spot_img
Home Blog Page 79

VRS ନେବେ ଆର୍ ଏସ୍ ଗୋପାଳନ୍ ! ଏଥିପାଇଁ କରିଛନ୍ତି ଆବେଦନ

ନନ୍ଦିଘୋଷ ବ୍ୟୁରୋ : ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍  ଏସ୍ ଗୋପଳନ ଭିଆରଏସ ପାଇଁ ଆବେଦନ କରିଥିବା ଜଣାପଡ଼ିଛି। ୨୦୦୫ ବ୍ୟାଚର ଆଇଏଏସ ଅଧିକାରୀ ତଥା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଗୋପାଳନ ଚାକିରିରୁ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଛନ୍ତି। ଆବେଦନପତ୍ର ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରିଥିବା ସୂଚନା ମିଳିଛି। ତାଙ୍କ ଭିଆରଏସ ଆବେଦନକୁ ନେଇ ସରକାରୀ ମହଲରେ ବହୁତ ଚର୍ଚ୍ଚା ହେଲାଣି। କାହିଁକି ହଠାତ ଜଣେ ବରିଷ୍ଠ ଆଇଏଏସ ଅଧିକାରୀ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଛନ୍ତି ବୋଲି ପ୍ରଶ୍ନ ଉଠିଛି। ତାମିଲନାଡୁର ମୂଳ ବାସିନ୍ଦା ଆର ଏସ ଗୋପାଳନ ଓଡ଼ିଶା କ୍ୟାଡରରେ ଆଇଏଏସ ଅଧିକାରୀ। ସେ ୨୦୨୬ ଜୁଲାଇ ମାସରେ ଚାକିରିରୁ ଅବସର ନେଇଥାନ୍ତେ। ଆହୁରି ୧୧ ମାସ ତାଙ୍କ ଚାକିରି ସମୟ ଥିଲା। ଏବେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସେ ତୁଲାଉଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ କରିବା ସହ ଅତିରିକ୍ତ ଦାୟିତ୍ୱ ଅବକାରୀ ସଚିବ ଦାୟିତ୍ୱରେ ଅଛନ୍ତି।  ରାଜ୍ୟରେ ଏସ୍‌ଆଇଆର ପ୍ରକ୍ରିୟାକୁ ନେଇ ବିତର୍କ ଚାଲିଥିଲା ବେଳେ ମୁଖ୍ୟ ନିର୍ବାଚନ ଅଧିକାରୀ ନିଜେ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିବା ଘଟଣା ଆଲୋଚନାର ବିଷୟ ହୋଇଛି। …

