spot_img
Home Blog Page 713

ରୋଜଗାର ଦେଉଛି ମିଠା ମକା

ଉଦଳା : ଧାଡିକି ଧାଡି ହୋଇ ଲାଗିଛି ମିଠା ମକା ଗଛ । ସବୁଜ କିଆରୀରେ ମନ ମୋହୁଛି ଫୁରୁଫୁରୁ ହୋଇ ଉଡୁଥିବା ଫୁଲ କେଶର । ଆଉ ଏହି ମିଠା ମକା ଚାଷ କରି ଲାଭବାନ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ ସାଇଁକୁଳା ଗାଁର ଚାଷୀ ମଙ୍ଗଲା ଦେହୁରୀ । ପୂର୍ବରୁ ପାରମ୍ପରିକ ଚାଷ କରି କ୍ଷତି ସହୁଥିଲେ ମଙ୍ଗଲା । ସ୍ଵିଟ କର୍ଣ୍ଣ ଚାଷ ବିଷୟରେ ଜାଣି ନିଜ ଚାଷର ଢାଞ୍ଚା ବଦଳାଇ ଆରମ୍ଭ କରିଥିଲେ ମିଠା ମକା ଚାଷ । ଚଳିତ ବର୍ଷ ମଙ୍ଗଲା ତାଙ୍କର ୨ ଏକର ଜମିରେ ମିଠା ମକା ଚାଷ କରିଛନ୍ତି । ସେ ପ୍ରତିଦିନ ୭ ରୁ ୯ କୁଇଣ୍ଟାଲ ମିଠା ମକା ଉତ୍ପାଦନ କରୁଛନ୍ତି । ମଙ୍ଗଲା ଦେହୁରୀ ନିଜେ ଚାଷ କରିବା ସହିତ ସମ୍ପର୍କୀୟଙ୍କ ସମେତ ୮ ଜଣରୁ ଅଧିକ ଲୋକଙ୍କୁ ରୋଜଗାର ଯୋଗାଇ ଦେଇଛନ୍ତି ।

ପୂର୍ବରୁ କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ପଞ୍ଜାବ ଓ ହରିୟାଣା ଭଳି ରାଜ୍ୟରେ ବହୁଳ ଭାବେ ମିଠା ମକା ଚାଷ କରାଯାଉଥିଲା । ଏବେ ଏହି ଚାଷ ଓଡ଼ିଶାରେ କରାଯାଉଛି । ସାଇଁକୁଳା ଗାଁର ଚାଷୀ ମଙ୍ଗଲା ଦେହୁରୀଙ୍କ ଏହି ମିଠା ମକା ଉଦଳା, କପ୍ତିପଦା, ଖୁଣ୍ଟା, ବଡ଼ସାହି, ବାରିପଦା ସମେତ ପଡ଼ୋଶୀ ବାଲେଶ୍ୱର, ଜଳେଶ୍ୱର, ନୀଳଗିରି, ସୋର ଓ ଭଦ୍ରକ ଅଞ୍ଚଳକୁ ବିକ୍ରି ହେଉଛି ।
ଆଉ ମିଠା ମକା ବିକ୍ରି କରି ସେ ଭଲ ରୋଜଗାର କରୁଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ମିଠା ମକା ଚାଷ ପାଇଁ ଅନୁକୂଳ ଜଳବାୟୁ ରହିଛି । ଆଗାମୀ ଦିନରେ ମିଠା ମକା ଚାଷ ପାଇଁ ସରକାରୀ ସ୍ତରରେ ତାଲିମ ସହିତ ସହାୟତା ଯୋଗାଇ ଦେଲେ ଅଧିକରୁ ଅଧିକ ଚାଷୀ ଲାଭବାନ ହୋଇପାରିବେ ।

ନବରଙ୍ଗପୁର ଜିଲ୍ଲାରେ ଧାନମଣ୍ଡିରେ ମହାଦୁର୍ନୀତି

ନବରଙ୍ଗପୁର : ବିଜେପି ସରକାରରେ ସାମ୍ନାକୁ ଆସିଲା ଚାଷୀ ମାରଣ ନୀତି । ନୂଆ ସରକାର ଚାଷୀଙ୍କୁ ଧାନ କ୍ଵିଣ୍ଟାଲ ପିଛା ୮ ଶହ ଟଙ୍କା ଇନପୁଟ ସହାୟତା ଦେବାକୁ ଘୋଷଣା କରିବା ପରେ ଆରମ୍ଭ ହୋଇଛି ଦୁର୍ନୀତିର କଳାକାହାଣୀ । ପୂର୍ବ ବର୍ଷ ନବରଙ୍ଗପୁର ଜିଲ୍ଲାରେ ୧୨ ଲକ୍ଷ ୬୦ ହଜାର କ୍ଵିଣ୍ଟାଲ ଧାନ କିଣା ହୋଇଥିବା ବେଳେ ଚଳିତ ବର୍ଷ ତାହା ଦୁଇଗୁଣରୁ ଅଧିକ ଅର୍ଥାତ ୨୫ ଲକ୍ଷ ୭୮ ହଜାର କ୍ଵିଣ୍ଟାଲ କେମିତି ହେଲା ? ଚାଷୀମାନେ କେମିତି ଅଧିକରୁ ଅଧିକ ପଞ୍ଜୀକରଣ କଲେ ? ତାକୁ ନେଇ ପ୍ରଶ୍ନ କରିଛି ବିଜେଡି । ଅନ୍ୟପଟେ ଜିଲ୍ଲାରେ ୨୫ ଲକ୍ଷ କ୍ଵିଣ୍ଟାଲ ଧାନ ଗଚ୍ଛିତ କରିବା ପାଇଁ କେଉଁଠି ଏତେ ବଡ ଗୋଦାମ ରହିଛି ? ସରକାର କେଉଁ ମିଲରଙ୍କୁ କେତେ ଧାନ ଗଚ୍ଛିତ କରିବାକୁ ନୋଟିସ ଦେଇଛନ୍ତି ଓ ତାହାର ତଦନ୍ତ କରିବାକୁ ଦାବି କରିବା ସହ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛି ନବରଙ୍ଗପୁର ଜିଲ୍ଲା ବିଜେଡି । ଏଥିସହ ଏହି ଦୁର୍ନୀତିରେ ଲ୍ଯାମ୍ପ ଏମଡିମାନେ ଜଡିତ ରହିଥିବା ବେଳେ DRCS, ARCS ମାନେ ମଧ୍ୟ ସାମିଲ ଥିବା ଅଭିଯୋଗ କରିଛି ଜିଲ୍ଲା ବିଜେଡି ।

ନବରଙ୍ଗପୁର ଜିଲ୍ଲାରେ ୪ ଗୋଟି ଲ୍ୟାମ୍ପ ରାଇଘର, କୋଡ଼ିଙ୍ଗା, ମୈଦଲପୁର ଓ ପାପଡାହାଣ୍ଡି ଲ୍ୟାମ୍ପରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ବିଜେଡି ନେତା ପ୍ରଦୀପ ମାଝୀ । ସରକାରଙ୍କ ପକ୍ଷରୁ ଧାନ କିଣିବା ପାଇଁ ନିୟୋଜିତ ସଂସ୍ଥାର ଅଧିକାରୀ ମାନେ କେମିତି ଦୁର୍ନୀତି କରି ମାଲାମାଲ ହେଉଛନ୍ତି ତାହା ତଦନ୍ତ କରିବାକୁ ଦାବି ଜୋର ଧରିଛି । ରାଇଘର ଲ୍ୟାମ୍ପ ଏମଡି କିଭଳି ପ୍ରଶାସନକୁ ମଣ୍ଡିର ଶେଷ ଦିନରେ ସରକାରଙ୍କୁ ଟାର୍ଗେଟ ବଢେଇବା ଓ ନିର୍ଦ୍ଦିଷ୍ଟ କିଛି ମିଲକୁ ଟାର୍ଗେଟ ଦେବା ପାଇଁ ଚିଠି କରୁଛନ୍ତି ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସରକାରଙ୍କ ନିୟମ ଅନୁସାରେ ମାର୍ଚ୍ଚ ୩୧ ତାରିଖ ଦିନ ମଣ୍ଡି ଶେଷ ହେବାକୁ ଥିବାବେଳେ ସେ ୩୧ ତାରିଖରେ ଚିଠି ଲେଖିଛନ୍ତି ଯାହା ତଦନ୍ତ ସାପେକ୍ଷ । ବର୍ତ୍ତମାନ ରାଇଘର ବ୍ଲକର ୩୪୪ ଜଣ ଚାଷୀଙ୍କ ୧୪ ହଜାର ୨ ଶହ କ୍ଵିଣ୍ଟାଲ ଧାନର ପ୍ରାପ୍ଯ ମିଳିନାହିଁ । ସମିତି ବା ଲ୍ୟାମ୍ପ ଗୁଡିକ RTI ପରିସର ମଧ୍ୟରେ ଆସୁନଥିବାରୁ ସେମାନେ ଖୋଲାଖୋଲି ଦୁର୍ନୀତି କରିଚାଲିଥିବା ଅଭିଯୋଗ ହୋଇଛି । ଜିଲ୍ଲାରେ ଧାନ ମଣ୍ଡିରେ ହୋଇଥିବା ମହାଦୁର୍ନୀତିର ଖୁଲାସା କେବେ କରାଯିବ ? ଟଙ୍କା ପାଇନଥିବା ୩୪୪ ଜଣଙ୍କୁ ତାଙ୍କ ପ୍ରାପ୍ଯ କେବେ ମିଳିବ ? ତା ସହ ଦୁର୍ନୀତିରେ ଲିପ୍ତ ଥିବା ଅଧିକାରୀଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବାକୁ ବାକି ରହିଲା।

