ନନ୍ଦିଘୋଷ ବ୍ୟୁରୋ ; ଜମ୍ମୁ-କାଶ୍ମୀରର ପୁଲୱାମାରେ ସୁରକ୍ଷା ବାହିନୀ ସହିତ ଗୁଳି ବିନିମୟରେ ୩ ଜୈଶ ଆତଙ୍କବାଦୀ ନିହତ। ପୁଲୱାମା ଜିଲ୍ଲାର ତ୍ରାଲ ଅଞ୍ଚଳର ନାଦିର ଗାଁରେ ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହା ହେଉଛି ୪୮ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଏନକାଉଣ୍ଟର। ଏହା ଆଗରୁ ମଙ୍ଗଳବାର ଶୋପିଆନରେ ତିନି ଜଣ ଲସ୍କର-ଏ-ତୈବା ଆତଙ୍କବାଦୀ ନିହତ ହୋଇଥିଲେ। ଆଜି ଭୋରରୁ ତ୍ରାଲ ଅଞ୍ଚଳର ନାଦିର ଗାଁରେ ଏନକାଉଣ୍ଟର ହୋଇଥିଲା। ଗୁଳି ବିନିମୟରେ ଜୈଶ-ଏ-ମହମ୍ମଦର ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନେ ହେଲେ ଆସିଫ ଅହମ୍ମଦ ଶେଖ, ଆମିର ନାଜିର ୱାନି ଏବଂ ୟୱାର ଅହମ୍ମଦ ଭଟ୍ । ସେମାନେ ସମସ୍ତେ ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାର ବାସିନ୍ଦା। ୨୦୨୩ ମସିହାରେ ସେମାନେ ଲସ୍କରରେ ଯୋଗ ଦେଇଥିବା ଜଣାପଡ଼ିଛି। ଗତ ବର୍ଷ ଏପ୍ରିଲ ୮ ତାରିଖରେ ଡେନିସ୍ ରିସର୍ଟରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଜଡିତ ଥିଲେ ଏହି ଆତଙ୍କବାଦୀ। ସେମାନଙ୍କ ଆକ୍ରମଣରେ ଦୁଇ ଜଣ ଜର୍ମାନ ପର୍ଯ୍ୟଟକ ଏବଂ ଜଣେ ଡ୍ରାଇଭର ଆହତ ହୋଇଥିଲେ। ଗତ ବର୍ଷ ମେ ମାସରେ ଶୋପିଆନର ହିରପୋରାରେ ଜଣେ ବିଜେପି ସରପଞ୍ଚଙ୍କ ହତ୍ୟାରେ ମଧ୍ୟ ଏହି ଆତଙ୍କବାଦୀ ସଂପୃକ୍ତ ଥିଲେ।
ଓୟୋ ହୋଟେଲରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ, ପୁରୁଷ ବନ୍ଧୁ ଅଟକ
ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ଵରରେ ଓୟୋ ହୋଟେଲରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ତନାଘନା ଆରମ୍ଭ । ପୁରୁଷବନ୍ଧୁଙ୍କୁ ଅଟକ ରଖିଲା ଖଣ୍ଡଗିରି ଥାନା ପୋଲିସ । ଗତକାଲି ବିଳମ୍ବିତ ରାତିରେ ଜାଗମରା ସ୍ଥିତ ଦାସ ଇନ ନାମକ ଏକ ଓୟୋ ହୋଟେଲରୁ ଛାତରୁ ପଡ଼ି ଯୁବତୀଙ୍କ ମୃତ୍ୟୁ ହୋଇଥିଲା । ମୃତ ଯୁବତୀ ନୟାଗଡ଼ ଅଞ୍ଚଳରେ ସୋନାଲି ମହାପାତ୍ର । ସେ ଏକ ଘରୋଇ ବ୍ୟାଙ୍କରେ ଚାକିରୀ କରୁଥିଲେ । ଘଟଣାରେ ପୁରୁଷବନ୍ଧୁ ବିଭୁତି ପ୍ରତିହାରୀଙ୍କୁ ଅଟକ ରଖିଛି ପୋଲିସ । ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ସେପଟେ ଦୁହିଁଙ୍କ ଭିତରେ ଗଣ୍ଡଗୋଳ ପରେ ଯୁବତୀ ଜଣଙ୍କ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ ।
ଭିଜିଲାନ୍ସ ଜାଲରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଏବିଡିଓ
ଯାଜପୁର : ଭିଜିଲାନ୍ସ ଜାଲରେ ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ ଅସିତ କୁମାର ପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ । ଯାଜପୁର ଜିଲ୍ଲା ସୁନ୍ଦରିମୁହାଣ ସ୍ଥିତ ଗରଡେଶ୍ଵରରେ ପୈତୃକ ଘର, କାର୍ଯ୍ୟାଳୟ, ସରକାରୀ କ୍ଵାର୍ଟର ସହିତ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍ । କଟକ, ଭଦ୍ରକ ଓ ଭୁବନେଶ୍ଵରରେ ମଧ୍ୟ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ସାନବନସ୍ତ ଗାଁର ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ କରୁଛି ଭିଜିଲ୍ସା ଟିମ୍ । ଚଢ଼ାଉରେ ଯାଜପୁର ରୋଡ୍ ସ୍ଥିତ କହ୍ନେଇପୁରର ଚୋରଡ଼ାରେ ଏକ ୪ ମହଲା କୋଠା ଠାବ ହୋଇଛି । ଭୁବନେଶ୍ଵର ଚନ୍ଦ୍ରଶେଖରପୁରରେ ଏକ ପ୍ଲଟ, କଟକ ଜିଲ୍ଲାର ଚାଉଳିଗଞ୍ଜରେ ଫ୍ଳାଟ ଠାବ ହୋଇଛି । ଧର୍ମଶାଳା ବ୍ଲକରେ ୩ ଜଣ ଡିଏସପି ଓ ୩ ଜଣ ଇନ୍ସେପେକ୍ଟର ଯାଞ୍ଚ କରୁଛନ୍ତି ସମସ୍ତ ପ୍ରକାର କାଗଜ ପତ୍ର ଯାଞ୍ଚ କରୁଛନ୍ତି।
ପାରଳାଖେମୁଣ୍ଡିରେ ବିଷ ପିଇ ବାପା, ପୁଅ ଓ ଝିଅର ମୃତ୍ୟୁ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ବିଷ ପିଇ ବାପା, ପୁଅ, ଝିଅର ମୃତ୍ୟୁ। ଅଭିଯୋଗ ଅନୁସାରେ ପାରଳାଖେମୁଣ୍ଡି ପାରଳା ସାହିର ଶୁଭାଶିଷ ପାଣିଗ୍ରାହୀ ଗତକାଲି ନିଜ ପୁଅ ଝିଅଙ୍କୁ ବିଷ ପିଆଇବା ସହିତ ନିଜେ ବିଷ ପିଇ ଦେଇଥିଲେ। ଗତକାଲି ପୁଅ ବିଜୟାନନ୍ଦର ମୃତ୍ୟୁ ହୋଇଥିବା ବେଳେ ରାତିରେ ଝିଅ ପ୍ରିୟଦର୍ଶନୀର ମୃତ୍ୟୁ ହୋଇଥିଲା। ଆଜି