spot_img
Home Blog Page 71

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ଉପଚାର ପୂଜା, ଜମୁଛି ଭକ୍ତଙ୍କ ଭିଡ଼

ଗଞ୍ଜାମ: ଶକ୍ତିପୀଠରେ ଷୋଡଷ ଉପଚାର ପୂଜା। ଗଞ୍ଜାମ ଜିଲ୍ଲା ଅଧିଷ୍ଠାତ୍ରୀ ମା ତାରାତାରିଣୀଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡ଼ଶ ଉପଚାର ପୂଜା । ଋଷିକୂଲ୍ୟା ନଦୀରୁ ସେବାୟତ ଓ ସେବାୟତଙ୍କ ପରିବାରର ମହିଳାମାନେ ପାଣି ଉଠାଇ ମନ୍ଦିରରେ ପହଞ୍ଚିଥିଲେ । ଏହାପରେ ମାଁଙ୍କୁ ପୂଜାର୍ଚ୍ଚନା ପରେ ମନ୍ଦିର ପରିସରରେ ଥିବା ସ୍ନାନ ମଣ୍ଡପକୁ ମାଁ ଙ୍କୁ ଅଣାଯାଇଥିଲା । ସେଠାରେ ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା କରିବା ପରେ ମାଁ ଙ୍କୁ ସ୍ନାନ କରାଯାଇଥିଲା । ମା’ଙ୍କ ସ୍ନାନ ଦେଖିବା ସହ ମାଁ ଙ୍କୁ ଦର୍ଶନ କରି ବେଶ ଖୁସି ଥିବା କହିଛନ୍ତି ଭକ୍ତ । ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ପୀଠରେ ପ୍ରତ୍ୟହ ଚଣ୍ଡିପାଠ, ହୋମ, ଯଜ୍ଞ ସହ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହେବ । ଗତକାଲି ସନ୍ଧ୍ୟାରୁ ଷୋଡଶ ଉପଚାର ପୂଜା ଆରମ୍ଭ ହୋଇଥିବା ବେଳେ ମାଁଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଜମୁଛି । ଷୋଡ଼ଶ ଉପଚାର ପୂଜା ସମୟରେ ମାଁ ଙ୍କୁ ଦର୍ଶନ କଲେ ସମସ୍ତ ଦୁଃଖ ଲାଘବ ହୁଏ ବୋଲି ବିଶ୍ବାସ ରହିଛି। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମନ୍ଦିର ପରିସରରେ ପୋଲିସ ମୁତୟନ ହୋଇଛନ୍ତି ।

ନାଭିଗୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ, ମା’ ବିରଜା ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଯାଜପୁର: ନାଭିଗୟାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ। ଚଳଚଞ୍ଚଳ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠ। ପିତୃପକ୍ଷରେ ପିଣ୍ଡଦାନ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବାରେ ଲାଗିଛି । ପ୍ରତିପଦା ଠାରୁ  ମହାଳୟା ପର୍ଯ୍ୟନ୍ତ  ଦୀର୍ଘ ୧୫  ଦିନ ଧରି ନାଭିଗୟା ରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବାର ସ୍ୱତନ୍ତ୍ର ପରମ୍ପରା ରହିଛି । ଏହି ପିତୃପକ୍ଷରେ ପିଣ୍ଡଦାନ କଲେ ପିତୃପୁରଷଙ୍କ ମୋକ୍ଷ ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ପୀଠରେ ମା ବିରଜାଙ୍କୁ ଦର୍ଶନ କରିବା ସହ ପିତୃପୁରଷଙ୍କୁ ପିଣ୍ଡ ଦେଉଛନ୍ତି ଶ୍ରଦ୍ଧାଳୁ। ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ପିଣ୍ଡଦାନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିଭିନ୍ନ ସ୍ଥାନରେ ଖରା ଓ ବର୍ଷା ପାଇଁ ଅସ୍ଥାୟୀ ଟେଣ୍ଟ ବ୍ୟବସ୍ଥା କରାଯାଇଛି । ବର୍ଷ ତମାମ ଏଠାରେ ପିଣ୍ଡଦାନ କାର୍ଯ୍ୟ ଚାଲୁରହିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କେବେ ଏହି କୁଣ୍ଡ ପୂରଣ ହୋଇଥିବା ଦେଖିବାକୁ ମିଳେ ନାହିଁ । ଯାହାକୁ ଗୁପ୍ତଗଂଗା ବୋଲି ବିଶ୍ୱାସ କରାଯାଏ । ଏଭଳି ଅନେକ ପୌରାଣିକ ବିଶ୍ୱାସ ରହିଥିବାରୁ ବର୍ଷ ତମାମ ଏଠାକୁ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ ।

