spot_img
Home Blog Page 69

ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ମାମଲା: ତଦନ୍ତ ପାଇଁ କେନ୍ଦ୍ରାପଡ଼ା ଆସୁଛି NHRC ଟିମ୍

ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲାର ବହୁ ଚର୍ଚ୍ଚିତ ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ମାମଲାରେ ଆରମ୍ଭ ହେବାକୁ ଯାଉଛି ବଡ଼ ତଦନ୍ତ। ସୂଚନାଯାେଗ୍ୟ ଯେ, ଗତ ଜୁନ୍ ୧୧ ତାରିଖରେ ମହାକାଳପଡ଼ା ବିଡିଓଙ୍କ ଚାମ୍ବର ଭିତରେ ଚାମେଲିଙ୍କ ସହ ମାରପିଟ୍ ଓ ଦୁର୍ବ୍ୟବହାର ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାର ତଦନ୍ତ ପାଇଁ ଆଜି ଜାତୀୟ ମାନବାଧିକାର କମିଶନ  କେନ୍ଦ୍ରାପଡ଼ା ଗସ୍ତ କରୁଛନ୍ତି।

ଏହି ମାମଲାର ଅନୁସନ୍ଧାନ ପାଇଁ NHRCର ଏକ ୩ ଜଣିଆ ବିଶେଷ ଟିମ୍ ଆଜି ଅପରାହ୍ନରେ କେନ୍ଦ୍ରାପଡ଼ାରେ ପହଞ୍ଚିବେ। ଏ ନେଇ କମିଶନଙ୍କ ଦିଲ୍ଲୀ କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ପତ୍ର ମାଧ୍ୟମରେ ଆଗୁଆ ସୂଚନା ପ୍ରଦାନ କରାଯାଇଛି। ତଦନ୍ତକାରୀ ଟିମ୍ ଘଟଣା ସହ ଜଡ଼ିତ ସମସ୍ତ ପକ୍ଷଙ୍କୁ ଭେଟି ସେମାନଙ୍କ ବୟାନ୍ ରେକର୍ଡ କରିବେ।

ଗସ୍ତ ସମୟରେ କମିଶନ ମହାକାଳପଡ଼ା ପୋଲିସ, ବିଡିଓ, କାର୍ଯ୍ୟାଳୟର କର୍ମଚାରୀ, ଉପସ୍ଥିତ ପ୍ରତ୍ୟକ୍ଷଦର୍ଶୀ, ତଦନ୍ତକାରୀ ଅଧିକାରୀ ଏବଂ ଡାକ୍ତରଙ୍କୁ ପଚରାଉଚରା କରିବାର କାର୍ଯ୍ୟକ୍ରମ ରହିଛି। ତେବେ NHRC ଟିମ୍‌ଙ୍କ ଏହି ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ କିମ୍ବା ପୋଲିସ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଟାଙ୍ଗୀରେ ହାତୀ-ବାରହା ଉପଦ୍ରବ: ଆରଆଇ ଅଫିସ୍ ସାମ୍ନାରେ ଚାଷୀଙ୍କ ଧାରଣା

ନନ୍ଦିଘୋଷ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର ବିଭିନ୍ନ ଗାଁରେ ଏବେ ହାତୀ ଓ ବାରହା ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। ବନ୍ୟଜନ୍ତୁମାନେ ଜନବସତିରେ ପଶି ବ୍ୟାପକ ଧାନ ଫସଲ ଖାଇବା ସହ ପନିପରିବାକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଉଛନ୍ତି। ରାତି ହେଲେ ଗାଁ ଗାଁରେ ହାତୀ ଓ ବାରହା ପାଲଟୁଛନ୍ତି ଆତଙ୍କର କାରଣ, ଯାହାଫଳରେ ନିଜର ଗୁଜରାଣ ମେଣ୍ଟାଉଥିବା ଗରିବ ଚାଷୀମାନେ ଏବେ ସର୍ବସ୍ୱାନ୍ତ ହୋଇ ମୁଣ୍ଡରେ ହାତ ଦେଇ ବସିଛନ୍ତି।

ତେବେ ଏହି ସମସ୍ୟାର ସ୍ଥାୟୀ ସମାଧାନ ଏବଂ କ୍ଷତିପୂରଣ ପାଇଁ ଚାଷୀମାନେ ବାରମ୍ବାର ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ (DFO)ଙ୍କୁ ଗୁହାରି କରିଛନ୍ତି। ମାତ୍ର ବନ ବିଭାଗର ଅବହେଳା ଯୋଗୁଁ କୌଣସି ସୁଫଳ ମିଳିନାହିଁ। ବାରମ୍ବାର ଅଭିଯୋଗ ସତ୍ତ୍ୱେ ବନ ବିଭାଗ କୌଣସି ପଦକ୍ଷେପ ନ ନେବାରୁ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ତେବେ ପ୍ରଶାସନିକ ଉଦାସୀନତାରେ ଅତିଷ୍ଠ ହୋଇ ଶେଷରେ ଚାଷୀମାନେ ଆନ୍ଦୋଳନର ପନ୍ଥା ଆପଣାଇଛନ୍ତି । ବନ୍ୟଜନ୍ତୁଙ୍କ ଦାଉରୁ ଫସଲ ସୁରକ୍ଷା ଏବଂ ନଷ୍ଟ ହୋଇଥିବା ଫସଲର ଉଚିତ୍ କ୍ଷତିପୂରଣ ଦାବିରେ ଆଜି ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଚାଷୀ ଗଣଧାରଣାରେ ବସିଛନ୍ତି। ଯଥାଶୀଘ୍ର ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।

ବାର୍ଦ୍ଧକ୍ୟ ଭତ୍ତା ପାଇଁ ହନ୍ତସନ୍ତ ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗ: ବିଡିଓ ଅଫିସ୍ ସାମ୍ନାରେ ଧାରଣା