ତ୍ରିଶୂଳିଆ, ନରଣପୁର, କୃଷ୍ଣଚନ୍ଦ୍ରପୁରରେ ବିଳମ୍ବିତ ରାତି ଯାଏଁ ଉଡିଲା ମାଳ ମାଳ ଡ୍ରୋନ୍

ବାଙ୍କୀ : ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ଡ୍ରୋନ ଉଡାଇବା ଉପରେ କଟକଣା ଲଗାଇଛନ୍ତି ସରକାର । ଅଥଚ କଟକ ଜିଲ୍ଲା ବାରଙ୍ଗ ଅଞ୍ଚଳରେ ବିଳମ୍ବିତ ରାତିରେ ଉଡିଲା ମାଳମାଳ ଡ୍ରୋନ । ପ୍ରଥମେ ବାରଙ୍ଗ ରତାଗଡ଼, ଗୋଡିସାହି, ଷଣ୍ଢପୁର ଅଞ୍ଚଳରେ ଉଡିଥିଲା ଏକାଧିକ ଡ୍ରୋନ । ବିଳମ୍ବିତ ରାତ୍ରି ପର୍ଯ୍ଯନ୍ତ ତ୍ରିଶୂଳିଆ , ନରଣପୁର, କୃଷ୍ଣଚନ୍ଦ୍ରପୁର ସମେତ ଆଖପାଖ ଅଞ୍ଚଳରେ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଥିଲା । କିଏ ଉଡାଇଲା ଡ୍ରୋନ ? କାହିଁକି ଏତେ ସଂଖ୍ଯାରେ ଡ୍ରୋନ ଉଡାଇଲା ? ଯାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ଲୋକେ ।
କିଛି ଦିନ ତଳେ ଛେଣ୍ଡିପଦାରେ ମଧ୍ଯ ଉଡିଥିଲା ଡ୍ରୋନ । ଛେଣ୍ଡିପଦା ଥାନା ପରିସରରୁ ଜିଏମଡିସି କମ୍ପାନୀ ପକ୍ଷରୁ ଡ୍ରୋନ ଉଡାଯାଇଛି । କମ୍ପାନୀ କର୍ତ୍ତୃପକ୍ଷ ପୋଲିସ ସହାୟତାରେ ଛେଣ୍ଡିପଦାରେ ଡ୍ରୋନ ଉଡାଇଛି । ଛେଣ୍ଡିପଦା ତହସିଲଦାର ଗ୍ରାମବାସୀଙ୍କ ବିନା ଅନୁମତିରେ ସର୍ଭେ କରାଯିବ ନାହିଁ ବୋଲି କହିଥିଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ଏହାକୁ ନମାନି ଡ୍ରୋନ ଉଡାଇଛନ୍ତି । ଯାହାକୁ ଅଞ୍ଚଳବାସୀ ନିନ୍ଦା କରିବା ସହ ସାଲୁଇଖମଣ ହାଣ୍ଡିଗୋଡା ଗ୍ରାମବାସୀ ଥାନା ଘେରାଉ କରିଥିଲେ । ଏପଟେ ଅନୁଗୁଳ ଏସଡିପିଙ୍କୁ ଫୋନ ଯୋଗେ ପଚାରିବାରୁ ସେ ଏହି ବିଷୟରେ ଜାଣି ନଥିବା ପ୍ରକାଶ କରିଛନ୍ତି । ବିନା ପରମିଶନରେ ଡ୍ରୋନ ଉଡ଼ାଉଥିବା ବ୍ୟକ୍ତିଙ୍କ ଉପରେ କଡା ଆକ୍ସନ ନେବାକୁ ଦାବି ହେଉଛି ।

