ନନ୍ଦିଘୋଷ ବ୍ୟୁରୋ: ରଜରେ ରିଲିଜ ହେବାକୁ ଯାଉଛି ଓଲିଉଡ ଷ୍ଟାର ବାବୁସାନଙ୍କ ବହୁ ଚର୍ଚ୍ଚିତ ସିନେମା ‘ବୋଉ ବୁଟୁ ଭୁତ’। କିନ୍ତୁ ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଏକ କ୍ଲିପ୍ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରା ଲାଗିଛି । ଗୋଟିଏ ପଟେ ପାଇରେସିକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାରେ ଆମେ ସମର୍ଥ ହୋଇନଥିବା ବେଳେ ଅପର ପକ୍ଷେ କ୍ଲିପ ଲିକ ହେବା ଘଟଣା ନିର୍ମାତା ନିର୍ଦ୍ଦେଶକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ତେବେ କେଉଁ ସୋର୍ସରୁ ଏହା ଲିକ ହୋଇଛି ଏବଂ କେଉଁ ଉଦ୍ଦେଶ୍ୟ ରଖି ଏପରି କରାଯାଇଛି ତାହା ଏପର୍ଯ୍ୟନ୍ତ ଜଣା ପଡି ନାହିଁ। ‘ବୋଉ ବୁଟୁ ଭୁତ’ର ବ୍ୟାବସାୟିକ ସଫଳତା ଉପରେ ଏହା ନିଶ୍ଚିତ ଭାବେ ପ୍ରଭାବ ପକାଇବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି। ଏହାକୁ ନେଇ ନିର୍ଦ୍ଦେଶକ ଜଗଦିଶ ମିଶ୍ର ଏବଂ ଅଭିନେତା ବାବୁସାନ ମହାନ୍ତି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ରାଜଧାନୀରେ ମାଡ଼ିଗଲା ହାଇଓ୍ବା, ଜଣେ ମୃତ
ନନ୍ଦିଘୋଷ ବ୍ୟୁରୋ: ରାଜଧାନୀ ଭୁବନେଶ୍ଵର ସ୍ଥିତ କଳିଙ୍ଗ ବିହାର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱା ମାଡ଼ିଯାଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି l ମୃତକ ଗଞ୍ଜାମ ଅଞ୍ଚଳର ଭଞ୍ଜ ନାୟକ । ସେ କଳିଙ୍ଗ ବିହାରରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ । ଆଜି ସକାଳୁ କାମକୁ ଯାଉଥିବା ବେଳେ କଳିଙ୍ଗ ବିହାର ଛକରେ ଖୋର୍ଦ୍ଧା ପଟୁ ଦ୍ରୁତଗତିରେ ଆସୁଥିବା ହାଇୱା ସ୍ପିଡ୍ ବ୍ରେକର ଡେଇଁ ଭଞ୍ଜ ନାୟକଙ୍କ ଉପରେ ମାଡ଼ିଯାଇଥିବା କହିଛନ୍ତି ପ୍ରତ୍ୟେକ୍ଷଦର୍ଶୀ । ଡ୍ରାଇଭର ଜଣଙ୍କ ଦ୍ରୁତ ଗତିରେ ଥିବା ବେଳେ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟି ଜଣେ ନିରିହ ଗରିବ ଲୋକଙ୍କ ଜୀବନ ଯାଇଛି । ଖବର ପାଇ ମୃତକଙ୍କ ସ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ସ୍ଵାମୀର ମୃତଦେହ ନିକଟରେ ବାହୁନି ବାହୁନି କାନ୍ଧୁଥିବାର ଦେଖିବାକୁ ମିଳିଛି । ଘରେ କେହି ରୋଜଗାରିଆ ନଥିବାରୁ ମହିଳାଙ୍କୁ ଆର୍ଥିକ ସହାୟତା ପାଇଁ ଦାବି କରିଛନ୍ତି ସାଧାରଣ ଲୋକେ । ସେପଟେ ବେପରୁଆ ଗାଡ଼ି ଚାଳନା ପାଇଁ ଲଗାତାର କିଛି ଦିନ ହେବ ଏଭଳି ସଡକ ଦୁର୍ଘଟଣା ଘଟୁଥିବା କହିଛନ୍ତି ସ୍ଲୋଥାନୀୟ ଲୋକେ ।
