spot_img
Home Blog Page 69

ଆଖୁଚାଷୀଙ୍କୁ ସରକାରଙ୍କ ଅଣଦେଖା, ମିଳୁନି ସରକାରୀ ପ୍ରୋତ୍ସାହନ

ଆସିକା : ଆଖୁଚାଷୀଙ୍କୁ ସରକାରଙ୍କ ଅଣଦେଖା । ମିଳୁନି ସରକାରୀ ପ୍ରୋତ୍ସାହନ । ଚାଷରୁ ଉଠୁନି ଖର୍ଚ୍ଚପାଣି । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ଆଖୁ ଚାଷ କମିବାରେ ଲାଗିଛି । ଚାଷରୁ ମୁହଁ ଫେରାଇଲେ ଚାଷୀ । ନଜର ପକାନ୍ତୁ ଏହି ତଥ୍ୟ ଉପରେ ୨୦୨୪-୨୫ ଆର୍ଥିକ ବର୍ଷରେ ଜିଲ୍ଲାର ୧୪୫୬ ଜଣ ଚାଷୀ ଆଖୁ ଚାଷ ପାଇଁ ପଞ୍ଜୀକରଣ କରିଥିଲେ । ଯାହା ୨୦୨୫-୨୬ ଆର୍ଥିକ ବର୍ଷରେ ୮୬୬କୁ କମି ଆସିଛି । ଯାହାର ସିଧାସଳଖ ପ୍ରଭାବରେ ଆସିକା ଚିନି ଶିଳ୍ପ ଉପରେ ପଡୁଛି ।…
୧୯୬୦ ମସିହାରେ ଆସିକାରେ ପ୍ରତିଷ୍ଠା ହୋଇଥିଲା ଚିନି ଶିଳ୍ପ । ୧୬ ଗୋଟି ବ୍ଲକର ଆଖୁ ଚାଷକୁ ନିର୍ଭର କରି ଗଢି ଉଠିଥିବା ଶିଳ୍ପରୁ ଏକଦା ଚିନି, ଗୁଡ, ନବାତ ଓ ଆଲକହଲ ଉତ୍ପାଦନ ହେଉଥିଲା । ଚିନି ଶିଳ୍ପ ପାଇଁ ଆସିକା ସମଗ୍ର ଏସିଆ ମହାଦେଶରେ ସ୍ଵତନ୍ତ୍ର ପରିଚୟ ପାଇଥିଲା । ହେଲେ ଏବେ ସେହି ଶିଳ୍ପ ଆବଶ୍ୟକୀୟ କଞ୍ଚାମାଲ ପାଇପାରୁନାହିଁ । ଫଳରେ ବର୍ଷକୁ ୬ ମାସ ଆଖୁ ପେଡୁଥିବା ଶିଳ୍ପ ଏବେ ମାତ୍ର ଏକ ମାସ ଚାଲିବ ବୋଲି ଚିନିକଳ କର୍ତ୍ତୃପକ୍ଷ କହିଛନ୍ତି । ଅନ୍ୟପଟେ ଧାନର MSP ମୂଲ୍ୟ ବୃଦ୍ଧି ପାଇବାରୁ ଚାଷୀ ଆଖୁ ଚାଷ ଛାଡି ଏବେ ଧାନ ଚାଷ କରିବାରୁ ସଂଖ୍ୟା କମୁଛି ବୋଲି ମତ ପାଇଛି ।

