ନନ୍ଦିଘୋଷ ବ୍ୟୁରୋ : ଆମେରିକାରେ ରହୁଥିବା ପ୍ରାୟ ୯ ଲକ୍ଷ ପ୍ରବାସୀଙ୍କୁ ବଡ଼ ଝଟକା। ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମୟରେ ପ୍ରଚଳିତ CBP ୱାନ୍ ଆପ୍ ନୀତିକୁ ହଟାଇଦେଇଛନ୍ତି ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ। ଫଳରେ ଏବେ ପ୍ରାୟ ୯ ଲକ୍ଷ ପ୍ରବାସୀ ଆମେରିକା ଛାଡିବାକୁ ବାଧ୍ୟ ହେବେ। ଟ୍ରମ୍ପ ପ୍ରଶାସନ ବାଇଡେନଙ୍କ ନୀତିକୁ ଓଲଟାଇ ଦେଇଛି ଏବଂ ଏହି ପ୍ରବାସୀମାନଙ୍କର ଆମେରିକାରେ ରହିବା ପାଇଁ ଆଇନଗତ ଅନୁମତିକୁ ସମାପ୍ତ କରିଛି । ଆମେରିକାର ଗୃହ ସୁରକ୍ଷା ବିଭାଗ DHS ସୋମବାର ଜାରି ଏକ ବିବୃତ୍ତିରେ କହିଛି ଯେ CBP ଓ୍ବାନ ଆପ୍ ମାଧ୍ୟମରେ ଚିହ୍ନଟ ହୋଇଥିବା ପ୍ରବାସୀମାନଙ୍କୁ ତୁରନ୍ତ ଦେଶ ଛାଡିବାକୁ ପଡିବ। ଜାନୁଆରୀ 2023 ପରଠାରୁ, ବାଇଡେନ ପ୍ରଶାସନର ଏହି ଆପ୍ ନୀତି ଅଧୀନରେ ୯ ଲକ୍ଷରୁ ଅଧିକ ପ୍ରବାସୀ ଆମେରିକା ଆସିଥିଲେ । ଏହି କାର୍ଯ୍ୟକ୍ରମ ସେମାନଙ୍କୁ ଦୁଇ ବର୍ଷ ପାଇଁ ଅସ୍ଥାୟୀ ଭାବରେ ଆମେରିକାରେ ରହିବା ଏବଂ କାମ କରିବାର ଅନୁମତି ମିଳିଥିଲା। ଏବେ ଏହି ଅନୁମତିଗୁଡ଼ିକୁ ପ୍ରତ୍ୟାହାର କରାଯାଇଛି। ଡିଏଚଏସ କହିଛି ଯେ ସୀମା ସୁରକ୍ଷିତ କରିବା ଏବଂ ଜାତୀୟ ସୁରକ୍ଷାକୁ ମଜବୁତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଇମେଲ୍ ମାଧ୍ୟମରେ ୯ ଲକ୍ଷ ପ୍ରବାସୀଙ୍କୁ ଆମେରିକା ଛାଡିବାକୁ କୁହାଯାଇଛି। ନୋଟିସ ପାଇଥିବା ଅଧିକାଂଶ ଲୋକ ହଣ୍ଡୁରାସ୍, ଏଲ୍ ସାଲଭାଡୋର ଏବଂ ମେକ୍ସିକୋର। ନୋଟିସ୍ ପାଇବା ପରେ ଏହି ଲୋକମାନଙ୍କ ମଧ୍ୟରେ ଅସ୍ଥିରତା ଦେଖାଦେଇଛି। ଏହି ଲୋକମାନେ ନିଜ ଭବିଷ୍ୟତକୁ ନେଇ ଚିନ୍ତାପ୍ରକଟ କରିଛନ୍ତି । ଚଳିତ ବର୍ଷ ଜାନୁଆରୀରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ଯେଉଁ ନୀତିଗୁଡ଼ିକ ଉପରେ ସର୍ବାଧିକ ଧ୍ୟାନ ଦିଆଯାଇଛି।
