spot_img
Home Blog Page 726

ଦୁଇ ଦିନିଆ ଓଡିଶା ଗସ୍ତରେ ASI ମହାନିର୍ଦ୍ଦେଶକ ଯଦୁବୀର ସିଂ ରାୱତ

ପୁରୀ: ଦୁଇ ଦିନିଆ ଓଡିଶା ଗସ୍ତରେ ASI ମହାନିର୍ଦ୍ଦେଶକ ଯଦୁବୀର ସିଂ ରାୱତ। କୋଣାର୍କରେ ପହଞ୍ଚି ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବା ସହିତ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ସମ୍ପର୍କରେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେମାନଙ୍କ ସହିତ ପୁରୀ ସର୍କଲ ଅଧିକାରୀ ସମେତ ୧୫ ଜଣିଆ ବିଶେଷଜ୍ଞ ଟିମ ସାମିଲ ହୋଇଛନ୍ତି ।

ଖୁବଶୀଘ୍ର ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲି କଢ଼ାଯିବା ନେଇ ସୂଚନା ଦେଇଛନ୍ତି ASI DG। କିନ୍ତୁ ବାଲି କାଢ଼ିବା ପାଇଁ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ବେଳେ ପ୍ଲାଟଫର୍ମ ନିର୍ମାଣ ପରେ ମନ୍ଦିର ପଶ୍ଚିମ ଦ୍ୱାର ଦ୍ୱିତୀୟ ପିଢ଼ିରେ ମନ୍ଦିର ଗର୍ଭ ଗୃହକୁ ପ୍ରବେଶ ପାଇଁ ୪ରୁ ୫ଫୁଟର ଏକ ଗର୍ତ୍ତ ଖୋଳାଯିବ। ଯେଉଁ ବାଟରେ ଗର୍ଭ ଗୃହରୁ ବାଲି ସୁରକ୍ଷିତ ଭାବେ କଢ଼ାଯିବ। ଏଥିପାଇଁ ୩ ବର୍ଷ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ହେଲେ ଏହା ମଧ୍ୟରେ ୨ବର୍ଷରୁ ଅଧିକ ସମୟ ବିତିଯାଇଥିବା ASI ଡିଜି ଯଦୁବୀର ସିଂ ରାୱତ କହିଛନ୍ତି।

ନାବାଳିକା ଝିଅଙ୍କୁ ଅପହରଣ ପରେ ଦୁଷ୍କର୍ମ ଓ ହତ୍ୟା ଘଟଣା, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

ଯାଜପୁର: ନାବାଳିକା ଝିଅଙ୍କୁ ଅପହରଣ ପରେ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ । ଦଣ୍ଡାଦେଶ ଶୁଣାଇଲେ ସ୍ଵତନ୍ତ୍ର ଫାଷ୍ଟଟ୍ରାକ କୋର୍ଟ । ୨୦୧୬ରେ ଯାଜପୁର ଜିଲ୍ଲା କୋରେଇ ଥାନା ଅଞ୍ଚଳର ୧୭ ବର୍ଷୀୟ ଗର୍ଭବତୀ ନାବାଳିକା ଝିଅକୁ ଅପହରଣ ପରେ ଦୁଷ୍କର୍ମ କରି ହତ୍ୟା କରିଥିଲା ଅଭିଯୁକ୍ତ ନବ କିଶୋର ମାଝୀ । ଏନେଇ ପିଡିତାଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଅଭିଯୋଗକୁ ଭିତ୍ତି କରି ପୋଲିସ ବହୁ ଖୋଜାଖୋଜି ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଆଜି ଏହି ମାମଲାର ଶୁଣାଣି କରିଛନ୍ତି ସ୍ଵତନ୍ତ୍ର ଫାଷ୍ଟଟ୍ରାକ କୋର୍ଟ । ୪୦ ଜଣଙ୍କ ସାକ୍ଷ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତ ନବ କିଶୋରଙ୍କୁ ଆଜୀବନ କାରଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି । ଏଥି ସହିତ ଅନାଦୟ ୬ ମାସ ଅଧିକ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ଵତନ୍ତ୍ର ଫାଷ୍ଟଟ୍ରାକ କୋର୍ଟ ବିଚାରପତି ବିଜୟ କୁମାର ଜେନା।

ଲାତେହାରରେ ନକ୍ସଲ ଓ ପୋଲିସ ମଧ୍ୟରେ ଗୁଳିବିନିମୟ, ନକ୍ସଲ ନିପାତ

ନନ୍ଦିଘୋଷ ବ୍ୟୁରୋ: ଝାଡ଼ଖଣ୍ଡରେ ନକ୍ସଲ ଏନକାଉଣ୍ଟର। ଲାତେହାରରେ ନକ୍ସଲ ଓ ପୋଲିସ ମଧ୍ୟରେ ଗୁଳିବିନିମୟ ଘଟି ପପୁ ଲୋହରା ନାମକ ମାଓବାଦୀକୁ ନିପାତ କରିଛି ପୋଲିସ। ଜେଜେଏମପି ମୁଖ୍ୟ ପପୁ ଲୋହରାର ମୁଣ୍ଡ ଉପରେ ୧୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ ଝାଡ଼ଖଣ୍ଡ ସରକାର। ଏସପି କୁମାର ଗୌରବଙ୍କ ନେତୃତ୍ୱରେ CRPF ଏବଂ ଝାଡ଼ଖଣ୍ଡ ପୋଲିସର ମିଳିତ ଟିମ ଏହି ରେଡ୍ କରିଥିଲା।

ଲାତେହାର ଜିଲ୍ଲାର ଇଚାୱର ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଥିଲା। ଅନ୍ୟ ଜଣେ ନକ୍ସଲ ପପୁ ଗଂଜୁକୁ ମଧ୍ୟ ଏନକାଉଣ୍ଟର କରିଛି ପୋଲିସ। ପପୁ ଗଂଜୁ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ଥିଲା। କମ୍ବିଂ ଅପରେସନ ଚାଲିଥିବାବେଳେ ଗୁଳିବିନିମୟ ଘଟି ଉଭୟ ନିହତ ହୋଇଛନ୍ତି।

ଜେଜେଏମପି ସୁପ୍ରିମୋ ପପୁ ଲୋହାରା ତାଙ୍କ ସଂଗଠନ ସଦସ୍ୟମାନଙ୍କ ସହିତ ଇଚ୍ଛାୱାର ଜଙ୍ଗଲରେ ଏକ ବଡ଼ ଘଟଣା ଘଟାଇବାକୁ ଯୋଜନା କରୁଥିବା ପୋଲିସ ଖବର ପାଇଥିଲା। ଏହାପରେ ପୋଲିସ ଏବଂ ସୁରକ୍ଷା ବାହିନୀ ଦ୍ୱାରା ସର୍ଚ୍ଚ ଅପରେସନ କରାଯାଇଥିଲା। ସର୍ଚ୍ଚ ଅପରେସନ୍ ସମୟରେ ସୁରକ୍ଷା ବାହିନୀକୁ ଦେଖିବା ପରେ ମାଓବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ। ଏହା ପରେ ସୁରକ୍ଷା ବାହିନୀ ମଧ୍ୟ ପାଲଟା ଆକ୍ରମଣ କରିଥିଲେ। ଏହି ଏନକାଉଣ୍ଟରରେ ପପୁ ଲୋହାରା ସମେତ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ପାକିସ୍ତାନକୁ ଭାରତର ପୁଣି କଡ଼ା ଭର୍ତ୍ସନା

ନନ୍ଦିଘୋଷ ବ୍ୟୁରୋ: ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ପାକିସ୍ତାନକୁ ଭାରତର ପୁଣି କଡ଼ା ଭର୍ତ୍ସନା। UNSC ବୈଠକରେ ପାକିସ୍ତାନକୁ ଧୋଇଲା ଭାରତ। ଧାର୍ମିକ ସ୍ଥଳକୁ ଟାର୍ଗେଟ କରିବା ସହ ନିରୀହ ନାଗରିକଙ୍କୁ ହତ୍ୟା କରିବା ବନ୍ଦ କରୁ କହିଲେ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପି. ହରୀଶ। ଆତଙ୍କବାଦ ପ୍ରସଙ୍ଗ ନେଇ ଭାରତ ଜାତିସଂଘରେ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ପଡ଼ୋଶୀ ପାକିସ୍ତାନ ଆତଙ୍କବାଦର ଏକ ଆଶ୍ରୟସ୍ଥଳ ପାଲଟିଛି କହିଛି ଭାରତ। ସାଧାରଣ ନାଗରିକଙ୍କୁ ହତ୍ୟା କରିଛନ୍ତି। ଏହା ସହିତ ଧାର୍ମିକ ସ୍ଥଳଗୁଡ଼ିକୁ ଜାଣିଶୁଣି ଟାର୍ଗେଟ କରାଯାଇଥିଲା। ପାକିସ୍ତାନର ଏହି ଆଭିମୁଖ୍ୟକୁ ଘୋର କପଟତା ଆଚରଣ ବୋଲି କହିବା ସହ ନିନ୍ଦା କରିଛି ଭାରତ। ଯେଉଁ ଦେଶ ଆତଙ୍କବାଦୀ ଏବଂ ସାଧାରଣ ନାଗରିକଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ କରେ ନାହିଁ ତାହାର ସାଧାରଣ ନାଗରିକଙ୍କ ସୁରକ୍ଷା ବିଷୟରେ କଥା ହେବାର କୌଣସି ଅଧିକାର ନାହିଁ। ପାକିସ୍ତାନୀ ସେନା ଜାଣିଶୁଣି ଭାରତୀୟ ସୀମାନ୍ତ ଗ୍ରାମଗୁଡ଼ିକୁ ଗୁଳିମାଡ଼ କରିଥିଲା। ସାଧାରଣ ନାଗରିକଙ୍କୁ ହତ୍ୟା କରିଥିଲା ଏବଂ ଧାର୍ମିକ ସ୍ଥଳଗୁଡ଼ିକୁ ଜାଣିଶୁଣି ଟାର୍ଗେଟ କରିଥିଲା।

ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପାର୍ବଥନେନୀ ହରିଶ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଏହି ସୂଚନା ଦେଇଛନ୍ତି। ପାକିସ୍ତାନୀ ପ୍ରତିନିଧିଙ୍କ ଦ୍ୱାରା ଅନେକ ପ୍ରସଙ୍ଗରେ କରାଯାଇଥିବା ଭିତ୍ତିହୀନ ଅଭିଯୋଗର ଜବାବ ଦେବାକୁ ବାଧ୍ୟ ବୋଲି କହିଥିଲେ ହରୀଶ। ଭାରତ ପୂର୍ବରୁ ପାକିସ୍ତାନ କାଶ୍ମୀର ପ୍ରସଙ୍ଗ ଉଠାଇଥିଲା। କାଶ୍ମୀର ପ୍ରସଙ୍ଗରେ ଦଶନ୍ଧୀ ଧରି ପାକ ପ୍ରୟୋଜିତ ଆତଙ୍କବାଦୀ ଆକ୍ରମଣର ସାମନା କରି ଆସୁଛି କହିଥିଲା ଭାରତ। ପାକିସ୍ତାନୀ ଆତଙ୍କବାଦର ଶିକାର ମୁଖ୍ୟତଃ ସାଧାରଣ ନାଗରିକ ହୋଇଛନ୍ତି। ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହିତ କରିବା ପାଇଁ ବାରମ୍ବାର ସାଧାରଣ ଲୋକଙ୍କୁ ଢାଲ ଭାବେ ବ୍ୟବହାର କରିଛି। ଯେଉଁ ଦେଶ ଆତଙ୍କବାଦୀ ଏବଂ ନାଗରିକଙ୍କ ମଧ୍ୟରେ ପାର୍ଥକ୍ୟ କରେ ନାହିଁ ତାହାର ନାଗରିକଙ୍କ ସୁରକ୍ଷା ବିଷୟରେ କଥା ହେବାର କୌଣସି ଅଧିକାର ନାହିଁ ବୋଲି କହିଛି ଭାରତ।ଆତଙ୍କବାଦ ବିରୋଧରେ ଅନ୍ତର୍ଜାତୀୟ ସମୁଦାୟ ଏକାଠି ହେବା ଉଚିତ ବୋଲି କହିଛି ଭାରତ ।

ଆଜିଠୁ ଯୁକ୍ତ ଦୁଇ ନାମଲେଖା ଆରମ୍ଭ

ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇ ନାମଲେଖା ଆରମ୍ଭ। ଚଳିତ ଶିକ୍ଷାବର୍ଷ ପାଇଁ ଯୁକ୍ତ ଦୁଇ ନାମଲେଖା ଆବେଦନ ଆରମ୍ଭ ହୋଇଛି। ଏହି ନାମଲେଖା ଆବେଦନ ଜୁନ ୩୦ ପର୍ଯ୍ୟନ୍ତ ଚାଲିବ।

ସାମ୍ସ ପୋର୍ଟାଲ ଜରିଆରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। www.samsodisha.gov.in ରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଜୁଲାଇ ୭ରେ ବାହାରିବ ପ୍ରଥମ ମେରିଟ୍ ଲିଷ୍ଟ। ଜୁଲାଇ ୮ରୁ ୧୪ ତାରିଖ ଯାଏଁ ହେବ ଆଡମିଶନ୍ । ଏହାପରେ ଜୁଲାଇ ୨୪ ତାରିଖରୁ ଆରମ୍ଭ ହେବ ପାଠପଢ଼ା।

କୋଇଲା ପାଇଁ ସାରା ରାତି ଧାରଣାରେ ବସିଲେ ବିଧାୟକ

ସୁନ୍ଦରଗଡ଼: କୋଇଲା ପାଇଁ ସାରା ରାତି ଧାରଣାରେ ବସିଲେ ବିଧାୟକ। ରେଳ ସାଇଡିଂ ଠାରେ ସ୍ଥାନୀୟ ଲୋକଙ୍କ ସହିତ ଧାରଣାରେ ବସିଛନ୍ତି ସୁନ୍ଦରଗଡ଼ ବିଧାୟକ। ହେମଗିରି ବରପାଲି ରେଳ ସାଇଡିଂରୁ କୋଇଲା ପରିବହନକୁ ବିରୋଧ କରି ଦୀର୍ଘ ଚାରି ମାସ ହେବ ଧାରଣାରେ ବସିଛନ୍ତି। ଗତ କାଲି ପୁଣି ରାତିରେ କୋଇଲା ବେଆଇନ ଭାବରେ ରେଳ ଯୋଗେ ପରିବହନ କରାଯିବା ପାଇଁ ମସୁଧା ହେଉଥିବା ବେଳେ ରାତି ସାରା ବିଧାୟକ ସ୍ଥାନୀୟ ବାସିନ୍ଦାଙ୍କ ସହ ଧାରଣା ଦେଇଥିଲେ ।

ବିଜାପୁରରେ ଆତ୍ମସମର୍ପଣ କଲେ ୨୪ ମାଓବାଦୀ

ନନ୍ଦିଘୋଷ ବ୍ୟୁରୋ: ଛତିଶଗଡ ବିଜାପୁରରେ ଆତ୍ମସମର୍ପଣ କଲେ ୨୪ ଜଣ ମାଓବାଦୀ । CRPF ଡିଆଇଜି ରାକେଶ କୁମାର, ବିଜାପୁର ଏସପି ଜିତେନ୍ଦ୍ର ୟାଦବଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ୨୪ ଜଣ ମାଓବାଦୀଙ୍କ ମୁଣ୍ଡ ଉପରେ ମୋଟ ୮୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ଛତିଶଗଡ ସରକାର। ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ପୁନର୍ବାସ, ନିଯୁକ୍ତି ଏବଂ ଶିକ୍ଷା ଭଳି ବିଭିନ୍ନ ସୁବିଧା ଯୋଗାଇ ଦିଆଯିବ ବୋଲି ବିଜାପୁର ଏସପି କହିଛନ୍ତି।

ଆତ୍ମସମର୍ପଣ କରିବା ପରେ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ସରକାରଙ୍କ ଆତ୍ମସମର୍ପଣ ଏବଂ ପୁନର୍ବାସ ନୀତି ଅନୁଯାୟୀ ସମସ୍ତଙ୍କୁ ପ୍ରୋତ୍ସାହନ ସ୍ୱରୂପ ୫୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ PLGAର ଟପ୍ ମାଓନେତା ରାକେଶ, PLGA ବାଟାଲିୟନ ନମ୍ବର 01 ମାଓ ଡିଭିଜନର ସଦସ୍ୟ, CNM ସଭାପତି, KMS ସଭାପତି, କଳାହାଣ୍ଡି-କେନ୍ଦୁଝର-ବଲାଙ୍ଗୀର-ନୂଆପଡ଼ା KKBN ଡିଭିଜନ ପାର୍ଟି ସଦସ୍ୟ, LOS କମାଣ୍ଡର, CNM ସଦସ୍ୟ ରହିଛନ୍ତି।

 

୧୦୮ ଆମ୍ବୁଲାନ୍ସ ଗାଡି ଦୁର୍ଘଟଣାଗସ୍ତ, ଆଟେଣ୍ଡାଣ୍ଟ ମୃତ

ଯାଜପୁର: ୧୦୮ ଆମ୍ବୁଲାନ୍ସ ଗାଡି ଦୁର୍ଘଟଣାଗସ୍ତ। ଦୁର୍ଘଟଣାରେ ଆଟେଣ୍ଡାଣ୍ଟ ମୃତ, ଦୁଇ ଆହତ। ଯାଜପୁର ଧର୍ମଶାଳା ଥାନା ୧୬ ନଂ ଜାତୀୟ ରାଜପଥର ରଥିଆ ନିକଟରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଆଟେଣ୍ଡାଟଙ୍କର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ବଉଲାଙ୍ଗ ମଧୁପୁର ଅଞ୍ଚଳର ଅଚ୍ୟୁତାନନ୍ଦ ବାରିକ। ଶ୍ରମ ନିୟମକୁ ଉଲ୍ଲଘଂନ କରି ଦଶରଥପୁରର ଏହି ୧୦୮ଆମ୍ବୁଲାନ୍ସ ଗାଡି ଦିନରେ ୬ଟି ରୋଗୀ ସେବା ଦେବା ପରେ ସଂଧ୍ୟାରେ ରୋଗୀକୁ କଟକରେ ଛାଡି ଫେରିଲା ବେଳେ ଦୁର୍ଘଟଣା ଘଟିଛି।

ଖବର ପାଇ ଘଟଣାସ୍ଥଳରେ ଧର୍ମଶାଳା ପୋଲାିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଭିଜିଲାନ୍ସ ଜାଲରେ ବାଙ୍କୋଇ ASI ଓ ହୋମଗାର୍ଡ

ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ପୋଲିସ ବାବୁ। ଖୋର୍ଦ୍ଧା ଭିଜିଲାନ୍ସ ଜାଲରେ ବାଂକୋଇ ଫାଣ୍ଡି ଏଏସଆଇ ଓ ହୋମଗାର୍ଡ । ଲାଞ୍ଚ ନେଇ ଧରାପଡିଲେ ଏଏସଆଇ ତୁଷାର ନାୟକ ଓ ହୋମଗାର୍ଡ ପିକେ ସୁନ୍ଦରାୟ। ଏକ ମାମଲାରେ କେସ ଡାଏରୀରୁ ନାଁ ହଟାଇବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ ଟିମ। ତୁଷାରଙ୍କ ବାଂକୋଇ ଠାରେ ରହୁଥିବା ଘରେ ଭିଜିଲାନ୍ସ ଟିମ ଯାଞ୍ଚ କରୁଛି। ଉଭୟଙ୍କୁ ଭିଜିଲାନ୍ସ ଟିମ ଖୋର୍ଦ୍ଧାରୁ ଭୁବନେଶ୍ବରକୁ ନେଇଯାଇଛି। ଭିଜିଲାନ୍ସ ଡିଏସପି ଏହି ସୂଚନା ଦେଇଛନ୍ତି।

ଶୁକ୍ରବାର ରାତି ପ୍ରାୟ ସାଢେ ୧୧ଟା ସମୟରେ ଥାନାରେ ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଛକି ରହିଥିବା ଟିମ ତାଙ୍କୁ କାବୁ କରିଥିଲା। ତୁଷାର ନିକଟରେ ଉଲ୍ଲେଖନୀୟ ସେବା ପାଇଁ ଜିଲା ପୋଲିସ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଥିଲେ।

ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ମୃତ

ଢେଙ୍କାନାଳ: ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ମୃତ। ଢେଙ୍କାନାଳ ହିନ୍ଦୋଳ ରେଞ୍ଜରେ ଘଟିଛି ଏ ଅଘଟଣ। ବିଳମ୍ବିତ ରାତିରେ ଏଭଳି ଘଟିଥିବା ସୂଚନା ମିଳିଛି। ମୃତକ ହେଲେ ହିନ୍ଦୋଳ ରେଞ୍ଜରେ କାର୍ଯ୍ୟରତ ଫରେଷ୍ଟ ଗାର୍ଡ ପ୍ରହଲ୍ଲାଦ ପ୍ରଧାନ।

ସୂଚନା ଅନୁଯାୟୀ, ହିନ୍ଦୋଳ ରେଞ୍ଜ ରାଜମୋହନପୁର ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ସମୟରେ ଶିକାରୀ ଗୁଳିମାଡ଼ କରିଥିଲେ। ମୋଟ ୧୩ ଜଣ ବନବିଭାଗର କର୍ମୀ ପାଟ୍ରୋଲିଂ କରୁଥିଲେ। ଗୁଳି ପ୍ରହ୍ଲାଦଙ୍କ ପେଟରେ ବାଜିଥିଲା। ଫଳରେ ଗୁରୁତର ଅବସ୍ଥାରେ ତୁରନ୍ତ ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଫରେଷ୍ଟ ଗାର୍ଡଙ୍କୁ ଗୁଳିମାଡ଼ ପରେ ପାଟ୍ରୋଲିଂ କରୁଥିବା ଅନ୍ୟ କର୍ମଚାରୀମାନେ ତୁରନ୍ତ ୪ ଶିକାରୀଙ୍କୁ କାବୁ କରିଥିଲେ। ସୂଚନା ଅନୁଯାୟୀ, ଅନ୍ୟ କିଛି ଶିକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।ଶିକାରୀଙ୍କ ପାଖରୁ କିଛି ବନ୍ଧୁକ ଜବତ କରାଯିବା ସହ ସେମାନଙ୍କୁ ଅଧିକ ଜେରା କରାଯାଉଛି।