spot_img
Home Blog Page 731

ରାଜ୍ୟକୁ ଫେରିଛି କୋରୋନା ଭୂତାଣୁ, ଜଣେ ବ୍ୟକ୍ତି କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ସଜାଗ

ଭୁବନେଶ୍ୱର : ପୁଣି ଫେରିଲା କୋରୋନା । ତିନି ବର୍ଷର ବ୍ଯବଧାନ ପରେ ରାଜ୍ଯରେ ଜଣେ ଆକ୍ରାନ୍ତ ଚିହ୍ନଟ। ଆକ୍ରାନ୍ତ ଜଣକ ଜଣେ ବରିଷ୍ଠ ନାଗରିକ ହୋଇଥିବାବେଳେ ସେ ଏକାଧିକ ରୋଗରେ ପୀଡିତ । ଏବେ ସେ କ୍ବାରେଣ୍ଟାଇନରେ ଅଛନ୍ତି । ରାଜଧାନୀର ଏକ ଘରୋଇ ହସପିଟାଲରେ ହେଉଛନ୍ତି ଚିକିତ୍ସିତ । ସେପଟେ ଏହି ଖବର ଆସିବା ପରେ ତତ୍ପର ହୋଇଉଠିଛି ସ୍ୱାସ୍ଥ୍ୟ ବିଭାଗ। ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସହ ବୈଠକ ପରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ସଚିବ। କୋରୋନାର ଏହି ଭାରିଆଣ୍ଟ ମାଇଲଡ ବୋଲି କହିବା ସହ ଏହା ବ୍ୟାପିବାର ସମ୍ଭାବନା କମ । ତେଣୁ କେହି ବ୍ୟସ୍ତ ହୁଅନ୍ତୁ ନାହିଁ ବୋଲି କୁହାଯାଇଛି । କୋରୋନା ସାରା ଦେଶରୁ ସମ୍ପୂର୍ଣ୍ଣ ହଟିନି। ଆକ୍ରାନ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଭଲ ଅଛି ବୋଲି କୁହାଯାଇଛି । ସେପଟେ କରୋନା ପାଇଁ ଭାରତ ସରକାରଙ୍କ ପକ୍ଷରୁ କୌଣସି ଗାଇଡଲାଇନ୍ ଆସିନାହିଁ। କେବଳ ନଜର ରଖିବାକୁ କୁହାଯାଇଥିବାବେଲେ ସ୍ଵାସ୍ଥ୍ୟ ବିଭାଗ ସଜାଗ ଅଛି ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି।

ରାଜ୍ୟରେ ଜଣେ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ରାଜ୍ୟବାସୀ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ବରିଷ୍ଠ ଚିକିତ୍ସକ। କୋଭିଡର ପ୍ରଥମ ଦୁଇଟି ଲହର ଆଲଫା ଓ ଡେଲ୍ଟା ଭରିଆଣ୍ଟ ଥିଲା। ପରେ ଓମିକ୍ରନ ଭାରିଆଣ୍ଟ ଆସିଲା। କିନ୍ତୁ ଏହା ବିଶେଷ କ୍ଷତି କଲା ନାହିଁ। ଅନ୍ୟାନ୍ୟ ଦେଶରେ ସଂକ୍ରମଣ ପରେ ଏବେ ଓଡ଼ିଶାରେ ଚିହ୍ନଟ ହୋଇଛି। ଏବେ ଓମିକ୍ରନର ସବଭାରିଆଣ୍ଟ ଏଲଏଫ-୭, ଜେଏନ-୧ ବ୍ୟାପୁଛି। ଏହା ଛୋଟ ଲହରର ରୂପ ନେବ। ସଂକ୍ରମଣ ବୃଦ୍ଧି ପାଇବ। ଏଥିରେ ଆତଙ୍କିତ ହେବା ଆବଶ୍ୟକ ନାହିଁ। କୋଭିଡର ଏହି ଭାରିଆଣ୍ଟ ହେଉଛି ଭାରିଆଣ୍ଟ ଅଫ ଇଣ୍ଟରେଷ୍ଟ। ଏହା ଏତେ କ୍ଷତିକାରକ ନୁହେଁ। କିନ୍ତୁ ଅନ୍ୟାନ୍ୟ ବଡ଼ ରୋଗ ଥିଲେ ଲୋକେ ସତର୍କ ରହିବା ଜରୁରୀ । ଲୋକେ ମାସ୍କ ପିନ୍ଧିବା, ହାତ ଧୋଇବା, ଅଧିକ ଭିଡକୁ ନ ଯିବା ଆବଶ୍ୟକ ବୋଲି କହିଛନ୍ତି ବିଶେଷଜ୍ଞ । ସେପଟେ ବିଏମସି ସବୁ ପରିସ୍ଥିତ ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ଭୁବନେଶ୍ୱର ମହାନଗର ନିଗମ ମେୟର। ସରକାର ଯାହା ଗାଇଡଲାଇନ ଜାରି କରିବେ ଆମେ ତାହା ଉପରେ କାମ କରିବୁ। ପୂର୍ବରୁ କୋଭିଡ ପରିଚାଳନାରେ ବିଏମସିର ଅଭିଜ୍ଞତା ରହିଛି ବୋଲି ମେୟର କହିଛନ୍ତି।କୋରୋନାର ଭୟାବହତା ସମୟରେ ରାଜ୍ୟରେ ଅନେକ ଗାଇଡଲାଇନ ଓ କଟକଣା ରହିଥିବା ବେଳେ ଆଗକୁ ସ୍ଥିତି କିଭଳି ରହିବ ତା ଉପରେ ରାଜ୍ୟବାସୀଙ୍କ ନଜର ରହିଛି ।

