spot_img
Home Blog Page 795

ବିଜେପି ସରକାର: ଘୋଷଣା ବେଶି କାମ କମ, ଘେରିଲେ ବିରୋଧୀ

ନନ୍ଦିଘୋଷ ବ୍ୟୁରୋ: ଓଡିଶାବାସୀଙ୍କ ବିଜେପି ପ୍ରତି ଭରସା ପାଉନାହିଁ । ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ପାଳନ କରୁ ନାହିଁ ଦଳ । ଲୋକେ ବିଜେପି ସରକାରକୁ ବୁଝିସାରିଲେଣି ବୋଲି କହି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ ଶାସକ ଦଳକୁ ଟାର୍ଗେଟ କରିଛନ୍ତି । ସେପଟେ ବିଜେପି ସଭାପତି ଚୟନ ପଦ୍ମ ଘୁଞ୍ଚି ଘୁଞ୍ଚି ଚାଲିଛି । କେବେ ସଭାପତି ଚୟନ ହେବ ସେ ପ୍ରଶ୍ନର ଉତ୍ତର ବିଜେପି ନେତାଙ୍କ ପାଖରେ ନାହିଁ ।

ଗାଁ ଗାଁରେ ଠପ୍ ହୋଇଯାଇଛି ବିକାଶ । ଲୋକେ ଏବେ ତୁଳନା କଲେଣି, ବିଜେପି ଓ ବିଜେଡି ସରକାର ମଧ୍ୟରେ ଫରକ କ’ଣ ? ବିରୋଧୀଙ୍କ ଅଭିଯୋଗ, ୨୦୨୪ ନିର୍ବାଚନରେ ମିଥ୍ୟା ପ୍ରତିଶ୍ରୁତି ଓ ଅପପ୍ରଚାର କରି ବିଜେପି ରାଜ୍ୟରେ କ୍ଷମତାକୁ ଆସିଲା । ଓଡିଶାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଭୁଲିଗଲା । କୌଣସି ନୂଆ ପ୍ରକଳ୍ପ କାମ ମଧ୍ୟ ହୋଇନାହିଁ । ସରକାର ଗଠନକୁ ବର୍ଷେ ପୁରିବାକୁ ଯାଉଥିବା ବେଳେ ଲୋକେ ଏବେ ଶାସନ ଠାରୁ ମୁହଁ ଫେରାଇବାକୁ ବସିଲେଣି । ଲୋକେ ପୂର୍ବର ବିଜେଡି ଓ ବର୍ତ୍ତମାନର ବିଜେପି ସରକାର ମଧ୍ୟରେ ତୁଳନା କରିବା ଆରମ୍ଭ କଲେଣି ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରଦୀପ ଦିଶାରୀ ।

ବିଜେପି ସରକାର ଘୋଷଣା ଅଧିକ କାମ କମ ବୋଲି ଲୋକେ ଅନୁଭବ କଲେଣି । ସରକାରୀ ସଭାକୁ ଡାକିଲେ ବି ଯାଉନାହାନ୍ତି । ପୂର୍ବ ସରକାରରେ ଯେପରି ବିକାଶ ହେଉଥିଲା ତାହା ଏବେକାର ସରକାରରେ ପୁରା ବନ୍ଦ ହୋଇଯାଇଛି । ଆଗକୁ ଲୋକେ ବିଜେପି ନେତାଙ୍କୁ ଏ ପ୍ରଶ୍ନ ପଚାରିବେ କହିଛି ବିଜେଡି । ସେହିପରି କଂଗ୍ରେସ ବିଧାୟକ ପବିତ୍ର ସାଉଟା କହିଛନ୍ତି ବିଜେପି ସରକାର କେବଳ କୁହାଳିଆ ସରକାର । ୩୦୦ ୟୁନିଟ ମାଗଣା ବିଜୁଳି, ସରକାର ଗଠନର ୨୪ ଘଣ୍ଟାରେ ଚିଟଫଣ୍ଡ ଟଙ୍କା ଫେରସ୍ତ ଭଳି ଲମ୍ବା ପ୍ରତିଶୃତି କେବେ ପାଳନ ହେବ ବୋଲି ପଚାରିଛନ୍ତି ।

୧୧ ମାସ ଭିତରେ ରାଜ୍ୟରେ ଖାଲି ପଡିଛି ୬ ମନ୍ତ୍ରୀପଦ । ନିଗମ ବଣ୍ଟନ କରି ପାରୁନାହାନ୍ତି ସରକାର । ମନ୍ତ୍ରୀପଦ ପୂରଣ ନହେଲା ଭଳି ଦଳରେ ମଧ୍ୟ ସମ୍ମାନ ସ୍ଥିତି । ଭୁବନେଶ୍ଵରରୁ ଦିଲ୍ଲୀ କସରତ ଚାଲିଥିବା ବେଳେ ରାଜ୍ୟ ସଭାପତି ଚୟନ କରିପାରୁନି ଦଳ । କାହିଁକି ଅଧାଗଢା ମନ୍ତ୍ରିମଣ୍ଡଳ ଓ ରାଜ୍ୟ ସଭାପତି ଚୟନ ହୋଇପାରୁନାହିଁ, ସେ ନେଇ ବିଜେପି ବିଧାୟକ ଲକ୍ଷ୍ମଣ ବାଗଙ୍କ ପାଖରେ ବି ଉତ୍ତର ନାହିଁ l ଯାହାକୁ ନେଇ ଶାସକ ଦଳକୁ କଟାକ୍ଷ କରିଛି ବିରୋଧୀ ବିଜେଡି ।

