spot_img
Home Blog Page 883

ଛୋଟ କଳାକାରଙ୍କ ହୃଦୟ ମହାନ: ବାପାଙ୍କ ସ୍ମୃତିରେ ତିଆରି କଲେ କଂକ୍ରିଟ ରାସ୍ତା ଓ ପାହାଚ

ଗୁଣୁପୁର: ନଦୀ ତୁଠକୁ ନିର୍ମାଣ ହୋଇଛି ଚକାଚକ ରାସ୍ତା । ତିଆରି ହୋଇଛି ପାହାଚ । ଆଉ ଏହି ପାହାଚ ଗ୍ରାମ୍ୟ ସଡକ ପରିବହନ ପକ୍ଷରୁ ତିଆରି ହୋଇନି । ଆପଣଙ୍କୁ ଏ କଥା ଟିକେ ଚକିତ କରିପାରେ ହେଲେ ସତ । ଏହା ପଛରେ ରହିଛି ବିଶେଷ କାରଣ । ରାସ୍ତା ଓ ପାହାଚକୁ ତିଆରି କରିଛନ୍ତି ଗୁଣୁପୁର କୁମ୍ଭାର ସାହିର କୋନା ମାର୍କଣ୍ଡ । ସେ ତାଙ୍କ ବାପାଙ୍କ ମୃତ୍ୟୁ ପରେ ତାଙ୍କ ସ୍ମୃତି ଓ ଲୋକସେବା ଉଦ୍ଦେଶ୍ୟରେ ବଂଶଧାରା ନଦୀ ତୁଠକୁ ତିଆରି କରିଛନ୍ତି କଂକ୍ରିଟ ରାସ୍ତା ଓ ପାହାଚ । ତାହା ପୁଣି ନିଜସ୍ଵ ଅର୍ଥରେ ।

କୋନା ମାର୍କଣ୍ଡ । ଜଣେ କ୍ଷୁଦ୍ର ଚିତ୍ରକାର ଓ ମୂର୍ତ୍ତି ଶିଳ୍ପୀ । କୋନାଙ୍କ ବାପା କୋନା ସୁରିୟ ନାରାୟଣ ଦୁଇ ହଜାର ମସିହାରେ ମୃତ୍ୟୁବରଣ କରିଥିଲେ । ସେବେଠାରୁ ମାର୍କଣ୍ଡ ତାଙ୍କ ବାପାଙ୍କ ଉଦ୍ଦେଶ୍ୟରେ କିଛି କରିବା ପାଇଁ ଚିନ୍ତା କରିଥିଲେ । ତାପରେ ତାଙ୍କ ନଜରକୁ ଆସିଥିଲା ବଂଶଧାରା ନଦୀ ତୁଠର ଅସୁବିଧା କଥା । ଲୋକଙ୍କ ସୁବିଧା ପାଇଁ ସେ ୨୦୨୦ ମସିହାରେ ୧ ଲକ୍ଷ ୭୦ ହଜାର ଟଙ୍କା ଖର୍ଚ୍ଚ କରି ନଦୀକୁ ଓଲ୍ଲାଇବା ପାଇଁ ପ୍ରଥମେ କଂକ୍ରିଟ୍ ପାହାଚ ତିଆରି କରିପାରିଥିଲେ । ଅର୍ଥ ଅଭାବରୁ ପରେ ୧ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ପାହଚ ଠୁ ନଦୀ ହୁଡାକୁ କଂକ୍ରିଟ ରାସ୍ତା ନିର୍ମାଣ କରି ସଂପୂର୍ଣ୍ଣ କରିଛନ୍ତି । ମାର୍କଣ୍ଡଙ୍କ ଏଭଳି ଉଦ୍ୟମକୁ ଅଞ୍ଚଳବାସୀଙ୍କ ସମେତ ବୁଦ୍ଧିଜୀବୀ ମାନେ ବେଶ ପ୍ରଶଂସା କରିଛନ୍ତି ।