କଟକ ଶିଶୁ ଭବନରେ ବ୍ୟାପକ ଅବ୍ୟବସ୍ଥା, ସିକ୍ୟୁରିଟି ସହାୟତାରେ ମୋବାଇଲ ଲାଇଟରେ ହେଉଛି ଚିକିତ୍ସା

କଟକ : ଲାଇଟ୍‌ ବ୍ୟବସ୍ଥା ନାହିଁ ନା ଡାକ୍ତରଙ୍କ ଅବହେଳା ? ମାଇନର ଅପରେସନ  ଥିଏଟର ଥାଇ କେମିତି ଛୋଟ ପିଲାର ହେଲା ମୁଣ୍ଡ ଷ୍ଟିଚ୍‌? କଟକ ଶିଶୁ ଭବନରେ ଏଭଳି ଦୃଶ୍ୟ ଚାରିଆଡ଼େ ଭାଇରାଲ ପରେ ଏବେ ଶିଶୁଭବନ ଓ ସରକାରଙ୍କୁ ଚାରିଆଡ଼ୁ ଘେରିଲେଣି ଲୋକେ । ସିକ୍ୟୁରିଟି ଗାର୍ଡ଼ ଟର୍ଚ୍ଚ ଲାଇଟ ପକାଇଛନ୍ତି । ଆଉ ଡାକ୍ତର ଜଣେ ଆଘାତ ଲାଗିଥିବା ପିଲାଟି ମୁଣ୍ଡକୁ ସିଲେଇ କରୁଛନ୍ତି । କୋଟି କୋଟି ଟଙ୍କା ବ୍ଯୟରେ ଶିଶୁ ଭବନର ନୂତନ ବିଲଡିଂ ତିଆରି ହୋଇଛି । ଚିକିତ୍ସାଳୟରେ ସମସ୍ତ ଆଧୁନିକ ସୁବିଧା । ହେଲେ କେଉଁ ପରିସ୍ଥିତିରେ ଡାକ୍ତର କାଜୁଆଲିଟିରେ ରୋଗୀର ଏପରି ଚିକିତ୍ସା କଲେ ତାକୁ ନେଇ ଉଠିଛି ପ୍ରଶ୍ନ ।

ଗତକାଲି ରାତି ପ୍ରାୟ ୮ଟା ରେ ଜଣେ ଦୁଇବର୍ଷର ଶିଶୁ ମୁଣ୍ଡରେ ଆଘାତ ଲାଗିବାରୁ ଚିକିତ୍ସା ପାଇଁ ଆସିଥିଲା । କାଜୁଆଲଟିରେ ଥିବା ଡାକ୍ତର ମାଇନର ଓଟି ରେ ଷ୍ଟିଚ କରିବା ବଦଳରେ ଟର୍ଚ୍ଚା ଲାଇଟରେ ଡ୍ରେସିଂରୁମରେ ଷ୍ଟିଚ୍‌ କରିଥିଲେ । ଏହାର ଭିଡିଓ ମଧ୍ୟ କରାଯାଇଥିଲା । ଅଭିଯୋଗ ପରେ ଘଟଣାର ତଦନ୍ତ ପାଇଁ ଏକ ୬ ଜଣିଆ କମିଟ ଗଠନ କରିଛନ୍ତି ଅଧୀକ୍ଷକ । ଏ ନେଇ ସମ୍ପୃକ୍ତ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ।

ପାଖେଇ ଆସିଲାଣି ରଥଯାତ୍ରା, ଏଯାଏଁ ଗଠନ ହୋଇ ପାରିଲାନି ଶ୍ରୀମନ୍ଦିର ପରିଚାଳନା କମିଟି

ପୁରୀ : କାହିଁକି ଏଯାଏ ପୁନର୍ଗଠିଚ ହୋଇନି ଶ୍ରୀମନ୍ଦିର ପରିଚାଳନା କମିଟି ? କେବେ ହେବ? କାହିଁକି ଶ୍ରୀଜଗନ୍ନାଥ ମନ୍ଦିର ଆଇନ-୧୯୫୪ ହେଉଛି ଖୋଲା ଉଲଂଘନ? ରଥଯାତ୍ରା ଆସିଲାଣି । ଦୀର୍ଘ ୯ ମାସ ହେଲାଣି ସରକାର କଣ କରୁଛନ୍ତି । ଏପରି ମାଳ ମାଳ ପ୍ରଶ୍ନ ଏବେ ଶ୍ରଦ୍ଧାଳୁ, ବୁଦ୍ଧିଜୀବୀ ଓ ଜଗନ୍ନାଥ ପ୍ରେମୀଙ୍କ ମନରେ । ଅଭିଯୋଗ ହୋଇଛି ଭାଗ ଛିଡ଼ୁନଥିବାରୁ ଗଠନ ହୋଇପାରୁନି ପରିଚାଳନା କମିଟି । ଗତବର୍ଷ ରଥଯାତ୍ରା ପରେ ଅଗଷ୍ଟ ମାସରେ ଶେଷ ଥର ପାଇଁ ବସିଥିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଏହା ପରେ ନୂତନ କମିଟି ବୈଠକ ଗଠନ ହେବା କଥା । କମିଟି ନ ଥିବାରୁ ଶ୍ରୀଜିଉଙ୍କ ଆର୍ଥିକ ପରିଚାଳନା ବଜେଟ୍‌ ନିଷ୍ପତ୍ତି ହୋଇପାରୁନି । ରଥଯାତ୍ରା ସହିତ ବିଭିନ୍ନ ଯାନିଯାତ୍ରା ପାଇଁ ଅର୍ଥ କିପରି ଖର୍ଚ୍ଚ ହେବ ତାକୁ ନେଇ ବି ନିଷ୍ପତ୍ତି ହୋଇପାରୁନି । ଆଇନମନ୍ତ୍ରୀ ଏ ଦିଗରେ ସବୁ ଜାଣି କାହିଁକି ଚୁପ?