ଅନ୍ଧବିଶ୍ଵାସର ନଗ୍ନ ଚିତ୍ର, ଗର୍ଭବତୀଙ୍କ ମୃତ୍ୟୁ ପରେ ପେଟରୁ ବାହାର କଲେ ଭୃଣ

କଟକ : ଆଧୁନିକ ଯୁଗରେ ବି ଲୋକଙ୍କ ମନରୁ ଲିଭିନି ଅନ୍ଧ ବିଶ୍ଵାସ । ଆଜି ବି କୁପ୍ରଥାରୁ ବାହାରିପାରୁନାହାଁନ୍ତି ଲୋକେ । ଏପରି କିଛି ଘୃଣ୍ଯ ଦୃଶ୍ଯ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ବିଜୟନଗର ଗାଁରେ । ଯାହା ଦେଖିଲେ ଯେକେହି ଚକିତ ହୋଇଯିବେ । ଜଣେ ଗର୍ଭବତୀଙ୍କ ମୃତ୍ୟୁ ପରେ ମୃତଦେହକୁ ସଂସ୍କାର କରିବା ବଦଳରେ ମହିଳାଙ୍କ ପେଟ ଚିରି ଭୃଣକୁ ବାହାର କରାଯାଇ ଗଛରେ ଡେରି ଦିଆଯାଇଛି । ଅନ୍ଧବିଶ୍ଵାସ ରହିଛି, ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହେଲେ ସେ ଚିରୁଗୁଣୀ ହୋଇଯାଆନ୍ତି। ସେଇ ଅନ୍ଧବିଶ୍ବାସରେ ମହିଳାଙ୍କର ଶବ ଶତ୍କାର କରିବା ବଦଳରେ ଗଛରେ ଡେରି ଦିଆଯାଇଥିଲା । ସୂଚନା ମୁତାବକ ବିଜୟନଗର ଗାଁର ସନ୍ତୋଷ ସାହୁଙ୍କ ପତ୍ନୀ ପଦ୍ମିନୀ ୪ ମାସର ଗର୍ଭବତୀ ଥିଲେ । ଏହା ତାଙ୍କର ଦ୍ଵିତୀୟ ଗର୍ଭ ଥିଲା । କିନ୍ତୁ ସେ ମଧୁମେହ ରୋଗରେ ପୀଡିତ ଥିବା କାରଣରୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତିହୋଇ ଚିକିତ୍ସିତ ହେଉଥିଲେ। ଗତ ରବିବାର ବିଳମ୍ବିତ ରାତିରେ ପଦ୍ମିନୀ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ସୋମବାର ଦିନ ପଦ୍ମିନୀଙ୍କ ମୃତଦେହ ଘରକୁ ଆସିବା ପରେ ରାତିରେ ପଦ୍ମିନୀଙ୍କ ପେଟ ଚିରି ଭୃଣକୁ ବାହାର କରି ନଦୀ କୂଳରେ ଏକ ଗଛ ମୂଳରେ ଡେରି ବସାଇ ଦିଆଯାଇଥିବା ଦେଖିବାକୁ ମିଳିଛି ।

ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ଖେଳିଯାଇଥିଲା। ସ୍ଥାନୀୟ ଅଞ୍ଚଳର କେତେକ ସ୍ବେଛାସେବୀ ଓ ବୁଦ୍ଧିଜୀବୀ ପରିବାର ଲୋକଙ୍କୁ ଭେଟି ଏପରି କାର୍ଯ୍ୟକୁ ବାରଣ କରିବା ସହିତ ବୁଝାସୁଝା କରିଥିଲେ। ପରେ ସେମାନେ ମୃତଦେହଟିକୁ ବସାଯାଇଥିବା ସ୍ଥାନରୁ ଆଣି ମାଟି ଖୋଳି ପୋତାଯାଇଥିଲା । ତେବେ ଏପରି କୁସଂସ୍କାରକୁ ଆଜିର ସମାଜରୁ ଦୁରେଇ ଦେବାକୁ ହେଲେ ଅଧିକ ସଚେତନତା କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି ବୋଲି କହିଛନ୍ତି ହେତୁବାଦୀ। ଘଟଣାରେ କିଛି ବୁଦ୍ଧିଜୀବୀ ପରିବାର ଲୋକଙ୍କୁ ବୁଝାସୁଝା ପରେ ମୃତ ଦେହକୁ ପୋତାଯାଇଥିଲା ।

ହାଇକୋର୍ଟରେ ଜାମିନ ଆବେଦନ କଲେ ଆତ୍ମଘୋଷିତ ଭଗବାନ ସନ୍ତୋଷ ରାଉଳ ଓରଫ ସାରଥୀବାବା

ନନ୍ଦିଘୋଷ ବ୍ୟୁରୋ: ଆତ୍ମଘୋଷିତ ଭଗବାନ ସନ୍ତୋଷ ରାଉଳ ଓରଫ ସାରଥୀଙ୍କ ହାଇକୋର୍ଟରେ ଜାମିନ ଆବେଦନ। ୨୦୧୬ରେ ତାଙ୍କ ବିରୋଧରେ ହୋଇଥିବା ଏକ ଷଡ଼ଯନ୍ତ୍ର ଅଭିଯୋଗ ମାମଲାରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି ସାରଥି। ୨୦୧୬ ମସିହାରେ ପ୍ରଦ୍ୟୁମ୍ନ ପାତ୍ର ସାରଥି ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ଷଡ଼ଯନ୍ତ୍ର ଅଭିଯୋଗ କରିଥିଲେ। ଏହି ଆଧାରରେ ଅଭିଯୁକ୍ତ ମଙ୍ଗୁଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଦେବେନ୍ଦ୍ର ରାଉଳ, ବିଶ୍ଵପ୍ରକାସ ପାତ୍ରଙ୍କୁ ଜାମିନ ମିଳିଥିଲା ।ହେଲେ ସନ୍ତୋଷ ରାଉଳ ଓରଫ ସାରଥୀଙ୍କୁ ଜାମିନ ମିଳିନଥିଲା। ସାରଥି ଓରଫ ସନ୍ତୋଷ ରାଉଳ ଜେଲରେ ଥାଇ ଷଡଯନ୍ତ୍ର କରୁଥିବା କାରଣରୁ ସାରଥୀଙ୍କ ସମେତ ତାଙ୍କର ଅନ୍ୟ ୩ ଜଣ ସହଯୋଗୀଙ୍କ ନାମରେ ଏତଲା ହୋଇଥିଲା। ସେଥିରୁ ଦୁଇ ଜଣଙ୍କୁ ଜାମିନ ମିଳିଥିବା ବେଳେ ଆଜି ସାରଥି ଓରଫ ସନ୍ତୋଷ ରାଉଳ ଜାମିନ ପାଇଁ ହାଇ କୋର୍ଟରେ ଆବେଦନ କରିଛନ୍ତି।.

