ନନ୍ଦିଘୋଷ ବ୍ୟୁରୋ: ଗୁରୁବାର ଦିନ ସୁରକ୍ଷା ବାହିନୀ ସ୍ୱତନ୍ତ୍ର ଗୁଇନ୍ଦା ସୂଚନା ଆଧାରରେ ଅବନ୍ତିପୋରାର ତ୍ରାଲର ନାଦେର ଅଞ୍ଚଳରେ ଏକ ମିଳିତ ଆତଙ୍କ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ। ଭାରତୀୟ ସେନା, ଜମ୍ମୁ ଓ କାଶ୍ମୀର ପୋଲିସ ଏବଂ ସିଆରପିଏଫ ଏହି ଅଭିଯାନରେ ସାମିଲ ଅଛନ୍ତି। ଭାରତୀୟ ସେନାର ଚିନାର କର୍ପସ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବରୁ ଟ୍ୱିଟର) ରେ ଏକ ପୋଷ୍ଟରେ ଏହି ଅଭିଯାନକୁ ନିଶ୍ଚିତ କରିଥିଲେ। “୧୫ ମଇ ୨୦୨୫ ରେ, ଏକ ଏଜେନ୍ସିରୁ ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଆଧାରରେ, ଅବନ୍ତିପୋରାର ତ୍ରାଲର ନାଦେରରେ ଏକ କର୍ଡନ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ଚ୍ୟାଲେଞ୍ଜ କରାଯିବା ପରେ, ଆତଙ୍କବାଦୀମାନେ ପ୍ରବଳ ଗୁଳି ବିନିମୟ କରିଥିଲେ। ଏକ ଭୟଙ୍କର ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଏହି ଅଭିଯାନ ଏବେ ବି ଜାରି ରହିଛି। ମଙ୍ଗଳବାର ଦିନ, ଶୋପିଆନରେ ଏକ ଏନକାଉଣ୍ଟରରେ ଲସ୍କର-ଏ-ତୈବା ଏବଂ ଏହାର ପ୍ରକ୍ସି ସଂଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (ଏଲଇଟି/ଟିଆରଏଫ) ର ଜଣେ ସ୍ଥାନୀୟ କମାଣ୍ଡର ସମେତ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଜମ୍ମୁ ଓ କାଶ୍ମୀର ପୋଲିସ ଏବଂ ସିଆରପିଏଫ ସହିତ ସେନା ଦ୍ୱାରା କରାଯାଇଥିବା ଏହି ଅଭିଯାନରେ ଏକେ-ସିରିଜ୍ ରାଇଫଲ୍, ଗ୍ରେନେଡ୍ ଏବଂ ଏକ ବଡ଼ ପରିମାଣର ଗୁଳିଗୋଳା ଉଦ୍ଧାର କରାଯାଇଥିଲା।
ଭାରତୀୟ ସେନାର ଅତିରିକ୍ତ ସାଧାରଣ ସୂଚନା ମହାନିର୍ଦ୍ଦେଶକ ମଧ୍ୟ ଶୋପିଆନ ଏନକାଉଣ୍ଟରକୁ ନିଶ୍ଚିତ କରି କହିଛନ୍ତି ଯେ କେଲର ଜଙ୍ଗଲରେ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ଆଧାରରେ ଏହା ଆରମ୍ଭ କରାଯାଇଥିଲା।
