spot_img
Home Blog Page 71

ରୁଷ-ୟୁକ୍ରେନ ଯୁଦ୍ଧରେ ଘଟିପାରେ ଅନ୍ତ : ଆମେରିକା ପକ୍ଷରୁ କିବକୁ ପଠାଗଲା ୨୮ ସୂତ୍ରୀ ଚିଠା ପ୍ରସ୍ତାବ

ନନ୍ଦିଘୋଷ ବ୍ୟୁରୋ : ରୁଷ-ୟୁକ୍ରେନ ଯୁଦ୍ଧରେ ଘଟିପାରେ ଅନ୍ତ। ଆମେରିକାର ଶାନ୍ତି ପ୍ରସ୍ତାବ ସଂକ୍ରାନ୍ତ ଏକ ଚିଠାକୁ ଗ୍ରହଣ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି। ମସ୍କୋ ସହ ସମନ୍ବୟ ରକ୍ଷା କରି ଯୁଦ୍ଧର ଅନ୍ତ ଘଟାଇବା ଲାଗି ଏହି ଚିଠାରେ ଉଲ୍ଲେଖ ରହିଛି। ପ୍ରାୟ ୪ ବର୍ଷର ଯୁଦ୍ଧର ଅନ୍ତ ଘଟାଇବା ଲାଗି ୟୁକ୍ରେନକୁ କିଛି ତ୍ୟାଗ କରିବାକୁ ଏହି ଚିଠାରେ ପ୍ରସ୍ତାବ ରହିଛି। କିବ୍ ନିକଟକୁ ଆମେରିକା ପକ୍ଷରୁ ପଠାଯାଇଛି ଷେ ୨୮ ସୂତ୍ରୀ ପ୍ରସ୍ତାବ। ୟୁକ୍ରେନର ପୂର୍ବ ଦିଗର କିଛି ସୀମା ଅଞ୍ଚଳକୁ ରୁଷ ହାତରେ ଅର୍ପଣ କରିବା ଏବଂ ସଶସ୍ତ୍ର ବାହିନୀର ଆକାର ଓ ସାମର୍ଥ୍ୟକୁ ସୀମିତ କରିବା ଲାଗି ପ୍ରସ୍ତାବରେ ଉଲ୍ଲେଖ ରହିଛି। ଯଦିଓ ଏହି ପ୍ରସ୍ତାବକୁ ଜେଲେନସ୍କି ଅଗ୍ରାହ୍ୟ କିମ୍ବା ମାନିବା ଲାଗି କିଛି ପ୍ରକାଶ କରି ନାହାନ୍ତି ତଥାପି ଚିଠା ପ୍ରସ୍ତାବ ସମ୍ପର୍କରେ ବିଚାର କରିବେ ବୋଲି ସୂଚନା ମିଳିଛି। ଜେଲେନସ୍କିଙ୍କ ପରବର୍ତ୍ତୀ ପଦକ୍ଷେପକୁ ଅପେକ୍ଷା କରିଛନ୍ତି ଆମେରିକା ଓ ୟୁରୋପୀୟ ରାଷ୍ଟ୍ରସଂଘ। ଏହି ଚିଠା ପ୍ରସ୍ତାବ ସମ୍ପର୍କରେ ଖୁବ୍ ଶୀଘ୍ର ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ସହ ଜେଲେନସ୍କି ଆଲୋଚନା କରିବେ ବୋଲି ସୂଚନା ମିଳିଛି। ପୂର୍ବରୁ ଆମେରିକା ସେନା ସଚିବ ଦାନିଏଲ ଦ୍ରିସ୍କୋଲଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ କିବ୍ ଗସ୍ତରେ ଯାଇ ଶାନ୍ତି ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରିଥିଲେ।

କର୍ଣ୍ଣାଟକ କଂଗ୍ରେସରେ ଘନେଇଲା ସଂକଟ ; ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ସମର୍ଥନରେ ୧୦ ବିଧାୟକଙ୍କ ଦିଲ୍ଲୀ ଗସ୍ତ

ନନ୍ଦିଘୋଷ ବ୍ୟୁରୋ : କର୍ଣ୍ଣାଟକ କଂଗ୍ରେସରେ ସଙ୍କଟ। କ୍ଷମତା ଭାଗବଣ୍ଟା ପାଇଁ ଉପମୁଖ୍ୟମନ୍ତ୍ରୀ ଶିବକୁମାର ସମର୍ଥନରେ ଥିବା ବିଧାୟକମାନେ ଦିଲ୍ଲୀ ଯାଇଥିବା ସୂଚନା। ଡିକେ ଶିବକୁମାର ଶିବିରର ବିଧାୟକମାନେ କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟି ଶକ୍ତି ବଣ୍ଟନ ଚୁକ୍ତି ପାଳନ କରିବାକୁ ଅନୁରୋଧ କରିଛନ୍ତି। ଆଜି ଆହୁରି ବିଧାୟକ ସାମିଲ ହେବେ ବୋଲି ଜଣାପଡିଛି। ସେମାନେ AICC ସଭାପତି ମଲ୍ଲିକାର୍ଜୁନ ଖଡ଼଼ଗେ ଏବଂ କେସି ଭେନୁଗୋପାଳଙ୍କୁ ଭେଟି ସେମାନଙ୍କର ଦାବି ନେଇ ଚାପ ପକାଇବେ।ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଶିବିରର ୧୦ ଜଣ କଂଗ୍ରେସ ବିଧାୟକ ଦିଲ୍ଲୀ ପହଞ୍ଚିଛନ୍ତି। କର୍ଣ୍ଣାଟକରେ ଦୀର୍ଘ ଦିନ ଧରି ଚାଲିଥିବା କ୍ଷମତା ବଣ୍ଟନ ଫର୍ମୁଲାକୁ କାର୍ଯ୍ୟକାରୀ କରିବା ପାଇଁ କଂଗ୍ରେସ ହାଇକମାଣ୍ଡଙ୍କ ଉପରେ ଚାପ ପକାଇବେ ବୋଲି ଜଣାପଡିଛି। ଗତକାଲି କର୍ଣ୍ଣାଟକରେ କଂଗ୍ରେସ ସରକାର ଅଢ଼େଇ ବର୍ଷ ପୂରଣ କରିଛନ୍ତି। ଏହାକୁ ନେଇ ନେତୃତ୍ୱ ପରିବର୍ତ୍ତନ ଆଲୋଚନା ପୁଣି ଥରେ ଜୋର ଧରିଛି।ଆଜି ଏଆଇସିସି ସାଧାରଣ ସମ୍ପାଦକ କେସି ଭେନୁଗୋପାଳଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇପାରେ। ଅଢ଼େଇ ବର୍ଷ ପୂର୍ବେ ଦିଆଯାଇଥିବା ପ୍ରତିଶ୍ରୁତିକୁ ସମ୍ମାନ ନେଇ ଶିବକୁମାର ଶିବିରର ବିଧାୟକମାନଙ୍କର ଦାବି ରହିଚି। ଡିକେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଛନ୍ତି ସମର୍ଥକ।