ଉପହାସ ପାଲଟିଛି ସରକାରଙ୍କ ବର୍ଦ୍ଧିତ ଭତ୍ତା, ପ୍ରକୃତ ହିତାଧିକାରୀଙ୍କୁ ମିଳୁନି ପେନସନ

ନୂଆପଡ଼ା : ପ୍ରତିଶୃତି ପାଲଟିଲା ପ୍ରତାରଣା । ବୃଦ୍ଧବୃଦ୍ଧାଙ୍କୁ ମିଳୁନି ବାର୍ଦ୍ଧକ୍ୟ ଭତ୍ତା । ଜୀବିତ ହିତାଧିକାରୀଙ୍କୁ ଦୀର୍ଘ ଦିନ ହେଲା ମିଳୁନି ଭତ୍ତା । ପେନସନ ଟିକକ ପାଇଁ ବିଭିନ୍ନ ଅଫିସକୁ ଧାଇଁ ନିରାଶ ହିତାଧିକାରୀ ।ନୂଆପଡା ଜିଲ୍ଲା ବୋଡେନ ବ୍ଲକରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଅନେକ ପରିବାରର ବୃଦ୍ଧ ବୃଦ୍ଧାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁନାହିଁ । ଅନେକଙ୍କୁ ମିଳୁଥିବା ଭତ୍ତା ଅଚନାକ ବନ୍ଦ କରିଦିଆଯାଇଛି । ଭତ୍ତା ପାଇଁ ହିତାଧିକାରୀ ଅନେକ ଥର ପ୍ରଶାସନର ଦୃଷ୍ଟି ଆକର୍ଷଣ କଲେଣି ହେଲେ ଫଳ ଶୂନ । ଯାହାକୁ ନେଇ ଆନ୍ଦୋଳନମୁହାଁ ଲୋକେ ।…
ସରକାର ଶାସନକୁ ଆସିବା ପୂର୍ବରୁ ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି କଥା କହିଥିଲେ । ହେଲେ ବୋଡେନ ବ୍ଲକରେ ଥିବା ଗାଁ ଗୁଡିକରେ ୬୦ ରୁ ୮୦ ବର୍ଷୀୟ ଅନେକ ବୃଦ୍ଧବୃଦ୍ଧାଙ୍କୁ ବର୍ଦ୍ଧିତ ଭତ୍ତା ତ ଦୂରର କଥା ସାଧାରଣ ବାର୍ଦ୍ଧକ୍ୟ ଭତ୍ତା ଟିକକ ମିଳୁନାହିଁ । ଫଳରେ ବହୁ କଷ୍ଟରେ ବୟସ୍କ ଲୋକ ମାନେ ଦିନ ବିତାଉଥିବା ଅଭିଯୋଗ କରିଛନ୍ତି । ଅନ୍ୟପଟେ ଅଭିଯୋଗକୁ ସ୍ଵୀକାର କରିବା ସହ କାଗଜ ପତ୍ର କାମ ଚାଲିଛି ବୋଲି କହିଛନ୍ତି ବିଡି଼ଓ । କେବେ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗୁଛି ? କେବେ ହିତାଧିକାରୀଙ୍କୁ ମିଳୁଛି ବାର୍ଦ୍ଧକ୍ୟ ଭତ୍ତା ? ତାକୁ ହିଁ ଅପେକ୍ଷା ।

ଗାଜିଆବାଦ ଆତ୍ମହତ୍ୟା ଘଟଣାରେ ବାପା କଲେ ବଡ଼ ଖୁଲାସା ; ବଡ଼ ଝିଅ ଥିଲା ମାଷ୍ଟରମାଇଣ୍ଡ

ନନ୍ଦିଘୋଷ ବ୍ୟୁରୋ: ତାରିଖଟି ଥିଲା ଫେବୃଆରୀ ୪, ୨୦୨୬… ସ୍ଥାନଟି ଥିଲା ଦିଲ୍ଲୀ ସଂଲଗ୍ନ ଉତ୍ତର ପ୍ରଦେଶର ଗାଜିଆବାଦ ସହର… ରାତି ୨ଟା ବାଜିଥିଲା। ଭାରତ ସିଟି ସୋସାଇଟିର B1 ଟାୱାରର ଫ୍ଲାଟ ନମ୍ବର ୯୦୭ ରୁ କାହାର ପଡ଼ିଯିବାର ଶବ୍ଦ ଶୁଭିଲା। ଲୋକମାନେ ଘଟଣାସ୍ଥଳକୁ ଦୌଡ଼ି ଆସିଲେ ଏବଂ ଚଟାଣରେ ପଡ଼ିଛି ତିନି ଜଣ ନାବାଳିକା ଝିଅଙ୍କର ରକ୍ତ ଜୁଡ଼ୁବୁଡ଼ୁ ଶରୀର । ଝିଅମାନଙ୍କ ପିତାମାତା ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଏହା ଏକ ଆତ୍ମହତ୍ୟାର ଭୟଙ୍କର ରୂପ ଥିଲା ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତିନି ଝିଅଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ତା’ପରେ ତଦନ୍ତ ଆରମ୍ଭ ହୋଇଥିଲା। ଝିଅମାନଙ୍କ ବାପା ଚେତନ କହିଛନ୍ତି, “ନିଶିକା (୧୬), ପ୍ରାଚୀ (୧୪) ଏବଂ ପାଖି (୧୨) ଅନଲାଇନ୍ ମୋବାଇଲ୍ ଗେମ୍ସରେ ଗୁରୁତର ଭାବରେ ନିଶାଗ୍ରସ୍ତ ଥିଲେ। କିଛି ଦିନ ପୂର୍ବରୁ ଆମେ ସେମାନଙ୍କୁ ମୋବାଇଲ୍ ଫୋନ୍ ବ୍ୟବହାର କରିବାକୁ ବାରଣ କରିଥିଲୁ। ଦୁଇ ବର୍ଷ ଧରି ତିନିଜଣ ସ୍କୁଲ୍ ଯାଉନଥିଲେ। ସେମାନେ ପାଠପଢ଼ାରେ ମଧ୍ୟ ଦୁର୍ବଳ ଥିଲେ। ସେମାନେ କୋରିଆନ୍ ସଂସ୍କୃତି ଦ୍ୱାରା ବହୁତ ପ୍ରଭାବିତ ଥିଲେ। ସେମାନେ ସବୁବେଳେ କହୁଥିଲେ ଯେ ସେମାନେ କୋରିଆ ଯିବାକୁ ଚାହାଁନ୍ତି ।