ଭାରତର ଚାଲୁଥିବା ଅପରେସନ୍ ସିନ୍ଦୂରର ସଫଳତା ଉପରେ ଆଧାରିତ, ଯେଉଁଥିରେ ପାକିସ୍ତାନ ଏବଂ ପାକ୍-ଅଧିକୃତ କାଶ୍ମୀର (ପିଓକେ)ରେ ଆତଙ୍କବାଦୀ ଭିତ୍ତିଭୂମିକୁ ନଷ୍ଟ କରି ସଠିକ୍ ଆକ୍ରମଣ କରାଯାଇଥିଲା। ଜୈଶ-ଏ-ମହମ୍ମଦର ଗଡ଼ ବାହାୱଲପୁର ଏବଂ ଲସ୍କର-ଏ-ତୈବା ପାଇଁ ଏକ ପ୍ରମୁଖ ତାଲିମ ସ୍ଥଳ ମୁରିଦକେ ସମେତ ପ୍ରମୁଖ ସ୍ଥାନରେ ୧୦୦ ରୁ ଅଧିକ ଆତଙ୍କବାଦୀଙ୍କୁ ନିଷ୍କ୍ରିୟ କରାଯାଇଥିଲା।
ଆତଙ୍କବାଦୀଙ୍କ ବିରୋଧରେ ଚାଲିଛି ଅପରେସନ୍ ନାଦେର
‘ପାଣି ଲାଗି ଡହଳ ବିକଳ ପାକିସ୍ତାନ’
ନନ୍ଦିଘୋଷ ବ୍ୟୁରୋ: ଅପରେସନ ସିନ୍ଦୂରରେ ଭାରତର ଦମ୍ ଦେଖି ମୁଣ୍ଡ ନୁଆଁଇଥିଲା ପାକିସ୍ତାନ। ଏବେ ପାଣି ଲାଗି ହେଲାଣି ଡହଳ ବିକଳ। ସିନ୍ଧୁ ଜଳ ଚୁକ୍ତି ପ୍ରସଙ୍ଗରେ ପୁନର୍ବିଚାର ଲାଗି ଭାରତ ନିକଟରେ ଅନୁରୋଧ କରିଛି ପାକିସ୍ତାନ। ଏନେଇ ଜଳଶକ୍ତି ମନ୍ତ୍ରାଳୟ ନିକଟକୁ ପତ୍ର ଲେଖିଛନ୍ତି ପାକିସ୍ତାନ ଜଳ ସମ୍ପଦ ସଚିବ ସୟଦ ଅଲି ମୁର୍ତାଜା। ଏପ୍ରିଲ ୨୨ ପହଲଗାଓଁ ହମଲା ପରେ ଉତ୍ତ୍ୟକ୍ତ ହୋଇ ସିନ୍ଧୁ ଜଳ ଚୁକ୍ତି ରଦ୍ଦ କରିଥିଲା ଭାରତ।
୧୯୬୦ ସିନ୍ଧୁ ଜଳ ଚୁକ୍ତି ଅନୁସାରେ ସିନ୍ଧୁ ନଦୀରୁ ଭାରତ ୩୦ ପ୍ରତିଶତ ଓ ପାକିସ୍ତାନ ୭୦ ପ୍ରତିଶତ ଜଳ ପାଇଥାଏ। ଜଳ ଚୁକ୍ତି ରଦ୍ଦ ହେବା ପରେ ପାକିସ୍ତାନ ଜଳାଭାବରେ ଛଟପଟ ହେବା ପରିଲକ୍ଷିତ ହୋଇଛି। ଏପରିକି ପାକିସ୍ତାନକୁ ବିନା ସୂଚନାରେ ନଦୀ ବନ୍ଧର ଗେଟ ଖୋଲିଦେଉଛି ଭାରତ।
ପାଣି ମୁନ୍ଦାଏ ପାଇଁ ଛଟପଟ ଜୀବନ, ଜଳକଷ୍ଟ ଭୋଗୁଛନ୍ତି ଆସିକା ଗ୍ରାମବାସୀ
ଗଞ୍ଜାମ: ପାଣି ମୁନ୍ଦାଏ ପାଇଁ ଛଟପଟ ଜୀବନ । ଗଞ୍ଜାମ ଆସିକା ବ୍ଲକ କୈବଲ୍ୟପୁର ଗାଁରେ ଉତ୍କଟ ଜଳ ସଂକଟ । ଗାଁର କୂଅ ପୋଖରୀ ସବୁ ଶୁଖିଲା। ଠିକାଦାର ଓ ପ୍ରଶାସନ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଲୋକଙ୍କ କଷ୍ଟ ସରକାରଙ୍କ ଆଖିକୁ ଦେଖାଯାଉନି ବୋଲି ଅଭିଯୋଗ ହୋଇଛି। ଗାଁର କୂଅ ପୋଖରୀ ସବୁ ଶୁଖିଲା। ସ୍ଥିତି ଏମିତି ଗାଁ ଲୋକେ ଗାଧୋଇବାକୁ ଦୁଇ କିଲୋମିଟର ଗଲା ପରେ ପୋଖରୀର ପଙ୍କ ମିଶା ପାଣିରେ ଗାଧୋଇବାକୁ ବାଧ୍ୟ ହେଉଛନ୍ତି ଗାଁର ଶହେରୁ ଉର୍ଦ୍ଧ୍ବ ପରିବାର ।