ଶ୍ରୀମନ୍ଦିର ପରିଚାଳନା କମିଟି ହେଉଛି ଏକ ବୈଧାନିକ କମିଟି । ଜଗନ୍ନାଥଙ୍କ ଜମିଜମା ସମସ୍ୟା ହେଉ କି ଭକ୍ତଙ୍କ ଧାଡି ଦର୍ଶନ ସବୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କମିଟି କରିଥାଏ । ସେହିପରି ଗୁରୁକୂଳ ଆଶ୍ରମ ନିର୍ମାଣ ନେଇ ଅନେକ ସମସ୍ୟାର ସମାଧାନ ହୋଇପାରୁନି । ଦଳୀୟ ଲୋକଙ୍କୁ କମିଟିରେ ରଖିବାକୁ ନେଇ ଅଙ୍କ ଛିଡ଼ୁନଥିବାରୁ କମିଟି ଗଠନ ନେଇ ବିଳମ୍ବ ହେଉଥିବା ଅଭିଯୋଗ ହେଉଛି । ଛତିଶା ନିଯୋଗ ବୈଠକରେ ଶ୍ରୀମନ୍ଦିର ନୀତିକାନ୍ତି ପାରିତ ହୋଇ କାର୍ଯ୍ୟକାରୀ କରାଯାଉଛି l ହେଲେ କମିଟି ଗଠନ ନ ହେଲେ ରଥଯାତ୍ରା ଅନୁଷ୍ଠିତ ହେବାରେ କିଛି ଅସୁବିଧା ନାହିଁ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ l ବୈଧାନିକ କମିଟି ଗଠନରେ ବିଳମ୍ବ ହେଉଛି । ଏହି ସିଧାସିଧା ସରକାରଙ୍କ ଅପାରଗତାକୁ ପଦାରେ ପକାଇଛି ।

ବଲାଙ୍ଗୀର ବିଜେପିରେ ଫାଟ, କୋଣଠେସା ଅଭିଯୋଗ କରି ଜିଲ୍ଲା ପରିଷଦ କାର୍ଯ୍ଯାଳୟ ଆଗରେ ବସିଲେ ବିଧାୟକ ନବୀନ ଜୈନ

ବଲାଙ୍ଗୀର : ବଲାଙ୍ଗୀର ବିଜେପିରେ ଫାଟ । ସାଂସଦଙ୍କ ଇଚ୍ଛାରେ ବିକାଶ । ସ୍ଥାନୀୟ ବିଧାୟକଙ୍କୁ ଅଣଦେଖା । ମନ୍ତ୍ରୀଙ୍କ ସମୀକ୍ଷା ଚାଲିଥିବାବେଳେ ବାହାରେ ବସି ପ୍ରତିବାଦ କଲେ ବିଧାୟକ ନବୀନ ଜୈନ । ବିଧାୟକଙ୍କ କଥା ଶୁଣୁନାହାନ୍ତି ବରିଷ୍ଠ ଅଧିକାରୀ କି କିରାଣି ।  ଟିଟିଲାଗଡ଼ ବିଜେପି ବିଧାୟକ ନବୀନ ଜୈନଙ୍କ ଗୁରୁତର ଅଭିଯୋଗ ପରେ ଏବେ ଜିଲ୍ଲାରେ ଦଳର ଅନ୍ତଃକନ୍ଦଳ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି । ଏପରିକି ତାଙ୍କୁ କୌଣସି ସରକାରଙ୍କୁ ବିଧାୟକଙ୍କୁ ଡକାଯାଉନି । ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ସମୀକ୍ଷା ବୈଠକ  କରୁଥିବାବେଳେ ବାହାରେ ବସି ପ୍ରତିବାଦ କଲେ ବିଧାୟକ ନବୀନ ଜୈନ ।

