spot_img
Home Blog Page 80

ଇଲେକ୍ଟ୍ରିକ୍ ବସ୍ ଚାଳନା ତାଲିମ ପାଇଁ ପୁଣେ ଗଲେ ୨୦ ଜଣ ମହିଳା ଡ୍ରାଇଭର

ଭୁବନେଶ୍ବର : ମହିଳା ଚଳାଇବେ ଆମ ବସ୍ । ଇଲେକ୍ଟ୍ରିକ୍ ବସ୍ ଚାଳନା ତାଲିମ ପାଇଁ ପୁଣେ ଗଲେ ୨୦ ଜଣ ମହିଳା ଡ୍ରାଇଭର । କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ ଆମ ବସ୍ ସେବା ପାଇଁ ମହିଳା ଡ୍ରାଇଭରମାନଙ୍କୁ ସାମିଲ କରିବା ଆରମ୍ଭ କରିଛି । ପ୍ରଥମ ପର୍ଯ୍ୟାୟରେ ପୁଣେରେ ପ୍ରଶିକ୍ଷଣ ନେବା ପାଇଁ ଭାରୀ ମୋଟର ଯାନ ଲାଇସେନ୍ସ ଥିବା ୨୦ ଜଣ ମହିଳା ଡ୍ରାଇଭରଙ୍କୁ ଚୟନ କରାଯାଇଛି । ଏହି ପ୍ରଶିକ୍ଷାର୍ଥୀମାନେ ଆଜି ବିମାନ ଯୋଗେ ପୁଣେ ଅଭିମୁଖେ ଯାତ୍ରା କରିଛନ୍ତି । ପୁଣେ ଯିବା ପୂର୍ବରୁ ମହିଳା ଡ୍ରାଇଭରମାନଙ୍କୁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଏବଂ ବିଭାଗର ପ୍ରମୁଖ ସଚିବ ଶୁଭେଚ୍ଛା ଜଣାଇଥିଲେ । ତାଲିମ କାର୍ଯ୍ୟକ୍ରମକୁ ସଫଳତାର ସହ ସମାପ୍ତ କରିବା ଏବଂ ଜନ ପରିବହନ ସେବାରେ ଉଦାହରଣ ସୃଷ୍ଟି କରିବା ପାଇଁ ସେମାନଙ୍କୁ ଉତ୍ସାହିତ କରିଥିଲେ । ୨ ଫେବୃଆରୀରୁ ୧୫ ଫେବୃଆରୀ ୧୪ ଦିନ ଧରି ଏକ୍କା ମୋବିଲିଟି ପ୍ଲାଣ୍ଟରେ ସେମାନେ ପ୍ରଶିଖ୍ଷଣ ନେବେ । କାର୍ଯ୍ୟକ୍ରମରେ ଇଲେକ୍ଟ୍ରିକ୍ ବସ୍ ପରିଚାଳନା, ଉନ୍ନତ ଡ୍ରାଇଭିଂ, ସୁରକ୍ଷା ପ୍ରୋଟୋକଲ୍ ଏବଂ ପରିଚାଳନାଗତ ଉତ୍କର୍ଷତା ଉପରେ ଧ୍ୟାନ ଦିଆଯିବ । ପ୍ରଶିକ୍ଷାର୍ଥୀମାନେ ଫେବୃଆରୀ ୧୭ ପ୍ରଶିକ୍ଷଣ ସାରି ଫେରିବେ । ଖାରବେଳ ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବରେ କ୍ରୁଟର ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ ବିଶ୍ୱାଳ, ମହାପ୍ରବନ୍ଧକ ସହଦେବ ସମାଧିଆ ଏବଂ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ସଜେଇ ହୋଇଛି କଟକ ଗାନ୍ଧୀ ପାର୍କ, ମନ ଟାଣୁଛି ଜାତି ଜାତିକା ଫୁଲ

