମପୁର ଗାଁର ସନ୍ତୋଷ ସାହୁ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଆସନ୍ତାକାଲି ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ।

ନାବାଳିକାଙ୍କୁ ବଳି ପକାଇବାକୁ ଅପହରଣ ବେଳେ ୩ ଗିରଫ

ଆସିକା: ପୋଲିସ କବଜାରେ ଅପହରଣକାରୀ । ଆସିକା ପୋଲିସ ୩ ଜଣ ଅପହରଣକାରୀଙ୍କୁ ଗିରଫ କରିଛି । ଗିରଫ ଅପହରଣକାରୀମାନେ ଜଣେ ନାବାଳିକାଙ୍କୁ ବଳି ପକାଇବା ପାଇଁ ଅପହରଣ କରୁଥିଲେ । ପୋଲିସ ଅପହରଣ ଉଦ୍ୟମକୁ ପଣ୍ଡ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ପୋଲିସ ଖଣ୍ଡା ସହ ବାଇକ୍ ମଧ୍ୟ ଜବତ କରିଛି ।

ଗତ କିଛିଦିନ ତଳେ ନାବାଳିକାଙ୍କୁ କିଣିବା ପାଇଁ ଭାଇଙ୍କ ସହ ରାମଚନ୍ଦ୍ରପୁର ଓ ପିତ୍ତଳ ଅଞ୍ଚଳର ତିନିଜଣ କଥାବାର୍ତ୍ତା କରିଥିଲେ । ଏନେଇ ଆସିକା ଥାନାରେ ଅଭିଯୋଗ ହୋଇଥିଲା । ଆଜି ୩ ଅଭିଯୁକ୍ତ ନାବାଳିକାଙ୍କୁ ଅପହରଣ କରିବା ବେଳେ ପୋଲିସ ହାବୁଡ଼ରେ ପଡ଼ିଥିଲେ । ସେମାନଙ୍କଠାରୁ ମାରଣାସ୍ତ୍ର ଜବତ କରାଯାଇଛି ।

 

Lockdownରେ ବୁକିଂ ହୋଇଥିବା ଫ୍ଲାଇଟ୍ ଟିକେଟର ପୂରା ଅର୍ଥ ମିଳିବ ଫେରସ୍ତ, ସୁପ୍ରିମକୋର୍ଟଙ୍କୁ ସୂଚନା ଦେଲା DGCA

ନୂଆଦିଲ୍ଲୀ: ଲକଡାଉନରେ ବୁକିଂ ହୋଇଥିବା ବିମାନ ଟିକେଟର ସମ୍ପୂର୍ଣ୍ଣ ଅର୍ଥ ଫେରସ୍ତ ମିଳିବ । ଏନେଇ ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ମାର୍ଚ୍ଚ ୨୫ରୁ ମେ ୨ ମଧ୍ୟରେ ଯାତ୍ରା ପାଇଁ ବୁକିଂ ହୋଇଥିବା ସମସ୍ତ ଟିକେଟ କ୍ଷେତ୍ରରେ ଏହା ଲାଗୁ ହେବ । ଏଥିର ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ଉଡ଼ାଣ ଟିକେଟ୍ ସାମିଲ ରହିଛି । ଜୁନ୍ ୧୩ରେ ସୁପ୍ରିମକୋର୍ଟ ଦେଇଥିବା ଆଦେଶ ପରେ DGCA ଏ ସୂଚନା ଦେଇଛନ୍ତି । ସୁପ୍ରିମକୋର୍ଟ ଘରୋଇ ଘରୋଇ ବିମାନ ଉଡ଼ାଣକାରୀ ସଂସ୍ଥା ସହ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ଆଦେଶ ଦେଇଥିଲେ । କୁହାଯାଇଥିଲା ଯାତ୍ରୀଙ୍କ ଟିକେଟ୍ ବାତିଲ୍ ପରେ ରିଫଣ୍ଡ ନେଇ କୌଣସି ରାସ୍ତା ବାହାର କରାଯାଉ ।

DGCAଙ୍କ ପକ୍ଷରୁ କୁହାଯାଇଛି ବୁକ୍ ହୋଇଥିବା ଟିକଟ ଅର୍ଥ ରିଫଣ୍ଡ ନହେବା ଓ ଗ୍ରାହକଙ୍କ ଇଚ୍ଛା ବିରୋଧରେ କ୍ରେଡିଟ୍ ସେଲ୍ ତିଆରି କରିବା ନିୟମର ଉଲ୍ଲଂଘନ ଅଟେ । ସୁପ୍ରିମକୋର୍ଟରେ ଦାଏର ପିଟିସନରେ କୁହାଯାଇଛି କିଛି ଯାତ୍ରୀ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କ୍ରେଡିଟ୍ ସେଲ ବ୍ୟବହାର କରିବାକୁ ଇଚ୍ଛୁକ ନାହାଁନ୍ତି । ବିମାନ ବାତିଲ୍ ପରେ ଯାତ୍ରୀଙ୍କୁ ସମ୍ପୂର୍ଣ୍ଣ ରିଫଣ୍ଡ ମିଳିବା ଉଚିତ୍ ।