କ୍ୟାମେରା ସାମ୍ନାରେ ବିଜେପି ବିଧାୟକ ନିଜ ଅସହାୟତା ପ୍ରକାଶ କରିଥିବା ବେଳେ କିଏ ସେହି ପାୱାରଫୁଲ ମ୍ୟାଡମ୍ ତାକୁ ନେଇ ସୃଷ୍ଟି ହୋଇଛି ଚର୍ଚ୍ଚା । ମ୍ୟାଡମ୍ ଜଣଙ୍କ ଲୋକ ପ୍ରତିନିଧି ନା ସରକାରୀ ଅଧିକାରୀ ତାହା କହିନଥିବା ବେଳେ ମୁଖ୍ୟମନ୍ତ୍ରୀ ବି ଜାଣିଛନ୍ତି ବୋଲି ବକ୍ରୋକ୍ତି କରିଛନ୍ତି ବିଧାୟକ I  ବିଧାୟକଙ୍କ ଏହି ହାଇଡ୍ରାମା ପରେ ବୈଠକ ହୋଇନପାରିବାରୁ ଅଧିକାରୀମାନେ ଉଠି ଚାଲିଯାଇଥିଲେ I

ପୋଲିସର ମୁଣ୍ଡବିନ୍ଧା ସାଜିଛି ସାଇବର ଓ ବାଳ ଅପରାଧ

ଭୁବନେଶ୍ୱର : ଜୁଭେନାଇଲ ଜଷ୍ଟିସ ଉପରେ କମିଶନରେଟ ପୋଲିସର ଫୋକସ୍ । ଶିଶୁ ଚାଲାଣ, ଅପହରଣ, ଚୋରି ରୋକିବା ଦିଗରେ ଗୁରୁତ୍ୱ । ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି ସାଇବର ଓ ବାଳ ଅପରାଧୀ । ଅପ୍ରାକୃତିକ ଯୌନ ଶୋଷଣ ପାଲଟିଛି ମୁଣ୍ଡବିନ୍ଧା । ଚାକଚକ୍ୟ ଜୀବନ ବଞ୍ଚିବା ପାଇଁ କୋମଳମତି ବୟସରେ ଆଇନକୁ ହାତକୁ ହାତକୁ ନେଇ ଅପରାଧୀ ବନୁଛନ୍ତି ନାବାଳକ । ମାତ୍ରାଧିକ ସୋସିଆଲ ମିଡ଼ିଆ ବ୍ୟବହାର, ଗୁଣାତ୍ମକ ଶିକ୍ଷାର ଅଭାବ ଯୋଗୁଁ ବଢୁଛି ଅପ୍ରାକୃତିକ ଯୌନ ସମ୍ପର୍କ । POCSO କେସର ମାତ୍ରାଧିକ ବୃଦ୍ଧି ନେଇ NCRB ରିପୋର୍ଟରେ ଉଦବେଗ ପ୍ରକାଶ ପାଇବା ପରେ ଏବେ ଆରମ୍ଭ ହୋଇଛି ମାନସମନ୍ଥନ । ପର୍ଣ୍ଣଗ୍ରାଫି, ଫେକ ୱେବସାଇଟ ଜରିଆରେ ଠକେଇ, ନିଶା କାରବାର ଭଳି ମିଛ ଅଭିଯୋଗ ଆଣି ଡିଜିଟାଲ ଆରେଷ୍ଟ, ଅବିଭାବକଙ୍କୁ ବ୍ଲାକମେଲ ଭଳି ଅନେକ ଘଟଣା ସାମ୍ନାକୁ ଆସିଛି । ଗେମିଙ୍ଗ ଆପ ଜରିଆରେ ମଧ୍ୟ ସାଇବର ଠକଙ୍କ ଦ୍ୱାରା ନିର୍ଯାତନା ପାଇଛନ୍ତି କୁନି ପିଲା । ବ୍ୟସ୍ତବହୁଳ ଜୀବନରେ ବାପା ମାଆ ଆବଶ୍ୟକ ମୁତାବକ ପିଲାଙ୍କ ଧ୍ୟାନ ରଖୁନଥିବା ଓ ଯୌଥ ପରିବାରର ଅଭାବ ଏଭଳି କ୍ଷେତ୍ରରେ ମୂଳ କାରଣ ବୋଲି ମତ ପ୍ରକାଶ ପାଇଛି ।

ଏପ୍ରିଲ ମାସ ୧୩ ତାରିଖ ଖାରବେଳନଗର ଥାନା ଅନ୍ତର୍ଗତ ରାମମନ୍ଦିର ସମ୍ମୁଖରୁ ଦୃଷ୍ଟିବାଧିତ ମହିଳାଙ୍କ ଠାରୁ ପିଲାଚୋରି । ପରେ ପରେ ଡେଲାଙ୍ଗ ରତନପୁର ଅଞ୍ଚଳରେ ଶିଶୁକୁ ଅପହରଣ । ଏ ଘଟଣା ମନରୁ ନଲିଭୁଣୁ ଏୟାରଫିଲଡ଼ ଥାନା ଅନ୍ତର୍ଗତ ପାଞ୍ଚଗାଁରୁ ପୁଣି ଅପହୃତ ହୋଇଥିଲା ଚତୁର୍ଥ ଶ୍ରେଣୀର ପିଲା । ପରେ ପରେ ଗତ ୧୯ ତାରିଖରେ ପଳାଶୁଣି ଅଞ୍ଚଳରୁ ୧୧ ବର୍ଷୀୟ ନାବାଳକ ନିଖୋଜ ନେଇ  ମଞ୍ଚେଶ୍ୱର ଥାନାରେ ଏତଲା ପରେ ଏହି ଟ୍ରେଣ୍ଡ ଏବେ ପୋଲିସ ପାଇଁ ପାଲଟିଛି ମୁଣ୍ଡବିନ୍ଧା। child trafficking କୁ ରୋକିବା ପାଇଁ technical support agency ପକ୍ଷରୁ ତିଆରି ହୋଇଛି ସ୍ପେଶାଲ ସେଲ । କୋର୍ଟ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକାକୁ କଡାକଡି ପାଳନ ପାଇଁ ନିର୍ଦ୍ଦେଶ ରହିଛି । ଏସବୁକୁ ରୋକିବା ସହ ଏକ ସୁସ୍ଥ ସମାଜ ଗଢିବା ଦିଗରେ ପୋଲିସ, NGO ଓ ଅଭିଭାବକଙ୍କ ସହଯୋଗ ଆବଶ୍ୟକ ଥିବା କହିଛନ୍ତି ସମାଜସେବୀ । ନବାଳକଙ୍କ କଣ୍ଡକ୍ଟ ଡିଜର୍ଡର, ଯେପରିକି ଶୀଘ୍ର ରାଗିଯିବା, ଆବେଗଭରା ସ୍ଵଭାବ ପାଇଁ ସେମାନଙ୍କ ମନରେ ହିଂସାତ୍ମକ ମନୋଭାବ ସୃଷ୍ଟି ହେଉଥିବା ମତବ୍ୟକ୍ତ କରିଛନ୍ତି ବୁଦ୍ଧିଜୀବୀ ।

ଜଳଛତ୍ର ନାଁରେ ବ୍ୟାପକ ହରିଲୁଟ

ବ୍ରହ୍ମପୁର : ଜଳଛତ୍ର ନାଁରେ ବାଟମାରଣା । ତା ପୁଣି ବ୍ରହ୍ମପୁର ମହାନଗର ନିଗମରେ । ସୂଚନା ଅଧିକାର ବଳରେ ପଦାକୁ ଆସିଛି  ଏଭଳି ସାଂଘାତିକ ତଥ୍ୟ । ୨୦୨୧ ଓ ୨୦୨୨ରେ ସହରରେ କୌଣସି ଜଳଛତ୍ର ଖୋଲାଯାଇନି । ୨୦୨୩ ଖୋଲାଯାଇଥିଲା ମାତ୍ର ୪ଟି । ୨୦୨୪ରେ ହଠାତ୍ ସହରରେ ୫୩ଟି ଜଳଛତ୍ର ଖୋଲାଗଲା । ଆଉ ସେ ବାବଦରେ ଖର୍ଚ୍ଚ ହେଲା ୨୩ ଲକ୍ଷ ୮୭ ହଜାର ୫୦୫ ଟଙ୍କା । ଗୋଟିଏ ମେସିନର ଦାମ ୪୫ ହଜାର ଟଙ୍କାରୁ ଅଧିକ । ଖୋଲା ବଜାରରେ ପାଣିକୁ ଶୁଦ୍ଧ କରୁଥିବା ୪୦ ଲିଟର ମେସିନ ମୂଲ୍ୟ ୪୦ ହଜାର ଟଙ୍କା । ଏହାକୁ ଯଦି ସହରର ବିଭିନ୍ନ ଛକ ମାନଙ୍କରେ ସ୍ଥାୟୀ ଭାବରେ ପ୍ରତିଷ୍ଠା କରାଯାଇ ପାରିଥାନ୍ତା ତେବେ ପ୍ରାୟ ୪୭ଟି ମେସିନ ଲାଗିପାରିଥାନ୍ତା । ଜଳଛତ୍ର ନାଁରେ ଏତେଟଙ୍କା ଖର୍ଚ୍ଚ କରିବା ପଛରେ ଉଦ୍ଦେଶ୍ୟ କଣ ବୋଲି ପ୍ରଶ୍ନ କରିଛନ୍ତି ଆଇନଜୀବୀ ।

ବ୍ରହ୍ମପୁର ମହାନଗର ନିଗମ ନାଁରେ ରହିଛି ଦୁର୍ନୀତିର ଲମ୍ବା ତାଲିକା । ପ୍ରତି ବିଭାଗରେ ଅନିୟମିୟତା ଓ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ରାସ୍ତା, ଡ୍ରେନ ଠାରୁ ଆରମ୍ଭ କରି ମଶାମରା ଔଷଧ, ପୋଖରୀ ଖୋଳା,  ବୃକ୍ଷ ରୋପଣ, କାନ୍ଥରେ ଚିତ୍ର ଆଙ୍କିବା, ପାର୍କ ନବୀକରଣ, ବାଉଁଶ ବ୍ୟାରିକେଡ, ସ୍ୱାୟତ୍ତ ଶାସନ ଦିବସ ପାଳନରେ କୋଟି କୋଟି ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଲୋକଙ୍କ ଟଙ୍କା ହରିଲୁଟ ହେଉଥିବାରୁ ଘଟଣାର ତଦନ୍ତ ଦାବି କରିଛନ୍ତି ବିଭିନ୍ନ ସଂଗଠନ।  ସେପଟେ ମେୟର କହିଛନ୍ତି ଏନେଇ କୌଣସି ଅଭିଯୋଗ ହସ୍ତଗତ ହୋଇନାହିଁ । ଅଭିଯୋଗ ଆସିଲେ ତଦନ୍ତ କରାଯିବ ।

ଚେନ୍ନାଇରୁ ମିଳିଲା ଦ୍ୱିତୀୟ ବିଶ୍ୱଯୁଦ୍ଧର ବୋମା! ଏହାକୁ ୮୨ ବର୍ଷ ପୂର୍ବେ ଜାପାନ ପକାଇଥିଲା

ନନ୍ଦିଘୋଷ ବ୍ୟୁରୋ ; ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଏକ ଘର ନିର୍ମାଣ ପାଇଁ ଖୋଳାଯିବା ବେଳେଏକ ବୋମା ମିଳିଛି ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବୋଲି କୁହାଯାଉଛି। ଏହାକୁ ଯୁଦ୍ଧ ସମୟରେ ଜାପାନୀ ସେନା ଦ୍ୱାରା ମାଡ୍ରାସ ଉପରେ ଆକ୍ରମଣର ଏକ ଅଂଶ ବୋଲି କୁହାଯାଉଛି। ଚେନ୍ନାଇର ରାମକୃଷ୍ଣ ନଗରରୁ ମିଳିଥିବା ବୋମାକୁ ପୋଲିସ ଜବତ କରିଛି ।

ଚେନ୍ନାଇର ରାମକୃଷ୍ଣ ନଗରରେ, ଜଣେ ବ୍ୟକ୍ତି ତାଙ୍କ ଘର ତିଆରି କରିବା ପାଇଁ ଖୋଳଶ ଯାଉଥିଲା । କମ୍ପାଉଣ୍ଡ ୱାଲ୍ ନିର୍ମାଣ ପାଇଁ ଖୋଳିବା ସମୟରେ, ଏକ ଭାରୀ ଜିନିଷ ମିଳିଥିଲା ​​ଯାହାକୁ ଖୋଳିବା ଶ୍ରମିକ ମାଟିରୁ ବାହାର କରିଥିଲେ। କୌଣସି ପ୍ରକାରେ ଏଥିରେ ଲାଗିଥିବା କାଦୁଅ ସଫା କରାଯାଇଥିଲା। ସଫା କରିବା ପରେ ଏକ ବଡ ଜିନିଷ ଦେଖାଗଲା ।

ଉତ୍ତର ଚେନ୍ନାଇର ଏକ ଘରୁ ଏକ ସନ୍ଦେହଜନକ ଧାତୁ ବସ୍ତୁ ମିଳିଛି। ଘର ନିର୍ମାଣ କାର୍ଯ୍ୟ ସମୟରେ ଏହି ଜିନିଷଟି ମିଳିଥିଲା ​​ଏବଂ ଏହାକୁ ବୋମା ଭାବରେ ଚିହ୍ନଟ କରାଯାଇଥିଲା, ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଚେନ୍ନାଇର ମନ୍ନାଡି ଅଞ୍ଚଳରେ ଏହି ବୋମା ମିଳିଥିଲା। ମୁସ୍ତାଫା ନାମକ ଜଣେ ବ୍ୟକ୍ତି ଏହି ଘରଟି କିଣିଥିଲେ ଏବଂ କହିଥିଲେ ଯେ କାନ୍ଥ ନିର୍ମାଣ ସମୟରେ ଏକ ସନ୍ଦେହଜନକ ଧାତୁ ବସ୍ତୁ ମିଳିଥିଲା। ସେ କହିଥିଲେ ଯେ କାନ୍ଥ ତିଆରି କରିବା ପାଇଁ ମାଟି ଖୋଳିବା ସମୟରେ ସେ ଏହି ଜିନିଷ ପାଇଥିଲେ। ଯାହାକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ୟବହୃତ ଏକ ବୋମା ବୋଲି କୁହାଯାଉଛି। ପୋଲିସ ଏହି ବୋମାକୁ ଜବତ କରିଛି ।

ଦୁଇ ଦିନରେ ଭାଇଜାନଙ୍କ ଘରେ ଦୁଇ ଦୁଇ ଥର ପ୍ରବେଶ ଉଦ୍ୟମ ପଣ୍ଡ

ନନ୍ଦିଘୋଷ ବ୍ୟୁରୋ : ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ଲଗାତାର ଧମକ ପରେ ସଲମାନ ଖାନଙ୍କ ସୁରକ୍ଷା କଡ଼ାକଡ଼ି କରାଯାଇଛି। ତାଙ୍କ ଘର ଗାଲାକ୍ସି ଆପାର୍ଟମେଣ୍ଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ରହିଛି, ଏହା ସତ୍ତ୍ୱେ, ୧୯ ଏବଂ ୨୦ ମଇରେ ଦୁଇଜଣ ବ୍ୟକ୍ତି ସଲମାନଙ୍କ ଘରେ ବେଆଇନ ଭାବରେ ପ୍ରବେଶ କରିବାରେ ସଫଳ ହୋଇଥିଲେ। ତଥାପି, ଉଭୟଙ୍କୁ ଆପାର୍ଟମେଣ୍ଟ ତଳେ ଥିବା ସୁରକ୍ଷା କର୍ମୀମାନେ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ।

ସଲମାନଙ୍କ ଘରେ ପଶିବାକୁ ଚେଷ୍ଟା କରିବାର ପ୍ରଥମ ମାମଲା ୧୯ ମଇରେ ଭୋର ପ୍ରାୟ ୩:୩୦ ସମୟରେ ସାମ୍ନାକୁ ଆସିଥିଲା, ଯେତେବେଳେ ଇଶା ଛାବ୍ରା ନାମକ ଜଣେ ୩୨ ବର୍ଷୀୟା ମହିଳା ଗାଲାକ୍ସି ଆପାର୍ଟମେଣ୍ଟରେ ପ୍ରବେଶ କରିଥିଲେ। ସଲମାନଙ୍କ ସୁରକ୍ଷା ଭାଙ୍ଗି, ମହିଳା ଜଣକ ତାଙ୍କ ଆପାର୍ଟମେଣ୍ଟର ଲିଫ୍ଟ ଏରିଆରେ ପହଞ୍ଚିବାରେ ସଫଳ ହୋଇଥିଲେ। ତଥାପି, ଗାଲାକ୍ସି ଆପାର୍ଟମେଣ୍ଟର ସୁରକ୍ଷାକର୍ମୀମାନେ ମହିଳାଙ୍କୁ ଅଟକ ରଖି ବାନ୍ଦ୍ରା ପୋଲିସକୁ ହସ୍ତାନ୍ତର କରିଥିଲେ। ସୁରକ୍ଷା କର୍ମୀଙ୍କ ଅଭିଯୋଗ ଆଧାରରେ, ବାନ୍ଦ୍ରା ପୋଲିସ ମହିଳାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି ଏବଂ ଘଟଣାର ଅଧିକ ତଦନ୍ତ କରୁଛି।

ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟରେ ଅନଧିକୃତ ପ୍ରବେଶର ଦ୍ୱିତୀୟ ମାମଲା ମଇ ୨୦ ତାରିଖରେ ସାମ୍ନାକୁ ଆସିଥିଲା। ସନ୍ଧ୍ୟା ୭:୧୫ ସମୟରେ, ଜିତେନ୍ଦ୍ର କୁମାର ସିଂହ ନାମକ ଜଣେ ବ୍ୟକ୍ତି କାର ପଛରେ ଲୁଚି ଭିତରେ ପ୍ରବେଶ କରି ସଲମାନଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ। କିନ୍ତୁ, ଦୀର୍ଘ ସମୟ ଧରି ଧମକ ମିଳୁଥିବାରୁ, ସଲମାନ ଏବଂ ତାଙ୍କ ଘରର ସୁରକ୍ଷା କଡ଼ାକଡ଼ି ଥିଲା । ତେଣୁ ସୁରକ୍ଷା କର୍ମୀମାନେ ସେଠାରେ ସେହି ବ୍ୟକ୍ତିଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ।

ମଧ୍ୟରାତ୍ରିରେ ସଲମାନଙ୍କ ଘରେ ପ୍ରବେଶ କରିବାକୁ ଚେଷ୍ଟା କରିଥିବା ମହିଳା ଜଣକ ଖାର ପଶ୍ଚିମ ଅଞ୍ଚଳର ବାସିନ୍ଦା। ଏହି ଅଞ୍ଚଳଟି ସଲମାନଙ୍କ ଘର ପାଖରେ ଅବସ୍ଥିତ। ଅନ୍ୟପଟେ ୨୩ ବର୍ଷୀୟ ଜିତେନ୍ଦ୍ର କୁମାର ସିଂହ ଛତିଶଗଡ଼ର ବାସିନ୍ଦା ବୋଲି ଜଣାପଡ଼ିଛି। ପୋଲିସ ଜିତେନ୍ଦ୍ରଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି ଏବଂ ପ୍ରତ୍ୟେକ ଦୃଷ୍ଟିକୋଣରୁ ତଦନ୍ତ କରାଯାଉଛି। ଏପର୍ଯ୍ୟନ୍ତ ତଦନ୍ତରୁ ଜଣାପଡିଛି ଯେ ସେ କେବଳ ସଲମାନଙ୍କୁ ଭେଟିବା ପାଇଁ ଗାଲାକ୍ସି ଆପାର୍ଟମେଣ୍ଟରେ ପ୍ରବେଶ କରିଥିଲେ।

ଗୋଟିଏ ପରିବାର ଥିବା ଗାଁକୁ ମିଳିଛି ରାଜସ୍ଵ ଗାଁ ମାନ୍ୟତା

ଆନନ୍ଦପୁର : ଗୋଟିଏ ପରିବାର ଥିବା ଗାଁକୁ ମିଳିଛି ରାଜସ୍ଵ ଗାଁ ମାନ୍ୟତା । ଆଶ୍ଟର୍ଯ୍ୟ ଲାଗୁଥିଲେ ବି ସତ । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଗେଡ଼ମା ପଞ୍ଚାୟତ ଟଙ୍କାଗଡ଼ିଆ ଗାଁକୁ ରାଜସ୍ଵ ଗ୍ରାମର ମାନ୍ୟତା ମିଳିଛି । ହେଲେ ଗାଁରେ ନାହିଁ ବିଦ୍ୟୁତ, ଶିକ୍ଷା, ରାସ୍ତା, ପାନୀୟ ଜଳ ଭଳି ମୌଳିକ ସୁବିଧା ସୁଯୋଗ । ଫଳରେ ଆଗରୁ ଥିବା ଏକାଧିକ ପରିବାର ଗୋଟିଏ ପରେ ଗୋଟିଏ ଅନ୍ୟତ୍ର ଚାଲିଯାଇଛନ୍ତି । କୃଷ୍ଣ ଦାସଙ୍କ ପରଲୋକ ପରେ ତାଙ୍କ ୪ ପୁଅ ଦୀନବନ୍ଧୁ ଦାସ, ଜଗବନ୍ଧୁ ଦାସ, କୃପାସିନ୍ଧୁ ଦାସ, ସୁକାନ୍ତ ଦାସ ଏହି ଗାଁରେ ରହୁଛନ୍ତି।

୨୫ ବର୍ଷ ତଳେ ଟଙ୍କାଗଡ଼ିଆ ଗାଁରେ ୧୦ରୁ ୧୨ ପରିବାର ବସବାସ କରୁଥିଲେ । ୨୦୦୭-୦୮ରେ ଏହି ଗାଁକୁ ରାଜସ୍ଵ ଗ୍ରାମ ଘୋଷଣା କରାଗଲା । ଗାଁରେ ମୌଳିକ ସମସ୍ୟା ପ୍ରତି କେହି ଦୃଷ୍ଟି ଦେଲେନି । ବାରମ୍ବାର ଏନେଇ ଅଭିଯୋଗ କରିବା ପରେ ୨୦୧୨ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଁକୁ ଆଦର୍ଶ ଗ୍ରାମ ଘୋଷଣା କରାଯାଇଛି । ମୌଳିକ ସୁବିଧା ପାଇଁ କରାଯାଇଥିବା ନଳକୂଅଟି ଅଚଳ । ହାଟଡିହି ବିଡିଓଙ୍କ କହିବା କଥା, ତଦନ୍ତ ପରେ ପଦକ୍ଷେପ ନିଆଯିବ । ପ୍ରଶ୍ନ ଉଠୁଛି, ଯଦି ଗାଁକୁ ରାସ୍ତା ନଥିଲା ତେବେ ରାଜସ୍ଵ ଗ୍ରାମର ମାନ୍ୟତା ମିଳିଥିଲା କିପରି ? ଯେତେବେଳେ ଆଦର୍ଶ ଗାଁର ମାନ୍ୟତା ମିଳିଛି ସେଠି ମୌଳିକ ସୁବିଧା ଉପଲବ୍ଧ ହେଉନାହିଁ କାହିଁକି ?

ଯାତାୟତ ପାଇଁ ବ୍ରିଜ ନାହିଁ, ଭରସା ସାଜିଛି ବାଉଁଶ ପୋଲ

ଘଟଗାଁ  : ଗାଁକୁ ବଜାର ଯା ଆସ ପାଇଁ ବ୍ରିଜ୍ଟିଏ ନାହିଁ । ବାଉଁଶ ଧଡ଼ାକୁ ଭରସା କରିଛନ୍ତି ଲୋକେ । ଆଜି ବି ଜୀବନକୁ ବାଜି ଲଗାଇ ବିପଦସଂକୁଳ ସ୍ଥିତିରେ ଯା ଆସ କରୁଛନ୍ତି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ ବାଘୁଆଖମଣ ସାହିର ୧୮ରୁ ଅଧିକ ପରିବାରର ଲୋକେ । ହେଲେ ନା ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଉଛି ନା ସ୍ଥାନୀୟ ବ୍ଲକ ପ୍ରଶାସନ । କାହା ଆଖିକୁ ବି ଦେଖାଯାଉନି ଲୋକଙ୍କର ଏପରି ଦଶା । ନାଳ ଉପରେ ବ୍ରିଜଟିଏ ନଥିବାରୁ ନିଜସ୍ବ ଉଦ୍ୟମରେ ଲୋକେ ଏପରି ବାଉଁଶ ପୋଲ କରି ଯିବା ଆସିବା କରୁଛନ୍ତି ।

ନାଳ ପାର ହେଲେ ସ୍କୁଲ, ଡାକ୍ତରଖାନା ଓ ନିତିଦିନିଆ ବଜାରକୁ ଯାଇ ହେବ । ହେଲେ ବର୍ଷା ଦିନ ଆସିଲେ ଅବସ୍ଥା ଆହୁରି ସାଂଘାତିକ ହୁଏ । ବାଉଁଶ ପୋଲରେ ତ ଯା ଆସ କରିହୁଏନି । ୧୫ କିଲୋମିଟର ବୁଲି ପଞ୍ଚାୟତ ଓ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଯିବାକୁ ପଡେ଼ । ସମସ୍ୟା ସଂପର୍କରେ ଗ୍ରାମବାସୀ ଅନେକ ଥର ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି ହେଲେ ଗରିବଙ୍କ କଥା ଶୁଣୁଛି କିଏ ? ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଲୋକେ ଏପରି ଦୁର୍ଦ୍ଦଶାରେ ଅଛନ୍ତି । ସ୍ଥାୟୀ ପୋଲଟିଏ ପାଇଁ ଦୀର୍ଘ ଦିନରୁ ଦାବି ହେଉଛି । କିନ୍ତୁ ପ୍ରଶାସନ ଏକ ପ୍ରକାର ସ୍ଥାଣୁ । ସେପଟେ ଏ ନେଇ ବ୍ଲକ୍ ବିଡିଓ ମୁହଁ ଖୋଲିବାକୁ ନାରାଜ ।