ସକାଳେ ଶୁଭାଶିଷଙ୍କ ମୃତ୍ୟୁ ହୋଇଛି। ପୁଅର ବୟସ ମାତ୍ର ୮ ବର୍ଷ ହୋଇଥିବା ବେଳେ ଝିଅର ବୟସ ମାତ୍ର ୧୧ ବର୍ଷ ହୋଇଥିଲା। ଗତକାଲି ବାପା ଓ ପୁଅକୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ହୋଇଛି। ପ୍ରାୟ ଦୁଇ ମାସରେ ଶୁଭାଶିଷଙ୍କ ପତ୍ନୀ ଶ୍ଵେତା ମଞ୍ଜୀରଙ୍କ ମଧ୍ୟ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା। ବିଷ କ୍ରିୟାରୁ ତାଙ୍କର ମୃତ୍ଯୁ ହୋଇଥିବା ଜଣାପଡ଼ିଥିଲା।
ପାକିସ୍ତାନରେ ସେନା ସମର୍ଥକ ରାଲି ଉପରେ ଗ୍ରେନେଡ୍ ମାଡ଼
ନନ୍ଦିଘୋଷ ବ୍ୟୁରୋ : ବୁଧବାର ଦିନ ଦକ୍ଷିଣ-ପଶ୍ଚିମ ପାକିସ୍ତାନରେ ଏକ ସେନା ସମର୍ଥକ ରାଲିରେ ଗ୍ରେନେଡ ମାଡ କରାଯାଇଛି । ଏକ ମୋଟରସାଇକେଲରେ ଆସି ଜଣେ ସନ୍ଦିଗ୍ଧ ବ୍ୟକ୍ତି ଗ୍ରେନେଡ ଫିଙ୍ଗିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ପୋଲିସ ମୁଖ୍ୟ ମହମ୍ମଦ ମାଲାଘାନି କହିଛନ୍ତି, ଆକ୍ରମଣଟି ବେଲୁଚିସ୍ତାନ ପ୍ରଦେଶର ରାଜଧାନୀ କ୍ୱେଟାରେ ଘଟିଥିଲା। ସେ କହିଛନ୍ତି ଯେ ପ୍ରାୟ ୧୫୦ ଜଣ ଲୋକ କାର ଓ ମୋଟରସାଇକେଲରେ ସହରର ଏକ ହକି ଗ୍ରାଉଣ୍ଡ ଆଡକୁ ଯାଉଥିଲେ ଯେଉଁଠାରେ ଭାରତ ବିରୁଦ୍ଧରେ ପାକିସ୍ତାନ ସେନାର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରି ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେହି ସମୟରେ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଗ୍ରେନେଡ୍ ଫିଙ୍ଗିଥିଲେ। ସେ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ସରକାରଙ୍କ ଦ୍ୱାରା ଆୟୋଜିତ ହୋଇଥିଲା। ସରକାରୀ ହସ୍ପିଟାଲର ମୁଖପାତ୍ର ୱାସିମ ବେଗ୍ କହିଛନ୍ତି, ଆହତଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏହି ଆକ୍ରମଣରେ କୌଣସି ସଂଗଠନ ନଜକୁ ଦାୟୀ କରିନଥିବା ବେଳେ ବାଲୁଚ୍ ଲିବରେସନ୍ ଆର୍ମି ଉପରେ ସନ୍ଦେହ କରାଯାଉଛି ।
ସାଧାରଣ ଲୋକଙ୍କୁ କାନାଡା ନୂଆ ସରକାରଙ୍କ ଉପହାର, କମାଇଲେ ଟିକସ
ନନ୍ଦିଘୋଷ ବ୍ୟୁରୋ ; କାନାଡାର ନୂଆ ସରକାର ଲୋକଙ୍କୁ ଉପହାର ଦେଇଛନ୍ତି । ମଧ୍ୟବିତ୍ତ ବର୍ଗଙ୍କ ପାଇଁ ଟିକସ ରିହାତି ଘୋଷଣା କରିଛନ୍ତି ସରକାର । ନୂଆ କ୍ୟାବିନେଟ ଗଠନ ପରେ ମଧ୍ୟବିତ୍ତ ବର୍ଗଙ୍କ ପାଇଁ ଟିକସ ରିହାତି ଘୋଷଣା । ୧ ଜୁଲାଇ ୨୦୨୫ ଠାରୁ ବ୍ୟକ୍ତିଗତ ଆୟକର ହାର ୧୫ ପ୍ରତିଶତରୁ ୧୪ ପ୍ରତିଶତକୁ ହ୍ରାସ କରାଯିବ। ଏହି ହ୍ରାସ ଦ୍ୱାରା ପ୍ରାୟ ୨ କୋଟି ୨୦ ଲକ୍ଷ କାନାଡିଆନ ଉପକୃତ ହେବେ ବୋଲି ଆଶା କରାଯାଉଛି।
ସରକାରୀ ଆକଳନ ଅନୁଯାୟୀ, ୨୦୨୬ ସୁଦ୍ଧା ଦୁଇ ଆୟକାରୀ ପରିବାର ବାର୍ଷିକ ୮୪୦ ଆମେରିକୀୟ ଡଲାର ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ। ଏହି ଆଇନ ୧ ଜୁଲାଇ ୨୦୨୫ ରୁ କାର୍ଯ୍ୟକାରୀ ହେବ। ସରକାର କହିଛନ୍ତି ଯେ ଏହି ଟିକସ ହ୍ରାସ କଠିନ ପରିଶ୍ରମୀ କାନାଡିଆନମାନଙ୍କୁ ସେମାନଙ୍କର ଦରମାର ଅଧିକ ସଂରକ୍ଷଣ କରିବାରେ ସାହାଯ୍ୟ କରିବ ଯାହା ଦ୍ୱାରା ସେମାନେ ସେମାନଙ୍କର ଆବଶ୍ୟକତା ପୂରଣ କରିପାରିବେ। ବିବୃତ୍ତିରେ କୁହାଯାଇଛି, ଏଥି ଯୋଗୁଁ କାନାଡିଆନମାନେ ୨୦୨୫-୨୬ ରୁ ଆରମ୍ଭ କରି ପାଞ୍ଚ ବର୍ଷ ମଧ୍ୟରେ ୨୭ ବିଲିୟନ ଆମେରିକୀୟ ଡଲାରରୁ ଅଧିକ ଟିକସ ସଞ୍ଚୟ କରିବେ ବୋଲି ଆଶା କରାଯାଉଛି।
କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି କହିଛନ୍ତି, ଟିକସ ହ୍ରାସ କଠିନ ପରିଶ୍ରମୀ କାନାଡିଆନମାନଙ୍କୁ ସାହାଯ୍ୟ କରିବ ଏବଂ ସେମାନେ ଏବେ ସେମାନଙ୍କର ଦରମାରୁ ଅଧିକ ସଞ୍ଚୟ କରିପାରିବେ । ଯାହା ଫଳରେ ପରିବାର ପାଇଁ ପ୍ରତିବର୍ଷ ୮୪୦ ଆମେରିକୀୟ ଡଲାର ପର୍ଯ୍ୟନ୍ତ ସଞ୍ଚୟ ହୋଇପାରିବ।
ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ, ଚାଲିଛି ସର୍ଚ୍ଚ ଅପରେସନ
ନନ୍ଦିଘୋଷ ବ୍ୟୁରୋ : ଆଜି ସକାଳେ, ଜମ୍ମୁ ଏବଂ କାଶ୍ମୀରର ତ୍ରାଲରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା। ଏନକାଉଣ୍ଟର ଏବେ ବି ଜାରି ରହିଛି । ସୁରକ୍ଷା ବାହିନୀ ଜଙ୍ଗଲକୁ ଘେରି ରହିଛନ୍ତି। ଏନକାଉଣ୍ଟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଅବନ୍ତିପୋରା