ରୋଗପୋକ ଉଜାଡ଼ିଲା ଅଦାଚାଷ, ଚିନ୍ତାରେ ଚାଷୀ

ନନ୍ଦିଘୋଷ ବ୍ୟୁରୋ:  ଦାଉ ସାଧିଲା ରୋଗପୋକ। କାମ ଦେଉନି କୀଟନାଶକ ଔଷଧ। ଏକର ଏକର ଚାଷଜମିରେ ବ୍ୟାପକ ଅଦାଚାଷ ନଷ୍ଟ। ଚିନ୍ତାରେ କୋରାପୁଟ ଜିଲ୍ଲା ପଟାଙ୍ଗୀ ଅଞ୍ଚଳର ଅଦା ଚାଷୀ। ପୋକ ଲାଗି ଅଦା ଗଛର ପତ୍ର ହଳଦିଆ ପଡିବା ସହ ଗଛ ନଷ୍ଟ ହୋଇଛି। ଦିନ ରାତି ଝାଳ ବୁହାଇ ଚାଷ କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି। ପଟାଙ୍ଗୀ ଅଞ୍ଚଳରେ ୧ ନମ୍ବରରେ ଥିଲା ଅଦାଚାଷ। ଚଳିତବର୍ଷ ଚାଷ ବି ଭଲ ହେଇଥିଲା, ହେଲେ ରୋଗପୋକ ସବୁ ଉଜାଡ଼ିଦେଲା।  ଅଦାଗଛ ମୂଳରୁ ହଳଦିଆ ହୋଇ ସବୁ ଅଦା ପଚିଯାଇଛି। କରଜ କରି ଚାଷରେ ଲଗାଇଥିବା ଟଙ୍କା କିଭଳି  ସୁଝିବେ, କିଭଳି ପରିବାର ପ୍ରତିପୋଷଣ କରିବେ, ସେହି ଚିନ୍ତା ଏବେ ଚାଷୀଙ୍କୁ ଘାରିଛି।

ଅଦା ଗଛରେ କେଉଁ ପ୍ରକାର ପୋକ ଲାଗିଛି ତାହା ସ୍ପଷ୍ଟଭାବେ ଜାଣିପାରୁନଥିବା କହିଛନ୍ତି ଚାଷୀ ।  ବିଭିନ୍ନ କୀଟନାଶକ ଔଷଧ ପ୍ରୟୋଗ କରୁଥିଲେ ମଧ୍ୟ କିଛି ସୁଫଳ ମିଳୁନି। ସମସ୍ୟା ନେଇ ପ୍ରଶାସନକୁ ବାରମ୍ବାର ଜଣାଇଥିଲେ ମଧ୍ୟ ଫଳ ଶୂନ।  ତୁରନ୍ତ କୃଷି ବିଭାଗର ଅଧିକାରୀ ଚାଷଜମିରେ ପହଞ୍ଚି ଫସଲର ସ୍ଥିତି ଯାଞ୍ଚ କରିବା ସହ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି ଚାଷୀ।

ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ମୃତ୍ୟୁ ମାମଲା: ଆଶ୍ରମରୁ ଆସିଲା ବଡ ବୟାନ !

ନନ୍ଦିଘୋଷ ବ୍ୟୁରୋ: ବିବାଦ ଘେରରେ ସନ୍ଥ ପ୍ରେମାନନ୍ଦ ଜି ମହାରାଜଙ୍କ ଆଶ୍ରମ । ଶିଷ୍ୟଙ୍କ ମୃତ୍ୟୁ ମାମଲାରେ ବଢିବାରେ ଲାଗିଛି ଅଡୁଆ । ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ରସିକ ଦୁଲାରୀ ଶରଣ ଓରଫ ଦୀପକ ଲୋଧିଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା ଏବେ ସବୁଠି ଶିରୋନାମାରେ ରହିଛି । ରସିକ ଦୁଲାରୀ ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଆଉ ତଦନ୍ତରୁ ଏକ ସାଂଘାତିକ କଥା ଜଣାପଡିଛି ଯେ, ମୃତ ଶିଷ୍ୟଙ୍କ ଗୁପ୍ତାଙ୍ଗ କଟାଯାଇଥିଲା । ଏହି କଥାକୁ ନେଇ ନାନା ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି । ଆଉ ପରେ ତାଙ୍କ ମୃତ୍ୟୁ ସମୟର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଥିଲା । ଯେଉଁଥିରେ ସେ ଛାତରୁ ଡେଇଁ ପଡିଥିବାର ସ୍ପଷ୍ଟ ଭାବେ ଦେଖାଯାଇଥିଲା । ଏହି ଘଟଣାକୁ ଏବେ ୯ ଦିନ ବିତିଗଲାଣି, ହେଲେ ରସିକ ଦୁଲାରୀ ଏପରି ନିଷ୍ପତ୍ତି କାହିଁକି ନେଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । ଏହାରି ଭିତରେ ପ୍ରଥମ ଥର ପାଇଁ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମରୁ ଏକ ବିବୃତ୍ତି ଜାରି କରାଯାଇଛି ।