କଟକ : ମନ ଟାଣୁଛି ଜାତି ଜାତିକା ଫୁଲ । ଗୋଲାପ, ସୂର୍ଯ୍ୟମୁଖୀ, ଗେଣ୍ଡୁ, ଜିନିଆ ସହ ଦେଶ ବିଦେଶର ବହୁ ଫୁଲର ସମ୍ଭାର । ଗୋଟିଏ ସ୍ଥାନରେ ବିଭିନ୍ନ ରଙ୍ଗର ଫୁଲକୁ ଦେଖି ଉତ୍ସାହିତ ଦର୍ଶକ ଓ ପ୍ରକୃତିପ୍ରେମୀ । କଟକ ବେଲଭ୍ଯୁ ଛକ ସ୍ଥିତ ଗାନ୍ଧୀ ପାର୍କର ସିଏମସି, ସିଡିଏ, ଏବଂ ନେଚର୍ସ କ୍ଲବ୍ ପକ୍ଷରୁ ଆରମ୍ଭ ହୋଇଛି ପୁଷ୍ପ ପ୍ରଦର୍ଶନୀ । ଏହି ପ୍ରଦର୍ଶନରୀ ଲାଗିଛି ୧୪୦ରୁ ଅଧିକ ପ୍ରକାରର ଫୁଲ । ଏହାସହ ବିଭିନ୍ନ ଔଷଧୀୟ ବୃକ୍ଷ ସ୍ନେକ୍ ପ୍ଲାଣ୍ଟ, ଘିଁ-କୁଆଁରୀ, ରବର୍ ଗଛ, ମନି ପ୍ଲାଣ୍ଟ ଓ ଅମ୍ଲଜାନ ପାଇଁ ତୁଳସୀ ଗଛ ସହ ବିଭିନ୍ନ କ୍ଯାକଟସ ଓ ଅନ୍ୟ ଗଛ ସବୁ ସଜେଇ ହୋଇ ରହିଛି । ଏହାକୁ ଦେଖିବାକୁ ପ୍ରତିଦିନ ଜମୁଛି ଦର୍ଶକଙ୍କ ଭିଡ଼ ।
ଜାତି ଜାତିକା ଫୁଲ ସହ ସେଲଫି ନେବାକୁ ଧାଡ଼ି ଲଗାଇଛନ୍ତି ଲୋକେ । କିଏ ଫୁଲକୁ ଦେଖି ଏହାକୁ କିଣି ଘରେ ଲଗାଇବାକୁ ମନ କରୁଛି ତ କିଏ ନିଜ କ୍ଯାମେରାରେ ଫୁଲ ଗହଣରେ ଫଟୋ ଉଠାଉଛି । ଭୁବନେଶ୍ବର ପରେ କଟକରେ ଏପରି ପୁଷ୍ପ ପ୍ରଦର୍ଶନୀ ଦେଖି ବେଶ ଉତ୍ସାହିତ ହୋଇଛନ୍ତି ସହରିଆ । ସେପଟେ ଲୋକଙ୍କ ଆଗ୍ରହକୁ ଦେଖି ଏପରି ଫୁଲ ପ୍ରଦର୍ଶନୀ ଆଗାମୀ ଦେନରେ କଟକର ସବୁ ପାର୍କରେ କରିବାକୁ ଘୋଷଣା କରିଛନ୍ତି ମେୟର । ଶନିବାର ଠାରୁ ଆରମ୍ଭ ହୋଇଥିବା ଏହି ପୁଷ୍ପ ପ୍ରଦର୍ଶନୀ ଦୁଇଦିନ ଧରି ଚାଲିବାକୁ ଥିବାରୁ ଏହାକୁ ଦେଖିବାକୁ କେହି ହାତଛଡ଼ା କରୁ ନାହାନ୍ତି ।

ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ସଡ଼କ ଦୁର୍ଘଟଣା ନେଇ ମକଡ୍ରିଲ.

ଭୁବନେଶ୍ୱର : ଭୟଙ୍କର ସଡ଼କ ଦୁର୍ଘଟଣା । କାରକୁ ଧକ୍କା ଦେଇଛି ମିଲ୍କ ଭ୍ଯାନ । ଭାଙ୍ଗିରୁଜି ଚୁରମାର ହୋଇଯାଇଛି ଗାଡ଼ି । ଆଉ ଗାଡ଼ି ଭିତରେ ଫସି ରହିଛନ୍ତି ଡ୍ରାଇଭର ଓ ଗାଡ଼ି ଚାଳକ । ଡୋରକୁ କାଟି ବାହାର କରୁଛନ୍ତ ଉଦ୍ଧାରକାରୀଦଳ । ତୁରନ୍ତ ପ୍ରାଥିମିକ ଚିକିତ୍ସା ଦେବା ସହ ହସପିଟାଲ ନିଆଯାଉଛି । ହେଲେ ଏହା ସତ ସତିକା ନୁହେଁ । ଦୁର୍ଘଟଣା ସମୟରେ କିଭଳି ନିଜର ଦାୟୀତ୍ବ ନିର୍ବାହ କରନ୍ତି ଏବଂ ସେଥିପାଇଁ କେଉଁ ପ୍ରକାର ଅତ୍ୟାଧୁନିକ ଯନ୍ତ୍ରପାତି ଓ ଉପକରଣ ବ୍ୟବହାର କରାଯାଏ ସେନେଇ ଡେମୋ ଦେଖାଇଲେ ଅଗ୍ନିଯୋଦ୍ଧା । ଓଡ଼ିଶା ଅଗ୍ନିଶମ ବାହିନୀ ପକ୍ଷରୁ କରାଯାଇଛି ଏପରି ଏକ ମକଡ୍ରିଲ୍ ।

ଆପଦା କାଳରେ ହାଇଡ୍ରୋଲିକ କଟର ସାହାଯ୍ୟରେ ଦୁର୍ଘଟଣା ଗ୍ରସ୍ତ କାର୍ କୁ କାଟି ଆହତଙ୍କୁ କିପରି ଉଦ୍ଧାର କରାଯାଏ । ଲିଫ୍ଟିଂ ବ୍ୟାଗ, ଶହେ ଟନ୍ ରୁ ଉର୍ଦ୍ଧ୍ବ ଓଜନକୁ ଉଠାଇବାର କାର୍ଯ୍ୟ କରାଯାଇଥାଏ । ହାଇଡ୍ରୋଲିକ ଡ୍ରୋର ବ୍ରେକର୍, ଅତ୍ୟାଧୁନିକ କ୍ୟାମେରା, କଙ୍କରିଟ କଟର, ରେସକ୍ୟୁ ଟେଣ୍ଡେର, ମିଷ୍ଟ ବାଇକ, ଫାୟାର ଏଣ୍ଟ୍ରି ସୁଟ ଡେମୋ, ୱାଟର କେନନ ଡେମୋ, ଫାୟାର ଫାଇଟିଙ୍ଗ ରୋବୋଟିକ ମନିଟର, ପ୍ଲାଜମା କଟର, ସ୍କୁବା ଡେମୋ, ବାଇକ ପିରାମିଡ, ମରଚରି ଭ୍ୟାନ୍, ଆମ୍ବୁଲାନ୍ସ , ସ୍ବତନ୍ତ୍ର ଫାୟାର ଫାଇଟ୍ ଭ୍ୟାନ୍ ଭଳି ସର୍ବମୋଟ ୧୨ ଟି ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରଦର୍ଶନ କରିଥିଲେ ଅଗ୍ନିଶମ ବାହିନୀ । ହାଇଷ୍ଟ୍ରାନ୍ସ ମେସିନ ଦ୍ବାରା ୩ କିଲୋମିଟର ଦୂରରେ ଥିବା ଜଳାଶୟରୁ ପାଣି ଅଣାଯାଇ ନିଆଁ ଆୟୋତ କରାଯାଇ ପାରିବ । ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ନେଇ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା । ସାରା ଓଡ଼ିଶାରେ ରହିଛି ୩୪୬ ଫାୟାର ବ୍ରିଗେଡ ଷ୍ଟେସନ । ଓଡ଼ିଶା ଅଗ୍ନିଶମ ବାହିନୀ ପାଖରେ ୧୨ଶହ ଉଦ୍ଧାରକାରୀ ଭ୍ୟାନ୍ ରହିଛି । ଜରୁରୀକାଳୀନ ସେବା କକ୍ଷ ନିର୍ମାଣ ପାଇଁ ୨୯ କୋଟି ଖର୍ଚ୍ଚ ପାଇଁ ମିଳିଛି ଅନୁମତି ।

