spot_img
Home Blog Page 724

ନୀତି ଆୟୋଗ ବୈଠକରେ ଓଡ଼ିଶା ମାଗୁ ହକ୍, ମୁଖ୍ୟମନ୍ତ୍ରୀ ଓଡ଼ିଶାର ସ୍ୱର ଶାଣିତ କରିବାକୁ ବିଜେଡିର ଦାବି

ଭୁବନେଶ୍ବର : କେନ୍ଦ୍ରରେ ରାଜ୍ୟର ଦାବି ବାରମ୍ବାର ଅବହେଳିତ। ୨୦୧୪ରୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ନେଇ ଓଡିଶା ଦାବି କରି ଆସୁଥିଲେ ବି ଏହାକୁ ଗ୍ରହଣ କରୁନାହିଁ କେନ୍ଦ୍ର । ଓଡିଶାକୁ ଫୋକସ ଷ୍ଟେଟର ମାନ୍ୟତା ଦେବା ସହ ଦିଆଯାଉ ସ୍ବତନ୍ତ୍ର ପ୍ୟାକେଜ  । ଉପାନ୍ତ ଅଂଚଳରେ ମୋବାଇଲ ଟାଓ୍ବାର ବ୍ୟବସ୍ଥା ସୁଦୁଢ଼ କରିବା ସହ ଗ୍ରାମାଞ୍ଚଳରେ ଅଧିକ ବ୍ୟାଙ୍କିଙ୍ଗ ସେବା  ଯୋଗାଇ ଦିଆଯାଉ । ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ଓଡିଶାର ହକ ଉପରେ ସଠିକ୍ ଦାବି ଉପସ୍ଥାପନ କରି କେନ୍ଦ୍ର ଉପରେ ଚାପ ପକାନ୍ତୁ  । ରାଜ୍ୟରେ ଡବଲ ଇଞ୍ଜିନ ସରକାର ହେବା ପରେ ବି ଆନ୍ଧ୍ର ଓ ବିହାର ପରି ଓଡ଼ିଶାକୁ   ସ୍ବତନ୍ତ୍ର ପ୍ୟାକେଜ ମିଳୁନାହିଁ  । ବରିଷ୍ଠ ବିଜେଡି ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି- ପୂର୍ବତନ ମୁଖ୍ୟମନ୍ତ୍ରୀ ସବୁବେଳେ ନୀତି ଆୟୋଗ ବୈଠକରେ ଓଡ଼ିଶାର ହକ ପାଇଁ ଲଢ଼େଇ କରିଥିଲେ । ପୂର୍ବ ସରକାର ଉପାନ୍ତ ଅଂଚଳରେ ମୋବାଇଲ ଟାଓ୍ବାର ବସାଇ ସେବାକୁ ତ୍ବରାନ୍ବିତ କରିବା, ବ୍ୟାଙ୍କିଙ୍ଗ ସେବା ଓ  କୋଇଲା ରୟାଲଟି ବୃର୍ଦ୍ଧି କରିବାକୁ ଯେଉଁ ଦାବି କରି ଆସୁଥିଲା ତାହାକୁ ଗୁରୁତ୍ବ ଦେବାକୁ ସେ ଦାବି କରିଛନ୍ତି  । ରାଜ୍ୟ ସ୍ୱାର୍ଥ ପାଇଁ ବିଜେଡ଼ି ଲଢେଇ କରୁଛି ଓ କରିବ ବୋଲି ସେ କହିଛନ୍ତି।..

ଓଡ଼ିଶାରେ ଡ଼ବଲ ଇଂଜିନ ସରକାର ହେବା ଦିନଠୁ ଓଡ଼ିଶା ଅଧିକ ଅବହେଳିତ ହୋଇଛି । ଡବଲ ଇଞ୍ଜିନ ସରକାର ଯୋଗୁଁ କେନ୍ଦ୍ରୀୟ ଅନୁଦାନ କମିବା ସହ ବିଭିନ୍ନ କ୍ଷେତ୍ରରେ ଓଡିଶା ସ୍ୱାର୍ଥକୁ ଗୁରୁତ୍ବ ଦିଆଯାଉ ନାହିଁ । ତେଣୁ ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ବୈଠକରେ ଓଡିଶା ପାଇଁ ହକ ମାଗନ୍ତୁ ବୋଲି କଂଗ୍ରେସ କହିଛି। ସେପଟେ ବିଜେପି ସରକାର ସବୁବେଳେ ରାଜ୍ୟ ସ୍ୱାର୍ଥ ପାଇଁ କାମ କରୁଛି ବୋଲି କହିଛନ୍ତି ମନ୍ତ୍ରୀ। ଡବଲ ଇଞ୍ଜିନ ସରକାରରେ ଓଡିଶାକୁ ହକ ମିଳୁଛି ନାଁ ପୁଣି ଅବହେଳା କରାଯାଉଛି ତାକୁ ନେଇ ଆରମ୍ଭ ହୋଇଛି ବୟାନବାଜି  ।