ପ୍ରେମାନନ୍ଦ ମହାରାଜଙ୍କ ବୃନ୍ଦାବନସ୍ଥିତ ଶ୍ରୀହିତ ରାଧା କେଳିକୁଞ୍ଜ ଆଶ୍ରମ ରସିକ ଦୁଲାରୀଙ୍କ ମୃତ୍ୟ ସମ୍ପର୍କରେ ଏକ ପ୍ରେସ ବିବୃତ୍ତି ଜାରି କରିଛି  । ଏହି ପ୍ରେସ ନୋଟରେ, ଆଶ୍ରମ ପକ୍ଷରୁ କୁହାଯାଇଛି ଯେ ସନ୍ଥ ପ୍ରେମାନନ୍ଦ ଏବଂ ସମଗ୍ର ଆଶ୍ରମ ପରିବାର ରସିକ ଦୁଲାରୀ ଶରଣଙ୍କ ମୃତ୍ୟୁରେ ଗଭୀର ଭାବେ ମର୍ମାହତ ହୋଇଛନ୍ତି । ଟ୍ରଷ୍ଟ ସାଧକଙ୍କ ପରିବାର ପ୍ରତି ଗଭୀର ସମବେଦନା ଏବଂ ସହାନୂଭୁତି ପ୍ରକାଶ କରିଛି । ଆଶ୍ରମ ପକ୍ଷରୁ ଆହୁରି କୁହାଯାଇଛି ଯେ, ଟ୍ରଷ୍ଟ ପୋଲିସକୁ ସେମାନଙ୍କ ନିରପେକ୍ଷ ଏବଂ ତଥ୍ୟଭିତ୍ତିକ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବ । ତେବେ ତଦନ୍ତ ସମ୍ପୁର୍ଣ୍ଣ ନହେବା ପର୍ଯ୍ୟନ୍ତ ଟ୍ରଷ୍ଟ ସମସ୍ତ ଭକ୍ତ, ସାଧକ ଏବଂ ସାଧାରଣ ଲୋକଙ୍କୁ ଅପ୍ରମାଣିତ ସୂଚନା, ଗୁଜବ କିମ୍ବା ଅନୁମାନ ଆଧାରରେ ସନ୍ଥ ପ୍ରେମାନନ୍ଦ ଏବଂ ଆଶ୍ରମର ପ୍ରତିଛବି ଖରାପ କରୁଥିବା କୌଣସି ବିବୃତ୍ତି ନଦେବାକୁ କିମ୍ବା ପ୍ରଚାର ନକରିବାକୁ ଅନୁରୋଧ କରିଛି । ପୋଲିସର ନିରପେକ୍ଷ ତଦନ୍ତ ଦ୍ବାରା ହିଁ ଘଟଣାର ପ୍ରକୃତ ସତ ସାମ୍ନାକୁ ଆସିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ମଥୁରାର ଓକିଲ ପ୍ରହଲ୍ଲାଦ କୃଷ୍ଣ ଶୁକ୍ଲା ଏହି ମାମଲାର ଏସଆଇଟି ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ଆହ୍ଲାବାଦ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟକର କରିଛନ୍ତି । ମୃତକ ରସିକ ଦୁଲାରୀଶରଣ ଏବଂ ତାଙ୍କ ଶୋକସନ୍ତପ୍ତ ପରିବାରକୁ ନ୍ୟାୟ ପ୍ରଦାନ କରିବା ପାଇଁ ସେ ହାଇକୋର୍ଟଙ୍କ ହସ୍ତକ୍ଷେପ ମଧ୍ୟ ଲୋଡିଛନ୍ତି ।

ତେବେ ରସିକ ଦୁଲାରୀଙ୍କ ମୃତ୍ୟୁ ସହିତ ସନ୍ଥ ପ୍ରେମାନନ୍ଦଙ୍କ ଆଶ୍ରମ ପୁଣି ଏକ ବିବାଦ ଘେରରେ ଫସି ଯାଇଛି । ପୁର୍ବରୁ ତାଙ୍କ ଆଶ୍ରମକୁ ହାଥରସରୁ ଆସିଥିବା ଜଣେ ୧୬ ବର୍ଷୀୟ ବାଳକ ୩ ମାସ ଧରି ନିଖୋଜ ରହିବା ମାମଲାରେ ବିବାଦ ଦେଖାଦେଇଥିଲା । ଯାହାଙ୍କୁ ଗତ ଶନିବାର ବରସାନା ପୋଲିସ ଏକ ଆଶ୍ରମରୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ।

ଆଗାମୀ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଦେବ ଓଡ଼ିଶା ଜନତା କଂଗ୍ରେସ: ମୋକିମ୍

ନନ୍ଦିଘୋଷ ବ୍ୟୁରୋ:  ଆଗାମୀ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଦେବ ଓଡ଼ିଶା ଜନତା କଂଗ୍ରେସ । ଏନେଇ ସୂଚନା ଦେଇଛନ୍ତି ଦଳର ପ୍ରତିଷ୍ଠାତା ତଥା ସଭାପତି ମହମ୍ମଦ ମୋକିମ୍ । ମୋକିମ୍ କହିଛନ୍ତି ଯେ, ପଞ୍ଚାୟତ ଆମ ପାଇଁ ମାପକାଠି । ଆମେ ଏଥିପାଇଁ ପୂର୍ଣ୍ଣ ମାତ୍ରାରେ ପ୍ରସ୍ତୁତ ଅଛୁ। ସମସ୍ତ ମହାନଗର ନିଗମ, ପୌରାଞ୍ଚଳ ଓ ଜିଲ୍ଲା ସ୍ତରରେ ପ୍ରସ୍ତୁତି ଚାଲିଛି । ପୌର ନିର୍ବାଚନରେ ସମ୍ପୂର୍ଣ୍ଣ ପ୍ରାର୍ଥୀ ଦେବାପାଇଁ କହିଛନ୍ତି ମୋକିମ୍ । ଏହାସହ ପଞ୍ଚାୟତ ନିର୍ବାଚନକୁ ନେଇ କହିଛନ୍ତି ଯେ, ପଞ୍ଚାୟତ ବିନା ରାଜନୀତି ହୋଇ ପାରିବନି । ତେଣୁ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପଦବୀ ପାଇଁ ପ୍ରାର୍ଥୀ ଦେବ ଓଡ଼ିଶା ଜନତା କଂଗ୍ରେସ । ଏଥିସହ ଦଳ ଯୁବକଙ୍କୁ ପ୍ରାଧାନ୍ୟ ଦେଇ ୯୦ ପ୍ରତିଶତ ଯୁବକଙ୍କୁ ଟିକେଟ ଦିଆଯିବ । ପଞ୍ଚାୟତ ଓ ପୌର ନିର୍ବାଚନ ପରେ ୨୦୨୯ ସାଧାରଣ ନିର୍ବାଚନ ପାଇଁ ଛାପ ଛାଡ଼ିବୁ ବୋଲି କହିଛନ୍ତି ମୋକିମ୍ ।

