spot_img
Home Blog Page 89

ଆବେଦନ କରି ବି ମିଳୁନି ଭତ୍ତା, ପ୍ରଶାସନ ଦୁଆରେ ଦୌଡ଼ି ଦୌଡ଼ି ନୟାନ୍ତ ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗ

ନନ୍ଦିଘୋଷ ବ୍ୟୁରୋ : ନିୟମ ଅନୁଯାଇ ଯୋଗ୍ୟ ହିତାଧିକାରୀ ଭାବେ ଆବେଦନ କଲେ । ଭତ୍ତା ପାଇବାକୁ ନାନା ଆଶା ବାନ୍ଧିଲେ । ହେଲେ ହାତକୁ ଆସୁନି ଟଙ୍କା । ପ୍ରଶାସନର ପିଣ୍ଡାକୁ ଦୌଡି ଦୌଡି ନୟାନ୍ତ ବୃଦ୍ଧ ବୃଦ୍ଧା ଓ ଦିବ୍ୟାଙ୍ଗ । ଗଜପତି ଜିଲ୍ଲାରେ ଏବେ ଭତ୍ତାକୁ ଅପେକ୍ଷା କରିଛନ୍ତି ୪୫୫ ଜଣ ଯୋଗ୍ୟ ହିତାଧିକାରୀ । ଜିଲ୍ଲାରେ ୮୦ ବର୍ଷରୁ ଅଧିକ ବୟସର ୨୧୯ ଜଣ, ଏବଂ ୮୦ ପ୍ରତିଶତରୁ ଉର୍ଦ୍ଧ ଦିବ୍ୟାଙ୍ଗ ବର୍ଗର ୨୩୬ ଜଣ ରହିଛନ୍ତି । ଗୋସାଣି ବ୍ଲକରେ ୧୩୩, ଗୁମ୍ମାରେ ୬୫, କାଶୀନଗରରେ ୫୧ ଏବଂ ମୋହନା ରେ ୬୬ ଜଣ ଭତ୍ତା ଅପେକ୍ଷାରେ ଅଛନ୍ତି। ସେହିପରି ନୂଆଗଡ଼ାରେ ୧୮, ରାୟଗଡ଼ାରେ ୫, ଆର୍.ଉଦୟଗିରିରେ ୧୪, କାଶୀନଗର ଏନଏସୀ ରେ ୧୦ ଏବଂ ପାରଳାଖେମୁଣ୍ଡି ଅର୍ବାନରେ ୯୩ ଜଣ ରହିଛନ୍ତି । ସମସ୍ତେ ଭତ୍ତା ପାଇବାକୁ ଆବେଦନ କରିଛନ୍ତି । ହେଲେ ପ୍ରଶାସନିକ ଉଦାସିନତା ଯୋଗୁ ଏହା ଫାଇଲରେ ହିଁ ଅଟକି ରହିଥିବା ଅଭିଯୋଗ ହୋଇଛି ।

ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ଟାର୍ଗେଟ୍ ଆସିନାହିଁ । ଟାର୍ଗେଟ୍ ଆସିବା ପରେ ଯୋଗ୍ୟ ହିତାଧିକାରୀମାନଙ୍କୁ ଭତ୍ତା ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହା ଯାଉଛି । ହେଲେ ଅପେକ୍ଷାର ସୀମା କେତେଦିନ ବୋଲି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ ଏବଂ ଓଡିଶା କଂଗ୍ରେସ ପ୍ରଦେଶ କମିଟିର ରାଜ୍ୟ ସମ୍ପାଦିକା ଯଶମିନ ଶେଖ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ଜୀବନ ଜିଇଁବାକୁ ଅର୍ଥର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ହେଲେ ହାତଗୋଡ ଚଳୁନଥିବା ଏବଂ କାମ କରିବାକୁ ବୟସ ଅନୁମତି ଦେଉନଥିବା ବେଳେ ଏ ଅସହାୟଙ୍କ ପାଇଁ ଭତ୍ତା ପ୍ରଦାନ ପାଇଁ ସରକାରୀ ନିୟମ ରହିଛି । ହେଲେ ପ୍ରଶାସନର ଆନ୍ତରିକତା ଅଭାବ ଯୋଗୁ ସମସ୍ତେ ଏବେ ସମସ୍ୟାରେ ।