ଜିଲ୍ଲାର ତ୍ରାଲ ସହରର ନାଦେର ଅଞ୍ଚଳରେ ଏହି ଏନକାଉଣ୍ଟର ଚାଲିଛି। ସୁରକ୍ଷା ବାହିନୀକୁ ଜଣେ ଖବରଦାତାଙ୍କଠାରୁ ସୂଚନା ମିଳିଥିଲା ଯେ ତ୍ରାଲ ଜଙ୍ଗଲରେ ୨ ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଛନ୍ତି। ଗତ ୪୮ ଘଣ୍ଟା ମଧ୍ୟରେ ପୁଲୱାମାରେ ଆତଙ୍କବାଦୀଙ୍କ ସହ ଏହା ଦ୍ୱିତୀୟ ଏନକାଉଣ୍ଟର। ପୂର୍ବରୁ ଶୋପିଆନରେ ତିନି ଜଣ ଲସ୍କର-ଏ-ତୈବା ଆତଙ୍କବାଦୀଙ୍କୁ ନିହତ କରାଯାଇଥିଲା।
ଚଳନ୍ତା ବସରେ ନିଆଁ ଲାଗି ୫ ଜଣ ଜୀବନ୍ତ ଦଗ୍ଧ
ଲକ୍ଷ୍ନୌ: ଗୁରୁବାର ସକାଳେ ଲକ୍ଷ୍ନୌରେ ଏକ ସ୍ଲିପର ବସ୍ରେ ନିଆଁ ଲାଗିଯିବାରୁ ପାଞ୍ଚ ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ପ୍ରାୟ ୬୦ ଜଣ ଯାତ୍ରୀଙ୍କୁ ନେଇ ଡବଲ୍ ଡେକର ବସ୍ଟି ବିହାରରୁ ଦିଲ୍ଲୀ ଯାଉଥିବା ବେଳେ ସକାଳେ ଲକ୍ଷ୍ନୌ ଦେଇ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ, ୨ ଜଣ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି। ଏହି ବସ୍ ବିହାରରୁ ଦିଲ୍ଲୀ ଯାଉଥିଲା। ଦୁର୍ଘଟଣାଟି ସକାଳ ୫ଟାରେ ଆଉଟର ରିଙ୍ଗ ରୋଡର ମୋହନଲାଲଗଞ୍ଜ ନିକଟରେ ଘଟିଥିଲା। ଦୁର୍ଘଟଣା ସମୟରେ ଅଧିକାଂଶ ଯାତ୍ରୀ ଶୋଇଥିବା କୁହାଯାଉଛି।
ଯାତ୍ରୀଙ୍କ କହିବା ଅନୁଯାୟୀ, ଚଳନ୍ତା ବସ୍ଟି ହଠାତ୍ ଧୂଆଁରେ ଭର୍ତ୍ତି ହୋଇଗଲା । ବସ୍ ଡ୍ରାଇଭର ଏବଂ କଣ୍ଡକ୍ଟର ବସ୍ ଛାଡି ଦୌଡ଼ି ପଳାଇଥିଲେ। ଡ୍ରାଇଭର ସିଟ ପାଖରେ ସିଟରୁ ଯାତ୍ରୀମାନଙ୍କୁ ଓହ୍ଲାଇବାରେ ଅସୁବିଧା ହେଉଥିଲା। ଶୀଘ୍ର ଓହ୍ଲାଇବା ସମୟରେ ଅନେକ ଯାତ୍ରୀ ଫସି ଯାଇ ପଡ଼ିଥିଲେ। ପାଖରେ ଥିବା ଲୋକମାନେ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।
ଦମକଳ ଗାଡ଼ି ପହଞ୍ଚିବା ବେଳକୁ ବସ୍ଟି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଥିଲା। ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅଗ୍ନିଶମ ବାହିନୀ କର୍ମଚାରୀମାନେ ପ୍ରାୟ ୩୦ ମିନିଟ୍ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ଓ ଭିତରୁ ପାଞ୍ଚଟି ମୃତଦେହ ଉଦ୍ଧାର କରିଥିଲେ। ପୋଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ବସ୍ର ଜରୁରୀକାଳୀନ ଗେଟ୍ ଖୋଲି ନଥିଲା, ଯାହା ଫଳରେ ପଛରେ ବସିଥିବା ଲୋକମାନେ ଫସି ଯାଇଥିଲେ।