ଫେଲ୍‌ ମାରିଛି ଗ୍ରାମ୍ୟ ଆଲୋକୀକରଣ ବ୍ୟବସ୍ଥା: ଘରୁ ବାହାରିବାକୁ ଅସୁରକ୍ଷିତ ମଣୁଛନ୍ତି ମହିଳା

ବରୀ: ଅଚଳ ହୋଇପଡିଛି ଷ୍ଟ୍ରିଟ ଲାଇଟ । ସଞ୍ଜ ନଇଁବା କ୍ଷଣି ଡରାଉଛି ଅନ୍ଧାର । ଘରୁ ବାହାରିବାକୁ ଅସୁରକ୍ଷିତ ମଣୁଛନ୍ତି ମହିଳା । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବରୀ ବ୍ଲକରେ । ବରୀ ବ୍ଲକର ବିଭିନ୍ନ ପଞ୍ଚୟତର ଗାଁ ଦାଣ୍ଡରେ ଲାଗିଥିବା ଷ୍ଟ୍ରିଟ ଲାଇଟ ଗୁଡି ଏବେ ଅଚଳ ହୋଇପଡିଛି । ଏପରିକି ବରୀର ମୁଖ୍ୟ ବଜାର ବରୀ ମାଉଣ୍ଡରେ ଲାଗିଥିବା ହାଇମାସ୍ଟ ଲାଇଟର ଅବସ୍ଥା ବି ଶୋଚନୀୟ ହୋଇପଡିଛି । ଯାହାର ସୁଯୋଗ ନେଇ ଅନ୍ଧାର ହେବା କ୍ଷଣି ବଜାରରେ ଅସମାଜିକ ବ୍ୟକ୍ତିମାନେ ଆଡା ଜମାଉଛନ୍ତି । ରାତିରେ ଚୋରି ବୃଦ୍ଧି ପାଉଛି । ଫଳରେ ସ୍ଥାନୀୟ ମହିଳାମାନେ ବଜାରକୁ ଆସିବାକୁ ଅସୁରକ୍ଷିତ ମଣୁଥିବା ଅଭିଯୋଗ ହୋଇଛି ।

ପୂର୍ବ ସରକାରଙ୍କ ସମୟରେ ଅରଙ୍ଗାବାଦ୍ ଛତର ନିକଟରୁ ବାଲିବିଲି ଗାନ୍ଧୀ ଛକ ପର୍ଯ୍ୟନ୍ତ ଲକ୍ଷାଧିକ ଟଙ୍କାରେ ଲାଗିଥିଲା ଷ୍ଟ୍ରିଟ ଲାଇଟ । କିନ୍ତୁ ବର୍ତ୍ତମାନ ତାହା ସମ୍ପୂର୍ଣ୍ଣ ରୂପେ ଅକାମୀ ହୋଇ ପଡ଼ିଛି । ଠିକାଦାର ମାନେ ନିମ୍ନମାନର ଲାଇଟ ଲଗାଇ ଲକ୍ଷାଧିକ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି । ସରକାରଙ୍କ ନିୟମ ଅନୁଯାୟୀ ଗ୍ରାମ୍ୟ ଆଲୋକୀକରଣ ନିମନ୍ତେ ଲାଗିଥିବା ଷ୍ଟ୍ରିଟ ଲାଇଟ ଅଚଳ ହେଲେ ଅଚଳ ଲାଇଟର ତାଲିକା ପଞ୍ଚାୟତ ତରଫରୁ ବ୍ଲକ ପ୍ରଶାସନକୁ ଅବଗତ କରାଯିବା କଥା । ମାତ୍ର କେଉଁ ପଞ୍ଚାୟତର କେତେ ଷ୍ଟ୍ରିଟ ଲାଇଟ୍ ଅଚଳ ହୋଇପଡିଛି ତାହାର ତାଲିକା ବ୍ଲକ ପ୍ରଶାସନ ନିକଟରେ ନାହିଁ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।ଆଲୋକୀକରଣ ଉପରେ ସରକାର ଦୃଷ୍ଟି ଦେବାକୁ ଦାବି ଜୋର ଧରିଛି ।