 

 

 

ନିର୍ମାଣ ସରିଲା, ହେଲେ ଚାଲୁ ହେଉନି ଅଟଳ ବସଷ୍ଟାଣ୍ଡ; ଯାତ୍ରୀ ଓ ଅଞ୍ଚଳବାସୀ ଅସନ୍ତୁଷ୍ଟ

ନନ୍ଦିଘୋଷ ବ୍ୟୁରୋ :  ଲୋକଙ୍କ ସୁବିଧା ପାଇଁ ବସଷ୍ଟାଣ୍ଡ ନିର୍ମାଣ ଆରମ୍ଭ କରିଥିଲେ ନବୀନ ସରକାର ।  ନୂଆ ସରକାର ଆସିବା ପରେ କାମ ସମ୍ପୂର୍ଣ୍ଣ ହେଲା । ଅଟଳ ବସଷ୍ଟାଣ୍ଡ ଭାବେ ନାମକରଣ ବି କରାଗଲା । ହେଲେ କାର୍ଯ୍ୟକ୍ଷମ ହେଉନି, ଯଥା ପୂର୍ବଂ ତଥା ପରଂ । ଯାତ୍ରୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ମୁଖ୍ୟ କାର୍ଯ୍ୟାଳୟ ସହ ଏଠାରେ ରହିଛି  ବ୍ଲକ, ଥାନା, ମେଡିକାଲ, କଲେଜ, ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଭଳି ବିଭିନ୍ନ ଗୁରୁତ୍ବପୂର୍ଣ କାର୍ଯ୍ୟାଳୟ । ତେଣୁ ବ୍ଲକର ୧୮ଟି ଗ୍ରାମ ପଞ୍ଚାୟତର ଲୋକେ ବିଭିନ୍ନ କାମ ପାଇଁ ପ୍ରତିଦିନ ଧରାକୋଟ ଆସିଥାନ୍ତି । ଖରା, ବର୍ଷା ଓ ଶୀତ କାକରରେ ଯାତ୍ରୀଙ୍କ ଦୁର୍ଦ୍ଦଶାକୁ ଦେଖି ଅଞ୍ଚଳରେ ଏକ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଦୀର୍ଘଦିନ ଧରି ଦାବି ହୋଇଆସୁଥିଲା । ଲୋକଙ୍କ ଦାବି ଶୁଣି ଆଠ କୋଟି ଟଙ୍କା ବ୍ୟୟରେ ବିରାଟ ବସଷ୍ଟାଣ୍ଡ ନିର୍ମାଣ ଆରମ୍ଭ କରିଥିଲେ ପୂର୍ବସରକାର । ପରେ ବିଜେପି ସରକାର କାମ ସମ୍ପୂର୍ଣ କରିଥିଲେ ।  ଲୋକେ ଆଶା କରିଥିଲେ, ଏହା କାର୍ଯ୍ୟକ୍ଷମ ହେଲେ ଯାତ୍ରୀଙ୍କ ଯାତାୟାତ ସମସ୍ୟା ଦୂର ହେବ । ହେଲେ ଏଯାଏଁ ବସଷ୍ଟାଣ୍ଡ ଲୋକଙ୍କ ସେବାରେ ଲାଗିପାରିନାହିଁ।…