ବିବାଦୀୟ ସାରଥି ବାବାଙ୍କ ପୂଜା ସ୍ଥଳକୁ ଅଣ୍ଡା ଓ ଟମାଟୋ ମାଡ଼
ନନ୍ଦିଘୋଷ ବ୍ୟୁରୋ : ସାରଥିଙ୍କ ପୂଜା ସ୍ଥଳକୁ ଅଣ୍ଡା ଓ ଟମାଟୋ ମାଡ଼ । ପଟ୍ଟାମୁଣ୍ଡାଇ ତନୁପୁର ଗାଁରେ ଚାଲିଥିଲା ବିବାଦୀୟ ସାରଥି ବାବାଙ୍କ ପୂଜା । ଭୁବନେଶ୍ୱର ଓ ଅସୁରେଶ୍ୱରରୁ ଆସିଥିଲେ ଶତାଧିକ ଭକ୍ତ । ଏହି ପୂଜା ସମୟରେ ଗ୍ରାମବାସୀଙ୍କ ଘୋର ବିରୋଧ ଦେଖିବାକୁ ମିଳିଥିଲା । ଉତ୍ତେଜନା ପାଇଁ ଘଟଣା ସ୍ଥଳରେ ପୋଲିସ ମୁତୟନ ରହିଛନ୍ତି । ଦୀର୍ଘ ଦିନ ଧରି ବିବାଦୀୟ ସାରଥି ବାବାଙ୍କ ପୂଜାର୍ଚନା ବନ୍ଦ ଥିବା ବେଳେ ଆଜି ଏପରି କାର୍ଯ୍ୟ କୁ ଗ୍ରାମବାସୀ ମାନେ ବିରୋଧ କରିଥିଲେ । ଗ୍ରାମବାସୀ ମାନେ ଭକ୍ତଙ୍କ ଉପରକୁ ଅଣ୍ଡା ଓ ଟମାଟର ମାଡ଼ କରିଥିଲେ । ସବୁ ସତ୍ୱେ ବି ସାରଥି ଭକ୍ତ ଭଜନ କୀର୍ତ୍ତନ ବନ୍ଦ କରିନଥିଲେ। ବାଧ୍ୟ ହୋଇ ଲୋକଙ୍କ ବିରୋଧକୁ ଦେଖି ପୋଲିସ ସାରଥି ଭକ୍ତଙ୍କୁ ସେଠାରୁ ବାହାର କରିଦେଇଛନ୍ତି ।
ଓପିଏସସି ବିଜ୍ଞପ୍ତିକୁ ନେଇ ଉଠିଲା କେଁ, ସିଭିଲ ସର୍ଭିସ ପରୀକ୍ଷାରେ ସଂରକ୍ଷଣରେ ଅସଂଗତି ଅଭିଯୋଗ
ଭୁବନେଶ୍ୱର : ୨୦୨୫ ଓଡିଶା ସିଭିଲ ସର୍ଭିସ ପରୀକ୍ଷା ବିଜ୍ଞପ୍ତିକୁ ନେଇ କେଁ । ସଂରକ୍ଷିତ ବର୍ଗଙ୍କ ପାଇଁ ୫୦ ପ୍ରତିଶତରୁ ଅଧିକ ପଦବୀ ରହୁଛି ସଂରକ୍ଷିତ । ଯାହାକି ସୁପ୍ରିମକୋର୍ଟଙ୍କ ଦ୍ବାରା ଧାର୍ଯ୍ୟ ନିୟମ ଓ ୧୯୭୫ ଓଆର୍ଭି ଆଇନ ଧାରା ୭ର ଖୋଲା ଉଲ୍ଲଂଘନ । ଏ ନେଇ ଅଭିଯୋଗ କରିଛନ୍ତି ସଚିବାଳୟ ସେବା କ୍ୟାଡରର ପୂର୍ବତନ ଅଧିକାରୀ । ଚଳିତ ବର୍ଷ OAS, OFS,OCS ଓ ORS ସେବାର ୨୦୦ ପଦବୀ ପୂରଣ ପାଇଁ ଓଡ଼ିଶା ଲୋକସେବା ଆୟୋଗ ୨୦୨୫ ସିଭିଲ ସର୍ଭିସ ନିଯୁକ୍ତି ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ କଲେ । ସେଥିରେ ସଦ୍ୟ ଖାଲି ପଦବୀ ସହିତ ଏକସଙ୍ଗେ ବଳକା ସଂରକ୍ଷିତ ବର୍ଗଙ୍କ ପାଇଁ ଖାଲି ପଦବୀ ପ୍ରକାଶ କରିଛନ୍ତି । ଯାହାକି ନିୟମ ବିରୁଦ୍ଧ ।
ପୂର୍ବତନ ଅଧିକାରୀଙ୍କ ମତରେ ସିଭିଲ ସର୍ଭିସ ମେଧା ଚୟନ ବିଜ୍ଞପ୍ତିରେ ସାଧାରଣ ବର୍ଗ ଓ ସଂରକ୍ଷିତ ବର୍ଗ ବି ସାମିଲ । କିନ୍ତୁ କୌଣସି ବି ସ୍ଥିତିରେ ଗୋଟିଏ ବିଜ୍ଞପ୍ତିରେ ବ୍ୟାକ ଲଗ୍ ଖାଲି ପଦବୀ ପୂରଣ ନେଇ ପରୀକ୍ଷା କରାଯାଇପାରିବନି । ଏପରି କଲେ ସଂରକ୍ଷିତ ବର୍ଗଙ୍କ ପାଇଁ ସ୍ବତନ୍ତ୍ର ନିଯୁକ୍ତି ଡ୍ରାଇଭର ଅର୍ଥ କଣ ରହିବ ? ଏହାଦ୍ବାରା ସରକାରୀ ପଦୋନ୍ନତି କ୍ଷେତ୍ରରେ ଅସଂଗତି ସୃଷ୍ଟି ହେବ । ପିଛିଲା ବର୍ଷର ସଂରକ୍ଷିତ ପଦବୀକୁ ଚଳିତବର୍ଷ ସଂରକ୍ଷିତ ପଦବୀ ସହିତ ମିଶାଇ ହିସାବ କରିବା ପରିବର୍ତ୍ତେ ତାକୁ ପୃଥକ ଭାବେ ହିସାବ କରାଯାଇଛି । ପ୍ରକାଶିତ ବିଜ୍ଞପ୍ତିରେ ଶବ୍ଦକୁ ଏପଟସେପଟ କରି ବ୍ୟାକ୍ ଲଗ୍ ଖାଲି ପଦବୀ ପୂରଣ ପାଇଁ ସୁଯୋଗ ସୃଷ୍ଟି କରାଯାଇଥିବା ଅଭିଯୋଗ ହୋଇଛି ।
ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଓଏଏସର ୩୦ ପଦବୀ ମଧ୍ୟରୁ ୧୫ ପଦବୀ ବଦଳରେ ମାତ୍ର ୬ଟି ପଦବୀ ସାଧାରଣ ବର୍ଗଙ୍କ ପାଇଁ ରହିଛି । ଓଏଫଏସ ୪୬ ପଦବୀରୁ ୨୩ଟି ପଦବୀ ସାଧାରଣ ବର୍ଗଙ୍କ ପାଇଁ ରହିବା ବଦଳରେ ମାତ୍ର ୧୭ଟି ରଖାଯାଇଛି । ସେହିପରି ଓଡ଼ିଶା ରାଜସ୍ବ ସେବାରେ ମଧ୍ୟ ଅସଂଗତି ରହିଥିବା ଅଭିଯୋଗ ହୋଇଛି । ଖୋଦ ସାଧାରଣ ବର୍ଗର ଆଶାୟୀ ପ୍ରାର୍ଥୀଙ୍କ ଅଭିଯୋଗ ଏବର ସରକାରଙ୍କ ସମୟରେ ସାଧାରଣ ବର୍ଗର ପ୍ରାର୍ଥୀ ପ୍ରତିଯୋଗିତା ମୂଳକ ନିଯୁକ୍ତି ପରୀକ୍ଷା ପାଇଁ ବର୍ଷ ତମାମ ପ୍ରସ୍ତୁତ ହେଉଥିବାବେଳେ ସେମାନଙ୍କ ପାଇଁ ନିଯୁକ୍ତି ପଦବୀ କମ୍ ପ୍ରକାଶ ପାଉଛି । ଏ ଦିଗଟିକୁ ସରକାର ବିଚାର କରିବା ଆବଶ୍ୟକ ।
କୋଡିଏ ଟଙ୍କା ପାଇଁ ଜନ୍ମ କଲା ଝିଅକୁ ପିଟି ପିଟି ଦରମରା କରିଲା ବାପା
ନନ୍ଦିଘୋଷ ବ୍ୟୁରୋ : କୋଡିଏ ଟଙ୍କା ପାଇଁ ନିଜର ଜନ୍ମ କଲା ଝିଅକୁ ବାପାର ନିସ୍ତୁକ ମାଡ଼ । ଘରର କବାଟ ବନ୍ଦ କରି ରସିରେ ବାନ୍ଧି ପିଟି ପିଟି ଅଧାମରା କରିଦେଲା ବାପା । ବିକଳରେ ଘରର କବାଟ ଖୋଲି ବାହାରକୁ ଦୌଡ଼ି ପଳାଇ ଆସିଥିଲା ୧୦ ବର୍ଷ ଝିଅ ଖୁସି । ଏହିଭଳି ଏକ ହୃହୟ ବିଦାରକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଜରିପଡ଼ା ପଞ୍ଚାୟତ ଜଗନ୍ନାଥପୁର ଗାଁରେ ।
ବାପା ପୂର୍ଣ୍ଣ ବେହେରା ଝିଅ ଖୁସିକୁ ୧୨୦ ଟଙ୍କା ଦେଇ କିରାନା ଦୋକାନକୁ ରାସନ ସାମଗ୍ରୀ କିଣିବାକୁ ପଠାଇଥିଲେ । ଜିନିଷ କିଣିବା ପରେ ବଳକା ୨୦ ଟଙ୍କା ଖର୍ଚ୍ଚ କରିଦେଇଥିଲା ଏବଂ ଘରକୁ ଫେରିବାରେ ବିଳମ୍ବ କରିଥିଲା ଖୁସି । ଏହାକୁ ନେଇ ବାପା ପୂର୍ଣ୍ଣ ବେହେରା ଝିଅ ଖୁସୀକୁ ରସିରେ ବାନ୍ଧି ନିସ୍ତୁକ ପିଟିଥିଲେ । ଖୁସିର ପାଦଠାରୁ ମୁହଁ ପର୍ଯ୍ୟନ୍ତ ମାଡ଼ର ଚିହ୍ନ ରହିଛି । ନିସ୍ତୁକ ମାଡ଼ରେ ନାବାଳିକା ଜଣକ ଚାଲିପାରୁନଥିବା ବେଳେ ଠିକସେ କଥା କହିପାରୁନାହିଁ । ନାବାଳିକା ଜଣକ ଜୀବନ ବିକଳରେ ଘରୁ ପଳାଇ ଆସି ଜରିପଡ଼ା ଖମାର ସାହିରେ ବସି କାନ୍ଦୁଥିବା ସମୟରେ ଲୋକେ ନାବାଳିକାକୁ ଉଦ୍ଧାର କରି ଟାଙ୍ଗୀ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଟାଙ୍ଗୀ ପୋଲିସ ପହଞ୍ଚି ନାବାଳିକାକୁ ଚିକିତ୍ସା ପାଇଁ ମେଡିକାଲ ପଠାଇ ତଦନ୍ତ ଆରମ୍ଭ କରିଛି ।
