ଅନୁଗୁଳ : ଶୋଇଥିବା ବେଳେ ଘରେ ପଶିଲା ହାଇୱା ଟ୍ରକ୍, ଅଳ୍ପକେ ବଞ୍ଚିଗଲା ୧୫ ଜୀବନ । ଅନୁଗୋଳରୁ ଛେଣ୍ଡିପଦା ଯାଇଥିବା ୬୩ ନମ୍ବର ରାଜ୍ୟ ରାଜପଥ ନିଶା ଛକରେ ବଡ ଦୁର୍ଘଟଣା ଘଟିଛି । ଦ୍ରୁତ ଗତିରେ ଆସୁଥିବା ଏକ ହାଇୱା ଟ୍ରକ୍ ଭାରସାମ୍ୟ ହରାଇ ଜଳଖିଆ ଦୋକାନ ଓ ରହିବା ଘର ଭିତରେ ପଶିଯାଇଛି । ଶୋଇଥିବା ଅବସ୍ଥାରେ ୧୫ ଜଣଙ୍କ ଜୀବନ ଅଳ୍ପକେ ବଞ୍ଚିଯାଇଥିବ ବେଳେ ହାଇୱା ଚାଳକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ହାଇୱାଟି ଚଣ୍ଡିଖୋଲରୁ ଛେଣ୍ଡିପଦା ନୟନୀ କୋଇଲା ଖଣିକୁ କୋଇଲା ଲୋଡିଂ ପାଇଁ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା । ଏବେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଟ୍ରକ୍ ଅଟକି ରହିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଗତ ଏକ ମାସରେ ଏହି ରାସ୍ତାରେ ୧୦ଟି କୋଇଲା ଟ୍ରକ୍ ଦୁର୍ଘଟଣା ଓ ୧୫ରୁ ଅଧିକ ଗାଈଗୋରୁଙ୍କ ମୃତ୍ୟୁ ହୋଇଛି।ବାରମ୍ବାର କୋଇଲା ଟ୍ରକ ଦୁର୍ଘଟଣା ଘଟୁଥିବାରୁ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଛି । ସ୍ଥାୟୀ ପ୍ରତିକାର ଦାବି କରିଛନ୍ତି ଅଞ୍ଚଳବାସୀ ।ଖବର ପାଇ ନିଶା ଶିଳ୍ପାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଁଚି ଛାନଭିନ ଚଳାଇଛି।….
ଖୋର୍ଦ୍ଧା ଆଇନଷ୍ଟାଇନ୍ ଇଞ୍ଜିନିୟରିଂ କଲେଜରେ ଖାଦ୍ୟ ସମସ୍ୟାକୁ ନେଇ ଛାତ୍ର ଉତ୍ତେଜନା
ଖୋର୍ଦ୍ଧା : ଖୋର୍ଦ୍ଧା ସଦର ଥାନା ଅର୍ନ୍ତଗତ ବଣିଆଟାଙ୍ଗୀରେ ଥିବା ଆଇନଷ୍ଟାଇନ୍ ଇଞ୍ଜିନିୟରିଂ କଲେଜରେ ଖାଦ୍ୟ ସମସ୍ୟାକୁ ନେଇ ଛାତ୍ର ଉତ୍ତେଜନା ଜାରି । ଖାଦ୍ୟରେ ପୋକ ବାହାରୁଥିବା ଅଭିଯୋଗର ଆଜି ତଦନ୍ତ କରିବ କଲେଜ କମିଟ ଓ ପୋଲିସ । ବୈଠକ ବସି ଘଟଣାର ସତ୍ୟତା ଯାଞ୍ଚ କରିବ କମିଟି । ଗତ ୩ଦିନ ଧରି ଖାଦ୍ୟରେ ପୋକ, ତାର, ମଇଳା ବାହାରୁଥିବା ନେଇ ଅସନ୍ତୋଷ ଦେଖାଦେଇଛି । ଗତକାଲି ସନ୍ଧ୍ୟାରେ ଏହି ସମସ୍ୟାକୁ ନେଇ ଛାତ୍ରମାନେ ପ୍ରତିବାଦ କରିଥିଲେ । କଲେଜ କ୍ୟାମ୍ପସ ଭିତରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଖବର ପାଇ କଲେଜ ଡେଭଲପମେଣ୍ଟ ଅଫିସର ପହଞ୍ଚି ପିଲାଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସୁଧୁରିଛି । ସେପଟେ ଗାନ୍ଧୀ ଇନଷ୍ଟିଚ୍ୟୁଟ ଫର୍ ଏଜୁକେସନ ଆଣ୍ଡ ଟେକନୋଲୋଜିରେ ଛାତ୍ର ଉତ୍ତେଜନା ଦେଖାଦେଇଛି । ଖାଦ୍ୟରେ କିଛି ବିଷାକ୍ତ କୀଟ ବାହାରିବା ନେଇ ଅଭିଯୋଗ ହୋଇଛି । କଲେଜ ବାହାରେ ଏବଂ ଭିତରେ ଉତ୍ତେଜନା ଦେଖାଦେଇଛି । ସଦରଥାନା ଅଧିକାରୀ ପୋଲିସ ଫୋର୍ସ ସହ ଘଟଣା ସ୍ଥଳରେ ପହଞ୍ଚି ପିଲାଙ୍କୁ ବୁଝାସୁଝା କରୁଛନ୍ତି ।…
ଭିଜିଲାନ୍ସ ପଞ୍ଝାରେ ମୟୂରଭଞ୍ଜ ବେତନଟୀ ପୂର୍ତ୍ତ ବିଭାଗ ଏସଡିଓ
ବାରିପଦା : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପଞ୍ଝାରେ ମୟୂରଭଞ୍ଜ ବେତନଟୀ ପୂର୍ତ୍ତ ବିଭାଗ ଏସଡିଓ । ଏକକାଳୀନ ଏସଡିଓ ଅରବିନ୍ଦ ମହାନ୍ତିଙ୍କ ଘର ସମେତ ୧୦ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ଆଜି ସକାଳୁ ଏକକାଳୀନ ମୟୂରଭଞ୍ଜ ଓ ବାଲେଶ୍ଵର, ଭୁବନେଶ୍ବର ସମେତ ପ୍ରାୟ ୧୦ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଜୋରଦାର ଚଢ଼ାଉ ଜାରି ରହିଛି । ଭିଜିଲାନ୍ସ କୋର୍ଟଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ବ୍ୟାପକ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଅଭିଯାନରେ ଭିଜିଲାନ୍ସର ୫ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର ଏବଂ ବହୁ ସଂଖ୍ୟକ ବିଭାଗୀୟ କର୍ମଚାରୀ ସାମିଲ ରହିଛନ୍ତି । ମୟୂରଭଞ୍ଜ, ବାଲେଶ୍ୱର ଏବଂ ଖୋର୍ଦ୍ଧା ଜିଲ୍ଲାର ମୋଟ ୧୦ଟି ସ୍ଥାନରେ ଯାଞ୍ଚ ଚଳାଇଛନ୍ତି । ଚଢ଼ାଉ ଚାଲିଥିବା ସ୍ଥାନଗୁଡ଼ିକ ମଧ୍ୟରେ ବାଲେଶ୍ୱର ଅଙ୍ଗାରଗଡ଼ିଆ ସ୍ଥିତ ତିନି ମହଲା ଆବାସିକ କୋଠା, ଖୋର୍ଦ୍ଧା ବାଲିଅନ୍ତା ସ୍ଥିତ ଦୁଇ ମହଲା କୋଠା, ମୟୂରଭଞ୍ଜ ଜିଲ୍ଲା ବେତନଟୀ ସ୍ଥିତ ତାଙ୍କ କାର୍ଯ୍ୟାଳୟ ଏବଂ ସରକାରୀ ବାସଭବନ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ରାୟନ-ରାମଚନ୍ଦ୍ରପୁର ସ୍ଥିତ ପୈତୃକ ଘର, ବାଲେଶ୍ୱର ବସନ୍ତପୁର ସ୍ଥିତ ଫାର୍ମ ହାଉସ ଏବଂ ବାଲେଶ୍ୱର ବାମପଦା ସ୍ଥିତ ଆଉ ଏକ ବାସଭବନ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ବାଲେଶ୍ୱର ଅଙ୍ଗାରଗଡ଼ିଆ ସ୍ଥିତ ଜଣେ ଘନିଷ୍ଠ ସହଯୋଗୀଙ୍କ ଘର, ମୟୂରଭଞ୍ଜ ବୈଶିଙ୍ଗା ସ୍ଥିତ ଅନ୍ୟ ଜଣେ ସହଯୋଗୀଙ୍କ ବାସଭବନ ଏବଂ ବାଲେଶ୍ୱର ବାମପଦା ସ୍ଥିତ ଆଉ ଜଣେ ସହଯୋଗୀଙ୍କ ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ଏକକାଳୀନ ପହଞ୍ଚି ତଲାସି କରୁଛି। ସର୍ଚ୍ଚ ଅଭିଯାନ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ଜମିଜମା କାଗଜପତ୍ର, ବ୍ୟାଙ୍କ ଜମା ଖାତା, ନଗଦ ଟଙ୍କା ଏବଂ ସୁନାଗହଣାର ହିସାବ ଯାଞ୍ଚ କରାଯାଉଛି। ଖବର ଲେଖାହେବା ପର୍ଯ୍ୟନ୍ତ ଭିଜିଲାନ୍ସର ଖୋଳତାଡ଼ ଜାରି ରହିଥିବା ବେଳେ ଯାଞ୍ଚ ଶେଷ ହେବା ପରେ ମୋଟ ସମ୍ପତ୍ତିର ପରିମାଣ ନେଇ ବିସ୍ତୃତ ତଥ୍ୟ ମିଳିବ ବୋଲି ଭିଜିଲାନ୍ସ ବିଭାଗ ସୂତ୍ରରୁ ଜଣାପଡ଼ିଛି।
ଆହୁରି ୩ ଦିନ ପ୍ରବଳ ଖରା ଓ ଗୁଳୁଗୁଳି ହେବ
ଭୁବନେଶ୍ୱର : ଅତି କମରେ ଆହୁରି ୩ ଦିନ ପ୍ରବଳ ଖରା ଓ ଗୁଳୁଗୁଳି ହେବ। ଦିନ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଥିବା ବେଳେ ତିନି ଚାରି ଦିନରେ ଏଥିରେ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତା ପରେ ୨ରୁ ୩° ସେଲସିୟସ କମିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗତ ୨୪ ଘଣ୍ଟାରେ ପୁରୀରେ ସର୍ବାଧିକ ଦିନ ତାପମାତ୍ରା ୩୫.୮° ସେଣ୍ଟିଗ୍ରେଡ୍ ଥିଲା। ଭୁବନେଶ୍ୱରର ତାପମାତ୍ରା ଥିଲା ୩୫.୨ ଡିଗ୍ରୀ। ଆସନ୍ତା ୨୪ ଘଣ୍ଟାରେ ବାଲେଶ୍ୱର, ମୟୂରଭଞ୍ଜ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ-ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଅନ୍ୟ ଜିଲ୍ଲାରେ ମୁଖ୍ୟତଃ ଶୁଖିଲା ପାଗ ରହିବ । ସେପଟେ ଉତ୍ତର-ପୂର୍ବ ବିହାରରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପର୍ଯ୍ୟନ୍ତ ଝାଡ଼ଖଣ୍ଡ ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଦେଇ ସମୁଦ୍ର ପତ୍ତନରୁ ପ୍ରାୟ ୯୦୦ ମିଟର ଉଚ୍ଚତାରେ ଏକ ଟ୍ରପ୍ ଲାଇନ ସକ୍ରିୟ ରହିଛି । ଏହାର ପ୍ରଭାବରେ ଓଡ଼ିଶାର କିଛି ଜିଲ୍ଲାରେ ଆଗାମୀ କିଛି ଦିନ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରୁଛି। ୨ରୁ ୩ ଦିନ ମଧ୍ୟରେ ମହାରାଷ୍ଟ୍ରର ଅଧିକାଂଶ ଅଞ୍ଚଳ, ଛତିଶଗଡ଼ର ଆହୁରି କିଛି ଅଞ୍ଚଳ ଏବଂ ତେଲେଙ୍ଗାନା ଓ ଉତ୍ତର ଆଭ୍ୟନ୍ତରୀଣ କର୍ଣ୍ଣାଟକର କିଛି ଅଞ୍ଚଳରୁ ମୌସୁମୀ ବାୟୁ ପ୍ରତ୍ୟାହାର ପାଇଁ ପାଗ ଅନୁକୂଳ ରହିଛି।
କୋହଳ ଦଣ୍ଡବିଧାନ ଅପରାଧ ବଢ଼ିବାର ଏକ ବଡ କାରଣ; ଋତୁପର୍ଣ୍ଣା ମହାନ୍ତି, ସାମାଜିକ କର୍ମୀ
ଭୁବନେଶ୍ୱରରେ କେତେ ସୁରକ୍ଷିତ ମହିଳା ? ସୁରକ୍ଷା ପାଇଁ କିଭଳି ନିଆଯାଉଛି ପଦକ୍ଷେପ ?
ଭୁବନେଶ୍ୱର : ମୋବାଇଲ ଲୁଟେରା ଘରେ ପଶୁଛି, ଇଜ୍ଜତ ଲୁଟି ଚାଲିଯାଉଛି । ଏନକାଉଣ୍ଟର ପରେ ବି ମହିଳା ସୁରକ୍ଷା ନେଇ ଉଠିଛି ପ୍ରଶ୍ନ । ଦୁଷ୍କର୍ମ, ଯୌନ ଉତ୍ପୀଡନରେ ଅନ୍ୟ ସହରଠୁ ଆଗରେ ଭୁବନେଶ୍ୱର । ଗତ ବୁଧବାର ସନ୍ଧ୍ୟା ସମୟ । ଜନଗହଳି ପୂର୍ଣ ନୟାପଲ୍ଲୀ ଥାନା ଅନ୍ତର୍ଗତ ବେହେରା ସାହି । ଚାରିଆଡେ ଲେଡିଜ୍ ହଷ୍ଟେଲ ଆଉ ସବୁଠି ଲାଗିଛି ସିସିଟିଭି । କିନ୍ତୁ ଏସବୁକୁ ଖାତିର ନକରି ଏକାକୀ ଥିବା ଜଣେ ଯୁବତୀଙ୍କ ଘରେ ପଶୁଛି ମୁଖାପିନ୍ଧା ଦୁର୍ବୃତ୍ତ । କିଛି ବୁଝିବା ପୂର୍ବରୁ ଯୁବତୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ କରିଚାଲୁଛି ଦୁଷ୍କର୍ମ । ପାଖାପାଖି ୪୦ ମିନିଟ ଘର ଭିତରେ ରହି ଘଟାଉଛି ଜଘନ୍ୟ କାଣ୍ଡ । ଦୀର୍ଘ ୩ ଦିନ ୩ ଶହ ସିସିଟିଭି ଯାଞ୍ଚ ପରେ ଅଭିଯୁକ୍ତକୁ ଚନ୍ଦକା ଅଞ୍ଚଳରେ କରାଯାଇଛି ଏନକାଉଣ୍ଟର । ଗଞ୍ଜାମର ଏହି ଅଭିଯୁକ୍ତ ଶ୍ରୀଧର ପଣ୍ଡା, ଚକେଇଶିଆଣୀ ଅଞ୍ଚଳରେ ରହିବା ସହ ଚୋରି କରି ଚଳୁଥିଲା । କିନ୍ତୁ ଚୋରି କରିବାକୁ ଯାଇ ରାଜଧାନୀରେ ଯୁବତୀଙ୍କ ଇଜ୍ଜତ ଲୁଟିବା ଘଟଣାକୁ କେହି ସହଜରେ ଗ୍ରହଣ କରିପାରି ନାହାନ୍ତି ।
ସହର ବଢୁଛି । ସହରୀ ଚାହିଦାକୁ ଦୃଷ୍ଟିରେ ରଖି ଛତୁ ଫୁଟିବା ଭଳି ଖୋଲୁଛି ହଷ୍ଟେଲ ବା ମେସ୍ । ଉଚ୍ଚଶିକ୍ଷା ବା ଚାକିରୀଟିଏ ଆଶାରେ ଯୁବତୀ ଅଥବା କର୍ମଜୀବୀ ମହିଳା ଆସି ଏଠାରେ ରହୁଛନ୍ତି । କିନ୍ତୁ ପ୍ରଶ୍ନ ଉଠୁଛି ରାଜଧାନୀରେ ଏମାନେ କେତେ ସୁରକ୍ଷିତ ? ଅପରାଧ ଘଟିବା ପୂର୍ବରୁ ପ୍ରିଭେନସନ, ପରେ ପୀଡିତାଙ୍କୁ ପ୍ରୋଟେକ୍ସନ ଓ ଅପରାଧୀ ବିରୋଧରେ ପ୍ରସେକ୍ୟୁସନ । ଏସବୁ ଦୃଷ୍ଟାନ୍ତମୂଳକ ହେଲେ ଅନ୍ତତଃ ପକ୍ଷେ କମିପାରନ୍ତା ମହିଳା ହିଂସା । ଅନ୍ୟପକ୍ଷରେ ପୋଲିସର ପାଟ୍ରୋଲିଂର ଅଭାବ, ରାଜଧାନୀରେ କମ୍ୟୁନିଟି ପୋଲିସିଂ ବ୍ୟାପକ ନହେବା ଅପରାଧୀଙ୍କୁ ବେଶ ସୁହାଉଛି । ଏପରିକି ଅନେକ ସମୟରେ ମହିଳାଙ୍କ ସୁରକ୍ଷା ପାଇଁ ତିଆରି ହୋଇଥିବା ‘ପିଙ୍କ ଅଟୋ’, ଓ ‘ମୋ ସାଥୀ’ ଆପ୍ ର ମଧ୍ୟ ଚିହ୍ନବର୍ଣ୍ଣ ନାହିଁ । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସାମାଜିକ କର୍ମୀ ତଥା ବରିଷ୍ଠ ଆଇନଜୀବୀ ।
ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ଥାନାରେ ରହିଛି ମହିଳା ଓ ଶିଶୁ ଡେସ୍କ । କିନ୍ତୁ ଏହି ଡେସ୍କ ଅକାମି ହୋଇଯିବା ପରେ ସୁରକ୍ଷାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ।…
ଦାୟିତ୍ଵ ପାଉ ପାଉ ଓଡ଼ିଶା ଗସ୍ତରେ ବିଜେପିର ନୂଆ ପ୍ରଭାରୀଙ୍କ ଓଡ଼ିଶା ଗସ୍ତ।
ଭୁବନେଶ୍ୱର : ଦାୟିତ୍ଵ ପାଉ ପାଉ ଓଡ଼ିଶା ଗସ୍ତରେ ବିଜେପିର ନୂଆ ପ୍ରଭାରୀଙ୍କ ଓଡ଼ିଶା ଗସ୍ତ। ରାଜ୍ୟ ପଦାଧିକାରୀ, ବିଧାୟକ, ସାଂସଦ ଓ ମନ୍ତ୍ରୀଙ୍କ ସହ ମାରାଥନ ବୈଠକ କରିଛନ୍ତି ଡି. ପୁରନ୍ଦେଶ୍ଵରୀ। ସଂଗଠନ ସଜାଡ଼ିବା ଏବଂ ପଞ୍ଚାୟତ ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ରଣନୀତି। ବିଜେପି ରାଜ୍ୟ ପ୍ରଭାରୀଙ୍କ ପ୍ରଥମ ଗସ୍ତରେ ଆଲୋଚନା ହୋଇଛି, କିପରି ଦଳକୁ କେମିତି ଆହୁରି ମଜବୁତ କରାଯିବ। ପଂଚାୟତ ନିର୍ବାଚନ ଜିତିବାକୁ ପ୍ରସ୍ତୁତ ହୋଇଛି ଖସଡ଼ା । ବର୍ତ୍ତମାନ ଦଳର ନେତାଙ୍କ ମନୋଭାବ କିପରି ରହିଛି ତା ଉପରେ ମଧ୍ୟ ଆଲୋଚନା ହୋଇଛି। ରାଜ୍ୟ ପ୍ରଭାରୀ କହିଛନ୍ତି, ବିଜେପିକୁ ମଝଭୁତ କରିବା ହିଁ ଆମର ଲକ୍ଷ୍ୟ। ଏହା ସହ ଆଗକୁ ଦଳ କେମିତି ଯିବ ତା ଉପରେ ବିଶେଷ ଫୋକସ ଦିଆଯାଇଛି।
ରାଜଧାନୀରେ ଏମଏମଡିଆର ନେଇ ସଫଳ ପ୍ରତିବାଦ ସଭା ପରେ ବଢ଼ିଛି ବିଜେଡିର ଜୋଶ। ପଂଚାୟତ ଓ ପୌର ନିର୍ବାଚନ ନେଇ ବିଜେପିର ମାନସ ମନ୍ଥନ ଉପରେ ବିଜେଡି କହିଛି, ଆମେ ସବୁବେଳେ ଲୋକଙ୍କ ସେବାରେ ଅଛୁ। ପଞ୍ଚାୟତ ନିର୍ବାଚନ ଆସିଲେ ସବୁ କିଛି ସ୍ପଷ୍ଟ ହୋଇଯିବ। ଏପରିକି ବିଜେପି ପ୍ରଭାରୀ ଦଳୀୟ ବୈଠକରେ ବିଜେପି ସହଜ ସ୍ଥିତିରେ ନ ଥିବା କହିଥିବା ଦାବି କରିଛନ୍ତି ବିଜେଡି ବିଧାୟକ। ବିଜେପି ନିଜେ ଆତଙ୍କିତ ଥିବା ଜଣାପଡୁଛି ବୋଲି ବିଜେଡି କହିଛି। ସେପଟେ ସରକାର ବିରୋଧରେ ଥିବା ଜନ ଅସନ୍ତୋଷକୁ ଆଧାର କରି ଆଗକୁ ବଢୁଛି କଂଗ୍ରେସ ଓ ପଂଚାୟତ ନିର୍ବାଚନରେ ଭଲ ରେଜଲ୍ଟ କରିବ ବୋଲି କହିଛି। ଆଗାମୀ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଦେବ ନୂଆ ଦଳ ଓଡ଼ିଶା ଜନତା କଂଗ୍ରେସ। ମହମ୍ମଦ ମୋକିମ କହିଛନ୍ତି, ପଞ୍ଚାୟତ ଆମ ପାଇଁ ମାପକାଠି।
ପଞ୍ଚାୟତ ଓ ପୌର ନିର୍ବାଚନ ଯଦି ଠିକ ସମୟରେ ହୁଏ, ତା ହେଲେ ହାତରେ ଆଉ ୬ ମାସରୁ କମ୍ ସମୟ । ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ସେମି ଫାଇନାଲ୍ ଲଢେଇ ପାଇଁ ସବୁ ଦଳରେ ପ୍ରସ୍ତୁତି ଜୋରଦାର ଚାଲିଛି। …
ଜନ କଲ୍ୟାଣ ପାଇଁ ହେଉନାହିଁ ଉପଯୁକ୍ତ ବିଜ୍ଞାପନ
ଭୁବନେଶ୍ବର : ଜନ କଲ୍ୟାଣ ପାଇଁ ହେଉନାହିଁ ଉପଯୁକ୍ତ ବିଜ୍ଞାପନ । କେବଳ ପୋଷ୍ଟର ମାରି ଚୁପ୍ ସରକାର । ମେଡିକାଲରେ ଲମ୍ବା ଲାଇନ୍ କମାଇବା ପାଇଁ ରହିଛି ଅନଲାଇନ୍ ଟିକେଟ୍ ବ୍ୟବସ୍ଥା । ହେଲେ ରୋଗୀଙ୍କୁ ବୁଝିବାରେ ଦେଖାଦେଉଛି ସମସ୍ୟା । ଯୋଜନା ବିଷୟରେ କେହି ଜାଣି ନଥିବା ଅଭିଯୋଗ । ଏ ଦୃଶ୍ୟ କ୍ୟାପିଟାଲ ହସ୍ପିଟାଲର । ଡାକ୍ତରଙ୍କୁ ଦେଖାଇବା ପାଇଁ ରୋଗୀ ଟିକେଟ୍ ଟିଏ ପାଇଁ ଲମ୍ବା ଧାଡିରେ ଛିଡା ହୋଇଛି । ସେ ଅନଲାଇନ୍ ଟିକେଟ ବ୍ୟବସ୍ଥା ବିଷୟରେ ଜାଣି ନଥିବା କହିଛି । ମେଡିକାଲ କର୍ତ୍ତୃପକ୍ଷ ଏବଂ ସରକାରଙ୍କ ସଚେତନତା ଅଭାବରୁ ଏଭଳି ସମସ୍ୟା ଦେଖାଦେଇଛି । ଗତ ମାସରେ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଜରିଆରେ ଅନଲାଇନରେ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଆରୋଗ୍ୟ ସେତୁ ଆପ୍ ଜରିଆରେ ସାଧାରଣ ରୋଗୀ ନିଜ ନାମ ଘରେ ବସି ପଞ୍ଜୀକରଣ କରି ଆଭା ଟୋକନ ପାଇପାରିବେ । ପରେ ଆଭା ଟୋକନ ଜରିଆରେ ହସ୍ପିଟାଲରେ ଥିବା ସ୍ବତନ୍ତ୍ର କେନ୍ଦ୍ର ମାଧ୍ୟମରେ କମ ସମୟରେ ଟିକେଟ ପାଇ ଡାକ୍ତରଙ୍କୁ ଦେଖାଇପାରିବେ ରୋଗୀ । ଏହି ବ୍ୟବସ୍ଥା ନେଇ ହସ୍ପିଟାଲର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇ ଦେଇ ଚୁପ ବସିଛନ୍ତି ହସ୍ପିଟା କର୍ତ୍ତୃପକ୍ଷ । କିପରି ରୋଗୀ ପଞ୍ଜୀକରଣ କରିବେ ସେନେଇ ସଠିକ୍ ଭାବେ କୌଣସି ସଚେତନତା କରାଯାଉନଥିବା ଅଭିଯୋଗ ହୋଇଛି । ଫଳରେ ହସ୍ପିଟାଲରେ ଟିକେଟ ପାଇଁ ପୂର୍ବଭଳି ଭିଡ଼ ଦେଖିବାକୁ ମିଳୁଛି । ….
କେବଳ ଏହି ହସ୍ପିଟାଲ ନୁହଁ ସମସ୍ତ ସରକାରୀ ବଡ଼ ବଡ଼ ହସ୍ପିଟାଲରେ ଏଭଳି ସମସ୍ୟା ଦେଖା ଦେଉଛି । ସକାଳ ୫ଟାରୁ ଧାଡ଼ିରେ ଛିଡ଼ା ହୋଇ ମଧ୍ୟ ସକାଳ ୯ଟା ସୁଦ୍ଧା ମିଳୁନି ଟିକେଟ୍। ଟିକେଟ ପଞ୍ଜୀକରଣ ପାଇଁ ଧାଡ଼ି ସଂଖ୍ୟା ମଧ୍ୟ ବୃଦ୍ଧି ପାଇ ଚାଲିଛି। ଯାହା ଫଳରେ ଅନେକ ରୋଗୀଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି। ଲମ୍ବା ଧାଡ଼ିରେ ଛିଡ଼ା ହୋଇ ମଧ୍ୟ କିଛି ରୋଗୀ ନିରାଶ ହୋଇ ଫେରିବା ଦେଖିବାକୁ ମିଳୁଛି। ରୋଗୀଙ୍କ ପାଇଁ ସଠିକ୍ ସଚେତନତା ସୃଷ୍ଟି କରିବାକୁ ଅନୁରୋଧ କରିଛନ୍ତି ରୋଗୀ ଓ ଅଭିଭାବକ।….
ସମ୍ବଲପୁରର ଛକ ଛକରେ କୁଢ କୁଢ ଅଳିଆ ଆବର୍ଜନା
ସମ୍ବଲପୁର : ସମ୍ବଲପୁରର ଛକ ଛକରେ କୁଢ କୁଢ ଅଳିଆ ଆବର୍ଜନା । ବିଭିନ୍ନ ସ୍ଥାନରେ ପୁତ୍ତିଗନ୍ଧମୟ ପରିବେଶ । ଅଣନିଶ୍ବାସୀ ହୋଇପଡିଲେଣି ସହରବାସୀ । ଏ ଦୃଶ୍ୟ ହେଉଛି ସମ୍ବଲପୁର ସହରର । ସହରକୁ ସ୍ୱଚ୍ଛ ରଖିବା ପାଇଁ ଅନେକ ଯୋଜନା ଓ ସଚେତନତା କାର୍ଯ୍ୟକ୍ରମ ଚାଲୁଛି । ଅନ୍ୟପଟେ କିନ୍ତୁ ରାସ୍ତାକଡ଼ରେ ଜମି ରହୁଛି ଆବର୍ଜନା । ସହରର ଅଇଁଠାପାଲିଠାରୁ ବୁଢ଼ାରଜା, ଫାଟକ, ଗୋଲବଜାର, ସାକ୍ଷୀପଡ଼ା ଭଳି ବିଭିନ୍ନ ଅଞ୍ଚଳରେ ଆବର୍ଜନା ଦିନ ଦିନ ଧରି ପଡ଼ି ରହୁଥିବା ଅଭିଯୋଗ ହୋଇଛି । ଫଳରେ ଅସ୍ୱାସ୍ଥ୍ୟକର ପରିବେଶ ନେଇ ଚିନ୍ତାରେ ପଡ଼ିଛନ୍ତି ସ୍ଥାନୀୟଲୋକେ । …
ଆବର୍ଜନା ନିୟମିତ ଭାବେ ଉଠାଯାଉନଥିବାରୁ ସମସ୍ୟା ବଢ଼ୁଛି । ଅନେକ ସ୍ଥାନରେ ଆବର୍ଜନା ପାଇଁ ନିର୍ଦ୍ଧାରିତ ସ୍ଥାନ ଥିଲେ ମଧ୍ୟ ସେଠାରୁ ସମୟରେ ଆବର୍ଜନା ଉଠୁନଥିବା ଅଭିଯୋଗ ରହିଛି । ଆବର୍ଜନା ଜମି ରହିବା ଯୋଗୁ ଲୋକଙ୍କ ଯାତାୟାତରେ ଅସୁବିଧା ସହ ପରିବେଶ ଦୂଷିତ ହେଉଥିବା ଅଭିଯୋଗ ହୋଇଛି । ତେଣୁ ନିୟମିତ ଆବର୍ଜନା ସଫେଇ ସହ ଉଠାଣ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ଦାବି କରିଛନ୍ତି ସହରବାସୀ।….