ପ୍ରାୟ ୪ ବର୍ଷ ତଳେ କୋଟି କୋଟି ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିବା ବସଷ୍ଟାଣ୍ଡର ନିର୍ମାଣ କାମ ଶେଷ ହୋଇଛି। ହେଲେ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ନହେବାରୁ ବ୍ଲକରେ ଚଳାଚଳ କରୁଥିବା ମୁଖ୍ୟମନ୍ତ୍ରୀ ବସ ସେବା ଅନ୍ତର୍ଭୁକ୍ତ ବସ ସମେତ ଅନ୍ୟ ବସଗୁଡ଼ିକ ରାସ୍ତା କଡ଼ରେ ଅସ୍ଥାୟୀ ଭାବେ ରହୁଛି । ଅନେକ ବସ ଧରାକୋଟ ଭିତରକୁ ନଆସି ବାଇପାସ୍ ଦେଇ ଚାଲିଯାଉଛନ୍ତି । ତେବେ ଖୁବଶୀଘ୍ର ଜିଲ୍ଲାପାଳଙ୍କ ସହ ଆଲୋଚନା କରି ବସଷ୍ଟାଣ୍ଡକୁ ଲୋକଙ୍କ ସୁବିଧା ପାଇଁ ଖୋଲିବାକୁ ଅନୁରୋଧ କରିବେ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ।…

ପୂର୍ବ ସରକାର ଆରମ୍ଭ କରିଥିଲେ…ନୂଆ ସରକାର ସାରିପାରୁନାହାନ୍ତି ପ୍ରକଳ୍ପ କାମ

ନନ୍ଦିଘୋଷ ବ୍ୟୁରୋ : ପୂର୍ବ ସରକାର ଆରମ୍ଭ କରିଥିଲେ। ନୂଆ ସରକାର ସାରିପାରୁନାହାନ୍ତି ପ୍ରକଳ୍ପ କାମ  । ମନ୍ଥର ଗତିରେ ଚାଲିଛି କାକଟପୁର ବାସିନୀ ମା “ମଙ୍ଗଳା ପୀଠର ଉନ୍ନତ୍ତିକରଣ । ସେବାୟତଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ ।  ସର୍ଭେରେ ହିଁ ଅଟକିଛି ବିକାଶ । ୨୦୨୩ରେ ପୂର୍ବ ସରକାର ପୀଠର କଳେବର ବିକାଶ ପାଇଁ ୧୦ କୋଟି ଟଙ୍କା ମଞ୍ଜୁର କରି OBCC କୁ ଦାୟିତ୍ୱ ଦେଇଥିଲେ। ନୂଆ ସରକାର ଆସିବା ପରେ ଦେବୋତ୍ତର ଓ ପର୍ଯ୍ୟଟନ ବିଭାଗ ପ୍ଲାନ ରିଭ୍ୟୁ କଲା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ୪ ଅଗଷ୍ଟ ୨୦୨୬ରେ OBCC MD ଅନୁପମ ଶାହା ଲୋକସେବା ଭବନରେ ବୈଠକ କଲେ । ପ୍ରଥମ ପର୍ଯ୍ୟାୟରେ ମୁଖ୍ୟ ମନ୍ଦିର ମରାମତି, ନୂଆ ରୋଷଘର, ବିଜେସ୍ଥଳୀ ବିକାଶ, ପାର୍କିଂ ଭଳି ବିଭିନ୍ନ ବ୍ୟବସ୍ଥାର ସର୍ଭେ କରାଯାଇଥିଲା । ଦ୍ବିତୀୟ ପର୍ଯ୍ୟାୟରେ କିନ୍ତୁ DPR ସର୍ଭେ ଜାରି ରହିଛି । ନିର୍ମାଣକାରୀ ସଂସ୍ଥା  OBCC କାର୍ଯ୍ୟକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ସେବାୟତ । ମରାମତି ନାଁରେ କେବଳ ଲିପା ପୋଛା ହେଉଥିବା ଅଭିଯୋଗ ହୋଇଛି । ..