ପୂରଣ ହେବାକୁ ଯାଉଛି ରୋହିତଙ୍କ ସ୍ବପ୍ନ
ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ଜୀବନର ସବୁଠୁ ବଡ଼ ଖୁସିର ଦିନ ଆସୁଛି । ବାପାଙ୍କ ଦୀର୍ଘଦିନର ସ୍ବପ୍ନ ପୂରଣ ହେବାକୁ ଯାଉଛି । ମୁମ୍ବାଇର ଓ୍ବାଖଡେ ଷ୍ଟାଡିୟମରେ ଏକ ଷ୍ଟାଣ୍ଡ ହେବାକୁ ଯାଉଛି । ରୋହିତ ଶର୍ମା ୧୩ ମଇରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ ପାଇଁ ମୁମ୍ବାଇରେ ରହିବେ। ଏହି କାରଣରୁ ମୁମ୍ବାଇ କ୍ରିକେଟ ଆସୋସିଏସନ ୱାଙ୍ଖେଡେ ଷ୍ଟାଡିୟମର ଏକ ଷ୍ଟାଣ୍ଡକୁ ତାଙ୍କ ନାମରେ ନାମିତ କରିବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ମେ ୧୫ ତାରିଖରେ ୱାଙ୍ଖଡେ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳିବ।
ଯେତେବେଳେ ରୋହିତ ଶର୍ମାଙ୍କ ନାମରେ ୱାଙ୍ଖଡେରେ ଏକ ଷ୍ଟାଣ୍ଡ ନିର୍ମାଣ କରାଯାଏ, ତାଙ୍କ ବାପାମାଆ ତାଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରୁଥିବାର ଦେଖାଯାଏ। ପ୍ରକୃତରେ, ରୋହିତ ଶର୍ମା ବିମଲ କୁମାରଙ୍କ ସହ କଥାବାର୍ତ୍ତାରେ କହିଥିଲେ ଯେ ତାଙ୍କ ବାପାମା ଷ୍ଟାଡିୟମରେ ଅଧିକ ମ୍ୟାଚ୍ ଦେଖନ୍ତି ନାହିଁ। କିନ୍ତୁ ସେ ସେମାନଙ୍କୁ କହିଛନ୍ତି ଯେ ଯେତେବେଳେ ୱାଙ୍ଖଡେରେ ସେମାନଙ୍କ ନାମରେ ଏକ ଷ୍ଟାଣ୍ଡ ନାମିତ ହେବ, ସେମାନଙ୍କୁ ମ୍ୟାଚ୍ ଦେଖିବା ପାଇଁ ସେଠାରେ ଆସି ବସିବାକୁ ପଡିବ।
ଗାଜା ଦଖଲ ପାଇଁ ଇସ୍ରାଏଲର ବଡ଼ ଯୋଜନା
ନନ୍ଦିଘୋଷ ବ୍ୟୁରୋ: ସଂପୂର୍ଣ୍ଣ ଗାଜା ଦଖଲ ପାଇଁ ଇସ୍ରାଏଲର ବଡ଼ ଯୋଜନା । କ୍ୟାବିନେଟରେ ହେଲା ନିଷ୍ପତ୍ତି। ଆକ୍ରମଣକୁ ଜୋରଦାର କରି ସଂପୂର୍ଣ୍ଣ ଗାଜା ଅକ୍ତିଆର କରିବାକୁ ପ୍ଲାନ କରାଯାଇଛି। ପାଲେଷ୍ଟାଇନବାସୀଙ୍କୁ ତଡ଼ି ଇହୁଦୀଙ୍କୁ ଥଇଥାନ କରିବାକୁ ନେତାନ୍ୟାହୁଙ୍କ ବଡ଼ ଯୋଜନା ରହିଛି। ଇସ୍ରାଏଲ ନୂତନ ଯୋଜନା ଅନୁଯାୟୀ ସମଗ୍ର ଗାଜାକୁ କବଜା କରାଯିବ। ସର୍ତ୍ତ ଅନୁଯାୟୀ ବନ୍ଧକମାନଙ୍କୁ ମୁକ୍ତ କରିବା ଏବଂ ଯୁଦ୍ଧବିରତି ପାଇଁ ହମାସ ଉପରେ ଚାପ ବୃଦ୍ଧି କରିବା ପାଇଁ ଇସ୍ରାଏଲର ପ୍ରୟାସର ଏକ ଅଂଶ ହେଉଛି ଏହି ଯୋଜନା। ଇସ୍ରାଏଲର ସୁରକ୍ଷା କ୍ୟାବିନେଟ ଗତକାଲି ସମସ୍ତ ଗାଜା ଷ୍ଟ୍ରିପକୁ କବଜା କରିବା ଏବଂ ସେଠାରେ ଅନିର୍ଦ୍ଦିଷ୍ଟ ସମୟ ପାଇଁ ରହିବା ପାଇଁ ଏକ ଯୋଜନାକୁ ଅନୁମୋଦନ କରିଛି। ଏହି ଯୋଜନା ହେଉଛି ହମାସ ଉପରେ ବନ୍ଧକମାନଙ୍କୁ ମୁକ୍ତ କରିବା । ଇସ୍ରାଏଲର ସର୍ତ୍ତାବଳୀରେ ଯୁଦ୍ଧବିରତି ପାଇଁ ଆଲୋଚନା କରିବା ପାଇଁ ଚାପ ବୃଦ୍ଧି କରିବା ପାଇଁ ଇସ୍ରାଏଲର ପ୍ରୟାସର ଏକ ଅଂଶ। ଲକ୍ଷ ଲକ୍ଷ ପାଲେଷ୍ଟାଇନବାସୀଙ୍କୁ ଦକ୍ଷିଣ ଗାଜାକୁ ସ୍ଥାନାନ୍ତରିତ କରାଯିବ। ଦରକାର ପଡି଼ଲେ ପରେ ଇସ୍ରାଏଲବାସିନ୍ଦାଙ୍କୁ ଗାଜାରେ ଥଇଥାନ କରିବାକୁ ମଧ୍ୟ ଯୋଜନା କରାଯାଇଛି।
ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା
ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା। ୨୪ ଘଣ୍ଟାରେ ୩ ରୁ ୫ ଡିଗ୍ରୀ କମିବ ଦିନର ତାପମାତ୍ରା । ଆଜି ବି ପ୍ରବଳ ବର୍ଷା ନେଇ ୯ ଜିଲ୍ଲାକୁ ୟେଲୋ ଓ୍ବାର୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ସବୁ ଜିଲ୍ଲାରେ ବର୍ଷା ସହିତ ଝଟକା ପବନର ବେଗ ୬୦ ରୁ ୭୦ କିମି ରହିପାରେ। କାଲିଠୁ ୯ ତାରିଖ ପର୍ଯ୍ୟନ୍ତ ବର୍ଷାକୁ ନେଇ କୌଣସି ସତର୍କତା ଜାରି ହୋଇନାହିଁ।୩ ଦିନ ପରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ବଢିପାରେ।
ବର୍ଷା ପାଇଁ ପ୍ଲେଅଫରୁ ବାଦ ପଡ଼ିଲା ହାଇଦ୍ରାବାଦ, ଦିଲ୍ଲୀକୁ ହେଲା ଫାଇଦା..
ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ୨୦୨୫ର ପ୍ରତିଟି ମ୍ୟାଚ ବେଶ ରୋମାଞ୍ଚକ ହେଉଛି । ତେବେ ପ୍ଲେଅଫ ରେସରେ ରହିଛନ୍ତି ୭ ଟିମ୍ । ସୋମବାର ଦିଲ୍ଲୀ କ୍ୟାପିଟାଲ ଏବଂ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ବର୍ଷା ବାଧକ ସାଜିଥିଲା । ଯେଉଁଥିରେ ପଏଣ୍ଟ ଭାଗ ବଣ୍ଟା ହୋଇଥିଲା । ପ୍ରଥମେ ଦିଲ୍ଲୀ ବ୍ୟାଟିଂ କରି ୧୩୩ ରନ କରିଥିଲା । ହାଇଦ୍ରାବାଦ ଆଗରେ ୧୩୪ ରନର ବିଜୟ ଲକ୍ଷ୍ୟ ରହିଥିଲା । ମାତ୍ର ବର୍ଷା କାରଣରୁ ପଏଣ୍ଟ ଭାଗ ବଣ୍ଟା ହୋଇଛି । ଯାହାଦ୍ବାରା ହାଇଦ୍ରାବାଦ ଏକପ୍ରକାର ପ୍ଲେଅଫ୍ ରେସରୁ ବାଦ୍ ପଡ଼ିଛି । ସେପଟେ ଏହି ୧ ପଏଣ୍ଟ ଦ୍ବାରା ଦିଲ୍ଲୀ ୧୩ ପଏଣ୍ଟ ପାଇଛି । ଦଳକୁ ଏହାଦ୍ବାରା ଭଲ ଫାଇଦା ହୋଇଛି ।
ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ମୁନିର ! ମାନିଲା ପାକିସ୍ତାନ..
ନନ୍ଦିଘୋଷ ବ୍ୟୁରୋ: ମାନିଲା ପାକିସ୍ତାନ। ପହଲଗାଁଓ ଆକ୍ରମଣର ମାଷ୍ଟର ମାଇଣ୍ଡ ହେଉଛନ୍ତି ପାକିସ୍ତାନର ଆର୍ମି ଚିଫ୍ ଅସିମ ମୁନିର। ସେ ହିଁ ଏହି ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା କହିଛନ୍ତି, ପାକ୍ ର ପୂର୍ବତନ ସେନା ମେଜର ଆଦିଲ ରାଜା। ସେ କହିଛନ୍ତି, ଆଉ ଜଣେ ଜିଆ ଉଲ ହକ ହେବାକୁ ଚାହୁଁଛନ୍ତି। ପାକ୍ ଆର୍ମି ଚିଫ୍ ଅସୀମ ମୁନିର ପାକିସ୍ତାନର ସର୍ବେସର୍ବା ଏକଛତ୍ରବାଦୀ ଶାସକ ହେବାକୁ ଚାହୁଁଛନ୍ତି। ସେଥିପାଇଁ ଭାରତ ଉପରେ ଆକ୍ରମଣ କରିଛନ୍ତି ମୁନିର।
ଏହି ଖୁଲାସା କରିଛନ୍ତି ପାକିସ୍ତାନର ପୂର୍ବତନ ମେଜର ଆଦିଲ ରାଜା। ସେ କହିଛନ୍ତି, ଆତଙ୍କୀ ଆକ୍ରମଣ କରିବାକୁ ପାକ୍ ସେନାମୁଖ୍ୟଙ୍କ ନିର୍ଦ୍ଦେଶ ଥିଲା। ପହଲଗାଁଓରେ ଆକ୍ରମଣ କରିବାକୁ ଅସୀମ ମୁନିର ହିଁ ନିର୍ଦ୍ଦେଶ ଦେଇଥିଲେ ବୋଲି କହିଛନ୍ତି ଆଦିଲ ରାଜା।
ଆହୁରି ଶକ୍ତିଶାଳୀ ହେଲା ଭାରତୀୟ ନୌସେନା, MIGM ମିଜାଇଲର ସଫଳ ପରୀକ୍ଷା
ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ନୌସେନା ପରୀକ୍ଷା କଲା MIGM ମିଜାଇଲ । MIGM ହେଲା ମଲ୍ଟି ଇନଫ୍ଲୁଏନ୍ସ ଗ୍ରାଉଣ୍ଡ ମାଇନ । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ଏହି MIGM ମିସାଇଲ । ଏହା ନୌସେନାର ଶକ୍ତି ବୃଦ୍ଧି କରିବାରେ ମାଇଲଖୁଣ୍ଟ ହେବ । ସେଥିପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ DRDO, ନୌସେନାକୁ ଶୁଭେଚ୍ଛା ଜଣାଇଛନ୍ତି । ପହଲଗାଓଁ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚି ଥିବା ବେଳେ ଭାରତୀୟ ନୌସେନା ଏହି ମିସାଇଲର ପରୀକ୍ଷା କରିଛି ।
ବିକାଶ ପାଇଁ ଦେଇଥିଲେ ଶହେ ଦିନର କଣ୍ଟ, ପୂରିଲାଣି ୩୩୦ ଦିନ; ବିକାଶ କାମ ଠପ
ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ସରକାର ଚାଲିବା ଭଳି ଲାଗୁନି । ବିଜେପି ଯେପରି ଭାବେ ସରକାର ଚଳାଇଛି ଲୋକେ ଅତିଷ୍ଟ ହେଲେଣି । ପ୍ରଶ୍ନ ଉଠାଇ ବିଜେଡି ଅଭିଯୋଗ କରିଛି ବିକାଶମୂଳକ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ । ୧୦୦ ଦିନର ନିର୍ବାଚନୀ ପ୍ରତିଶ୍ରୁତି ଏବେ ୩୩୦ ଦିନରେ ପହଞ୍ଚିଲାଣି । ଆଗେ ସରକାର ବିକାଶର ହିସାବ ଦିଅନ୍ତୁ । ପରେ ରାଜ୍ୟବାସୀଙ୍କ ତରଫରୁ ବିଜେଡି ହିସାବ ମାଗିବ । କଂଗ୍ରେସ ମଧ୍ୟ ଅଭିଯୋଗ କରି କହିଛି, ଏବେର ରାଜ୍ୟ ସରକାର ସବୁ କ୍ଷେତ୍ରରେ ବିଫଳ ।
ବିକାଶ ପାଇଁ ୧୦୦ ଦିନ କଣ୍ଟ ଦେଇଥିଲ । ଏବେ ୩୩୦ ଦିନ ପୂରିବାକୁ ବସିଲାଣ । ରାଜ୍ୟ ସରକାରଙ୍କୁ ବିଜେଡିର ଖୋଲା ଚାଲେଞ୍ଜ୍ । କ’ଣ କରିଛ ବିକାଶ ? ଜବାବ ମାଗୁଛନ୍ତି ଲୋକେ । ଆଗ ଲୋକଙ୍କୁ ହିସାବ ଦିଅ । ପରେ ରାଜ୍ୟବାସୀଙ୍କ ତରଫରୁ ସରକାରଙ୍କୁ ହିସାବ ମାଗିବ ବିଜୁ ଜନତା ଦଳ । ୨୦୨୪ ନିର୍ବାଚନରେ ବିଜେପି ଓଡିଶାବାସୀଙ୍କ ଦେଇଥିବା ପ୍ରତିଶ୍ରୁତି କେତେ ପାଳନ କରିଛି ? ବିକାଶର ଚିତ୍ର ଦେଖାଇ ଶାସକ ଦଳ ଯେଉଁ ହିସାବ ଦେବ ସେ ସବୁ ବେହିସାବ ବୋଲି ଧରାଯିବ । ୧୧ ମାସର ବିଜେପି ସରକାର ଉପରେ ଅତିଷ୍ଠ ଲୋକେ । ଯଦି ଏବେ ନିର୍ବାଚନ ହୁଏ, ଅବସ୍ଥା ଖରାପ ହୋଇଯିବ । ଏପରି କହି ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଅଭିଯୋଗ କରିଛନ୍ତି, ଓଡିଶାବାସୀଙ୍କୁ ସେବା ଦେବାରେ ରାଜ୍ୟ ସରକାରଙ୍କ ସବୁ ବିଭାଗ ବିଫଳ । ୩୦୦ ୟୁନିଟ ମାଗଣା ବିଜୁଳି, ଚିଟଫଣ୍ଡ, ଧାନର କଟନିଛଟନି ପ୍ରସଙ୍ଗ ଉଠାଇ ବିଜେପିକୁ ନିର୍ବାଚନୀ ପ୍ରତିଶ୍ରୁତି ମନେ ପକାଇଦେଇଛି କଂଗ୍ରେସ । ବର୍ଷ ପୂରିବା ପରେ ମନ୍ତ୍ରୀମାନେ ରିପୋର୍ଟ କାର୍ଡ଼ ସହ ନିଜର ବିଫଳତାର କଥା କହିବେ କି ବୋଲି କଂଗ୍ରେସ ପଚାରିଛି ।
ବିରୋଧୀଙ୍କ ଅଭିଯୋଗର ଜବାବ ଦେଇଛି ଶାସକ ବିଜେପି । ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ଯୁକ୍ତି ସରକାର ବିରୋଧରେ ନ୍ୟାରେଟିଭ ସୃଷ୍ଟି କରୁଛି ବିଜେଡି । ଛାୟା ମନ୍ତ୍ରିମଣ୍ଡଳ ଗଠନ କରି ଏପରି ନ୍ୟାରେଟିଭ ପ୍ରସ୍ତୁତ କରାଯାଉଥିବା ସେ ଅଭିଯୋଗ କରିଛନ୍ତି । ବିଜେପି ଶାସନରେ ଲୋକେ ସନ୍ତୁଷ୍ଟ ଥିବା ସେ ପାଲଟା ଜବାବ ଦେଇଛନ୍ତି । ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ବିଜେପି ବିଧାୟକଙ୍କ ଏପରି ଯୁକ୍ତିକୁ ନେଇ କଡା ସମାଲୋଚନା କରିଛନ୍ତି ।
କ୍ଷମତାକୁ ଆସିବା ଦିନଠାରୁ ବିଜେପି ସରକାର ଓଡିଶାବାସୀଙ୍କୁ ଭଣ୍ଡାଇ ଚାଲିଛି । ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରିବାରେ ଅପାରଗ ଡବଲ ଇଞ୍ଜିନ ସରକାର ଖାଲି ଝୁଣ୍ଟି ଚାଲିଛନ୍ତି ।
ଜୁନ ୩୦ ସୁଦ୍ଧା ସୀମା ପୁନଃନିର୍ଦ୍ଧାରଣ କାମ ସାରିବାକୁ ରାଜସ୍ବ ବିଭାଗର ନିର୍ଦ୍ଦେଶ, ସରକାରଙ୍କୁ ଘେରିଲେ ବିରୋଧୀ
ନନ୍ଦିଘୋଷ ବ୍ୟୁରୋ: ଜୁନ ୩୦ ସୁଦ୍ଧା ପ୍ରଶାସନିକ ସୀମା ପୁନଃ ନିର୍ଦ୍ଧାରଣ କାମ ସାରିବାକୁ ରାଜସ୍ବ ବିଭାଗ ନିଷ୍ପତ୍ତି ନେବା ପରେ ଆରମ୍ଭ ହୋଇଛି ରାଜନୀତି । ହାତରେ ଦୁଇ ମାସରୁ କମ ସମୟ । ଏହା ଭିତରେ ନୂତନ ରାଜସ୍ବ ଗାଁ କି ନୂତନ ପୌର ସଂସ୍ଥା ଗଠନ ହେବାର ଆଶା ମଉଳିଛି । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ନିଜ ଇଚ୍ଛା ଅନୁସାରେ ଗାଁ ଓ ପୌର ସଂସ୍ଥା ଗଢିବାକୁ ଏହା ସରକାରଙ୍କ ଷଡ଼ଯନ୍ତ୍ର ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ସେପଟେ ସରକାର ବି ଏତେ କମ ସମୟ ଭିତରେ ନୂତନ ରାଜସ୍ବ ଗାଁ କି ନୂତନ ପୌର ସଂସ୍ଥା ଗଠନ କରିବା ନେଇ ସ୍ପଷ୍ଟ ଚିତ୍ର ଦେଇ ପାରିନାହାନ୍ତି ।
ମଉଳିଲା ଆଶା । ପଡ଼ା ଗାଁକୁ ରାଜସ୍ବ ଗାଁ ମାନ୍ୟତା ପାଇଁ ଅପେକ୍ଷାରେ ଅନ୍ତ ଘଟିବାର ସମ୍ଭାବନା କମ୍ । ସେହିପରି ନୂତନ ଏନଏସି କି ପୌର ପରିଷଦ ଗଠନର ବି ଆଶା ନୋହିଲା । ଏପରିକି ପଦମପୁରକୁ ଜିଲ୍ଲା ମାନ୍ୟତା ମିଳିବା ଆଶା ବି ଅନ୍ଧାର ଆଡ଼କୁ ଠେଲି ହୋଇଯାଇଛି । କାରଣ ହଠାତ୍ ରାଜସ୍ବ ବିଭାଗ ଜୁନ ୩୦ ସୁଦ୍ଧା ପ୍ରଶାସନିକ ସୀମା ପୁନଃ ନିର୍ଦ୍ଧାରଣ କାମ ସାରିବାକୁ ନିର୍ଦ୍ଦେଶ ଦେଇଛି । ନବୀନ ପଟ୍ଟନାୟକ ସମୟରେ ଅନେକ ପଡ଼ା ଗାଁ ରାଜସ୍ବ ଗାଁ ଓ ନୂତନ ଏନଏସି ଓ ପୌର ପରିଷଦ ପାଇଁ ଘୋଷଣା ହୋଇଥିଲା । ହେଲେ ସରକାର ବଦଳିବା ପରେ ଏହି କାମକୁ ଆଉ ଆଗେଇ ନାହାନ୍ତି ଡବଲ ଇଂଜିନ ସରକାର । ସେପଟେ ଲୋକଙ୍କ ଅପେକ୍ଷାକୁ ରାଜସ୍ବ ବିଭାଗର ଛାଟ ପଡ଼ିଛି । ହାତରେ ଦୁଇ ମାସରୁ କମ ସମୟ ବାକି ଅଛି । ଏତେ କମ୍ ସମୟରେ କିପରି ପ୍ରଶାସନିକ ସୀମା ପୁନଃ ନିର୍ଦ୍ଧାରଣ ହେବ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ । ପଞ୍ଚାୟତ ନିର୍ବାଚନ ଓ ଦଳୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ବିଜେପି ସୀମା ପୁନଃ ନିର୍ଦ୍ଧାରଣରେ ବ୍ରେକ ଲଗାଉଥିବା ବିଜେଡି ଅଭିଯୋଗ କରିଛି । ଜନଗଣନା ପରେ ଏ ସବୁ କାର୍ଯ୍ୟକ୍ରମ ଆଗେଇବାକୁ କଂଗ୍ରେସ ଦାବି କରିଛି । ନୂତନ ରାଜସ୍ବ ଗାଁ କି ନୂତନ ପୌର ସଂସ୍ଥା ଗଠନ ନ ହେଲେ ଲୋକଙ୍କ କ୍ଷତି ହେବ । ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଏପରି କରାଯାଇଥିବା କଂଗ୍ରେସ ଅଭିଯୋଗ କରିଛି । ହାରିଲେ ମନ୍ତ୍ରିମଣ୍ଡଳ ଟଳମଳ ହେବା ଭୟ ଥିବା କଟାକ୍ଷ କରିଛନ୍ତି ବିରୋଧୀ ।
ଆସନ୍ତା ଜୁଲାଇରେ ଜନଗଣନା ହେବା ନେଇ ସରକାର ସ୍ପଷ୍ଟ କରିଛନ୍ତି । ହେଲେ ଏ କଥା ସ୍ପଷ୍ଟ କରି ପାରୁ ନାହାନ୍ତି କି ଏତେ କମ୍ ସମୟ ଭିତରେ ନୂତନ ରାଜସ୍ବ ଗାଁ କି ନୂତନ ପୌର ସଂସ୍ଥା ଗଠନ ହେବ କି ନାହିଁ । ଆବେଦନ ଗୁଡ଼ିକୁ ମଞ୍ଜୁରୀ ଦେବାକୁ ଚେଷ୍ଟା କରିବେ ବୋଲି ସରକାର ସଫେଇ ଦେଇଛନ୍ତି ।
ବିଜେପି ସରକାରକୁ ୧୦ ମାସ ପୂରିଲାଣି । ଏହି ସମୟ ଭିତରେ ପୁରୁଣା ସରକାରଙ୍କ ଗୋହି ଖୋଳାରୁ ନିବୃତ ରହି ବାକି ପଡ଼ିଥିବା ଯୋଜନାକୁ ଆଗେଇ ଥିଲେ, ଆଜି ଠିକ୍ ସମୟରେ ସୀମା ପୁନଃ ନିର୍ଦ୍ଧାରଣ କାମ ସରିଥାନ୍ତା । ଏବେ ଡେଡଲାଇନ ମିଳି ଗଲାଣି । ବାହାଘର ଦିନ ବାଈଗଣ ରୁଆ ପରି ତରବରିଆ ଭାବେ କାମ କଲେ ଭବିଷ୍ୟତ ପାଇଁ ସୁଫଳ ମିଳିବନି ବୋଲି ଚର୍ଚ୍ଚା ହେଉଛି ।