ପଞ୍ଜାବ ଲୁଧିଆନାରେ କିସ୍ତାନ ଗୁଇନ୍ଦା ସଂସ୍ଥା ISI ଲିଙ୍କରେ ୨ ଆତଙ୍କୀଙ୍କ ଏନକାଉଣ୍ଟର

ନନ୍ଦିଘୋଷ ବ୍ୟୁରୋ : ପଞ୍ଜାବ ଲୁଧିଆନାରେ ୨ ଆତଙ୍କୀଙ୍କ ଏନକାଉଣ୍ଟର। ପାକିସ୍ତାନ ଗୁଇନ୍ଦା ସଂସ୍ଥା ISI ଲିଙ୍କରେ ୨ ଆତଙ୍କୀଙ୍କ ଏନକାଉଣ୍ଟର କରାଯାଇଥିବା ସୂଚନା ମିଳିଛି। ଗୁଳିବିନିମୟରେ ବାବର ଖାଲସା ଇଣ୍ଟରନ୍ୟାସନାଲ ସହିତ ଜଡିତ ଦୁଇ ଆତଙ୍କବାଦୀ ଆହତ ହୋଇଛନ୍ତି। ଏକ ଆତଙ୍କବାଦୀ ମଡ୍ୟୁଲକୁ ଠାବ କରିବାକୁ ଯାଇ ତିନି ଜଣଙ୍କୁ ଗିରଫ କରିଥିଲା ପୋଲିସ। ଆଇଏସଆଇର ନିର୍ଦ୍ଦେଶରେ କାମ କରୁଥିବା ଦୁଇ ଜଣ ଆତଙ୍କବାଦୀ ସେହି ଅଞ୍ଚଳରେ ଥିବା ଜଣାପଡିଥିଲା। ଜାଲ ବିଛାଇ ଦୁଇ ଆତଙ୍କୀଙ୍କୁ ଧରିଥିଲା ପୋଲିସ। ରିପୋର୍ଟ ଅନୁଯାୟୀ ସନ୍ଦିଗ୍ଧ ଆତଙ୍କୀମାନଙ୍କୁ ଗ୍ରେନେଡ ସଂଗ୍ରହ କରିବା ସହ ନିର୍ଦ୍ଦିଷ୍ଟ ସ୍ଥାନରେ ବିସ୍ଫୋରଣ କରିବାକୁ ଦାୟିତ୍ୱ ଦିଆଯାଇଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତମାନେ ରାଜ୍ୟ ସାରା ବିସ୍ଫୋରକ ସଂଗ୍ରହ, ବିତରଣ କରିବା ଏବଂ ଆତଙ୍କବାଦୀ ଆକ୍ରମଣ ଘଟାଇବାରେ ସମ୍ପୃକ୍ତ ଥିଲେ। ସେମାନଙ୍କର ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ସହିତ ସମ୍ପର୍କ ଥିବା ମଧ୍ୟ ଜଣାପଡିଛି। ପୂର୍ବରୁ ଗିରଫ ହୋଇଥିବା ପଞ୍ଜାବ, ହରିୟାଣା ଏବଂ ବିହାରର 3 ଜଣ ଆତଙ୍କବାଦୀଙ୍କୁ ପଚରାଉଚରା ସମୟରେ ମିଳିଥିବା ସୂଚନା ଆଧାରରେ ଏହି ଜାଲ ବିଛାଯାଇଥିଲା। ଆତଙ୍କବାଦୀମାନେ ପୋଲିସ ଉପରେ ଗୁଳି ଚଳାଇଥିଲେ।  ପାଲଟା ଗୁଳିଚାଳନା ସମୟରେ ସେମାନଙ୍କ ମଧ୍ୟରୁ ଜଣଙ୍କୁ 3ଟି ଗୁଳି ଏବଂ ଅନ୍ୟ ଜଣଙ୍କୁ ଗୋଟିଏ ଗୁଳି ବାଜିଥିଲା। ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଅଛି। ଉଦ୍ଧାର ହୋଇଥିବା ସାମଗ୍ରୀ ମଧ୍ୟରେ ୨ଟି ଚାଇନିଜ୍ ଗ୍ରେନେଡ୍, ୫ଟି ଚାଇନିଜ୍ ପିସ୍ତଲ ଏବଂ ୫୦ରୁ ଅଧିକ ଗୁଳି ଜବତ ହୋଇଛି।