ଭିଜିଲାନ୍ସ ଜାଲରେ ଗଣ୍ଡାନାଳୀ ଆରଆଇ

ନନ୍ଦିଘୋଷ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଗଣ୍ଡାନାଳୀ ଆରଆଇ । ଟଙ୍କା ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ତହସିଲ ଅଧିନସ୍ଥ ଗଣ୍ଡାନାଳୀ ଆରଆଇ ଶଶି ଭୂଷଣ ବେହେରା ଜମିବାଡ଼ିର କିସନ ପରିବର୍ତ୍ତନ ପାଇଁ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଥିଲା ।ଏହା ସହିତ ତାଙ୍କ ପ୍ରାଇଭେଟ ପିଅନ ବିଷ୍ଣୁ ଭୁଷଣ ଖଟୁଆଙ୍କୁ ମଧ୍ୟ କାବୁ କରିଥିଲା ଭିଜିଲାନ୍ସ ଟିମ୍ । ଆରଆଇ ଶଶି ଭୂଷଣ ବେହେରାଙ୍କ ଅଫିସ ସମେତ ୪ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ଗଣ୍ଡାନାଳି ଅଫିସ ସହିତ ହିନ୍ଦୋଳ ତହସିଲ ଅଫିସ, ଢେଙ୍କାନାଳ ବାସଭବନ ଓ ଯୋରନ୍ଦା ସ୍ଥିତ ପୈତୃକ ଘରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍ । ଅଭିଯୁକ୍ତ ଆରଆଇଙ୍କୁ ଢେଙ୍କାନାଳ ସ୍ଥିତ ଭିଜିଲାନ୍ସ ଅଫିସରେ ଅଟକ ରଖି ପଚରାଉଚରା କରୁଛି । ସେପଟେ ହିନ୍ଦୋଳ ତହସିଲଦାରଙ୍କ ଅଫିସରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ମଧ୍ୟ ଜବତ କରାଯାଇଥିବା ସୂଚନା ମିଳିଛି । ….

ନକଲି ଡାକ୍ତର ଗରିଫ, ବିପୁଳ ମେଡିସିନ ଜବତ

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଗୋପାଳପୁର ଅଞ୍ଚଳରୁ ନକଲି ଡାକ୍ତର ଗିରଫ । ଦୀର୍ଘ ଦେଢ଼ ବର୍ଷ ଧରି ଏଭଳି ରୋଗୀଙ୍କ ଚିକିତ୍ସା କରିବା ପରେ ଏହି ନକଲି ଡାକ୍ତରଙ୍କୁ ଗିରଫ କରିଛି ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ପୋଲିସ । ଗିରଫ ନକଲି ଡାକ୍ତର ଜଣକ ହେଲେ ପ୍ରସନ୍ନଜିତ୍ ସରକାର । ଗତ କିଛି ମାସ ହେଲା ନକଲି ଡାକ୍ତର ଆର୍ଯ୍ୟପଲ୍ଲୀରେ ବୁଲୁଥିବା ନେଇ ଅଭିଯୋଗ ହୋଇଥିଲା । ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ପୋଲିସ ଗାନ୍ଧୀ ଛକ ଠାରେ ପ୍ରସନ୍ନଜିତ୍ ସରକାର ନାମକ ଜଣେ ଯୁବକଙ୍କ ବେଆଇନ କ୍ଲିନିକ ଉପରେ ଚଢ଼ାଉ କରିଥିଲା । ସମ୍ପୃକ୍ତ ଡାକ୍ତର ଜଣକ ବିନା ଲାଇସେନ୍ସରେ କ୍ଲିନିକ କରିଥିବା ବେଳେ ତାଙ୍କର ଶିକ୍ଷାଗତ ଯୋଗ୍ୟତା ଦଶମ ଫେଲ ବୋଲି ଜଣାପଡ଼ିଛି । ସେ ଗତ କିଛି ବର୍ଷ ହେଲା ପଶ୍ଚିମବଙ୍ଗରୁ ଆସି ଆର୍ଯ୍ୟପଲ୍ଲୀରେ କ୍ଲିନିକ ଖୋଲି ରୋଗୀଙ୍କ ଚିକିତ୍ସା କରୁଥିଲେ । ପୋଲିସ ପ୍ରସନ୍ନଜିତଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ବିପୁଳ ପରିମାଣର ମେଡିସିନ ଜବତ କରିଛି ।