ସରକାରୀ ଯୋଜନାରେ ଜନସେବା କେନ୍ଦ୍ର ଅଧିକାରୀଙ୍କୁ ମିଳୁନି ସଠିକ୍ ପାରିଶ୍ରମିକ

ଚଣ୍ଡିଖୋଲ: ସରକାରୀ ଯୋଜନାରେ ଜନସେବା କେନ୍ଦ୍ର ଅଧିକାରୀଙ୍କୁ ମିଳୁନି ସଠିକ୍ ପାରିଶ୍ରମିକ। ଯାହାକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ଜନସେବା କେନ୍ଦ୍ରର ଅଧିକାରୀ। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକରେ ଥିବା ଜନସେବା କେନ୍ଦ୍ର ଅଧିକାରୀମାନେ ପହଞ୍ଚି ସେମାନଙ୍କ ବିଭିନ୍ନ ସମସ୍ୟା ନେଇ ଯାଜପୁର CDMOଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ବଡ଼ଚଣା ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିଛନ୍ତି। ସରକାରଙ୍କ ବିଭିନ୍ନ ଯୋଜନାରେ ଜନ ସେବା କେନ୍ଦ୍ରକୁ ଦାୟିତ୍ଵ ଦେଉଛନ୍ତି ହେଲେ ସେମାନଙ୍କୁ ସଠିକ୍ ପାରିଶ୍ରମିକ ମିଳୁନାହିଁ। ଯେଉଁଥିପାଇଁ ସେମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ଆୟୁଷ୍ମାନ କାର୍ଡ ଯୋଜନାରେ ଜନସେବା କେନ୍ଦ୍ରକୁ ଅର୍ନ୍ତଭୁକ୍ତ କରାଯାଇଥିବା ବେଳେ କାର୍ଡ ପିଛା ସରକାର ଦେଉଥିବା ପାରିଶ୍ରମିକ ଯଥେଷ୍ଟ କମ୍ ରହିଛି। ଏଥିରେ କାର୍ଯ୍ୟ କରି ଜନ ସାଧାରଣଙ୍କୁ ଘରେ ନେଇ ଆୟୁସ୍ମାନ କାର୍ଡ ପହଞ୍ଚାଇବା ସମ୍ଭବ ପର ନୁହେଁ ଯାହାକୁ ନେଇ ଅଭିଯୋଗ କରିଛନ୍ତି ଜନ ସେବା କେନ୍ଦ୍ର ଅଧିକାରୀ। ପୂର୍ବରୁ ସୁଭଦ୍ରା ଯୋଜନାରେ ଏହିଭଳି ସମସ୍ୟା ଦେଖା ଦେଇଥିଲା। ସରକାର ଏହା ଉପରେ ପଦକ୍ଷେପ ନେବା ପାଇଁ ଜନସେବା କେନ୍ଦ୍ର ଅଧିକାରୀମାନେ ଦାବି କରିଛନ୍ତି

୧୩ ହଜାର କୋଟି ଠକେଇ ମାମଲାର ଅଭିଯୁକ୍ତ ଗିରଫ: ତହବୁର ରାଣା ପରେ ଏବେ ମେହୁଲ ଚୋକସୀ ଭାରତକୁ ପ୍ରତ୍ୟର୍ପଣ ହେବ କି?

ନୂଆାଦିଲ୍ଲୀ: ଦିଲ୍ଲୀରୁ ପାଖାପାଖି ୬ ହଜାର କିମି ଦୂର ସ୍ଥିତ ବେଲଜିୟମରୁ ଗିରଫ ହୋଇଛି ପଳାତକ ମେହୁଲ ଚୋକସୀ । ପାଖାପାଖି ସାଢ଼େ ୧୩ ହଜାର କୋଟି ଟଙ୍କାର ଠକେଇ ମାମଲାର ଅଭିଯୁକ୍ତ ଚୋକସୀକୁ ଦୀର୍ଘ ଦିନ ଧରି ଭାରତ ସରକାର ତଲାସ କରୁଥିଲେ । ୨୦୧୮ରୁ ଚୋକସୀ ଭାରତର ଯାଞ୍ଚ ଏଜେନ୍ସିକୁ ଚକମା ଦେଇ ଆସୁଥିଲା । ନିକଟରେ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣାକୁ ଆମେରିକାରୁ ଭାରତକୁ ପ୍ରତ୍ୟର୍ପଣ କରାଯାଇଥିଲା । ତେଣୁ ଏବେ ବେଲଜିୟମ ସରକାର ମଧ୍ୟ ଚୋକସୀକୁ ପ୍ରତ୍ୟର୍ପଣ କରିବେ କି ବୋଲି ପ୍ରଶ୍ନ ଉଠିଛି ।