୩ ଦିନରେ ସରିଲା ସାଲିଆ ସାହି ଉଚ୍ଛେଦ: ବୁଲିଲା ବୁଲଡୋଜର, ମାଟିରେ ମିଶିଲା ବସ୍ତିବାସିନ୍ଦାଙ୍କ ଘର

୩ ଦିନରେ ସରିଲା ସାଲିଆ ସାହି ଉଚ୍ଛେଦ: ବୁଲିଲା ବୁଲଡୋଜର, ମାଟିରେ ମିଶିଲା ବସ୍ତିବାସିନ୍ଦାଙ୍କ ଘର

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ବର ସାଲିଆ ସାହିରେ ସରିଲା ଉଚ୍ଛେଦ । ୭ ଦିନ ନୁହେଁ, ହେଲେ ୩ ଦିନରେ ଉଚ୍ଛେଦ ସରିଗଲା । ଗୋଟିଏ ପଟେ ଉଚ୍ଛେଦ କାର୍ଯ୍ୟ ଶେଷ ହୋଇଥିବା ବେଳେ ଅନ୍ୟପଟେ ଡ୍ରେନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଉଚ୍ଛେଦ ପରେ ବଲ ପଡିଆରେ ଜୋର ଜବରଦସ୍ତ ଜାଗା ଅକ୍ତିଆର କରିଥିବା ବସ୍ତିବାସିନ୍ଦାଙ୍କୁ ହଟାଇଛି ପ୍ରଶାସନ । ଉଚ୍ଛେଦ ପାଇଁ ୫୫୪ ଘର ଚିହ୍ନଟ କରାଯାଇଥିଲା । ଯୋଗ୍ୟ ହିତାଧିକାରୀଙ୍କୁ ବାସଗୃହ ଯୋଗାଇ ଦିଆଯିବ ବୋଲି କହିଛନ୍ତି ବିଏମସି କମିଶନର ।

ବୁଲିଲା ବୁଲଡୋଜର, ମାଟିରେ ମିଶିଲା ବସ୍ତିବାସିନ୍ଦାଙ୍କ ଘର । ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ବାସଗୃହ, ଅଯୋଗ୍ୟଙ୍କୁ ନୁହେଁ । ବାମପାର୍ଶ୍ବ ସମାନ୍ତରାଳ ପରେ, ଏବେ ଡାହାଣ ସାମନ୍ତରାଳ ପାଳି । ତୃତୀୟ ଦିନରେ ମାରାଥନ ଉଚ୍ଛେଦ କରିଥିଲା ମିଳିତ ଟିମ । ପ୍ରାୟ ୧ କିଲୋମିଟର ବାମପାର୍ଶ୍ବ ସମାନ୍ତରାଳ ରାସ୍ତା ଉଚ୍ଛେଦକୁ ଲାଗିଥିଲା ଦୁଇ ବର୍ଷ । ଏକାମ୍ରକାନନକୁ ରାସ୍ତାକୁ ସଂଯୋଗର ବାଟ ଫିଟିଲା । ଆଜି ସକାଳୁ ସକାଳୁ ଆଦିବାସୀ ଗାଁରେ ୫ ଟିମ ଘର ଭାଙ୍ଗିବା ଆରମ୍ଭ କରିଥିଲେ । ସନ୍ଧ୍ୟା ବେଳେକୁ ଅପରେସନ ଶେଷ ହୋଇଥିଲା । ବିନା ସର୍ଭେରେ ଘର ଉଚ୍ଛେଦ ହୋଇଥିବା ଅଭିଯୋଗ ହୋଇଛି । ମାଣବସା ଗୁରୁବାର, ଝୋଟି ପଡିଥିଲା ଓ ଦୀପ ଜଳୁଥିଲା । ବିନା ନୋଟିସରେ ଆସି ଘର ଭାଙ୍ଗିଦେଲେ । ଶୀତ କାକରରେ କୋଉଠି ରହିବୁ ବୋଲି ଦୁଃଖ ବଖାଣିଛନ୍ତି ବାସହରା ବସ୍ତି ବାସିନ୍ଦା ।

ଯେଉଁମାନଙ୍କୁ ଉଚ୍ଛେଦ କରାଯାଉଛି, ତାଙ୍କ ଭିତରେ ଥିବା ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯିବ । ଏବେ ସୁଦ୍ଧା ଆମ ପାଖରେ ୪୫୫ ଘର ମହଜୁଦ ରହିଛି । ଯେଉଁମାନେ ଅଯୋଗ୍ୟ ସେମାନଙ୍କୁ କେବେ ବି ଘର ଦିଆଯାଇପାରିବନି । ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ । ବିକଶିତ ଭୁବନେଶ୍ୱର ପାଇଁ ବାମପର୍ଶ୍ବ ସମନ୍ତରାଳ ରାସ୍ତାର ବହୁତ ଆବଶ୍ୟକତା ରହିଛି । ପୂର୍ବରୁ ସେଠିକାର ଲୋକଙ୍କୁ ନୋଟିସ୍ କରାଯାଇଥିଲା । ଲଟେରୀ ମାଧ୍ୟମରେ ଲୋକଙ୍କୁ ଘର ଆବଣ୍ଟନ କରାଯାଇଛି । ଉଚ୍ଛେଦ ଯୋଗୁଁ ପିଲାଙ୍କ ପାଠ ପଢ଼ା ଯେମିତି ବାଧାପ୍ରାପ୍ତ ନ ହେବ ସେଥିପାଇଁ ସେଠିକାର ସ୍କୁଲରେ ବ୍ୟବସ୍ଥା ପାଇଁ ଜିଲ୍ଲାପାଳଙ୍କୁ ଜଣାଇ ଦିଆଯାଇଥିବା କହିଛନ୍ତି ବିଏମସି କମିଶନର ।