ଡବଲ ଇଞ୍ଜିନ ସରକାର ଓଡିଶାବାସୀଙ୍କୁ ଡବଲ ଧୋକା ଦେଇଛନ୍ତି କହି, ବିରୋଧୀ ସରକାରଙ୍କୁ କାଠଗଡାକୁ ଟାଣିଛନ୍ତି । ଲୋକଙ୍କ ସରକାର ସ୍ଲୋଗାନ ଦେଉଥିବା ବିଜେପି ସରକାରକୁ ଗ୍ରାଉଣ୍ଡରେ ଲୋକେ ଉଚିତ ଜବାବ ଦେବେ କହିଛନ୍ତି ବିରୋଧୀ । ଶାସକ ଦଳ ପକ୍ଷରୁ ଖଣ୍ଡନ କରାଯାଉଥିବାବେଳେ ରାଜ୍ୟରେ ଉଷ୍ମ ହେବାରେ ଲାଗିଛି ରାଜନୀତି ।

ମୋହନ ସରକାର ଦେଇ ପାରୁନାହାନ୍ତି, ଯାହା ମିଳୁଥିଲା ଛଡ଼ାଇ ନେଉଛନ୍ତି

ନନ୍ଦିଘୋଷ ବ୍ୟୁରୋ: ଖାଲି କଥାରେ ଲୋକଙ୍କ ସରକାର । କାମରେ ଜିରୋ । ଆଦିବାସୀ ମୁଖ୍ୟମନ୍ତ୍ରୀ ସତ୍ତ୍ବେ ରାଜ୍ୟ ସାରା ଉପେକ୍ଷିତ ହେଉଛନ୍ତି ଆଦିବାସୀ । ଜଙ୍ଗଲ ଜମି ଅଧିକାର ପ୍ରହସନ ପାଲଟିଛି । କେନ୍ଦୁପତ୍ର ତୋଳାଳି ଓ ଶ୍ରମିକଙ୍କୁ ହତାଦର କରିଛନ୍ତି ବିଜେପି ସରକାର । ପଶ୍ଚିମ ଓଡ଼ିଶାରେ ଲୋକଙ୍କ ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି କରିବା ଦିନ ହିଁ କେନ୍ଦୁପତ୍ର ତୋଳାଳିଙ୍କ ସମସ୍ୟା ବଢାଇ ଦେଲେ । ଏମାନଙ୍କ ଜିଏସଟି ବେଡ଼ି ଉପରେ ସହାୟତା ବନ୍ଦ କୋରଡ଼ା ମାଡ଼ ଭଳି ହୋଇଛି । ମୋହନ ସରକାର ଏମାନଙ୍କୁ ଅଧିକ କିଛି ଦେବା ବଦଳରେ ନବୀନ ସରକାର ଅମଳର ସହାୟତା କାଟି ଦେବାକୁ ନେଇ ସଙ୍ଘ ଉଠାଇଲା ପ୍ରଶ୍ନ ।

୧୬ ଘଣ୍ଟାର ପରିଶ୍ରମ । ପାରିଶ୍ରମିକ ନାମକୁ ମାତ୍ର । ନବୀନ ସରକାରରେ ମିଳୁଥିବା ସହାୟତାକୁ ବି ଛଡ଼ାଇ ନେଲେ ମୋହନ ସରକାର । ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳି ଏବେ କଷ୍ଟରେ । କେନ୍ଦୁପତ୍ର ତୋଳାଳିଙ୍କ ସହ ସିଜନାଲ ଓ୍ବାର୍କର ଓ ବନ୍ଧେଇ ଶ୍ରମିକଙ୍କ ଉପରେ ବେଡ଼ି ଉପରେ କୋରଡ଼ା ମାଡ଼ କରୁଛନ୍ତି ରାଜ୍ୟ ସରକାର । ୨୦୧୮ରେ କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସଟି ଲଗାଇ ଦେଲେ କେନ୍ଦ୍ର ସରକାର । ଏହାକୁ ପ୍ରବଳ ବିରୋଧ ହେଲା । ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ଚିଠି ଲେଖି ଏହାକୁ ପ୍ରତ୍ୟାହାର ପାଇଁ ଅନୁରୋଧ କଲେ । ହେଲେ କିଛି ଫଳ ନ ମିଳିବାରୁ ୨୦୧୯ରେ ନବୀନ ସରକାର ରାଜ୍ୟର ଭାଗ ୯ ପ୍ରତିଶତ ଜିଏସଟି ପରିମାଣ ସହାୟତା ଆକାରରେ ଶ୍ରମିକମାନଙ୍କୁ ଦେଲେ । କେନ୍ଦୁପତ୍ର ବିକ୍ରିରୁ ଯାହା ଲାଭ ବାହରିବ, ତାହା ଶ୍ରମିକଙ୍କ କଲ୍ୟାଣ ପାଇଁ ଦେବାକୁ ନିଷ୍ପତ୍ତି ନେଇ କାର୍ଯ୍ୟକାରୀ କଲେ । ଛୁଆଙ୍କ ପାଠପଢା, ଝିଅ ବାହାଘର ପାଇଁ ୫୦ ହଜାର ଟଙ୍କାର ବ୍ୟବସ୍ଥା କଲେ । ହେଲେ ମୋହନ ସରକାର ଜିଏସଟି ଛାଡ଼ ପାଇଁ ବ୍ୟବସ୍ଥା ତ କଲେ ନାହିଁ ବରଂ ମିଳୁଥିବା ସହାୟତା ବନ୍ଦ କରିବାକୁ ନିଷ୍ପତ୍ତି ନେଲେ । ଯାହାକୁ କେନ୍ଦୁପତ୍ର ତୋଳାଳି ସଂଘ ସମାଲୋଚନା କରିଛି ।