ବାପା ଚେତନ କହିଛନ୍ତି, “ତିନିଜଣ ସେମାନଙ୍କ ମୋବାଇଲ୍ ଫୋନ୍‌ରେ ଅନଲାଇନ୍ କୋରିଆନ୍ ଗେମ୍ ଖେଳୁଥିଲେ। ଆମେ ଜାଣିନାହୁଁ ଯେ ସେଗୁଡ଼ିକ ଟାସ୍କ-ଭିତ୍ତିକ ଗେମ୍ ଥିଲା କି ନାହିଁ, ଏବଂ ଆତ୍ମହତ୍ୟା ତାହାର ଅଂଶ କି ନାହିଁ । ଆମେ ଶୋଇଥିଲୁ। ସେମାନେ ଆମର ମୋବାଇଲ୍ ଫୋନ୍ ନେଇଗଲେ ଏବଂ ତା’ପରେ ରୁମ୍ ବନ୍ଦ କରିଦେଲେ। ଯେତେବେଳେ ମୁଁ ରାତି ୨ଟାରେ ଆମ ବାଲକୋନିରୁ କିଛି ପଡ଼ିବାର ଶୁଣିଲି, ମୁଁ ସେମାନଙ୍କ ରୁମ୍ କୁ ଗଲି, କିନ୍ତୁ ରୁମ୍ ବନ୍ଦ ଥିଲା। ତା’ପରେ ମୁଁ ଦେଖିଲି ଯେ ତିନିଜଣ ୯ ମହଲାରୁ ଡେଇଁ ପଡ଼ିଥିଲେ।”

ଚେତନଙ୍କର ଦୁଇଟି ବିବାହ ଥିଲା

ଝିଅମାନଙ୍କ ବାପା ଚେତନ ଦୁଇଥର ବିବାହ କରିଥିଲେ। ପ୍ରକୃତରେ ତାଙ୍କର ପ୍ରଥମ ସ୍ତ୍ରୀଙ୍କ କୌଣସି ସନ୍ତାନ ନ ଥିବାରୁ ସେ ତାଙ୍କ ସାନ ଭଉଣୀଙ୍କୁ ବିବାହ କରିଥିଲେ। ଚେତନ କହିଥିଲେ ଯେ, “ମୋ ଝିଅମାନେ ଅନଲାଇନ୍ ଗେମ ଖେଳୁଥିଲେ କିନ୍ତୁ ମୁଁ ଜାଣି ନଥିଲି ଯେ ସେମାନେ ଏପରି କାମ କରିବେ । ସେମାନେ କାହିଁକି ସେ ଖେଳ ଖେଳୁଥିଲେ? କେଉଁ ବାପା ସେମାନଙ୍କ ପିଲାମାନଙ୍କୁ ମରିବାକୁ ଦେବ ?

‘ଜଣେ ମାଲିକ ଥିଲେ, ସେ ଅନ୍ୟମାନଙ୍କୁ ନିର୍ଦ୍ଦେଶ ଦେଉଥିଲେ’