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟ ସରକାର ସାମାଜିକ ସୁରକ୍ଷା ଯୋଜନା ମାଧ୍ୟମରେ ବୃଦ୍ଧ, ବୃଦ୍ଧା ଓ ଦିବ୍ୟାଙ୍ଗମାନଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମାତ୍ର ସରଜମିନରେ ଏହାର ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ମାସିକ ଭତ୍ତା ଟିକିଏ ପାଇବା ପାଇଁ ଆଜି ବି ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗମାନଙ୍କୁ ନାହିଁ ନଥିବା ହଇରାଣ ହରକତ ହେବାକୁ ପଡ଼ୁଛି। ବୟସର ଅପରାହ୍ନରେ ପହଞ୍ଚିଥିବା ଏହି ଅସହାୟ ଲୋକମାନେ ଟଙ୍କା କେଇଟା ପାଇଁ ପଞ୍ଚାୟତ କାର୍ଯ୍ୟାଳୟରୁ ଆରମ୍ଭ କରି ବ୍ଲକ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବାରମ୍ବାର ଦୌଡ଼ି ଦୌଡ଼ି ନୟାନ୍ତ ହୋଇପଡ଼ିଲେଣି।

ଏଭଳି ଏକ ଚିନ୍ତାନୀୟ ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକର ଠୁରୁବୁରୀ ପଞ୍ଚାୟତରୁ। ଦୀର୍ଘ ଦିନ ହେବ ସରକାରୀ ଭତ୍ତା ପାଇବାରୁ ବଞ୍ଚିତ ହୋଇରହିଥିବା ବହୁ ହିତାଧିକାରୀ ଶେଷରେ ବାଧ୍ୟ ହୋଇ ପ୍ରତିବାଦର ବାଟ ଆପଣେଇଛନ୍ତି। ନିଜର ପ୍ରାପ୍ୟ ହକ୍ ପାଇଁ ଶତାଧିକ ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗ ବ୍ୟକ୍ତି ଏକାଠି ହୋଇ ଗଣଧାରଣାରେ ବସିଛନ୍ତି।

ତେବେ ଆନ୍ଦୋଳନକାରୀମାନେ ଶେରଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସାକ୍ଷାତ କରି ନିଜ ନିଜର ଦୁଃଖ ଓ ସମସ୍ୟା ଜଣାଇବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ, ଆବେଦନ କରିବାର ଦୀର୍ଘ ମାସ ବିତିଯାଇଥିଲେ ବି ସେମାନଙ୍କୁ ଭତ୍ତା ମିଳୁନାହିଁ। କେତେକଙ୍କୁ ବୈଷୟିକ ତ୍ରୁଟି କିମ୍ବା କାଗଜପତ୍ର ଯାଞ୍ଚ ନାଁରେ ସେମାନଙ୍କୁ କାର୍ଯ୍ୟାଳୟକୁ ବାରମ୍ବାର ଡକାଯାଉଥିଲେ ସୁଦ୍ଧା କୌଣସି ସ୍ଥାୟୀ ସମାଧାନ ହୋଇପାରୁନାହିଁ। ଯଥାଶୀଘ୍ର ସେମାନଙ୍କୁ ଭତ୍ତା ପ୍ରଦାନ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ସେମାନେ ଚେତାବନୀ ମଧ୍ୟ ଦେଇଛନ୍ତି।

‘ଅପ୍ଟୋଜେନେଟିକ୍ସ’ ଆବିଷ୍କାର ପାଇଁ ୩ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର

ନନ୍ଦିଘୋଷ ବ୍ୟୁରୋ: ଚଳିତ ବର୍ଷ ମେଡିସିନ୍ କ୍ଷେତ୍ରରେ ନୋବେଲ ପୁରସ୍କାର ପାଇବା ପାଇଁ ତିନି ଜଣ ବିଶିଷ୍ଟ ବୈଜ୍ଞାନିକ ମନୋନୀତ ହୋଇଛନ୍ତି। ସେମାନେ ହେଉଛନ୍ତି – କାର୍ଲ ଡିସେରୋଥ , ପିଟର ହେଗେମାନ ଏବଂ ଜର୍ଜ ନାଗେଲ । ଅତ୍ୟନ୍ତ ସୂକ୍ଷ୍ମତାର ସହ ମସ୍ତିଷ୍କର ସ୍ନାୟୁ ଉପରେ ବିଶେଷ ଗବେଷଣା ପାଇଁ ଏହି ତିନି ବୈଜ୍ଞାନିକଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ।

ଆଲୋକ ଦ୍ୱାରା ନିୟନ୍ତ୍ରିତ ଆୟନ୍ ଚ୍ୟାନେଲ୍‌‌  ଏବଂ ‘ଅପ୍ଟୋଜେନେଟିକ୍ସ’ (Optogenetics) ସମ୍ପର୍କିତ ଯୁଗାନ୍ତକାରୀ ଆବିଷ୍କାର ପାଇଁ ସେମାନଙ୍କୁ ଏହି ନୋବେଲ ପୁରସ୍କାର ମିଳିବ। ସ୍ୱିଡେନର ପ୍ରସିଦ୍ଧ କାରୋଲିନସ୍କା ଇନ୍‌ଷ୍ଟିଚ୍ୟୁଟର ନୋବେଲ ଆସେମ୍ବ୍ଲି ପକ୍ଷରୁ ଆନୁଷ୍ଠାନିକ ଭାବେ ଏହି ନାମ ଘୋଷଣା କରାଯାଇଛି।

ଏହି ତିନି ଜଣ ବୈଜ୍ଞାନିକଙ୍କ ଗବେଷଣା ‘ଅପ୍ଟୋଜେନେଟିକ୍ସ’ର ମୂଳଦୁଆ ପକାଇଥିଲା। ଏହା ଏକ ଏଭଳି ଆଧୁନିକ ପଦ୍ଧତି, ଯେଉଁଥିରେ ଆଲୋକ ବ୍ୟବହାର କରି ସ୍ନାୟୁ କୋଷ (Neurons) ଗୁଡ଼ିକୁ ନିୟନ୍ତ୍ରଣ କରାଯାଇପାରେ। ଏହି ନୂତନ ପ୍ରଯୁକ୍ତି ମାଧ୍ୟମରେ ନିର୍ଦ୍ଦିଷ୍ଟ ମସ୍ତିଷ୍କ ସର୍କିଟ୍‌ ଗୁଡ଼ିକ କିପରି ମଣିଷର ସ୍ମୃତି, ଭାବନା ଏବଂ ଆଚରଣକୁ ପ୍ରଭାବିତ କରେ, ତାହା ଅଧ୍ୟୟନ କରିବା ସମ୍ଭବ ହୋଇପାରିଛି ।