ଏପ୍ରିଲରେ ସରକାର ଦେଇଥିଲେ ରିଫଣ୍ଡ ନିର୍ଦ୍ଦେଶ

କେନ୍ଦ୍ର ସରକାର ଏପ୍ରିଲ ମାସରେ ଏୟାରଲାଇନ୍ସକୁ ଟିକେଟ୍ ବାତିଲ୍ ଚାର୍ଜ ବିନା ସମ୍ପୂର୍ଣ୍ଣ ଅର୍ଥ ଫେରସ୍ତ ଦେବାକୁ କହିଥିଲେ । ମାର୍ଚ୍ଚ ୨୫ରୁ ୧୪ ଏପ୍ରିଲ ମଧ୍ୟରେ ହୋଇଥିବା ଟିକେଟ୍ ବୁକିଂ ହୋଇଥିବା ଏବଂ ଯାତ୍ରା ତାରିଖ ୧୫ ମାର୍ଚ୍ଚରୁ ମେ ୩ ମଧ୍ୟରେ ହୋଇଥିବା ଦରକାର । ଏଥିସହ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏନେଇ ନିର୍ଦ୍ଦେଶାଳୟକୁ ଜଣାଇବା ସହ ବିମାନ କମ୍ପାନୀ ଯେଭଳି ଏହାର ପାଳନ କରିବେ ସୁନିଶ୍ଚିତ କରିବାକୁ କୁହାଯାଇଥିଲା ।

ଏୟାରଲାଇନ୍ସ ଏପ୍ରିଲ ପ୍ରଥମ ସପ୍ତାହରୁ ୧୪ ଏପ୍ରିଲ ପର ପାଇଁ ବିମାନ ବୁକିଂ ଆରମ୍ଭ କରି ଦେଇଥିଲେ । କାରଣ ଅନୁମାନ କରାଯାଉଥିଲା ଦେଶରେ ଲାଗୁ ହୋଇଥିବା ଲକଡାଉନ୍ ଏପ୍ରିଲ୍ ୧୪କୁ ହଟାଇ ଦିଆଯିବ ଓ ବିମାନ ସେବା ପୁଣିଥରେ ଆରମ୍ଭ ହେବ ।

Corona Updates: ସଂକ୍ରମଣକୁ ମାତ୍ ଦେଉଛି ଓଡ଼ିଶା, ଲକ୍ଷେ ମୁହାଁ ସୁସ୍ଥତା ସଂଖ୍ୟା

ଭୁବନେଶ୍ୱର: ସଂକ୍ରମଣ ସହ ଚାଲିଛି ସଂଘର୍ଷ । ଦିନକୁ ଦିନ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ସୁସ୍ଥ ହେବାରେ ଲାଗିଛନ୍ତି ଆକ୍ରାନ୍ତ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨ ହଜାର ୫୯୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ରାଜ୍ୟରେ ଏଯାବତ୍ ୯୬ ହଜାର ୩୬୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

କଟକରୁ ସର୍ବାଧିକ ୪୩୧ରୁ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୮୬, ମୟୂରଭଞ୍ଜରୁ ୨୦୨, ଗଞ୍ଜାମରୁ ୧୪୨, ରାୟଗଡ଼ାରୁ ୧୨୦, କୋରାପୁଟରୁ ୧୦୮, ପୁରୀରୁ ୧୦୫, ଜଗତସିଂହପୁରରୁ ୭୮, ଭଦ୍ରକ ଓ ଯାଜପୁରରୁ ୭୭ ଜଣ ଲେଖାଏଁ, କେନ୍ଦ୍ରାପଡ଼ାରୁ ୭୫, ବରଗଡ଼ରୁ ୭୨, ବାଲେଶ୍ୱର ଓ ସମ୍ବଲପୁରରୁ ୭୧ ଜଣ ଲେଖାଏଁ, କେନ୍ଦୁଝରରୁ ୬୮, ନୟାଗଡ଼ରୁ ୬୭, ମାଲକାନଗିରିରୁ ୬୧, ଢେଙ୍କାନାଳରୁ ୫୯, ନବରଙ୍ଗପୁରରୁ ୫୭, ବଲାଙ୍ଗିର ୫୪, ଝାରସୁଗୁଡ଼ା ୪୪, ବୌଦ୍ଧରୁ ୩୪, ସୋନପୁର ଓ ସୁନ୍ଦରଗଡ଼ରୁ ୩୦ ଜଣ ଲେଖାଏଁ, କଳାହାଣ୍ଡିରୁ ୨୪, ଗଜପତିରୁ ୨୦, କନ୍ଧମାଳରୁ ୧୦, ନୂଆପଡ଼ାରୁ ୭, ଅନୁଗୁଳରୁ ୬ ଓ ଦେବଗଡ଼ରୁ ୪ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ରାଜ୍ୟରେ ମୋଟ ୧ ଲକ୍ଷ ୨୪ ହଜାର ୩୨ଟି କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୯୬ ହଜାର ୩୬୪ ଜଣ ସୁସ୍ଥ ହୋଇଥିବା ବେଳେ ୫୪୬ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ରାଜଧାନୀରୁ ଗତ ୨୪ ଘଣ୍ଟାରେ ୪୮୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨୦୪ଟି ମାମଲା ଆସିଥିବା ବେଳେ ୨୭୮ଟି ମାମଲା ହେଉଛି ସ୍ଥାନୀୟ ସଂକ୍ରମଣ । ସେହିଭଳି ଗତ ୨୪ ଘଣ୍ଟାରେ ୩୫୪ ଜଣ ସୁସ୍ଥ ହୋଇଥିବା ନେଇ ବିଏମସି ସୂଚନା ଦେଇଛି ।