ପୁଣି ୟୁରୋପୀୟ ସଂଘକୁ ଫେରିବ ବ୍ରିଟେନ ,ସଂକେତ ଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ : ୧୦ ବର୍ଷ ସାତ ମାସ। ୧୦ ବର୍ଷ ୭ ମାସ ତଳେ ୟୁରୋପୀୟ ସଂଘରୁ ଅଲଗା ହୋଇଥିଲା ବ୍ରିଟେନ ଏବଂ ବର୍ତ୍ତମାନ ପୁଣି ଥରେ ୟୁରୋପୀୟ ସଂଘରେ ଯୋଗ ଦେବାକୁ ଏହି ଦେଶ ଇଚ୍ଛା ପ୍ରକାଶ କରିଛି। କାରଣ ଏହି ଦେଶ ହୃଦୟଙ୍ଗମ କରିଛି ଯେ, ୟୁରୋପୀୟ ୟୁନିଅନରୁ ଅଲଗା ହେବା ପରେ ଲାଭ ବଦଳରେ କ୍ଷତି ହୋଇଛି ଅଧିକ। ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଆଣ୍ଡି ବର୍ନହମ୍ ଙ୍କୁ ଏକ ସାକ୍ଷାତକାର ପଚରା ଯାଇଥିଲା ଯେ, ୟୁରୋପ ସହିତ ବ୍ରିଟେନର ସଂପର୍କ କେମିତି ରହିବ। ସେ କହିଥିଲେ, ବ୍ରିଟେନ ପୁଣି ଥରେ ୟୁରୋପୀୟ ସଂଘକୁ ଫେରିପାରେ। ତାଙ୍କର ଏହି ମନ୍ତବ୍ୟ ପରେ ବ୍ରିଟେନ ପୁଣି ଥରେ ୟୁରୋପୀୟ ସଂଘକୁ ଫେରିବାର ସମ୍ଭାବନା ସୃଷ୍ଟି ହୋଇଛି। ବ୍ରିଟେନ ବି ଏହା ଚାହୁଁଥିବା ଜଣାପଡ଼ିଛି। ଆଣ୍ଡିଙ୍କ ଏହି ମନ୍ତବ୍ୟ ପରେ ଫ୍ରାନସର ରାଷ୍ଟ୍ରପତି ମାକ୍ରନ କହିଛନ୍ତି, ଫେରି ଆସ। ବ୍ରିଟିଶ୍ ମାନେ ଯଦି EU କୁ ଫେରିବାକୁ ଚାହାନ୍ତି ଏବଂ ପ୍ରଧାନମନ୍ତ୍ରୀ ସେହି ଦିଗରେ ଆଗକୁ ବଢ଼ୁଛନ୍ତି, ତେବେ ଏହା ବ୍ରିଟେନ୍ ଓ ୟୁରୋପ ଉଭୟ ପାଇଁ ଭଲ ଖବର। ଫେରି ଆସିଲେ ସ୍ଵାଗତ କରାଯିବ ବୋଲି କହିଥିଲେ ମାକ୍ରନ। ବର୍ନହମ୍ ଶାସକ ଲେବର୍ ପାର୍ଟିର ବାର୍ଷିକ ସମ୍ମିଳନୀରେ EU ସହ ଭବିଷ୍ୟତ ସମ୍ପର୍କ ନେଇ “ବିଭିନ୍ନ ବିକଳ୍ପ” ଉପସ୍ଥାପନ କରିବେ ବୋଲି କହିଥିଲେ। ୨୦୧୬ ରେ ବ୍ରିଟେନ ୟୁରୋପୀୟ ସଂଘରୁ ସଂପର୍କ ଛିନ୍ନ କରିଥିଲା। ଦେଶବାସୀ ଏକ ଜନମତରେ ଏହା ସପକ୍ଷରେ ମତ ଦେଇଥିଲେ। ସେହି ଦିନରୁ ବ୍ରିଟେନରେ ଲାଗି ରହିଛି ଅସ୍ଥିରତା। ୧୦ ବର୍ଷରେ ୭ ଜଣ ପ୍ରଧାନମନ୍ତ୍ରୀ ବି ବଦଳିଲେଣି। ଯେଉଁମାନେ ବ୍ରେକଜିଟ୍ ସପକ୍ଷରେ ମତ ଦେଇଥିଲେ ସେମାନେ ବି ହାର୍ ମାନିଛନ୍ତି। ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି। ଏହି ୧୦ ବର୍ଷ ଭିତରେ ଉଭୟ ରାଜନୈତିକ, ଜିଓ ପଲିଟିକାଲ ଓ ବାଣିଜ୍ୟ ଦୃଷ୍ଟିରୁ ବ୍ରିଟେନ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛି। ତେଣୁ ଡେରିରେ ହେଉ ପରେ ବୁଦ୍ଧି ଉଦୟ ହୋଇଛି। ଏକାକୀ ରହିଲେ ଲାଭ ଅପେକ୍ଷ କ୍ଷତି ଅଧିକ ବୋଲି ଜାଣିବା ପରେ ପୁଣି ଥରେ ୟୁରୋପୀୟ ସଂଘରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଛି ବ୍ରିଟେନ।  …

ସକ୍ରିୟ ରହିଛି ଘୂର୍ଣ୍ଣିବଳୟ

ଭୁବନେଶ୍ବର : ସକ୍ରିୟ ରହିଛି ଘୂର୍ଣ୍ଣିବଳୟ ।ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହୋଇପାରେ । ଘଡ଼ଘଡ଼ି ସହିତ ବିଜୁଳି ଏବଂ ୩୦ରୁ ୪୦ କିଲୋମିଟର ବେଗରେ ଝଟକା ପବନ ବହିବାର ସମ୍ଭାବନା ରହିଛି  । ଏନେଇ ଆଂଚଳିକ ପାଣିପାଗ କେନ୍ଦ୍ର ଜାରି କରିଛି ୟେଲୋ ଆଲର୍ଟ । ଆସନ୍ତା ୨ ତାରିଖରୁ ପାଗରେ ପରିବର୍ତ୍ତନ ହୋଇପାରେ  । ଆସନ୍ତା ୭ ତାରିଖ ଯାଏ ରାଜ୍ୟରେ ବର୍ଷା ନେଇ କୌଣସି ଚେତାବନୀ ଜାରି କରାଯାଇନାହିଁ  । ଏପଟେ ଗତକାଲିର ଅବପାତ ଉତ୍ତର- ଉତ୍ତରପଶ୍ଚିମ ଦିଗରେ ଗତି କରି ଦକ୍ଷିଣ-ପୂର୍ବ ବାଂଲାଦେଶ ଓ ଉତ୍ତର-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି  I ଆଗାମୀ ୨୪ ଘଣ୍ଟା ମଧ୍ୟରେ  ଉତ୍ତର-ପୂର୍ବ ବଙ୍ଗୋପସାଗର ଅଞ୍ଚଳ ଆଡ଼କୁ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ କ୍ରମଶଃ ଦୁର୍ବଳ ହେବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟାରେ ସର୍ବାଧିକ ବର୍ଷା ନବରଙ୍ଗପୁରରେ ୪ ମିଲିମିଟର ରେକର୍ଡ କରାଯାଇଛି ।  ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମାନ୍ୟ କୁହୁଡ଼ି ପରିଲକ୍ଷିତ ହୋଇଛି।….