ବାଲେଶ୍ଵର ଭୋଗରାଇରେ ସିରିଜ ଲୁଟ୍
ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଳକ୍ ବେଣୁଦା ଜଗନ୍ନାଥ ମନ୍ଦିରରୁ ଲୁଟ । ବିଳମ୍ବିତ ରାତିରେ ମନ୍ଦିରରୁ ଲୁଟ ହେଇଛି। ମନ୍ଦିରର ମୁଖ୍ୟ ଗେଟ୍ ତାଲା କାଟି ସୁନା ଅଳଙ୍କାର, ଦାନ ହୁଣ୍ଡି, ମାଇକ୍ ସେଟ୍, ଇନଭେଟର ନେଇ ଯାଇଛନ୍ତି ଚୋରମାନେ। କମର୍ଦ୍ଦା ପୋଲିସକୁ ଗାଁ ଲୋକେ ଖବର ଦେଇଛନ୍ତି। ଲୋକଙ୍କ ଅଭିଯୋଗ ଏହି ଅଞ୍ଚଳରେ ଚୋର ଡକାୟତ ଆତଙ୍କ ଖେଳାଇଥିଲେ ମଧ୍ୟ ପୋଲିସ ସେମାନଙ୍କୁ ଧରି ପାରିନି। ଏହି ମନ୍ଦିରରୁ ଦୁଇ ବର୍ଷ ଭିତରେ ତିନି ଥର ଚୋରି ହେଲାଣି। ସେହିପରି ଭୋଗରାଇ ଥାନା ଝକଝକିରେ ଥିବା ସିତଳା ମନ୍ଦିର ଓ କାଳି ମନ୍ଦିରରୁ ମଧ୍ୟ ଚୋରି ହୋଇଥିବାର ଜଣାପଡ଼ିଛି। ଦୁର୍ବୃତ୍ତମାନେ ଅଳଙ୍କାର ଓ ଦାନ ହୁଣ୍ଡି ନେଇ ଯାଇଛନ୍ତି।
ଏନକାଉଣ୍ଟରରେ ୧୦ ଜଣ ଉଗ୍ରପନ୍ଥୀ ନିହତ
ନନ୍ଦିଘୋଷ ବ୍ୟୁରୋ : ମଣିପୁରର ଚାଣ୍ଡେଲରେ ଭାରତ-ମିଆଁମାର ସୀମା ନିକଟରେ ଏନକାଉଣ୍ଟରରେ ୧୦ ଜଣ ଉଗ୍ରପନ୍ଥୀ ନିହତ । ଚାଣ୍ଡେଲ ଜିଲ୍ଲାର ଖେଙ୍ଗଜୋୟ ତହସିଲର ନ୍ୟୁ ସାମତାଲ ଗାଁରେ ସର୍ଚ୍ଚ ଅପରେସନ କରୁଥିବା ସୁରକ୍ଷା କର୍ମୀଙ୍କ ଉପରେ ଉଗ୍ରବାଦୀମାନେ ଗୁଳି ଚଳାଇବା ପରେ ସୁରକ୍ଷା ବାହିନୀ ପାଲଟା ଗୁଳିମାଡ଼ କରିଥିଲା । ସୁରକ୍ଷାବଳଙ୍କ ଗୁଳିବିନିମୟରେ ୧୦ଜଣ ଉଗ୍ରବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ ହୋଇଛି । ସଶସ୍ତ୍ର କ୍ୟାଡରଙ୍କ ଗତିବିଧି ସମ୍ପର୍କରେ ଗୁଇନ୍ଦା ବିଭାଗର ଗୁପ୍ତ ସୂଚନା ଆଧାରରେ ଭାରତ-ମିଆଁମାର ସୀମା ନିକଟରେ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ୍ କରୁଥିଲେ । ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି ।