ଐତିହ ସମ୍ପର୍ଣ୍ଣ ସମ୍ବଲପୁର । ସହରରେ ଓ ସହର ନିକଟରେ ରହିଛି ଅନେକ ପର୍ଯ୍ୟଟନସ୍ଥଳୀ । ଫଳରେ ବିଭିନ୍ନ ରାଜ୍ୟ ତଥା ସହରରୁ ଏଠାକୁ ପର୍ଯ୍ୟଟକ ଆସିଥାନ୍ତି । ଏନେଇ ସହରକୁ ସ୍ବଚ୍ଛ ଓ ସୁନ୍ଦର ରଖିବାକୁ ପ୍ରଶାସନକୁ ନିବେଦନ କରିଛନ୍ତି ବୁଦ୍ଧିଜୀବୀ । …
ଅକ୍ଟୋବର ୧୧ରୁ ଆରମ୍ଭ ହେବ ୨୦୨୬-୨୭ ରଣଜୀ ସିଜିନ
କଟକ : ଅକ୍ଟୋବର ୧୧ରୁ ଆରମ୍ଭ ହେବ ୨୦୨୬-୨୭ ରଣଜୀ ସିଜିନ । ଖେଳ ପାଇଁ ଓଡ଼ିଶା ଟିମ ଗତ ଦୁଇ ମାସ ହେବ ଜୋରସୋରରେ ପ୍ରସ୍ତୁତି ଚଳାଇଛି । ଓଡିଶା ଟିମ ଏଥର କଷ୍ଟକର ଏଲିଟ୍ ଗ୍ରୁ- ସି ରେ ସ୍ଥାନ ପାଇଛି। ଏଥିରେ ଗୁଜରାଟ, ଦିଲ୍ଲୀ,ମହାରାଷ୍ଟ୍ର, ବେଙ୍ଗଲ, ଝାଡ଼ଖଣ୍ଡ, ସର୍ଭିସେସ ଓ କେରଳ ଭଳି ଟିମ ରହିଛନ୍ତି। ଅକ୍ଟୋବର ୧୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ଅହମଦାବାଦରେ ଓଡିଶା ଗୁଜରାଟକୁ ତାର ପ୍ରଥମ ମ୍ୟାଚରେ ଭେଟିବ । ଏହା କଷ୍ଟକର ହେବ, କାରଣ ଗୁଜରାଟ ଭଲ ଟିମ ଏବଂ ତାର ଘରୋଇ ପରିବେଶରେ ଗୁଜରାଟକୁ ଓଡ଼ିଶା ଭେଟିବ। ସେପଟେ ଭିନ୍ନ ଭିନ୍ନ ସମୟ ଓ ପରିବେଶରେ ନିଜକୁ ଖାପଖୁଆଇ ଭଲ ଖେଳିବାକୁ ଓଡ଼ିଶା ଟିମ୍ ପ୍ରୟାସ କରିଛି । ରଣଜୀ ଟ୍ରଫି ଏଲିଟ୍ ଗ୍ରୁପରେ ସବୁ ଦଳ ଭଲ , ତେଣୁ ଓଡ଼ିଶାକୁ ଶ୍ରେଷ୍ଠ ଖେଳ ଦେଖାଇବାକୁ ପଡିବ ବୋଲି କହିଛନ୍ତି ଅଭିଜ୍ଞ ଖେଳାଳି ଶୁଭ୍ରାଂଶୁ ସେନାପତି ।
ଓଡିଶା ଦ୍ବିତୀୟ ମ୍ୟାଚରେ ଅକ୍ଟୋବର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ କେରଳକୁ, ତୃତୀୟ ମ୍ୟାଚରେ ଅକ୍ଟୋବର ୨୬ ରୁ ୨୯ ପର୍ଯ୍ୟନ୍ତ ସର୍ଭିସେସକୁ, ଚତୁର୍ଥ ମ୍ୟାଚରେ ନଭେମ୍ବର ୨ ତାରିଖରୁ ୫ ପର୍ଯ୍ୟନ୍ତ ଝାଡ଼ଖଣ୍ଡକୁ ଭେଟିବ। ସେହିପରି ଓଡିଶା ପଞ୍ଚମ ମ୍ୟାଚ ନଭେମ୍ବର ୧୭ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ବିପକ୍ଷରେ ଖେଳିବ । ଏହା ପରେ ଓଡିଶା ଷଷ୍ଠ ମ୍ୟାଚ ୨୪ ରୁ ୨୭ ଜାନୁଆରୀ ମହାରାଷ୍ଟ୍ର ବିପକ୍ଷରେ ଓ ସପ୍ତମ ତଥା ଶେଷ ମ୍ୟାଚ ଫେବ୍ରୁୟାରୀ ୧ ତାରିଖରୁ ୪ ମଧ୍ଯରେ ବେଙ୍ଗଲ ବିପକ୍ଷରେ ଖେଳିବ। ଦୁଇଟି ମ୍ୟାଚ ଛାଡି ଓଡିଶା ସବୁ ମ୍ୟାଚ ବାହାରେ ଖେଳିବ । ସମୀକ୍ଷକଙ୍କ ମତ, ଏଥର ଓଡିଶାକୁ ପଛ କଥା ଭୁଲି ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିବାକୁ ପଡିବ।…
ଓଡିଶା ଟିମ ଆଉ ତିନି ଦିନ ପରେ ପ୍ରଥମ ମ୍ୟାଚ ଖେଳିବାକୁ ଅହମଦାବାଦ ଯାତ୍ରା କରିବ
ଛାତ୍ର ଆନ୍ଦୋଳନର ଉଗ୍ର ରୂପ: ୫ହଜାର ଗିରଫ !