ପଶ୍ଚିମ ଓଡ଼ିଶାରେ ଦୋଫସଲୀ ଚାଷ ହେଉ ନଥିବାରୁ ଗ୍ରାମାଞ୍ଚଳର ସାହାରା ହେଉଛି କେନ୍ଦୁପତ୍ର ସଂଗ୍ରହ । ଭୋର ୪ଟାରୁ ୧୨ଟା ଯାଏଁ ୧୦ କିଲୋମିଟର ଯାଏଁ ଜଙ୍ଗଲ ଭିତରକୁ ଯାଇ କେନ୍ଦୁପତ୍ର ସଂଗ୍ରହ କରିବା ସହିତ ଦ୍ବିପହରରେ ଏହାକୁ ଶୁଖାଇବା, ବାନ୍ଧିବା ଓ ବିକ୍ରି କରିବା କାମରେ ରାତି ୧୦ ଯାଏଁ ଖଟିବାକୁ ପଡ଼େ । କେନ୍ଦୁପତ୍ରରେ ଜିଏସଟି ସହ ତୋଳାଳିଙ୍କ ସହ କିଛି ସମ୍ପର୍କ ନାହିଁ ବୋଲି ଜଙ୍ଗଲ ମନ୍ତ୍ରୀ କହିବା ଯୁକ୍ତିଯୁକ୍ତି ନୁହେଁ । କାରଣ ଜିଏସଟି ଲାଗିଥିବାରୁ ବିକ୍ରି କମିଛି । ବିକ୍ରି କମିଲେ ଲାଭାଂଶ ବି କମୁଛି । ଲାଭାଂଶର ଭାଗରୁ ନିଜର ଭବିଷ୍ୟତ ଖୋଜୁଥିବା ୧୫ ଲକ୍ଷ ତୋଳାଳି, ୧୮ ହଜାର ସିଜନାଲ ଶ୍ରମିକ ଓ ୨୦ ହଜାର ବନ୍ଧେଇ ଶ୍ରମିକ ଏବେ ହତାଶ । କ୍ଷତିଭରଣା କରିବାକୁ ନବୀନ ସରକାର ଲାଭାଂଶରୁ ସହାୟତା ବ୍ୟବସ୍ଥାକୁ ମୋହନ ସରକାର ବନ୍ଦ କରିଦେବା ଏମାନଙ୍କ ପାଇଁ କାଳ ହୋଇଛି । ବୋନସ ବଢାଇବା ବୋଲି ଜଙ୍ଗଲ ମନ୍ତ୍ରୀ କହୁଥିବା ବେଳେ ସହାୟତା କାହିଁକି ବନ୍ଦ ହେଲା, ତା’ର କିଛି ଉତ୍ତର ଦେଉ ନାହାନ୍ତି ।

ପାହାଡ଼ିଆ ଅଞ୍ଚଳରେ ଆଦିବାସୀ ସମ୍ପ୍ରଦାୟର ଜୀବନ ଜୀବିକାର ବାଟ ହେଉଛି କେନ୍ଦୁପତ୍ର । ଏଥିରେ ଜିଏସଟି ପ୍ରହାର ସଦୃଶ ହୋଇଥିବା ବେଳେ ଲାଭାଂଶର ସହାୟତା ବନ୍ଦ କରିବା ପାଇଁ ମୋହନ ସରକାରଙ୍କ ନିଷ୍ପତ୍ତି ଏମାନଙ୍କୁ ମହରଗରୁ କାନ୍ତାରରେ ପକାଇଛି ।

ବିଧାୟକ ଯୋଗେଶ ସିଂଙ୍କୁ ପୋଲିସ ଅଟକ ରଖିବାକୁ ବିଜେଡିର ନିନ୍ଦା

ନନ୍ଦିଘୋଷ ବ୍ୟୁରୋ: ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂଙ୍କ ଅଟକକୁ ବିଜେଡିର ନିନ୍ଦା । ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ପଦକ୍ଷେପକୁ ପ୍ରେସମିଟରେ ନିନ୍ଦା କଲା ବିଜେଡି । ଗଣତାନ୍ତ୍ରିକ ଆନ୍ଦୋଳନକୁ ଚପାଇ ଦେବା ଲାଗି ଉଦ୍ୟମ ହେଉଥିବା କଲା ଅଭିଯୋଗ ।

ସୂଚନାଯୋଗ୍ୟ, ହେମଗିରି କୋଇଲା ସାଇଡିଂ ନିକଟରେ ବିଧାୟକ ଯୋଗେଶ ସିଂଙ୍କ ନେତୃତ୍ବରେ ଆନ୍ଦୋଳନ ଚାଲିଥିଲା । ବେଆଇନ ରେଲୱେ ସାଇଡିଂ ଚାଲିଥିବା ଅଭିଯୋଗରେ ଆନ୍ଦୋଳନ ଚାଲିଥିଲା । ଏହି ସମୟରେ ବିଧାୟକଙ୍କ ସମେତ ଦେଢ ଶହ ଆନ୍ଦୋଳନକାରୀଙ୍କୁ ଉଠାଇ ନେଲା ପୋଲିସ ।

ବ୍ରିଜ ସ୍ଲାବରେ ଚାପି ହୋଇ ତିନି ଶ୍ରମିକ ମୃତ, ୨ ଗୁରୁତର

ନନ୍ଦିଘୋଷ ବ୍ୟୁରୋ: କଟକରେ ବଡ଼ ଅଘଟଣ । ବ୍ରିଜ କାମ ଚାଲିଥିବାବେଳେ ଅଘଟଣ । ବ୍ରିଜର ସ୍ଲାବରେ ଚାପି ହୋଇ ୩ ଶ୍ରମିକଙ୍କ ମୃତ୍ୟୁ । ଦୁଇ ଜଣ ଗୁରୁତର । ଖାନନଗରସ୍ଥିତ କାଠଯୋଡ଼ିରେ ଚାଲିଥିଲା କାମ ।

ମିଳିଥିବା ସୂଚନା ଅନୁସାରେ, ନୂଆ ବ୍ରିଜ କାମ ଚାଲିଥିବା ସମୟରେ ଅଘଟଣ ଘଟିଛି । ବିମ୍ ଉଠାଇବା ବେଳେ କ୍ରେନ୍ ଭାଙ୍ଗି ଶ୍ରମିକଙ୍କ ଉପରେ ପଡିଥିଲା । ମୃତକମାନେ ହେଲେ ସୌମ୍ୟରଞ୍ଜନ ମଲ୍ଲିକ, ଶିବଶଙ୍କର ପଟ୍ଟନାୟକ ଏବଂ ସୁବାସ ଚନ୍ଦ୍ର ଭକ୍ତ । ବାଲେଶ୍ଵରର ସୌମ୍ୟରଞ୍ଜନ ସାଇଟ୍ ଇଂଜିନିୟର ଥିଲେ । ତେବେ ଘଟଣା ଘଟିବା ପରେ ଠିକା ସଂସ୍ଥାର କର୍ମଚାରୀ ଘଟଣାସ୍ଥଳ ଛାଡ଼ି ଫେରାର ହୋଇଯାଇଛି । ସ୍ଥାନୀୟ ବାସିନ୍ଦା ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲେ ।

ଆମେ ପାକିସ୍ତାନୀଙ୍କୁ ପାଣି ବିନା ମାରିବୁନି… କାହିଁକି କହିଲେ ଫାରୁକ ଅବଦୁଲ୍ଲା ?