ସ୍ନାନଯାତ୍ରା ପରେ ବ୍ରହ୍ମଗିରିରେ ଲାଗିବ ଭିଡ଼, ଅଲାରନାଥଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ

ପୁରୀ  : ୧୧ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା । ୧୨ରୁ ଆରମ୍ଭ ହେବ ଅନବସର ନୀତି । ଶ୍ରୀମନ୍ଦିର ଅଣସର ପିଣ୍ଡିରେ ଶ୍ରୀବିଗ୍ରହଙ୍କ ଚାଲିବ ଗୁପ୍ତସେବା । ୧୨ରୁ ୨୫ ତାରିଖ ଯାଏଁ ବ୍ରହ୍ମଗିରି ଅଲାରନାଥ ପୀଠରେ ଜମିବ ଶ୍ରଦ୍ଧାଳୁଙ୍କ ଭିଡ଼ । ସେଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଅଲାରନାଥ ପୀଠରେ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ବ୍ଯବସ୍ଥା, ସୁରକ୍ଷା ଓ ନୀତିକାନ୍ତି ନେଇ ପୁରୀରେ ଅନୁଷ୍ଠିତ ହୋଇଛି ସ୍ବତନ୍ତ୍ର ବୈଠକ । ପୁରୀ ଜିଲ୍ଲାପାଳଙ୍କ ଅଧ୍ଯକ୍ଷତାରେ ଏହି ବୈଠକରେ ପାନୀୟଜଳ ଯୋଗାଣ, ରାସ୍ତାଘାଟ ମରାମତି, ନିରବଛିନ୍ନ ବିଦ୍ୟୁତ ବ୍ୟବସ୍ଥା ସହ ବ୍ୟାରିଗେଡ ନିର୍ମାଣ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଶୃଙ୍ଖଳିତ ନୀତିକାନ୍ତି ସହ ଭକ୍ତ କିପରି ସୁବିଧାରେ କ୍ଷୀରି ଭୋଗ ପାଇବେ ସେଥିପାଇଁ ସେବାୟତଙ୍କୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ ।

ପୁରୀରୁ ବ୍ରହ୍ମଗିରିକୁ ଗମନଗମନ ଶୃଙ୍ଖଳିତ କରିବାକୁ ପୋଲିସ ପକ୍ଷରୁ କରାଯାଇଛି ସ୍ବତନ୍ତ୍ର ପ୍ଲାନ୍ । ୩ଟି ପଏଣ୍ଟରେ ରହିବ ଟ୍ରାଫିକ କଟକଣା । ମନ୍ଦିର ଭିତରେ ଓ ବାହାରେ ବ୍ୟପକ ପୋଲିସ ଫୋର୍ସ ମୁତୟନ ହେବେ । ଭିଡ଼ ଉପରେ ରହିବ ପୋଲିସର ସ୍ବତନ୍ତ୍ର ନଜର । ସେପଟେ ନୀତିକାନ୍ତି ସୂଚାରରୂପେ କରିବାକୁ ପ୍ରଶାସନକୁ ପ୍ରତିଶ୍ରୁତି ଦେଇଛନ୍ତି ସେବାୟତ । ବିଶ୍ୱାସ ରହିଛି ଅଣସର ସମୟରେ ଅଳରାନାଥଙ୍କୁ ଦର୍ଶନ କରି କ୍ଷୀରି ପ୍ରସାଦ ସେବନ କଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ l

ବାଲେଶ୍ବରରେ ସରିଲା ଜଉ କଣ୍ଢେଇ ବାହାଘର

ବାଲେଶ୍ୱର : ବାଜୁଛି ବାଜା । ଚିକମିକ ରଙ୍ଗୀନ ଲାଇଟରେ ଚାଲିଛି ଶୋଭାଯାତ୍ରା । ରୋଷଣୀ କରି କନ୍ଯାଘରକୁ ବାହାରିଛି ବର । ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି ଶହ ଶହ ବରଯାତ୍ରୀ । ବାଲେଶ୍ବର ସହଦେବଖୁଣ୍ଟାରେ ଚାଲିଛି ପାରମ୍ପରିକ କଣ୍ଢେଇ ବାହାଘର । ଲୋକନାଥ ମନ୍ଦିରରେ ବୈଦିକ ରୀତିନୀତିରେ ପ୍ରସିଦ୍ଧ ଗଳ୍ପ ସୁଅ ମୁହଁରେ ପତର ର ନାୟକ ଅପର୍ତ୍ତି ନାୟିକା ଗୁରେଇକୁ ବିବାହ କରିଛି । ଏଥପାଇଁ ମିଶନ ହାଇ ସ୍କୁଲ ପଡ଼ିଆରୁ ଏକ ବିଶାଳ ଶୋଭାଯାତ୍ରାରେ ବରଯାତ୍ରୀ ବାହାରି ସହର ପରିକ୍ରମା କରି  ଲୋକନାଥ ମନ୍ଦିରରେ ପହଞ୍ଚିଥିଲେ । ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ଦ୍ଵାରା ପୁରୀର ସାହିଯାତ, ବାଲେଶ୍ଵରର ରଙ୍ଗ ଢୋଲ, ଦୁବଲାଗଡ଼ର ପିତୁଳା ନାଚ, ମାଣିକ ଖମ୍ବର ପାଇକ ଆଖଡା, ଭଦ୍ରକର ଲଉଡି, ନୀଳଗିରିର ଆଦିବାସୀ ନୃତ୍ୟରେ ଦୁଲୁକିଥିଲା ପରିବେଶ ।

ପୁରୁଣା ଲୋକ କଳାକୁ ବଜାଇ ରଖିବା ଉଦ୍ଦେଶ୍ଯରେ ବାଲେଶ୍ବରରେ ପ୍ରତିବର୍ଷ ଆୟୋଜିତ ହେଉଛି କଣ୍ଢେଇ ବାହାଘର । ଏଥିପାଇଁ ଦୋଳ ପୂର୍ଣ୍ଣିମାରେ କଣ୍ଢେଇର ନାମ କରଣ କରାଯାଏ । ରାମ ନବମୀରେ କଣ୍ଢେଇ ଗଢ଼ା ଯାଇ  ଚନ୍ଦନ ପୂର୍ଣ୍ଣିମାରେ ଲଗ୍ନ ଧାର୍ଯ୍ଯ ସହ ବର ଓ କନ୍ୟାର କର୍ତ୍ତା ଚୟନ କରାଯାଇଥାଏ । ସାବିତ୍ରି ବ୍ରତ ପୂର୍ବଦିନ  ଚତୁର୍ଥୀ କାର୍ଯ୍ୟ କରାଯାଇଥାଏ । ବିବାହ ଉତ୍ସବରେ ଦେଖିବାକୁ ମିଳେ ଭାଇଚାରାର ଦୃଶ୍ଯ । ଜାତି, ଧର୍ମ ବିଭେଦକୁ ଭୁଲି ସଭିଏଁ ଏହି ଯାତ୍ରାରେ ସାମିଲ ହୋଇଥାନ୍ତି । ହଜି ଯାଉଥିବା ଯୋଉ କଣ୍ଡେଇକୁ ପୁଣି ଲୋକଲୋଚନକୁ କଣ୍ଢେଇ ବିବାହ କମିଟି ପ୍ରତିବର୍ଷ କରୁଛି ଏପରି ଆୟୋଜନ ।

ପଳାଶୁଣୀରେ ଆରମ୍ଭ ହେବ ଇଣ୍ଟିଗ୍ରେଟେଡ ରିସୋର୍ସ ରିକଭରି କ୍ୟାମ୍ପସ

ଭୁବନେଶ୍ବର :  ପଳାଶୁଣିରେ ହେବ ବର୍ଜ୍ୟବସ୍ତୁ ପରିଚାଳନା ହବ । ନଡ଼ିଆ କତାରୁ ଦଉଡି, ପା-ପୋଛା ଓ ମ୍ୟାଟ ତିଆରି କରିବ ବିଏମସି। ଗ୍ରୀନ ୱେଷ୍ଟରୁ ତିଆରି ହେବ ବାୟୋମାସ ବ୍ରିକେଟିଂ । ଫଳରେ ଗାଡ଼କଣରୁ କମିବ ଆବର୍ଜନା ବୋଝ।  ପଲାଶୁଣୀରେ ତିଆରି ହେଲା ଇଣ୍ଟିଗ୍ରେଟେଡେ ରିସୋର୍ସ ରିକଭରି କ୍ୟାମ୍ପସ। ରାତି ପାହିଲେ ମନ୍ଦିର, ପଇଡ ଦୋକାନଠୁ ଆରମ୍ଭ କରି ଜୁସ ଦୋକାନରୁ ବାହରୁଛି କୁଢ଼କୁଢ଼ ଆବର୍ଜନା। ଆବର୍ଜନାକୁ  ଆଉ ଗୁଣ୍ଡ ନକରି ତିଆରି ହେବ ଦଉଡି ଲୋକଙ୍କ ବ୍ୟବହାର ଯୋଗ୍ୟ ସାମଗ୍ରୀ । ଏଥିପାଇଁ ପଳାଶୁଣିରେ ବିଏମସି ତିଆରି କରିଛି କୋକନାଟ୍ ୱେଷ୍ଟ ପ୍ରୋସେସିଙ୍ଗ ଯୁନିଟ । ପ୍ରତିଦିନ ୧୦ ହଜାର ନିଡ଼ଆ ଆବର୍ଜନାକୁ ପ୍ରୋସେସ କରିବା ଯୋଜନା ହୋଇଛି। କତାରେ ଫାଇବର ରହୁଥିବାରୁ ମାଟିରେ ମିଶୁନାହିଁ । ଏଣିକି ପ୍ରକ୍ରିୟାକରଣ କରାଯାଇ ବିଏମ୍ସି ଲୋକଙ୍କ ପାଇଁ ବିପଣନ ସୁବିଧା କରିବ ।