ମହାମହିମଙ୍କ ପାଇଁ ସୁରକ୍ଷା ବଳୟରେ ପୁରୀ ସହର..

ପୁରୀ : ପିଣ୍ଡଦାନ କରିବେ ମହାମହିମ। ଶ୍ବେତଗଙ୍ଗାରେ ପରିତ୍ର ପୁଷ୍କରିଣୀରେ ପିତୃପୁରୁଷଙ୍କ ଉଦ୍ଦେଶ୍ଯରେ ଦେବେ ଶ୍ରାଦ୍ଧ । ଏଥିପାଇଁ ୩ ତାରିଖରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ପୁରୀ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଲୋକ ଭବନରେ ରାତ୍ରୀ ଯାପନ ପରେ ୪ ତାରିଖ ସକାଳୁ ସକାଳୁ ଶ୍ବେତଗଙ୍ଗା ଯାଇ କରିବେ ପିଣ୍ଡଦାନ । ଏହାପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ନେବେ ଆଶିଷ । ରାଷ୍ଟ୍ରପତିଙ୍କ ଗସ୍ତ ଦୃଷ୍ଟିରୁ ପୁରୀ ହେଲିପ୍ୟାଡ, ଲୋକଭବନ, ଶ୍ୱେତଗଙ୍ଗା, ଶ୍ରୀମନ୍ଦିର ଓ ସହରରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ୩୦ ପ୍ଲାଟୁନ ଫୋର୍ସ ସହ ଆଣ୍ଟି ରହିବେ। ଶ୍ରୀମନ୍ଦିର ଚାରିପଟେ ଥିବା ସମସ୍ତ ହୋଟେଲ, ଲଜିଂ, ଜନଗହଳି ସ୍ଥାନ ସହ ସବୁଠି ଯାଞ୍ଚ କରାଯାଇଛି ।
ଶ୍ରୀମନ୍ଦିର ଗସ୍ତବେଳେ ରାଷ୍ଟ୍ରପତିଙ୍କୁ ଉପହାର ସ୍ବରୂପ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଖଣ୍ଡୁଆ, ମହାପ୍ରସାଦ ଉପହାର ପ୍ରଦାନ କରାଯିବ । ସେପଟେ ୩ ତାରିଖ ପୁରୀ ଲୋକ ଭବନରେ ରାଷ୍ଟ୍ରପତିଙ୍କୁ ରାତ୍ରୀ ଭୋଜନରେ ମହାପ୍ରସାଦ ଦିଆଯିବ । ମହାପ୍ରସାଦ ସହ ବିଭିନ୍ନ ପ୍ରକାର ବ୍ୟଞ୍ଜନ, ପିଠା, ମିଠା ଆଦି ପରସି ଦେବାକୁ କହିଛନ୍ତି ଶ୍ରୀମନ୍ଦିର ବରିଷ୍ଠ ଦେବାୟତ । ଶ୍ୱେତଗଙ୍ଗା ପୁଷ୍କରିଣୀ ସଲଗ୍ନରେ ଗଢି ଉଠିଥିବା ବିଭିନ୍ନ ହୋମଷ୍ଟେ ଗୁଡିକରେ ୩ ତାରିଖ ଏବଂ ୪ ତାରିଖରେ କୌଣସି ପର୍ଯ୍ୟଟକଙ୍କ ରହଣି କିଭଳି ନହେବ ସେନେଇ ପର୍ଯ୍ୟଟନ ବିଭାଗ ସହ ଆଲୋଚନା କରିଛନ୍ତି ଏସପି ।

