spot_img
Home Blog Page 676

ଉପର ମୁଣ୍ଡରେ ପ୍ରବଳ ବର୍ଷା, ବଢୁଛି ସୁବର୍ଣ୍ଣରେଖା ନଦୀ ଜଳସ୍ତର

ନନ୍ଦିଘୋଷ ବ୍ୟୁରୋ : ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର । ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଗଲୁଡିହି ବ୍ୟାରେଜ ୨ ଲକ୍ଷ ୪୨ ହଜାର କ୍ୟୁସେକ ପାଣି ଛାଡ଼ିଥିବାରୁ ବଢୁଛି ନଦୀର ଜଳସ୍ତର । ଗତକାଲି ରାଜଘାଟ ପାଖରେ ଜଳସ୍ତର ୩.୫୦ ମିଟର ଥିବା ବେଳେ ଆଜି ସକାଳ ସୁଦ୍ଧା ଜଳସ୍ତର ବଢି ୬.୦୦ ମିଟରରୁ ଅଧିକ ଜଳ ପ୍ରବାହିତ ହେଉଛି । ଜାମସେଳା ଘାଟରେ ପାଣି ବଢୁଥିବାରୁ ଆହୁରି ରାଜଘାଟ ପାଖରେ ଜଳସ୍ତର ବଢିପାରେ ବୋଲି ଅନୁମାନ କରାଯାଉଛି ।

ହଠାତ ବଢ଼ିଲା ଇବ୍ ନଦୀର ଜଳସ୍ତର, ନଦୀ ମଝିରେ ଫସିଲେ ଯୁବକ

ନନ୍ଦିଘୋଷ ବ୍ୟୁରୋ : ହଠାତ ବଢ଼ିଲା ଇବ ନଦୀର ଜଳସ୍ତର । ନଦୀ ମଝିରେ ଫସିଲେ ଯୁବକ । ସୁନ୍ଦରଗଡ଼ ସଦର ଭଷ୍ମା ଥାନା କୁଡ଼ାବଗା ନିକଟ ଇବ ନଦୀର ଟାପୁରେ ଫସିଯାଇଥିଲେ ଯୁବକ । ଯୁବକ ଜଣକ ଅତିଶ ପଣ୍ଡା ବୋଲି ସୂଚନା ମିଳିଛି । ବ୍ୟାରେଜରେ ସେ ଜଗୁଆଳି କାମ କରୁଥିଲେ । ରାତିରେ ସହଯୋଗୀଙ୍କ ସହିତ ବ୍ୟାରେଜ କାମ ଜଗିବା ପାଇଁ ଯାଇ ନଦୀ ମଝିରେ ଥିବା ଟାପୁରେ ଶୋଇଥିଲେ । ହେଲେ ପ୍ରବଳ ବର୍ଷା ଯୋଗୁଁ ହଠାତ ଇବନଦୀରେ ଜଳସ୍ତର ବଢିଯାଇଥିଲା ଆଉ ସେ ସେଠାରେ ଦୀର୍ଘ ସମୟ ଧରି ଫସି ରହିଯାଇଥିଲେ । ସେଠାରୁ ଉଦ୍ଧାର ପାଇଁ ପାଟି କରିବା ପରେ ଗାଁ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଛି ।

ଡାକ୍ତରଙ୍କୁ ନକହି ମେଡିକାଲରୁ ଶବ ନେଇ ଆସିଥିଲେ ପରିବାର, ଜୁଇରୁ ମୃତଦେହ ନେଇଗଲା ପୋଲିସ

ନନ୍ଦିଘୋଷ ବ୍ୟୁରୋ : ଜୁଇରୁ ଦୁଇ ଜଣଙ୍କ ମୃତଦେହ ଉଠାଇ ଆଣି ବ୍ୟବଛେଦ କରାଇଲା ପୋଲିସ। ଢେଙ୍କନାଳ ଜିଲ୍ଲାର ଭୁବନରେ ଗୋଟିଏ ଦିନରେ ଜୁଇରୁ ନେଇ ଦୁଇ ଜଣଙ୍କ ମୃତଦେହକୁ ବ୍ୟବଛେଦ କରାଇଲା ଭୁବନ ପୋଲିସ। ଭୁବନ ଥାନା ଅଞ୍ଚଳରେ ଘଟିଛି ଏହି ୨ଟି ଘଟଣା। ଗୋଟିଏ ଘଟଣା ଘଟିଛି ପଳାଶପିଠିଆ ଗ୍ରାମରେ। ଗ୍ରାମର ଦିଲୀପ ଜେନାଙ୍କ ସ୍ତ୍ରୀ ଏଲିନା ଜେନା ବୁଧବାର ରାତିରେ ଖାଇପିଇ ଶୋଇଥିଲେ। ହଠାତ ଶୌଚ ଯିବାକୁ କହିଥିଲେ। ବାହାରେ ଅସୁସ୍ଥ ଅନୁଭବ କରିବାରୁ ପରିବାର ବର୍ଗଙ୍କୁ ଡାକି ଭୁବନ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷାଣ କରିଥିଲେ। ପରେ ପରିବାର ଲୋକେ ରାଜିନାମା ଲେଖି ଘରକୁ ଶବ ସଂସ୍କାର ପାଇଁ ନେଇଥିଲେ। ପରିବାର ଲୋକେ ଥାନାରେ ଅଭିଯୋଗ କରିନଥିଲେ ମଧ୍ୟ ଡାକ୍ତରଙ୍କ ଲିଖିତ ଅଭିଯୋଗ ପରେ ଶ୍ମଶାନରେ ପହଞ୍ଚିଥିଲେ ଭୁବନ ଥାନାଧିକାରୀ। ମୃତଦେହକୁ ଜୁଇରୁ ଆଣି ବ୍ୟବଛେଦ କରାଯାଇଥିଲା।