ଦେବଦୂତ ସାଜିଲେ ଭାରତୀୟ ପାଇଲଟ , ରୋକିଲେ 9 /11 ଭଳି ବିମାନ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ : ଭାରତୀୟ ପାଇଲଟ ସ୍ମିତ ମଛାରଙ୍କୁ ସାରା ବିଶ୍ଵରେ ଭୁରି ଭୁରି ପ୍ରଶଂସା। ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଓ  ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ତାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ବିଶେଷ କରି ନେତାନ୍ୟାହୁ ଓ ଟ୍ରମ୍ପ ତାଙ୍କୁ ରିଅଲ ହିରୋ କହି ଧନ୍ୟବାଦ ବି ଦେଇଛନ୍ତି। କାରଣ  ଗତକାଲି ସ୍ମିତ ୧୮୦ ବିମାନ ଯାତ୍ରୀଙ୍କ ଜୀବନ ବଞ୍ଚାଇଛନ୍ତି। ନାଇନ ଇଲେଭେନ ଭଳି ବିରାଟ ଅଘଟଣକୁ ରୋକିପାରିଛନ୍ତି ସ୍ମିତ। … ଗତକାଲି ସାଉଦି ଆରବର ଏକ ବିମାନ ଦୁବାଇରୁ ଯାଉଥିଲା ତେଲ ଅଭିଭ। ଏହି ସମୟରେ ବିମାନର କୋ ପାଇଲଟ ଜାଣିଶୁଣି ବିମାନକୁ ଦୁର୍ଘଟଣାଗ୍ରସ୍ତ କରିବାକୁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଛି। କିନ୍ତୁ ଏପରି ହେବାକୁ ଦେଇନଥିଲେ ସ୍ମିତ। ଏଥିରେ ସେ ବାଧା ଦେଇଥିଲେ। ତେଣୁ କୋ ପାଇଲଟ ଜଣକ ପାଇଲଟ ସ୍ମିତଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ତା ସତ୍ତ୍ଵେ ବିମାନକୁ ନିଜ ନିୟନ୍ତ୍ରଣରେ ରଖିଥିଲେ ସ୍ମିତ ଓ କକପିଟର ଡୋର୍ ଖୋଲି ଥିଲେ। ଏହା ପରେ ବିମାନର ଅନ୍ୟ ଯାତ୍ରୀ ଆସି ସେହି କୋ ପାଇଲଟକୁ କାବୁ କରିଥିଲେ। ତା ପରେ ବିମାନର ଏମର୍ଜେନସି ଲ୍ୟାଣ୍ଡିଂ କରାଯାଇଥିଲା। ଦୁଇ ପାଇଲଟଙ୍କ ମଧ୍ୟରେ ହାତାହାତି ହେବା ବେଳେ ହାଇଜାକ୍ ର ସତର୍କ ସୂଚନା ଦିଆଯାଇଥିଲା। ତେଣୁ ଇସ୍ରାଏଲ ଓ ସାଉଦି ଆରବ ଯୁଦ୍ଧ ବିମାନ ପଠାଇଥିଲେ ସୁରକ୍ଷା ପାଇଁ। କିନ୍ତୁ ବିମାନର ଲାଣ୍ଡିଂ ପରେ ପ୍ରକୃତ କଥା ଜଣାପଡ଼ିଥିଲା। ଏହା ପରେ ସମସ୍ତେ ସ୍ମିତଙ୍କ ପ୍ରଶଂସାରେ ଶତମୁଖ। … ଏବେ ସ୍ମିତଙ୍କ ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓରେ ସେ କହୁଛନ୍ତି, କେମିତି ହାଇଜାକ୍ ବା ଅନ୍ୟ କୌଣସି ବଡ଼ ବିପଦ ଆସିଲେ, ବିମାନ କର୍ମଚାରୀ ତାର ମୁକାବିଲା କରିବା ଉଚିତ। ଗତକାଲି ନିଜେ ସ୍ମିତ ସେହି ଭୂମିକାରେ ଅବତୀର୍ଣ୍ଣ  ହୋଇଥିଲେ ଓ ୧୮୦ ଲୋକଙ୍କ ଜୀବନ ବଞ୍ଚାଇଥିଲେ।  …