ନନ୍ଦିଘୋଷ ବ୍ୟୁରୋ: ହପଲଗାଓଁ ଆତଙ୍କବାଦୀ ଆକ୍ରମଣକୁ ନେଇ ବୟାନବାଜି ଜାରି ରହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜମ୍ମୁ ଓ କାଶ୍ମୀର ନ୍ୟାଶନାଲ କନଫରେନ୍ସ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା ଆକ୍ରମଣକୁ ନିନ୍ଦା କରିବା ସହ ଲୋକଙ୍କୁ ଆତଙ୍କବାଦ ବିରୋଧରେ ଏକାଠି ହେବାକୁ ଆହ୍ବାନ ଦେଇଛନ୍ତି । ଆକ୍ରମଣରେ ସମ୍ପୃକ୍ତି ବ୍ୟକ୍ତି ମାନବିକତାର ଶତ୍ରୁ । ସେମାନେ ନର୍କରେ ସଢ଼ିବେ । ଏହାସହ ସିନ୍ଧୁ ଜଳ ଚୁକ୍ତିକୁ ନେଇ ମଧ୍ୟ ଫଶରୁକ ଟଇପ୍ପଣୀ ଦେଇଛନ୍ତି । ସିନ୍ଧୁ ଚୁକ୍ତିର ସଂଶୋଧନ ହେବାର ଆବଶ୍ୟକତା ଥିଲା ।

ସେ କହିଛନ୍ତି, ବହୁତ ଦିନ ଆଗରୁ ସିନ୍ଧୁ ଚୁକ୍ତିରେ ସଂଶୋଧନ କରାଯିବାର ଆବଶ୍ୟକତା ଥିଲା । ଆମେ ଆମ ନଦୀର ପାଣିରୁ ବଞ୍ଜିତ ହେଉଛୁ । ନଦୀ ଉପରେ ହାଇଡ୍ରୋ ପାଓ୍ବର ପ୍ରୋଜେକ୍ଟ କରି ବିଦ୍ୟୁତ ଉତ୍ପାଦନ କରି ପାରନ୍ତୁ । ହେଲେ ପାକିସ୍ତାନର ଅନୁମତି ବିନା ଏହା ହୋଇ ପାରିବନି । ଚେନାବ ନଦୀର ପାଣି ବି ଜମ୍ମୁବାସୀଙ୍କୁ ମିଳୁନି ।

ଆଗକୁ ସେ କହିଛନ୍ତି, ଭାରତ ମହାତ୍ମା ଗାନ୍ଧୀଙ୍କ ଦେଶ । ଆମେ ଅବଶ୍ୟ ପାକିସ୍ତାନକୁ ପାଣିକୁ ନେଇ ଧମକ ଦେଇଛୁ । ହେଲେ ଆମେ ଏତେ ନୁଷ୍ଠୁର ନୁହେଁ ଯେ, ପାଣି ବିନା ସେମାନଙ୍କୁ ମରିବାକୁ ଛାଡ଼ିଦେବୁ । ସିନ୍ଧୁ ଚୁକ୍ତି ହେବା ବେଳେ ଜମ୍ମୁ ଓ କାଶ୍ମୀରର ଲୋକଙ୍କୁ ଭରସାକୁ ନିଆଯାଇ ନଥିଲା, ଯାହାର ପରିଣାମ ଆଜି ବି ଭୋଗିବାକୁ ପଡୁଛି ।

ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ରାଇଡ ଅପରେଟର ଆଦିଲ ହୁସେନଙ୍କ ଘରକୁ ଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି । ଆତଙ୍କବାଦୀ ଆକ୍ରମଣରେ ମୃତକମାନେ ପର୍ଯ୍ୟଟକ ହୋଇଥିବା ବେଳେ ଏକମାତ୍ର ସ୍ଥାନୀୟ ଲୋକ ଆଦିଲ ଥିଲେ । ଏହି ଅବସରରେ ସେ ଆଦିଲଙ୍କୁ ସହିଦ ବୋଲି କହିଥିଲେ । ଆଦିଲ ଆତଙ୍କବାଦୀଙ୍କୁ ନଡରି ସେମାନଙ୍କ ମୁକାବିଲା କରିଥିଲେ । ଏହା ହିଁ ହେଉଛି ପ୍ରକୃତ ମାନବିକତା ଓ କାଶ୍ମୀରୟତ ବୋଲି ଫଶରୁକ କହିଛନ୍ତି ।

ତେବେ ପାକିସ୍ତାନ ବିରୋଧରେ ଭାରତର ଆକ୍ସନକୁ ନେଇ ଫାରୁକ ଅବଦୁଲ୍ଲା କିଛଇ କହିବାକୁ ମନା କରି ଦେଇଥିଲେ । ଏହା ପ୍ରଧାନମନ୍ତ୍ରୀଙ୍କ ଅଧିକାର । ଏହା ଉପରେ ମୁଁ କିଛି କହିପାରିବିନି ବୋଲି କହିବା ସହ ପାକିସ୍ତାନକୁ କଟୁ ଭାଷାରେ ସମାଲୋଚନା କରିଥିଲେ । ବିଲାଓ୍ବଲ ଭୁଟ୍ଟଙ୍କ ଭାରତକୁ ଧମକକୁ ନେଇ କହିଥିଲେ, ଏମାନଙ୍କ ବୟନାବାଜିରେ କାଶ୍ମୀର ସମସ୍ୟାର ସମାଧାନ ହେବନାହିଁ । ସେମାନଙ୍କ ବୟାନକୁ ଧ୍ୟାନ ଦେଲେ କାଶ୍ମୀର ଆଗକୁ ବଢ଼ି ପାରିବନି ।

ପାଟଣାଗଡ଼ ପାର୍ସଲ ବୋମା ମାମଲା: ପୁଞ୍ଜିଲାଲଙ୍କ ସପକ୍ଷରେ ସାକ୍ଷୀ ପ୍ରଦାନ

ନନ୍ଦିଘୋଷ ବ୍ୟୁରୋ: ବଲାଙ୍ଗୀର ପାଟଣାଗଡ଼ର ବହୁ ଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ଘଟଣା । ଜିତେନ୍ ପଟେଲ ନାମକ ଜଣେ ବ୍ୟକ୍ତି କୋର୍ଟରେ ହାଜର ହୋଇ ପୁଞ୍ଜିଲାଲ ସପକ୍ଷରେ ସାକ୍ଷୀ ପ୍ରଦାନ କରିଛନ୍ତି । ଆସନ୍ତା ୫ ତାରିଖରେ କୋର୍ଟରେ ସାକ୍ଷ୍ୟ ଗ୍ରହଣ ଶେଷ ନେଇ କ୍ଲୋଜ଼ର ନୋଟିସ ପ୍ରକାଶ ପାଇଛି । ଆସନ୍ତା ୯ ତାରିଖରେ ପ୍ରତିପକ୍ଷ ଓକିଲ ନିଜ ପକ୍ଷ ରଖିବେ । ଦୁଇରୁ ତିନି ଦିନ ଧରି ପକ୍ଷ ଶୁଣିବା ପରେ ଚଳିତମାସ ଶେଷ ସୁଦ୍ଧା ପାଟଣାଗଡ଼ ଏଡିଜେ ମାମଲାର ରାୟ ପ୍ରକାଶ କରିବେ ବୋଲି ପୁଞ୍ଜିଲାଲର ଓକିଲ ସୂଚନା ଦେଇଛନ୍ତି ।

ଆସନ୍ତା ୬ ତାରିଖରେ କିଛି ସରକାରୀ ଦସ୍ତାବିଜ୍ କୋର୍ଟରେ ଦାଖଲ କରାଯିବ ବୋଲି ପୁଞ୍ଜିଲାଲର ଓକିଲ କହିଛନ୍ତି । ଆସନ୍ତା ଜୁନ ୧୭ ସୁଦ୍ଧା ମାମଲର ଶୁଣାଣି କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଥିବାବେଳେ ଚଳିତ ମାସ ଶେଷ ସୁଦ୍ଧା ରାୟ ପ୍ରକାଶ ପାଇପାରେ । ପାର୍ସଲ ବୋମା ମାମଲାରେ ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହ କର୍ମକ୍ଷେତ୍ରରେ ମଧ୍ୟ କାହା ସହ ତାଙ୍କର ଶତ୍ରୁତା ନଥିଲା ବୋଲି ବିଚାରପତିଙ୍କୁ  କହିଥିଲେ ପୁଞ୍ଜିଲାଲ । ଜାଣିଶୁଣି ତାଙ୍କୁ ଏଥିରେ ଫସା ଯାଇଥିବା ସେ କହିଛନ୍ତି । ଏନେଇ ଅଭିଯୁକ୍ତ ପୁଞ୍ଜିଲାଲ ପକ୍ଷରୁ ସମସ୍ତ ସାକ୍ଷ୍ୟ ପ୍ରଦାନ ସରିଛି । ପୁଞ୍ଜିଲାଲଙ୍କ ଓକିଲ ପକ୍ଷ ରଖିବା ପରେ ଖୁବଶୀଘ୍ର ରାୟ ପ୍ରକାଶ ପାଇବ ।

ଗତ ୨୦୧୮ ଫେବୃଆରୀ ୨୩ ତାରିଖରେ ପାଟଣାଗଡ଼ର ସଂଯୁକ୍ତା ସାହୁ ଏବଂ ରବୀନ୍ଦ୍ର ସାହୁଙ୍କ ପୁଅ ବାହାଘରକୁ ଉପହାରରେ ପାର୍ସଲ ବୋମା ଆସିଥିଲା । ଉପହାର ଖୋଲିବା ବେଳେ ବୋମା ବିସ୍ଫୋରଣ ଘଟିଥିଲା । ନବ ବିବାହିତ ସୌମ୍ୟଶେଖର ଓ ତାଙ୍କ ସମ୍ପର୍କୀୟ ଜେଜେମାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ନବ ବିବାହିତା ରିମାରାଣୀ ସାହୁ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିଯାଇଥିଲେ । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରି ପୁଞ୍ଜିଲାଲକୁ ପାଟଣାଗଡ଼ରୁ ଗିରଫ କରିଥିଲା ।

ପହଲଗାଓଁ ଆତଙ୍କବାଦୀଙ୍କୁ ଧରିବାକୁ ଶ୍ରୀଲଙ୍କାରେ ବିମାନ ଯାଞ୍ଚ

ନନ୍ଦିଘୋଷ ବ୍ୟୁରୋ: ପାତାଳରେ ବି ଲୁଚିଲେ ଖୋଜି ଖୋଜି ମାରିବୁ । ପହଲଗାଓଁ ନରସଂହାର ପରେ ଆତଙ୍କବାଦୀ ଓ ସେମାନଙ୍କ କଥାକଥିତ ଆକ୍କାଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଛନ୍ତି ଏପରି ହୁଙ୍କାର । ଯାହାକୁ ନେଇ ଆତଙ୍କାବଦୀ ଓ ସେମାନଙ୍କ ସମର୍ଥକଙ୍କ ମନରେ କୋକୁଆ ଭୟ । ଭାରତଠାରୁ ଦୂରରେ ରହିବାକୁ ଖୋଜୁଛନ୍ତି ସୁରକ୍ଷିତ ସ୍ଥାନ । ହେଲେ ଭାରତର ଆଖି ଏହି ନରସଂହାରକାରୀଙ୍କ ଉପରେ ନିାନ୍ତର ରହିଛି, ଏକଥା ସେମାନଙ୍କୁ ଜଣାନାହିଁ । ଏହି କ୍ରମରେ ଜେନ୍ନାଇରୁ ଶ୍ରୀଲଙ୍କା ଯାଇଥିବା ଏକ ବିମାନକୁ ଶ୍ରୀଲଙ୍କାରେ ଯାଞ୍ଚ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଚେନ୍ନାଇରୁ ଶ୍ରୀଲଙ୍କା ଏୟାରଲାଇନ୍ସର ବିମାନ UL 122 ଶ୍ରୀଲଙ୍କା ଯାଇଥିଲା । ଏହି ବିମାନରେ ପହଲଗାଓଁ ଆତଙ୍କବାଦୀ ଭାରତ ଛାଡ଼ି ଶ୍ରୀଲଙ୍କା ଚାଲି ଯାଇଥିବା ଗୁଇନ୍ଦା ସୂଚନା ମିଳିଥିଲା । ଆଉ ସୂଚନା ମିଳିବା ପରେ ଆରମ୍ଭ ହୋଇଯାଇଥିଲା ଆକ୍ସନ । ବିମାନଟି ଶ୍ରୀଲଙ୍କାର ବନ୍ଦରନାଇକେ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିବା ପରେ ଆରମ୍ଭ ହୋଇଯାଇଥିଲା ଯାଞ୍ଚ । ସମ୍ପୂର୍ଣ୍ଣ ବିମାନକୁ ଯାଞ୍ଚ କରାଯାଇଛି । ପ୍ରତିଟି ଯାତ୍ରୀଙ୍କ ଯାଞ୍ଚ ହୋଇଛି । ବିମାନଟି ଭାରତରୁ କଲମ୍ବୋ ଯାଇଥିଲା ।

ଭାରତର ଏହି ଆକ୍ସନ, ଆତଙ୍କବାଦୀ ଏବଂ ସେମାନଙ୍କ ଆକ୍କାଙ୍କ ମନରେ ଭୟ ଖେଳାଇ ଦେଇଛି । ନରସଂହାର ପରେ ଘାଟି ଅଞ୍ଚଳରେ ଲୁଚିଥିବା ଆତଙ୍କବାଦୀ ଭାରତ ଛାଡିବାକୁ ଯୋଜନା କରୁଥିବା ବେଳେ ଅନ୍ୟ ଦେଶରେ ଭାରତର ଏପରି ଯାଞ୍ଚ ସେମାନଙ୍କ ମନରେ ଛନକା ଭରି ଦେଇଛି ।

ପୋପ ବେଶରେ ଟ୍ରମ୍ପ: ସୋସିଆଲ ମିଡ଼ିଆରେ ନିଜର AI ଫଟୋ ସେୟାର କରି ହେଉଛନ୍ତି ଟ୍ରୋଲ୍

ନନ୍ଦିଘୋଷ ବ୍ୟୁରୋ: ପୁଣି ବିବାଦରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପେପା ଫ୍ରାନ୍ସିସଙ୍କ ନିଧନକୁ ଦିନ କେଇଟା ବିତିନି ଟ୍ରମ୍ପ ସୋସିଆଲ ମିଡ଼ିଆରେ ଏକ ପୋଷ୍ଠ କରିଛନ୍ତି । ଯେଉଁଥିରେ ସେ ପେପା ବେଶରେ ଦେଖିବାକୁ ମିଳୁଛି । ଏହା ଏକ AI ଜେନେରେଟେଡ ଫଟୋ । କେବଳ ଟ୍ରମ୍ପ ଏହାକୁ ପୋଷ୍ଟ କରି ନାହାନ୍ତି, ହ୍ବାଇଟ୍ ହାଉସର ସରକାରୀ ହ୍ୟାଣ୍ଡଲରୁ ମଧ୍ୟ ଏହି ଫଟୋ ପୋଷ୍ଟ ହୋଇଛି ।

ପୋପ ବେଶରେ ଏହି ଫଟୋ ଆସିବା ପରେ ସୋସିଆଲ ମିଡ଼ଆରେ ଟ୍ରମ୍ପଙ୍କୁ ଟ୍ରୋଲ କରାଯିବା ଆରମ୍ଭ ହୋଇଯାଇଛି । କାରଣ କିଛଇଦିନ ପୂର୍ବରୁ ଟ୍ରମ୍ପ ମଜାରେ କହିଥିଲେ, ମୁଁ ଅପରବର୍ତ୍ତି ପୋପ ହେବାକୁ ପସନ୍ଦ କରିବି । ଏପରି ବୟାନ ପରେ ପରେ ଟ୍ରମ୍ପ ପୋପ ବେଶରେ ନିଜକୁ ପୋଷ୍ଟ କରିଛନ୍ତି । ତେବେ ସୋସିଆଲ ମିଡ଼ିଆରେ ଟ୍ରମ୍ପଙ୍କୁ ପ୍ରବଳ ଟ୍ରୋଲ କରାଯାଉଛି । କିଛି ୟୁଜର୍ସ ଏହାକୁ ହାଲକାରେ ନେଇଥିଲେ ବି ଅଧିକାଂଶ ୟୁଜର୍ସ ନିଜର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ଏହା ଚର୍ଚ୍ଚ  ଭଗବାନଙ୍କୁ ଅପମାନ । ଟ୍ରମ୍ପ ଜଣେ ସୈତାନ । ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ଏହା ବହୂତ ଅପମାନଜନକ କଥା । ରିପବ୍ଲିକାନ ଏମିତି ବ୍ୟକ୍ତିଙ୍କୁ ଭୋଟ୍ ଦେଉଛନ୍ତି ?

ସୂଚନାଯୋଗ୍ୟ, ପୋପ ଫ୍ରାନ୍ସିସଙ୍କ ଦେହାନ୍ତ ୨୨ ଏପ୍ରିଲକୁ ୮୮ ବର୍ଷ ବୟସରେ ହୋଇଥିଲା । ୨୬ ଏକ୍ରିଲକୁ ସେଣ୍ଟ ପିଟର୍ସ ସ୍କୋୟାରରେ ତାଙ୍କ ଅନ୍ତିମ ସତ୍କାର କରାଯାଇଥିଲା । ଯେଉଁଥିରେ ଟ୍ରାମ୍ପ ମଧ୍ୟ ସାମିଲ ହୋଇଥିଲେ । ତେବେ ଟ୍ରମ୍ପଙ୍କ ଏମିତି ପୋଷ୍ଟ ପରେ କିଛି ଲୋକ ଟିପ୍ପଣୀ ଦେଇ ଲେଖିଛନ୍ତି, ‘କେମ୍ ଭାଟିକାନା ଗ୍ରେଟ୍ ଏଗେନ୍’ । ଯାହା ଟ୍ରମ୍ପ ନିର୍ବାଚନୀ ସ୍ଲୋଗାନ ମେକ ଆମେରିକା ଗ୍ରେଟ୍ ଏଗେନକୁ ଆଧାର କରି କୁହାଯାଉଛି ।

ବାଲେଷ୍ଟିକ ମିଜାଇଲ ‘ଅବଦାଲି’ ପରୀକ୍ଷ କଲା ପାକିସ୍ତାନ, ଲକ୍ଷ୍ୟ ଭେଦ ଦୂରତା ୪୫୦ କିମି

ନନ୍ଦିଘୋଷ ବ୍ୟୁରୋ: ପହଲଗାଓଁ ନରସଂହାର ପରେ ଭାରତ ଯୁଦ୍ଧ ପ୍ରସ୍ତୁତି ଦେଖି ପାକିସ୍ତାନ ଛାନିଆ । ନିଜଦେଶର ଲୋକଙ୍କୁ ଖାଇବାକୁ ଦୁଇ ବେଳା ଯୋଗାଇ ପାରୁ ନଥିବା ଭିକାରୀସ୍ତାନ ଭାରତ ସହ ଯୁଦ୍ଧ କରିବାକୁ ଲାଗିପଡ଼ିଛି ପ୍ରସ୍ତୁତିରେ । ସୀମାରେ ଅସ୍ତ୍ର ବିରତି ଉଲ୍ଲଂଘନ କରୁଛି ତ, ଆରବ ସାଗରରେ ଭାରତକୁ ଆଖି ଦେଖାଉଛି । ଧ୍ବଂସର ଦ୍ବାର ଦେଶରେ ଛିଡ଼ା ହୋଇଥିବା ପାକିସ୍ତାନ ଏବେ କ୍ଷପଣାସ୍ତ୍ର ପରୀକ୍ଷା କରିଛି । ଆଜି ପାକିସ୍ତାନ ପକ୍ଷରୁ ଅବଦାଲି ନାମକ ବାଲେଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଛି । ଭୂପୃଷ୍ଠରୁ ଭୂପୃଷ୍ଠକୁ ଟାର୍ଗେଟ କରୁଥିବା ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟ ଭେଦ କ୍ଷମତା ୪୫୦ କିମି ରହିଥିବା ଜଣାପଡ଼ିଛି । ସୋନମିୟାନି ରେଞ୍ଜରେ ପାକିସ୍ତାନ ଏହି ପରୀକ୍ଷଣ କରିଛି । ଆର୍ମୀ ଷ୍ଟ୍ରେଟେଜିକ ଫୋର୍ସେଜ୍ କମାଣ୍ଡ (ASFC) ଆଧାରରେ ଅପରେସନାଲ ୟୁଜର୍ସ ଟ୍ରାଏଲର ଏହା ଏକ ଅଂଶ । ଯାହା ପାକିସ୍ତାନର ପରମାଣୁ କ୍ଷମତା ମିଜାଇଲ ସିଷ୍ଟମର ଦେଖାରଖା କରିଥାଏ ।

ପାକିସ୍ତାନୀ ମିଡ଼ିଆ ଅନୁସାରେ, ଏହି ମିଜାଇଲର ପରୀକ୍ଷଣ ମିଲିଟ୍ରି ଡ୍ରିଲ ‘ଏକ୍ସରସାଇଜ୍ ଇଣ୍ଡସ’ ଆଧାରରେ କରାଯାଇଛି । କ୍ଷେପଣାସ୍ତ୍ର ପରୀକ୍ଷଣ ବେଳେ ପାକିସ୍ତାନ ସେନାର ଷ୍ଟ୍ରେଟଜିକ ଫୋର୍ସ କମାଣ୍ଡ’ର କମାଣ୍ଡର ଲେଫ୍ଟନେଣ୍ଟ ଜେନେରାଲ ମହମ୍ମଦ ଶାହାବାଜ ଖାନ ଏବଂ ଷ୍ଟ୍ରେଟଜିକ ପ୍ଲାନ୍ସ ଡିଭିଜନର ଡିଜି ମେଜର ଜେନେରାଲ ଶହରୟାର ପରବେଜ ଉପସ୍ଥିତ ଥିଲେ ।

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଗୋଟିଏ ପରେ ଗୋଟିଏ ଆର୍ଥୀକ ଓ କୁଟନୈତିକ କାର୍ଯ୍ୟାନୁଷ୍ଠାନ ନେବାରେ ଲାଗିଛି । ଏମିତି ସ୍ଥିତିରେ ପାକିସ୍ତାନ ଗୋଟିଏ ପରେ ଗୋଟିଏ ନୋଟମ୍ ଜାରି କରୁଛି । ଯାହା ମିଜାଇଲ ପରୀକ୍ଷଣର ସଙ୍କେତ ଦେଉଛି । ଏମିତି ସ୍ଥିତିରେ ପାକିସ୍ତାନ ନୋଟମ୍ ଜାରି କରି ଭାରତ ସହ ଶକ୍ତି ପ୍ରଦର୍ଶନ କରୁଥିବା ପ୍ରତିରକ୍ଷା ବିଶେଷଜ୍ଞ କହୁଛନ୍ତି ।