ଚୋକସୀର ଗିରଫ ପରେ ଖୁବଶୀଘ୍ର ତାକୁ ମଧ୍ୟ ଭାରତକୁ ଅଣାଯିବ ବୋଲି ପ୍ରଶ୍ନ ଉଠିଛି । ଏଭଳି ସ୍ଥିତିରେ ଭାରତ ଓ ବେଲଜିୟମ ମଧ୍ୟରେ ପ୍ରତ୍ୟର୍ପଣ ସନ୍ଧି କିପରି ରହିଛି ତାହା ଜାଣିବାର ଆବଶ୍ୟକତା ରହିଛି । ୨୦୨୩ ମାର୍ଚ୍ଚରେ ଇଣ୍ଟରପୋଲ ପକ୍ଷରୁ ଚୋକସୀ ବିରୋଧରେ ରେଡ କର୍ଣ୍ଣର ନୋଟିସକୁ ପ୍ରତ୍ୟାହାର କରିନିଆଯାଇଥିଲା । ତା’ପରେ ଭାରତର ଯାଞ୍ଚ ଏଜେନ୍ସି- ଇଡି ଓ ସିବିଆଇ ତାକୁ ବେଲଜିୟମରୁ ଭାରତକୁ ପ୍ରତ୍ୟର୍ପଣ କରିବାକୁ ପ୍ରୟାସ କରୁଥିଲେ । ୨୦୨୦ରେ ଭାରତ ଓ ବେଲଜିୟମ ମଧ୍ୟରେ ପ୍ରତ୍ୟର୍ପଣ ସନ୍ଧିରେ ମୋହର ବାଜିଥିଲା । ସନ୍ଧି ମୁତାବକ, ଯଦି ପ୍ରତ୍ୟର୍ପଣ ସମ୍ବନ୍ଧିତ କୌଣସି ଅପରାଧରେ ସାମିଲ ରହିଥିବା ଅଭିଯୁକ୍ତ ବା ଦୋଷୀ, କୌଣସି ଦେଶରେ ଗିରଫ ହୁଏ, ତେବେ ତା’ର ପ୍ରତ୍ୟର୍ପଣ ହେବ । ଦୁଇ ଦେଶର ପ୍ରତ୍ୟର୍ପଣ ସନ୍ଧି ହତ୍ୟା, ଦୁଷ୍କର୍ମ, ଠକାମୀ ପରି ଗମ୍ଭୀର ଅପରାଧର ଅଭିଯୁକ୍ତକୁ ପ୍ରତ୍ୟର୍ପଣ ପାଇଁ ଅନୁମତି ଦେଇଥାଏ । କୌଣସି ଅପରାଧୀକୁ ଏକ ଦେଶ ପ୍ରତ୍ୟର୍ପଣ କରିବ କି ନା ତାହା ଉକ୍ତ ଦେଶର ବିବେକ  ଉପରେ ନିର୍ଭର କରେ । ଏଥିସହିତ ଉକ୍ତ ମାମଲା ବେଲଜିୟମରେ ଅପରାଧ କି ନା ତା’ ଉପରେ ମଧ୍ୟ ପ୍ରତ୍ୟର୍ପଣ ନିର୍ଭର କରିଥାଏ ।