ଶିଶୁଠୁ ବୟସ୍କ, ସମସ୍ତଙ୍କୁ ମାନିଆ କରିଛି ମୋବାଇଲ : ଶରୀର, ମସ୍ତିଷ୍କ ଉପରେ ପଡୁଛି କୁପ୍ରଭାବ

କଟକ : ଶିଶୁଠୁ ବୟସ୍କ, ସମସ୍ତଙ୍କୁ ମାନିଆ କରିଛି ମୋବାଇଲ । କ୍ଷଣିକ ପାଇଁ ଆଖି ଆଗରୁ ଦୂରେଇ ଗଲେ ଜୀବନ ଛାଡିଗଲା ଭଳି ଲାଗୁଛି । ସକାଳୁ ସଞ୍ଜ ଆବଶ୍ୟକ୍ ପଡୁଛି ଏହି ଇଲେକ୍ଟୋନିକ୍ସ ଡିଭାଇସ୍ । କାମ ମଝିରେ ଏବଂ ଶୋଇବା ପୂର୍ବରୁ ଟିକେ ସୋସିଆଲ ମିଡ଼ିଆ ଦେଖିବା ଅଭ୍ୟାସରେ ପରିଣତ ହୋଇଛି । ହେଲେ ଏହି ଅଭ୍ୟାସ ଯେ କେତେ ସାଂଘାତିକ ତାହା ଉପରେ ନଜର ପକାନ୍ତୁ । ମୋବାଇଲ ଦ୍ବାରା ଶାରୀର, ମସ୍ତିଷ୍କ ଉପରେ କୁପ୍ରଭାବ ପଡୁଛି । ମୋବାଇଲ୍ ରିଅଲରୁ ନେଇଯାଉଛି ଭର୍ଚ୍ଚୁଆଲ ଦୁନିଆକୁ । ଏହାକୁ ଡାକ୍ତରୀ ଭାଷାରେ ନୋମୋଫୋବିଆ କୁହାଯାଏ ବୋଲି କହିଛନ୍ତି ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କର । ସେହିଭଳି IT ବିଭାଗରେ କାର୍ଯ୍ୟରତ ଯୁବପିଢ଼ି କହିଛନ୍ତି ରାତିରେ ଆଠରୁ ନଅ ଘଣ୍ଟା ମୋବାଇଲକୁ ଅନାଇ କାର୍ଯ୍ୟ କରିବା ଦ୍ଵାରା ବିଭିନ୍ନ ପ୍ରକାର ରୋଗ ଗ୍ରାସ କରୁଛି । ଏମିତିକି କ୍ୟାନସର ଭଳି ମାରାତ୍ମକ ରୋଗରେ ବି ପୀଡିତ ହେଉଛନ୍ତି ଲୋକ । ଯାହା ଜୀବନଶୈଳୀକୁ ପ୍ରଭାବିତ କରୁଛି । କେବଳ କାର୍ଯ୍ୟକ୍ଷେତ୍ର କାହିଁକି ରୋଷେଇ ଘରଠୁ ନେଇ ଖେଳକୁଦ ପର୍ଯ୍ୟନ୍ତ ସମସ୍ତେ ଏବେ ଫୋନ ସହ ଜଡ଼ିତ ।
ଦିନର ବଡ଼ ସମୟ ଏବେ ସ୍କ୍ରିନରେ ବିତୁଛି । ସୁବିଧା ବଢ଼ାଇଥିବା ଏହି ଡିଭାଇସ୍‌ ଅତ୍ୟଧିକ ବ୍ୟବହାର ଦ୍ୱାରା ନିଦ୍ରା, ଧ୍ୟାନ, ମାନସିକ ଚାପ ଏବଂ ଆଖି ଓ ଶରୀର ଉପରେ ସମସ୍ୟା ସୃଷ୍ଟି କରୁଛି । ଡିଜିଟାଲ୍ ଯୁଗରେ ଇଲେକ୍ଟ୍ରୋନିକ୍ ଡିଭାଇସ୍‌ଠାରୁ ସମ୍ପୂର୍ଣ୍ଣ ଦୂରେଇ ରହିବା ସମ୍ଭବ ନୁହେଁ । କିନ୍ତୁ ଡିଭାଇସ୍ ଆମ ଜୀବନକୁ ନିୟନ୍ତ୍ରଣ କରିବା ପୂର୍ବରୁ ଆମେ ଡିଭାଇସ୍‌ର ବ୍ୟବହାରକୁ ନିୟନ୍ତ୍ରଣ କରିବା ଉଚିତ୍ ବୋଲି କହିଛନ୍ତି ନ୍ୟୁରୋ ଡାକ୍ତର ଶୁଭଙ୍କର ମିଶ୍ର । ସୁବିଧା ପାଇଁ ଟେକ୍ନୋଲୋଜି । କିନ୍ତୁ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ସନ୍ତୁଳନ । ମୋବାଇଲ ସ୍କ୍ରିନରେ ସମୟ କମ୍ କରି ଜୀବନଶୈଳିକୁ ସନ୍ତୁଳିତ କରିବା ପାଇଁ ସଚେତନ ହେବା ନିହାତି ଅବଶ୍ୟକ ହୋଇପଡିଛି ।

ଦୀର୍ଘ ୬ବର୍ଷ ପ୍ରତୀକ୍ଷାର ଅନ୍ତ । ବୁଧବାର ଶୁଭ ବେଳାରେ ଭକ୍ତଙ୍କ ପାଇଁ ଉନ୍ମୁକ୍ତ ହେଲା ଶ୍ରୀଗୁଣ୍ଡିଚା ମନ୍ଦିର