UPI ଶୁଳ୍କ ଲାଗିଲେ ବଦଳିବ ପେମେଣ୍ଟ ପଦ୍ଧତି! ୧୪% ହିଁ ଦେବାକୁ ରାଜି

ନନ୍ଦିଘୋଷ ବ୍ୟୁରୋ:  UPI ପେମେଣ୍ଟ ନିୟମ: ଡିଜିଟାଲ ଇଣ୍ଡିଆର ଏହି ଯୁଗରେ, ଆମେ ପନିପରିବା ବିକ୍ରେତାଙ୍କଠାରୁ ଆରମ୍ଭ କରି ବଡ଼ ସୋରୁମ୍ ପର୍ଯ୍ୟନ୍ତ ସବୁଠି UPI ପେମେଣ୍ଟ କରିବା ପାଇଁ ଆମର ମୋବାଇଲ୍ ଫୋନ୍ ବାହାର କରୁଛୁ। ଆମେ ଏଥିରେ ଏତେ ଅଭ୍ୟସ୍ତ ହୋଇଗଲୁଣି ଯେ, ଆମ ୱାଲେଟ୍‌ରେ ଟଙ୍କା ନେବାକୁ ପ୍ରାୟ ଭୁଲିଯାଇଛୁ। କିନ୍ତୁ ଏବେ ବଡ଼ ପେମେଣ୍ଟକୁ ନେଇ ପରିବର୍ତ୍ତନ ହେବାକୁ ଯାଉଛି। ୧୫ ଅକ୍ଟୋବର, ୨୦୨୬ ଠାରୁ ₹୨,୦୦୦ରୁ ଅଧିକ (ବ୍ୟକ୍ତି-ବ୍ୟବସାୟୀ) UPI ପେମେଣ୍ଟ ଉପରେ ୦.୪ ପ୍ରତିଶତ MDR (ବ୍ୟବସାୟୀ ରିହାତି ହାର) ଲାଗୁ କରାଯିବ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ବହୁତ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ସାମ୍ପ୍ରତିକ ଏକ ବଡ଼ ଦେଶବ୍ୟାପୀ ସର୍ଭେରୁ ଜଣାପଡ଼ିଛି ଯେ, ଯଦି ଲୋକମାନେ ଅତିରିକ୍ତ ଖର୍ଚ୍ଚର ସମ୍ମୁଖୀନ ହୁଅନ୍ତି, ତେବେ ସେମାନେ UPI ପରିତ୍ୟାଗ କରିବେ।

UPI ପେମେଣ୍ଟରେ ଅତିରିକ୍ତ ଶୁଳ୍କ ଚାହୁଁନାହାନ୍ତି ଗ୍ରାହକ

ଲୋକାଲସର୍କଲ୍ସ ଦେଶର ୨୯୧ଟି ଜିଲ୍ଲାରେ ଏକ ବଡ଼ ସର୍ଭେ କରିଥିଲା। ୬୭,୦୦୦ରୁ ଅଧିକ UPI ଉପଭୋକ୍ତା ପ୍ରତିକ୍ରିୟା ଦେଇଥିଲେ। ତଥ୍ୟ ଦର୍ଶାଉଛି ଯେ ୭୬ ପ୍ରତିଶତ ଗ୍ରାହକ ୨୦୦୦ ଟଙ୍କାରୁ ଅଧିକ ଦେୟ ପାଇଁ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ଚାହାଁନ୍ତି ନାହିଁ। ସେମାନେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଯଦି ଶୁଳ୍କ ଲଗାଯାଏ, ତେବେ ସେମାନେ ସେମାନଙ୍କର ଦେୟ ପଦ୍ଧତି ପରିବର୍ତ୍ତନ କରିବେ। ସମ୍ପୂର୍ଣ୍ଣ ସର୍ଭେରେ କେବଳ ୧୪ ପ୍ରତିଶତ ଉତ୍ତରଦାତା ଫି ଦେବା ପରେ ମଧ୍ୟ UPI ବ୍ୟବହାର କରିବାକୁ ଇଚ୍ଛୁକ ଥିଲେ। ବାକିମାନେ ₹୨,୦୦୦ ରୁ ଅଧିକ ପେମେଣ୍ଟ କରିବା ପାଇଁ ଅନ୍ୟ ଉପାୟ ଖୋଜିବାକୁ ନିଷ୍ପତ୍ତି ନେଇଛନ୍ତି।

UPI ଶୁଳ୍କ ଲାଗିଲେ ନଗଦ ଟଙ୍କା ଆଡ଼କୁ ଫେରିବେ ଗ୍ରାହକ!

ସର୍ଭେ ଫଳାଫଳରୁ ଜଣାପଡ଼ିଛି ଯେ, ଲୋକମାନେ ପୂର୍ବରୁ ହିଁ ବିକଳ୍ପ ଯୋଜନା ପ୍ରସ୍ତୁତ କରିସାରିଛନ୍ତି। ଯଦି UPI ମହଙ୍ଗା ପ୍ରମାଣିତ ହୁଏ, ତେବେ ୨୭ ପ୍ରତିଶତ ଲୋକ ନଗଦ କାରବାରକୁ ଫେରିଯିବେ। ଆଉ ୨୬ ପ୍ରତିଶତ ଲୋକ କ୍ରେଡିଟ୍ କାର୍ଡ ବ୍ୟବହାର କରିବେ। ଏହା ସହିତ, ୧୪ ପ୍ରତିଶତ ଲୋକ ଡେବିଟ୍ କାର୍ଡ ବାଛିବେ। ଚାରି ପ୍ରତିଶତ ଲୋକ NEFT କିମ୍ବା IMPS ମାଧ୍ୟମରେ ମଧ୍ୟ ଟଙ୍କା ସ୍ଥାନାନ୍ତର କରିବେ। ପ୍ରାୟ ୯ ପ୍ରତିଶତ ଉତ୍ତରଦାତା କୌଣସି ଶୁଳ୍କ ନଥିବା ବିକଳ୍ପ ପାଇଁ ଦାବି କରୁଛନ୍ତି। ଆଶ୍ଚର୍ଯ୍ୟଜନକ ଭାବେ, ୨ ପ୍ରତିଶତ ଲୋକ କହିଛନ୍ତି ଯେ, ଯଦି ଶୁଳ୍କ ଲାଗୁ କରାଯାଏ, ତେବେ ସେମାନେ ସେମାନଙ୍କର କ୍ରୟକୁ ସ୍ଥଗିତ ରଖିବେ।