ମାଟି ଚୋରି କରୁଥିଲେ ମାଫିଆ : ବିରୋଧ କରିବାରୁ ଖଣ୍ଡାରେ ହାଣି କଲେ ଲହୁଲୁହାଣ
ନନ୍ଦିଘୋଷ ବ୍ୟୁରୋ : ରାତି ଅଧରେ ସରକାରୀ ଜାଗାରୁ ମାଟି ଚୋରି କରୁଥିଲେ । ବିରୋଧ କରିବାରୁ ୩ ଜଣ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କରିଛନ୍ତି ମାଟି ମାଫିଆ । ରାଜଧାନୀ ଉପକଣ୍ଠ ବାଲିଅନ୍ତା ଅଂଚଳରେ ବର୍ବରତାର ସୀମା ଟପି ଯାଇଛନ୍ତି ମାଟି ମାଫିଆ । ଗୁରୁତର ଅବସ୍ଥାରେ ୩ ଯୁବକଙ୍କୁ ପ୍ରଥମେ କ୍ୟାପିଟାଲ୍ ପରେ ଏମ୍ସ ଏବଂ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୋମବାର ବିଳମ୍ବିତ ରାତି ପ୍ରାୟ ୨ ଟାରେ ବାଲିଅନ୍ତା ତହସିଲ୍ ଅଧିନ ଜିତିକାଲସୁଆଁଲୋ ଗାଁରେ ଥିବା ଗୋଚର ଜମିରୁ ମାଟି ମାଫିଆ ମାଟି ଚୋରି କରୁଥିଲେ । ଏହି ଖବର ନିକଟସ୍ଥ ଗଡ଼ଭିଙ୍ଗାରପୁର ଗାଁର କିଛି ଯୁବକ ପାଇଥିଲେ । ତୁରନ୍ତ ଯୁବକ ମାନେ ଘଟଣା ସ୍ଥଳରେ ପହଁଞ୍ଚି ଥିଲେ । ସେତେବେଳେ ୨ଟି ଜେସିବି ମେସିନ ଯୋଗେ ହାଇୱା ଟ୍ରକ୍ ରେ ଲୋଡ କରାଯାଇ ମାଟି ଚୋରି ହେଉଥିଲା । ଯୁବକ ମାନେ ଏହାକୁ ବିରୋଧ କରିବାରୁ ସେଠାରେ ଉପସ୍ଥିତ ମାଟି ମାଫିଆ ମାନେ ଗାଳି ଗୁଲଜ କରି ମାଡ଼ ମାରିଥିଲେ ।
ପରେ ପ୍ରାୟ ୨୦ ଜଣ ମାଟି ମାଫିଆ ଏବଂ ତାଙ୍କ ସହଯୋଗୀ ଘଟଣା ସ୍ଥଳରେ ପହଁଞ୍ଚି ଲୁହା ରଡରେ ମାଡ ମାରିବା ସହ ଖଣ୍ଡାରେ ହାଣି ପକାଇଥିଲେ । ଖବର ପାଇ ଗ୍ରାମବାସୀ ଘଟଣା ସ୍ଥଳକୁ ଦୌଡି ଯାଇଥିଲେ । ଘଟଣା ସ୍ଥଳରୁ ରକ୍ତ ଜୁଡୁବୁଡୁ ଗୁରୁତର ୩ ଜଣ ଯୁବକଙ୍କୁ ଉଦ୍ଧାର କରିଥିଲେ । ଆକ୍ରମଣକାରୀ ୪ ଜଣ ଯୁବକଙ୍କୁ କାବୁ କରିବା ସହ ପୋଲିସ ଜିମା ଦେଇଥିଲେ । ଏହା ସହ ଆକ୍ରମଣକାରୀଙ୍କ ଦୁଇଟି ମଟରସାଇକେଲକୁ ଅଟକ ରଖିଥିଲେ ଗ୍ରାମବାସୀ ।