ପୁରୀ : ଦୀର୍ଘ ୬ବର୍ଷ ପ୍ରତୀକ୍ଷାର ଅନ୍ତ । ବୁଧବାର ଶୁଭ ବେଳାରେ ଭକ୍ତଙ୍କ ପାଇଁ ଉନ୍ମୁକ୍ତ ହେଲା ଶ୍ରୀଗୁଣ୍ଡିଚା ମନ୍ଦିର । ସୃଷ୍ଟିହେଲା ଅଧ୍ୟାତ୍ମିକ ମାହୋଲ । ନଡିଆ ବାଡେଇ,ଦୀପ ଲଗାଇ,ହୁଳହୁଳି ସହ ଜୟ ଜଗନ୍ନାଥ ଧ୍ୱନିରେ ଖୋଲାଯାଇଥିଲା ଗୁଣ୍ଡିଚା ମନ୍ଦିରର ସିଂହଦ୍ଵାର। ବ୍ୟାରିକେଡ୍ ମାଧ୍ୟମରେ ଭକ୍ତମାନଙ୍କୁ ଫୁଲ,ଚନ୍ଦନ, ଓ ପତାକା ଦେଇ ଗୁଣ୍ଡିଚା ମନ୍ଦିରକୁ ସ୍ୱାଗତ କରାଯାଇଥିବା ବେଳେ ସିଂହଦ୍ଵାର ଦେଇ ପ୍ରବେଶ ଓ ପ୍ରସ୍ଥାନର ବ୍ୟବସ୍ଥା କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଥିଲେ। ତେବେ ଆଜିଠାରୁ ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିର ଭିତରକୁ ପ୍ରବେଶ ଶୁଳ୍କ ଲାଗିବନାହିଁ । ଏହା ପରେ ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ଅନୁଯାୟୀ ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବେଶ ଶୁଳ୍କ ୧୦ ଟଙ୍କା ରହିବ ବୋଲି ନିଷ୍ପତ୍ତି ହୋଇଛି । ଆସନ୍ତାକାଲି ଠାରୁ ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଜନ୍ମବେଦି ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ବରିଷ୍ଠ ନାଗରିକ ଅର୍ଥାତ ୮୦ ବର୍ଷରୁ ଅଧିକ ଏବଂ ୫ ବର୍ଷରୁ କମ୍ ପିଲାଙ୍କ ପାଇଁ ରହିଛି ନିଶୁଳ୍କ ପ୍ରବେଶ । ସେପଟେ ଗୁଣ୍ଡିଚା ମନ୍ଦିର ନାଟମଣ୍ଡପକୁ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା କରାଯାଇଥିବା ବେଳେ ଦିବ୍ୟାଙ୍ଗ ଭକ୍ତ ଓ ବରିଷ୍ଠ ନାଗରିକଙ୍କ ଦର୍ଶନ ପାଇଁ ରାମ୍ପ ବ୍ୟବସ୍ଥା ହୋଇଛି । ଅନ୍ୟପଟେ ଜୋତା,ମୋବାଇଲ୍ ଫୋନ୍ ରଖିବା ପାଇଁ ଗୁଣ୍ଡିଚା ମନ୍ଦିର ବାହାରେ ଷ୍ଟାଣ୍ଡ କରାଯାଇଥିବା ବେଳେ ବିନା ମୂଲ୍ୟରେ ଏସବୁ ସୁରକ୍ଷିତ ରଖିପାରିବେ ଭକ୍ତ । ତେବେ ଦୀର୍ଘବର୍ଷ ପରେ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିଥିବା ବେଳେ ପ୍ରବଳ ଭକ୍ତଙ୍କ ଭିଡ ଆଶଙ୍କା କରାଯାଇଥିଲା । ଏନେଇ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ଉପରେ ପୋଲିସ ପ୍ରଶାସନ ତରଫରୁ ଗୁରୁତ୍ୱ ଦିଆଯାଇଥିଲା । ମୋବାଇଲ୍ ଫୋନ୍ ପ୍ରବେଶ ଉପରେ ତୀକ୍ଷ୍ନ ନଜର ରଖାଯାଇଥିବା କହିଛନ୍ତି ପୁରୀ ଏସପି ପ୍ରତୀକ୍ ସିଂ।
ମହାପ୍ରଭୁଙ୍କ ଜନ୍ମବେଦୀ ଦର୍ଶନ କରିବା ସହ ଏହାର କିମ୍ବଦନ୍ତୀ ଜାଣିବାରୁ ବଞ୍ଚିତ ରହୁଥିଲେ ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ଯାଇ ରତ୍ନବେଦୀରେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିର ନଯାଇ କ୍ଷୋଭ ପ୍ରକାଶ କରୁଥିଲେ ଭକ୍ତ। ଏ ନେଇ ବିଭିନ୍ନ ମହଲରୁ ଗୁଣ୍ଡିଚା ମନ୍ଦିର ଖୋଲିବା ପାଇଁ ଦାବି ହୋଇ ଆସୁଥିବା ବେଳେ ବୁଧବାର ଖୋଲାଯିବା ପରେ ପ୍ରଶାସନକୁ ଧନ୍ୟବାଦ ପ୍ରଦାନ କରିଛନ୍ତି ସ୍ଥାନୀୟ ବାସିନ୍ଧା। ଅନ୍ୟ ପକ୍ଷରେ ଆଜି ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ଜନ୍ମବେଦୀ ଦର୍ଶନ କରି ଧନ୍ୟ ମନେ କରିଛନ୍ତି । ଆଗକୁ ଶ୍ରୀମନ୍ଦିରରେ ପୁରୀ ବାସୀଙ୍କ ପାଇଁ ସ୍ୱତନ୍ତ୍ର ପ୍ରବେଶ ଓ ଦର୍ଶନ ବ୍ୟବସ୍ଥା ନେଇ କି ପଦକ୍ଷେପ ନିଆଯାଉଛି ତାହା ଦେଖିବାକୁ ବାକି ରହିଛି ।