ମନ୍ଦିର ପରିସରରେ ଖଣ୍ଡଲାଇଟ ପଥର ବିଛାଇବା ନାଁରେ ନିମ୍ନମାନର ପଥର ଲଗାଯାଇଥିବା ଅଭିଯୋଗ ହୋଇଛି । ସାମାନ୍ୟ ବର୍ଷାରେ ପୀଠରେ ଆଣ୍ଠୁଏ ଆଣ୍ଠୁଏ ଉଚ୍ଚର ପାଣି ଜମୁଛି। ସେବାୟତ ଭବନ ଅଧପନ୍ତରିଆ ହୋଇ ରହିଛି । ଯାତ୍ରୀନିବାସ ଓ ଚନ୍ଦନ ଘାଟ କେବଳ କାଗଜରେ ଆଧୁନିକୀକରଣ ହୋଇଛି । ସାଇଟରେ କାମ ଅନୁଧ୍ୟାନ କରିବାକୁ କୌଣସି ଉଚ୍ଚସ୍ତରୀୟ ଇଞ୍ଜିନିୟର ନାହାନ୍ତି। OBCC ର ଠିକାଦାର ମନମୁଖୀ କାମ କରୁଥିବା ଅଭିଯୋଗ ହୋଇଛି ।

ପ୍ରସିଦ୍ଧ ମାଆ ମଙ୍ଗଳାଙ୍କ ଶାରଦୀୟ ପୂଜାକୁ ଦିନ କେଇଟା ବାକି ଥିବା ବେଳେ ପ୍ରକଳ୍ପ ଶେଷ ହେବାକୁ ନେଇ ଘୋର ଅନିଶ୍ଚିତତା ଦେଖା ଦେଇଛି।

ଯାତ୍ରା ପୂର୍ବରୁ ସରିଲାନି ମା’ ଭଟ୍ଟାରିକାଙ୍କ ମୁଖଶାଳା; ନିର୍ମାଣ କାମର ମନ୍ଥର ଗତିକୁ ନେଇ ଅସନ୍ତୋଷ

ନନ୍ଦିଘୋଷ ବ୍ୟୁରୋ :  କଟକ ଜିଲ୍ଲା ବଡ଼ମ୍ବା ଗଡ଼ଯାତ୍ରାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ବିଶ୍ୱପ୍ରସିଦ୍ଧ ଯାତ୍ରାକୁ ନେଇ ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ। ଆଉଧ ଯାତ୍ରାଠାରୁ ଆରମ୍ଭ କରି ଦଶମୀ ପର୍ଯ୍ୟନ୍ତ ମା’ଙ୍କ ଉଭା ଯାତ୍ରାରେ ଭକ୍ତଙ୍କ ଭିଡ଼ରେ ଚଳଚଞ୍ଚଳ ହୋଇଉଠେ ସମଗ୍ର ଅଞ୍ଚଳ। କିନ୍ତୁ ଏତେ ବଡ଼ ଧାର୍ମିକ ଆୟୋଜନର ମୁଖ୍ୟ କେନ୍ଦ୍ର ମା’ ଭଟ୍ଟାରିକାଙ୍କ ସିଂହଦ୍ୱାର ନିର୍ମାଣ କାମ ଏପର୍ଯ୍ୟନ୍ତ ସରିଲାନି। ଯାହାକୁ ନେଇ ଭକ୍ତ ଓ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଯାତ୍ରା ପୂର୍ବରୁ ମା’ଙ୍କ ମୁଖଶାଳା ନିର୍ମାଣ କାମ ସମ୍ପୂର୍ଣ୍ଣ ହେବ ନା ନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ। କାମର ଏଭଳି ମନ୍ଥର ଗତିକୁ ନେଇ ଦାୟିତ୍ୱ କାହାର ? ସରକାରୀ ଯୋଜନା ଓ ଅନୁଦାନ ଥିବା ସତ୍ତ୍ୱେ ନିର୍ମାଣ କାର୍ଯ୍ୟ କାହିଁକି ଏତେ ଧୀର ଗତିରେ ଚାଲିଛି ? ଠିକାଦାରଙ୍କ କାର୍ଯ୍ୟର କିଏ କରୁଛନ୍ତି ତଦାରଖ ? ଏହାକୁ ନେଇ ନାନା ପ୍ରଶ୍ନ ଉଙ୍କି ମାରିଥିବା ବେଳେ, ସରକାର ତୁରନ୍ତ ହସ୍ତକ୍ଷେପ କରି ମା’ ଭଟ୍ଟାରିକାଙ୍କ ମୁଖଶାଳା ନିର୍ମାଣ କାମର ସ୍ଥିତି ସ୍ପଷ୍ଟ କରିବାକୁ ଦାବି ହୋଇଛି।