୧୫ ତାରିଖରେ ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ବର : ବାଜିଲା ବିଗୁଲ, କମ୍ପିଲା କ୍ୟାମ୍ପସ । ସରଗରମ କଲେଜ ରାଜନୀତି । ଆସନ୍ତା ୧୫ ତାରିଖରେ ଛାତ୍ର ସଂସଦ ନିର୍ବାଚନ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିବା ପରେ ଛାତ୍ର ସଂସଦ ନିର୍ବାଚନ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ତାରିଖ ଘୋଷଣା କରିଛନ୍ତି । ଏହାସହ ନିର୍ବାଚନ ହେବା ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ୧୦ ଦିନ ଭିତରେ ନିର୍ବାଚନ ସରିବ ବୋଲି ଉଲ୍ଲେଖ ରହିଛି । ନିର୍ବାଚନ ନେଇ ଅକ୍ଟୋବର ୭ ତାରିଖରେ ବାହାରିବ ବିଜ୍ଞପ୍ତି । ୯ ତାରିଖରେ ନାମାଙ୍କନ ଦାଖଲ ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ୯ ତାରିଖ ଦିନ ୧୦ଟାରୁ ଗୋଟାଏ ଭିତରେ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାରିବେ । ସେହିଦିନ ଅପରାହ୍ଣ ୨ଟାରୁ ୪ଟା ଭିତରେ ନାମାଙ୍କନ ଯାଞ୍ଚ ସରିବ । ୫ଟାରେ ବୈଧ ନାମାଙ୍କନ ପ୍ରକାଶ ପାଇବ । ସେହିପରି ୧୦ ତାରିଖ ନାମାଙ୍କନ ପ୍ରତ୍ୟାହାର ଦିବସ ରହିଥିବାବେଳେ ଦିନ ୧୦ରୁ ଗୋଟାଏ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ସମୟ ରହିଛି । ସେହି ୧୦ ତାରିଖ ଅପରାହ୍ନ ୩ଟାରେ ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା । ୧୪ ତାରିଖରେ ହ୍ବାଏ ଆଇ ଷ୍ଟାଣ୍ଡ ଫର ମିଟିଂ ଅନୁଷ୍ଠିତ ହେବ । ୧୫ ତାରିଖରେ ନିର୍ବାଚନ ସକାଳ ୮ଟାରୁ ଦିନ ଦୁଇଟା ପର୍ଯ୍ୟନ୍ତ ଭୋଟଗ୍ରହଣ ଚାଲିବ । ଭୋଟଗ୍ରହଣ ସରିବା ପରେ କାଉଣ୍ଟିଂ କରାଯାଇ ଫଳାଫଳ ପ୍ରକାଶ ପାଇବ । ୧୬ ତାରିଖରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ରାଜ୍ୟର ସବୁ କଲେଜରେ ନିର୍ବାଚନ ହେବାକୁ ଯାଉଛି ।  ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ସାରିବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଅପିଲ କରିଛନ୍ତି ।…

ଓମାନି ପାଇଲଟଙ୍କୁ ପ୍ରଶଂସାରେ ପୋତିଲା ଅଲ୍-କାଏଦା: ଦେଲା ବଡ ଧମକ !

ନନ୍ଦିଘୋଷ ବ୍ୟୁରୋ: ପୁଣିଥରେ ହେବ କି ଫ୍ଳାଏଦୁବାଇ ଭଳି ଆକ୍ରମଣ ? ବଡ ଯୋଜନା କରିଛି ଅଲ-କାଏଦା ।  ପୁଣିଥରେ ଆକ୍ରମଣ କରିବାକୁ ଦେଲା ଚେତାବନୀ ।  ଫ୍ଲାଏଦୁବାଇରେ ଆକ୍ରମଣ କରିଥିବା ଓମାନି ପାଇଲଟ୍ ହିମାମି-ଅଲ୍-ହାମାମୀର ଭୁରି ଭୁରି ପ୍ରଶଂସା କରିଛି ଅଲ୍-କାଏଦା । ହମାମୀଙ୍କ ବିମାନ କ୍ରାସ କରାଇବାର ପ୍ରୟାସରେ ସେ ବହୁତ ଖୁସି । କେବଳ ସେତିକି ନୁହେଁ,  ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛାରଙ୍କ ଉପରେ ହୋଇଥିବା ଆକ୍ରମଣ ଉପରେ ମଧ୍ୟ ଅଲ୍-କାଏଦା ଖୁସି ପ୍ରକାଶ କରିଛି । ଅଲ୍-କାଏଦାର ୟେମେନ ବ୍ରାଞ୍ଚ ଏକ ଆର୍ଟିକିଲ୍ ଛପାଇଛି, ଯେଉଁଥିରେ ଓମାନି ପାଇଲଟଙ୍କ ପ୍ରଶଂସା କରିବା ସହିତ ଭବିଷ୍ୟତରେ ଏଭଳି ଆହୁରି ଆକ୍ରମଣ ହେବ ବୋଲି ଖୋଲାଖୋଲି ଧମକ ଦେଇଛି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ, ଅଲ୍-କାଏଦାର ୟେମେନ ବ୍ରାଞ୍ଚ ସାପ୍ତାହିକ ପତ୍ରିକା ଅଲ-ବୟାନରେ ଏକ ଲେଖା ପ୍ରକାଶ କରିଛି, ଯେଉଁଥିରେ ଅଲ୍-କାଏଦା ପକ୍ଷରୁ କୁହାଯାଇଛି ଯେ, ‘‘ଯୁଦ୍ଧ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଜାୟୋନିଷ୍ଟ, ଆମେରିକୀୟ ଏବଂ ଇସଲାମ ବିରୁଦ୍ଧରେ ଲଢୁଥିବା ବିଭିନ୍ନ ଗୋଷ୍ଠୀର ସେନା ବାହିନୀଙ୍କୁ ନେଇ ଯାଉଥିବା ବିମାନଗୁଡିକ ଏବେବି ଆକାଶରେ ଉଡୁଛି । ସେମାନଙ୍କ ମୁଣ୍ଡ ଉପରେ ଆକ୍ରମଣର ବିପଦ ଘୁରି ବୁଲୁଛି । ଯେଭଳି ସେପ୍ଟେମ୍ବର ୧୧ ଏବଂ ୩୦ରେ ହୋଇଥିଲା, ପୁଣି ଥରେ ସେହିଭଳି ହେବ ।‘‘