ପଳାଶୁଣୀର ଆଉ ଗୋଟିଏ ସେଡ୍ରେ ବସିଛି ବାୟୋମାସ ବ୍ରିକେଟିଙ୍ଗ ପ୍ଳାଣ୍ଟ। ଗଛଡାଳ, ପତ୍ର  ଓ ଗଣ୍ଡିରୁ ତିଆର ହେବ ବାୟୋମାସ ବ୍ରିକେଟସ୍। ଏଥିପାଇଁ ବସିଛି ପ୍ରକ୍ରିୟାକରଣ ପ୍ଲାଣ୍ଟ । ରାଜଧାନୀ ଭୁବନେଶ୍ବର ଗ୍ରୀନ ସିଟି ହୋଇଥିବାରୁ ପ୍ରତିଦିନ ୩୦ଟନ ୱେଷ୍ଟ ଏଠାକୁ ଆସିବ ବୋଲି ଆକଳନ କରିଛି ବଏମସି। ବାୟୋମାସ ବ୍ରିକେଟସ୍ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ପାଇଁ ଜାଳେଣୀ ଭାବେ ବ୍ୟବହାର କରାଯିବ। ସେହିଭଳି ପ୍ଳାଷ୍ଟିକରୁ ପେଭର ବ୍ଳକ ତିଆରି କରିବାକୁ ଯୋଜନା ରଖିଛି ମହାନଗର ନିଗମ ।  ଗାଡ଼କଣ ଡମ୍ପିଂୟାର୍ଡ ବିବାଦକୁ ନେଇ ସୈନିକ ସ୍କୁଲ ବଞ୍ଚାଓ ଅଭିଯାନ ଓ ସ୍ଥାନୀୟ ଲୋକେ ରାସ୍ତାକୁ ଓହ୍ଲାଇ ଥିଲେ। ପଳାଶୁଣୀର ପ୍ରୋସେସିଙ୍ଗ ୟୁନିଟ ଓ ମେହେର ପଲ୍ଲୀରେ ଓଦା ଓଳିଆ ଟ୍ରିଟମେଣ୍ଟ ପ୍ଳାଣ୍ଟ ପୂର୍ଣ୍ଣ କାର୍ଯ୍ଯକ୍ଷମ ହେଲେ ଗାଡ଼କଣରୁ ଦୂର ହେବ ଦୁର୍ଗନ୍ଧ ସହିତ ଅଳିଆ ଆବର୍ଜନା ସମସ୍ୟା ।

ସୁନ୍ଦରଗଡ଼ ଖଣି ଚୋରିକୁ ନେଇ ସରକାରଙ୍କୁ ଘେରିଲେଣି ବିରୋଧୀ

ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ଖଣି ଚୋରି ହେଲା । ସରକାରଙ୍କ ଦୁଇ ଦୁଇ ଜଣ ମନ୍ତ୍ରୀ କ୍ଷେତ୍ର ପରିଦର୍ଶନ କରି ଖଣି ଚୋରି ହୋଇଥିବା ନେଇ ଅନୁଭବ କଲେ । ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର । ଅଥଚ ସିବିଆଇ ତଦନ୍ତକୁ ଏଡ଼ାଇ  ଭିଜିଲାନ୍ସ୍ ତଦନ୍ତ କରିବା ନେଇ ନିର୍ଦ୍ଦେଶ ଦେଲେ । ଯାହାକୁ ନେଇ ଉଠିଛି ପ୍ରଶ୍ନ । ଏପରି କରି ଖଣି ମାଫିଆ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ସୁରକ୍ଷା ଦେବାକୁ ସରକାର ଉଦ୍ୟମ କରୁଛନ୍ତି କି ? ପୂର୍ବ ସରକାର ସମୟରେ ଖଣି ଦୁର୍ନୀତି ନେଇ ବିଜେପି ବିଧାନସଭା ଭିତରେ ଓ ବାହାରେ ସିବିଆଇ ତଦନ୍ତ ଦାବି କରୁଥିଲା । ଏବେ କ୍ଷମତାରେ ଥାଇ କାହିଁକି ସିବିଆଇ ତଦନ୍ତକୁ ପଛାଉଛନ୍ତି ରାଜ୍ୟ ସରକାର ? ସୁନ୍ଦରଗଡ଼ ଜିଲ୍ଲାରେ ଏକ ହଜାର କୋଟିରୁ ଅଧିକ ମୁଲ୍ୟର ଖଣି ଚୋରି ହୋଇଛି । ଖଣି ଚୋରିକୁ ଲୁଚାଇବା ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପାଇଁ ଗୋଟିଏ ପରେ ଗୋଟିଏ ତଦନ୍ତ ଆଳ ଦେଖାଇ ଚାଲିଛନ୍ତି ରାଜ୍ୟ ସରକାର । ଖୋଲାଖୋଲି ଅଭିଯୋଗ କରିଛନ୍ତି ସୁନ୍ଦରଗଡ  ବିଧାୟକ ଯୋଗେଶ କୁମାର ସିଂ ଏବଂ କଂଗ୍ରେସ ନେତା ନିର୍ମଳ ନାୟକ । ଖଣି ଦୁର୍ନୀତିର ତଦନ୍ତ ଭିଜିଲାନ୍ସ ବଦଳରେ ସିବିଆଇ ଦ୍ଵାରା କରିବାକୁ ଦାବି ହୋଇଛି।

ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ତହସିଲ ଅଞ୍ଚଳର ରତନସରା, ତେଲନଡିହି ଓ ଭୋଗରାକଚା ଅଞ୍ଚଳରେ ୫୦ରୁ ଅଧିକ କୋଇଲା  ଖଣିରୁ ବେଆଇନ ଭାବେ ଚୋରାରେ କୋଇଲା ଉତ୍ତୋଳନ ହୋଇଥିବା ଅଭିଯୋଗ ହେଉଛି। ସେହିପରି ଜିଲ୍ଲାର କୋଇଡା ତହସିଲ ଅଞ୍ଚଳରେ ୫୦ ରୁ ଅଧିକ ବେଆଇନ ଖଣିରୁ ଲୁହା ପଥର ଓ ମାଙ୍ଗାନିଜ ବେଆଇନ ଭାବେ ଉତ୍ତୋଳନ କରାଯାଇଥିବା ଅଭିଯୋଗ ହେଉଛି। ଖଣି ଚୋରିର ତଦନ୍ତ ଭିଜିଲାନ୍ସ ବଦଳରେ ସିବିଆଇ ଦ୍ଵାରା କରିବା ପାଇଁ ବିଜେଡି ଓ ସିଟୁ ଶ୍ରମିକ ସଂଗଠନ ମଧ୍ୟ ଦାବି କରିଛନ୍ତି । ଡବଲ ଇଞ୍ଜିନ ସରକାର କ୍ଷମତାକୁ ଆସିବା ପରେ ସୁନ୍ଦରଗଡ଼ ଜିଲ୍ଲାରେ ଗତ କିଛି ମାସ ମଧ୍ୟରେ ହଜାର କୋଟିରୁ କୋଟିରୁ ଅଧିକ ମୁଲ୍ୟର ଖଣି ଚୋରି ହୋଇଚାଲିଛି ।

ଆସୁଛି ମୌସୁମୀ, ଚିନ୍ତାରେ କଟକର ସହରତଳି ଅଞ୍ଚଳବାସୀ

କଟକ : ଏଥରକ ସଅଳ ଆସୁଛି ମୌସୁମୀ । ଚାଷୀ ମନ ଖୁସ । କିନ୍ତୁ କଟକ ସହରତଳି ଅଞ୍ଚଳର ଲୋକଙ୍କ ମନରେ ଛନକା । ପୁଣି ଜମିବ ପାଣି  । ଦାଉ ସାଜିବ ଡ୍ରେନ ସମସ୍ୟା । ଦେଖନ୍ତୁ ଏହି ଦୃଶ୍ୟକୁ । ଡ୍ରେନରେ ଜମା ହୋଇ ରହିଛି କୁଢ କୁଢ ଅଳିଆ । ପାଣି ଯିବାକୁ ରାସ୍ତା ନାହିଁ । ଏବେ ତ କେରଳ ଛୁଇଁଲାଣି ମୌସୁମୀ । ଆଉ କିଛି ଦିନ ପରେ ଓଡ଼ିଶାରେ ଆରମ୍ଭ ହୋଇଯିବ ବର୍ଷା । ହେଲେ କଟକରେ ନାଳ ସଫେଇ ସରି ନଥିବାରୁ ଚିନ୍ତାରେ ଲୋକେ । ବର୍ଷାହେଲେ ପୁଣି ନର୍ଦ୍ଦମା ପାଣିରେ ଘାଣ୍ଟିହେବେ ତଳିଆ ଅଞ୍ଚଳବାସୀ । ବିଶେଷକରି ସାମନ୍ତ ସାହି, ରାଜବାଗିଚା, ମଙ୍ଗଳାବାଗ, ପାଟପୋଲ, ଗହାଣ୍ଡିଆ, ତୁଳସୀପୁର, ଫ୍ରେଣ୍ଡସ କଲୋନୀ, ପିଠାପୁର, ଝାଞ୍ଜିରିମଙ୍ଗଳାରେ ଲୋକେ ଏବେଠାରୁ ପ୍ରମାଦ ଗଣିଲେଣି । ଖୁବଶୀଘ୍ର ନାଳରୁ ପଙ୍କଉଦ୍ଧାର କରା ନଗଲେ ଘରେ ପାଣି ପଶିବା ସହ ଜଳବନ୍ଦୀ ଜୀବନ ବିତାଇବା ନେଇ ଆଶଂକା କରିଛନ୍ତି ଲୋକେ ।