ବନ୍ୟାପାଣିରେ ଭାସି ୪ ନିଖୋଜ, ଜଣେ ଛାତ୍ରୀ ମୃତ

ନନ୍ଦିଘୋଷ ବ୍ୟୁରୋ :  ବନ୍ୟାପାଣିରେ ଭାସି ୪ ନିଖୋଜ। ବୈତରଣୀ ନଦୀ ନିକଟସ୍ଥ ମୁଁଆ ଗାଁରେ ଅଘଟଣ। ବନ୍ୟା ପାଣିରେ ପଶି ରାସ୍ତା ପାରି ହେଉଥିବା ବେଳେ ଭାସିଯାଇ ମୁଁଆ ଗାଁର ଗୋଲେଖ ଦାସ ନିଖୋଜ ହୋଇଯାଇଛନ୍ତି। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଆଉ ୩ଜଣ ମଧ୍ୟ ଭାସି ଯାଇ ନିଖୋଜ ଅଛନ୍ତି। ଉପସ୍ଥିତ ଥିବା ସ୍ଥାନୀୟ ଲୋକଙ୍କ ପକ୍ଷରୁ ଡଙ୍ଗା ଦ୍ଵାରା ଖୋଜାଖୋଜି ଜାରିରହିଛି। ସେହିପରି ଧାମନଗର ବ୍ଲକ ଗେଙ୍ଗୁଟି ନଦୀରେ ଭାସିଯାଇ ଛାତ୍ରୀ ମୃତ। ଶୌଚ ହେବାକୁ ଯାଉଥିବା ସମୟରେ ଭାସିଯାଇଥିଲେ ଛାତ୍ରୀ। ଖବରପାଇ ଧାମନଗର ଅଗ୍ନିଶମ ବିଭାଗ ପହଞ୍ଚି ବହୁ ଖୋଜା ଖୋଜି କରିବା ପରେ ଆଜି ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ଯାତାୟତ ପାଇଁ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ନଥିବାରୁ ବାରମ୍ବାର ବନ୍ୟାରେ ଲୋକମାନେ ଭାସି ଯାଉଥିବା ଅଭିଯୋଗ ହୋଇଛି।

ଭିଜିଲାନ୍ସ ଜାଲରେ ମାଥିଲି ବ୍ଲକ୍ ସହକାରୀ ଯନ୍ତ୍ରୀ; ଏକକାଳୀନ ୬ ସ୍ଥାନରେ ଚଢ଼ାଉ

ନନ୍ଦିଘୋଷ ବ୍ୟୁରୋ :  ଭିଜିଲାନ୍ସ ଜାଲରେ ମାଲକାନଗିରି ମାଥିଲି ବ୍ଲକର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶିଶିର କୁମାର ଦାସଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଭୁବନେଶ୍ବର ବରମୁଣ୍ଡାରେ ଥିବା ୪ ମହଲା କୋଠା, ବ୍ରହ୍ମପୁର ନୀଳାଚଳ ନଗରରେ ଥିବା ଦୁଇ ମହଲା କୋଠାରେ ରେଡ୍ କରାଯାଇଛି। ସେହିପରି ଗଞ୍ଜାମ ବାସୁଦେବପୁର ଗୋବରାରେ ଥିବା ଘର, ବ୍ରହ୍ମପୁର ଗଜପତିନଗରରେ ଥିବା ପୈତୃକ ବାସଭବନ, ମାଲକାନଗିରିରେ ଥିବା ଭଡ଼ା ଘର ସହ ମାଲକାନଗିରି ଡିଆରଡିଏ ଅଫିସରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ। ଚଢ଼ାଉରେ ଜଣେ ଅତିରିକ୍ତ ଏସପି, ୫ ଡିଏସପି ଓ ୫ ଜଣ ଇନ୍ସିପେକ୍ଟର ସାମିଲ ହୋଇଛନ୍ତି