UPI ଶୁଳ୍କକୁ ନେଇ ବ୍ୟବସାୟୀଙ୍କର ମଧ୍ୟ ବଢୁଛି ଚିନ୍ତା!

ଏହି ଚାପ କେବଳ ଗ୍ରାହକଙ୍କ ପାଇଁ ନୁହେଁ। ଦୋକାନୀମାନେ ମଧ୍ୟ ଏକ ଭିନ୍ନ ପ୍ରକାରର ଚିନ୍ତାର ସମ୍ମୁଖୀନ ହେଉଛନ୍ତି। ୦.୪ ପ୍ରତିଶତ MDR ଆଧାରରେ, ଜଣେ ଦୋକାନୀଙ୍କୁ ୫,୦୦୦ ଟଙ୍କାର ପେମେଣ୍ଟ ପାଇଁ ୨୦ ଟଙ୍କା ଦେବାକୁ ପଡ଼ିବ। ସେହିପରି, ୫୦,୦୦୦ ଟଙ୍କାର ପେମେଣ୍ଟ ପାଇଁ ଏହି ଚାର୍ଜ ୨୦୦ ଟଙ୍କାକୁ ବୃଦ୍ଧି ପାଇବ।

LocalCircles ମଧ୍ୟ ୩୨,୦୦୦ରୁ ଅଧିକ ବ୍ୟବସାୟୀଙ୍କ ସହ କଥା ହୋଇଥିଲା। ଏମାନଙ୍କ ମଧ୍ୟରୁ ୪୧ ପ୍ରତିଶତ ବ୍ୟବସାୟୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ସେମାନେ ନିଜ ପକେଟରୁ କୌଣସି MDR ଦେବେ ନାହିଁ। କେବଳ ୧୭ ପ୍ରତିଶତ ଦୋକାନୀ ଏହି ଖର୍ଚ୍ଚ ବହନ କରିବାକୁ ଇଚ୍ଛୁକ ଥିବାବେଳେ, ୯ ପ୍ରତିଶତ ବ୍ୟବସାୟୀ କହିଛନ୍ତି ଯେ ସେମାନେ UPI ପେମେଣ୍ଟ ଆଦୌ ଗ୍ରହଣ କରନ୍ତି ନାହିଁ।

ସରକାରଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ, ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ

ଏବେ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି: ଏହି ଟଙ୍କା କିଏ ଦେବ? ଅର୍ଥ ମନ୍ତ୍ରଣାଳୟ ପରିସ୍ଥିତିକୁ ସମ୍ପୂର୍ଣ୍ଣ ସ୍ପଷ୍ଟ କରିଛି। ସରକାର କହିଛନ୍ତି ଯେ MDR ନା ଏକ ସରକାରୀ ଟିକସ ଏବଂ ନା NPCI ଦ୍ୱାରା ଏହା ସଂଗ୍ରହ କରାଯାଉଛି। କୌଣସି ପରିସ୍ଥିତିରେ ଗ୍ରାହକଙ୍କଠାରୁ ଏହି ପରିମାଣ ଆଦାୟ ନକରିବାକୁ ବ୍ୟବସାୟୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଗ୍ରାହକଙ୍କ ଉପରେ ଯେପରି ବୋଝ ନ ପଡ଼େ ତାହା ନିଶ୍ଚିତ କରିବାକୁ ବ୍ୟାଙ୍କଗୁଡ଼ିକୁ ମଧ୍ୟ କୁହାଯାଇଛି। ଅକ୍ଟୋବର 15 ତାରିଖରୁ, ଏହି ସମ୍ପୂର୍ଣ୍ଣ ବ୍ୟବସ୍ଥା ଉପରେ କଡ଼ା ନଜର ରଖାଯିବ। ତଥାପି, ରିପୋର୍ଟରୁ ଜଣାପଡିଛି ଯେ ଯଦି ଜଣେ ଦୋକାନୀ ଭୁଲ ଭାବରେ ଗ୍ରାହକଙ୍କଠାରୁ ଟଙ୍କା ଆଦାୟ କରନ୍ତି, ତେବେ ସେମାନଙ୍କ ବିରୁଦ୍ଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଜଣେ ଗ୍ରାହକ କିପରି ଟଙ୍କା ଫେରସ୍ତ ପାଇବେ ତାହାର ପ୍ରକ୍ରିୟା ମଧ୍ୟ ସମ୍ପୂର୍ଣ୍ଣ ବ୍ୟାଖ୍ୟା କରାଯାଇ ନାହିଁ। ସର୍ଭେରୁ ଜଣାପଡିଛି ଯେ ଯଦି ବଜାରରେ ଗ୍ରାହକମାନଙ୍କଠାରୁ ଏହି ଶୁଳ୍କ ଗୁପ୍ତ ଭାବରେ ଆଦାୟ କରାଯାଏ, ତେବେ ଉଚ୍ଚ-ମୂଲ୍ୟର UPI ପେମେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ନଗଦ କିମ୍ବା କାର୍ଡକୁ ଫେରିଯିବ।

 

 

 

 

ସିଇସିଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ: ଖୋଲିବ କି ୨୦ ବର୍ଷ ପୁରୁଣା ମାମଲା ?