‘ଦବଙ୍ଗ’ ଡାଇରେକ୍ଟର ଅଭିନବ କଶ୍ୟପଙ୍କ ବିରୋଧରେ ସଲମାନଙ୍କ ମାନହାନୀ ମାମଲା

‘ଦବଙ୍ଗ’ ଡାଇରେକ୍ଟର ଅଭିନବ କଶ୍ୟପଙ୍କ ବିରୋଧରେ ସଲମାନଙ୍କ ମାନହାନୀ ମାମଲା

ନନ୍ଦିଘୋଷ ବ୍ୟୁରୋ: ଦବଙ୍ଗ ଫିଲ୍ମର ଡାଇରେକ୍ଟର ଅଭିନବ କଶ୍ୟପ ବଲିଉଡ଼ ସୁପରଷ୍ଟାର ସଲମାନ ଖାନ ଓ ତାଙ୍କ ପରିବାର ସମ୍ପର୍କରେ ବିବାଦୀୟ ବୟାନ ଦେଇଥିଲେ । ତାଙ୍କର ଶେଷ ସାକ୍ଷାତକାର ବହୁତ ଚର୍ଚ୍ଚାରେ ରହିଥିଲା । ଯେଉଁଥିରେ ସେ ସଲମାନଙ୍କ ଅଭିନୟରୁ ନେଇ ତାଙ୍କ ବ୍ୟବହାର ଉପରେ ପ୍ରଶ୍ନ ଉଠାଇ ଥିଲେ । ଅଭିନବ ତାଙ୍କ କ୍ୟାରେକ୍ଟରକୁ ନେଇ ଗମ୍ଭୀର ଆରୋପ ଲଗାଇଥିଲେ । ଯାହା ଉପରେ ସଲମାନଙ୍କ ରିଆକ୍ଟ ଆସିଥିଲା । ଏବେ ଏହି ଘଟଣାରେ କୋର୍ଟଙ୍କ ଏଣ୍ଟ୍ରି ହୋଇଛି । ଯେଉଁଥିରେ ସଲମାନ ଓ ତାଙ୍କ ପରିବାରକୁ ଆସ୍ବସ୍ତି ମିଳିଛି ।

ଅଭିନବଙ୍କୁ କୋର୍ଟଙ୍କ ଭର୍ତ୍ସନା

ଶୁକ୍ରବାର ମୁମ୍ବାଇର ଏକ କୋର୍ଟ ଫିଲ୍ମ ମେକର ଅନୁରାଗ କଶ୍ୟପଙ୍କ ଭାଇ ଅଭିନବ କଶ୍ୟପଙ୍କୁ ସଲମାନ ଖାନ ଏବଂ ତାଙ୍କ ପରିବାର ବିରୋଧରେ ଅପମାନଜନକ କମେଣ୍ଟ କରିବା ଓ ନକରାତ୍ମକ ଭାବନା ସୃଷ୍ଟି କରିବା ଉପରେ ଅସ୍ଥାୟୀ ରୂପେ ସ୍ଥଗିତାଦେଶ ଲଗାଇଛନ୍ତି । ସଲମାନ କୋର୍ଟରେ ମାନହାନୀ ମାମଲା କରିଛନ୍ତି । ସେ ଚାହୁଁଛନ୍ତି କୋର୍ଟ ବୟାନବାଜି ଉପରେ ସ୍ଥାୟୀ ପ୍ରତିବନ୍ଧକ ଲଗାନ୍ତୁ । ସେ ଅଭିନବ କଶ୍ୟପଙ୍କୁ ୯ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ଏହାସହ ବିନା ସର୍ତ୍ତରେ କ୍ଷମା ମାଗିବାକୁ ବି ଦାବି କରିଛନ୍ତି ।

ଅଭିନବ କଶ୍ୟପ ସଲମାନଙ୍କ ବିରୋଧରେ ସେପ୍ଟେମ୍ବରରୁ ଡିସେମ୍ବର ୨୦୨୫ ମଧ୍ୟରେ ୨୬ ଭିଡିଓ ସାକ୍ଷାତାକର ଓ ପୋଡକାଷ୍ଟ ଜାରି କରିଥିଲେ । କୋର୍ଟରେ ଦାୟର ଆବେଦନର ଦାବି କରାଯାଇଛି ଏହି ଭିଡିଓରେ ଡାଇରେକ୍ଟର ତାଙ୍କର ଓ ତାଙ୍କ ପରିବାର ବିରୋଧରେ ଖରାପ କଥା କହିବା, ମିଛ କହିବା ଓ ଅପମାନଜନକ ଶବ୍ଦ ବ୍ୟବହାର କରିଥିଲେ । ଏଥିରେ ଅଭିନବଙ୍କ ବ୍ୟତୀତ ଖୁସବୁ ହଜାରେ ଓ ଏକାଧିକ ସୋସିଆଲ ମିଡିଆ ପ୍ଲାଟଫର୍ମର ନାଁ ରହିଛି ।

ଆବେଦନ ଅନୁସାରେ, ଡାଇରେକ୍ଟର ସଲମାନ ଓ ତାଙ୍କ ପରିବାର ବିରୋଧରେ ଅଭଦ୍ର ଟିପ୍ପଣୀ କରିଥିଲେ । ସେ ସଲମାନଙ୍କ କ୍ୟାରିଅରକୁ ନେଇ ମିଛ ଦାବି କରିଥିଲେ । ଡାଇରେକ୍ଟର ଏକ ସାକ୍ଷାତକାରରେ ଖାନ ପରିବାରକୁ ଦୋଷୀ ବି କହିଥିଲେ । ଏହାସହ ସଲମାନଙ୍କ ଚେହେରା, ତାଙ୍କ ବୟସ ଓ ବ୍ୟକ୍ତିଗତ ଜୀବନକୁ ନେଇ ବହୁତ ଅପଶବ୍ଦ ବ୍ୟବହାର କରିଥିଲେ । ଅଭିନବ କଶ୍ୟପ ସଲମାନଙ୍କ ବାପା ସଲିମ ଖାନ, ଦୁଇ ଭାଇ ଅରବାଜ ଓ ସୋହେଲଙ୍କ ବିରୋଧରେ ବି ଅପମାନଜନକ କଥା କହିଥିଲେ ।

କୋର୍ଟଙ୍କ ଆଦେଶ ?