ମାଲବାହୀ ଟ୍ରେନର ୨୫ଟିରୁ ଉର୍ଦ୍ଧ୍ବ ବଗି ଲାଇନଚ୍ୟୁତ

ନନ୍ଦିଘୋଷ ବ୍ୟୁରୋ: ରେଳ ଧାରଣାରୁ ଖସିଲା ଟ୍ରେନ । ମାଲ ବୋଝେଇ ଟ୍ରେନର ୨୫ଟିରୁ ଉର୍ଦ୍ଧ୍ବ ବଗି ଲାଇନଚ୍ୟୁତ ହୋଇଛି । କିରଣ୍ଡୁଲରୁ ଲୁହାପଥର ବୋଝେଇ କରି ବିଜୟୱାଡ଼ା ଅଭିମୁଖେ ଯାଉଥିଲା ମାଲ ବୋଝେଇ ଟ୍ରେନ । ଆରୁକୁ – କୋତୱାଲାସା ମଧ୍ୟ ଚିମିଡିପାଲି ଷ୍ଟେସନ ନିକଟରେ ଘଟିଛି ଦୁର୍ଘଟଣା । KOKG ନାମକ ମାଲ ବୋଝେଇ ଟ୍ରେନ ଟିରେ ପ୍ରାୟ ୫୯ଟିରୁ ଉର୍ଦ୍ଧ୍ବ ବଗି ଲାଗିଥିଲା । ୨୫ଟି ରୁ ଉର୍ଦ୍ଧ୍ବ ବଗି ଲାଇନଚ୍ୟୁତ ହୋଇଛି । ସୁଡ଼ଙ୍ଗ ମଧ୍ୟରେ ରହିଛି ଟ୍ରେନର ଅଧା ବଗି । ବିଶାଖାପାଟଣାରୁ କିରଣ୍ଡୁଲକୁ ରାୟଗଡ଼ା ଦେଇ ଗାଡ଼ି ଚଳାଚଳ କରିବ ବୋଲି ରେଳ ବିଭାଗ ସୂତ୍ରରୁ ସୂଚନା ମିଳିଛି । ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ରାୟ ୨ଦିନ ପର୍ଯ୍ୟନ୍ତ ରେଳ ଚଳାଚଳ ବନ୍ଦ ରହିବା ସମ୍ଭାବନା ରହିଛି ।

ପ୍ରେମିକକୁ ଘରକୁ ଡାକୁଥିଲା ମାଆ, ଝିଅ ଖୋଲି ଦେଲା ଗୁମର..

ନନ୍ଦିଘୋଷ ବ୍ୟୁରୋ: ଜଟଣୀ ଅଞ୍ଚଳରେ ଘଟିଛି ଲଜ୍ଜାଜନକ ଘଟଣା । ମାଆର କଳା କାରନାମା ଦେଖି ଦେବାରୁ ନାବାଳିକା ଝିଅକୁ ଦଲାଲକୁ ବିକିଦେଲା ମାଆ। ସମସ୍ତେ ଶୋଇବା ପରେ ପ୍ରେମିକକୁ ଘରକୁ ଡାକୁଥିଲା। ଝିଅ ଦେଖିଦେବାରୁ ପ୍ରେମିକ ସହ ମିଶି ଝିଅକୁ ମାଡ଼ ମାରିବା ସହ ମାସେ ପର୍ଯ୍ୟନ୍ତ ଘରେ ବନ୍ଦୀ କରି ରଖିଥିଲା ମାଆ। ପରେ ନାବାଳିକା ଝିଅକୁ ଜଣେ ଦଲାଲକୁ କିଛି ପଇସାରେ ବିକ୍ରି କରି ଦେଇଥିଲା। ନାବାଳିକା ଝିଅ କୌଶଳ କ୍ରମେ ସେଠାରୁ ଖସି ଆସି ଜଟଣୀ ଥାନାରେ ଘଟଣା ସଂପର୍କରେ ଜଣାଇଥିଲା। ଘଟଣାକୁ ଗୁରତର ସହ ନେଇଛନ୍ତି ଜଟଣୀ ଭାରପ୍ରାପ୍ତ ଅଧିକାରୀ। ନାବାଳିକାର ବାପା ମାଙ୍କୁ ଥାନାକୁ ଡାକି ପଚରାଉଚରା କରିଛନ୍ତି। ନାବାଳିକା ଝିଅକୁ ଡାକ୍ତରୀ ମାଇନା ପାଇଁ ପଠାଇବା ସହ ଘଟଣାର ଅଧିକ ଛାନବିନ ଜାରି ରହିଛି।