ନନ୍ଦିଘୋଷ ବ୍ୟୁରୋ: ଦିନକୁ ଦିନ ମୂଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଅଡୁଆ ବଢିବାରେ ଲାଗିଛି । ଏସଆଇଆର ପ୍ରସଙ୍ଗରେ ବିବାଦ ତୁଟି ନଥିବା ବେଳେ ଏବେ ତାଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ଆରମ୍ଭ ହେବାକୁ ଯାଉଛି । ଯାହାଫଳରେ ତାଙ୍କ ସମସ୍ୟା ଆହୁରି ବଢିଯାଇଛି । ଜଣେ କଂଗ୍ରେସ ନେତାଙ୍କ ଅଭିଯୋଗ ପରେ କେରଳ ସରକାର ୨୦ ବର୍ଷ ପୁରୁଣା ଦୁର୍ନୀତି ମାମଲାରେ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଦୁଇ ଦିନ ପୂର୍ବରୁ ସରକାର ମାମଲାର ଫାଇଲ୍ ସମନ କରିଥିଲେ । ଯାହାପରେ ଆଜି କେରଳ ଗୃହମନ୍ତ୍ରୀ ରମେଶ ଚେନ୍ନିଥଲା ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ଭିଜିଲାନ୍ସ ତଦଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲା ୨୦୦୬ ମସିହାରେ କେରଳର ପିଡବ୍ଲୁ୍ଡି ଡିପାର୍ଟମେଣ୍ଟର ସଚିବ ଭାବରେ ତାଙ୍କର କାର୍ଯ୍ୟକାଳ ସମୟରେ ହୋଇଥିବା ଅନିୟମିତତା ସହ ଜଡିତ । ଯେଉଁଥିରେ ସିଇସି ଜ୍ଞାନେଶ କୁମାରଙ୍କ ବିରୁଦ୍ଧରେ ଅନୁୟମିତତାର ଅଭିଯୋଗ ଆସିଛି । ଏହି ମାମଲାରେ ମାଲେସିଆନ୍ ସିଭିଲ୍ ଇଞ୍ଜିନିୟର ଲି ସି ବିନ୍ ଆତ୍ମହତ୍ୟା କରିଥିଲେ । ଯିଏ କେରଳ ରାଜ୍ୟ ପରିବହନ ପ୍ରକଳ୍ପ ଅଧୀନରେ MC ରୋଡ ପ୍ରୋଜେକ୍ଟରେ  PATI-BEL କନସୋର୍ଟିୟମ ସହିତ ଜଡିତ ଥିଲେ । ସେ ତାଙ୍କ ସୁଇସାଇଡ୍ ନୋଟରେ ସିଇସି ଜ୍ଞାନେଶ କୁମାରଙ୍କ ନାମ ଉଲ୍ଲେଖ କରିଥିଲେ । ହେଲେ ବାହ୍ୟ ଚାପ ପ୍ରୟୋଗ କରାଯାଇ ମାମଲାରେ ମୂଳ ତଦନ୍ତକୁ ବାଟବଣା କରାଯାଇଥିବା ଅଭିଯୋଗ ହେବା ପରେ ଏବେ ଏହାର ତଦନ୍ତ ପୁଣି ଆରମ୍ଭ ହୋଇଛି । କଂଗ୍ରେସ ନେତା ମଲୟିନକୀଜ ବେଣୁଗୋପାଲଙ୍କ ଅଭିଯୋଗ ପରେ ଗୃହମନ୍ତ୍ରୀ ରମେଶ ଚେନ୍ନିଥଲା ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ସହ ଜଡିତ ମାମଲାରେ ବାହ୍ୟ ପ୍ରଭାବର ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଏବଂ ଫଳାଫଳ ଆଧାରରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କହିରଖୁଛୁ ଯେ, ଜ୍ଞାନେଶ କୁମାର ହେଉଛନ୍ତି କେରଳ କ୍ୟାଡରର ୧୯୮୮ ବ୍ୟାଚର ଆଇଏଏସ୍ ଅଧିକାରୀ । ସେ କେରଳରେ ଅନେକ ଉଚ୍ଚପଦସ୍ଥ ପଦବୀରେ କାର୍ଯ୍ୟ କରିଛନ୍ତି । ବର୍ତ୍ତମାନ ଜ୍ଞାନେଶ କୁମାର ଭାରତୀୟ ନିର୍ବାଚନ କମିଶନ ର ମୁଖ୍ୟ ନିର୍ବାଚନ କମିଶନର ଅଛନ୍ତି, କିନ୍ତୁ ଦୁଇ ନିର୍ବାଚନ କମିଶନର ବିକାଶ ଜୋଶୀ ଏବଂ ସୁଖବିନ୍ଦର ସିଂ  ସନ୍ଧୁଙ୍କ ଦ୍ବାରା ଭୋଟର ତାଲିକା ଏବଂ ଏସଆଇଆର ସମ୍ପର୍କରେ ଉଠାଇଥିବା ପ୍ରଶ୍ନ ଯୋଗୁଁ ସେ ବିବାଦରେ ଫସିଛନ୍ତି । ଆଉ ଏହି ସମୟରେ ଜ୍ଞାନେଶ କୁମାରଙ୍କ ସହ ଜଡିତ ପୁରୁଣା ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ କେରଳର ମାମଲା ମଧ୍ୟ ରହିଛି । ଆଉ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ଏବଂ କେରଳ ସରକାର ଯଥାଶୀଘ୍ର ତଦନ୍ତ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଯଦି ସେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କ ଭବିଷ୍ୟତ ଉପରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇପାରେ ।

ଡିସେମ୍ବରରେ ଭାରତ ଛାଡିବେ ହସିନା !