ସଲମାନଙ୍କ ପାକ୍ଷରୁ ଏହା ଦାବି କରାଯାଇଥିଲା, ଏହି ଲୋକମାନେ ଆଗକୁ ଯେମିତି ତାଙ୍କର ଓ ତାଙ୍କ ପରିବାରର ମାନହାନୀ ହେବା ପରି ଟିପ୍ପଣୀ ନଦିଅନ୍ତି ସେଥିପାଇଁ ପ୍ରତିବନ୍ଧକ ଲଗାନ୍ତୁ । ଏହାସହ ସମସ୍ତ ବିବାଦୀୟ କଣ୍ଟେନ ହଟା ଯିବା ସହ ଡାଇରେକ୍ଟର ବିନା ସର୍ତ୍ତରେ କ୍ଷମା ମାଗନ୍ତୁ । କୋର୍ଟ ବି ଅଭିନବଙ୍କ କମେଣ୍ଟସକୁ ବଦନାମୀ କରିବା, ନିଚା ଦେଖାଇବା, ଅପଶବ୍ଦ ବ୍ୟବହାର କରିବା ଓ ଅପମାନିତ କରିବା ମାନିଛନ୍ତି । କୋର୍ଟ କହିଛନ୍ତି, ଏମିତି ଟିପ୍ପଣୀ ସାଧାରଣ ଲୋକଙ୍କ ଆଗରେ ଜଣଙ୍କର ଇମେଜ ଖରାପ କରିଥାଏ । ଅଭିନବ ଓ ଅନ୍ୟମାନଙ୍କ ଟିପ୍ପଣୀ ସଲମାନ ଓ ତାଙ୍କ ପରିବାରର ଇଜ୍ଜତକୁ ତଳେ ପକାଇଛି । କୋର୍ଟ ସ୍ପଷ୍ଟ କରିଛନ୍ତି, କୌଣସି ବ୍ୟକ୍ତି କାହାରି ପରିବାର ବିରୋଧରେ ଅଭଦ୍ର ଓ ଅପମାନଜନକ ଶବ୍ଦ ବ୍ୟବହାର କରିବା ଅନୁଚିତ ।

ବେଲୁଚିସ୍ତାନର ୧୨ ସହର ଉପରେ ବିଏଲଏର ଆକ୍ରମଣ, ୧୦ ପୋଲିସ କର୍ମୀ ମୃତ

ବେଲୁଚିସ୍ତାନର ୧୨ ସହର ଉପରେ ବିଏଲଏର ଆକ୍ରମଣ, ୧୦ ପୋଲିସ କର୍ମୀ ମୃତ

ନନ୍ଦିଘୋଷ ବ୍ୟୁରୋ: ପୁଣି ଅଶାନ୍ତ ପାକିସ୍ତାନର ବେଲୁଚିସ୍ତାନ ପ୍ରାନ୍ତ । ବେଲୁଚ ଲିବରେଶନ ଆର୍ମୀ (ବିଏଲଏ) ଏକାଥରେ ୧୨ ସହର ଉପରେ କରିଛି ଆତ୍ମଘାତି ଆକ୍ରମଣ । ଏଥିରେ ୧୦ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଛି । ପଲଟା ଆକ୍ରମଣରେ ୫୦ରୁ ଅଧିକ ବିଦ୍ରୋହୀଙ୍କ ମୃତ୍ୟୁ ଘଟିଥିବା ଦାବି କରାଯାଉଛି ।

ସ୍ଥାନୀୟ ସୁରକ୍ଷା ଅଧିକାରୀଙ୍କ ଅନୁସାରେ, ଶନିବାର ସକାଳେ ଏକା ସାଙ୍ଗରେ ବେଲୁଚିସ୍ତାନର ୫ଟି ପ୍ରମୁଖ ଜିଲ୍ଲା କ୍ବେଟା, ପସନୀ, ମସ୍ତୁଙ୍ଗ, ନୁସ୍କି ଓ ଗ୍ବାଦରରେ ବିଏଲଏ ବିଦ୍ରୋହୀ ଆକ୍ରମଣ କରିଥିଲେ । ଅନ୍ଧାଧୁନ ଗୁଳିମାଡ଼ ସହ ଆତ୍ମଘାତି ଆକ୍ରମଣ କରାଯାଇଥିଲା । କ୍ବେଟାରେ ସ୍ଥିତି ବହୁତ ଅଶାନ୍ତ ରହିଛି । ଯେଉଁଠି ୪ ପୋଲିସ କର୍ମୀଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି ।

ବିଏଲଏର ‘ଅପରେସନ ହେରଫ’

ଆକ୍ରମଣର ଦାୟିତ୍ବ ବେଲୁଚ ଲିବରେଶନ ଆର୍ମୀ ବା ବିଏଲଏ ନେଇଛି । ସଂଗଠନ ପକ୍ଷରୁ କୁହାଯାଇଛି, ସେମାନଙ୍କ ଟାର୍ଗେଟରେ ସୈନ୍ୟ ଠିକଣା, ପୋଲିସ ଓ ସାଧାରଣ ପ୍ରଶାସନର ଅଧିକାରୀ ଥିଲେ । ରିପୋର୍ଟ ଅନୁସାରେ, ବିଏଲଏ ଏହି ଆକ୍ରମଣ ସହ ତା’ର କଥାକଥିତ ଆପରେଶନ ହେରଫର 2.0 ଆରମ୍ଭ କରିଦେଇଛି । ମାତୃଭୂମିର ରକ୍ଷା ପାଇଁ ନୂଆ ଆକ୍ରମଣର ପ୍ରସ୍ତୁତି ଚାଲିଥିବା ପୂର୍ବରୁ ବିଏଲଏ ପକ୍ଷରୁ କୁହାଯାଇଥିଲା ।

ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଆକ୍ରମଣ ପରେ ପୂରା ବେଲୁଚିସ୍ତାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି । ଏକାଧିକ ସହରରେ ଜରୁରୀକାଳିନ ଟିମ୍ ମୁତୟନ କରାଯାଇଛି । ସମ୍ବେଦନଶୀଳ ଅଞ୍ଚଳରେ ତଲାସୀ ଆରମ୍ଭ କରିଦିଆଯାଇଛି । ଆକ୍ରମଣରେ ସାଧାରଣ ଲୋକଙ୍କ ମୃତ୍ୟୁ ନେଇ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇ ନଥିବା ସ୍ଥାନୀୟ ଅଧିକାରୀ କହିଛନ୍ତି ।

ଦଶକ ପୁରୁଣା ବିଦ୍ରୋହ

ବେଲୁଚିସ୍ତାନରେ ବିଚ୍ଛିନ୍ନତାବାଦୀଙ୍କ ଆନ୍ଦୋଳନ କିଛି ନୂଆ କଥା ନୁହେଁ । ଏକ ଦଶନ୍ଧିରୁ ଏହି ଅଧିକ ହେବ ବେଲୁଚିସ୍ତାନ ବିଦ୍ରୋହର ନିଆଁରେ ଜଳୁଛି । ବେଲୁଚ ସମୁଦାୟ ବର୍ଷ ବର୍ଷ ଧରି ରାଜନୈତିକ ଉପେକ୍ଷା ଓ ଆର୍ଥିକ ଶୋଷଣ ଅଭିଯୋଗ କରି ଆସୁଛନ୍ତି । ଅନ୍ୟପକ୍ଷେ ଏହି ଅଞ୍ଚଳ ଖଣିଜ ସମ୍ପଦରେ ଭରପୂର ରହିଛି । ନିକଟ ଅତୀତରେ ବିଏଲଏ ଅନ୍ୟ ପ୍ରାନ୍ତରୁ ଆସିଥିବା ପାକିସ୍ତାନୀ ନାଗରିକ ଓ ବିଦେଶୀ କମ୍ପାନୀଙ୍କ ଉପରେ ଆକ୍ରମଣ କରୁଛନ୍ତି । ୨୦୨୫ ମାର୍ଚ୍ଚରେ ବେଲୁଚ ଉଗ୍ରବାଦୀ ୪୫୦ ଯାତ୍ରୀ ଥିବା ଏକ ଟ୍ରେନକୁ ହାଇଜାକ କରି ନେଇଥିଲେ । ଯେଉଁଥିରେ ୧୨ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା ।

ମନ୍ଦିରରୁ ୭୦ ଲକ୍ଷ ଟଙ୍କାର ମିଳିଲା ଗଞ୍ଜେଇ, ପୂଜକ ଗିରଫ

ନନ୍ଦିଘୋଷ ବ୍ୟୁରୋ  ; ତେଲେଙ୍ଗାନାର ସାଙ୍ଗାରେଡି ଜିଲ୍ଲାର ନାରାୟଣଖେଡ ମଣ୍ଡଳର ପଞ୍ଚଗମ ଗାଁରେ ପୋଲିସ ଜଣେ ମନ୍ଦିର ପୂଜକଙ୍କୁ ଗିରଫ କରିଛି। ମନ୍ଦିର ପରିସରରେ ଡ୍ରଗ୍ସ କାରବାର କରୁଥିବା ଅଭିଯୋଗ ପରେ ପୂଜକଙ୍କୁ ଗିରଫ କରାଯାଇଛି। ସେ ମନ୍ଦିର ପରିସରରେ ଗେଣ୍ଡୁ ଫୁଲ ଗଛ ସହିତ ଗଞ୍ଜେଇ ଚାଷ କରି ବିକ୍ରୟ କରୁଥିବାର ଜଣାପଡ଼ିଥିଲା। ଡିଟିଏଫ ସାଙ୍ଗାରେଡି ଟିମ୍ ନାରାୟଣଖେଡରେ ପୂଜକଙ୍କୁ ଗିରଫ କରିବା ସହିତ ୭୦ ଲକ୍ଷ ମୂଲ୍ୟର ଗଞ୍ଜେଇ ଜବତ କରିଛି।

ଏହି ମାମଲାଟି ଡ୍ରଗ୍ସ ଚାଲାଣ ସହିତ ଜଡିତ। ପୋଲିସ ସାଙ୍ଗାରେଡ୍ଡି ଜିଲ୍ଲାର ନାରାୟଣଖେଡ ମଣ୍ଡଳର ପଞ୍ଚଗାମ ଗ୍ରାମର ଜଣେ ମନ୍ଦିର ପୂଜକଙ୍କୁ ଗିରଫ କରିଛି। ପୋଲିସ ମନ୍ଦିର ପରିସରରୁ ୭୦ ଲକ୍ଷ ମୂଲ୍ୟର ଗଞ୍ଜେଇ ମଧ୍ୟ ଜବତ କରିଛି। ପୂଜକ ନିଜକୁ ଜଣେ ଆଧ୍ୟାତ୍ମିକ ଗୁରୁ ବୋଲି ଦାବି କରିଥିଲେ, କିନ୍ତୁ ଗଞ୍ଜେଇ ଚାଷ ଏବଂ ବିକ୍ରୟ ପାଇଁ ଗିରଫ ହେବା ପରେ ତାଙ୍କର ଗୁମୁର ଜଣାପଡିଥିଲା ।  ମନ୍ଦିର ପରିସରରେ ଗେଣ୍ଡୁ ବଗିଚାରେ ଫୁଲ ଚାଷ ନାମରେ ଗଞ୍ଜେଇ ଚାଷ କରାଯାଉଥିଲା।

ଚଢାଉ ସମୟରେ ପୋଲିସ ୬୮୫ଟି ଗଞ୍ଜେଇ ଗଛ, ୧୭.୭୪୧ କିଲୋଗ୍ରାମ ଶୁଖିଲା ଗଞ୍ଜେଇ, ୦.୮୯୭ କିଲୋଗ୍ରାମ ଗଞ୍ଜେଇ ବିହନ, ୩୦ ହଜାର ନଗଦ ଟଙ୍କା, ଏକ ଡିଜିଟାଲ୍ ଓଜନ ମେସିନ୍ ଏବଂ ଏକ ମୋବାଇଲ୍ ଫୋନ୍ ଜବତ କରିଛି।

ଆଜିଠୁ ଆରମ୍ଭ ହୋଇଛି ବିଶ୍ବ ପ୍ରସିନ୍ଧ ଯୋରନ୍ଦା ମେଳା

ଢେଙ୍କାନାଳ : ଆଜିଠୁ ଆରମ୍ଭ ହୋଇଛି ବିଶ୍ବ ପ୍ରସିନ୍ଧ ଯୋରନ୍ଦା ମେଳା। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ସନ୍ଧ୍ୟା ୫ଟାରେ ଝାଡଦୀପ ପ୍ରଜ୍ୱଳିତ । ରାଜ୍ୟର ବିଭିନ୍ନ ଅଞ୍ଚଳ ସମେତ ନେପାଳ, ଗୁଜରାଟ, ଆସାମ, ଝାଡଖଣ୍ଡ, ଛତିଶଗଡ, ଆନ୍ଧ୍ର ପ୍ରଦେଶ ଆଦି ରାଜ୍ୟରୁ ମହିମା ସାଧୁ ସନ୍ୟାସୀ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଚଳିତବର୍ଷ ମାଘ ମେଳା ୧୫୩ ବର୍ଷରେ ପହଞ୍ଚିଛି। ପ୍ରସିଦ୍ଧ ମାଘମେଳା ଅବସରରେ ମହିମା ପୀଠରେ ଗାଦୀମନ୍ଦିର, ବତୀ ମନ୍ଦିର, ଧୂନୀ ମନ୍ଦିର ଓ ଶୂନ୍ୟ ମନ୍ଦିର ଆଦି ଗୁଡିକରେ ଝାଡଦୀପ ପ୍ରଜ୍ୱଳିତ ହେବ । ସମଗ୍ର ବିଶ୍ୱ ଓ ଜୀବଜଗତର ମଙ୍ଗଳ କାମନା ପାଇଁ ମହିମା ସାଧୁ ସନ୍ୟାସୀ ଓ ଶ୍ରଦ୍ଧାଳୁ ମାନେ ଘୃତାହୂତୀ କରିବେ । ସେପଟେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଯୋରନ୍ଦା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ବିଭିନ୍ନ ଉନ୍ନତିକରଣ କାର୍ଯ୍ୟର କରିବେ ଶିଳାନ୍ୟାସ।

ମେଳାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ୨ଜଣ ଅତିରିକ୍ତ ଏସ୍ପି, ୫ଜଣ ଡିଏସ୍ପି, ୧୬ଜଣ ଇନ୍ସପେକ୍ଟର, ଏସ୍ଆଇ ଓ ଏଏସ୍ଆଇ ରହିବେ। ମେଳା ଜଗିବେ ୧୪ ପ୍ଲାଟୁନ ପୋଲିସ ଫୋର୍ସ । ସେହିପରି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ୧୫ ପ୍ଲାଟୁନ ସଶସ୍ତ୍ର ପୋଲିସ ଫୋର୍ସ ମୁତୟନ ହେବେ । ସନ୍ଧାନୀ କୁକୁର, ମେଟାଲ ଡିଟେକ୍ଟର ଓ ସିସିଟିଭି କ୍ୟାମେରା ବ୍ୟବସ୍ଥା ସମେତ ୮ଟି ଡକାୟତି ସ୍କ୍ୱାର୍ଡ ମଧ୍ୟ ମୁତୟନ ହେବେ । ଚଳିତ ବର୍ଷ ମେଳାରେ ଦଶ ଲକ୍ଷ ଭକ୍ତଙ୍କ ସମାଗମ ହେବା ନେଇ ଆଶା ରଖାଯାଇଛି।

ରାୟଗଡ଼ା ସହରରେ ଜଣ୍ଡିସ୍ ଆତଙ୍କ

ରାୟଗଡା : ରାୟଗଡା ସହରରେ ଜଣ୍ଡିସ୍ ଆତଙ୍କ । ଜଣ୍ଡିସ୍ ରୋଗରେ ଆକ୍ରାନ୍ତ ଏକାଧିକ ପିଲା । ଭୟଭୀତ ଅବସ୍ଥାରେ ଲୋକେ। ଇନ୍ଦିରା ନଗର, କସ୍ତୁରୀ ନଗର ଓ କତୁରୁ ବସ୍ତିରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ବୟସ ୧୧ରୁ ୧୭ ବର୍ଷ ହେବ। ସପ୍ତାହକ ମଧ୍ୟରେ ପ୍ରାୟ ୧୨ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଖବର ପାଇ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ରୋଗୀଙ୍କ ଚିକିତ୍ସା ଆରମ୍ଭ କରିଛି । ଆକ୍ରାନ୍ତଙ୍କ ରକ୍ତ ନମୁନା ସଂଗ୍ରହ କରାଯିବା ସହ ପାଣି ସାମ୍ପୁଲ ମଧ୍ୟ ସଂଗ୍ରହ କରାଯାଇଛି ।

ବିଶେଷ କରି କତୁରୁ ବସ୍ତିରେ ଲୋକେ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ରହୁଥିବା ଦେଖିବାକୁ ମିଳିଛି। ଏଠାରେ ପାନୀୟ ଜଳ ଯୋଗାଣ ସତ୍ତ୍ବେ ପିଲାଙ୍କୁ ଜଣ୍ଡିସ୍ ବ୍ୟାପୁଛି । ଫାଷ୍ଟ୍ ଫୁଡ୍ ଖାଇବା ଦ୍ବାରା ପିଲା ମାନେ ଆକ୍ରାନ୍ତ ହେଉଥିବା ଡାକ୍ତରୀ ଟିମ୍ କହିଛନ୍ତି । ତେବେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘର ଘର ବୁଲି ଲୋକଙ୍କୁ ସଚେତନ କରାଯାଉଛି। ସଫାସୁତୁରା ରହିବା ସହ ଭୟଭୀତ ନହେବା ପାଇଁ ପରାମର୍ଶ ଦିଆଯାଇଛି। ଜଣ୍ଡିସ କାୟା ମେଲାଉଥିବାବେଳେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୨୨ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସରୁନି ଆବାସ ଦୁଃଖ : ଦଦରା ମାଟି କୁଡ଼ିଆରେ ଦୁର୍ଦ୍ଦିନରେ ବିତୁଛି ଜୀବନ

ମାଥିଲି : ବଣ୍ତାଘାଟି । ଆଦିମ ଜନଜାତିଙ୍କ ଜନବସତି । ଦଦରା ମାଟି କୁଡିଆରେ ଦୁର୍ଦ୍ଦିନରେ ବିତୁଛି ଜୀବନ । ସରୁନି ଆବାସ ଗୃହ ଦୁଃଖ। ମାଲକାନଗିରି ବଣ୍ତା ପାହାଡର ଏ ହେଉଛି ଆବାସ ଦୁର୍ନୀତିର ସାଂଘାତିକ ସତ । ଅଧପନ୍ତରିଆ ଭାବେ ପଡିରହିଛି ଆବାସ ଗୃହ। ହିତାଧିକାରୀଙ୍କୁ ଭୁତାଇ ଟଙ୍କା ନେଇ ଠିକାଦାର ଛୁ । ଏ ହେଉଛି ତୁସେଇପଡା ଗାଁର ଦୃଶ୍ୟ । ଏଠି ସବୁ ଘର ଅଧା ଗଢ଼ା ହୋଇରହିଛି । କେଉଁଠି ସାମାନ୍ୟ ଫାଉଣ୍ତେସନ ତ ଆଉ କେଉଁଠି ପ୍ଲିନ୍ଥ ଲେବୁଲ କରି ଟଙ୍କା ନେଇଯାଇଛି ଠିକାଦାର ।

ଖଇରପୁଟ ବ୍ଲକରେ ୧୦ ଟି ପଞ୍ଚାୟତରେ ପିଏମ ଆବାସ ଯୋଜନାରେ ଅନୁମୋଦନ ୨ହଜାର ୯୯ ଘର ମଧ୍ୟରୁ ୪୩୮ ଘର ନିର୍ମାଣ ସରିଛି । ସେଥିମଧ୍ୟରୁ ମୁଦୁଲିପଡାରେ ୫୮୨ ମଧ୍ୟରୁ ୫୯ ଏବଂ ଅଣ୍ତ୍ରାହଲରେ ୫୬୭ ମଧ୍ୟରୁ ୮୦ ଟି ଘର ନିର୍ମାଣ ଶେଷ ହୋଇଛି । ବ୍ଲକ ର ୧୬ଶହ ୬୧ ଘର ନିର୍ମାଣ ଶେଷ ହୋଇନଥିବାବେଳେ ଅଧିକାଂଶ ଅଧପନ୍ତରିଆ ଅବସ୍ଥାରେ ପଡି ରହିଛି । ଏପଟେ ବିଗତ ଦିନରେ ପ୍ରଶାସନର ପୁରା ଟିମ ବଣ୍ତାଘାଟିରେ ଗୃହ ନିର୍ମାଣ କରିବାକୁ ରାତି ଉଜାଗର ରହି ହିତାଧିକାରୀଙ୍କୁ ସଚେତନ କରିଥିଲେ । କିନ୍ତୁ ସବୁ ଫସର ଫାଟିଯାଇଛି । କିଏ ଖାଇଗଲା ଆବାସ ଅର୍ଥ ? କାହିଁକି ଠିକାଦାରଙ୍କୁ ଜନଜାତିଙ୍କ ଆବାସ ଗୃହ ଟେକିଦେଇଥିଲା ପ୍ରଶାସନ ତାକୁ ନେଇ ଉଠିଛି ନାନା ପ୍ରଶ୍ନ ।