ଗାଁର ଲୋକଙ୍କୁ ପିଇବା ପାଣି ଯୋଗାଇବା ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ନିର୍ମାଣ ହୋଇଛି ଓଭର ହେଡ୍ ପାଣି ଟାଙ୍କୀ । ଲୋକଙ୍କ ଘର ଆଗରେ ଷ୍ଟାଣ୍ଡ ପୋଷ୍ଟ ବି ରହିଛି । ହେଲେ ପାଣି ଆସୁନି। ଗ୍ରାମବାସୀ ରାଜନେତା ଓ ସରକାରୀ ବାବୁଙ୍କୁ ବାରମ୍ବାର ଗୁହାରୀ କଲେ ବି କେହି କିଛି ପଦକ୍ଷେପ ନେଇନାହାନ୍ତି ବୋଲି ଅଭିଯୋଗ ହୋଇଛି । ଗାଁରେ ୩ଟି ନଳ କୂଅ। ସେଥିରୁ ଗୋଟିଏ ଅଚଳ ଅନ୍ୟ ଦୁଇଟିରୁ ଗୋଳିଆ ଲୁହା ଜଙ୍କ ମିଶା ପାଣି ବାହାରୁଛି । ଡହଳବିକଳ ହୋଇ ଲୋକେ ସେହି ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଏପରିକି ମାସ ମାସ ଧରି କିଛି ଲୋକେ ଭଲରେ ଶୌଚ ହୋଇପାରୁନାହାନ୍ତି। ପାଣି ଆସୁଥିବା ନଳକୂଳ ପାଖେ ଘଣ୍ଟାଘଣ୍ଟା ଧରି ମୁନ୍ଦାଏ ପାଣି ପାଇଁ ଅପେକ୍ଷା କରୁଛନ୍ତି । ବ୍ଳକ ପକ୍ଷରୁ ଦୁଇ ତିନି ଦିନରେ ଥରେ ଗୋଟିଏ ଟ୍ୟାଙ୍କରେ ପାଣି ଯୋଗାଇ ଦିଆ ଯାଉଛି ସତ ହେଲେ ତାହା ସମସ୍ତଙ୍କ ପାଇଁ ଯଥେଷ୍ଟ ହେଉନି ।
ବିଏସଏଫ ଯବାନଙ୍କୁ ଛାଡ଼ିଲା ପାକିସ୍ତାନ
ନନ୍ଦିଘୋଷ ବ୍ୟୁରୋ: ଅଟକ ବିଏସଏଫ୍ ଯବାନ ପୂର୍ଣ୍ଣମ କୁମାର ଶାଙ୍କୁ ଛାଡିଲା ପାକିସ୍ତାନ। ପାକିସ୍ତାନ କବଜାରୁ ଫେରିଥିବା ବିଏସଏଫ ଜବାନ ତାଙ୍କର ୨୩ ଦିନର ଦୁଃଖଦ ଘଟଣା ବର୍ଣ୍ଣନା କରିଛନ୍ତି । ପାକିସ୍ତାନ ୧୪ ମେ’ରେ ଭାରତୀୟ ବିଏସଏଫ ଯବାନ ପୂର୍ଣ୍ଣମ କୁମାର ଶାଙ୍କୁ ଭାରତକୁ ହସ୍ତାନ୍ତର କରିଥିଲା। ପାକିସ୍ତାନୀ ରେଞ୍ଜର୍ସମାନେ ଅଟାରୀ ୱାଘା ସୀମା ଦେଇ ବିଏସଏଫ କନଷ୍ଟେବଳଙ୍କୁ ମୁକ୍ତ କରିଥିଲେ। ପହଲଗାମରେ ଆତଙ୍କବାଦୀ ଆକ୍ରମଣର ଗୋଟିଏ ଦିନ ପରେ, ବିଏସଏଫ ଯବାନ ପୂର୍ଣ୍ଣମ କୁମାର ଶା ଭୁଲବଶତଃ ଅନ୍ତର୍ଜାତୀୟ ସୀମା ପାର କରି ପାକିସ୍ତାନରେ ପହଞ୍ଚି ଯାଇଥିଲେ।
ସୂତ୍ର ଅନୁସାରେ ପାକିସ୍ତାନର ହେପାଜତରେ ପିକେ ଶା ବହୁତ ନିର୍ଯାତନା ସହିଥିଲେ। ସୂତ୍ର ଅନୁସାରେ ତାଙ୍କୁ ଦାନ୍ତ ଘଷିବାକୁ ଅନୁମତି ଦିଆ ଯାଇନଥିଲା। ତାଙ୍କୁ ଶୋଇବାକୁ ଦିଆଯାଇ ନଥିଲା। ହେପାଜତରେ ଥିବା ସମୟରେ ତାଙ୍କୁ ତିନୋଟି ସ୍ଥାନକୁ ନିଆଯାଇଥିଲା। ତାଙ୍କୁ ଏୟାରବେସ୍ ପାଖକୁ ମଧ୍ୟ ନିଆଯାଇଥିଲା