ନନ୍ଦିଘୋଷ ବ୍ୟୁରୋ: ହସିନାଙ୍କୁ ଫେରାଇ ନେବାକୁ ଭାରତ ଉପରେ ବଢୁଛି ଚାପ । ନିଜ ଦେଶକୁ ଫେରାଇ ନେବାକୁ ଅସ୍ଥିର ହୋଇପଡିଲାଣି ବାଂଲାଦେଶ । ଯେଉଁଥିପାଇଁ ଭାରତ ଉପରେ ଚାପ ବୃଦ୍ଧି ପାଉଥିବାରୁ ଏବେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ଉଠାଯାଇଥିବା ପ୍ରଶ୍ନର କଡା ଯବାବ ଦେଇଛି ଭାରତ । ଭାରତ କହିଛି ଯେ ସେ ଶେଖ ହସିନାଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୀମା ପ୍ରଦାନ କରିପାରିବ ନାହିଁ । ଆଉ ଏହାର କାରଣ ମଧ୍ୟ ଭାରତ ବାଖ୍ୟା କରିଛି । ବାଂଲାଦେଶରେ ଭାରତୀୟ ହାଇକମିଶନର ଦିନେଶ ତ୍ରିବେଦୀ ଶନିବାର ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି । ରିପୋର୍ଟ ଅନୁସାରେ, ବାଂଲାଦେଶରେ ଭାରତୀୟ ହାଇକମିଶନର ଦିନେଶ ତ୍ରିବେଦୀ କହିଛନ୍ତି, “ ଶେଖ୍ ହସିନାଙ୍କ ପ୍ରତ୍ତ୍ୟାବର୍ତ୍ତନର ଏକ ନିର୍ଦ୍ଦିଷ୍ଟ ସମୟ କେହି ଆପଣଙ୍କୁ ଦେଇପାରିବେ ନାହିଁ ।“ ଏହା ଏକ ଆଇନଗତ ପ୍ରକ୍ରିୟା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ହସିନାଙ୍କୁ ଭାରତୀୟ ସେନା କିମ୍ବା ବାୟୁସେନା ଆଣିନଥିଲେ । ବରଂ ଅଗଷ୍ଟ ୫ ତାରିଖରେ ପ୍ରଦର୍ଶନକାରୀମାନେ ତାଙ୍କ ବାସଭବନ ଆଡକୁ ଅଗ୍ରସର ହେବା ସମୟରେ ସେ ବାଂଲାଦେଶର ବାୟୁସେନାରେ ଭାରତକୁ ଚାଲି ଆସିଥିଲେ । ତେଣୁ ତାଙ୍କ ପ୍ରତ୍ୟାର୍ପଣ ସମ୍ପର୍କରେ ଏବେ ବି ତଦନ୍ତ ଚାଲିଛି ।

ସେପଟେ ଶେଖ୍  ହସିନା ମଧ୍ୟ ବାଂଲାଦେଶ ଫେରିବା ପ୍ରସଙ୍ଗରେ ଅନେକ ଥର ପ୍ରତିକ୍ରିୟା ଦେଇସାରିଛନ୍ତି । ଚଳିତ ବର୍ଷ ସେପ୍ଟେମ୍ବରରେ ଏକ କାର୍ଯ୍ୟକ୍ରମରେ ସେ କହିଥିଲେ, ମୁଁ ବାଂଲାଦେଶ ଫେରିବାକୁ ଦୃଢ ଭାବରେ ଚାହୁଁଛି । ହେଲେ ସମସ୍ତେ ଜାଣନ୍ତି ଯେ ହସିନାଙ୍କର ପାସପୋର୍ଟ ଏବଂ ଅନ୍ୟ ସବୁକିଛି ସିଲ୍ କରାଯାଇଛି । ତେଣୁ ସେ ଏ ବିଷୟରେ ବିଚାର ବିମର୍ଷ କରି ଆଲୋଚନା କରୁଛନ୍ତି । ସମୟ ଆସିଲେ ସେ ଏହାର ଖୁଲାସା ନିଜେ କରିବେ ଏବଂ କିପରି ଓ କେବେ ସେଠାକୁ ଯିବେ ସେ ବିଷୟରେ ସମସ୍ତଙ୍କୁ ସୂଚନା ଦେବେ ବୋଲି କହିଛନ୍ତି ।  ହସିନା ଆହୁରି କହିଥିଲେ ଯେ, ମୋତେ ଗିରଫ କରାଯାଇପାରେ, ଜେଲ ବି ପଠାଯାଇପାରେ । ହେଲେ ଏହି ଡର ଲୋକଙ୍କ ପାଇଁ ଥିବା ମୋର କର୍ତ୍ତବ୍ୟରୁ ମୋତେ ଅଟକାଇ ପାରିବ ନାହିଁ । ମୋର ପ୍ରିୟ ଦେଶବାସୀ କଷ୍ଟ ପାଉଥିବା ବେଳେ ମୁଁ ଚୁପ୍ ବସିପାରିବି ନାହିଁ । ଏହାସହ ତାଙ୍କ ଫେରିବାର ସଠିକ ତାରିଖ ସମ୍ପର୍କରେ ସେ କହିଥିଲେ ଯେ, ଉପଯୁକ୍ତ ସମୟରେ ସେ ଏହାର ଘୋଷଣା କରିବେ । ତେବେ ଆଇନଗତ ଜଟିଳତାକୁ ଉଦ୍ଧୃତ କରି ସେ ଦାବି କରିଥିଲେ, ଯେ ଏହି ବର୍ଷ ଡିସେମ୍ବରରେ ସେ ବାଂଲାଦେଶ ପ୍ରତ୍ୟାବର୍ତ୍ତନ କରିପାରନ୍ତି ।