ଚେତନଙ୍କ କହିବା ଅନୁଯାୟୀ ପ୍ରାଚୀ କହୁଥିଲେ ଯେ ମୁଁ ବସ୍ ଏବଂ ନିଶିକା ଏବଂ ପାଖି ମୋ କଥା ମାନିଚାଲିଥାନ୍ତି। ସେମାନେ ମୋ ପଛେ ପଛେ ଯାଆନ୍ତି। ଗତ ତିନି ବର୍ଷ ଧରି ମୋ ଝିଅମାନେ ମୋବାଇଲରେ ଗେମ୍ ଖେଳୁଥିଲେ। ପ୍ରାଚୀ ଉଭୟ ଝିଅଙ୍କୁ ନିର୍ଦ୍ଦେଶ ଦେଉଥିଲେ। ଫୋନ୍ ବିନା ତିନିଜଣ ଖାଉନଥିଲେ । ସେମାନେ ଏକାଠି ଶୌଚାଳୟକୁ ଯାଉଥିଲେ। ସେମାନେ ଏକାଠି ଶୋଇଥିଲେ ମଧ୍ୟ। ଗୋଟିଏ ଝିଅ ପଞ୍ଚମ ଶ୍ରେଣୀରେ, ଅନ୍ୟଟି ଚତୁର୍ଥ ଶ୍ରେଣୀରେ ଏବଂ ବଡ଼ ଝିଅଟି ସପ୍ତମ ଶ୍ରେଣୀରେ ପଢ଼ୁଥିଲା। ତିନିଜଣ ପରୀକ୍ଷାରେ ଫେଲ୍ ହୋଇଯାଇଥିଲେ। ସେବେଠାରୁ ସେମାନେ ସ୍କୁଲ ଯିବା ବନ୍ଦ କରିଦେଇଥିଲେ।

କୋଠରୀରେ ସନ୍ଦେହଜନକ ଲେଖା

ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ୍ ଏବଂ ଏକ ଡାଏରୀ ମିଳିଥିଲା। ସୁଇସାଇଡ ନୋଟରେ ଲେଖାଥିଲା – ସତ୍ୟ ଜୀବନ କାହାଣୀ। ଏହି ଡାଏରୀରେ ଯାହା ଲେଖା ଅଛି ତାହା ପଢ଼। କାରଣ ଏସବୁ ସତ୍ୟ। ଏବେ ପଢ଼। ତଳେ ଜଣେ କାନ୍ଦୁଥିବା ବ୍ୟକ୍ତିଙ୍କର ଏକ ଚିତ୍ର ଆଙ୍କିଛି। ତା’ ପାଖରେ ଲେଖା ଅଛି – ମୁଁ ପ୍ରକୃତରେ ଦୁଃଖିତ ପାପା। ଏହା ସହିତ ଡାଏରୀରେ ଲେଖା ଅଛି – ଆମେ କୋରିଆନ୍ ଖେଳକୁ ଭଲପାଉ। ପୋଲିସ ତାଙ୍କ ରୁମକୁ ଗଲା ବେଳେ ମଧ୍ୟ କାନ୍ଥରେ ଲେଖାଥିଲା – ମୋତେ ଭାଙ୍ଗିଯାଇଥିବା ହୃଦୟ ଦିଅ। ମୁଁ ବହୁତ ଏକା।

ଅନଲାଇନ୍ ଗେମିଂ ନିଶା

ଗାଜିଆବାଦର ଡିସିପି ନିମିଶ ପାଟିଲ କହିଛନ୍ତି, “ଝିଅମାନେ ମୋବାଇଲ୍ ଫୋନ୍‌ରେ ଅନଲାଇନ୍‌ ଗେମ୍‌ ଖେଳିବାରେ ନିଶାଗ୍ରସ୍ତ ଥିଲେ। ସେମାନଙ୍କର ନିଜସ୍ୱ ମୋବାଇଲ୍ ଫୋନ୍‌ ନଥିଲା। ସେମାନେ ସେମାନଙ୍କ ବାପାମାଙ୍କ ମୋବାଇଲ୍ ଫୋନ୍‌ରେ ଗେମ୍‌ ଖେଳୁଥିଲେ। କିଛି ସମୟ ପୂର୍ବରୁ, ସେମାନଙ୍କ ବାପାମା ସେମାନଙ୍କୁ ଫୋନ୍‌ ବ୍ୟବହାର କରିବାକୁ ବାରଣ କରିଥିଲେ। ଏଥିରେ ଆଘାତ ପାଇ ତିନି ଭଉଣୀ ଆତ୍ମହତ୍ୟା କରିଛନ୍ତି। ବର୍ତ୍ତମାନ, ପରିବାରର ମୋବାଇଲ୍ ଫୋନ୍‌ଗୁଡ଼ିକୁ ଫରେନ୍ସିକ୍ ପରୀକ୍ଷା ପାଇଁ ପଠାଯାଇଛି। ତଦନ୍ତ ଜାରି ରହିଛି।”