ତିନି ଦିନର ବର୍ଷା ପରେ ସ୍ୱାଭାବିକ ହେଉଛି ମାଲକାନଗିରି

ନନ୍ଦିଘୋଷ ବ୍ୟୁରୋ :  ତିନି ଦିନର ଲଗାଣ ବର୍ଷା ପରେ ଧୀରେ ଧୀରେ ସ୍ୱାଭାବିକ ହେଉଛି ମାଲକାନଗିରିର ସ୍ଥିତି। ବର୍ଷା କମିବା ପରେ ଏବେ ରିଲିଫ୍ ଓ ରେସ୍କ୍ୟୁ ଅପରେସନ୍କୁ ଗୁରୁତ୍ୱ ଦେଇଛି ଜିଲ୍ଲା ପ୍ରଶାସନ। ଲଗାଣ ବର୍ଷା ଓ ବନ୍ୟା ପାଣି ଯୋଗୁଁ ଜିଲ୍ଲାର ମୋଟ ୧୮ଟି ବ୍ରିଜ୍ ବୁଡିଯାଇଥିଲା। ସେଥିମଧ୍ୟରୁ ୫ଟି ବ୍ରିଜ୍ କ୍ଷତିଗ୍ରସ୍ତ ହୋଇଛି। ଏବେ NHର ୫ଟି ବ୍ରିଜ୍ ସମେତ ଅନ୍ୟ ୧୩ଟି ବ୍ରିଜ୍ରୁ ବନ୍ୟା ପାଣି ହଟିବା ପରେ ଯାତାୟାତ ସ୍ୱାଭାବିକ ହୋଇଛି। ବର୍ଷାରେ ଜିଲ୍ଲାର ୮୫ଟି କଚ୍ଚା ଘର ଏବଂ ଗୋଟିଏ ପକ୍କା ଘର କ୍ଷତିଗ୍ରସ୍ତ ହୋଇଛି। କ୍ଷତିଗ୍ରସ୍ତ ପରିବାରଙ୍କୁ ପ୍ରଶାସନ ପକ୍ଷରୁ ୩୨୪ଟି ପଲିଥିନ୍ ରୋଲ୍ ବଣ୍ଟନ କରାଯାଇଛି ।

ଧର୍ମଘଟ ପୂର୍ବରୁ ଆଜି ଖୋଲା ବ୍ୟାଙ୍କ; ୩୦ ଯାଏଁ ବନ୍ଦ

ନନ୍ଦିଘୋଷ ବ୍ୟୁରୋ : ଦେଶବ୍ୟାପୀ ଧର୍ମଘଟ ଯୋଗୁ ଆସନ୍ତାକାଲିଠୁ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ। ତେଣୁ ଗ୍ରାହକଙ୍କ ସୁବିଧାକୁ ନଜରରେ ରଖି ଆଜି ରବିବାରରେ ଖୋଲାଯାଇଛି ବ୍ୟାଙ୍କ। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ ଦ୍ୱାରା ପ୍ରସ୍ତାବିତ ଧର୍ମଘଟକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଗତ ଜାନୁଆରୀ ଓ ସେପ୍ଟେମ୍ବର ୧୧ରେ ୫ ଦିନିଆ ଧର୍ମଘଟ ପରେ କେନ୍ଦ୍ର ସରକାର ଦାବି ପୂରଣ ନ କରିବାରୁ ପୁଣି ଏହି ୩ ଦିନିଆ ଧର୍ମଘଟ ଡାକରା ଦେଇଛି ଫେଡେରେସନ । ଜନସାଧାରଣଙ୍କ ବ୍ୟାଙ୍କିଂ ଆବଶ୍ୟକତା ଯେପରି ଦୀର୍ଘ ସମୟ ପାଇଁ ପ୍ରଭାବିତ ନ ହେବ, ତାହାକୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ସରକାରୀ ବ୍ୟାଙ୍କ ଏବଂ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ଆଜି ଖୋଲା ରହିଛି। ଧର୍ମଘଟ ସମୟରେ ATM ସେବା, UPI ସେବା ଓ ଅନ୍ୟାନ୍ୟ ଇଣ୍ଟରନେଟ ବ୍ୟାଙ୍କିଂ ସେବା ଜାରି ରହିବ।