ଯଦି ଦେଖିବା ୭୯ ବର୍ଷୀୟା ହସିନା ୫ ଅଗଷ୍ଟ ୨୦୨୪ରେ ଏକ ଜନ ବିରୋଧୀ ଆନ୍ଦୋଳନ ମଧ୍ୟରେ ତାଙ୍କ ସରକାରର ପତନ ହେବା ପରେ ଢାକାରୁ ପଳାଇ ଆସି ଭାରତରେ ଶରଣ ନେଇଥିଲେ । ଆଉ ସେବେଠାରୁ ସେ ଭାରତରେ ହିଁ ଅଛନ୍ତି । ତାଙ୍କର ବାଂଲାଦେଶ ଛାଡିବା ପରେ ସେଠାରେ ୮ ଅଗଷ୍ଟ ୨୦୨୪ରେ ମହମ୍ମଦ ୟୁନୁସଙ୍କ ନେତୃତ୍ବରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯାଇଥିଲା  । ଆଉ ପରବର୍ତ୍ତୀ ୧୮ ମାସ ପାଇଁ ବାଂଲାଦେଶକୁ ଶାସକ କରିଥିଲେ । ଏହି ସମୟରେ ଭାରତ-ବାଂଲାଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଖରାପ ହୋଇଥିଲା ।

ନାରୀ-ଶିଶୁ ନିର୍ଯାତନା ବନ୍ଦ ସହ ମଦ ନିଷେଧ ଦାବି

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ନାରୀ ନିର୍ଯାତନା ଓ ଶିଶୁ ନିର୍ଯାତନା ବନ୍ଦ କରିବା ସହ ମଦ ଓ ମାଦକ ଦ୍ରବ୍ୟ ସଂପୂର୍ଣ୍ଣ ନିଷିଦ୍ଧ କରିବା ପାଇଁ ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ ଦାବି କରାଯାଇଛି । ରାଉରକେଲା ସହରରେ ଅନୁଷ୍ଠିତ ସୁନ୍ଦରଗଡ଼ ଜିଲ୍ଲା ସ୍ତରୀୟ ମହିଳା ସମ୍ମିଳନୀରେ ଏହି ଦାବି କରାଯାଇଛି। ଏହାସହ ଇଣ୍ଟରନେଟରେ ଅଶ୍ଳୀଳତାର ପ୍ରସାର ବନ୍ଦ କରିବା, ରାଜ୍ୟରେ ଭିଡ ହିଂସା ଓ ଅପରାଧକୁ ବନ୍ଦ କରିବା, ସ୍କିମ ଓ୍ବାର୍କରଙ୍କ ନ୍ୟାର୍ଯ୍ୟ ଦାବି ପୂରଣ କରିବା, ପାଠ୍ୟପୁସ୍ତକ ତ୍ରୁଟିକୁ ସୁଧାରିବା ପାଇଁ ମହିଳା ସମ୍ମିଳନୀରେ ଦାବି ହୋଇଛି । ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନର ସାଧାରଣ ସମ୍ପାଦିକା ଛବି ମହାନ୍ତିଙ୍କ ନେତୃତ୍ବରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଆସନ୍ତା ଡିସେମ୍ବର ମାସ ୧୩ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନର ସର୍ବ ଭାରତୀୟ ସମ୍ମିଳନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ।

ତେଲ ଟ୍ୟାଙ୍କର ଭିତରେ ଚାଲିଥିଲା ଗୋ-ଚାଲାଣ, ଡ୍ରାଇଭର ଓ ହେଲପର ଅଟକ

ନନ୍ଦିଘୋଷ ବ୍ୟୁରୋ:  ଅଭିନବ ଉପାୟରେ ତେଲ ଟ୍ୟାଙ୍କର ଭିତରେ ଚାଲିଥିଲା ବେଆଇନ ଗୋ-ଚାଲାଣ। ବାଙ୍ଗିରି ପୋଷିରେ ଗାଡ଼ି ଜବତ କରାଯାଇଥିବା ବେଳେ, ଡ୍ରାଇଭର ଓ ହେଲପର ଅଟକ ଅଛନ୍ତି। ତେଲ ପରିବହନ ବାହାନାରେ ଏକ ବଡ଼ ଟ୍ୟାଙ୍କର ଭିତରେ ବେଆଇନ ଭାବେ ଗୋରୁ ଚାଲାଣ ହେଉଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ତେଲ ଟ୍ୟାଙ୍କରଟି ବିଶୋଇ ପଟୁ କଳାବାଡ଼ିଆ ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ବେଳେ, ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା। ଲୋକେ ଗାଡ଼ିକୁ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ରେଲୱେ ଗୋଳା ପୋଲ ନିକଟରେ ଗୋଡ଼ାଇ ଗୋଡ଼ାଇ କାବୁ କରିଥିଲେ। ଖବର ପାଇ ବାଙ୍ଗିରିପୋଷି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରିବା ସହ ତେଲ ଟ୍ୟାଙ୍କରକୁ ଜବତ କରିଛି। ଘଟଣାରେ ସମ୍ପୃକ୍ତ ଡ୍ରାଇଭର ଏବଂ ହେଲପରଙ୍କୁ ପୋଲିସ ହେପାଜତକୁ ନେଇ ପଚରାଉଚରା ଜାରି ରଖିଛି।