ଯାହା ଦ୍ଵାରା ସେ ବିମାନ ଉଡ଼ୁଥିବାର ଶବ୍ଦ ଶୁଣିପାରିବେ। ସୂତ୍ରଗୁଡ଼ିକ କୁହନ୍ତି ଯେ ଯେତେବେଳେ ପାକିସ୍ତାନୀ ଅଧିକାରୀମାନେ ଶା’ଙ୍କୁ ପଚରାଉଚରା କରିବାକୁ ଆସିଥିଲେ, ସେମାନେ ପ୍ରାୟତଃ ସାଧାରଣ ପୋଷାକ ପିନ୍ଧିଥିଲେ। ଶା ୧୬ ବର୍ଷ ଧରି ବିଏସଏଫରେ ଅଛନ୍ତି। ତାଙ୍କୁ IBରେ ନିଯୁକ୍ତ ବରିଷ୍ଠ ଅଧିକାରୀଙ୍କ ବିଷୟରେ ମଧ୍ୟ ପଚରାଯାଇଥିଲା।
୫ ଦଫା ଦାବି ନେଇ ଲକ୍ଷ୍ମୀ ବସ୍ ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ
ବାଲେଶ୍ୱର: ଲକ୍ଷ୍ମୀ ବସ ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ । ୫ ଦଫା ଦାବି ନେଇ ଭୋଗରାଇ ବସଣ୍ଟାଣ୍ଡରେ ଡ୍ରାଇଭରଙ୍କ ଆନ୍ଦୋଳନ ଜାରି । ଦରମା ବୃଦ୍ଧି ସହିତ ବିଭିନ୍ନ ଦାବିକୁ ନେଇ ବସ ଷ୍ଟାଣ୍ଡ ଆଗରେ ଆନ୍ଦାଳନ ଜାରି । ଆନ୍ଦୋଳନ ଯୋଗୁଁ ବିଭିନ୍ନ ସ୍ଥାନରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଭୋଗରାଇ ବ୍ଲକର ବିଭିନ୍ନ ଗାଁକୁ ୬ଟି ଲକ୍ଷ୍ମୀ ବସ ଯାତାୟାତ କରୁଥିବା ବେଳେ ଆଜି ଡ୍ରାଇଭର ମାନେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିବାରୁ ଯାତ୍ରୀମାନେ ଯାତାୟତ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯେପର୍ଯ୍ୟନ୍ତ ଡ୍ରାଇଭର ମାନଙ୍କ ଦାବି ସରକାର ମାନି ନନେଇଛନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଡ୍ରାଇଭର ମହାସଂଘ ଚେତାବନୀ ଦେଇଛି ।
ଅପରେସନ ସିନ୍ଦୂରକୁ ନେଇ ଚାଞ୍ଚଲ୍ୟକର ତଥ୍ୟ: ପାକିସ୍ତାନ ପ୍ରୟୋଗ କରିଥିବା ପିଏଲ-୧୫ ମିସାଇଲକୁ ନେଇ ସସପେନ୍ସ
ନନ୍ଦିଘୋଷ ବ୍ୟୁରୋ : ଅପରେସନ ସିନ୍ଦୂରକୁ ନେଇ ଆସିବାରେ ଲାଗିଛି ଚାଞ୍ଚଲ୍ୟକର ତଥ୍ୟ। ଅପରେସନ ବେଳେ ଚୀନ ନିର୍ମିତ ପିଏଲ-୧୫ ମିସାଇଲକୁ କୌଣସି ତୃତୀୟ ପକ୍ଷ ଦ୍ବାରା ପରିଚାଳିତ କରାଯାଇଥିବା ଆଶଙ୍କା କରିଛି ଭାରତ। କୌଣସି ସାଟେଲାଇଟ ବା ଏୟାରବର୍ନ ଅର୍ଲି ୱାର୍ଣ୍ଣିଂ ଆଣ୍ଡ କମାଣ୍ଡ ସିଷ୍ଟମ ଦ୍ବାରା ଏହା ପରିଚାଳିତ ହୋଇଥିଲା ବୂୋଲି ଭାରତ ସନ୍ଦେହ କରୁଛି। ଏହି