ସେପଟେ ଡାହାଣ ପାର୍ଶ୍ବ ସାମନ୍ତରାଳ ରାସ୍ତା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଭୁବନେଶ୍ୱରର ଗାଡ଼କଣରୁ ପଟିଆ ନିୟୁ ଷ୍ଟେସନ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହେବା ନେଇ ଜାଗା ଚିହ୍ନଟ କରାଯାଇଛି  । ଗୁରୁ କେଳୁଚରଣ ପାର୍କ ପାଖ ଦକ୍ଷିଣ ପଟ ପଟିଆ ଆଡ଼କୁ ରାସ୍ତା ପ୍ରଶସ୍ତିକରଣ ପାଇଁ ୯୦ରୁ ଊର୍ଦ୍ଧ୍ବ ଘର ଭଙ୍ଗାଯିବ । ସେହି ଜାଗାରେ କଲ୍ୟାଣ ସାହି ବସ୍ତି ରହିଛି । ଥଇଥାନ ନକରି ଉଚ୍ଛେଦ କଲେ ରାଜରାସ୍ତାରେ ଲଢେଇ ହେବ ବୋଲି ବସ୍ତିବାସିନ୍ଦା ଚେତାଇ ଦେଇଛନ୍ତି ।

ତୃତୀୟ ଦିନରେ ସାଲିଆ ସାହିରେ ଶାନ୍ତି ଶୃଙ୍ଖଳାର ସହ ଉଚ୍ଛେଦ ହୋଇଥିଲା । ଗତକାଲି ସୁଦ୍ଧା ୪ ଶହ ଘର ଉଚ୍ଛେଦ ସରିଥିବାବେଳେ ଆଜି ୧୫୪ଟି ଘର ଉଚ୍ଛେଦ ହୋଇଛି । ଉଚ୍ଛେଦ ପରେ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।

ବାଲି ଚୋରି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ବିଜେଡିର ଟାର୍ଗେଟ

ବାଲି ଚୋରି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ବିଜେଡିର ଟାର୍ଗେଟ

ନନ୍ଦିଘୋଷ ବ୍ୟୁରୋ: ବାଲି ଚୋରି ପ୍ରସଙ୍ଗରେ ବର୍ଷିଲା ବିଜେଡି । ପ୍ରେସମିଟ କରି ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ଦଳ । ରାଜ୍ୟରେ ଏବେ ବାଲି ଚୋରି ଉଦବେଗଜନକ ସ୍ଥିତିରେ ପହଞ୍ଚିଛି ବୋଲି ବିଜେଡି କହିଛି । ଗଞ୍ଜାମ, ଯାଜପୁର, ବାଲେଶ୍ୱର, କେନ୍ଦୁଝର, ସୁକିନ୍ଦା ଭଳି ବିଭିନ୍ନ ଜାଗାରେ ବାଲି ଚୋରି ସୀମା ଟପିଛି । ଏଥିରେ ବିଜେପି ଲିଙ୍କ ଅଛି ବୋଲି ଅଭିଯୋଗ ଆଣିଛି ବିଜେଡି ।

ବାଲି ଦର ଅହେତୁକ ଭାବେ ବୃଦ୍ଧି ପାଇଲାଣି । ଲୋକ ଘର କରିବାକୁ ଡରିଲେଣି । ସେଥିପାଇଁ ସରକାର ବାଲି ଚୋରି ରୋକିବାକୁ ବାରମ୍ବାର ନିର୍ଦ୍ଦେଶ ଦେଉଛନ୍ତି । ହେଲେ ନିଜ ଲୋକ ଏଥିରେ ସଂପୃକ୍ତ ଥିବାରୁ ଏହାକୁ ରୋକିବାରେ ସରକାର ଅସମର୍ଥ । ଏହାସହ ପ୍ରଶ୍ନବାଣରେ ସରକାରଙ୍କୁ ଘାଇଲା କରିଛି ବିଜେଡି । ବାଲି ଚୋରିକୁ ନେଇ ହତ୍ୟା ହେଉଛି । ରାଜ୍ୟର ଲଘୁ ଖଣିଜ ଲୁଟ ହେଉଛି । ରାଜସ୍ବ କମିଲାଣି, ହେଲେ କେହି ପ୍ରଶ୍ନ କରୁନାହାନ୍ତି । ବାଲି ଚୋରି ଉପରେ ସିବିଆଇ ତଦନ୍ତ କାହିଁକି କରୁନାହାନ୍ତି ? ବିଜେଡି ରାଜ୍ୟବ୍ୟାପୀ ଅଭିଯାନ ଆରମ୍ଭ କରିବ । ବାଲି ଖଣିଜ ଲୁଟ ନେଇ ଲୋକଙ୍କ ନିକଟରେ ସମସ୍ତ ତଥ୍ୟ ରଖିବ ବୋଲି ବିଜେଡି ଚେତାବନୀ ଦେଇଛି । ସରକାର ଏସପି, କଲେକ୍ଟରଙ୍କୁ କହିବା ଅପେକ୍ଷା ନିଜ ବିଧାୟକଙ୍କୁ କଣ୍ଟ୍ରୋଲ କରିବାକୁ ବିଜେଡି କହିଛି ।

ଶରଧାବାଲି ଦଳାଚକଟା ଘଟଣା: ପୁରୀ ଏସିଏଫଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ

ଶରଧାବାଲି ଦଳାଚକଟା ଘଟଣା: ପୁରୀ ଏସିଏଫଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ

ନନ୍ଦିଘୋଷ ବ୍ୟୁରୋ: ପୁରୀ ଶରଧାବାଲି ଦଳଚକଟା ଘଟଣାରେ ପୁଣି କାର୍ଯ୍ୟାନୁଷ୍ଠାନ । ଦାୟିତ୍ୱରେ ଅବହେଳା ପାଇଁ ପୁରୀ ଏସିଏଫ୍‌ ଅଶୋକ କୁମାର ବେହେରାଙ୍କ ବିରୋଧରେ ଆରମ୍ଭ ହୋଇଛି ବିଭାଗୀୟ କାର୍ଯ୍ୟାନୁଷ୍ଠାନ । ଜଙ୍ଗଲ ବିଭାଗ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଉନ୍ନୟନ କମିଶନରଙ୍କ ତଦନ୍ତ ରିପୋର୍ଟ ଅନୁଯାୟୀ ପଦକ୍ଷେପ ନିଆଯାଇଛି ।

ସେହିପରି ପୁରୀ ଏଡିଏମ ଶରତ ଚନ୍ଦ୍ର ମହାପାତ୍ରଙ୍କ ଭୂମିକାକୁ ନେଇ ବି ତଦନ୍ତ ରିପୋର୍ଟରେ ଉଲ୍ଲେଖ ରହିଛି । ଏହାସହ ପୁରୀ ଡିଏସଏସଓ ବିଭୂତି ଭୂଷଣ ନାୟକ, ମୟୂରଭଞ୍ଜ ଅତିରିକ୍ତ ତହସିଲଦାର ରାଜ କିଶୋର ଜେନା, ଢେଙ୍କାନାଳର ଅତିରିକ୍ତ ତହସିଲଦାର ସୌଭାଗ୍ୟ କୁମାର ମହାନ୍ତି, ଢେଙ୍କାନାଳ ଡେପୁଟି କଲେକ୍ଟର ଦୟାନିଧି ପାତ୍ରଙ୍କ ବିରୋଧରେ କର୍ତ୍ତବ୍ୟରେ ଅବହେଳା ନେଇ ତଦନ୍ତ ରିପୋର୍ଟରେ ଉଲ୍ଲେଖ ରହିଛି ।

ଶିକ୍ଷାବର୍ଷ ସରିବାକୁ ବସିଲାଣି, ପିଲାଙ୍କୁ ମିଳିଲାନି ୟନିଫର୍ମ, ଦାୟୀ କିଏ ?

ଶିକ୍ଷାବର୍ଷ ସରିବାକୁ ବସିଲାଣି, ପିଲାଙ୍କୁ ମିଳିଲାନି ୟନିଫର୍ମ, ଦାୟୀ କିଏ?

ନନ୍ଦିଘୋଷ ବ୍ୟୁରୋ: ଶିକ୍ଷାବର୍ଷ ସରିବାକୁ ବସିଲାଣି, ହେଲେ ଏଯାଏଁ ରାଜ୍ୟର ଅନେକ ସରକାରୀ ସ୍କୁଲରେ ପିଲାଙ୍କୁ ମିଳିନି ୟୁନିଫର୍ମ । ଅଗଷ୍ଟ ମାସ ସୁଦ୍ଧା ୟୁନିଫର୍ମ ଦେବାକୁ ସରକାର ଘୋଷଣା କରିଥିଲେ ବି ତାହା କାର୍ଯ୍ୟକାରୀ ହୋଇପାରିନି । ଏପରି ଅନିୟମିତତା ପାଇଁ ଦାୟିତ୍ବରେ ଥିବା ସ୍ବୟଂ ସହାୟକ ଗୋଷ୍ଠୀକୁ ଦାୟୀ କରିଛନ୍ତି ରାଜ୍ୟ ସରକାର । ଆବଶ୍ୟକ ପଡ଼ିଲେ, ଏ ସବୁ ଏସଏଚଜିଙ୍କୁ ବାତିଲ କରି ବିକଳ୍ପ ପନ୍ଥାରେ ୟୁନିଫର୍ମ ପ୍ରଦାନ କରିବାକୁ ସରକାର ବ୍ୟବସ୍ଥା କରିବେ ବୋଲି ଜଣାପଡିଛି ।

ବାଲେଶ୍ବର, କୋରାପୁଟ, ଭଦ୍ରକ ପରି ଅନେକ ଜିଲ୍ଲାରେ ସ୍କୁଲ ପିଲାଙ୍କ ପାଖରେ ପହଞ୍ଚିଲାନି ୟୁନିଫର୍ମ । ମାସ ପରେ ମାସ, ଏମିତିକି ଆସୁଛି ନୂଆବର୍ଷ । ତା’ପରେ ବାର୍ଷିକ ପରୀକ୍ଷା ଓ ନୂଆ କ୍ଲାସ । ଯେଉଁଠି ଅଗଷ୍ଟ ୧୫ ସୁଦ୍ଧା ଛାତ୍ରଛାତ୍ରୀଙ୍କ ପାଖରେ ୟୁନିଫର୍ମ ପହଞ୍ଚିବା କଥା, ତାହା ଏଯାଏଁ ମିଳିପାରିଲା ନାହିଁ । କିଛି ଅଭିଭାବକ ନିଜ ହାତରୁ ଖର୍ଚ୍ଚ କରି ୟୁନିଫର୍ମ ଦେଇଥିବା ବେଳେ, ଅନେକ ପିଲା ଘରର ପୁରୁଣା ଡ୍ରେସ ପିନ୍ଧି ସ୍କୁଲ ଆସିବାକୁ ବାଧ୍ୟ ହେଉଛନ୍ତି । ବାଲେଶ୍ବର ଜିଲ୍ଲାରେ ତ ସ୍ଥିତି ଉଦବେଗଜନକ । ସଦର ବ୍ଲକରେ ୩୦୬ଟି ସ୍କୁଲରୁ ୬୩ ହାଇସ୍କୁଲ ଓ ୨୪୨ଟି ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ସମେତ ଗୋଟିଏ ଆଦର୍ଶ ବିଦ୍ୟାଳୟ ରହିଛି । ହାଇସ୍କୁଲରେ ମୋଟା ମୋଟି ୮ ହଜାର ୫୦୦ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପଢୁଛନ୍ତି । କିନ୍ତୁ ୟୁନିଫର୍ମ ମିଳି ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ ।

ଡ୍ରେସ ପ୍ରଦାନରେ ବିଳମ୍ବ କଥାକୁ ସ୍ବୀକାର କରିଛନ୍ତି ସରକାର । ଏଥିପାଇଁ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦାୟିତ୍ବହୀନତାକୁ ଦାୟୀ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଯେଉଁ ଏସଏଚଜି ଠିକ୍ ସମୟରେ ଡ୍ରେସ ଦେଇ ପାରୁନାହାନ୍ତି, ସେମାନଙ୍କ କାର୍ଯ୍ୟାଦେଶ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ସ୍କୁଲ ମ୍ୟାନେଜିଂ କମିଟି ଜରିଆରେ ବିକଳ୍ପ ବ୍ୟବସ୍ଥା କରି ୟୁନିଫର୍ମ ଯୋଗାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଡ୍ରେସ୍ ପ୍ରଦାନରେ ଯଦି ଏସଏଚଜି ଦାୟୀ, ତେବେ ସେଗୁଡ଼ିକୁ ବାତିଲ କରିବା ସହ କାମ ଯୋଗାଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବାର ଆବଶ୍ୟକତା ରହିଛି । ଉପରୁ ତଳ ଯାଏଁ ଯିଏ ବି ଏଭଳି ଅନିୟମିତତା କରୁଛନ୍ତି, ତାଙ୍କୁ ଧରିଲେ ଯାଇ ଏହି ଘଟଣାର ପୁନରାବୃତ୍ତି ଘଟିବ ନାହିଁ ବୋଲି ଆଲୋଚନା ହେଉଛି ।

ପୁଣି ଆରମ୍ଭ ହେଲା ଚୌକି ପାଇଁ ଲଢେଇ ! ବିଭୀଷଣ ମନ୍ତବ୍ୟ ନେଇ ଚକ୍ରବ୍ୟୂହରେ ପିସିସି ସଭାପତି, ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗ ଆଣିଲେ ମୋକିମ

ପୁଣି ଆରମ୍ଭ ହେଲା ଚୌକି ପାଇଁ ଲଢେଇ ! ବିଭୀଷଣ ମନ୍ତବ୍ୟ ନେଇ ଚକ୍ରବ୍ୟୂହରେ ପିସିସି ସଭାପତି, ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗ ଆଣିଲେ ମୋକିମ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟ କଂଗ୍ରେସକୁ ମହଙ୍ଗା ପଡିବ ବିଭୀଷଣ ମନ୍ତବ୍ୟ । ଖୋଦ ପିସିସି ସଭାପତି ବିଭୀଷଣ ମନ୍ତବ୍ୟ ଦେବା ପରେ କଂଗ୍ରେସରେ କୁହୁଳୁ ଥିବା ଅସନ୍ତୋଷର ନିଆଁ ଉଗ୍ରରୂପ ନେବାକୁ ଯାଉଛି । ପୂର୍ବତନ ବିଧାୟକ ତଥା ଏଆଇସିସି ସଦସ୍ୟ ମହମ୍ମଦ ମୋକିମ ଏହାକୁ ବିଶୃଙ୍ଖଳା ଆଖ୍ୟା ଦେଇ ଶୃଙ୍ଖଳା କମିଟିର ଦ୍ବାରସ୍ଥ ହୋଇଛନ୍ତି । ଯାହାକୁ ନେଇ କଂଗ୍ରେସ ରାଜନୀତିରେ ସୃଷ୍ଟି ହୋଇଛି କମ୍ପନ ।

ନୂଆପଡା ପରାଜୟ ପରେ କଂଗ୍ରେସ ସଂଗଠନରେ ବିଦ୍ରୋହର ନିଆଁ । ପରାଜୟ ପାଇଁ କିଏ ଦାୟୀ ତାହାକୁ ନେଇ ନାନା ଅଭିଯୋଗ ନାନା ମତ । କଂଗ୍ରେସ ନେତାଙ୍କ ମଧ୍ୟରେ କିଏ ବିଭୀଷଣ ତାକୁ ନେଇ ୫ ଦିନ ହେବ ଜୋରଦାର ହୋଇଛି ବାକଯୁଦ୍ଧ । କଥା ଏବେ କାର୍ଯ୍ୟାନୁଷ୍ଠାନ ଆଡ଼କୁ ଗଲାଣି ।  ଯାହା ପୂର୍ବତନ ବିଧାୟକ ତଥା ଏଆଇସିସି ସଦସ୍ୟ ମହମ୍ମଦ ମୋକିମଙ୍କ ଚିଠି ପ୍ରମାଣିତ କରୁଛି । ପିସିସି ସଭାପତି ଶୃଙ୍ଖଳା ଭଙ୍ଗ କରିଥିବା ଅଭିଯୋଗ କରିଛନ୍ତି ମୋକିମ । ତାଙ୍କ ଅଭିଯୋଗ ହେଉଛି, ନୂଆପଡା ପରାଜୟ ପରେ ପିସିସି ସଭାପତି ପରାଜୟ ଲାଗି ନୈତିକତା ନନେଇ ତାଙ୍କ ବିରୋଧରେ ଆକ୍ଷେପ ମନ୍ତବ୍ୟ ଦେଇଛନ୍ତି । କଂଗ୍ରେସ ଶୃଙ୍ଖଳା କମିଟି ଅଧ୍ୟକ୍ଷ ସୁଜିତ କୁମାର ପାଢୀଙ୍କୁ ଚିଠି ଲେଖି ମୋକିମ ଅଭିଯୋଗ କରିଛନ୍ତି, ରାଜନୈତିକ ଉଦ୍ଦେଶ୍ୟ ରଖି ପିସିସି ସଭାପତି ତାଙ୍କ ବିରୋଧରେ ମନ୍ତବ୍ୟ ଦେଇଛନ୍ତି । ରାଜ୍ୟ କଂଗ୍ରେସର ଇତିହାସରେ ଏହା କେବେ ଘଟି ନଥିଲା । ପିସିସି ସଭାପତି ଗଣମାଧ୍ୟମରେ କାହା ନାଁରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗ ଆଣିବା ଘଟଣା ପ୍ରଥମ । ପିସିସି ସଭାପତି ଦଳ ବିରୋଧୀ କାର୍ଯ୍ୟ କରିଛନ୍ତି ବୋଲି ମୋକିମ ଶୃଙ୍ଖଳା କମିଟିକୁ ଅବଗତ କରାଇଛନ୍ତି । ସେପଟେ ଏହାକୁ ନେଇ ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସବୁ ଦଳରେ ବିଭୀଷଣ ଅଛନ୍ତି, ଆମ ଦଳରେ ଥିବେ ବୋଲି ମୁଁ କହିଥିଲି । କଟକରେ ହିଂସା କାରଣରୁ ମହମ୍ମଦ ମୋକିମକୁ ଷ୍ଟାର ପ୍ରଚାରକ ତାଲିକାରୁ ବାଦ ଦିଆଯାଇଥିଲା ବୋଲି ପିସିସି ସଭାପତି କହିଛନ୍ତି ।

ଭକ୍ତ-ମୋକିମ ବିବାଦରେ ଦଳର ବରିଷ୍ଠ ନେତାମାନେ ସିଧାସଳଖ ନହଲେ ବି ପରୋକ୍ଷରେ ଭକ୍ତଙ୍କୁ ତେରେଛା ବାଣ ମାରିଛନ୍ତି । ବରିଷ୍ଠ ନେତା ଅନନ୍ତ ସେଠୀ କହିଛନ୍ତି, ଯିଏ ଯେତେ ବଡ ନେତା ହେଉନା କାହିଁକି ଶୃଙ୍ଖଳା ଭଙ୍ଗ କରିଥିଲେ କାର୍ଯ୍ୟାନୁଷ୍ଠାନ ହେବ । ଦଳର ସମ୍ବିଧାନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ଚିଠି ନେଇ ମହମ୍ମଦ ମୋକିମ ଓ ପିସିସି ସଭାପତିଙ୍କ ସହ ଆଲୋଚନା କରିବି । ବିଭୀଷଣ ମନ୍ତବ୍ୟ ପିସିସି ସଭାପତି କାହିଁକି କହିଛନ୍ତି ତାହା ସେ ଜାଣିଥିବେ । ନୂଆପଡାରେ କିଛି ନେତା ବିଭୀଷଣ ଭୂମିକା ନିଭାଇଛନ୍ତି ବୋଲି କହିଛନ୍ତି ବରିଷ୍ଠ ନେତା ଅମର ପ୍ରଧାନ ।

କିଛି ମାସର ନିରବତା ପରେ କଂଗ୍ରେସରେ ପୁଣି ଆରମ୍ଭ ହୋଇଛି ଚୌକି ପାଇଁ ଲଢେଇ । ଏହାର ମୂଳଦୂଆ ନୂଆପଡା ପରାଜୟ ପରେ ସାମ୍ନାକୁ ଆସିଛି । ତେବେ ଭକ୍ତ ଓ ମୋକିମଙ୍କ କଳି ଆଗକୁ କଂଗ୍ରେସରେ କି ରୂପ ନେଉଛି ତାହା ଦେଖିବାକୁ ବାକି ରହିଲା ।

ବିଧାୟକ ଭାବେ ପଦ ଓ ଗୋପନରୟତାର ଶପଥ ନେଲେ ଜୟ ଢୋଲକିଆ

ବିଧାୟକ ଭାବେ ପଦ ଓ ଗୋପନରୟତାର ଶପଥ ନେଲେ ଜୟ ଢୋଲକିଆ

ନନ୍ଦିଘୋଷ ବ୍ୟୁରୋ: ବିଧାୟକ ଭାବେ ପଦ ଓ ଗୋପନୀୟତାର ଶପଥ ନେଲେ ଜୟ ଢୋଲକିଆ । ନୂଆପଡାର ନବ ନିର୍ବାଚିତ ବିଧାୟକ ଜୟ ଢୋଲକିଆଙ୍କୁ ବିଧାନସଭାରେ ବାଚସ୍ପତି ଶପଥ ପାଠ କରାଇଛନ୍ତି । ନୂଆପଡାର ସ୍ବର୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ଉପନିର୍ବାଚନ ହୋଇଥିଲା । ସେଥିରେ ବିଜେପି ପ୍ରାର୍ଥୀ ତଥା ପୁଅ ଜୟ ଢୋଲକିଆ ବିଜୟୀ ହୋଇଥିଲେ ।

ଶପଥ ନେବା ପରେ ଜୟ କହିଛନ୍ତି, ମୋ ପାଇଁ ଆଜି ସ୍ମରଣୀୟ ଦିନ । ଆଜି ମୋ ବାପାଙ୍କ ଜୟନ୍ତୀ । ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ ଧନ୍ୟବାଦ ଏଭଳି ଦିନରେ ମତେ ଶପଥ ପାଠ କରାଇଛନ୍ତି । ନୂଆପଡା ବିକାଶ ପାଇଁ ମୁଁ ଯେଉଁ ଶପଥ ନେଇଥିଲି ତାହା କରିବି । ଏହି ବିଜୟ ନୂଆପଡାବାସୀ ତଥା ମୋ ବାପା ରାଜେନ୍ଦ୍ର ଢୋଲକିଆଙ୍କ ସହ ବିଜେପି କର୍ମକର୍ତ୍ତାଙ୍କ ବିଜୟ ବୋଲି କହିଛନ୍ତି ଜୟ ।

ପୁଣି ବାତ୍ୟା ଭୟ: ମୋନ୍ଥା ଆସିବାର ମାସକ ବ୍ୟବଧାନରେ ପୁଣି ଏକ ଲଘୁଚାପ ସମ୍ଭାବନା ବଢ଼ାଇଲା ଚିନ୍ତା

ପୁଣି ବାତ୍ୟା ଭୟ: ମୋନ୍ଥା ଆସିବାର ମାସକ ବ୍ୟବଧାନରେ ପୁଣି ଏକ ଲଘୁଚାପ ସମ୍ଭାବନା ବଢ଼ାଇଲା ଚିନ୍ତା

ନନ୍ଦିଘୋଷ ବ୍ୟୁରୋ: ବଙ୍ଗୋପସାଗରରେ ପୁଣି ବାତ୍ୟା ଆଶଙ୍କା । ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଆଗକୁ ନେଇପାରେ ଲଘୁଚାପ ରୂପ । ଗଲାମାସରେ ମୋନ୍ଥା ବାତ୍ୟାର ତାଣ୍ଡବ ପରେ ପୁଣି ଏବେ ନଭେମ୍ବରରେ ରାଜ୍ୟବାସୀଙ୍କୁ ଘାରିଲାଣି ବାତ୍ୟା ଭୟ । ମାସକ ବ୍ୟବଧାନରେ ପୁଣି ଏକ ଲଘୁଚାପ ସମ୍ଭାବନା ଥବାରୁ ବଢ଼ିଲା ଚିନ୍ତା । ଅନେକ ସ୍ଥାନରେ ଏପର୍ଯ୍ୟନ୍ତ ଧାନ ଅମଳ ହୋଇପାରିନାହଁ । ଏଭଳି ସ୍ଥିତିରେ ଘୂର୍ଣ୍ଣିବଳୟକୁ ନେଇ ପୁଣି ରାଜ୍ୟବାସୀଙ୍କ ମଧ୍ୟରେ ପଶିଛି ଛନକା ।

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ୨୨ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା । ୪୮ ଘଣ୍ଟାରେ ଏହା ଲଘୁଚାପରେ ପରିଣତ ହୋଇପାରେ । ନଭେମ୍ବରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାରୁ ଘାରିଲାଣି ବାତ୍ୟା ଭୟ । ଶୀତ ଋତୁରେ ଲଘୁଚାପ କ୍ଷେତ୍ର ସୃଷ୍ଟି ମଡେଲକୁ ନେଇ ଅନେକ ବାତ୍ୟା ଆଶଙ୍କା କରୁଛନ୍ତି । ତେବେ ଏପର୍ଯ୍ୟନ୍ତ ଲଘୁଚାପ ସୃଷ୍ଟି ହୋଇ ନଥିବାରୁ ଚିତ୍ର ସ୍ପଷ୍ଟ ହୋଇପାରିନି । ମଲାକା ସମୁଦ୍ର ମଧ୍ୟ ଅଂଶରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ୨୨ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୪ ତାରିଖ ବେଳକୁ ଆହୁରି ଘନୀଭୂତ ହେବ । ଦକ୍ଷିଣ ବଙ୍ଗୋପସାଗର ମଧ୍ୟ ଭାଗରେ ଗୋଟିଏ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ପରବର୍ତ୍ତୀ ୪୮ ଘଣ୍ଟାରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଅଗ୍ରସର ହୋଇ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଅଧିକ ଘନୀଭୂତ ହେବା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ବଙ୍ଗୋପସାଗରରୁ ଶୁଷ୍କ ଆର୍ଦ୍ରବାୟୁ ପ୍ରବାହିତ ହେଉଥିବାରୁ ରାଜ୍ୟରେ ତାପମାତ୍ରା ବଢି ଚାଲିଛି । ସପ୍ତାହେ ପର୍ଯ୍ୟନ୍ତ ପାଗରେ ପରିବର୍ତ୍ତନ ହେବ ନାହିଁ । ଆସନ୍ତା ୨୪ ବେଳକୁ ଲଘୁଚାପ ସୃଷ୍ଟି ହୋଇପାରେ । ଆସନ୍ତା ୨୬ କିମ୍ବା ୨୭ ବେଳକୁ ବାତ୍ୟା ହେବ ବୋଲି ପୂର୍ବାନୁମାନ କରିଛି ଆମେରିକୀୟ ପାଣିପାଗ ମଡେଲ ଜିଏଫସି । ୨୯ ନଭେମ୍ବରରେ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଅତିକ୍ରମ କରିବା ସମ୍ଭାବନା ରହିଛି । ତେବେ ବାତ୍ୟା ଆକଳନର ବିଭିନ୍ନ ମଡେଲ ଅନୁସାରେ ଏବେଠାରୁ କ’ଣ ପ୍ରଭାବ ପଡିବ କହିବା ଅସମ୍ଭବ । ଆସନ୍ତା ସପ୍ତାହ ବେଳକୁ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

ଲଘୁଚାପ ସୃଷ୍ଟି ସମ୍ଭାବନାରୁ ଫସଲ କ୍ଷତି ହେବା ଆଶଂକା କରାଯାଉଛି । ତେଣୁ ବେଳ ଥାଉ ଥାଉ ଅମଳ ଫସଲ ସବୁ ବିଲରୁ ସଂଗ୍ରହ କରିବାକୁ ପରାମର୍ଶ ଦେଇଛନ୍ତି ପାଣିପାଗ ବିଶେଷଜ୍ଞ । ଲଘୁଚାପ ସୃଷ୍ଟି ପରେ ସମ୍ଭାବ୍ୟ ବାତ୍ୟା ନେଇ ଚିତ୍ର ସ୍ପଷ୍ଟ ହେବ ।