 

ମହାପ୍ରଭୁ ମୋତେ ସାହା ହୁଅନ୍ତୁ …ଗର୍ଭଗୃହରେ ମହାପ୍ରଭୁଙ୍କୁ ଦର୍ଶନ କରି ଭାବପ୍ରବଣ ହେଲେ ରାଷ୍ଟ୍ରପତି

ପୁରୀ : ପୁରୀ ଶ୍ବେତଗଙ୍ଗାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସାବତ ନିଯୋଗ ପକ୍ଷରୁ ସେବାୟତମାନେ ରାଷ୍ଟ୍ରପତିଙ୍କ ପିଣ୍ଡଦାନ ପ୍ରକ୍ରିୟାରେ ସହଯୋଗ କରିଥିଲେ। ଅବକାଶ ନୀତି ପରେ ମହାପ୍ରଭୁଙ୍କୁ ପୂର୍ଣ୍ଣାଙ୍ଗ ବେଶରେ ଦର୍ଶନ କରିଥିଲେ ମହାମହିମ । ଗର୍ଭଗୃହରେ ମହାପ୍ରଭୁଙ୍କୁ ଦର୍ଶନ କରି ଭାବପ୍ରବଣ ହୋଇଥିଲେ ରାଷ୍ଟ୍ରପତି । ମହାଲକ୍ଷ୍ମୀଙ୍କ ସହ ବିମଳାଙ୍କ ଦର୍ଶନ ସାନିଧ୍ୟ ମଧ୍ୟ ସେ ନେଇଥିଲେ। ପ୍ରାୟ ୪୫ ମିନିଟ୍ କାଳ ସେ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଲାଗିଛି ବାନା। ଶ୍ରୀମନ୍ଦିର ପ୍ରବେଶ ସମୟରେ ସାତ ପାହାଚରେ ବେଦ ଧ୍ଵନି ହୋଇଥିବାବେଳେ ଫେରିବା ବାଟରେ ବାଇଶି ପାହାଚରେ ସେ କିଛି ସମୟ ବସିଥିଲେ। ସେବାୟତମାନେ ତାଙ୍କୁ ଦେଇଥିଲେ କର ପଲ୍ଲବ ଉପହାର।

ମହାପ୍ରଭୁଙ୍କ ରତ୍ନ ସିଂହାସନ ସ୍ଥିତ ଦୁର୍ଲଭ ସୁନାବେଶର ପଟ୍ଟ ଚିତ୍ର ଉପହାର ଦେଇଥିଲା ଶ୍ରୀମନ୍ଦିର ପ୍ରଶାସନ । ରାଷ୍ଟ୍ରପତିଙ୍କୁ ଖଣ୍ଡୁଆ ଦେଇ ସ୍ବାଗତ କରିଥିଲେ ମୁଖ୍ୟ ପ୍ରଶାସକ । କୌଳିକ ପଣ୍ଡା ଦେଇଥିଲେ ମହାପ୍ରଭୁଙ୍କ ଫଟୋ ଚିତ୍ର ଉପହାର। ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ, ଗଜପତି ମହାରାଜା, ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ରାଷ୍ଟ୍ରପତିଙ୍କ ଆଗମନକୁ ଦୃଷ୍ଟିରେ ରଖି ସକାଳ ୬ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଥିଲା।ପୁରୀ ଲୋକ ଭବନ ଠାରୁ ସ୍ୱତନ୍ତ୍ର ସୁରକ୍ଷା ମଧ୍ୟରେ ରାଷ୍ଟ୍ରପତି ପିଣ୍ଡ ଦାନ ପାଇଁ ବାହାରିଥିଲେ। ରାଷ୍ଟ୍ରପତିଙ୍କ କାରକେଡ଼ ଭିଆପି ରୋଡ ହୋଇ ଡାକ୍ତରଖାନା ଛକ ଦେଇ ଶ୍ରୀମନ୍ଦିର ନିକଟ କାକୁଡି ଖାଇ ଛକ ପର୍ଯ୍ୟନ୍ତ ଆସିବା ପରେ ସେଠାରୁ ସୁରକ୍ଷା ମଧ୍ୟରେ ଶ୍ୱେତଗଙ୍ଗା ପୁଷ୍କରିଣୀକୁ ଯାଇଥିଲା। ପରେ ରାଷ୍ଟ୍ରପତି ଶ୍ରୀମନ୍ଦିର ଯାଇ ଚତୁର୍ଦ୍ଧା ମୂରତିଙ୍କୁ ଦର୍ଶନ କରିଛନ୍ତି। ସୁରକ୍ଷା ଦୃଷ୍ଟି କୋଣରୁ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