ବନ୍ଧୁକ ମୁନରେ ଅଳଙ୍କାର ଲୁଟ୍; ୧୨ ଘଣ୍ଟାରେ ଅଭିଯୁକ୍ତକୁ ଧରିଲା ପାରାଦୀପ ପୋଲିସ

ନନ୍ଦିଘୋଷ ବ୍ୟୁରୋ :  ବନ୍ଧୁକ ମୁନରେ ଅଳଙ୍କାର ଲୁଟ୍ ଘଟଣାରେ ପାରାଦୀପ ପୋଲିସକୁ ସଫଳତା। ମାତ୍ର ୧୨ ଘଣ୍ଟା ମଧ୍ୟରେ ରାତା ରାତି ଅଭିଯୁକ୍ତକୁ ଉଠାଇ ଆଣିଲା ପୋଲିସ। ଅଭିଯୁକ୍ତ ନିକଟରୁ ସମସ୍ତ ଅଳଙ୍କାର ଜବତ କରାଯାଇଛି। ଡକାୟତିରେ ବ୍ୟବହୃତ ବନ୍ଧୁକ ଓ ଅନ୍ୟ ସାମଗ୍ରୀ ବି ଜବତ କରିଛି ପୋଲିସ। ତାରିଣୀଗଡା ଗିରିଧାରୀ ଛକ ନିକଟରେ ଥିବା ଏକ କୋଠା ଘରୁ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ପୋଲିସ। ଗତକାଲି ତାରିଣୀଗଡାରେ ଥିବା ଏକ ଅଳଙ୍କାର ଦୋକାନରୁ ହୋଇଥିଲା ଡକାୟତି। ଜଣେ ଯୁବକ ହଠାତ୍ ଦୋକାନ ଭିତରକୁ ପଶି ଆସି ବନ୍ଧୁକ ଦେଖାଇ ଭୟଭୀତ କରିବା ସହିତ ୨୦ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ଲୁଟି ନେଇଥିଲା। ପୋଲିସ ଘଟଣାସ୍ଥଳରୁ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହିତ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଥିଲା। ସବୁ ଦିଗକୁ ତଦନ୍ତ କରିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।

ଦୁର୍ବଳ ହେଉଛି ଲଘୁଚାପ; ଆଜିଠୁ କମିବ ଓଡ଼ିଶାରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ନନ୍ଦିଘୋଷ ବ୍ୟୁରୋ :  ଲଘୁଚାପର ରୂପ ନେଇଛି ଅବପାତ । ଏବେ ଛତିଶଗଡ ଓ ମଧ୍ୟପ୍ରଦେଶ ମୁହାଁ ଲଘୁଚାପ । ଧୀରେ ଧୀରେ ଏହା ଦୁର୍ବଳ ହେବ । ଓଡ଼ିଶାରେ ଆଜିଠୁ କମିବ ବର୍ଷାର ପ୍ରକୋପ । କିଛି କିଛି ସ୍ଥାନରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି । ଆଜି ପ୍ରବଳ ବର୍ଷା ନେଇ ଉପକୂଲ,ଉତ୍ତର ଓ ପଶ୍ଚିମ ଓଡ଼ିଶାର ୧୪ ଜିଲ୍ଲାକୁ ୟେଲୋ ୱର୍ଣିନ ଜାରି ହୋଇଛି । ଏହି ଜିଲ୍ଲା ରେ ୭ ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣିନ ଜାରି ହୋଇଛି । ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଗତ ୨୪ ଘଣ୍ଟାରେ ରାଜ୍ୟରେ ମୟୂରଭଞ୍ଜ ଜିଲ୍ଲା ନୱାନାରେ ସର୍ବାଧିକ ୧୨୬.୪ ମିଲି ମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ୧୫ ଟି ସ୍ଥାନରେ ୬୦ ମିଲି ମିଟର ଉପରେ ବର୍ଷା ରେକର୍ଡ ହୋଇଛି ।