ସିଏମସି କାଉନସିଲ ବୈଠକରେ ମଧ୍ଯ ଏହାକୁ ନେଇ କର୍ପୋରେଟରମାନେ ଅଭିଯୋଗ ଆଣିଛନ୍ତି । କେଉଁଠି କେତେ କାମ ସରିଲାଣି ତାର ହିସାବ ଦେବାକୁ ଦାବି କରି ହଙ୍ଗାମା କରିଛନ୍ତି । ତେବେ ସହରରେ ବର୍ତ୍ତମାନ ସୁଦ୍ଧା ୯୦ ପ୍ରତିଶତ ନାଳ ସଫେଇ କାମ ସରିଛି । ୱାଟକୋ ମଧ୍ୟ ଡ୍ରେନ କାମ ଚଳିତ ମାସ ଶେଷ ସୁଦ୍ଧା ସାରିବାକୁ ପ୍ରତିଶ୍ରୁତି ଦେଇଥିବା ସୂଚନା ଦେଇଛନ୍ତି ମେୟର ।

୨୮ ବେଳକୁ ଓଡ଼ିଶା ଛୁଇଁପାରେ ମୌସୁମୀ ବାୟୁ

ନନ୍ଦିଘୋଷ ବ୍ୟୁରୋ : କେରଳ ଛୁଇଁଲା ମୌସୁମୀ । ଆକଳନର ୮ ଦିନ ପୂର୍ବରୁ ଆସିଲା ମୌସୁମୀ ବାୟୁ । ଜୁନ୍ ୧ ରେ ଛୁଇଁବା ନେଇ ହୋଇଥିଲା ଆକଳନ । ୧୬ ବର୍ଷ ପରେ ସଅଳ ଆସିଥିବା କହିଛନ୍ତି ପାଣିପାଗ ବଜ୍ଞାନୀ । ପ୍ରଭାବରେ କେରଳରେ ୨ଦିନ ଧରି ପ୍ରବଳ ବର୍ଷା ଜାରି ରହିଛି । ଆଗାମୀ ୬ ଦିନ ପର୍ଯ୍ୟନ୍ତ କେରଳ ଓ ଦକ୍ଷିଣରେ ଥିବା ରାଜ୍ୟ ଗୁଡ଼ିକରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି । ଏହାପରେ ଭୁବନେଶ୍ୱର ସମେତ ଅନ୍ୟ ଜିଲ୍ଲାଗୁଡିକରେ ମଧ୍ଯ ପ୍ରାକ ମୌସୁମୀ ବର୍ଷା ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ,  ୧୭ ଜିଲ୍ଲାକୁ ଅରେଞ୍ଜ ଓ ୧୩ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ସେପଟେ ଆସନ୍ତା ୨୭ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ଓ ପାର୍ଶ୍ବବର୍ତ୍ତୀ ଉତ୍ତର ବଙ୍ଗୋପ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଫଳରେ ୨୭ରୁ ୩୦ ଯାଏଁ ରାଜ୍ଯରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି ।

ପ୍ରବଳ ବର୍ଷରେ ଭିଜିଛି ପଶ୍ଚିମ ଓଡିଶା l ପ୍ରାକ୍ ମୌସୁମୀ ବର୍ଷରେ ଉପାନ୍ତରୁ ଉପକୁଳ ସବୁଠି ବିକ୍ଷିପ୍ତ ଭାବେ ବର୍ଷା ହୋଇଛି l ସେହିପରି ଆସନ୍ତାକାଲି ରାୟଗଡା, କୋରାପୁଟ ଗଂଜାମ, ଗଜପତି ମୟୁରଭଞ୍ଜ ଓ କେନ୍ଦୁଝର ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କକରିଛି ପାଣିପାଗ କେନ୍ଦ୍ର । ମାଲକାନଗିରି, ବାଲେଶ୍ୱର, ସୋନପୁର ଝାରସୁଗୁଡା, ସମ୍ବଲପୁର ଓ କନ୍ଧମାଳରେ ବିଜୁଳି ଘଡଘଡି ବର୍ଷା ନେଇ ଜାରି ହୋଇଛି ସତର୍କତା ।ଓଡ଼ିଶାରେ ସଅଳ ମୌସୁମୀ ଆସିବା ନେଇ ପାଗ ଅନୁକୂଳ ରହିଛି । ଚଳିତ ବର୍ଷ ଅନ୍ଯ ବର୍ଷ ତୁଳନାରେ ଅଧିକ ବର୍ଷା ହେବ ବୋଲି ଆଇଏମଡି ପୂର୍ବାନୁମାନ କରିଛି

ଆମରଣ ଅନଶନରେ ଶତାଧିକ ଛାତ୍ରଛାତ୍ରୀ

ବରଗଡ :  ADM ଅଫିସ ସମ୍ମୁଖରେ ଆମରଣ ଅନଶନରେ ଶତାଧିକ ଛାତ୍ରଛାତ୍ରୀ । CBSE ପରୀକ୍ଷା ଫଳ ପ୍ରକାଶିତ ନହେବାରୁ ଅସନ୍ତୋଷ ପ୍ରକାଶ କରିବା ସହ ହରତାଳରେ ବସିଛନ୍ତି । ସୂଚନା ଅନୁସାରେ CBSE ପରୀକ୍ଷା ଫଳ ଗତ ମେ ୧୩ ତାରିଖରୁ ପ୍ରକାଶ  ପାଇସାରିଛି । କିନ୍ତୁ CBSE ପରିଚାଳିତ ଉପଖଣ୍ଡ ପଦ୍ମପୁରର ୬ଟି ବିଦ୍ୟାଳୟର ଦଶମ ଓ ଦ୍ଵାଦଶ ଶ୍ରେଣୀର ୧ ହଜରା ୧୮୫ ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଦୀର୍ଘ ୧୧ ଦିନ ବିତି ଯାଇଥିଲେ ସୁଦ୍ଧା ପ୍ରକାଶ ପାଇନି । ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଯୁକ୍ତ ଦୁଇ ଓ ଯୁକ୍ତ ତିନି ନାମଲେଖା ପାଇଁ ଅଳ୍ପ ଦିନ ଥିବାବେଳେ ପରୀକ୍ଷା ଫଳ ପ୍ରକାଶିତ ନ ହେବାକୁ ନେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ  ନେଇ ଆଶଙ୍କା ପ୍ରକାଶ ପାଇଛି । ଏଭଳି ସ୍ଥିତିରେ ଛାତ୍ରଛାତ୍ରୀ କଣ କରିବେ ? ବାଧ୍ୟ ହୋଇ ଆମରଣ ଅନଶନରେ ବସିଛନ୍ତି । ଯେ ପର୍ଯ୍ୟନ୍ତ ଏହାର କିଛି ସମାଧାନର ବାଟ ନଫିଟିବ ଅନଶନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ । ଅନ୍ୟପଟେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଛାତ୍ରଛାତ୍ରୀଙ୍କୁ ଭେଟିବା ସହ ପ୍ରଶାସନିକ ଅବହେଳା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । କାହା ଚାପରେ ଉପଖଣ୍ଡ ପଦ୍ମପୁରର ଛାତ୍ରଛାତ୍ରୀଙ୍କ ଆସିନି ରେଜଲ୍ଟ କରିଛନ୍ତି ପ୍ରଶ୍ନ ।

ପାଣି ପାଇଁ ଡହଳ ବିକଳ ଗୁଣ୍ଠପଡ଼ା ଗାଁ ଲୋକେ

ପୋଲସରା : ଅଚଳ ନଳକୂପ । ଶୁଖିଗଲାଣି କୂଅ ପୋଖରୀ । ଭାଙ୍ଗି ଗଲାଣି ଷ୍ଟାଣ୍ଡ ପୋଷ୍ଟ ଆଉ ପାଣିଟାଙ୍କି । ଘରକୁ ସଂଯୋଗ ହୋଇଛି ପାଣି ପାଇପ । ହେଲେ ପାଣି ପାଇଁ ଲୋକେ ଡହଳ ବିକଳ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ଗୁଣ୍ଠପଡ଼ା ଗାଁର ଦୃଶ୍ୟ । ଉତ୍କଟ ଜଳକଷ୍ଟ ଭୋଗୁଛନ୍ତି ଗାଁର ୨ ଶହ ପରିବାର । ଲୋକଙ୍କୁ ପାଇପ ଯୋଗେ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ପାଇଁ ୧୦ ବର୍ଷ ତଳୁ ବସୁଧା ଯୋଜନାରେ ନିର୍ମାଣ ହୋଇଥିଲା ପାଣିଟାଙ୍କି । କିନ୍ତୁ ଦୁର୍ଭାଗ୍ୟର ବିଷୟ, ସ୍ଥାନୀୟ ପ୍ରଶାସନର ସ୍ଥାଣୁତା ଯୋଗୁ ନଳକୂଅ ମରାପତି ହୋଇନି କି ଟାଙ୍କିରେ ପାଣି ରହୁନି ।

ଅନେକ କୂଅ ପୋଖରୀ ଶୁଖି ଯାଇଥିବା ବେଳେ ନଳକୂପ ଗୁଡ଼ିକ ଅଚଳ ହୋଇ ପଡ଼ିରହିଛି । ଗୋଟିଏ ନଳକୂଅରୁ ଆସୁଛି ପାଣି । ପାଣି ନେବା ପାଇଁ  ଗରାମଠିଆ ଧରି ଲୋକଙ୍କ ଭିଡ଼ ଜମୁଛି । ଗାଁ ଲୋକେ ସମାଧାନ ପାଇଁ ଖାଲି ପ୍ରଶାସନକୁ ଜଣାଇନାହାନ୍ତି । ଏ ବିଷୟରେ ଜନପ୍ରତିନିଧି ବି ସବୁ ଜାଣି ଚୁପ । ପାନୀୟ ଜଳ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରି ଦୀର୍ଘଦିନର ପାନୀୟ ଜଳ ସମସ୍ୟାର ଶୀଘ୍ର ସମାଧାନ କରିବାକୁ ଲୋକେ ଦାବି କରିଛନ୍ତି ।

ବରୀ ଅଞ୍ଚଳରେ ବାଉଁଶ କାରିଗରଙ୍କ ବେଉସା ବୁଡ଼େଇ ଦେଲାଣି ପ୍ଲାଷ୍ଟିକ ସାମଗ୍ରୀ

ବରୀ : ବୁଡ଼ିଲାଣି କୌଳିକ ବୃତ୍ତି । ପେଟ ପୋଷିବାକୁ ଏବେ ଦାଦନ ଭରସା । ଯାଜପୁର ବରୀ ଅଞ୍ଚଳରେ ବାଉଁଶ କାରିଗରଙ୍କ ଏପରି ଦଶା । ଦିନ ଥିଲା ବାଉଁଶ ପାତିଆକୁ ଛନ୍ଦି କୁଲା, ପାଛିଆ, ଚାଙ୍ଗୁଡ଼ି, ବିଞ୍ଚଣା, ଝୁଡ଼ି, ଡାଲା ଆଦି ତିଆରି କରି ଗୁଜରାଣ ମେଣ୍ଟାଉଥିଲେ । କିନ୍ତୁ ସମୟ ବଦଳିବା ସହିତ ପ୍ଲାଷ୍ଟିକ ସାମଗ୍ରୀ ବାଉଁଶ କାରିଗରଙ୍କ ବେଉସାକୁ ବୁଡ଼େଇ ଦେଲାଣି । ଆଉ ଦେଖିବାକୁ ମିଳୁନି କାରିଗରଙ୍କ ହାତ ତିଆରି ବାଉଁଶ ଜିନିଷ । ବିଭିନ୍ ବାଉଁଶ ତିଆରି ସାମଗ୍ରୀ କାରିଗର ପ୍ରସ୍ତୁତ କଲେ ବି ଲୋକେ କିଣୁନାହାନ୍ତି । ସ୍ଥିତି ଏମିତି ହୋଇଛି ଜିଲ୍ଲାର ବାଉଁଶ କାରିଗର ଏବେ ପେଟ ପୋଷିବାକୁ ଅନ୍ୟ ଉପାୟ ନ ପାଇ ଦାଦନ ଖଟିବାକୁ ବାଧ୍ୟ ହୋଇଛନ୍ତି । ସେପଟେ ବାଉଁଶ କାରିଗରଙ୍କ ପାଇଁ ସରକାରଙ୍କ ପକ୍ଷରୁ କିଛି ପ୍ରୋତ୍ସାହନ ନ ମିଳିବାରୁ ପାରମ୍ପରିକ କୁଟୀର ଶିଳ୍ପ ଏବେ ବିଲୁପ୍ତ ହେବାକୁ ବସିଛି ।

ପୂର୍ବରୁ ବରୀ ଅଞ୍ଚଳର ବିଭିନ୍ନ ସ୍ଥାନରେ ଯଥେଷ୍ଟ ପରିମାଣର ବାଉଁଶ ମିଳୁଥିଲା। ଘରକରଣା ସାମଗ୍ରୀ ଭାବେ ବାଉଁଶରେ ତିଆରି ବିଭିନ୍ନ ଘରକରଣା ଜିନିଷ ବଜାରରେ ମିଳୁଥିଲା । ତିଆରି ହୋଇଥିବା ବାଉଁଶ ଗୋରଡ଼ା । ଚାଳଛପର ଘର କିମ୍ବା କଚ୍ଚାଘର ଘର ସଂଖ୍ୟା କମିଯିବାରୁ ବାଉଁଶରୁ ପ୍ରସ୍ତୁତ ସାମଗ୍ରୀର ଚାହିଦା କମିଯାଇଛି । ଏପରିକି ବାଉଁଶ ଚାଷ କରିବାକୁ ମଧ୍ୟ ଗାଁ ଲୋକଙ୍କ ଭିତରେ ଆଗ୍ରହ ଦେଖାଯାଉନି । ବାଉଁଶ କାରୀଗରଙ୍କ ଉନ୍ନତି ପାଇଁ ସରକାରୀ ସ୍ତରରେ ପ୍ରୋତ୍ସାହନ ସହିତ ବାଉଁଶ ଜଙ୍ଗଲ ସୃଷ୍ଟି ଓ ବାଉଁଶରେ ତିଆରି ସାମଗ୍ରୀ ବିକ୍ରିବଟା ପାଇଁ ବଜାର ସୁବିଧା ଓ ପରିଶ୍ରମ ଅନୁସାରେ ପାରିଶ୍ରମିକ ବ୍ଯବସ୍ଥା କରିବାକୁ ଦାବି କରିଛନ୍ତି ବାଉଁଶ କାରୀଗର ।