୯ ବର୍ଷରୁ ଅଧିକ ସମୟ ପରେ ମା’ କୋଳକୁ ଫେରିଲା ପୁଅ: ନାବାଳକ ଶିଶୁ ଉଦ୍ଧାର ସହ ବାପା ଗିରଫ

ବାଲେଶ୍ବର: ୯ ବର୍ଷରୁ ଅଧିକ ସମୟ ପରେ ମା’ କୋଳକୁ ଫେରିଲା ପୁଅ । ଦିଲ୍ଲୀରୁ ନାବାଳକ ଶିଶୁକୁ ଉଦ୍ଧାର ସହିତ ବାପାକୁ ଗିରଫ କରିଛି ବାଲେଶ୍ୱର ପୋଲିସ। ସ୍ବାମୀ ୪ ବର୍ଷର ଶିଶୁକୁ ଧରି ଫେରାର ହୋଇଥିବା ନେଇ ୨୦୧୬ ମସିହାରେ ମେଣ୍ଢାଶୁଳ ଅଞ୍ଚଳର ସୀମା ଶତପଥୀ ଅଭିଯୋଗ କରିଥିଲେ। ଏନେଇ କୋର୍ଟରେ ମାମଲା ଚାଲିଥିଲା। ତେବେ କୋର୍ଟଙ୍କ ନିର୍ଦ୍ଦେଶ ପରେ ପୋଲିସ ଖୋଜାଖୋଜି ଚଳାଇଥିଲା । ଦୀର୍ଘ ସାଢ଼େ ୯ ବର୍ଷ ପର୍ଯ୍ୟନ୍ତ ପିଲା କିମ୍ବା ବାପାର ଠିକଣା ପୋଲିସ ପାଇନଥିଲା। ଶେଷରେ ଦିଲ୍ଲୀରୁ ନାବାଳକକୁ ଉଦ୍ଧାର କରିଛି ପୋଲିସ। ଏହା ସହିତ ବାପା କମଳାକାନ୍ତ ମିଶ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।

ମୁର୍ଶିଦାବାଦ ହିଂସା ପଛରେ ISI ଓ ବାଂଲାଦେଶୀ ଆତଙ୍କବାଦୀ ଗୋଷ୍ଠୀଙ୍କ ହାତ? ଗୁଇନ୍ଦା ସଂସ୍ଥାକୁ ମିଳିଲା ବଡ଼ ସୁରାକ୍

ମୁର୍ଶିଦାବାଦ: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ହୋଇଥିବା ହିଂସାକାଣ୍ଡ ପଛରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଓ ବାଂଲାଦେଶୀ ଆତଙ୍କୀଙ୍କ ହାତ ଥିବା ନେଇ ସନ୍ଦେହ କରାଯାଉଛି । ଏହାକୁ ନେଇ ରାଜ୍ୟ ଓ କେନ୍ଦୀୟ ଯାଞ୍ଚ ଏଜେନ୍ସିଙ୍କୁ ଘଟଣା ସମ୍ବନ୍ଧରେ କିଛି ତଥ୍ୟ ମିଳିଛି । ଏହି ଅଶାନ୍ତି ପଛରେ ଖାସ୍ ପ୍ଲାନିଂ ରହିଥିଲା ବୋଲି କୁହାଯାଉଛି । ଓ୍ବାକଫ ଆଇନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ପ୍ରୋତ୍ସାହିତ କରିବା ସହ ଛାତ୍ର ବେଶରେ ଯୁବକଙ୍କୁ ଅନୁପ୍ରେବେଶ କରାଯାଇଥିବା କୁହାଯାଉଛି । ସୂତ୍ର ମୁତାବକ, କଟ୍ଟରପନ୍ଥୀ ’ବାହାର ତତ୍ତ୍ବ’ର ଚିହ୍ନଟ ପୂର୍ବରୁ ହୋଇସାରିଛି ।

