ଅନୁଗୋଳ : ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଦୋଷୀକୁ ଫାଶୀ ଦଣ୍ଡାଦେଶ । ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ସ୍ବତନ୍ତ୍ର ପୋକସୋ କୋର୍ଟ । ୨୦୨୫ ମସିହା ଜୁନ ୨୫ ତାରିଖରେ ଘଟିଥିଲା ଘଟଣା । ଜଣେ ୪ ବର୍ଷର ଶିଶୁକୁ ଘରୁ ଅପହରଣ କରି ନେଇ ଆସିବା ପରେ ଗାଁ ମୁଣ୍ଡ ଏକ ନାଳ ନିକଟରେ ଦୋଷୀ ସାବ୍ୟସ୍ତ ବାବୁଲା ଜେନା ଦୁଷ୍କର୍ମ ପରେ ନାବାଳିକାଙ୍କୁ ପଥରରେ ଛେଚି ହତ୍ୟା କରିଥିଲା । ଏହି ଘଟଣାରେ ବାବୁଲାକୁ ଆଜି ଫାଶୀ ଦଣ୍ଡାଦେଶ ଦେଇଛନ୍ତି ସ୍ବତନ୍ତ୍ର ପୋକସୋ କୋର୍ଟ । ନାବାଳିକାକୁ ଅନୁଗୋଳ ଜେରେଙ୍ଗ ଗାଁର ବାବୁଲା ଜେନା ଅପହରଣ କରି ନେଇଥିଲା । ବହୁ ଖୋଜାଖୋଜି ପରେ ମଧ୍ୟ ସେ ଆଉ ମିଳିନଥିଲା । ଏହାପରେ ପରିବାର ଲୋକେ ଥାନାରେ ନିଖୋଜ ମାମଲା ରୁଜୁ କରିଥିଲେ । ହେଲେ ତା ପରଦିନ ନାବାଳିକାର ମୃତ ଦେହ ଘରଠାରୁ ଶହେ ମିଟର ଦୂର ଏକ ନାଳ ନିକଟରୁ ମିଳିଥିଲା । ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରି ପୁଲିସ ତଦନ୍ତ କରିଥିଲା । ତଦନ୍ତ ବେଳେ ବାବୁଲା ଜେନା ଏହି କାଣ୍ଡ ଭିଆଇଥିବା ଜାଣି ପାରି ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ଏହି ମାମଲାର ଶୁଣାଣି କରି ବାବୁଲାକୁ ଅପହରଣ, ଦୁଷ୍କର୍ମ ଓ ପରେ ହତ୍ୟା ଘଟଣାରେ ଫାଶୀ ଦଣ୍ଡାଦେଶ ଦିଆଯାଇଛି ।
୧୧ଟି ପ୍ରସ୍ତାବରେ କ୍ୟାବିନେଟ ମୋହର
ଭୁବନେଶ୍ବର : ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ୧୧ ପ୍ରସ୍ତାବକୁ ମୋହର ମାରିଛି କ୍ୟାବିନେଟ। କ୍ୟାବିନେଟରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପରିଚାଳନା ଏବଂ ରକ୍ଷଣାବେକ୍ଷଣ ନୀତି ୨୦୨୬କୁ ଅନୁମୋଦନ ମିଳିଛି। ଏହି ନୀତିରେ ପ୍ରକଳ୍ପ ସରିବା ପରେ ତାର ରକ୍ଷଣାବେକ୍ଷଣ ପାଇଁ ଦାୟିତ୍ୱ ବଣ୍ଟନ ହୋଇଛି। ଏଥିରେ ପଞ୍ଚାୟତ ଗ୍ରାମବାସୀଙ୍କର କଣ ଦାୟିତ୍ୱ ରହିବ, ମନିଟରିଂ କିପରି ହେବ, କେତେ ଟଙ୍କା ଦିଆଯିବ, ସେ ସବୁ ନୀତିରେ ଉଲ୍ଲେଖ ରହିଛି। ଏହାବାଦ ୩୪୦୦ କୋଟି ଟଙ୍କାର ଅଟଳ ବସ ଷ୍ଟାଣ୍ଡ ଯୋଜନାଜୁ କ୍ୟାବିନେଟ ମୋହର ମାରିଛି। ରାଜ୍ୟରେ ନିର୍ମାଣ ହେଉଥିବା ୩୧୮ ବସ ଷ୍ଟାଣ୍ଡ ଓଏସଆରଟିସି ସମନ୍ୱୟରେ କରାଯିବ। ଏହା ସହ ଜଳସମ୍ପଦ ବିଭାଗର ୫ଟି ପ୍ରକଳ୍ପକୁ ମଧ୍ୟ ମଞ୍ଜୁରୀ ମିଳିଛି। କଟକର ୧୩୫ କୋଟି ହାଡୁଆ ଜଳସେଚନ ପ୍ରକଳ୍ପ, ଯାହା ୩୬୦୦ ହେକ୍ଟର ଜମିକୁ ଜଳସେଚିତ କରିବ। ସେହିପରି ୨୦୪ କୋଟିର ପାର୍ବତୀ ଗିରି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହାଦ୍ବାରା ସମ୍ବଲପୁରରେ ୬୨୧୦ ହେକ୍ଟର ଚାଷ ଜମି ଜଳସେଚିତ ହେବ। ସୋନପୁର ତେଲ ନଦୀରେ ୭୦ କୋଟି ବ୍ୟୟରେ କ୍ଲଷ୍ଟର ୩୦ ପ୍ରକଳ୍ପ ଦ୍ବାରା ୬ ହଜାର ହେକ୍ଟର ଜମି ଜଳସେଚିତ ହେବ। କେନ୍ଦୁଝରରେ ୯୩ କୋଟି ବ୍ୟୟରେ କ୍ଲଷ୍ଟର ୩୮ ପ୍ରକଳ୍ପ ଦ୍ୱାରା ୪ ହଜାର ୨୮୦ ହେକ୍ଟର ଜମି ଜଳସେଚିତ ହେବ। କେନ୍ଦୁଝରରେ ୧୬୪୭ କୋଟି ବ୍ୟୟରେ ନୂଆ ସବ ଷ୍ଟେସନକୁ ଅନୁମୋଦନ ମିଳିଛି। ଏହା ସହ ଚାକିରି ସର୍ତ୍ତାବଳୀରେ ସଂଶୋଧନ କରାଯାଇଛି। କ୍ୟାଡର ରୁଲ ପରିବର୍ତ୍ତନ ସହ ଶ୍ରମ ବିଭାଗର ୩ ପ୍ରସ୍ତାବ ପାରିତ ହୋଇଛି।
ଯୌନ ପିଶାଚ ଅଟୋ ଡ୍ରାଇଭର ଗିରଫ
ବାଲିଗୁଡା: ଯୌନ ପିଶାଚ ଅଟୋ ଡ୍ରାଇଭର । ଗାଁ ନିକଟସ୍ଥ ନାଳକୁ ଗାଧୋଇବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ଏକୁଟିଆ ଦେଖି ଟେକିନେଇ ଦୁଷ୍କର୍ମ କରିଥିବା ଅଭିଯୋଗ । ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଅଟୋ ଜବତ କରିଛି ପୋଲିସ୍ । ଘଟଣା ଘଟିଛି କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅନ୍ତର୍ଗତ କୁଡୁତୁଲି ଅଞ୍ଚଳରେ । ଗତକାଲି ସକାଳେ ଜଣେ ୧୭ ବର୍ଷୀୟା ନାବାଳିକା ଗାଁ ନିକଟସ୍ଥ ନାଳକୁ ଗାଧୋଇବାକୁ ଯାଇଥିଲେ । ସେହି ସମୟରେ ସେହି ବାଟ ଦେଇ ଅଟୋ ନେଇ ଯାଉଥିବା ସାରକେତା ଗ୍ରାମର ଗଣେଶ ପାତ୍ର ନାମକ ଜଣେ ଯୁବକ ଜୋର ଜବରଦସ୍ତ ଯୁବକଙ୍କୁ ଟେକି ନେଇ ଦୁଷ୍କର୍ମ କରିଥିଲା । ଯୁବତୀ ଜଣକ ପାଟି କରିବାରୁ ରାସ୍ତା କଡ଼ରେ ଆଟୋ ଏବଂ ନାବାଳିକାଙ୍କୁ ଛାଡ଼ି ନିକଟସ୍ଥ ଜଙ୍ଗଲକୁ ଦୌଡ଼ି ପଳାଇଥିଲା । ନାବାଳିକାଙ୍କ ପରିବାର ପକ୍ଷରୁ କ.