ସବୁ ମିସାଇଲଗୁଡିକ ପାକିସ୍ତାନ ଅପରେସନ କେନ୍ଦ୍ରରୁ ନିୟନ୍ତ୍ରିତ ନ ହୋଇ ବାହାରେ ନିୟନ୍ତ୍ରିତ ହୋଇଥିବା କୁହାଯାଇଛି। ଫ୍ଯୁଜନ ଅପରେସନ ଯୋଗୁ ଭାରତୀୟ ରାଡାରରେ ବିଳମ୍ବରେ ପାକ୍ ମିସାଇଲଗୁଡିକ ଦେଖାଦେଇଥିଲା। ଫଳରେ ସେଗୁଡିକୁ ଧ୍ବଂସ କରିବା ଲାଗି ଅଧିକ କଷ୍ଟ କରିବାକୁ ପଡିଥିଲା। ତେବେ ପାକିସ୍ତାନର କେତେକ ମିସାଇଲ ମିସଫାୟାର ହୋଇଥିବା ବେଳେ କେତେକକୁ ଧ୍ବଂସ କରିଥିଲା ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମ।
ସେହିପରି ପାକିସ୍ତାନର ଡ୍ରୋନ ହମଲାରେ ତୁର୍କୀ ସହାୟତା କରିଥିବା ଆଶଙ୍କା ସୃଷ୍ଟି ହୋଇଛି। ସେପଟେ ଏବେ ବି ଏଲଓସିରେ ସତର୍କ ସେନା। ପାକିସ୍ତାନ ବା ଆତଙ୍କୀ ସଂଗଠନର ଆକ୍ରମଣକୁ ପ୍ରତିହତ କରିବା ଲାଗି ସମ୍ପୂର୍ଣ୍ଣ ସେନା ପ୍ରସ୍ତୁତ ଥିବା ସୂଚନା ମିଳିଛି ।
ଓବିସି, ଏସଇବିସିଙ୍କୁ ସଂରକ୍ଷଣ ପ୍ରସଙ୍ଗ: କ୍ୟାବିନେଟ ନିଷ୍ପତ୍ତିକୁ ବିଜେଡିର କଡ଼ା ସମାଲୋଚନା
ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗର ଛାତ୍ରଛାତ୍ରୀଙ୍କ ସଂରକ୍ଷଣ ଲାଗି ଗତକାଲି କ୍ଯାବିନେଟ ଯେଉଁ ନିଷ୍ପତ୍ତି ନେଇଛି ତାକୁ କଡ଼ା ସମାଲୋଚନା କରିଛି ବିଜେଡି । କ୍ୟାବିନେଟ ନିଷ୍ପତ୍ତି ଶିକ୍ଷା କ୍ଷେତ୍ରରେ ଏକ ପ୍ରହେଳିକା ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । କହଛନ୍ତି, ତାହା ଏକ ହାଲୁକା ସଂରକ୍ଷଣ ବା ଆଂଶିକ ସଂରକ୍ଷଣ । ସେଥିପାଇଁ ସରକାରଙ୍କୁ ଆଂଶିକ ଧନ୍ୟବାଦ । କାରଣ ହେଉଛି ଯୁକ୍ତ ଦୁଇ, ଯୁକ୍ତ ତିନି ଓ ପିଜିରେ ସିଟ ଖାଲି ପଡୁଛି । ସେଠି ସରକାର ସଂରକ୍ଷଣ ଦେଇଛନ୍ତି । ମୂଳ ଦାବି ହେଉଛି ଇଞ୍ଜିନିୟରିଂ, ମେଡିକାଲ ଓ ଟେକ୍ନିକାଲରେ ସଂରକ୍ଷଣ ଦିଆଯାଉ। ସେଠି ଏସସି ଓ ଏସଟି ପିଲାଙ୍କୁ ୨୦% ଦେଉଛନ୍ତି। ତାଙ୍କୁ ୩୮.୭୫ % ସଂରକ୍ଷଣ ଦିଅ । ଓବିସି ପିଲାମାନେ ଶୂନ ସଂରକ୍ଷଣ ପାଉଛନ୍ତି। ତାଙ୍କୁ ୨୭ % ଦିଅ । ଯଦି ସଂରକ୍ଷଣ ସେମାନଙ୍କୁ ଦେଇ ନପାରିବ ତେବେ ଏ ପ୍ରହେଳିକା ସୃଷ୍ଟି କରି ବାହାବା ନେବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଅରୁଣ। ସମାଜରେ ଯେଉଁ ତାରତମ୍ୟ ଅଛି ତାକୁ ଭାଙ୍ଗିବା ପାଇଁ କାମ ନକରି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି କଟାକ୍ଷ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ।
ସେହିପରି ଏ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ବିଜେଡି ବିଧାୟକ ମନୋହର ରନ୍ଧାରୀ କହିଛନ୍ତି, ବହୁପୂର୍ବରୁ ଓବିସି ଓ ଏସଇବିସିଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଦଳ ଦାବି କରିଆସୁଛି। ବିଶେଷତଃ ମେଡିକାଲ୍, ଇଞ୍ଜିନିୟରିଂ ଓ ବୃତ୍ତିଗତ ଶିକ୍ଷାରେ ଓବିସି ଛାତ୍ରଛାତ୍ରୀଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଲାଗି ଦାବି କରିଆସୁଛି । ଏହାସହ ନିଯୁକ୍ତି କ୍ଷେତ୍ରରେ ଏସଇବିସିଙ୍କ ଲାଗି ୨୭ ପ୍ରତିଶତ ସଂରକ୍ଷଣ କରାଯାଉ ବୋଲି ଦଳ ଦାବି ଜଣାଇଛି । ସରକାର କିନ୍ତୁ କ୍ୟାବିନେଟରେ ତାହା କରିନାହାଁନ୍ତି କହି ସମାଲୋଚନା କରିଛନ୍ତି ବିଜେଡି ବିଧାୟକ ମନୋହର ରନ୍ଧାରୀ। ଗତକାଲି ସାମାଜିକ ଓ ଅର୍ଥନୈତିକ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖାରେ ୧୧.୨୫ ପ୍ରତିଶତ ସଂରକ୍ଷଣ ଦେବାକୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି । ଏହି ସଂରକ୍ଷଣ ନୀତି ଚଳିତ ଶିକ୍ଷା ବର୍ଷରୁ ରାଜ୍ୟର ସବୁ ସରକାରୀ ବିଶ୍ବବିଦ୍ୟାଳୟ, ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଲାଗୁ କରାଯିବ। ଏହା ସହିତ ଉଚ୍ଚଶିକ୍ଷାରେ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ଲାଗି ୨୨.୫ ପ୍ରତିଶତ, ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୧୬.୨୫ ପ୍ରତିଶତ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଲାଗି ୫ ପ୍ରତିଶତ ଓ ପୂର୍ବତନ ସେନାନୀଙ୍କ ପରିବାର ସଦସ୍ୟଙ୍କ ଲାଗି ୧ ପ୍ରତିଶତ ସଂରକ୍ଷଣ ପୂର୍ବ ପରି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