ପଶ୍ଚିମବଙ୍ଗର ଗୁଇନ୍ଦା ସଂସ୍ଥା ମୁତାବକ, ବାଂଲାଦେଶରେ ହସୀନା ସରକାରର ପତ୍ତନ ପରେ ଢାକାରେ ଲୁଟ-ହତ୍ୟା ଓ ପୋଲିସ ଉପରେ ଆକ୍ରମଣ ଘଟଣା ଦେଖିବାକୁ ମିଳିଥିଲା । ବଙ୍ଗରେ ଆଇଏସଆଇ ଏଜେଣ୍ଟଙ୍କ ଆଗମନକୁ ନେଇ ମଧ୍ୟ କିଛି ସ୍ଥାନରୁ ଅଭିଯୋଗ ଆସିଥିଲା । ସୀମାବର୍ତ୍ତୀ କ୍ଷେତ୍ରରେ ରାଷ୍ଟ୍ରବିରୋଧୀ ଶକ୍ତିମାନେ ’ଟ୍ରେନିଂ’ ଦେଉଥିବା ମଧ୍ୟ କୁହାଯାଉଛି । ଉକ୍ତ ଟ୍ରେନିଂକୁ ଅଶାନ୍ତିକୁ ସୃଷ୍ଟି କରୁଥିବା ଯୁବକମାନେ ସମର୍ଥନ କରୁଥିବା କୁହାଯାଉଛି । ତେଣୁ ଏବେ ପ୍ରଶ୍ନ ଉଠୁଛି ଏମାନେ ସବୁ କିଏ? ଆତଙ୍କବାଦୀ ସଂଗଠନ ଏବିଟି ପକ୍ଷରୁ ପରିଚାଳିତ ଅବୈଧ ବା ଖାରଜ ହୋଇଥିବା ମଦରସାର ପ୍ରଡକ୍ଟ ବୋଲି ଉତ୍ତର ଆସୁଛି । ଏଥିରେ ଅଧିକାଂଶ ୧୮ ବର୍ଷରୁ କମ୍ ବୟସର ଯୁବକ ରହିଛନ୍ତି । ଭାରତ ଓ ପଶ୍ଚିମବଙ୍ଗର ଆଭ୍ୟନ୍ତରୀଣ ସ୍ଥିତିକୁ ବିଗାଡ଼ିବାକୁ ଯୋଜନା କରାଯାଇଥିଲା । ମୁର୍ଶିଦାବାଦ ସୀମାରେ ଥିବା କିଛି ଖାରଜ ମଦରସାକୁ ଟାର୍ଗେଟ କରାଯାଇଥିଲା । ଏକ ବଡ଼ ଧରଣର ଅରାଜକତା ସୃଷ୍ଟି କରିବା ନେଇ ଯୋଜନା ଥିଲା । ତେବେ ବାଂଲାଦେଶୀଙ୍କ ଅନୁପ୍ରବେଶ ନେଇ ସୀମା ସୁରକ୍ଷା ବଳ କିପରି ଖବର ପାଇ ପାରିଲା ନାହିଁ, ତାହା ଏବେ ଏକ ବଡ଼ ପ୍ରଶ୍ନ ।

ବିଜେଡି ପକ୍ଷରୁ ପଣା ସଂକ୍ରାନ୍ତି ପାଳନ: ସମସ୍ତ ଓଡ଼ିଆଙ୍କୁ ନବବର୍ଷର ଶୁଭେଚ୍ଛା

ଭୁବନେଶ୍ବର: ଏକାମ୍ର ଭୁବନେଶ୍ୱରରେ ପଣା ସଂକ୍ରାନ୍ତି ପାଳନ କରାଯାଉଛି । ଏନେଇ ଏକାମ୍ର ବିଜୁ ଜନତା ଦଳ ପକ୍ଷରୁ ବିମେଶ୍ୱର ମନ୍ଦିର ପାଖରେ ପଣାର ଆୟୋଜନ କରାଯାଇଥିଲା । ୬୧ ନମ୍ବର ୱାର୍ଡର ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକ ସାମିଲ ହୋଇଥିଲେ । ବିଜେଡି ପକ୍ଷରୁ ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର, ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ସମେତ ଅନେକ କର୍ପୋରେଟର ସାମିଲ ହୋଇଥିଲେ । ଏହାସହ ଲୋକଙ୍କୁ ପଣା ବଣ୍ଟନ କରିଥିଲେ । ଏଥର ପଣାରେ ଔଷଧୀୟ ଗୁଣବତ୍ତା ବଜାୟ ରଖାଯାଇଛି । ଏହି ଅବସରରେ ବିଜେଡି ପକ୍ଷରୁ ସମସ୍ତଙ୍କୁ ଓଡ଼ିଆରେ ନବବର୍ଷର ଶୁଭେଚ୍ଛା ଜଣାଯାଇଛି ।