ଯଦି ଦେଖିବା  ହମାମିଙ୍କର ଅଲ୍-କାଏଦା ସହିତ ପୁରୁଣା କନେକ୍ସନ ରହିଥିବା ନେଇ ଅନେକ ପ୍ରମାଣ ମିଳିଛି । ପୂର୍ବରୁ ଅଲ-ହମାମି ସହ ଜଡିତ ଡିଲିଟ କରାଯାଇଥିବା ସୋସିଆଲ ମିଡିଆ ଆକାଉଣ୍ଟଗୁଡିରେ ଉଗ୍ରବାଦୀ ବିଷୟବସ୍ତୁ ଥିବା ସାମ୍ନାକୁ ଆସିଥିଲା । ଏହି ଆକାଉଣ୍ଟଗୁଡିକରେ କକପିଟ୍ ରୁ ଜୁମ୍ ହୋଇଥିବା ଏଲ୍ ଅଲ୍, ଆର୍କିଆ ବିମାନର ଫୁଟେଜ ସହ ପୂର୍ବତ୍ତନ ଅଲ୍-କାଏଦା ନେତା ଆୟମାନ ଅଲ୍-ଜଓ୍ବାହିରୀ ଏବଂ ୨୦୦୯ ମସିହାରେ ସାତ ଜଣ ସିଆଇଏ କର୍ମଚାରୀଙ୍କୁ ହତ୍ୟା କରିଥିବା ଆତ୍ମଘାତୀ ବିସ୍ଫୋରଣକାରୀଙ୍କ  ଫଟୋ ରହିଥିଲା ।

ସୂଚନା ମୁତାବକ, ଅଲ୍-ହମାମିଙ୍କୁ ବିମାନ ଉଡାଣ ଟ୍ରେନିଂ ଆରମ୍ଭ କରିବା ପୂର୍ବରୁ ହିଁ ଓମାନ ଏୟାରରେ ଉଡାଣ ତାଲିମରୁ ହଟାଇ ଦିଆଯାଇଥିଲା । ତାଙ୍କ ଉପରେ ଉଗ୍ରବାଦୀର ଆରୋପ ମଧ୍ୟ ଲାଗିଥିଲା । ତାର ବିଚାରଧାରାକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । କିନ୍ତୁ ମାତ୍ର ୮ ମାସ ପରେ ପୁଣିଥରେ ତାଙ୍କୁ ଏୟାରଲାଇନ୍ସରେ ଚାକିରି ମିଳିଯାଇଥିଲା । ଆଉ ତା’ପରେ ସେ ଫ୍ଲାଏଦୁବାଇର ବିମାନକୁ କ୍ରାସ୍ କରିବାକୁ ଚେଷ୍ଟା କରିଥିଲା । କିଛି ରିପୋର୍ଟ ଏହା ମଧ୍ୟ ଦାବି କରିଛନ୍ତି ଯେ, ସେ ତେଲ ଅବିଭରେ ଥିବା ବିଲ୍ଡିଂରେ କ୍ରାସ୍ କରିବାକୁ ଯୋଜନା କରିଥିଲା ।  କିନ୍ତୁ ଭାରତୀୟ ପାଇଲଟ୍ ଙ୍କ ସାହସିକତା ଯୋଗୁଁ ତାଙ୍କର ସବୁ ଯୋଜନା ପଣ୍ଡ ହୋଇଯାଇଥିଲା ଏବଂ ଶହ ଶହ ଯାତ୍ରୀଙ୍କ ଜୀବନ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଥିଲା ।

ବ୍ରାଜିଲ ରାଷ୍ଟ୍ରପତି ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ଆଗୁଆ ଫ୍ଲାଭିଓ ବୋଲସୋନାରୋ

ନନ୍ଦିଘୋଷ ବ୍ୟୁରୋ: ବ୍ରାଜିଲର ରାଷ୍ଟ୍ରପତି ନିର୍ବାଚନ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ପହଞ୍ଚିଛି। ପ୍ରଥମ ପର୍ଯ୍ୟାୟ ଭୋଟର ଫଳାଫଳ ଦେଶର ରାଜନୈତିକ ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି। ୯୮.୮୧ ପ୍ରତିଶତ ଭୋଟ ଗଣନା ଶେଷ ସୁଦ୍ଧା, ଦକ୍ଷିଣପନ୍ଥୀ ପ୍ରାର୍ଥୀ ଫ୍ଲାଭିଓ ବୋଲସୋନାରୋ ୪୭.୨୪ ପ୍ରତିଶତ ଭୋଟ ପାଇ ଆଗୁଆ ରହିଛି । ଅନ୍ୟପଟେ, ବର୍ତ୍ତମାନର ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡା ସିଲଭା ୪୪.୯୧ ପ୍ରତିଶତ ଭୋଟ ସହ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି।

ବ୍ରାଜିଲର ନିର୍ବାଚନ ବ୍ୟବସ୍ଥା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ସିଧାସଳଖ ଜିତିବା ପାଇଁ ଜଣେ ପ୍ରାର୍ଥୀଙ୍କୁ ୫୦ ପ୍ରତିଶତରୁ ଅଧିକ ଭୋଟ୍ ପାଇବାକୁ ପଡ଼ିଥାଏ। ତେବେ ଫ୍ଲାଭିଓ ବୋଲସୋନାରୋ ଏହି ଆବଶ୍ୟକୀୟ ମ୍ୟାଜିକ୍ ନମ୍ବର ହାସଲ କରିବାରେ ବିଫଳ ହୋଇଛନ୍ତି। କୌଣସି ପ୍ରାର୍ଥୀ ୫୦ ପ୍ରତିଶତ ଅଙ୍କ ଛୁଇଁ ନ ଥିବାରୁ, ଏବେ ଏହି ଦୁଇ ପ୍ରମୁଖ ନେତା ଅକ୍ଟୋବର ୨୫ ତାରିଖରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ସିଧାସଳଖ ମୁହାଁମୁହିଁ ହେବେ।

ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜାଇର ବୋଲସୋନାରୋଙ୍କ ପୁଅ ଫ୍ଲାଭିଓ ବୋଲସୋନାରୋଙ୍କ ଏହି ପ୍ରଥମ ପର୍ଯ୍ୟାୟ ପ୍ରଦର୍ଶନକୁ ବେଶ୍ ଦମଦାର୍ ବୋଲି ବିବେଚନା କରାଯାଉଛି। ସୂଚନାଯୋଗ୍ୟ ଯେ, ସାମରିକ ବିପ୍ଳବ ମାଧ୍ୟମରେ ପୂର୍ବ ନିର୍ବାଚନ ଫଳାଫଳକୁ ଓଲଟାଇ ଦେବାର ବିଫଳ ଷଡ଼ଯନ୍ତ୍ର ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ, ପୂର୍ବତନ ଦକ୍ଷିଣପନ୍ଥୀ ନେତା ଜାଇର ବୋଲସୋନାରୋ ବର୍ତ୍ତମାନ ୨୭ ବର୍ଷର ଜେଲ ଦଣ୍ଡ ଭୋଗୁଛନ୍ତି।

ତେବେ ନିର୍ବାଚନ ପ୍ରଚାର ସମୟରେ ବିଭିନ୍ନ ମତାମତ ସର୍ଭେରେ ଲୁଲା ସାମାନ୍ୟ ଆଗୁଆ ଥିଲେ ଏବଂ ଏକ କଡ଼ା ପ୍ରତିଯୋଗିତା ହେବ ବୋଲି ଆଶା କରାଯାଉଥିଲା। ତଥାପି, ଫ୍ଲାଭିଓ ବୋଲସୋନାରୋଙ୍କ ପ୍ରଦର୍ଶନ ସମସ୍ତ ଆକଳନକୁ ପଛରେ ପକାଇ ଦେଇଛି। ଏହି ଫଳାଫଳ ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ଫ୍ଲାଭିଓଙ୍କ ପାଇଁ ଫାଇଦାଗ୍ରାହୀ ହୋଇପାରେ, କାରଣ ଦ୍ୱିତୀୟ ପର୍ଯ୍ୟାୟକୁ ଯାଇପାରି ନ ଥିବା ଅନେକ ପ୍ରାର୍ଥୀ ମଧ୍ୟ ଦକ୍ଷିଣପନ୍ଥୀ ଶିବିରର। ଯଦି ବୋଲସୋନାରୋ ଏହି ସମସ୍ତ ସମର୍ଥକଙ୍କ ଭୋଟ୍ ସଂଗ୍ରହ କରିବାରେ ସଫଳ ହୁଅନ୍ତି, ତେବେ ଚୂଡ଼ାନ୍ତ ଲଢ଼େଇରେ ଏହା ନିର୍ଣ୍ଣାୟକ ସାବ୍ୟସ୍ତ ହେବ।

ବ୍ରାଜିଲର ଏହି ନିର୍ବାଚନ ଉପରେ ସମଗ୍ର ଲାଟିନ୍ ଆମେରିକାର କଡ଼ା ନଜର ରହିଛି। ସାମ୍ପ୍ରତିକ ବର୍ଷଗୁଡ଼ିକରେ ଏହି ଅଂଚଳର ଅନେକ ଦେଶରେ ଦକ୍ଷିଣପନ୍ଥୀ ନେତାମାନେ କ୍ଷମତାସୀନ ହୋଇଛନ୍ତି। ଏହି ନେତାମାନଙ୍କ ମଧ୍ୟରୁ ଅନେକଙ୍କର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ସହିତ ଘନିଷ୍ଠ ରାଜନୈତିକ ସମ୍ପର୍କ ରହିଛି। ସେଥିପାଇଁ ବ୍ରାଜିଲରେ ବାମପନ୍ଥୀ ନେତୃତ୍ୱ ଜାରି ରହିବ ନା କ୍ଷମତା ଦକ୍ଷିଣପନ୍ଥୀଙ୍କ ହାତକୁ ଯିବ, ତାହା କେବଳ ବ୍ରାଜିଲ ନୁହେଁ, ବରଂ ପୂରା ଲାଟିନ୍ ଆମେରିକାର ଆଗାମୀ ଭବିଷ୍ୟତ ନିର୍ଦ୍ଧାରଣ କରିବ।

ପାର୍ଲାମେଣ୍ଟର ଉଭୟ ଗୃହରେ ମଧ୍ୟ ଦକ୍ଷିଣପନ୍ଥୀ ଦଳଗୁଡ଼ିକ ଭଲ ପ୍ରଦର୍ଶନ କରିଛନ୍ତି। ବୋଲସୋନାରୋଙ୍କ ସାବତ ମା’ ମିଶେଲ ଏବଂ ତାଙ୍କ ଭାଇ କାର୍ଲୋସ ସେନେଟ୍ ନିର୍ବାଚନରେ ବିଜୟୀ ହୋଇଛନ୍ତି। ଯଦି ଫ୍ଲାଭିଓ ବୋଲସୋନାରୋ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୁଅନ୍ତି, ତେବେ ସେ ତାଙ୍କ ପିତାଙ୍କ ଜେଲ୍ ଦଣ୍ଡ କ୍ଷମା କରିବାର ସମ୍ଭାବନା ମଧ୍ୟ ରହିଛି ।

୩୦୦ କୋଟି ରେସରେ ‘ଦୃଶ୍ୟମ: ଦି କନକ୍ଲୁଜନ’

ନନ୍ଦିଘୋଷ ବ୍ୟୁରୋ: ଅକ୍ଟୋବର ୨ରେ ରିଲିଜ ହୋଇଯାଇଛି ବଲିଉଡ଼ ସୁପରଷ୍ଟାର ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଥ୍ରୀଲର ଓ ସସପେନ୍ସ ଫିଲ୍ମ ‘ଦୃଶ୍ୟମ: ଦି କନକ୍ଲୁଜନ’ । ରିଲିଜ ପରଠୁ ଫିଲ୍ମଟି ବକ୍ସ ଅଫିସରେ ଧୂଆଁଧାର କଲେକ୍ସସନ୍ କରୁଥିବା ଦେଖିବାକୁ ମିଳୁଛି । ଫିଲ୍ମର ଉଭୟ ପାର୍ଟ ୧ ଓ ୨କୁ ଦର୍ଶକ ବେଶ ପସନ୍ଦ କରିଥିବା ବେଳେ ଏହାର ଶେଷ ପାର୍ଟକୁ ମଧ୍ୟ ଜବରଦସ୍ତ ରେସପନ୍ସ ମିଳୁଥିବା ଦେଖିବାକୁ ମିଳୁଛି ।