ଚକମା ଦେଇପାରିବେନି ଚେନ୍ ଲୁଟେରା, ଅପରାଧୀଙ୍କୁ ଦମନ ପାଇଁ ଅଣ୍ଟା ଭିଡିଲେ ଭୁବନେଶ୍ୱର ଡିସିପି

ଭୁବନେଶ୍ୱର : ଚକମା ଦେଇପାରିବେନି ଚେନ୍ ଲୁଟେରା । ଗଳିକନ୍ଦିରେ ପୋଲିସର କଡ଼ା ପ୍ରହରା । ସିସିଟିଭି ସର୍ଭେଲାନ୍ସରେ ବଂଜାରାଙ୍କ ମୁଭମେଣ୍ଟ । ପାର୍ବଣରେ ମୁତୟନ ହେବେ ସାଦା ପୋଷାକଧାରୀ । ବିଧାନସଭାର ତଥ୍ୟ ଅନୁସାରେ ବିଗତ ୮ ମାସରେ ସାରା ରାଜ୍ୟରୁ ୩୮୬ ଟି ସୁନା ଚେନ ଲୁଟ ହୋଇଛି । ଏ ମଧ୍ୟରୁ ଭୁବନେଶ୍ୱର ୟୁପିଡ଼ିରୁ କେବଳ ଲୁଟ ହୋଇଛି ୧୧୫ ଟି । ଅଧିକାଂଶ କେସରେ ପୋଲିସ ଲୁଟ ସୁନା ଜବତ ସହ ଲୁଟେରାଙ୍କୁ ଗିରଫ କରିଛି । ଆଗକୁ ଦଶହରା ଓ କାଳୀପୂଜା । ପାର୍ବଣରେ ଭୁବନେଶ୍ୱରରେ ଲୁଟେରା ହଲ୍ଲାବୋଲ ଡାକରା ଦେବାର ସମ୍ଭାବନା ରହିଛି । ଆଉ ଏହି ଆଶଙ୍କା ପୂର୍ବରୁ ଲୁଟେରାଙ୍କୁ ମାତ ଦେବାକୁ ଅଣ୍ଟା ଭିଡିଛନ୍ତି ଡିସିପି ଭୁବନେଶ୍ୱର ଡଃ ସର୍ବଣା ବିବେକ୍ ଏମ୍ । ଶାନ୍ତି ଶୃଙ୍ଖଳାରେ ପୂଜାକୁ ସମାପନ ସହ ବଂଜାରାଙ୍କ ଉପରେ କଡ଼ା ନଜର ରଖିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ଡିସିପି । ପୁରୁଖା ଲୁଟେରା ଓ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା ବଂଜାରାଙ୍କ ଲିଷ୍ଟ ମଧ୍ୟ ପ୍ରସ୍ତୁତ ହୋଇଛି ।

୭ ଏପ୍ରିଲ ୨୦୨୬ । ସହରରେ ଚେନ ଲୁଟ କରି ଛାତି ଥରାଇ ଦେଇଥିବା ବଣ୍ଟି ୱର୍ ବବଲି ଯୋଡିକୁ କାବୁ କରିଥିଲା କମିଶନରେଟ ପୋଲିସ । ୧୪ ଜୁଲାଇ… ଠିକ ସମାନ ଢଙ୍ଗରେ ରଥଯାତ୍ରା ସମୟରେ ଭିଡର ସାହାରାରେ ଲୁଟ କରୁଥିବା ବଂଜାରା ଜ୍ଞାଙ୍ଗକୁ ଧରିଥିଲା ନୟାପଲ୍ଲୀ ଥାନା ପୋଲିସ । ୧୮ ଅଗଷ୍ଟରେ ଏମ୍ସ ହସ୍ପିଟାଲକୁ ଯାଉଥିବା ମହିଳା ହୁଅନ୍ତୁ ଅଥବା ୧୨ ଅଗଷ୍ଟରେ କାନନବିହାର ରେ ମର୍ଣ୍ଣି ୱାକ୍ ବେଳେ ମହିଳାଙ୍କଠୁ ଲୁଟ । ଏସବୁ ସହରବାସୀଙ୍କ ପାଇଁ ମୁଣ୍ଡବିନ୍ଧା ପାଲଟିଥିବା ବେଳେ ଏମାନଙ୍କୁ ଦମନ ପାଇଁ ଅଣ୍ଟା ଭିଡ଼ିଛି କମିଶନରେଟ ପୋଲିସ। ଜେଲରୁ ବାହାରୁଥିବା ଲୁଟେରାଙ୍କ ଗତିବିଧି ଲକ୍ଷ କରିବା ସହ ରୀତିମତ ରିପୋର୍ଟ ଦେବାକୁ ଆଇଆଇସି ମାନଙ୍କୁ କୁହାଯାଇଛି । ପେଶାଦାର ଲୁଟେରାଙ୍କୁ ଦୃଢ଼ ହସ୍ତରେ ଦମନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡିସିପି । ଆଉ କେଇଟା ଦିନପରେ ଧରାପୃଷ୍ଠକୁ ମାଆ ଦୁର୍ଗାଙ୍କ ହେବ ଆଗମନ । ଏବେଠୁ ପୁର ପଲ୍ଲୀଠୁ ସହର ସବୁ ଉତ୍ସବ ମୁଖର ହେବାକୁ ଲାଗିଲାଣି । ଆଉ ଏହାକୁ ଫିକା କରିବାକୁ ଅପଚେଷ୍ଟା କଲେ ଅପରାଧୀଙ୍କ ହାତରେ ହାତକଡୀ ପଡିବ ବୋଲି ଚେତାବନୀ ଦେଇଛନ୍ତି ଡିସିପି ।