କୃଷକଙ୍କ ପୁଅ ହେଲେ ED ଅଫିସର: ଗାଁକୁ ମିଳିଲା ପ୍ରଥମ ସରକାରୀ ଚାକିରିଆ, ୧୫ କିମି ସାଇକେଲ ଚଳାଇ କରୁଥିଲେ ପ୍ରସ୍ତୁତି

ଫରୁଖାବାଦ: ଆଜିର ସମୟରେ ସରକାରୀ ଚାକିରି ଖଣ୍ଡିଏ ପାଇବା ପ୍ରତ୍ୟେକ ଯୁବକଙ୍କ ଏକ ସ୍ବପ୍ନ ରହିଥାଏ । ତେବେ ଏହା ମଧ୍ୟରେ ସରକାରୀ ଚାକିରି ସହ ଜଡ଼ିତ ଏକ ପ୍ରେରଣାଦାୟକ କାହାଣୀ ସାମ୍ନାକୁ ଆସିଛି । କଠିନ ସଂଘର୍ଷ ବଳରେ ଯେ ସବୁକିଛି ସମ୍ଭବ ହୋଇପାରିବ, ତାହା ଜଣେ ଗରିବ ଘରର ପୁଅ ଆଜି ସଭ୍ୟ ସମାଜକୁ ଜଣାଇ ଦେଇଛନ୍ତି । ୧୫ କିମି ସାଇକେଲ ଚଳାଇ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଜଣେ ଗରିବ କୃଷକଙ୍କ ପୁଅ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ଜଣେ ଅଫିସର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଏହି କ୍ରମରେ ଗାଁକୁ ପ୍ରଥମ ସରକାରୀ ଚାକିରିଆ ମିଳିପାରିଛି । ଗରିବ କୃଷକଙ୍କ ପୁଅ ସରକାରୀ ଚାକିରି ପାଇବା ପରେ ସାରା ଗାଁରେ ଖୁସିର ଲହରୀ ଖେଳିଯାଇଛି ।

ସୂଚନା ମୁତାବକ, ଉତ୍ତରପ୍ରଦେଶର ଫରୁଖାବାଦର ଆୟୁଷ ରାଜପୁତ ମୁସ୍କିଲ ପରିସ୍ଥିତିରେ ହାର ନ ମାନି SSC CGL ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଆୟୁଷ ଇଡିରେ ଆସିଷ୍ଟାଣ୍ଟ ଏନଫୋର୍ସମେଣ୍ଟ ଅଫିସର ଚାକିରି ପାଇଛନ୍ତି । ତାଙ୍କର ଏହି ସଫଳତାରେ ଏବେ ସାରା ଗାଁ ଖୁସିରେ ଝୁମି ଯାଇଛି । ପ୍ରଥମ ଥର ଗାଁର ଜଣେ ଯୁବକ ସରକାରୀ ଚାକିରି ପାଇ ଇତିହାସ ରଚିପାରିଛନ୍ତି । ଆୟୁଷ ଦିନରେ ଜମିରେ କାମ କରୁଥିଲେ ଓ ଅନ୍ୟ ସମୟରେ ପଢ଼ାପଢ଼ି କରୁଥିଲେ । SSC CGL ପରୀକ୍ଷା ପାଇଁ ସେ ନିଜକୁ ସମ୍ପୂର୍ଣ୍ଣ ଭାବେ ସମର୍ପି ଦେଇଥିଲେ । ଶେଷରେ ଆୟୁଷ ଇଡିରେ ସହାୟକ ପ୍ରବର୍ତ୍ତନ ଅଧିକାରୀ (AEO) ପଦରେ ନିଯୁକ୍ତି ପାଇବା ସହ ଅନ୍ୟମାନଙ୍କ ପାଇଁ ବଡ଼ ପ୍ରେରଣା ସାଜିଛନ୍ତି । ଗାଁର ଅନ୍ୟ ଯୁବକମାନଙ୍କ ପାଇଁ ଆୟୁଷ ଆଜି ରୋଲ ମଡେଲ ପାଲଟି ଯାଇଛନ୍ତି ।