ରିପୋର୍ଟ ଅନୁଯାୟୀ, ଫିଲ୍ମର ଓପନିଙ୍ଗ ଡ଼େ’ କଲେକ୍ସସନ୍ ପ୍ରାୟ ୬୨ କୋଟି ହୋଇଥିବା ବେଳେ ଫିଲ୍ମଟି ଦ୍ବିତୀୟ ଦିନ ୫୩.୫୦ କୋଟି ଓ ତୃତୀୟ ଦିନ ୬୧ କୋଟି କଲେକ୍ସସନ୍ କରିଛି । ତେବେ ରିଲିଜର ୩ ଦିନ ପରେ ସାରା ଦେଶରେ ଫିଲ୍ମଟି ମୋଟ ୧୭୬.୫୦ କୋଟି ରୋଜଗାର କରିଥିବା ବେଳେ ଏହାର ମୋଟ କଲେକ୍ସସନ୍ ୨୧୧.୮୦ କୋଟିରେ ପହଞ୍ଚିଛି । ଭାରତ ଭଳି ବିଦେଶରେ ମଧ୍ୟ ଫିଲ୍ମଟି ୩ ଦିନରେ ପ୍ରାୟ ୬୧ କୋଟି ରୋଜଗାର କରିସାରିଛି । ରିଲିଜର ତିନି ଦିନ ପରେ ଫିଲ୍ମର ମୋଟ ୱାର୍ଲ୍ଡ ୱାଇଡ଼ କଲେକ୍ସସନ୍ ପ୍ରାୟ ୨୭୨.୮୦ କୋଟିରେ ପହଞ୍ଚଛି ।

ତେବେ ଦୀର୍ଘ ୧୧ ବର୍ଷ ଧରି ସସପେନ୍ସରେ ଥିବା ବିଜୟ ସାଲଗାଓଁକରଙ୍କ ରୋମାଞ୍ଚକ କାହାଣୀ ଏବେ ‘ଦୃଶ୍ୟମ ୩’ ସହ ଶେଷ ହୋଇଛି । ଅଭିଶେକ ପାଠକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମର ବଜେଟ ପ୍ରାୟ ୧୩୦ କୋଟି ବୋଲି ଜଣାପଡ଼ିଛି । ତେବେ ଫିଲ୍ମରେ ଅଜୟ ଦେବଗନଙ୍କ ସହ ତବୁ, ଶ୍ରୀୟା ସରନ୍, ଇଶିତା ଦତ୍ତା, ମୃଣାଳ ଜାଦବ, ରଜତ କପୁର, ଜୟଦୀପ ଆହଲାଓ୍ବତ ଓ ପ୍ରକାଶ ରାଜ ନଜର ଆସିଛନ୍ତି । ତେବେ ଚଳଚ୍ଚିତ୍ରର ରୋମାଞ୍ଚକ କାହାଣୀ ଓ ଜବରଦସ୍ତ ସସପେନ୍ସ ଦର୍ଶକଙ୍କୁ ଦୀର୍ଘ ଅଢେଇ ଘଣ୍ଚା ଧରି ନିଜ ସିଟ୍ ରେ ବାନ୍ଧି ରଖିବାକୁ ବାଧ୍ୟ କରିଛି ।

 

ମୂସାର ମାଷ୍ଟର ବୁଦ୍ଧି: ଗୁଳି ବାଜିବା ଜାଗାରେ ଲଗାଉଥିଲା ମହୁ !

ନନ୍ଦିଘୋଷ ବ୍ୟୁରୋ:  ଜମ୍ମୁକାଶ୍ମୀରରେ ସୁରକ୍ଷା ବାହିନୀ ସହ  ମୁହାଁମୁହିଁ ସମୟରେ ଏନକାଉଣ୍ଟରରେ ନିହତ  ଲକ୍ସର-ଏ-ତୈବା ର ଟପ୍ ଆତଙ୍କବାଦୀ ମହମ୍ମଦ ହାସିଫ ଓରଫ ହାସିମ ମୁସା ସମ୍ପର୍କରେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଯବାନଙ୍କ ଗୁଳିରେ ଆହତ ହୋଇ ଜଙ୍ଗଲରେ ଲୁଚିଥିବା ସମୟରେ ମୁସା ଗୁଳି ବାଜିଥିବା କ୍ଷତର ଚିକିତ୍ସା ପାଇଁ ସେଥିରେ ମହୁର ବ୍ୟବହାର କରୁଥିଲା । କାହିଁକି ନା କ୍ଷତସ୍ଥାନ ଜଲ୍ଦି ଶୁଖିପାରିବ । ମୂସାର ଫୋନରୁ ଏହି ତଥ୍ୟ ମିଳିଥିବା ଜଣାପଡିଛି । ଅଧିକାରୀଙ୍କ କହିବା ମୁତାବକ, ମୁସା ଯିଏ କି ପାକିସ୍ତାନୀ ସେନାର ସ୍ବତନ୍ତ୍ର ଏସଏସଜି ଗ୍ରୁପର ପୂର୍ବତନ କମାଣ୍ଡର ଥିଲା, ସିଏ ପାରମ୍ପରିକ ଆୟୁର୍ବେଦ ପଦ୍ଧତି ବ୍ୟବହାର କରି ନିଜ କ୍ଷତର ଚିକିତ୍ସା କରୁଥିଲା । ସୁଚନା ମୁତାବକ, ଗତ ସପ୍ତାହ ଆରମ୍ଭରେ କାଶ୍ମୀରର ବଡଗାମ ଜିଲ୍ଲାର ୟୁସମାର୍ଗରେ ସେନା ସହିତ ଆମ୍ନାସାମ୍ନି ବେଳେ ଯବାନଙ୍କ ଏନକାଉଣ୍ଟରରେ ହାସିମ ମୁସା ନିହତ ହୋଇଥିଲା । କୁହାଯାଉଛି ଯେ, ମୁସା ଏହି ଅଞ୍ଚଳରେ ନିସିଦ୍ଧ ସଂଗଠନ ଲକ୍ସର-ଏ-ତୈବା ର ମୁଖ୍ୟ ଅପରେସନାଲ କମାଣ୍ଡର ଥିଲା । ପ୍ରାୟ ୧୨ରୁ ଅଧିକ ଆତଙ୍କବାଦୀ ଆକ୍ରମଣରେ ତାର ସମ୍ପୃକ୍ତି ରହିଥିଲା ।  ୨୦୨୫ରେ ପହଲଗାମର ବୈସାରଣ ଉପତ୍ୟକାରେ ହୋଇଥିବା ଆତାଙ୍କବାଦୀ ଆକ୍ରମଣର ପ୍ରମୁଖ ଷଡଯନ୍ତ୍ରକାରୀ ଥିଲା. ଯେଉଁଥିରେ ପର୍ଯ୍ୟଟକଙ୍କ ସମେତ ୨୬ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା ।  ଜମ୍ମୁର ରାଜୌରି ଅଞ୍ଚଳରେ ଅପରେସନ୍ ଶେରୁଓ୍ବାଲୀ ସମୟରେ ଡୋରିମାଲ-ଗମ୍ଭୀର ମୁଗଲା ଅଞ୍ଚଳରେ ଏକ ଏନକାଉଣ୍ଟରରେ ମୁସା ଗୁଳିବିଦ୍ଧ ହୋଇଥିଲା । ଦୁଇ ଆତଙ୍କବାଦୀଙ୍କୁ ଧରିବା ପାଇଁ ପ୍ରାୟ ୪୫ ଦିନରୁ ଅଧିକ ସମୟ ଧରି ଅପରେସନ୍ ଚାଲିଥିଲା । ପରେ ଜଣାପଡିଲା ଯେ, ଛପି ରହିଥିବା ଦୁଇ ଆତଙ୍କୀ ହେଉଛନ୍ତି ମୁସା ଓ ତା’ର ସାଥୀ ୟାସିର । ଯେହେତୁ ସୁରକ୍ଷାବାହିନୀଙ୍କ ଦ୍ବାରା ପୁରା ଅଞ୍ଚଳକୁ ଘେରାବନ୍ଦୀ କରାଯାଇଥିଲା, ଫଳରେ ମୁସାକୁ ଚିକିତ୍ସା ମିଳି ପାରୁନଥିଲା ।  ତେଣୁ ଲୁଚି ରହିଥିବା ସମୟରେ ମୁସା ତାର କ୍ଷତକୁ ଜଲ୍ଦିରୁ ଜଲ୍ଦି ଠିକ୍ କରିବା ପାଇଁ ଏବଂ ସଂକ୍ରମଣକୁ ଏଡାଇବା ପାଇଁ ସେଥିରେ ମହୁ ଲଗାଉଥଲା ।

ସୂଚନା ଅନୁସାରେ, ସେପ୍ଟେମ୍ବର ଶେଷ ସପ୍ତାହରେ ୟୁସମାର୍ଗର ଉଚ୍ଚ ଅଞ୍ଚଳରେ ୟାସିରର ମୃତ୍ୟୁ ପରେ ମୁସା ପାଖରୁ ଏକ ଫୋନ ଜବତ କରାଯାଇଥିଲା । ଏହି ଫୋନରେ ମୁସା ମହୁ ବ୍ୟବହାର କରି କିଭଳି ଚିକିତ୍ସା କରୁଥିଲା, ତାର ଫଟୋ ମଳିଥିଲା ।  ଯାହାକୁ ସୀମାପାର ପାକିସ୍ତାନରେ ଥିବା ତାଙ୍କ ହ୍ୟାଣ୍ଡଲରମାନଙ୍କୁ ପଠାଯାଉଥିଲା । ଯାହାଫଳରେ ଏହି ଆତିଙ୍କୀର ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ସୂଚନା ଦିଆଯାଇପାରିବ । ଆଉ ହ୍ୟାଣ୍ଡଲରମାନେ ମଧ୍ୟ ମୁସାକୁ ଶୁଦ୍ଧ ମହୁ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଉଥିଲେ । ଯାହଫଳରେ କ୍ଷତ ଅତି ଶୀଘ୍ର ଶୁଖିବାରେ ସାହାର୍ଯ୍ୟ ମିଳିବ । ତେବେ ଚିକିତ୍ସା ବିଶେଷଜ୍ଞଙ୍କ ମତରେ ଆୟୁର୍ବେଦରେ ପୁରୁଣା ସମୟରୁ ହିଁ କ୍ଷତରେ ମହୁ ଲଗାଇବାର ପରମ୍ପରା ରହିଛି । ଏହା ସକ୍ରଂମଣକୁ ରୋକିବା ସହ କ୍ଷତକୁ ଶୀଘ୍ର ଭରିବାରେ ସାହାର୍ଯ୍ୟ କରିଥାଏ ।

 

 

 

 

ଯୁଦ୍ଧରେ ଲାଗିବ ବିରାମ: ବଡ ଆକ୍ସନ ନେଲା ଭାରତ !

ନନ୍ଦିଘୋଷ ବ୍ୟୁରୋ: ଥମିବ ଋଷ-ୟୁକ୍ରେନ ଯୁଦ୍ଧ । ଦୁଇ ଦେଶର କଳି ତୁଟାଇବାକୁ ଆକ୍ଟିଭ ହେଲା ଭାରତ ।  ସିଧାସଳଖ କଥାବାର୍ତ୍ତା ହୋଇ ବାହାର କରିବ ସମାଧାନ ।  ଯାହା କୌଣସି ଦେଶ କରିପାରିଲେ ନାହିଁ, ତାହା ଏବେ କରି ଦେଖାଇବାକୁ ଯାଉଛି ଭାରତ । ଯୁଦ୍ଧ ସମାପ୍ତ କରିବାକୁ ଦୁଇ ପାଦ ଆଗକୁ ଯାଇ ବଡ ପଦେକ୍ଷପ ନେଇଛି । ଏନେଇ ରବିବାର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଯେ, ଭାରତ ୟୁକ୍ରେନ ସଙ୍କଟର ସମାଧାନ କରିବା ପାଇଁ ଖାଲି ଲବି କରୁ ନାହିଁ ବରଂ ଉଭୟଙ୍କ ଭିତରେ ଚାଲିଥିବା ବିବାଦର କିଭଳି ସମାଧାନ ହୋଇପାରିବ, ସେଥିପାଇଁ  କିଭ ଏବଂ ମକ୍ସୋ ସହ ଆଲୋଚନା କରି ସାମ୍ପ୍ରତିକ ମାସଗୁଡିକରେ ସମାଧାନ କରିବାର ପ୍ରୟାସକୁ ତୀବ୍ର କରିଛି । ଯଦି ଦେଖିବା କିଛି ଦିନ ପୂର୍ବରୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖରେ ଏହି ବିବାଦର ସମାଧାନ ପାଇଁ ଭଲ ଚିନ୍ତାଧାରା ରହିଛି ଯାହା ଉଭୟ ପକ୍ଷ ଦ୍ବାରା ଗ୍ରହଣୀୟ ହୋଇପାରେ । ଆଉ ଏବେ ଏକ କାର୍ଯ୍ୟକ୍ରମରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏହି ବୟାନ ଆସିବା ପରେ ଦୀର୍ଘ ସମୟ ଧରି ଜାରି ରହିଥିବା ଯୁଦ୍ଧକୁ ସମ୍ପୁର୍ଣ୍ଣ ରୂପେ ଶେଷ କରିବା ପାଇଁ ଭାରତ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ପଦେକ୍ଷପ ନିଆଯାଇପାରେ ବୋଲି ଆଶା ବଢିଛି ।

ସେପଟେ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଆଣ୍ଡ୍ରି ସିବିହାଙ୍କ କହିବା କଥା ଯେ, କିଭ୍ କୁ ସମ୍ଭାବ୍ୟ ଯୁଦ୍ଧ ବିରତି ପାଇଁ ଭାରତ ଏବଂ ଅନ୍ୟ ୩ ଟି ଦେଶ ଠାରୁ ପୃଥକ ପ୍ରସ୍ତାବ ମିଳିଛି । ସେହିପରି ଗତ ୪ ବର୍ଷରୁ ଅଧିକ ସମୟ ଧରି ଭାରତ ଲଗାତାର ଭାବେ ଆଲୋଚନା ଏବଂ କୁଟନୀତି ଜରିଆରେ ୟୁକ୍ରେନ ବିବାଦର ସମାଧାନ କରିବାକୁ ଚେଷ୍ଟା କରିଆସୁଛି ।  ଏନେଇ ନୂଆଦିଲ୍ଲୀରେ ମ୍ୟୁନିଖ ଲିଡର୍ସ  ବୈଠକରେ ଏସ୍ ଜୟଶଙ୍କର କହିଥିଲେ ଯେ, ଏହି ବିବାଦ ଉପରେ ଭାରତର ଆଭିମୁଖ୍ୟ ପୂରା ସ୍ପଷ୍ଟ ଏବଂ ଭାରତ ଏହାର ଅନ୍ତ ଦେଖିବାକୁ ଚାହୁଁଛି । ସେ ଆହୁରି କହିଥିଲେ ଯେ, ବହୁ ବର୍ଷ ଧରି ଭାରତ ଏହା ପାଇଁ ଓକିଲାତି କରି ଆସୁଛି । ଆଉ କିଛି ମାସ ହେବ, ଭାରତ ଏଥିରେ ଆଗକୁ ବଢି ଏଥିରେ ଆହୁରି ଅଧିକ ଜଡିତ ହୋଇଛି । ସେଥିପାଇଁ ଭାରତ ଋଷ ଏବଂ ୟୁକ୍ରେନ ଉଭୟ ସହ ଆଲୋଚନା କରୁଛି । ଏହାସହ କୃଷ୍ଣ ସାଗରରେ ଜାହାଜ ଚଳାଚଳ ସୁରକ୍ଷା ପ୍ରସଙ୍ଗରୁ ଆରମ୍ଭ କରି ସାହାର୍ଯ୍ୟ କରିବାକୁ ଚେଷ୍ଟା କରୁଛି । ଏହାଛଡା ଭାରତ ଦୁଇ ପାଦ ଆଗକୁ ବଢି ଏଭଳି ଚିନ୍ତା ଉପରେ ଧ୍ୟାନ ଦେଉଛି, ଯାହା ଋଷ ଏବଂ ୟୁକ୍ରେନ ଉଭୟର ଶସ୍ୟ, ଶକ୍ତି ରପ୍ତାନି ଏବଂ ଆକ୍ରମଣ ନହେବାର ସମ୍ଭାବନା ସହ ଅର୍ନ୍ତଭୁକ୍ତ । ଯାହା ଉପରେ ଏବେ ବି କଥାବାର୍ତ୍ତା ଜାରି ରହିଛି ।

ତେବେ ଐତିହାସିକ ଦୃଷ୍ଟିରୁ ଦେଖିଲେ ୧୯୫୦ ଦଶକରୁ ଭାରତ ସହ ଋଷର ବହୁତ ଭଲ ସମ୍ପର୍କ ରହିଆସିଛି ।  ଯେତେବେଳେ ଭାରତର ସୁରକ୍ଷା ଏବଂ କ୍ଷେତ୍ରୀୟ ଅଖଣ୍ଡତା  ବିପଦରେ ପଡିଥିଲା , ସେତେବେଳେ ତତ୍କାଳୀନ ସୋଭିଏତ୍ ସଂଘ ବିଭିନ୍ନ ଦିଗରୁ ଆମ ଦେଶ ସହ ଛିଡା ହୋଇଥିଲା । ଯେତେବେଳେ ବିଶ୍ବର ଅଧିକାଂଶ ଦେଶ ଆମର ପଡୋଶୀ ଦେଶର ସାମରିକ ଶାସନକୁ  ସମର୍ଥନ କରୁଥିଲେ, ସେତେବେଳେ ଋଷ ଏକମାତ୍ର ଦେଶ ଥିଲା, ଯାହା ସହିତ ଆମର ବହୁତ ଭଲ ସମ୍ପର୍କ ଥିଲା । ତେଣୁ ଭାରତ ଏହାକୁ କେବେ ବି ଭୁଲିପାରିବ ନାହିଁ ।