WHATSAPP ରେ ମିଳିବ ରାଜସ୍ୱ ସେବା ; ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: WHATSAPP ରେ ମିଳିବ ରାଜସ୍ୱ ସେବା । ବଡ଼ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ୨୪ ଘଣ୍ଟିଆ ସେବା ଯୋଗାଇବ ରାଜସ୍ୱ ବିଭାଗ । ଜମି ଜମା ବାବଦରେ ସମସ୍ତ ଅଭିଯୋଗ ଓ ଆବେଦନ ଗ୍ରହଣ କରାଯିବ । ଏହାସହ ସମୟ ସୀମା ମଧ୍ୟରେ ସମସ୍ୟାର ସମାଧାନ କରାଯିବ । ଏହାଦ୍ବାରା ଦୁର୍ନୀତି ବନ୍ଦ ହେବା ସହ ବାରମ୍ବାର ଲୋକଙ୍କୁ ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବ ନାହିଁ । ସମୟ ଭିତରେ ସମସ୍ୟା ସମାଧାନ କରାନଯାଏ କିମ୍ବା ଦୁର୍ନୀତି ଅଭିଯୋଗ ଆସେ । ତେବେ ସଂପୃକ୍ତ ଅଧିକାରୀଙ୍କ ଉପରେ କଡା ଆକ୍ସନ ନିଆଯିବ ।

ସେହିପରି କାମ ନହେଲେ ସିଧାସଳଖ ରାଜସ୍ୱ ମନ୍ତ୍ରୀଙ୍କ ପାଖକୁ ମଧ୍ୟ whatsaap କରିପାରିବେ ଅଭିଯୋଗକାରୀ । ଆସନ୍ତାକାଲି whatsapp ସେବାକୁ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିବେ । ଏହାସହ ୫୫ଟି ତହସିଲ ଅଫିସକୁ ରେଜିଷ୍ଟ୍ରି ଅଫିସରେ ରୂପାନ୍ତରିତ କରାଯିବ ।

ରାଷ୍ଟ୍ରପତିଙ୍କ ତିନି ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତ ; ଚଳଚଞ୍ଚଳ ରାଇରଙ୍ଗପୁର

ମୟୂରଭଞ୍ଜ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନି ଦିନିଆ ମୟୂରଭଞ୍ଜ ଜିଲ୍ଳା ଗସ୍ତ। ପୁରୀରେ ଶ୍ରୀଜିଉଙ୍କୁ ଦର୍ଶନ ପରେ ମୟୂରଭଞ୍ଜ ଗସ୍ତ କରିଛନ୍ତି ରାଷ୍ଟ୍ରପତି । ୧୪ମାସ ପରେ ରାଇସିନାରୁ ଚତୁର୍ଥ ଥର ରାଇରଙ୍ଗପୁର ଜନ୍ମମାଟିକୁ ଆସୁଥିବାରୁ ଅଂଚଳ ଚଳଚଂଚଳ ହୋଇଛି । ଗସ୍ତକୁ ନେଇ ବାପଘର ଉପରବେଡା, ଶାଶୂଘର ପାହାଡପୁର ସମେତ ବାସସ୍ଥଳ ରାଇରଙ୍ଗପୁର ଅଞ୍ଚଳ ସଜେଇ ହୋଇଛି ।

ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଜିଲ୍ଲାପାଳ ହେମକାନ୍ତ ସୟଙ୍କ ତତ୍ତ୍ବାବଧାନରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ଗସ୍ତ କାର୍ଯ୍ୟକ୍ରମ ମଧ୍ୟରେ ଶିମିଳିପାଳ ଅଭୟାରଣ୍ୟରେ ସମୟ ବିତାଇବା ସହ ବନବାସୀଙ୍କ ସହ ଭାବ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି ।

ଗାଜିଆବାଦରେ ଲୋମହର୍ଷକ ଘଟଣା ; ଅନଲାଇନ ଗେମିଂକୁ କେନ୍ଦ୍ର କରି ୩ ନାବାଳିକା ଭଉଣୀଙ୍କ ଆତ୍ମହତ୍ୟା

ନନ୍ଦିଘୋଷ ବ୍ୟୁରୋ: ମମି, ପାପା, ସରି…ଏହା ଥିଲା ବାପା ମାଙ୍କ ଉଦ୍ଦେଶ୍ୟରେ ୩ ନାବାଳିକା ଭଉଣୀଙ୍କ ଜୀବନର ଶେଷ ବାର୍ତ୍ତା । ଏକ ଅନଲାଇନ ଗେମିଂ ଆପ ସାରିଦେଲା ୩ ଭଉଣୀଙ୍କ ଜୀବନ । ଘଟଣାଘଟିଛି ଗାଜିଆବାଦରେ । ଏକ ୯ ମହଲା କୋଠାରୁ ଡେଇଁ ଜୀବନ ହାରିଛନ୍ତି ୩ ଭଉଣୀ । ଏହି ମର୍ମନ୍ତୁଦ ଘଟଣା ଘଟିବା ପରେ ବିଭିନ୍ନ ଦିଗକୁ ନେଇ ପୋଲିସ କରୁଛିତ ତଦନ୍ତ । ରାତି ୨.୧୫ରେ ଘଟିଛି ଏହି ଘଟଣା । ମୃତକମାନେ ହେଲେ ୧୬ ବର୍ଷ ବୟସ୍କ ନିଶିକା, ୧୪ ବର୍ଷୀୟ ପ୍ରାଚୀ ଓ ୧୨ ବର୍ଷୀୟ ପାଖୀ। ଏନେଇ ସୂଚନା ଦେଇଛନ୍ତି ଗାଜିଆବାଦ ଏସପି ଅତୁଲ କୁମାର ସିଂ ।

ପୋଲିସ ସୂଚନା ଅନୁସାରେ ଏହି ୩ ଉଭଣୀ କୋରିଆର ଏକ ଅନଲାଇନ ଗେମିଂ ଆପ୍ ସହ ଜଡିତ ଥିଲେ । ସେମାନେ କିନ୍ତୁ କାହିଁକି ଆତ୍ମହତ୍ୟା କଲେ ତାହାର କାରଣ ଜଣାପଡ଼ିନାହିଁ । ସେମାନେ ଡେଇଁବା ପରେ ପ୍ରବଳ ଶବ୍ଦ ହେବାରୁ ଲୋକେ ଏହି ବିଷୟ ଜାଣିଥିଲେ। ଘରୁ ପୋଲିସ ଏକ ପୃଷ୍ଠା ସମ୍ବଳିତ ନୋଟ ଜବତ କରିଛି। ସେମାନଙ୍କୁ ତୁରନ୍ତ ଲୋନିସ୍ଥିତ ହସ୍ପିଟାଲକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ବାପା, ମାଆଙ୍କୁ ମଧ୍ୟ ଜେରା କରିଛି । ସେପଟେ ଗେମ ଖେଳିବାକୁ ବାପା ମାଆ ମନା କରିବାରୁ ସେମାନେ ଆତ୍ମହତ୍ୟା କଲେ ବୋଲି ଚର୍ଚ୍ଚା ହେଉଛି ।

ଯୌତୁକ ଜୁଇରେ ଆଉ ଜଣେ ନବବଧୂ ; ନବବଧୂକୁ ହତ୍ୟା ଅଭିଯୋଗ

ଭଦ୍ରକ : ପୁଣି ଯୌତୁକ ଜୁଇରେ ଆଉ ଜଣେ ନବବଧୂ। ବିବାହ ପରେ ଅଧିକ ଯୌତୁକ ନଦେବାରୁ ନବବଧୂକୁ ହତ୍ୟା ଅଭିଯୋଗ । ଭଦ୍ରକ ଆଗରପଡା ଥାନା ଓଲଡାଙ୍ଗ ଗାଁରୁ ସଙ୍ଗୀନ ଅଭିଯୋଗ ଆସିଛି । ଗାଁର ଜ୍ୟୋତିରଞ୍ଜନ ପଣ୍ଡାଙ୍କୁ ଭଦ୍ରକ ବାଲୁଅଶାସନ ଗାଁର ସୁଭଦ୍ରା ପଣ୍ଡା ଗତ ମେ ମାସରେ ବୈଦିକ ରୀତିରେ ବିବାହ କରିଥିଲେ । ତେବେ ବିବାହ ପରେ ସ୍ୱାମୀ, ଶ୍ୱଶୁର ଘର ଲୋକେ ଯୌତୁକ ଦାବି କରି ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି ।

ଗତକାଲି ସୁଭଦ୍ରାଙ୍କ ମୃତ୍ୟୁ ହୋଇଥିବାବେଳେ ମୃତଦେହକୁ ଛାଡ଼ି ଫେରାର ହୋଇଯାଇଛନ୍ତି ସ୍ୱାମୀ ଓ ଶ୍ବଶୁର ଘର ଲୋକେ। ଖବର ପାଇ ବାପଘର ଲୋକେ ପହଞ୍ଚି ସୁଭଦ୍ରାଙ୍କ ବେକରେ ଦାଗ ଥିବା ଦେଖିବାକୁ ପାଇଥିଲେ। ଏନେଇ ଆଗରପଡ଼ା ଥାନାରେ ଅଭିଯୋଗ ପରେ ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି। ଶାଶୁକୁ ଥାନାରେ ଅଟକ ରଖି ଅନ୍ୟମାନଙ୍କୁ ଖୋଜାଖୋଜି ଆରମ୍ଭ କରିଛି ପୋଲିସ।

ଲିବିୟାର ପୂର୍ବତନ ଶାସକ ମୁଆମାର ଗଦାଫିଙ୍କ ପୁଅଙ୍କୁ ହତ୍ୟା

ନନ୍ଦିଘୋଷ ବ୍ୟୁରୋ : ଲିବିୟାର ପୂର୍ବତନ ଶାସକ ମୁଆମାର ଗଦାଫିଙ୍କ ପୁଅ ସୈଫ ଅଲ-ଇସଲାମ ଗଦାଫିଙ୍କୁ ଗୁଳି କରି ହତ୍ୟା। ୪ ଜଣ ବନ୍ଧୁକଧାରୀ ସୈଫଙ୍କ ଘରେ ପଶି ତାଙ୍କୁ ଗୁଳି କରିଛନ୍ତି । ୫୩ ବର୍ଷ ବୟସ୍କ ସୈଙ୍କୁ କାହିଁକି ହତ୍ୟା କରାଗଲା ତାହାର ଚାଲିଛି ଛାନବିନ । ସୈଫଙ୍କ ଓକିଲ କହିଛନ୍ତି- ଏକ ୪ ଜଣିଆ କମାଣ୍ଡୋ ଲିବିୟାର ଜିନତାନ ସହରରେ ଏହି କମାଣ୍ଡୋ ସୈଫଙ୍କୁ ହତ୍ଯା କରିଛନ୍ତି ।

ଆଲଜେରିଆ-ଲିବିୟା ସୀମାନ୍ତ ଅଞ୍ଚଳରେ ଏହି ଘଟଣା। ଲିବିୟାର ରକ୍ତାକ୍ତ ଇତିହାସ ମଧ୍ୟରେ ବାପା ମୁଆମାରଙ୍କ ପରେ ପୁଅ ସୈଫ ରାଜନୈତିକ ଭାବେ ମୁଣ୍ଡ ଟେକୁଥିଲେ। ୨୦୧୧ରେ ବାପାଙ୍କୁ ଗାଦିଚ୍ୟୁତ କରାଯିବା ପରେ ସେ ଦେଶ ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରୁଥିଲେ।

ଟ୍ରେଲରକୁ ପଛରୁ ପିଟିଲା ଟ୍ରକ ; ୪ ଜଣ ଗୁରୁତର ଆହତ

ନନ୍ଦିଘୋଷ ବ୍ୟୁରୋ: ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟରେ ଦୁର୍ଘଟଣା । ଟ୍ରେଲରକୁ ପଛରୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରକ ଘରୋଇ ସାମଗ୍ରୀ ଲୋଡ଼ କରି ବାଲେଶ୍ୱର ଆସୁଥିବା ବେଳେ ଟ୍ରେଲରକୁ ଧକ୍କା ଦେଇଥିଲା। ଫଳରେ ଟ୍ରକ ମଧ୍ୟରେ ଥିବା ଚାରି ଜଣ ଯାତ୍ରୀ ଚାପି ହୋଇ ଯାଇଥିଲେ। ଖବର ପାଇ ଜାତୀୟ ରାଜପଥ ପାଟ୍ରୋଲିଂ ପୁଲିସ ଓ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଡା ଅଗ୍ନିଶମ ବାହିନୀ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରିଥିଲା ।

ଉଦ୍ଧାର ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ସମସ୍ତଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ହେଲେ ବିହାର ପାଟଣା ଅଞ୍ଚଳର ସଞ୍ଜୟ ଯାଦବ,ଅନିଲ ଯାଦବ, ପଙ୍କଜ ଯାଦବ ଓ ରାକେଶ ଯାଦବ ବୋଲି ଜଣାପଡିଛି।