ରାଜ୍ୟରେ ୫ କରୋନା ପଜିଟିଭ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଉ ୪ କରୋନା ପଜିଟିଭ ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ଏପର୍ଯ୍ୟନ୍ତ ୫ ଜଣ ସଂକ୍ରମିତ ଚିହ୍ନଟ ହେଲେଣି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । ଏମାନଙ୍କ ମଧ୍ଯରେ ଜଣେ ମହିଳା ଓ ୪ ଜଣ ପୁରୁଷ ଅଛନ୍ତି । ଆଜି ଚିହ୍ନଟ ହୋଇଥିବା ୪ଜଣଙ୍କ ମଧ୍ୟରୁ ଜଣେ ଖୋର୍ଦ୍ଧା ଜଟଣୀର ହୋଇଥିବାବେଳେ ଅନ୍ଯ ତିନି ଜଣ ରାଜଧାନୀ ଭୁବନେଶ୍ବରର ବୋଲି ସୂଚନା ରହିଛି । ଲକ୍ଷଣ ଯୁକ୍ତ ବ୍ୟକ୍ତିଙ୍କ ଆଣ୍ଟିଜେନ ପରୀକ୍ଷାରୁ କୋଭିଡ ବୋଲି ସ୍ପଷ୍ଟ ହୋଇଛି।

କରୋନା ଚିହ୍ନଟ ହୋଇଥିବା ଲୋକଙ୍କର ସେମାନଙ୍କର RTPCR ଟେଷ୍ଟ କରାଯିବ। ଏହା ପରେ ସ୍ପଷ୍ଟ ହେବ ଯେ ଏହା କୋଭିଡ ନା ନୁହେଁ। RTPCR ରିପୋର୍ଟ ଆସିବା ପରେ ରୋଗୀଙ୍କ ସମ୍ପର୍କରେ ସ୍ପଷ୍ଟ କରିବ ସ୍ୱାସ୍ଥ୍ୟ ବିଭାଗ। ଆଣ୍ଟିଜେନ କିଟ୍ କେତେ କାମ କରୁଛି, ତାହାର ଯାଞ୍ଚ ପାଇଁ RMRCକୁ ପଠାଯାଇଛି। ପୂର୍ବରୁ ଓଡ଼ିଶାର ପ୍ରଥମ କୋଭିଡ ପଜିଟିଭ ଆକ୍ରାନ୍ତ ବ୍ୟକ୍ତି ଓମିକ୍ରନ୍ JN-1 ସବ ଭାରିଆଣ୍ଟରେ ହୋଇଥିଲେ ଆକ୍ରାନ୍ତ । ଜିନମ୍ ସିକ୍ଵେନ୍ସିଂ ପରେ ଏହା ସ୍ପଷ୍ଟ କରିଛି ILS । ଅନ୍ୟପଟେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଜରୁରୀ ବୈଠକ ଡକାଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ସମସ୍ତ ରାଜ୍ୟ ସହ ଭିଡିଓ କନଫରେନସିଂ ଜରିଆରେ କୋଭିଡ ସ୍ଥିତିର ସମୀକ୍ଷା କରିବେ। କେରଳ, ମହାରାଷ୍ଟ୍ର, ଦିଲ୍ଲୀ, କର୍ଣ୍ଣାଟକ ପରି ରାଜ୍ୟରେ ଯେପରି କୋଭିଡ ପିକରେ ରହୁଛି, ଏପରି ସ୍ଥିତିରେ କେନ୍ଦ୍ର ସରକାର ବୈଠକ ପରେ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରିପାରନ୍ତି । ଆନ୍ଧ୍ର ପ୍ରଦେଶ ଓ ଦିଲ୍ଲୀ ସରକାର ପୂର୍ବରୁ ହିଁ ମାର୍ଗଦର୍ଶିକା ଜାରି କରି ସାରିଛନ୍ତି । କର୍ଣ୍ଣାଟକରେ ମାମଲା ବଢୁଥିବା ଦେଖି ଇଣ୍ଡିଆନ ମେଡିକାଲ ଆସୋସିଏସନର ରାଜ୍ୟ ଶାଖା ବି ମାର୍ଗଦର୍ଶିକା ଜାରି କରିଛି ।