ନନ୍ଦିଘୋଷ ଟିଭି: ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଛାତ୍ରଛାତ୍ରୀ । ସ୍କୁଲ ଗେଟ୍ ବନ୍ଦ କରିଦିଆଯାଇଛି । ଡଷ୍ଟବିନରେ ନିଆଁ ଲାଗାଯାଉଛି ଏବଂ କେତେକ ସ୍ଥାନରେ ପୋଲିସ ସହ ଛାତ୍ରଛାତ୍ରୀଙ୍କର ସଂଘର୍ଷ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି । ଫ୍ରାନ୍ସରୁ ସାମ୍ନାରୁ ଆସିଛି ଏଭଳି ଘଟଣା । ଏଠାରେ ଚାଲିଥିବା ପ୍ରତିବାଦ ଏତେ ଉଗ୍ର ରୂପ ଧାରଣ କରିଛି ଯେ, ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସକୁ କିଛି କିଛି ସ୍ଥାନରେ ଟିୟର ଗ୍ୟାସ ଏବଂ ରବର ବୁଲେଟ ମାଡ କରିବାକୁ ପଡିଥିଲା । ଏହି ଘଟଣାରେ ସୋମବାର ଠାରୁ ଏପର୍ଯ୍ୟନ୍ତ ପାଖାପାଖି ୫,୦୦୦ ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି । କେବଳ ଶୁକ୍ରବାର ଦିନ ହିଁ ୧,୭୪୭ ଲୋକଙ୍କୁ ଗିରଫ କରାଯାଇଥିଲା । ଏହାସହ ୭୩୫ ଶିକ୍ଷାନୁଷ୍ଠାନ ପ୍ରଭାବିତ ହୋଇଥିଲା । ଏହା ପୂର୍ବରୁ ଗୁରୁବାର ଏହି ସଂଖ୍ୟା ୧,୦୦୦ ରୁ ଅଧିକ ହାଇସ୍କୁଲ ପର୍ଯ୍ୟନ୍ତ ପହଁଞ୍ଚି ଯାଇଥିଲା । ଅର୍ଥାତ ମାତ୍ର କିଛି ଦିନ ମଧ୍ୟରେ ହିଁ ଏହି ସ୍ଥାନୀୟ ପ୍ରତିବାଦ ଜାତୀୟ ସଙ୍କଟର ରୂପ ନେଇଛି । ଆଉ ଏହାରି ଭିତରେ ଅକ୍ଟୋବର ୬ ତାରିଖରେ ଛାତ୍ର ସଂଗଠନଗୁଡିକ ଦେଶବ୍ୟାପୀ ପ୍ରତିବାଦ କରିବାକୁ ଘୋଷଣା କରିଛନ୍ତି ।
ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏହି ଆନ୍ଦୋଳନର ମୂଖ୍ୟ କାରଣ କୌଣସି ଗୋଟିଏ ପ୍ରସଙ୍ଗ ନୁହେଁ , ବରଂ ଛାତ୍ରଛାତ୍ରୀଙ୍କ ଅଭିଯୋଗ ଦୀର୍ଘ ବର୍ଷ ଧରି ଚାଲିଆସିଥିବା ସ୍କୁଲ ଅବ୍ୟବସ୍ଥା ସହିତ ଜଡିତ । ସବୁଠାରୁ ବଡ ଓ ଗୁରୁତ୍ବପୂର୍ଣ୍ଣ ସମସ୍ୟା ହେଉଛି ଶିକ୍ଷକଙ୍କ ଅଭାବ । ସ୍ଥିତି ଏମିତି ଯେ, ଅନେକ ସ୍କୁଲରେ ଶିକ୍ଷକ ନାହାନ୍ତି ଅଥବା ଦୀର୍ଘ ସମୟ ଧରି ଅନୁପସ୍ଥିତ ରହିବା କାରଣରୁ ତାଙ୍କ ଜାଗାରେ ଅନ୍ୟ ଶିକ୍ଷକ ମିଳୁନାହାନ୍ତି । ଯାହାର ସିଧାସଳଖ ପ୍ରଭାବ ପଡୁଛି ଛାତ୍ରଛାତ୍ରୀଙ୍କ ଶିକ୍ଷା ଉପରେ । କିଛି ଛାତ୍ର ଅଭିଯୋଗ କରିଛନ୍ତି ଯେ, ଜରୁରୀ ସବଜେକ୍ଟର କ୍ଲାସ ମଧ୍ୟ ବାତିଲ କରାଯାଉଛି । ଆଉ ଏକ ପ୍ରମୁଖ ସମସ୍ୟା ହେଉଛି ଭଙ୍ଗା କୋଠା ଏବଂ କ୍ଲାସରୁମ୍ ର ଅଭାବ । କେଉଁଠି ପାଣିର ଅଭାବ ତ ଆଉ କେଉଁଠି ଗରମରେ ହନ୍ତସନ୍ତ ହେଉଛନ୍ତି ପିଲେ । କିଛି କିଛି ସ୍କୁଲରେ ସକାଳ ୮ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସିଡ୍ୟୁଲ ରହିଥାଏ । ତେଣୁ ଦୀର୍ଘ ସମୟ ଏବଂ ଚାପଯୁକ୍ତ ପଢା ପାଇଁ ଛାତ୍ରଛାତ୍ରୀମାନେ ସଂଘର୍ଷ କରୁଛନ୍ତି ।
ସୁଚନା ଅନୁସାରେ, ଏହି ପୂରା ଆନ୍ଦୋଳନ ୧୭ ସେପ୍ଟେମ୍ବର ରେ ପ୍ୟାରିସ ନିକଟସ୍ଥ କ୍ରେଟିଲର ଆଣ୍ଟେଇନ୍ ଡି ସେଣ୍ଟ- ଏକ୍ଯଜୁପେରୀ ହାଇସ୍କୁଲରେ ଆରମ୍ଭ ହୋଇଥିଲା । ସେଠାରେ କର୍ମଚାରୀ, ସମ୍ବଳ ଅଭାବ ଯୋଗୁଁ ଶିକ୍ଷକମାନେ ଆନ୍ଦୋଳନ ଆରମ୍ଭ କରିଥିଲେ । ଯାହାପରେ ଧିରେ ଧିରେ ଏହା ସାରା ଦେଶକୁ ବ୍ୟାପି ଯାଇଥିଲା । ତେବେ ଏହି ପ୍ରତିବାଦ କେବଳ ସ୍କୁଲ ସୁବିଧା ବିଷୟରେ ନୁହେଁ ବରଂ ଶିକ୍ଷାଗତ ଅସମାନତା ଏହା ପଛରେ ଏକ ବଡ ମୁଦ୍ଦା ହୋଇ ରହିଛି ।