୨ ଶହରୁ ଅଧିକ ଥର ବିଷାକ୍ତ ସାପ କାମୁଡ଼ିଲାଣି : ଚର୍ଚ୍ଚାରେ  ଟିମ୍ ଫ୍ରିଡେ

ନନ୍ଦିଘୋଷ ବ୍ୟୁରୋ: ସାରା ବିଶ୍ବରେ ଏବେ ଟିମ୍ ଫ୍ରିଡେଙ୍କୁ ନେଇ ଚର୍ଚ୍ଚା । ୨ ଶହରୁ ଅଧିକ ଥର ବିଷାକ୍ତ ସର୍ପ ଦଂଶନ ସତ୍ତ୍ବେ ସାଜିଛନ୍ତି ମରଣ ବିଜୟୀ । ତାଙ୍କୁ ନେଇ ମେଡିକାଲ ଜଗତ ବି ଆଶାବାଦୀ । ସର୍ପଦଂଶନ କ୍ଷେତ୍ରରେ ଚିକିତ୍ସା ଲାଗି ଟିମ୍ ଫ୍ରିଡେ ସହାୟକ ହେବେ ବୋଲି ଆଶା ପ୍ରକାଶ ପାଇଛି । ପୂର୍ବରୁ ସେ ବିଛା ଓ ସ୍ପାଇଡରର ବିଷକୁ ପିଇବାର ଅଭ୍ୟାସ କରିଥିଲେ । ପରେ ସେ ବିଷାକ୍ତ ସର୍ପ ଦଂଶନ ସହିବା ଲାଗି ନିଜକୁ ପ୍ରସ୍ତୁତ କରିଥିଲେ । ଆମେରିକା ଓ୍ବିସନସିନର ଟିମ୍ ଫ୍ରିଡେ ନିଜ ଘରେ ବହୁ ବିଷଧର ସାପଙ୍କୁ ବି ରଖିଥିଲେ । ପ୍ରଥମେ ସେ କମ୍ ପରିମାଣର ସାପ ବିଷ ଇଞ୍ଜେକସନ ଜରିଆରେ ନେବାର ଅଭ୍ୟାସ କରିଥିଲେ । ସିଧାସଳଖ ସର୍ପ ଦଂଶନକୁ ସହିବା ଲାଗି ସେ ନିଜକୁ ପ୍ରସ୍ତୁତି କରିଥିଲେ । ପ୍ରାୟ ଦୁଇ ଦଶନ୍ଧି ଧରି ସେ ବିଷ ଇଞ୍ଜେକସନ ନେବା ସହ ସାପ କାମୁଡାକୁ ଗ୍ରହଣ କରିଛନ୍ତି । ବହୁ ବିଷାକ୍ତ ସର୍ପ ଦଂଶନର ଚିହ୍ନ ବି ତାଙ୍କ ଦେହରେ ରହିଛି । ଏହି ସହଣୀୟ କ୍ଷମତା ସମ୍ପର୍କରେ ଗବେଷଣା କରିବା ଲାଗି ସେ ବହୁ ବୈଜ୍ଞାନିକଙ୍କୁ ସୂଚନା ଦେଇଛନ୍ତି ।  ଅତୀତରେ ଥରେ ଏକ ବିଷଧର ସାପ କାମୁଡିବାରୁ ସେ ତାଙ୍କର ଅଙ୍ଗୁଳିର କିଛି ଅଂଶ କାଟି ଫୋପାଡି ଦେଇଥିବା ସୂଚନା ମିଳିଛି । ସର୍ପାଘାତର ଚିକିତ୍ସା ଦିଗରେ କାମ କରୁଥିବା ସେଣ୍ଟିଭାକ୍ସ କମ୍ପାନୀରେ କାର୍ଯ୍ୟ କରୁଛନ୍ତି ଫ୍ରିଡେ । ଦୀର୍ଘ ବର୍ଷ ଧରି ବିଷାକ୍ତ ଇଞ୍ଜେକସନ ନେବା ପରେ ଶେଷରେ ୨୦୦୧ରେ ସିଧାସଳଖ ବିଷାକ୍ତ ସର୍ପ ଦଂଶନ ଲାଗି ନିଜକୁ ଅନୁମତି ଦେଇଥିଲେ । ନିଜର ପ୍ରଥମ ଅନୁଭୂତି ସମ୍ପର୍କରେ ସେ କହିଛନ୍ତି ସର୍ପ ଦଂଶନ ଏକ ମହୁମାଛି କାମୁଡିବା ପରି ଲାଗେ । ଥରେ ତାଙ୍କୁ ଦୁଇଟି ନାଗ ଦଂଶନ କରିଥିଲେ । ତେବେ ଚାରି ଦିନ ଆଇସିୟୁରେ ରହିବା ପରେ ସୁସ୍ଥ ହୋଇଥିଲେ । ତାଙ୍କୁ ବ୍ଲାକ ମାମ୍ବାସ, ତାଇପାନ, ନାଗ, ଚିତି ଓ ଅନ୍ୟାନ୍ୟ ବିଷାକ୍ତ ସାପ ଦଂଶନ କରିଥିବା ଜଣାପଡିଛି । ତାଙ୍କ ରକ୍ତକୁ ନେଇ ଗବେଷଣା ପରେ ସର୍ପ ବିଷନାଶକ ଔଷଧ ବାହାର କରିବାରେ ଅଧିକ ତଥ୍ୟ ମିଳିବ ବୋଲି କୁହାଯାଇଛି । ପ୍ରତିବର୍ଷ ବିଶ୍ବରେ ସର୍ପାଘାତ କାରଣରୁ ୧ ଲକ୍ଷ ୧୦ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିଥାଏ ।