spot_img
Home Blog Page 74

ବଢୁଛି ଶୀତ, ଥଣ୍ଡାରେ କଲବଲ ହେଲାଣି ଓଡ଼ିଶା

ଭୁବନେଶ୍ବର : ବଢୁଛି ଶୀତ । ଥଣ୍ଡାରେ କଲବଲ ହେଲାଣି ଓଡ଼ିଶା । ଭୁବନେଶ୍ବରରେ ରେକର୍ଡ ହେଲା ୨୫ବର୍ଷର ସବୁଠାରୁ ଥଣ୍ଡା ରାତି । ଗତ ୨୪ ଘଣ୍ଟାରେ ରାଜଧାନୀରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୨.୯ ଡିଗ୍ରୀ ରେକର୍ଡ ହୋଇଛି ।  ୨୦୦୦ ମସିହାରୁ ଏପର୍ଯ୍ୟନ୍ତ ଏତେ କମ ତାପମାତ୍ରା କେବେ ବି ରେକର୍ଡ ହୋଇନଥିବା ବେଳେ ଗତ ୨୪ ଘଣ୍ଟାରେ ସବୁଠାରୁ ଥଣ୍ଡା ରାତି ବୋଲି କହିଛି ପାଣିପାଗ ବିଭାଗ । ସେପଟେ ରାଜ୍ୟର ଅନ୍ୟ ସ୍ଥାନ ମାନଙ୍କରେ ବି ତାପମାତ୍ରା ଖସିଛି I ଗତ ୨୪ ଘଣ୍ଟାରେ ଝାରସୁଗୁଡା ୯.୮ ଡିଗ୍ରୀ, ରାଉରକେଲା ୧୦ ଡିଗ୍ରୀ,  କେନ୍ଦୁଝର ୧୧ ଡିଗ୍ରୀ, ସମ୍ବଲପୁର ୧୩.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିଭଳି ଚାନ୍ଦବାଲି ଓ ହୀରାକୁଦ ୧୫ ଡିଗ୍ରୀ, ପାରାଦୀପ ୧୫.୨, ଗୋପାଳପୁର ୧୫.୬, ବାଲେଶ୍ୱର ୧୫.୭ ଓ ପୁରୀ ୧୭.୫ ଡିଗ୍ରୀ ରେକର୍ଡ ହୋଇଛି।

ବିହାରର ପରବର୍ତ୍ତୀ ସିଏମ କିଏ ?

ନନ୍ଦିଘୋଷ ବ୍ୟୁରୋ : କିଏ ହେବ ବିହାର ମୁଖ୍ୟମନ୍ତ୍ରୀ ? ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ଏନଡିଏ ଚିତ୍ର । ଗତ ଥର ଅପେକ୍ଷା ଦୁଇ ଗୁଣା ସିଟ୍ ପାଇଥିଲେ ବି ନୀତୀଶ କୁମାର ହାତରୁ ଖସିଯିବନି ତ ମୁଖ୍ୟମନ୍ତ୍ରୀ ପଦବୀ ? ଏପରି ପ୍ରଶ୍ନ ଉଠିବାର କାରଣ ହେଲା ଆସନ୍ତା ୨୦ ତାରିଖ ଗୁରୁବାର ନୂଆ ସରକାର ଗଠନ ହେବାକୁ ଯାଉଥିବା କୁହାଯାଉଛି। କିନ୍ତୁ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ, ତାହା ଏନଡିଏ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇନି। ବିଜେପି ପକ୍ଷରୁ ଖୋଲାଖୋଲି ଭାବେ ନୀତୀଶ କୁମାରଙ୍କୁ କୌଣସି ବରିଷ୍ଠ ନେତା ଅଭିନନ୍ଦନ ଜଣାଇ ନାହାନ୍ତି। ସାମ୍ଵିଧାନିକ ନିୟମରର ଆଳ ଦେଖାଇ ବିଜେପି କହୁଛି, ଏନଡିଏର ନବ ନିର୍ବାଚିତ ବିଧାୟକଙ୍କ ବୈଠକରେ ବିଧାୟକ ଦଳର ନେତା ନିର୍ବାଚିତ କରାଯିବ। ଯାହାକୁ ନିର୍ବାଚିତ କରାଯିବ, ସିଏ ହେବ ମୁଖ୍ୟମନ୍ତ୍ରୀ। ବିଜେପି ବିଜେପି ଓ ଜେଡିୟୁ ଏଥର ୧୦୧ ଲେଖାଏଁ ସିଟରେ ଲଢ଼ିଥିଲେ ମଧ୍ୟ ବିଜେପି ୮୯ଟି ଆସନରେ ଜିତିଛି। ଜେଡିୟୁ ଜିତିଛି ୮୫ ଆସନରେ। ଅର୍ଥାତ ବିଜେପି ଅଧିକ ଆସନ ପାଇଛି। ଚର୍ଚ୍ଚା ହେଉଛି, ଅଧିକ ସିଟ୍ ଜିତିଥିବାରୁ ବିଜେପି ନିଜର ମୁଖ୍ୟମନ୍ତ୍ରୀ କରିବନି ତ ବିହାରରେ। ଏପର୍ଯ୍ୟନ୍ତ ଜୁନିଅର ପାର୍ଟନର ହୋଇ ରହୁଥିଲା ବିଜେପି। କିନ୍ତୁ ସମାନ ସମାନ ଆସନରେ ଲଢ଼ି ବିଜେପି ପ୍ରଥମେ ଜେଡିୟୁର ବଡ଼ ଭାଇ ପାହ୍ୟାକୁ ଧ୍ଵଂସ କରିଥିଲା। ପୁଣି ଅଧିକ ସିଟ୍ ଜିତିଛି। ତେଣୁ ଚର୍ଚ୍ଚା ହେଉଛି ନୀତିଶ କୁମାରଙ୍କ ବଦଳରେ ବିଜେପି ବିହାରରେ ନିଜର ମୁଖ୍ୟମନ୍ତ୍ରୀ କରିପାରେ।

ପୋଖରୀରେ ବୁଡ଼ି ଚାଲିଗଲା ଦୁଇ ଶିଶୁପୁତ୍ରଙ୍କ ଜୀବନ

ଭଦ୍ରକ : ପୋଖରୀରେ ବୁଡ଼ି ଚାଲିଗଲା ଗୋଟିଏ ପରିବାରର ଦୁଇ ଶିଶୁପୁତ୍ରଙ୍କ ଜୀବନ । ଦୁଇ ବର୍ଷର ପିଉସୀ ପୁଅ ଓ ୪ ବର୍ଷର ମାମୁ ପୁଅ ସାଙ୍ଗ ହୋଇ ଖେଳୁଥିବା ବେଳେ ଅସାବଧାନତା ଯୋଗୁଁ ପୋଖରୀରେ ବୁଡି ଯାଇଥିଲେ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ଥାନା ସାହାପୁର ପଂଚାୟତର ସିନିପୁର ଗ୍ରାମରେ । ଗ୍ରାମରେ ଲକ୍ଷ୍ମୀ ପୂଜା ପାଇଁ ବନ୍ଧୁବାନ୍ଧବଙ୍କ ସହ ସମସ୍ତେ ବ୍ୟସ୍ତ ଥିଲେ । ବୁଲୁ ବାରିକଙ୍କ ଦୁଇ ବର୍ଷର ପୁଅ ଅନନ୍ତଦେବ ଏବଂ କହ୍ନେଇ ବିନ୍ଧା ନିବାସୀ ବୁଲୁଙ୍କ ଭଉଣୀ ଜୟନ୍ତ ସାହୁଙ୍କ ୪ ବର୍ଷର ପୁଅ ହିମାଂଶୁ ସାହୁ ଖେଳୁ ଖେଳୁ ପୋଖରୀ ପାଖକୁ ପଳାଇଥିଲେ । ପୋଖରୀରେ ଭାସୁଥିବା ଦେଖିବାକୁ ପରିବାର ଲୋକଙ୍କ ଖବର ଦେଇଥିଲେ ଲୋକେ । ପ୍ରଥମେ ତିହିଡି ମେଡିକାଲ ପରେ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲେ ସୁଦ୍ଧା ଉଭୟଙ୍କ ମୃତ୍ୟୁ ହୋଇଛି ।

ଭୁବନେଶ୍ଵର ଏମ୍ସ ICUରେ ଚିକିତ୍ସାଧୀନ ଅବସ୍ଥାରେ ହ୍ୟୁମାନ ସାଗରଙ୍କ ପରଲୋକ

ଭୁବନେଶ୍ବର : କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ। ଭୁବନେଶ୍ଵର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ଏକାଧିକ ରୋଗରେ ପୀଡ଼ିତ ଥିଲେ ହ୍ୟୁମାନ ସାଗର। ତାଙ୍କର ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟ ଅଚଳ ହୋଇଯାଇଥିଲା। ଶ୍ବାସକ୍ରିୟା ସମସ୍ୟା ଯୋଗୁଁ ଭେଣ୍ଟିଲେଟରରେ ରଖାଯାଇଥିଲା। ଗତ ୧୪ ତାରିଖରେ ତାଙ୍କୁ ଏମ୍ସରେ ଭର୍ତ୍ତି ହୋଇଥିଲେ ହ୍ୟୁମାନ ସାଗର। ଆଜି ଟିଟିଲାଗଡ଼ର ଜନ୍ମମାଟିରେ ହେବ ଶେଷକୃତ୍ୟ। ମଲଟି ଅର୍ଗାନ୍ ଡିଫଙ୍କନ ସିଣ୍ଡ୍ରୋମ୍ ସହିତ ଗୁରୁତର ଲିଭର ସମସ୍ୟା, ନିମୋନିଆ ଓ ହୃଦରୋଗରେ ପୀଡ଼ିତ ଥିଲେ। ଇସ୍କ ତୁହି ତୁରେ ସିନେମାରେ ପ୍ରଥମ ଗୀତ ଗାଇଥିଲେ। ହ୍ୟୁମାନଙ୍କ ବିୟୋଗ ଓଡ଼ିଆ ସଙ୍ଗୀତ ପାଇଁ ଏକ ଅପୂରଣୀୟ କ୍ଷତି ସୃଷ୍ଟି କରିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ହ୍ୟୁମାନଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି। ହ୍ୟୁମାନ୍ ସାଗରଙ୍କ ସ୍ୱାସ୍ଥ୍ୟବସ୍ଥା ଗତ ନଭେମ୍ବର ୧୪ ତାରିଖରୁ ଗୁରୁତର ହେବାରେ ଲାଗିଥିଲା । ତାଙ୍କ ଲିଭର ସମ୍ବନ୍ଧୀୟ ସମସ୍ୟା ଯୋଗୁଁ ଫୁସଫୁସ, କିଡନି, ଲିଭର ଏବଂ ବ୍ରେନ୍ ଭଳି ଏକାଧିକ ଅଙ୍ଗ ପ୍ରଭାବିତ ହୋଇଥିଲା । ଡାକ୍ତରୀ ଟିମର ସୂଚନା ଅନୁସାରେ, ହ୍ୟୁମାନ ସାଗର ମଲ୍ଟି ଅର୍ଗାନ୍ ଡିସଫଙ୍କସନ୍ ସିଣ୍ଡ୍ରୋମରେ ଆକ୍ରାନ୍ତ ଥିଲେ । ଏଥିସହ ଆକ୍ୟୁଟ୍ ଅନ୍-କ୍ରୋନିକ୍ ଲିଭର ଫେଲ୍ୟୁଓର, ଡିଲେଟେଡ୍ କାର୍ଡିଓମାୟୋପ୍ୟାଥି, ନିମୋନିଆ ଓ ରକ୍ତ ସଂକ୍ରମଣ ଭଳି ସମସ୍ୟାରେ ପୀଡ଼ିତ ଥିଲେ । ହ୍ୟୁମାନ୍ ସାଗର ୧୯୯୦ ନଭେମ୍ବର ୨୫ ତାରିଖରେ ବଲାଙ୍ଗୀର ଟିଟିଲାଗଡ଼଼ଠାରେ ଜନ୍ମଗ୍ରହଣ କରିଥିଲେ। ସଙ୍ଗୀତ ସହ ଜଡ଼ିତ ପରିବାରରୁ ଆସିଥିବା ହ୍ୟୁମାନ ମାତ୍ର ୮ ବର୍ଷ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ । ତାଙ୍କ ପିତା ଓ ମାତା ଉଭୟ ମଧ୍ୟ ଗାୟକ ଥିଲେ । ଆରମ୍ଭରୁ ଏମବିବିଏସ୍ ପଢ଼ିବାର ଲକ୍ଷ୍ୟ ଥିଲେ ମଧ୍ୟ ପରେ ସେ ସଂପୂର୍ଣ୍ଣ ଭାବେ ସଙ୍ଗୀତକୁ ସମର୍ପିତ ହୋଇଥିଲେ । ୨୦୧୨ ମସିହାରେ ଭଏସ୍ ଅଫ୍ ଓଡ଼ିଶା ସିଜନ୍ ୨ରେ ପ୍ରଥମ ସ୍ଥାନ ହାସଲ କରି ସେ ଓଲିଉଡରେ ପ୍ରବେଶ କରିଥିଲେ । ୨୦୧୫ରେ ଇସ୍କ ତୁ ହିଁ ତୁ ଫିଲ୍ମରେ ପ୍ରଥମ ଥର ପାଇଁ ପ୍ଲେବ୍ୟାକ୍ ଗୀତ ଗାଇ ସେ ଖ୍ୟାତି ଲାଭ କରିଥିଲେ । ତାଙ୍କ ସୁମଧୁର କଣ୍ଠସ୍ୱର ତାଙ୍କୁ ଯୁବ ପିଢ଼ିର ଅତି ପ୍ରିୟ ଗାୟକ କରି ଦେଇଥିଲା । ଶତାଧିକ ଆଲବମ୍, ଫିଲ୍ମ ଏବଂ ମେଲୋଡିୟସ୍ ଗୀତ ଗାଇଥିଲେ ହ୍ୟୁମାନ। ତାଙ୍କ ଅକାଳ ବିୟୋଗ ସଙ୍ଗୀତ ଜଗତରେ ସୃଷ୍ଟି କରିଛି ଅପୂରଣୀୟ କ୍ଷତି।

କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ

ଭୁବନେଶ୍ବର : ଭୁବନେଶ୍ବର ଏମସରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ବିଶିଷ୍ଟ କଣ୍ଠଶିଳ୍ବୀ ହ୍ଯୁମାନ ସାଗର। ମୃତ୍ଯୁବେଳକୁ ତାଙ୍କୁ ୩୬ ବର୍ଷ ବୟସ ହୋଇଥିଲା। ଏନେଇ ଏମସ ପକ୍ଷରୁ ଜାରି ହୋଇଥିବା ବୁଲେଟିନରେ ଦର୍ଶାଯାଇଛି କି ସ୍ବର୍ଗତଃ ହ୍ଯୁମାନ ସାଗର ଏକାଧିକ ରୋଗରେ ପୀଡ଼ିତ ହୋଇ ସେ ଗତ ୧୪ ତାରିଖରେ ଏମସରେ ଭର୍ତ୍ତି ହୋଇଥିଲେ। ଏମସରେ ଡାକ୍ତରମାନେ ତାଙ୍କୁ ପରୀକ୍ଷା କଲା ପରେ ଜଣାପଡ଼ିଥିଲା ସେ ବାଇଲାଟେରାଲ ନିମୋନିଆରେ ପୀଡ଼ିତ। ଏହାସହିତ ସେ ଭୀଷଣ ଲିଭର ରୋଗରେ ପୀଡ଼ିତ ଥିଲେ। ଏହାସହିତ ତାଙ୍କର କାର୍ଡଆକ ସିଷ୍ଟମ ମଧ୍ଯ ଠିକ ଭାବେ କାମ କରୁନଥିଲା। ମଲଟି ଅରଗାନ ଡିସଫଙ୍କସନ ସହ ଶ୍ବାସ ପ୍ରଶ୍ବାସ ଜନିତ ଗଭୀର ସମସ୍ଯା ରହିଥିଲା। ଖାଲିସେତିକି ନୁହେଁ ତାଙ୍କର ଦୁଇଟିଯାକ କିଡନି ବି ଠିକ ଭାବେ କାମ କରୁନଥିଲା। ଏକାଧିକ ଏମସ ବିଶେଷଜ୍ଞ ତାଙ୍କୁ ସୁସ୍ଥ କରିବାକୁ ଶତ ଚେଷ୍ଟା କରିଥିଲେ। କିନ୍ତୁ ଆଜି ରାତି ୯ଟା ୮ ମିନିଟରେ ତାଙ୍କର ପରଲୋକ ଘଟିଛି। ଏମସର ବିଶିଷ୍ଟ ଡାକ୍ତର ତଥା ଇଣ୍ଟେନସିଭିଷ୍ଟ ଓ ଇସିଏମଓ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ ବେହେରାଙ୍କ ନେତୃତ୍ବରେ ଏକ ବିଶେଷଜ୍ଞ ଟିମ ତାଙ୍କର ଚିକିତ୍ସା କରୁଥିଲେ।

ସରକାରୀ ଯୋଜନା ପହଞ୍ଚାଇବାକୁ ତିନୋଟି ପାହାଡ ଚଢିଲେ ବିଡ଼ିଓ

ନବରଙ୍ଗପୁର : ହିତାଧିକାରୀଙ୍କ ନିକଟରେ ସରକାରୀ ଯୋଜନା ପହଞ୍ଚାଇବାକୁ ତିନୋଟି ପାହାଡ ଚଢିଲେ ବିଡ଼ିଓ । ଏଭଳି ନିଆରା କାର୍ଯ୍ୟ ପାଇଁ ଆଜି ଚର୍ଚ୍ଚାରେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁ । ସରକାର ନୂତନ ଯୋଜନା ପ୍ରଣୟନ କରନ୍ତି । କିନ୍ତୁ ସେହି ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇ ତାର ସଫଳ ରୂପାୟନ କରିବାରେ ସରକାରୀ ଅଧିକାରୀଙ୍କ ମୁଖ୍ୟ ଭୂମିକା ରହିଥାଏ । ଏହି ଦାୟିତ୍ବକୁ ସୂଚାରୁରୂପେ ତୁଳାଇଛନ୍ତି ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁ । ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଝାଡ଼ବନ୍ଦଗୁଡା ପଞ୍ଚାୟତର ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ଫୁଟଘର ଗାଁରେ ୭ଟି ପରିବାର ବସବାସ କରନ୍ତି । ଏଠାକାର ବାସିନ୍ଦାଙ୍କୁ ତିନୋଟି ପାହାଡ଼ ଚଢି ଗାଁରେ ପହଞ୍ଚିବାକୁ ହୋଇଥାଏ । ତେବ ବିଡ଼ିଓ କ୍ଷୀରୋଦ ଚନ୍ଦ୍ର କାର୍ଯ୍ୟଭାର ଗ୍ରହଣ କରିବାର ଅଳ୍ପ ଦିନ ପରେ ହିଁ ଫୁଟଘର ଗାଁରେ ପହଞ୍ଚିଥିଲେ । ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇ ପାଳନ କରିଥିଲେ । ତେବେ ଆଉ କିଛି ସମସ୍ୟା ରହିଛି କି ନାହିଁ ତାହା ଜାଣିବା ପାଇଁ ବ୍ଲକର ସମସ୍ତ ବିଭାଗର ଅଧିକାରୀଙ୍କୁ ନେଇ ଫୁଟଘର ଗାଁରେ ପହଞ୍ଚିଥିଲେ । ବିଡ଼ିଓଙ୍କ ଏଭଳି ନିସ୍ବାର୍ଥପର ମନୋଭାବକୁ ସବୁଠି ପ୍ରଶାଂସା କରାଯାଇଛି ।

ଆନ୍ଧ୍ରପ୍ରଦେଶ ସୀମାନ୍ତ ହେଉକି ଛତିଶଗଡ଼ର ସୀମା, ସବୁଠି ଓଡିଶା ଉପରେ ଚାଲିଛି ଜୁଲମ

ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶ ବାରମ୍ବାର କୋଟିଆ ଅଂଚଳରେ ଅନୁପ୍ରବେଶ କରି ସେଠାକାର ଲୋକଙ୍କୁ ନିଜ ପକ୍ଷକୁ ନେବାକୁ ଉଦ୍ୟମ କରୁଛି। ପୂର୍ବରୁ ଅନେକ ଥର କୋଟିଆରେ ଆଧିପତ୍ୟ ବିସ୍ତାର ପାଇଁ ଆନ୍ଧ୍ର ବିଭିନ୍ନ କାର୍ଯ୍ୟ  କରିଥିବାବେଳେ କିଛିଦିନ ତଳେ କୋଟିଆରେ ଆଦିବାସୀ ମେଳା ଓ ସ୍ୱାସ୍ଥ୍ୟ ଶିବିର କରିଛି।ପୂର୍ବ ସରକାର ସମୟରେ ଉଚ୍ଚସ୍ତରୀୟ କମିଟି ଗଠନ ସହ ମୁଖ୍ୟସଚିବ ସ୍ତରରେ ଏହାର ଶାନ୍ତିପୂର୍ଣ ସମାଧାନ ପାଇଁ ଉଦ୍ୟମ ହୋଇଥିଲା।କିନ୍ତୁ ବର୍ତ୍ତମାନ ସରକାର କୋଟିଆରେ ସ୍ୱାଧୀନତା ଦିବସ ପାଳନ କରିବା ସହ ସ୍ୱତନ୍ତ୍ର ଧ୍ୟାନ ଦେବାକୁ କହିଛନ୍ତି। କିନ୍ତୁ ଏ ସବୁ ସତ୍ତ୍ୱେ ମଧ୍ୟ ଆନ୍ଧ୍ର ନିଜ ଇଚ୍ଛାରେ କାମ ଜାରି ରଖିଛି। ତେଣୁ ଏହା ଉପରେ ଏକ ଉଚ୍ଚସ୍ତରୀୟ ଆଲୋଚନା ହେବା ସହ କେନ୍ଦ୍ର ସରକାର ଏଥିପ୍ରତି ଗୁରୁତ୍ୱ ଦେଇ ଆନ୍ଧ୍ର ଓଡିଶା ସୀମା ବିବାଦ ଉପରେ ହସ୍ତକ୍ଷେପ କରିବା ପାଇଁ ଦାବି କରିଛି ଓଡ଼ିଆ ଅସ୍ମିତା ପରିଷଦ। ରାଜ୍ୟର ଅନେକ ସୀମାନ୍ତ ଅଂଚଳ ଭାଷା ସଂକଟରେ ଥିବା ଅଭିଯୋଗ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ। ରାଜ୍ୟର ସ୍ୱାର୍ଥକୁ ବଳି ଦେଇ କେବଳ ନିଜ ରାଜନୈତିକ ସ୍ୱାର୍ଥ ପାଇଁ ଶାସକ ଦଳ କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି।

ସେପଟେ ରାଜ୍ୟରେ ସୃଷ୍ଟି ହୋଇଥିବା ଏଭଳି ସ୍ଥିତି ନେଇ ବାମପନ୍ଥୀ ଦଳ ନୂଆପଡା ଉପନିର୍ବାଚନ କଥା ଉଠାଇଛି। ନୂଆପଡାରେ ଶାସକ ଦଳ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଓ ନେତାଙ୍କୁ ନେଇ ପ୍ରଚାର କଲା। କିନ୍ତୁ ଛତିଶଗଡ଼ ଯେଭଳି ଓଡିଶା ପ୍ରତି ଅନ୍ୟାୟ କରୁଛି ସେ କଥା ପ୍ରଭାବୀ ଢଙ୍ଗରେ ଏ ଯାଏ ଉପସ୍ଥାପିତ ହେଲା ନାହିଁ। ଏପରିକି ନୂଆପଡାର ବିଭିନ୍ନ ଅଞ୍ଚଳରେ ଓଡ଼ିଆ ଖବରକାଗଜ ଓ ପତ୍ରପତ୍ରିକା ନ ମିଳିବା ଓ ଓଡ଼ିଆ ଭାଷା ଅବହେଳିତ ହେଉଥିବା ଅଭିଯୋଗ ହୋଇଛି।ସେପଟେ ଶାସକ ଦଳର କହିବା କଥା ଲୋକଙ୍କ ଆଗ୍ରହ ଅନୁସାରେ ସେମାନେ ଭାଷା ବ୍ୟବହାର କରିବେ ଓ ଚଳଣି ଆପଣାଇବେ। ତେଣୁ ଏସବୁକୁ ପ୍ରସଙ୍ଗ କରିବା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ଶାସକ ଦଳ ବିଧାୟକ । ଆନ୍ଧ୍ର, ଛତିଶଗଡ଼ ହେଉ କିମ୍ବା ପଶ୍ଚିମବଙ୍ଗ ସବୁବେଳେ ଓଡ଼ିଶାର ଜମି, ଜଳ ଓ ଜଙ୍ଗଲ ଉପରେ ନିଜର ଅଧିକାର ସାବ୍ୟସ୍ତ କରୁଛନ୍ତି। କିନ୍ତୁ ଓଡ଼ିଆ ଅସ୍ମିତାର କଥା କହୁଥିବା ବିଜେପି ସରକାର ମାଟିର ସୁରକ୍ଷା ପାଇଁ ଧ୍ୟାନ ଦେଉ ନଥିବା ଅଭିଯୋଗ ହୋଇଛି।

ଯୌନ ନିର୍ଯାତନା ରୋକିବାକୁ ଆଇନ ଅଛି, ଉଚ୍ଚଶିକ୍ଷାନୁଷ୍ଠାନରେ ହେଉନି କଡ଼ାକଡ଼ି

ଭୁବନେଶ୍ବର : କେଉଁଠି ଅଧ୍ୟାପକ ଫେଭର ମାଗିବାରୁ ଛାତ୍ରୀ ଆତ୍ମାହୁତି ଦେଲଣି ତ କେଉଁଠି କଲେଜରେ ସହପାଠୀର ଯୌନ ନିର୍ଯାତନାରେ ଅତିଷ୍ଠ ହୋଇ ରଶି ଲଗାଇ ଝୁଲି ପଡ଼ୁଛି ଛାତ୍ରୀ । ଏପରି ସମ୍ବେଦନଶୀଳ ଘଟଣା ବଢୁଥିବାରୁ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି । କଲେଜରେ ଇଣ୍ଟରନାଲ କମ୍ପଲେଣ୍ଟ କମିଟି ତ ଅଛି । ହେଲେ ଏହା ଠିକ୍ ଭାବେ କାର୍ଯ୍ୟକାରୀ ନ ହେଉଥିବାରୁ ଯୌନ ନିର୍ଯାତନା ଅଭିଯୋଗ ବଢୁଥିବା ନେଇ ଚର୍ଚ୍ଚା ହେଲାଣି । ଏନେଇ ଏବେଠୁ ଆରମ୍ଭ ହେବ କ୍ୟାମ୍ପସ କଲିଂ। ଉଚ୍ଚଶିକ୍ଷାନୁଷ୍ଠାନରେ ମହିଳାଙ୍କ ପ୍ରତି ବଢ଼ୁଥିବା ଯୌନ ନିର୍ଯାତନା ନେଇ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଚିନ୍ତାପ୍ରକଟ କରିଛନ୍ତି । ଦେଶର ସମସ୍ତ ଶିକ୍ଷାନୁଷ୍ଠାନରେ ମହିଳାଙ୍କ ପ୍ରତି ଯୌନ ନିର୍ଯାତନା (ନିବାରଣ, ନିଷେଧ ଓ ପ୍ରତିକାର) ଆଇନ, ୨୦୧୩(ପୋସ୍ ଆଇନ) ର ପ୍ରଭାବଶାଳୀ କାର୍ଯ୍ୟକାରିତା କରିବାକୁ ୟୁଜିସି ନିର୍ଦ୍ଦେଶ ଦେଇଛି। ଏଥିସହ ଜାତୀୟ ମହିଳା ଆୟୋଗ ଓ ଯୁବମନ୍ଥନ ସହାୟତାରେ କ୍ୟାମ୍ପସ କଲିଂ ଅଭିଯାନ କରିବାକୁ ନିଷ୍ପତ୍ତି ନିଆଯାଇଛି । କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷାନୁଷ୍ଠାନରେ ମହିଳା ସଶକ୍ତିକରଣ, ଲିଙ୍ଗଗତ ସଚେତନତା ଓ ପୋସ୍ ୨୦୧୩ ସମ୍ପର୍କରେ ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କୁ ତାଲିମ ତଥା ସଚେତନ କରାଯିବା ପ୍ରତି ଉଚ୍ଚଶିକ୍ଷାନୁଷ୍ଠାନରେ ୪ ଜଣ କ୍ୟାମ୍ପସ ଦୂତ ବି ମନୋନୀତ ହେବେ । ଏହାକୁ ପାଳନ କରିବାକୁ ୟୁଜିସି ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକୁ ଚିଠି କରିଛି । ହେଲେ ଆଇନ ଥିବା ସତ୍ତ୍ବେ ଯୌନ ନିର୍ଯାତନା ରୋକିବାକୁ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରାଯାଉଥିବାରୁ ପ୍ରଶାସନିକ ଅପାରଗତାକୁ ଶିକ୍ଷାବିତ ଟାର୍ଗେଟ କରିଛନ୍ତି ।

ସେପଟେ ମହିଳା କଲେଜରେ ଛାତ୍ରୀ ନିଜକୁ ଅଧିକ ସୁରକ୍ଷିତ ମନୁଛନ୍ତି । ହେଲେ କ୍ୟାମ୍ପସ ବାହାରେ ସେମାନେ ଅଶ୍ଳୀଳ ଇଙ୍ଗିତର ଶୀକାର ହେଉଥିବା ଅଭିଯୋଗ ହୋଇଛି । ତେବେ କୋ-ଏଡ୍ କଲେଜ ଗୁଡ଼ିକରେ ନିୟମ କଡ଼ାକଡ଼ି ପାଳନ କରିବାର ଆବଶ୍ୟକତା ରହିଛି । କିଛି ମାସ ତଳେ ବିଜୁ ଜନତା ଦଳ ପକ୍ଷରୁ ଛାତ୍ରୀ ସୁରକ୍ଷା ପାଇଁ ଏସପି ଓ ଡିଜିପିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ସମସ୍ତ କଲେଜ, ବିଶ୍ବବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନରେ ଆଇସିସି ଗଠନ ବାଧ୍ୟତାମୂଳକ । ଆଇସିସି ସଦସ୍ୟଙ୍କ ଫୋନ୍ ନମ୍ବର ଆଦି ତଥ୍ୟ ଶିକ୍ଷାନୁଷ୍ଠାନ ଓ୍ବେବସାଇଟରେ ରହିବ  | ଏସବୁ କ୍ୟାମ୍ପସର ପ୍ରମୁଖ ସ୍ଥାନରେ ଲଗାଯିବ ।  କୋଠା ନିକଟରେ ଅଭିଯୋଗ ବାକ୍ସ ରହିବ । ଏତେ ସବୁ ନିୟମ ସତ୍ତ୍ବେ, ଅନେକ ଉଚ୍ଚଶିକ୍ଷାନୁଷ୍ଠାନରେ ଯୌନ ନିର୍ଯାତନା ପ୍ରମୁଖ ମୁଦ୍ଦା ପାଲଟିଥିବାରୁ, ଚିନ୍ତା ବଢିବାରେ ଲାଗୁଛି ।

ଖୁବଶୀଘ୍ର ଆସିବ ରାଜ୍ୟ ସମବାୟ ନୀତି, ଭିତ୍ତିଭୂମି ସହ ଟେକ୍ନୋଲୋଜି ଓ ଟ୍ରାନ୍ସପରେନ୍ସିକୁ ଗୁରୁତ୍ବ

ଭୁବନେଶ୍ବର : ନଭେମ୍ବର ୨୫ରୁ ବରଗଡ଼ ଜିଲ୍ଲାରୁ ଆରମ୍ଭ ହେବ ଖରିଫ ଋତୁ ପାଇଁ ଧାନ କିଣା। ଧାନକିଣା ପାଇଁ ପଞ୍ଜୀକରଣରୁ ବଞ୍ଚିତ ଚାଷୀଙ୍କ ପାଇଁ ଚିନ୍ତା କରୁଛନ୍ତି ସରକାର। ଏଥର ସମସ୍ତ ସୁବିଧା ସହିତ ୩୨ଟି ମଡେଲ ମଣ୍ଡିରେ ଧାନ କିଣାଯିବ। କେନ୍ଦ୍ରୀୟ ଢାଞ୍ଚାରେ ରାଜ୍ୟ ସରକାର ଆଣିବେ ସ୍ବତନ୍ତ୍ର ସମବାୟ ନୀତି। ଏହା ପୂର୍ବରୁ ରାଜ୍ୟବ୍ୟାପୀ ମତାମତ ସଂଗ୍ରହ ପରେ ଭୁବନେଶ୍ବରରେ ଅନୁଷ୍ଠିତ ହୋଇଛି କର୍ମଶାଳା। ଖୁବଶୀଘ୍ର ଏହାକୁ କ୍ୟାବିନେଟରେ ଅନୁମୋଦନ କରାଯିବ। ଉନ୍ନତ ଭିତ୍ତିଭୂମି, ଟେକ୍ନୋଲୋଜିର ବ୍ୟବହାର, ସମସ୍ତ ପ୍ୟାକ୍ସ ଓ ଲ୍ୟାମ୍ପସକୁ ଏକତ୍ରୀକରଣ ଜରିଆରେ ଉନ୍ନତ ସମବାୟ ସେବା ପହଞ୍ଚାଇବା ନୂଆ ନୀତିର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ।

ନୂଆ କରି ଆସିବାକୁ ଥିବା ସମବାୟ ନୀତିରେ ସ୍ବଚ୍ଛତାକୁ ଅଧିକ ଗୁରୁତ୍ବ ଦିଆଯାଉଛି। ଚାଷୀଙ୍କ ଋଣ ସହ ଆଧାର ଲିଙ୍କ, ସବୁ ସମବାୟ ସମିତିର ନିଜସ୍ବ ଗୃହ, ସିସିଟିଭି କ୍ୟାମେରା ଲାଗାଇବାକୁ ନୂଆ ନୀତିରେ ବ୍ୟବସ୍ଥା ହୋଇଛି। ହେଲେ ସମସ୍ତ ସମବାୟ ବିଭାଗ କର୍ମଚାରୀଙ୍କୁ ସରକାର ଦରମା ଦେବାକୁ ଦାବି କରିଛି ସମବାୟ ଫେଡେରେସନ। ସମବାୟ କର୍ମଚାରୀଙ୍କୁ କ୍ୟାଡରଭୁକ୍ତ କରି ସେମାନଙ୍କ କାର୍ଯ୍ୟଧାରାକୁ ସରକାର ଅନୁଧ୍ୟାନ କରିବାକୁ ଦାବି ହୋଇଛି। ଏବେ ଖରିଫ ଧାନ କିଣା ଗୁରୁତ୍ବପୂର୍ଣ୍ଣ ଥିବାରୁ ମଣ୍ଡିରେ କିପରି ଚାଷୀଙ୍କ ପାଇଁ ସମସ୍ତ ସୁବିଧା ଉପଲବ୍ଧ ହେବ, ତା ଉପରେ ଗୁରୁତ୍ବ ଦିଆଯାଉଛି ବୋଲି କହିଛନ୍ତି ବିଭାଗୀୟ ସଚିବ। ୨୦୨୧ରେ କେନ୍ଦ୍ର ସରକାର ସମବାୟକୁ ସ୍ବତନ୍ତ୍ର ମନ୍ତ୍ରାଳୟର ମାନ୍ୟତା ଦେଇଛନ୍ତି। ଗାଁ ଗାଁରେ ସମବାୟ ଜରିଆରେ ଉଦ୍ୟୋଗୀ ସୃଷ୍ଟି କରିବା, ସେମାନଙ୍କ ପାଇଁ ମାର୍କେଟ ସ୍ଥିର କରିବା ସହ ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ଼ କରିବାକୁ ରୋଜଗାର ବଢ଼ାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଆଣୁଛନ୍ତି ସ୍ବତନ୍ତ୍ର ନୀତି।

ଭୋଟ ଚୋରି ନୁହେଁ ଲୁଟ କରୁଛି ବିଜେପି : କଂଗ୍ରେସ

ଭୁବନେଶ୍ବର : ବିଜେପି ସଭାରେ ଲୋକ ହେଉନଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଭାରେ ଲୋକ ହେଲେ ନାହିଁ । ବହୁତ ଖାଦ୍ୟ ନଷ୍ଟ ହେଲା । ସେ ଖାଦ୍ୟ ଖାଇ ୧୭ଟି ଗାଈଙ୍କ ମୃତ୍ୟୁ ହେଲା । ଲୋକ ହେଉନଥିବାବେଳେ ବିଜେପି କିପରି ନୂଆପଡ଼ାରେ  ୮୩ ହଜାର ଭୋଟରେ ବିଜୟ ହେଲା ? ଏହା କିପରି ସମ୍ଭବ ହେଲା ? ଅସାଧୁ ଆଚରଣ କରି ଭୋଟ ଚୋରି କରିଛି ବିଜେପି । ପୋଲିସ ଜରିଆରେ ବୁଥ ଏଜେଣ୍ଟଙ୍କୁ ଟଙ୍କା ଦେଇ ବିଜେପିକୁ ଭୋଟ ଦେବାକୁ ବାଧ୍ୟ କରାଯାଇଥିଲା । ପ୍ରଶାସନକୁ ବଦଳି ଧମକ ଦେଇ କବାଜରେ ରଖିଥିଲେ ସରକାର । ନୂଆପଡ଼ାରେ ବିଜେପି ପଇସାର ସୁନାମୀ କରିଥିଲା । ଏହାପରେ ଇଭିଏମ ମେସିନ ଜରିଆରେ ଅସାଧୁ ଉପାୟରେ ଭୋଟ ନେଇଗଲେ । ଭୋଟ ଗଣତି ଦିନ ଭୋର ୪ଟାରେ ମେସିନ ବଦଳଯାଇଛି ବୋଲି ଶୁଣିବାକୁ ମିଳୁଛି । ତେଣୁ ସେଦିନର ସିସିଟିଭି ଭିଜୁଆଲ ମିଡିଆକୁ ଦିଆଯାଉ । କେମିତି ୪୧ଟି ବୁଥରେ ୯୧ ପ୍ରତିଶତ ଭୋଟ ହେଲା ତାହା ବି ସନ୍ଧେହ ଘେରରେ। ପୋଲିସ ବଳରେ ଜିତିଥିବାରୁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ହିମାଂଶୁ ଲାଲଙ୍କ ପାଦ ଧରି ଆଶୀର୍ବାଦ ନେଲେ । ଏପରି ଅସାଧୁ ନିର୍ବାଚନ ପ୍ରକ୍ରିୟା ବିରୋଧରେ କଂଗ୍ରେସ ଆଗାମୀ ଦିନରେ ସ୍ଵର ଉଠାଇବ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ । ସେହିପରି ବିଜେଡି ବିଧାୟକ ପ୍ରଦୀପ ଦିଶାରୀ କହିଛନ୍ତି ନୂଆପଡା ଉପନିର୍ବାଚନରେ ବିଜେପି ଷଡଯନ୍ତ୍ର କରି ଜିତିଛି । ଭୋଟ କେନ୍ଦ୍ରରେ ବେସରକାରୀ ଗାଡିରେ ଇଭିଏମ ଯିବା ପ୍ରମାଣିତ କରିଛି ନୂଆପଡ଼ାରେ ନିରପେକ୍ଷ ନିର୍ବାଚନ ହୋଇନାହିଁ । ଏହା ବିରୋଧରେ ଆମେ ସ୍ଵର ଉଠାଉଛୁ ବୋଲି କହିଛନ୍ତି ପ୍ରଦୀପ ।

ନୂଆପଡାରେ ଅବାଧ ଓ ନିରପେକ୍ଷ ନିର୍ବାଚନ ହୋଇନଥିବା ନେଇ ଦୁଇ ବିରୋଧୀ ଅଭିଯୋଗ କରିବା ପରେ ପାଲଟା ଜବାବ ଦେଇଛି ବିଜେପି । ବିଜେପି ସାଂସଦ ବଳଭଦ୍ର ମାଝୀ ପିସିସି ସଭାପତିଙ୍କ ଅଭିଯୋଗର ଜବାବ ଦେଇ କହିଛନ୍ତି ୨୫୦ବୁଥରେ କଂଗ୍ରେସ ଲିଡ କରିଛି । ଯଦି ଭୋଟର କଂଗ୍ରେସକୁ ଭୋଟ ଦେଉଥିଲେ ତାହାଲେ ବିଜେପିକୁ ଯାଉଥିଲା କେମିତି ବୋଲି ସେ କହିଛନ୍ତି । ତାହେଲେ ବିଜେପି ଲିଡ୍ କାହିଁକି କରିନଥିଲା ? ତେଣୁ କୋର୍ଟକୁ ଯିବା ପୂର୍ବରୁ ଆଗ ପୋଲିସ ପାଖକୁ ଯାଆନ୍ତୁ । ନିର୍ବାଚନ କମିଶନ ତ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି କାହିଁକି କରୁ ନାହାନ୍ତି ବିଜେପି ପାଲଟା ପ୍ରଶ୍ନ କରିଛି । ନୂଆପଡା ଉପନିର୍ବାଚନ ପରିଚାଳନା ଠାରୁ ଆରମ୍ଭ କରି ମତଦାନ ଯାଏ ନିର୍ବାଚନକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ବିଜେପି ସଭାରେ ଲୋକ ହେଉନଥିବା ବେଳେ କିପରି ବିଜେପି ସର୍ବାଧିକ ଭୋଟରେ ବିଜୟ ହେଲା ତାହାକୁ ନେଇ ବିଜେପିକୁ କାଠଗଡାକୁ ଟାଣିଛନ୍ତି ଦୁଇ ବିରୋଧୀ । ଯାହାକୁ ନେଇ ଶୀତରେ ବି ରାଜଧାନୀ ରାଜନୀତି ଉଷ୍ମ ହୋଇଛି ।