ମଡେଲ ଭେଣ୍ଡିଂ ଜୋନରେ ନାହିଁ ପାର୍କିଂ ବ୍ୟବସ୍ଥା, ରାସ୍ତା ଉପରେ ଗାଡ଼ି ରଖୁଛନ୍ତି ଲୋକେ

ଅନୁଗୋଳ : ମଡେଲ ଭେଣ୍ଡିଂ ଜୋନରେ ନାହିଁ ପାର୍କିଂ ବ୍ୟବସ୍ଥା । ରାସ୍ତା ଉପରେ ଗାଡ଼ି ରଖୁଛନ୍ତି ଲୋକେ । ବଢୁଛି ଟ୍ରାଫିକ ସମସ୍ୟା । ଅନୁଗୋଳ ସହରର ଅମଲାପଡା, ପୁରୁଣା ବସଷ୍ଟାଣ୍ଡ, ମିଶ୍ରପଡା ଛକ, ଆଉ କାଞ୍ଚନ ଟକିଜ୍ ରାସ୍ତାରେ ପୌରପାଳିକା ପକ୍ଷରୁ କରାଯାଇଛି ଭେଣ୍ଡିଂ ଜୋନ । କିଛି ଭେଣ୍ଡିଂ ଜୋନରେ ଦୋକାନ ଖୋଲିଛି । ଲୋକଙ୍କ ଭିଡ଼ ଜମୁଛି । ହେଲେ ଗାଡ଼ି ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ । ରାସ୍ତା କଡ଼ରେ ଗାଡ଼ି ପାର୍କିଂ ହେଉଥିବାରୁ ଉପୁଜୁଛି ଟ୍ରାଫିକ ସମସ୍ୟା । ଦୁର୍ଘଟଣାର ଆଶଙ୍କା ବି ରହିଛି ।

ଦୋକାନ, ମଲ୍ ଆଦିରେ ପାର୍କିଂ ବ୍ୟବସ୍ଥା ନଥିଲେ ଜୋରାମାନ ଆଦାୟ କରୁଛି ପୌରପାଳିକା । ବେଆଇନ ପାର୍କିଂ ହେଲେ ନିଆଯାଉଛି କାର୍ଯ୍ୟାନୁଷ୍ଠାନ । ହେଲେ ପୌରପାଳିକା କରିଥିବା ଭେଣ୍ଡିଂ ଜୋନରେ ପାର୍କିଂ ବ୍ୟବସ୍ଥା ନାହିଁ । ଏଥିପାଇଁ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ୟା ପାଇଁ ଦାୟୀ କିଏ ? ପୌରପାଳିକାର ଏଭଳି ଦୋମୁହାଁ ନୀତି କାହିଁକି ? ଅନ୍ୟପଟେ ସମସ୍ୟା ନେଇ ଅବଗତ ଅଛନ୍ତି । ଖୁବଶୀଘ୍ର ପାର୍କିଂ ବ୍ୟବସ୍ଥା କରାଯିବ କହିଛନ୍ତି ପୌର ନିର୍ବାହୀ ଅଧିକାରୀ ।

କ୍ଲାସରୁମ ଅଭାବରୁ ସ୍କୁଲ ବାରଣ୍ଡାରେ ଚାଲିଛି ଶିକ୍ଷାଦାନ, ବର୍ଷା ହେଲେ ପାଠପଢା ଠପ

ଚଣ୍ଡିଖୋଲ : ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ସ୍କୁଲ ବାରଣ୍ଡାରେ ଚାଲିଛି ଶିକ୍ଷାଦାନ । ବର୍ଷା ହେଲେ ପାଠପଢା ଠପ୍ ।  ବଡ଼ଚଣା ବ୍ଲକ ଚାରିନଙ୍ଗଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ଚାଲିଛି ଏଭଳି ପାଠପଢା । ସ୍କୁଲରେ ଶିଶୁବାଟିକା ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ହଜାରେ ପିଲା ପାଠ ପଢ଼ୁଛନ୍ତି । ହେଲେ ଆବଶ୍ୟକୀୟ କ୍ଲାସରୁମ ନାହିଁ । ବାଧ୍ୟ ହୋଇ ସ୍କୁଲ ବାରଣ୍ଡାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ ।

ସ୍କୁଲରେ ଯେଉଁ ନୂତନ ଶ୍ରେଣୀ ଗୃହ ନିର୍ମାଣ ହେଉଛି ତାହା ଶେଷ ହୋଇପାରୁନି । ଅବ୍ୟବସ୍ଥା ଘେରରେ ଚାଲିଛି ପିଲାଙ୍କ ପାଠପଢା । ବିଦ୍ୟାଳୟରେ ଆବଶ୍ୟକୀୟ ଶିକ୍ଷକ ବି ନାହାନ୍ତି । ଫଳରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି । ଖାଲି ସେତିକି ନୁହେଁ ପିଲାଙ୍କ ଖେଳିବା ପାଇଁ ଖେଳ ପଡ଼ିଆ କି ସାଇକେଲ ଷ୍ଟାଣ୍ଡଟିଏ ନାହିଁ । ଶିକ୍ଷା ବ୍ୟବସ୍ଥାର ବିକାଶ ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବାସ୍ତବ ଚିତ୍ର ସଂପୂର୍ଣ୍ଣ ଅଲଗା । ସମସ୍ୟା ସଂପର୍କରେ ବ୍ଲକ ଶିକ୍ଷାଧିକାରୀଙ୍କୁ ଅବଗତ କରାଯାଇଥିବା କହିଛନ୍ତି ପ୍ରଧାନ ଶିକ୍ଷକ । ବିଦ୍ୟାଳୟ ଭିତ୍ତିଭୂମିର ବିକାଶ ହେଲେ ହେବ ଶିକ୍ଷାର ବିକାଶ । ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି ।

ବନ୍ୟା ଯୋଗୁଁ ନନ୍ଦାହାଣ୍ଡି ବ୍ଲକ ସାନଡାଇଭଟ୍ଟା ଓ ବଡ଼ଡାଇଭଟ୍ଟା ଗାଁର ହୋଇଛି ବ୍ୟାପକ କ୍ଷତି

ନବରଙ୍ଗପୁର : ଛାଡ଼ିଛି ବନ୍ୟା, ବଢ଼ିଛି ଦୁର୍ଦ୍ଦଶା । ମାଟିରେ ଲୋଟିଯାଇଛି ଅନେକଙ୍କ ଘର । ଆଶ୍ରୟସ୍ଥଳୀରୁ ଫେରିବା ପରେ ଘର ସଜାଡୁଛନ୍ତି ବିପନ୍ନ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ସାନଡାଇଭଟ୍ଟା ଓ ବଡ଼ଡାଇଭଟ୍ଟା ଗାଁରେ ଦେଖିବାକୁ ମିଳିଛି ଦୃଶ୍ୟ । ପାଣି କମିଛି, କିନ୍ତୁ ଯନ୍ତ୍ରଣା ଏବେ ବି ସହଚର ପାଲଟି ଯାଇଛି । ଗତ ଲଗାଣ ବର୍ଷା ପରେ ଇନ୍ଦ୍ରାବତୀ ଅବବାହିକାର ଅନେକ ଗାଁ ଜଳମଗ୍ନ ହୋଇ ଯାଇଥିଲା । ଲୋକଙ୍କୁ ଉଦ୍ଧାର କରାଯାଇ ଆଶ୍ରୟସ୍ଥଳୀକୁ ନିଆଯାଇଥିଲା । ଏବେ ବିପନ୍ନ ଘରକୁ ଫେରିଛନ୍ତି । ହେଲେ କେଉଁଠି ଆସବାବପତ୍ର କାଦୁଅରେ ପୋତି ହୋଇଯାଇଛି ତ କାହା ଘର ମାଟିରେ ମିଶିଯାଇଛି । ଚାଉଳ, ଡାଲି, ଚିନି ଭଳି ରନ୍ଧନ ସାମଗ୍ରୀ ନଷ୍ଟ ହୋଇଯିବା ଫଳରେ କାହାରି ଘରେ ଚୁଲି ଜଳୁନି । ଚାଷ ଜମିରେ ପାଣି ଲହଡ଼ି ମାରୁଛି । ଯାହାକୁ ନେଇ ଚିନ୍ତାରେ ଲୋକେ ।

ବନ୍ୟା ପାଣି କମିଛି ସତ, ହେଲେ ଅଣ୍ଟା ସଳଖି ପାରୁନାହାନ୍ତି ବିପନ୍ନ । ଉଜୁଡ଼ିଥିବା ଘର ଓ ନଷ୍ଟ ହୋଇଥିବା ଫସଲକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ଚାଷୀ । ସରକାରୀ ସହାୟତା ପାଇଁ ଲୋକେ ଦାବି କରୁଥିବାବେଳେ ପ୍ରଶାସନିକ ଅଧିକାରୀମାନେ କ୍ଷୟକ୍ଷତି ଆକଳନ କରିବା ଆରମ୍ଭ କରିଛନ୍ତି । ନନ୍ଦାହାଣ୍ଡି ବିଡିଓ ଓ ତହସିଲଦାର ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝୁଛନ୍ତି । କ୍ଷୟକ୍ଷତି ଆକଳନ କରି ବିପନ୍ନଙ୍କୁ ସହାୟତା ଯୋଗାଇ ଦେବା ଜରୁରୀ ହୋଇପଡ଼ିଛି ।