ନୁଆଗାଁ ଥାନାରେ ଲିଖିତ ଅଭିଯୋଗ ପରେ ଆକ୍ସନ ମୋଡ଼କୁ ଆସିଥିଲା କ.ନୁଆଗାଁ ପୋଲିସ୍ । କ.ନୂଆଗାଁ ଥାନା ଅଧିକାରୀ ଆଶୁତୋଷ ଜେନା ଉପସ୍ଥିତ ବୁଦ୍ଧି ଖଟାଇ ପୋଲିସ୍ ଗାଡ଼ିରେ ନଯାଇ ଏକ ୪୦୭ ଗାଡ଼ିରେ ଘଟଣା ସ୍ଥଳକୁ ଯାଉଥିବା ବେଳେ ଅଭିଯୁକ୍ତ ଜଣକ ଗାଡ଼ି ଅଟକାଇ ଲିଫ୍ଟ ମାଗିଥିଲା । ଅଭିଯୁକ୍ତକୁ ଗାଡ଼ିରେ ବସାଇ ଥାନାକୁ ନେଇ ପଚରାଉଚରା କରିବା ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଟୋ ନମ୍ବର ଓଡ଼ି ୧୨-ଇ-୨୪୦୨ ମଧ୍ୟ ଜବତ କରିଛି ପୋଲିସ୍ । ଅଭିଯୁକ୍ତ ଗଣେଶ ଆଗରୁ ମଧ୍ୟ ବିଭିନ୍ନ ସ୍ଥାନରେ ଏଭଳି କାଣ୍ଡ ଘଟାଇଥିବା ପ୍ରଥମିକ ତଦନ୍ତରୁ ଜାଣାପଡ଼ିଛି।
ପ୍ରେମ ପାଇଁ ଇଲେକ୍ଟ୍ରି ଟାୱାରରେ ଚଢିଗଲେ ଯୁବକ
ଆନନ୍ଦପୁର : ପ୍ରେମ ପାଇଁ ଇଲେକ୍ଟ୍ରି ଟାୱାରରେ ଚଢିଗଲେ ଯୁବକ । ପୋଲିସ ପହଁଞ୍ଚି କଲା ଉଦ୍ଧାର। କେନ୍ଦୁଝର ଘଷିପୁରା ଥାନା ବିରଗୋବିନ୍ଦପୁର ଗାଁ ନିକଟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଏକ ୩୩ କେଭି ବିଦ୍ୟୁତ ଟାୱାର ଉପରକୁ ଜଣେ ଯୁବକ ଚଢି ଯାଇଥିବାର ଦେଖି ଲୋକେ ହୋହଲ୍ଲା କରିବା ସହ ପୋଲିସକୁ ଖବର ଦେଇଥିଲେ । ହରିଚନ୍ଦନପୁର ଥାନା ଖଡ଼ିବାହାଳି ଗାଁର ଲୁଲୁ ନାୟକ ପ୍ରେମରେ ବିଫଳ ହେବା ପରେ ବିରଗୋବିନ୍ଦପୁର ଗାଁରେ ଘୁରି ବୁଲୁଥିଲେ । ଗାଁର କିଛି ଲୋକଙ୍କୁ ନିଜ ଦୁଃଖ କହିବା ସହିତ ଜୀବନ ହାରିଦେବେ ବୋଲି କହିଥିଲେ । ଆଜି ସକାଳୁ ଯୁବକ ବିଦ୍ୟୁତ ଟାୱାରକୁ ଚଢି ଜୀବନ ହାରିବାକୁ ଚେଷ୍ଟା କରୁଥିବା ବେଳେ ଲୋକେ ପ୍ରଥମେ ବିଦ୍ୟୁତ ବିଭାଗକୁ ଫୋନ କରି କରେଣ୍ଟ କାଟିବା ସହିତ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଁଞ୍ଚି ଯୁବକଙ୍କୁ ବୁଝାସୁଝା କରି ଉଦ୍ଧାର କରିଛି ।
କଂଗ୍ରେସର ବରିଷ୍ଠ ନେତା ପୱନ ଖେରାଙ୍କୁ ଆଶ୍ଵସ୍ତି
ନନ୍ଦିଘୋଷ ବ୍ୟୁରୋ : କଂଗ୍ରେସର ବରିଷ୍ଠ ନେତା ପୱନ ଖେରାଙ୍କୁ ଆଶ୍ଵସ୍ତି। ତାଙ୍କୁ ୭ ଦିନ ପାଇଁ ଆଗୁଆ ଜାମିନ ଦେଇଛନ୍ତି ତେଲେଙ୍ଗାନା ହାଇକୋର୍ଟ। ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମାଙ୍କ ପତ୍ନୀ ରିନିକି ଭୁୟାଁ ଶର୍ମାଙ୍କ ଏକାଧିକ ପାସପୋର୍ଟ ଥିବାର ଓ ବିଦେଶରେ ସଂପତ୍ତି ଥିବାର ଅଭିଯୋଗ କରିଥିଲେ ପୱନ ଖେରା। କିନ୍ତୁ ହିମନ୍ତ ବିଶ୍ଵଶର୍ମା ଏହା ନିର୍ବାଚନୀ ସତ୍ଯପାଠରେ ଉଲ୍ଲେଖ କରିନଥିଲେ। ଏହାକୁ ନେଇ ମାମଲା ରୁଜୁ କରିଥିଲେ ରିନିକି ଭୂୟାଁ। ଆସାମ ପୋଲିସ ଦିଲ୍ଲୀ ଆସି ପୱନ ଖେରାଙ୍କ ବାସଭବନକୁ ଯାଇଥିଲା। କିନ୍ତୁ ପାଇନଥିଲା। ହାଇଦ୍ରାବାଦରେ ଆଗୁଆ ଜାମିନ ଆବେଦନ କରିଥିଲେ ପୱନ ଖେରା। ଅଧିକ ଦିନ ମାଗିଥିଲେ ମଧ୍ୟ ୭ ଦିନ ଆଶ୍ଵସ୍ତି ଦେଇଛନ୍ତି ହାଇକୋର୍ଟ ଓ ଉପଯୁକ୍ତ ଅଦାଲତରେ ଆବେଦନ କରିବାକୁ କହିଛନ୍ତି।
ରାଜଧାନୀ ପଟିଆରେ ତିନୋଟି ମନ୍ଦିରରୁ ସିରିଜ ଚୋରି
ଭୁବନେଶ୍ବର : ରାଜଧାନୀ ପଟିଆରେ ତିନୋଟି ମନ୍ଦିରରୁ ସିରିଜ ଚୋରି । ଲକ୍ଷାଧିକ ଟଙ୍କାର ସୁନା ରୁପା ଅଳଙ୍କାର ସହ ହୁଣ୍ଡି ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ । ଗତକାଲି ରାତିରେ ପଟିଆଗଡ଼ କନକଦୁର୍ଗା ମନ୍ଦିର, ନୀଳକଣ୍ଠେଶ୍ଵର ମନ୍ଦିର ଓ ଶିଖରଚଣ୍ଡୀ ଗ୍ରାମ ଦେବତୀ ମନ୍ଦିରରୁ ଚୋରି ହୋଇଛି l କନକ ଦୁର୍ଗା ମନ୍ଦିରରେ ଦୁର୍ବୁତ୍ତ ମାନେ ତାଲା ଭାଙ୍ଗି ମା ଙ୍କ ସୁନା ମୂର୍ତ୍ତି ସହ ରୁପା ଖଟୁଲି, ମାଙ୍କ ମଥା ଟୀକା ଓ ନୋଥ ସହ ହୁଣ୍ଡୀ ବାକ୍ସ ଭାଙ୍ଗି ଟଙ୍କା ଚୋରି ହୋଇଥିବା ନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଇନ୍ଫୋସିଟି ଥାନାରେ ଅଭିଯୋଗ ହୋଇଛି l ସେହିପରି ନୀଳକଣ୍ଠେଶ୍ଵର ମନ୍ଦିର ଓ ଶିଖରଚଣ୍ଡୀ ଗ୍ରାମ ଦେବତୀ ମନ୍ଦିରରୁ ସୁନା ରୁପା ଅଳଙ୍କାର ସହ ହୁଣ୍ଡୀରୁ ମଧ୍ୟ ଟଙ୍କା ଚୋରି ହୋଇଛି l ଚାରି ଜଣ ଦୁର୍ବୁତ୍ତ ଚୋରିରେ ସାମିଲ ହୋଇଥିବା ନେଇ ସିସିଟିଭିରେ ନଜର ଆସୁଛି l ପୋଲିସ ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି l
ବୋରୱେଲ ଭିତରେ ଖସିପଡ଼ିଲା ଅଢେଇ ବର୍ଷର ଶିଶୁ, ଚାଲିଛି ରେସ୍କ୍ୟୁ ଅପରେସନ
ନନ୍ଦିଘୋଷ ବ୍ୟୁରୋ : ପୁଣି ବୋରୱେଲ ଟ୍ରାଜେଡି। ମଧ୍ୟପ୍ରଦେଶ ଉଜ୍ଜୟିନୀରେ ୭୦ ଫୁଟ ଗଭୀର ଏକ ବୋରୱେଲ ଭିତରେ ଖସିପଡ଼ିଲା ଏକ ଅଢେଇ ବର୍ଷର ଶିଶୁ। ଗତ ଗୁରୁବାର ରାତି ୮ଟାରେ ଅଘଟଣ ଘଟିବା ପରେ ସେଠାରେ ଜାରି ରହିଛି ରେସ୍କ୍ୟୁ ଅପରେସନ। ବାଦନଗର ତହସିଲର ଝାଲାରିଆ ଗ୍ରାମରେ ଏହି ଘଟଣା ଘଟିଛି। ପ୍ରବୀଣ ଦେବାସୀଙ୍କ ପୁଅ ବୋରୱେଲରେ ଖସିପଡ଼ିଥିବା ଜଣାଯାଇଛି। ପ୍ରବୀଣଙ୍କ ପରିବାର ୩ଦିନ ତଳେ ରାଜସ୍ଥାନ ପାଲିରୁ ଆସି ସେଠାରେ ରହିଥିଲେ। ଉଜ୍ଜୟିନୀ ସହରରୁ ପ୍ରାୟ ୭୫ କିଲୋମିଟର ଦୂରରେ ଏହି ଘଟଣା ଘଟିଛି। ବାଦନଗର ପୋଲିସ ଓ ଏସଡିଆରଏଫ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଛି। ନଳକୂପ ଭିତରକୁ ଅକ୍ସିଜେନ ପଠାଯାଇଛି।
ଇଷ୍ଟର ପରିପ୍ରେକ୍ଷୀରେ ୨ ଦିନିଆ ଯୁଦ୍ଧ ବିରତି ଘୋଷଣା କରିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ
ନନ୍ଦିଘୋଷ ବ୍ୟୁରୋ : ଇଷ୍ଟର ପରିପ୍ରେକ୍ଷୀରେ ୨ ଦିନିଆ ଯୁଦ୍ଧ ବିରତି ଘୋଷଣା କରିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଏହି ଯୁଦ୍ଧ ବିରତିକୁ ୟୁକ୍ରେନ ବି କାର୍ଯ୍ୟକାରୀ କରିବ ବୋଲି ଆଶା ପ୍ରକାଶ କରିଛନ୍ତି ପୁଟିନ। ଏହି ଅସ୍ତ୍ରବିରତି ୧୧ ଏପ୍ରିଲ ସକାଳ ୧୧ଟାରୁ ୧୨ ଏପ୍ରିଲ ରାତି ୧୨ଟା ଯାଏ କାର୍ଯ୍ୟକାରୀ ହେବ। ରୁଷର ଶୀର୍ଷ କମାଣ୍ଡର ତଥା ଚିଫ ଅଫ ଜେନେରାଲ ଷ୍ଟାଫ ଭାଲେରି ଗେରାସିନଭ ଙ୍କୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ଆନ୍ଦ୍ରି ବେଲୋସଭ । ଇଷ୍ଟର ଅବସରରେ କୌଣସି ପ୍ରକାର ଆକ୍ରମଣ ନ କରିବାକୁ ନିର୍ଦ୍ଦେଶରେ କୁହାଯାଇଛି । ସେପଟେ ଅସ୍ତ୍ରବିରତି ୭ ଦିନ ଲାଗି କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି।
ହର୍ମୁଜ ନେଇ ଇରାନ ସୁପ୍ରିମ ଲିଡର ମୋଜତାବା ଖାମେନେଇଙ୍କ ବଡ଼ ବୟାନ
ନନ୍ଦିଘୋଷ ବ୍ୟୁରୋ : ହର୍ମୁଜ ପ୍ରଣାଳୀ ନେଇ ଇରାନ ସୁପ୍ରିମ ଲିଡର ମୋଜତାବା ଖାମେନେଇଙ୍କ ବଡ଼ ବୟାନ। ସେ କହିଛନ୍ତି ହର୍ମୁଜକୁ ଇରାନ କେବଳ ନିଜ ନିୟନ୍ତ୍ରଣରେ ରଖିବ ନାହିଁ ବରଂ ଏହାର ପରିଚାଳନା ଲାଗି ଅଧିକ ନିର୍ଣ୍ଣାୟକ ପଦକ୍ଷେପ ନେବ। ଏହି ପ୍ରଣାଳୀର ପରିଚାଳନା ଲାଗି ଅଧିକ କଟକଣାମୂଳକ ବ୍ୟବସ୍ଥା ଗ୍ରହଣ କରାଯିବ। ସେପଟେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ କହିଛନ୍ତି- ଇରାନ ସହାୟତାରେ କିମ୍ବା ଇରାନ ବିନା ତୈଳ ପରିଚାଳନା କରାଯାଇପାରିବ। ଏକ୍ଷେତ୍ରରେ କୌଣସି ଫରକ ପଡ଼ିବ ନାହିଁ ବୋଲି ସେ କହିଛନ୍ତି। ଯୁଦ୍ଧବିରତି ଜାରି ରହିଥିବାବେଳେ ହର୍ମୁଜ ଦେଇ ଯାଉଥିବା ଜାହାଜରୁ କ୍ରିପ୍ଟୋଟୋଲ ଆଦାୟ କରାଯିବ ବୋଲି ଇରାନ ଘୋଷଣା ପରିପ୍ରେକ୍ଷୀରେ ଟ୍ରମ୍ପ ଏହା କହିଛନ୍ତି।
ଲେବାନନର ବେରୁଟ ଓ ବେକା ଭାଲିରେ ଜୋରଦାର ହମଲା
ନନ୍ଦିଘୋଷ ବ୍ୟୁରୋ : ଲେବାନନର ବେରୁଟ ଓ ବେକା ଭାଲିରେ ଜୋରଦାର ହମଲା ପରେ ଲେବାନନ ସହ କୂଟନୈତିକ ଆଲୋଚନା ଲାଗି ପ୍ରସ୍ତାବ ଦେଇଛି ଇସ୍ରାଏଲ। ଗତକାଲି ହୋଇଥିବା ହମଲାରେ ପ୍ରାଣ ହରାଇଥିଲେ ୩୦୩ ଜଣ। ଲେବାନନ ସହ ଆଲୋଚନାର କ୍ଷେତ୍ର ପ୍ରସ୍ତୁତ ଲାଗି ନିଜ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ। ଲେବାନନର ବାରମ୍ବାର ଅନୁରୋଧ କ୍ରମେ କୂଟନୈତିକ କଥାବାର୍ତ୍ତା ଲାଗି ଯୋଜନା କରାଯାଉଛି ବୋଲି କହିଛନ୍ତି ନେତନ୍ୟାହୁ। ହେଜବୁଲ୍ଲାକୁ ନିରସ୍ତ୍ର କରିବା ଏବଂ ଇସ୍ରାଏଲ ଓ ଲେବାନନ ମଧ୍ୟରେ ଶାନ୍ତି ପ୍ରତିଷ୍ଠାକୁ ଇସ୍ରାଏଲ ଗୁରୁତ୍ବ ଦେଉଛି ବୋଲି କହିଛନ୍ତି ନେତନ୍ୟାହୁ। ସପେଟେ ଏକ ଅସ୍ଥାୟୀ ଯୁଦ୍ଧବିରତି ଲାଗି ଲେବାନନ ଇଚ୍ଛୁକ ବୋଲି କହିଛନ୍ତି ଲେବାନନର ଜଣେ ବରିଷ୍ଠ ଅଧିକାରୀ। ସେପଟେ ଇସ୍ରାଏଲ ସହ ସିଧାସଳଖ କଥାବାର୍ତ୍ତା ପ୍ରସ୍ତାବକୁ ଅଗ୍ରାହ୍ୟ କରିଛି ହେଜବୁଲ୍ଲା। ସଂଗଠନର ନେତା ଅଲି ଫୟାଦ କହିଛନ୍ତି- ଲେବାନନ ସୀମାରୁ ଇସ୍ରାଏଲ ପ୍ରଥମେ ନିଜ ସୈନ୍ୟ ପ୍ରତ୍ୟାହାର କରିବା ଉଚିତ।