ସେହିପରି ଅପରାହ୍ନରେ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୯ ନମ୍ବର ୱାର୍ଡ ଗୋପାଳପୁର ସାହିର ଦିବ୍ୟାଙ୍ଗ ନନ୍ଦ କିଶୋର ମହାପାତ୍ରଙ୍କ ଦିବ୍ୟାଙ୍ଗ ପୁଅ ସନ୍ତୋଷ ମହାପାତ୍ରଙ୍କ କୌଣସି କାରଣରୁ ସୁସ୍ଥ ହୋଇ ପଡିଥିଲେ। ତାଙ୍କୁ ମେଡିକାଲ ଆଣିଥିଲେ ପରିବାର ଲୋକେ। ମେଡିକାଲରେ ତାଙ୍କର ଚିକିତ୍ସା କରିଥିଲେ ଡାକ୍ତର। ତେବେ କୌଣସି ମୁହୂର୍ତ୍ତରେ ସନ୍ତୋଷଙ୍କ ମୃତ୍ୟୁ ହୋଇଥିବାବେଳେ ପରିବାର ଲୋକେ କାହାକୁ ନକହି ମୃତଦେହ ନେଇ ଚାଲିଯାଇଥିଲେ। ଭୁବନ ଗଜାତୋଟା ଶ୍ମଶାନରେ ଦାହ କରିବା ପାଇଁ ରଖାଯାଇଥିବାବେଳେ ଡାକ୍ତରଙ୍କ ଅଭିଯୋଗ କ୍ରମେ ପୋଲିସ ପହଂଚି ମୃତଦେହ ଜବତ କରି ବ୍ଯବଚ୍ଛେଦ ପାଇଁ ମେଡିକାଲ ନେଇଥିଲା।ଗୋଟିଏ ଦିନରେ ଏଭଳି ଦୁଇ ଦୁଇଟି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଆମେରିକାକୁ ଇରାନର ଆକ୍ରମଣ ଭୟ ! ରାତାରାତି କାତାର ଏୟାରବେସରୁ ହଟାଇଲା ସାମରିକ ବିମାନ

ନନ୍ଦିଘୋଷ ବ୍ୟୁରୋ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଆମେରିକା ଚୁପଚାପ୍ କାତାରର ପ୍ରମୁଖ ସାମରିକ ଘାଟିରୁ ବିମାନ ହଟାଇବା ଆରମ୍ଭ କରିଛି । ଏହା ସାଟେଲାଇଟ୍ ଫଟୋରେ ସ୍ପଷ୍ଟ ହୋଇଛି। ଏହି ପଦକ୍ଷେପ ଇରାନ ସହ ବଢ଼ୁଥିବା ଉତ୍ତେଜନା ଏବଂ ସମ୍ଭାବ୍ୟ ଆକ୍ରମଣରୁ ସୁରକ୍ଷା ଏବଂ ନିଜ ସାମରିକ ସମ୍ୱଳକୁ ସୁରକ୍ଷା ଦେବା ପାଇଁ ଏକ କୌଶଳଗତ ନିଷ୍ପତ୍ତି ହୋଇପାରେ ବୋଲି କୁହାଯାଉଛି। ସାଟେଲାଇଟ୍ ଫଟୋ ଅନୁଯାୟୀ, ୫ ଜୁନ୍‌ରୁ ୧୯ ଜୁନ୍‌ ମଧ୍ୟରେ ଏହି ଏୟାରବେସ୍‌ରେ ଥିବା ପ୍ରାୟ ୪୦ଟି ସାମରିକ ବିମାନ ମଧ୍ୟରୁ ମାତ୍ର ୩ଟି ବିମାନ ରହିଛି।

ମଧ୍ୟପ୍ରାଚ୍ୟରେ ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ ଆମେରିକା ନିଜର ସାମରିକ ସମ୍ପତ୍ତିକୁ ସୁରକ୍ଷିତ ରଖିବା ପାଇଁ ଏହି ପଦକ୍ଷେପ ନେଇଥିବା ଜଣାପଡ଼ୁଛି। ଇରାନର ସମ୍ଭାବ୍ୟ ଆକାଶ ଆକ୍ରମଣରୁ ବିମାନଗୁଡ଼ିକୁ ସୁରକ୍ଷା ଦେବା ପାଇଁ ଏହା ଏକ ପୂର୍ବ ପ୍ରସ୍ତୁତି ହୋଇପାରେ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ସଂଘର୍ଷରେ ଆମେରିକାର ସାମିଲ ହେବା ନେଇ ବିଚାର କରୁଥିବା ବେଳେ ଏହି ପଦକ୍ଷେପ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ୁଛି। ହ୍ୱାଇଟ୍‌ ହାଉସ୍‌ ପ୍ରେସ୍‌ ସେକ୍ରେଟାରୀ କାରୋଲିନ ଲିଭିଟ୍‌ କହିଛନ୍ତି, “ନିକଟ ଭବିଷ୍ୟତରେ ଇରାନ ସହ ଆଲୋଚନାର ସମ୍ଭାବନା ରହିଛି, ଯାହା ହୋଇପାରେ କିମ୍ବା ନାହିଁ। ତେଣୁ ଆଗାମୀ ୨ ସପ୍ତାହ ମଧ୍ୟରେ ଆକ୍ରମଣ କରିବା କି ନ କରିବା ନେଇ ନିଷ୍ପତ୍ତି ନେବି।”

ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ଆକାଶ ଆକ୍ରମଣ ଏବଂ ପ୍ରତି-ଆକ୍ରମଣ ମଧ୍ୟପ୍ରାଚ୍ୟରେ ଉତ୍ତେଜନାକୁ ବଢ଼ାଇଛି। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଆଲି ଖାମେନେଇ ଆମେରିକାକୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି ଆମେରିକା ଆକ୍ରମଣ କରେ, ତେବେ ଏହାର “ଅପୂରଣୀୟ କ୍ଷତି” ହେବ। ଏହା ସହ ଇସ୍ରାଏଲକୁ “ଶାସ୍ତି” ଦେବାକୁ ପ୍ରତିଜ୍ଞା କରିଛନ୍ତି। ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟ୍ଜ ଇରାନର ଏକ ହସ୍ପିଟାଲ ଉପରେ ଆକ୍ରମଣ ପରେ ଖାମେନେଇଙ୍କୁ “ହିଟଲର” ସହ ତୁଳନା କରି କହିଛନ୍ତି ଯେ ଇରାନର ଏହି ନେତାଙ୍କୁ “ଅସ୍ତିତ୍ୱ ବଜାୟ ରଖିବାକୁ ଦିଆଯାଇ ପାରିବ ନାହିଁ।”

ସାଟେଲାଇଟ୍ ଫଟୋ ଅନୁଯାୟୀ, ଅଲ୍‌ ଉଦେଇଦ ଏୟାରବେସ୍‌ରୁ ବିମାନ ହଟାଇବା ଆମେରିକାର ଏକ ସତର୍କତାମୂଳକ ପଦକ୍ଷେପ ହୋଇପାରେ। ଏହା ଇଙ୍ଗିତ କରୁଛି ଯେ ଇରାନର ଆକ୍ରମଣର ଆଶଙ୍କାକୁ ଗୁରୁତର ଭାବେ ନିଆଯାଉଛି। ଏହା ସହ, ଆମେରିକାର ସେଂଟ୍ରାଲ କମାଣ୍ଡ (ସେଂଟକମ୍‌)କୁ ଏ ସମ୍ପର୍କରେ ମତାମତ ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେମାନେ କୌଣସି ମନ୍ତବ୍ୟ ଦେଇନାହାନ୍ତି। ଏହି ଘଟଣା ମଧ୍ୟପ୍ରାଚ୍ୟରେ ଟ୍ୟାଙ୍କର ଓ ଜାହାଜଗୁଡ଼ିକର ଗତିବିଧି ସହ ସମ୍ପୃକ୍ତ, ଯାହା ଇରାନର ପ୍ରତିଶୋଧମୂଳକ ମିସାଇଲ ଆକ୍ରମଣ ପରେ ଆରମ୍ଭ ହୋଇଛି।

ଆମେରିକାର ଏହି ପଦକ୍ଷେପ ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ସାମରିକ ଉତ୍ତେଜନାର ଏକ ସଙ୍କେତ ହୋଇପାରେ। ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷରେ ଆମେରିକାର ଭୂମିକା ଏବେ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ୁଛି। ଟ୍ରମ୍ପ ସରକାର ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଏହି ସଂଘର୍ଷରେ ସାମିଲ ହେବା ନେଇ ନିଷ୍ପତ୍ତି ନେବେ, ଯାହା ମଧ୍ୟପ୍ରାଚ୍ୟର ରାଜନୈତିକ ଓ ସାମରିକ ପରିସ୍ଥିତିକୁ ଆହୁରି ଜଟିଳ କରିପାରେ।

ନିଜ ବୈଜ୍ଞାନିକଙ୍କ ମୃତ୍ୟୁର ବଦଲା ନେଲା ଇରାନ, ୪ ଦିନ ପରେ ଆସିଲା ରିପୋର୍ଟ

ନନ୍ଦିଘୋଷ ବ୍ୟୁରୋ : ଯେତେବେଳେ ଇସ୍ରାଏଲ ୧୩ ଜୁନ୍ ସକାଳେ ଇରାନ ଉପରେ ଆକ୍ରମଣ କରିଥିଲା, ସେତେବେଳେ ଏହା କେବଳ ସାମରିକ ଘାଟିଗୁଡ଼ିକୁ ନୁହେଁ ବରଂ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଲୋକଙ୍କୁ ମଧ୍ୟ ଟାର୍ଗେଟ କରିଥିଲା। ଏଥିରେ ଦେଶର ଶ୍ରେଷ୍ଠ ପରମାଣୁ ବୈଜ୍ଞାନିକମାନେ ମଧ୍ୟ ସାମିଲ ଥିଲେ, ଯାହାଙ୍କ ମୃତ୍ୟୁକୁ ଇରାନ ପାଇଁ ଏକ ବଡ଼ ଆଘାତ ଥିଲା ବୋଲି ବିବେଚନା କରାଯାଇଥିଲା। କିନ୍ତୁ ଏବେ ଚାରି ଦିନ ପରେ ପ୍ରକାଶିତ ରିପୋର୍ଟ ଦର୍ଶାଉଛି ଯେ ଇରାନ ମଧ୍ୟ ଏହାର ପ୍ରତିଶୋଧ ନେଇଛି। ତାହା ମଧ୍ୟ ଏପରି ଭାବେ ଯେ ବିଶ୍ୱ ଏହାର ଟିକେ ବି ସୁରାଗ ପାଇଲା ନାହିଁ।

ରବିବାର ସକାଳେ, ଇରାନୀ କ୍ଷେପଣାସ୍ତ୍ର ଇସ୍ରାଏଲର ହୃଦୟ ଉପରେ ଆକ୍ରମଣ କରିଥିଲା ​​ଏବଂ ତାହା ମଧ୍ୟ ସେହି ସ୍ଥାନରେ ଯେଉଁଠାରେ ଦେଶର ବୈଜ୍ଞାନିକ ଶକ୍ତିର ମୂଳଦୁଆ ଥିଲା। ଟାର୍ଗେଟ ଥିଲା ୱେଜମ୍ୟାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ, ଯାହାକୁ ଇସ୍ରାଏଲର ବୈଜ୍ଞାନିକ ଖ୍ୟାତି ଏବଂ ପ୍ରଯୁକ୍ତିବିଦ୍ୟା ପରିଚୟର ପ୍ରତୀକ ଭାବରେ ବିବେଚନା କରାଯାଏ।

ଜ୍ଞାନର ଗଡ଼ ଉପରେ ଇରାନୀ ବୋମା

ୱାଇଜମ୍ୟାନ୍ ଇନଷ୍ଟିଚ୍ୟୁଟ୍ ହେଉଛି ସେହି ସ୍ଥାନ ଯେଉଁଠାରେ ଇସ୍ରାଏଲର ପ୍ରଥମ କମ୍ପ୍ୟୁଟର ବିକଶିତ ହୋଇଥିଲା ଏବଂ ଯେଉଁଠାରୁ ଆଧୁନିକ ଗବେଷଣା ଆରମ୍ଭ ହୋଇଥିଲା ବୋଲି ବିବେଚନା କରାଯାଏ। ଏହି କାରଣରୁ ଇରାନର ଆକ୍ରମଣ କେବଳ ଏକ ସାମରିକ ଆକ୍ରମଣ ନଥିଲା, ବରଂ ଏକ ଗଭୀର ପ୍ରତୀକାତ୍ମକ ଆକ୍ରମଣ ଥିଲା। ଯାହାର ବାର୍ତ୍ତା ଥିଲା ଯେ, ଯଦି ତୁମେ ଆମର ବୈଜ୍ଞାନିକମାନଙ୍କୁ ହତ୍ୟା କର, ତେବେ ଆମେ ତୁମର ଜ୍ଞାନର ଦୁର୍ଗଗୁଡ଼ିକୁ ଧ୍ୱଂସ କରିଦେବୁ।

ପରୀକ୍ଷାଗାର ନଷ୍ଟ , ଗବେଷଣା କେନ୍ଦ୍ର ପାଉଁଶ

ଏହି କ୍ଷେପଣାସ୍ତ୍ର ଆକ୍ରମଣରେ ଦୁଇଟି କୋଠା ସମ୍ପୂର୍ଣ୍ଣ ଧ୍ୱଂସ ହୋଇଗଲା, ଯେଉଁଥିରୁ ଗୋଟିଏ ଜୈବିକ ବିଜ୍ଞାନ ପରୀକ୍ଷାଗାର ଥିଲା, ଅନ୍ୟଟି ନିର୍ମାଣାଧୀନ ଥିଲା। ପାଖରେ ଥିବା ପ୍ରାୟ ଏକ ଡଜନ କୋଠା ମଧ୍ୟ ପ୍ରବଳ କ୍ଷତି ସହିଥିଲା। ଝରକା ଭାଙ୍ଗି ଯାଇଥିଲା, କାନ୍ଥ ପୋଡ଼ି ଯାଇଥିଲା ଏବଂ ଉଚ୍ଚ-ପ୍ରଯୁକ୍ତିବିଦ୍ୟା ଗବେଷଣା ଉପକରଣ ପାଉଁଶ ହୋଇଯାଇଥିଲା। ଯଦିଓ ଏହି ଆକ୍ରମଣରେ କୌଣସି ଜୀବନ କିମ୍ବା ସମ୍ପତ୍ତିର କ୍ଷତି ହୋଇନଥିଲା, ହେଲେ ବୈଜ୍ଞାନିକମାନେ କହିଛନ୍ତି ଯେ ସେମାନଙ୍କର ବର୍ଷ ବର୍ଷର ଗବେଷଣା ଧ୍ୱଂସାବଶେଷ ତଳେ ପୋତି ହୋଇଯାଇଛି। ଅନେକ ପରୀକ୍ଷାଗାର ପୁନଃନିର୍ମାଣ କରିବାକୁ ବର୍ଷ ବର୍ଷ ଲାଗିପାରେ।

ୱେଇଜମ୍ୟାନ୍ ପ୍ରତିଷ୍ଠାନର ଏକ ବିଶେଷ କଥା ହେଉଛି ଯେ ଏହାର ଇସ୍ରାଏଲର ପ୍ରତିରକ୍ଷା ଶିଳ୍ପ ସହିତ ସିଧାସଳଖ ସମ୍ପର୍କ ଥିଲା। ଏଠାରେ କରାଯାଇଥିବା ଗବେଷଣା ପ୍ରତିରକ୍ଷା କମ୍ପାନୀଗୁଡ଼ିକ ସହିତ, ବିଶେଷକରି ଏଲବିଟ୍ ସିଷ୍ଟମ୍ସ ଭଳି କମ୍ପାନୀଗୁଡ଼ିକ ସହିତ ଅଂଶୀଦାର କରାଯାଏ। ତେଣୁ ଏହି ପ୍ରତିଷ୍ଠାନ ଉପରେ ଆକ୍ରମଣକୁ କେବଳ ବିଜ୍ଞାନ କ୍ଷେତ୍ରରେ ନୁହେଁ ବରଂ ସୁରକ୍ଷା କ୍ଷେତ୍ରରେ ବଡ଼ ଚ୍ୟାଲେଞ୍ଜ ବୋଲି କୁହାଯାଉଛି ।

ଟାର୍ଗେଟରେ ଇରାନୀ ବୈଜ୍ଞାନିକ

ଏହା ପ୍ରଥମ ଥର ନୁହେଁ ଯେ ଦୁଇ ଦେଶ ମଧ୍ୟରେ ଏପରି ଟାର୍ଗେଟିଂ ହୋଇଛି। ଗତ କିଛି ବର୍ଷ ମଧ୍ୟରେ, ଅନେକ ଇରାନୀ ପରମାଣୁ ବୋମା ମାଡ଼ରେ ବୈଜ୍ଞାନିକଙ୍କୁ ହତ୍ୟା କରାଯାଇଛି ଏବଂ ଏହା ପଛରେ ଇସ୍ରାଏଲର ହାତ ଥିବା ବିଶ୍ୱାସ କରାଯାଉଛି। ଅନେକ ଥର, ଏପରି ଷଡ଼ଯନ୍ତ୍ର ବିଫଳ ହୋଇଛି।

 

ସବୁଠାରୁ ବଡ଼ ଡାଟା ଲିକ୍ : ଆପଲ୍ , ଗୁଗୁଲ ସମେତ ବଡ଼ କମ୍ପାନୀର ୧୬ ବିଲିୟନ ଲଗଇନ ତଥ୍ୟ ଲିକ୍

ନନ୍ଦିଘୋଷ ବ୍ୟୁରୋ : ଇତିହାସର ସବୁଠାରୁ ବଡ଼ ଡାଟା ଲିକ୍ ।  ୧୬ ବିଲିୟନ ଲଗଇନ ତଥ୍ୟ ଲିକ୍ ହୋଇଥିବା ଜଣାପଡିଛି  । ଯେଉଁଥିରେ ପାସୱାର୍ଡ ଏବଂ ଅନ୍ୟ ଡାଟା ଲିକ୍ ହୋଇଥିବା ନିଶ୍ଚିତ କରିଛନ୍ତି ସାଇବର ସୁରକ୍ଷା ଗବେଷକ। ଏକ ରିପୋର୍ଟ ଅନୁଯାୟୀ, ଏହି ତଥ୍ୟ ଲିକ୍ ଆପଲ୍, ଫେସବୁକ୍, ଗୁଗଲ୍, ଗିଟହବ୍, ଟେଲିଗ୍ରାମ୍ ଏବଂ ବିଭିନ୍ନ ସୋସିଆଲ ମିଡିଆ ସେବା ଭଳି ପ୍ରାୟ ସମସ୍ତ ଅନଲାଇନ୍ ସେବାକୁ ବିପଦରେ ପକାଇପାରେ।

ଏହା ପୂର୍ବରୁ ଏକ ରହସ୍ୟମୟ ଡାଟାବେସ୍‌ରେ ୧୮୪ ନିୟୁତ ରେକର୍ଡ ଅସୁରକ୍ଷିତ ଭାବେ ଏକ ୱେବ୍ ସର୍ଭରରେ ରହିଥିବା ରିପୋର୍ଟ ସାମ୍ନାକୁ ଆସିଥିଲା ।  ନିକଟରେ ଗବେଷଣାରୁ ଜଣାପଡ଼ିଛି ଯେ ଏହା କେବଳ ଏକ ଆରମ୍ଭ ଥିଲା। ଗବେଷକମାନେ ୩୦ଟି ଡାଟାସେଟ୍ ଆବିଷ୍କାର କରିଛନ୍ତି, ଯେଉଁଥିରେ ପ୍ରତ୍ୟେକରେ ୩.୫ ବିଲିୟନ ରେକର୍ଡ ରହିଛି। ଏହି ତଥ୍ୟରେ ସୋସିଆଲ ମିଡିଆ, ଭିପିଏନ୍ ଲଗଇନ୍ ଏବଂ କର୍ପୋରେଟ୍ ଓ ଡେଭେଲପର ପ୍ଲାଟଫର୍ମ ସମ୍ବନ୍ଧୀୟ ସୂଚନା ଅନ୍ତର୍ଭୁକ୍ତ। ଏହି ଡାଟାସେଟ୍‌ଗୁଡ଼ିକ ୨୦୨୫ ଆରମ୍ଭରୁ ମିଳିଛି।

ଗବେଷକମାନେ କହିଛନ୍ତି, ଏହା କେବଳ ଏକ ଲିକ୍ ନୁହେଁ, ଏହା ଏକ ବଡ଼ ଧରଣର ଶୋଷଣର ନୀଳନକ୍ସା । ଏଗୁଡ଼ିକ ପୁରୁଣା ଲିକ୍ ନୁହେଁ, ବରଂ ନୂଆ ସାଇବର ଲିକ୍ ।” ଏହି ତଥ୍ୟ ଲିକ୍ ଫିସିଂ ଅଭିଯାନ, ଆକାଉଣ୍ଟ ହସ୍ତାନ୍ତର ଏବଂ ବ୍ୟବସାୟୀକ ଇମେଲ୍ ଆର୍ଟାକ (ବିଇସି) ପାଇଁ ବ୍ୟବହୃତ ହୋଇପାରେ।

ଗୁଗଲ୍ ପାସୱାର୍ଡ ପରିବର୍ତ୍ତନ ପାଇଁ ପରାମର୍ଶ
ଏହି ଡାଟା ଲିକ୍‌ କାରଣରୁ ଗୁଗଲ୍‌ ତା’ର ଜିମେଲ ବ୍ୟବହାରକାରୀମାନଙ୍କୁ ପାସୱାର୍ଡ ଓ ଦ୍ୱିସ୍ତରୀୟ ପ୍ରାମାଣିକରଣ (୨ଏଫଏ) ପରି ପୁରୁଣା ଲଗଇନ୍‌ ପଦ୍ଧତି ବଦଳାଇବାକୁ ଓ ସୋସିଆଲ ଲଗଇନ୍‌କୁ ଅପଣାଇବାକୁ ପରାମର୍ଶ ଦେଇଛି । ଗୁଗଲ୍‌ କହିଛି, “ଆପଣଙ୍କ ଆକାଉଣ୍ଟକୁ ସ୍ୱୟଂଚାଳିତ ଭାବେ ସୁରକ୍ଷିତ କରୁଥିବା ଉପକରଣ ବ୍ୟବହାର କରନ୍ତୁ ଯାହା ଆପଣଙ୍କୁ ସ୍କାମ୍‌ରୁ ରକ୍ଷା କରିବ।”

ପାସକି ହେଉଛି ଏକ ଲଗଇନ୍‌ ପଦ୍ଧତି ଯାହା ପାସୱାର୍ଡକୁ ବାୟୋମେଟ୍ରିକ୍‌ ପ୍ରାମାଣିକରଣ ଦ୍ୱାରା ବଦଳାଇଥାଏ, ଯେପରିକି ସ୍ମାର୍ଟଫୋନ୍‌ରେ ଫିଙ୍ଗରପ୍ରିଣ୍ଟ, ମୁହଁ ସ୍କାନ୍‌ କିମ୍ବା ପାଟର୍ନ ଲକ୍‌  । ଏସବୁକୁ ପରିବର୍ତ୍ତନ କରିପାକୁ ପରାମର୍ଶ ଦେଇଛି ଗୁଗୁଲ।  ଗୁଗଲ୍‌ ଏହାକୁ “ଫିସିଂ ପ୍ରତିରୋଧୀ” ବୋଲି ବିବେଚନା କରୁଛି।

 

ସୁସ୍ଥ ହେଉଛନ୍ତି ମହାପ୍ରଭୁ, ଆଜି ଚକାବିଜେ କରିବେ ଶ୍ରୀଜିଉ

ନନ୍ଦିଘୋଷ ବ୍ୟୁରୋ : ସୁସ୍ଥ ହେଉଛନ୍ତି ମହାପ୍ରଭୁ । ଅଣସର ତାଟିରେ କ୍ଷୀଣ ଆଲୋକ ଭିତରେ ସେବାରେ ଲାଗିଛନ୍ତି ଦଇତାପତି। ଜ୍ଵର ଉପଶମ ପାଇଁ ପ୍ରଥମେ ଫୁଲୁରି ତେଲ, ଷଷ୍ଠୀରେ ଓଷୁଅ ଲାଗି କରାଯାଇଥିଲା। ଆଜି ଅଣସରର ଦଶମୀ ତିଥୀରେ ଚକାବିଜେ କରିବେ ଶ୍ରୀଜିଉ। ସେପଟେ ରାଜବୈଦ୍ୟଙ୍କ ଦ୍ବାରା ପ୍ରସ୍ତୁତ ହୋଇଛି ଦଶମୂଳ ମୋଦକ। ରାଜବୈଦ୍ୟମାନେ ଦଶ ପ୍ରକାରର ଚେର ମୂଳିରୁ ପ୍ରସ୍ତୁତ କରିଛନ୍ତି ଦଶ ମୂଳାରିଷ୍ଟ। ଶାଳପର୍ଣ୍ଣି, ବେଲ, ଖଣିବଧୂ, ପାଟଳି, ଅଙ୍କରାନ୍ତି, ଗୋଖରା, ଲମ୍ବାଗୋତି, ଗମ୍ଭାରୀ, ଫଣଫଣା, କୃଷ୍ଣପର୍ଣ୍ଣି, କୃଷ୍ଣଚୁଡା, ଲବଙ୍ଗ, ଦେଶୀଘିଅ, ମହୁ, ନବାତ, ଖୁଆ ଆଦି ବିଭିନ୍ନ ଦ୍ରବ୍ୟକୁ ମିଶାଯାଇ ଏହି ଔଷଧ ପ୍ରସ୍ତୁତ କରାଯାଇଛି। ଅତ୍ୟନ୍ତ ଶୁଦ୍ଧପୂତ ଭାବେ ଏହି ଔଷଧକୁ ବୈଦ୍ୟମାନେ ପ୍ରସ୍ତୁତ କରି ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର କରିବେ। ତ୍ରୟୋଦଶ ଶତାଦ୍ଦୀରେ ଦ୍ୱିତୀୟ ଅନଙ୍ଗଭୀମ ଦେବଙ୍କ ସମୟରେ ବୈଦ୍ୟ ଓ ଶାସ୍ତ୍ର ବୈଦ୍ୟ ସେବା ସ୍ଥାପିତ ହୋଇଥିଲା।

ଅଣବସର ଦଶମୀ ସଂନ୍ଧ୍ୟାରେ ଦଶମୂଳ ମୋଦକ ଶ୍ରୀମନ୍ଦିର ଗାରଦରେ ଦାଖଲ ହେବା ପରେ ଏକାଦଶୀ ଦିନ ଅନ୍ୟ ଭୋଗ ସହ ମହାପ୍ରଭୁଙ୍କୁ ଏହା ଲାଗି ହୁଏ। ଉପଚାର ପରେ ପ୍ରଭୁ ସଂପୂର୍ଣ୍ଣ ସୁସ୍ଥ ହୋଇ ନବଯୌବନ ଦର୍ଶନ ଦିନ ଭକ୍ତଙ୍କୁ ଦର୍ଶନ ଦେବେ। ସେପଟେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାମ। ତିନି ରଥରେ ୧୩ ପରସ୍ତ ପୋଟଳ ସେଟିଂ ସରି ଦୁଇଟି ଲେଖାଏଁ ଦୁଆର ବେଢ଼ା ନିର୍ମାଣ କାର୍ଯ୍ୟ ମଧ୍ୟ ସମ୍ପନ୍ନ ହୋଇଛି। ରୂପକାର ସେବକ ମାନେ ଖୋଦେଇ କରୁଥିବା ବେଳେ ଚିତ୍ରକର ସେବକ ରଥର ବାହ୍ୟ ଅଂଶ ଗୁଡ଼ିକରେ ରଙ୍ଗ ଦେଉଛନ୍ତି।

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ; ୧୯ ହଜାର କୋଟିର ୧୦୫ ପ୍ରକଳ୍ପର କରିବେ ଶିଳାନ୍ୟାସ

ନନ୍ଦିଘୋଷ ବ୍ୟୁରୋ : ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୧୯ ହଜାର କୋଟି ଟଙ୍କାର ୧୦୫ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ। ୬୦ ପ୍ରକଳ୍ପର ଶିଳାନ୍ୟାସ ଏବଂ ୪୫ ପ୍ରକଳ୍ପର ଲୋକାର୍ପଣ କରିବେ ମୋଦି। ପ୍ରଧାନମନ୍ତ୍ରୀ ଭୁବନେଶ୍ବରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବ। ଏୟାରପୋର୍ଟରୁ ତ୍ରିରଙ୍ଗା ଯାତ୍ରା କରିବେ ପ୍ରଧାନମନ୍ତ୍ରୀ। କଳିଙ୍ଗ ଷ୍ଟାଡିୟମରୁ ବିଶାଳ ରୋଡ଼ ସୋରେ ଆସିବେ ପିଏମ। ଏୟାରପୋର୍ଟରୁ ଜନତା ମଇଦାନ ଭିତରେ ସ୍ଵାଗତ ଲାଗି ସ୍ଵତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ କାର୍ଡ ବାଣ୍ଟିବେ ମୋଦି। ଲକ୍ଷପତି ଦିଦିଙ୍କୁ ଭେଟିବେ, ମୁଖ୍ୟମନ୍ତ୍ରୀ ଅନ୍ତାଦ୍ୟୋୟ ଯୋଜନାରେ ଘର ବାଣ୍ଟିବେ।ସାଧାରଣ ଜନତାଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ। ଜନତା ମଇଦାନରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମର ପ୍ରସ୍ତୁତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସରକାରୀ ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ।

ଆଜି ମୁମ୍ବାଇ ଯିବେ ନବୀନ ; କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ହେବ ସର୍ଭିକାଲ ଆଥ୍ରାଇଟିସ୍ ଚିକିତ୍ସା

ନନ୍ଦିଘୋଷ ବ୍ୟୁରୋ : ଆଜି ଚିକିତ୍ସା ପାଇଁ ମୁମ୍ବାଇ ଯିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ମୁମ୍ବାଇ ସ୍ଥିତ କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସପିଟାଲରେ ହେବ ସର୍ଭିକାଲ ଆଥ୍ରାଇଟିସ୍ ଚିକିତ୍ସା। ୨୨ ତାରିଖରେ ବ୍ୟକ୍ତିଗତ ଚିକିତ୍ସକ ଡ.ରମାକାନ୍ତ ପଣ୍ଡାଙ୍କ ତତ୍ତ୍ବାବଧାନରେ ଚିକିତ୍ସା କରାଯିବ। ନବୀନ ପଟ୍ଟନାୟକ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି କାମନା କରିଛନ୍ତି ସାଢ଼େ ଚାରି କୋଟି ଓଡ଼ିଆ।

ପ୍ରିୟର ନେତା ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ନବୀନ ନିବାସ ସମ୍ମୁଖରେ ମହିଳା ବିଜେଡି କର୍ମୀ ଓ ସାଧାରଣ ଲୋକ ପୂଜାର୍ଚ୍ଚନାର ଆୟୋଜନ କରିଛନ୍ତି। ସେପଟେ ବିମାନ ବନ୍ଦର ସମ୍ମୁଖରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ନବୀନଙ୍କ ଆଶୁ ଆରୋଗ୍ୟ କାମନା କରିବେ ଶୁଭେଚ୍ଛୁ ଓ ବିଜେଡି କର୍ମୀ। ପରେ ବିମାନବନ୍ଦର ଟର୍ମିନାଲ ସମ୍ମୁଖରେ ବରିଷ୍ଠ ବିଜେଡି ନେତା ମାନେ ନବୀନଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଶୁ ଆରୋଗ୍ୟ କାମନା କରିବେ।

ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗର୍ଜିଲେ ଚାଷୀ

ନନ୍ଦିଘୋଷ ବ୍ୟୁରୋ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶହ ଶହ ଚାଷୀ। ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଶି ଅଧିକାରୀଙ୍କ ଉପରେ ଗର୍ଜିଲେ ଚାଷୀ। ବର୍ଷାରେ ଭିଜି ଗଜା ହୋଇଥିବା ଧାନ ଧରି ଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସିଛନ୍ତି ବରପାଲି ବ୍ଲକ ତୁଲଣ୍ଡିର ଚାଷୀ। ଟିଫିନରେ ପଖାଳ ଧରି ଅଫିସ ଭିତରେ ପଖାଳ ଖାଇବା ସହ ଗଜା ଧାନ ଧରି ଅଭିନବ ପ୍ରତିବାଦ କରିଛନ୍ତି। ବରଗଡ଼ ଜିଲ୍ଲାରୁ ଧାନ ଉଠୁ ନଥିବା ସମସ୍ୟା ନେଇ ଚାଷୀମାନେ ଜିଲ୍ଲାପାଳଙ୍କୁ ଜଣାଇଛଥିଲେ।କୌଣସି ସମାଧାନ ଜିଲ୍ଲା ପ୍ରଶାସନ କରୁନଥିବା ଅଭିଯୋଗ କରିଛନ୍ତି ଚାଷୀ । ଗତକାଲି ମଧ୍ୟ ଚାଷୀ ଧାରଣା ଦେଇ ଧାନ ଶୀଘ୍ର ଉଠାଇବାକୁ ଦାବି କରିଥିଲେ।

କିନ୍ତୁ ପ୍ରତିଶୃତି ଦେଇ ଚାଷୀଙ୍କୁ ଅଧିକାରୀମାନେ ଧାରଣାରୁ ଉଠେଇ ଦେଇଥିଲେ। ପ୍ରତିଶୃତି ପରେ ମଧ୍ୟ ଚାଷୀଙ୍କ ଧାନ ମଣ୍ଡିରେ ପଡି ରହିଥିବା ବେଳେ ବର୍ତ୍ତମାନ ବର୍ଷା ଯୋଗୁଁ ଧାନ ଗଜା ହୋଇ ବସିଲାଣି। ଯାହାକୁ ନେଇ ଚାଷୀ ଏବେ ଚିନ୍ତାରେ। ବର୍ଷାରେ ମଧ୍ୟ ଚାଷୀ ନିଜ କଷ୍ଟ ଉପାର୍ଜିତ ଧାନ ବିକ୍ରି କରି ନ ପାରି ଅଫିସ ଅଫିସ ଦୌଡୁଥିବା ବେଳେ ପ୍ରଶାସନ କେବଳ ଚାଷୀଙ୍କୁ ଭୁଆଁ ବୁଲାଉଥିବା ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଚାଷୀ ବର୍ଷାରେ ଭିଜିଭିଜି ଜିଲ୍ଲାପାଳ କାର୍ଯ୍ୟାଳୟ ଭିତରେ ଧାରଣାରେ ବସିଛନ୍ତି।  ଧାନ ନଉଠିବା ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଳି ସ୍ପଷ୍ଟ କରିଛନ୍ତି ଚାଷୀ।