ଠାକୁର ଦର୍ଶନ ପାଇଁ ଯିବାବେଳେ ମହୁମାଛି ଆକ୍ରମଣ : ୨୦ ଆହତ

ନନ୍ଦିଘୋଷ ବ୍ୟୁରୋ: ମହୁମାଛି ଆକ୍ରମଣରେ ୨୦ ଆହତ।ଗଜପତି ଜିଲ୍ଲା ମୋହନ ଅଂଚଳର ଘଟଣା। ବାଘ ମହୁମାଛି ଆକ୍ରମଣରେ ୨୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି। ଆଜି ମେରୁ ସଂକ୍ରାନ୍ତି ଅବସରରେ ଠାକୁର ଦର୍ଶନ କରିବାକୁ ଯାଇଥିବା ବେଳେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ। ଚନ୍ଦ୍ରଗିରି ଶିବମନ୍ଦିରକୁ ଦର୍ଶନ ପାଇଁ ଯିବା ସମୟରେ ମହୁମାଛି ଆକ୍ରମଣ କରିଥିଲେ। ଗୁରୁତରମାନଙ୍କୁ ସ୍ଥାନୀୟ ଲୋକେ ଚନ୍ଦ୍ରଗିରି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।

ମନ୍ଦିର ପରିସରରେ ପୂଜକଙ୍କ ମୃତଦେହ : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ନନ୍ଦିଘୋଷ ବ୍ୟୁରୋ: କଟକ ବିଡ଼ାନାସୀ ନୂଆ ସାହିରେ ଥିବା ଏକ ଧର୍ମାନୁଷ୍ଠାନରେ ଜଣେ ପୂଜକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତଦେହ ଉଦ୍ଧାର ପରେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ତେବେ ଧର୍ମାନୁଷ୍ଠାନ କର୍ତ୍ତୃପକ୍ଷ ଏହା ଏକ ଆତ୍ମହତ୍ୟା ହୋଇଥାଇ ପାରେ ବୋଲି କହିଛନ୍ତି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ବିଡ଼ାନାସୀ ଥାନା ପୋଲିସ ଛାନଭିନ୍ ଆରମ୍ଭ କରିଛି। ମୃତକ କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳର ସଂଗ୍ରାମ ସାମଲ। ଦୀର୍ଘ ୬ ବର୍ଷ ହେବ ସନ୍ନ୍ୟାସ ଗ୍ରହଣ କରି କଟକ ବିଡ଼ାନାସୀର ଏକ ମନ୍ଦିରରେ ପୂଜକ ଭାବେ ସେବା କରୁଥିଲେ। ଆଉ ଏଠାରେ ସଂଗ୍ରାମଙ୍କ ନାମ ବଦଳିଯାଇ ସ୍ୱରୂପ ଦାମୋଦର ପ୍ରଭୁ ବୋଲି ଲୋକେ ଡ଼ାକୁଥିଲେ। ତେବେ ସ୍ୱରୂପ ଗତକାଲି ନିଜର ନିତ୍ୟକର୍ମ ସାରି ମନ୍ଦିର ଉପରେ ଥିବା ତାଙ୍କ ବାସସ୍ଥାନକୁ ଆସିଥିଲେ। ଆସିବା ବେଳେ ତାଙ୍କ ରୁମ୍ ବାହାରେ ଲାଗିଥିବା ସିସିଟିଭିରେ କଏଦ୍ ହୋଇଥିଲା ସେ ରଶି ନେଇ ଭିତରକୁ ଯିବାର ଦୃଶ୍ୟ। ଏହାପରେ ଦୀର୍ଘ ସମୟ ବିତି ଯାଇଥିଲେ ମଧ୍ୟ ସ୍ୱରୂପ ଦାମୋଦର ପ୍ରଭୁ ବାହାରକୁ ଆସି ନଥିଲେ। ସନ୍ଦେହ ବଢ଼ିବା ପରେ ମନ୍ଦିର କର୍ତ୍ତୃପକ୍ଷ ପୋଲିସକୁ ଏ ଘଟଣା ବିଷରେ ଅବଗତ କରିଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କ ଉପସ୍ଥିତିରେ ମୃତଦେହକୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି ।