ନନ୍ଦିଘୋଷ ବ୍ୟୁରୋ : ଦକ୍ଷିଣ ଆଫ୍ରିକାରେ ଏକ ବଡ଼ ଗୁଳିକାଣ୍ଡ ଘଟଣା ଘଟିଛି। ଗୌଟେଙ୍ଗ ପ୍ରଦେଶର ଜୋହାନ୍ସବର୍ଗର ଦକ୍ଷିଣ-ପଶ୍ଚିମରେ ଥିବା ୱେଡେଲା ଟାଉନସିପ୍ରେ ଏକ ବାରରେ ଅନେକ ଲୋକଙ୍କୁ ଗୁଳି କରାଯାଇଥିଲା। ଏଥିରେ ୨୭ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୫ ଜଣ ଆହତ ହୋଇଥିଲେ। ପୋଲିସ ସୂଚନା ଅନୁଯାୟୀ, ଶନିବାର ରାତି ପ୍ରାୟ ୯ଟା ୩୦ମିନଟ ସମୟରେ ଏହି ଘଟଣା ଘଟିଥିଲା। ମୃତକଙ୍କ ମଧ୍ୟରେ ଚାରି ଜଣ ମହିଳା ଅଛନ୍ତି।
ପୋଲିସ କହିଛି ଯେ ଆଠ ଜଣ ଅଜ୍ଞାତ ଆକ୍ରମଣକାରୀ ବାର୍ ରେ ପହଞ୍ଚିଥିଲେ। ସେମାନେ ପ୍ରଥମେ ବାହାରେ ମଦ୍ୟପାନ କରୁଥିବା ଲୋକଙ୍କ ଉପରେ ଗୁଳି ଚଳାଇଥିଲେ। ତା’ପରେ ସେମାନେ ଟାଭର୍ନ ଭିତରକୁ ପ୍ରବେଶ କରି ଭିତରେ ଥିବା ଅନ୍ୟ ଲୋକଙ୍କ ଉପରେ ଗୁଳି ଚଳାଇ ଚାଲିଥିଲେ। ପୋଲିସ ଅନୁସାରେ, ଆକ୍ରମଣକାରୀମାନେ AK-47 ରାଇଫଲ୍ ଏବଂ ପିସ୍ତଲରେ ସଜ୍ଜିତ ଥିଲେ।
ପୋଲିସ ଆକ୍ରମଣକାରୀଙ୍କୁ ଖୋଜାଖୋଜି ଆରମ୍ଭ କରିଛି, କିନ୍ତୁ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ। ପୋଲିସ ଆକ୍ରମଣକାରୀଙ୍କ ପରିଚୟ ଏବଂ ସ୍ଥାନ ନିର୍ଣ୍ଣୟ କରିବାକୁ ଚେଷ୍ଟା କରୁଛି। ସେମାନେ ଜନସାଧାରଣଙ୍କୁ ଘଟଣା କିମ୍ବା ଆକ୍ରମଣକାରୀଙ୍କ ବିଷୟରେ ସୂଚନା ଦେବାକୁ ମଧ୍ୟ ନିବେଦନ କରୁଛନ୍ତି।
ଗୁଳିକାଣ୍ଡର କାରଣ ବର୍ତ୍ତମାନ ସ୍ପଷ୍ଟ ନୁହେଁ। ପୋଲିସ ଘଟଣାର ତଦନ୍ତ କରୁଛି ଏବଂ ଆକ୍ରମଣକାରୀମାନେ ବାର୍ ଉପସ୍ଥିତ ଲୋକଙ୍କୁ କାହିଁକି ଟାର୍ଗେଟ କରିଥିଲେ ତାହା ନିର୍ଣ୍ଣୟ କରିବାକୁ ଚେଷ୍ଟା କରୁଛି। ପୋଲିସ ତଦନ୍ତ ଏବଂ ଆକ୍ରମଣକାରୀଙ୍କୁ ଖୋଜା ଚାଲିଛି।
ବାର୍ ବାହାରେ ଗୁଳିମାଡ, ୨୭ ମୃତ, ୧୫ ଆହତ
ଖୋଲା ଯାଇଛି ହୀରାକୁଦର ୨୮ଟି ଗେଟ୍
ନନ୍ଦିଘୋଷ ବ୍ୟୁରୋ : ଖୋଲା ଯାଇଛି ହୀରାକୁଦର ୨୮ଟି ଗେଟ୍। ବାମ ପାର୍ଶ୍ଵର ୧୯ଟି ଓ ଦକ୍ଷିଣ ପାର୍ଶ୍ଵର ୯ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି। ଛତିଶଗଡ଼ ଓ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଏତେ ଗେଟ୍ ଖୋଲାଯାଇଛି। ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ୬୨୮.୧୯ ରେ ପହଞ୍ଚିଛି ଜଳସ୍ତର । ଜଳଭଣ୍ଡାର ଭିତରକୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୩୯ ହଜାର ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ୨୮ଟି ଗେଟ୍ ଦେଇ ପ୍ରତି ସେକେଣ୍ଡରେ ୩ ଲକ୍ଷ ୬୪ ହଜାର ୪୩୨ ଘନଫୁଟ ବନ୍ୟାଜଳ ନିଷ୍କାସନ କରାଯାଉଛି। ପୁଣି ଖୋଲିଲା ହୀରାକୁଦ ଡ୍ୟାମର ୨ଟି ଗେଟ୍ ।ମୋଟ୍ ୨୮ଟି ଗେଟ ଦେଇ ଛଡ଼ାଯାଉଛି ବନ୍ୟାଜଳ । ବାମ ପାର୍ଶ୍ଵର ୧୫ଟି ଓ ଦକ୍ଷିଣ ପାର୍ଶ୍ଵର ୭ଟି ଗେଟ୍ ଖୋଲା । ଉପର ମୁଣ୍ଡରେ ବର୍ଷା ଯୋଗୁଁ ଖୋଲିଲା ଗେଟ୍ । ହୀରାକୁଦର ୨୮ ଟି ଗେଟ୍ ଖୋଲାଯାଇଛି । ତେଣୁ ମହାନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଆବଶ୍ୟକ ପଡିଲେ ଆସନ୍ତାକାଲି ଆଉ କିଛି ଗେଟ ଖୋଲାଯାଇପାରେ ବୋଲି ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ। କଟକ ମୁଣ୍ଡଳୀରେ ୭ ଲକ୍ଷ କ୍ୟୁସେକ୍ ଜଳ ଆଜି ରାତିରେ ପହଞ୍ଚିବ। ଏଥିପାଇଁ ବାଙ୍କୀ, ବଡ଼ମ୍ବା, ଆଠଗଡ଼, କଣାସ, ନିମାପଡ଼ା ଗୋପ, ଏରସମା ବାଲିକୁଦା, ପାଟକୁରା ଭଳି ଅଞ୍ଚଳରେ ଛୋଟ ଧରଣର ବନ୍ୟା ହେବ ବୋଲି କୁହାଯାଇଛି। ସୃଷ୍ଟି ହୋଇପାରେ ଜଳବନ୍ଦୀ ସ୍ଥିତି।
୭୪ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇଛି ଇସ୍ରାଏଲ-ହମାସ ଯୁଦ୍ଧ
ନନ୍ଦିଘୋଷ ବ୍ୟୁରୋ : ପ୍ରାୟ ତିନି ବର୍ଷ ଧରି ଚାଲିଥିବା ଇସ୍ରାଏଲ-ହମାସ ଯୁଦ୍ଧରେ ପାଲେଷ୍ଟାଇନୀଙ୍କ ମୃତ୍ୟୁ ସଂଖ୍ୟା ୭୪,୦୦୦ ଅତିକ୍ରମ କରିଛି ବୋଲି ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦାବି କରିଛି। ଯଦିଓ ଅକ୍ଟୋବର ୧୦ ତାରିଖରେ କାର୍ଯ୍ୟକାରୀ ହୋଇଥିବା ଅସ୍ତ୍ରବିରତି ଅଧିକାଂଶ ଯୁଦ୍ଧକୁ ବନ୍ଦ କରିଦେଇଛି, ଇସ୍ରାଏଲୀ ଆକ୍ରମଣ ଜାରି ରହିଛି, ଯାହା ସେନା କହିଛି ଯେ ଧମକ କିମ୍ବା ଆକ୍ରମଣର ଜବାବରେ କରାଯାଉଛି। ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ପାଲେଷ୍ଟାଇନୀ ମୃତ୍ୟୁ ସଂଖ୍ୟା ୭୪,୦୧୬ ରେ ପହଞ୍ଚିଛି, ୧୭୫,୦୬୮ ଆହତ ହୋଇଛନ୍ତି। ଯୁଦ୍ଧ ୭ ଅକ୍ଟୋବର ୨୦୨୩ ରେ ଆରମ୍ଭ ହୋଇଥିଲା, ଯେତେବେଳେ ହମାସ ନେତୃତ୍ୱାଧୀନ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ଆକ୍ରମଣ କରି ପ୍ରାୟ ୧୨୦୦ ଲୋକଙ୍କୁ ହତ୍ୟା କରିଥିଲେ, ଅଧିକାଂଶ ସାଧାରଣ ନାଗରିକ ଏବଂ ୨୫୧ ଜଣଙ୍କୁ ବନ୍ଧକ କରିଥିଲେ। ହମାସ ନେତୃତ୍ୱାଧୀନ ସରକାରଙ୍କ ଅଂଶବିଶେଷ ମନ୍ତ୍ରଣାଳୟ କହିଛି ଯେ ଯୁଦ୍ଧବିରତି ପରଠାରୁ ୧୧୪୫ ପାଲେଷ୍ଟାଇନୀ ନିହତ ହୋଇଛନ୍ତି। ଏହା ବିସ୍ତୃତ ରେକର୍ଡ ରଖେ ଯାହାକୁ ଜାତିସଂଘ ଏଜେନ୍ସି ଏବଂ ଅନ୍ତର୍ଜାତୀୟ ସଂଗଠନଗୁଡ଼ିକ ସାଧାରଣତଃ ନିର୍ଭରଯୋଗ୍ୟ ବୋଲି ବିବେଚନା କରନ୍ତି। ଏହା ସାଧାରଣ ନାଗରିକ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ପାର୍ଥକ୍ୟ କରେ ନାହିଁ, କିନ୍ତୁ କହିଛି ଯେ ମୃତକଙ୍କ ମଧ୍ୟରୁ ପ୍ରାୟ ଅଧା ମହିଳା ଏବଂ ଶିଶୁ ଅଛନ୍ତି।
ଇତିମଧ୍ୟରେ, ଯୁଦ୍ଧବିରତି ପରଠାରୁ ସାତ ଜଣ ଇସ୍ରାଏଲୀ ସୈନିକଙ୍କ ମୃତ୍ୟୁ ଘଟିଛି। ଆମେରିକା ମଧ୍ୟସ୍ଥତାରେ ହୋଇଥିବା ଯୁଦ୍ଧବିରତିର ଅନ୍ୟାନ୍ୟ ଦିଗଗୁଡ଼ିକ ପ୍ରାୟତଃ ଅକ୍ଷୁର୍ଣ୍ଣ ରହିଛି। ଇସ୍ରାଏଲୀ ସୈନ୍ୟମାନେ ବର୍ତ୍ତମାନ ପାଲେଷ୍ଟାଇନୀ ଅଞ୍ଚଳର ଅଧାରୁ ଅଧିକ ନିୟନ୍ତ୍ରଣ କରୁଛନ୍ତି, ହମାସ ତା’ର ଅସ୍ତ୍ର ରଖିନାହିଁ, ଏକ ନୂତନ ପାଲେଷ୍ଟାଇନୀ ସରକାର ଗଠନ ହୋଇନାହିଁ, ଏବଂ ପୁନଃନିର୍ମାଣ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଯେ ହମାସ ତା’ର ଅସ୍ତ୍ରଶସ୍ତ୍ର ଆତ୍ମସମର୍ପଣ ନ କରିବା ପର୍ଯ୍ୟନ୍ତ ଇସ୍ରାଏଲୀ ସେନା ପଛକୁ ହଟିବ ନାହିଁ। ଇସ୍ରାଏଲର ଯିହୁଦୀ ବିରୋଧୀ ନେତାନ୍ୟାହୁଙ୍କୁ ପରାସ୍ତ କରିବା ପାଇଁ ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି।
ଇସ୍ରାଏଲର ମୁଖ୍ୟ ଯିହୁଦୀ ବିରୋଧୀ ଦଳଗୁଡ଼ିକ ଆସନ୍ତା ମାସରେ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନରେ ନେତାନ୍ୟାହୁଙ୍କ ମେଣ୍ଟକୁ ପରାସ୍ତ କରିବା ପାଇଁ ପ୍ରୟାସରେ ଯୋଗଦେବା ପାଇଁ ଏକ ବିବୃତ୍ତିରେ ପ୍ରତିଶ୍ରୁତି ଦେଇଛନ୍ତି। ଦଳଗୁଡ଼ିକ ଆନ୍ତଃକନ୍ଦଳ ପାଇଁ ସମାଲୋଚନା କରାଯାଇଛି। ୭ ଅକ୍ଟୋବର ୨୦୨୩ ଆକ୍ରମଣ ପରେ ପ୍ରଥମ ଥର ପାଇଁ ହୋଇଥିବା ଏହି ଭୋଟକୁ ଆକ୍ରମଣର କାରଣ ହୋଇଥିବା ସୁରକ୍ଷା ବିଫଳତା ଉପରେ ଏକ ଜନମତ ଭାବରେ ଦେଖାଯାଉଛି।
ଏହି ବୈଠକରେ ନେତାନ୍ୟାହୁଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବିବେଚିତ ପୂର୍ବତନ ସାମରିକ ମୁଖ୍ୟ ଗାଦି ଆଇଜେନକୋଟ; ପୁନଃନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦୁଇ ପୂର୍ବତନ ପ୍ରଧାନମନ୍ତ୍ରୀ ନାଫତାଲି ବେନେଟ୍ ଏବଂ ୟୈର ଲାପିଡ୍; ଏକ କେନ୍ଦ୍ର-ବାମପନ୍ଥୀ ଦଳର ମୁଖ୍ୟ ୟୈର ଗୋଲାନ; ଏବଂ ଏକ କଠୋରପନ୍ଥୀ ବିରୋଧୀ ଦଳର ମୁଖ୍ୟ ଅଭିଗଡୋର ଲିବରମ୍ୟାନ୍ ଉପସ୍ଥିତ ଥିଲେ। ସେମାନେ କହିଛନ୍ତି ଯେ ସେମାନେ ଭୋଟଦାନ ବୃଦ୍ଧି କରିବା, ମିଥ୍ୟା ଖବର ଏବଂ ଅପବାଦ ଅଭିଯାନ ବିରୁଦ୍ଧରେ ଲଢ଼ିବା ଏବଂ ପରବର୍ତ୍ତୀ ସରକାରଙ୍କ ମୌଳିକ ନୀତି ପ୍ରସ୍ତୁତ କରିବା ପାଇଁ ଏକାଠି କାମ କରିବେ। “ଆମେ ବିଶ୍ୱାସ କରୁ ଯେ ଏହି ନିର୍ବାଚନ ରାଜ୍ୟର ଭବିଷ୍ୟତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ,” ମିଳିତ ବିବୃତ୍ତିରେ କୁହାଯାଇଛି।
ଘଞ୍ଚ ଜଙ୍ଗଲରେ ଆରମ୍ଭ ହେବ ଆଡ଼ଭେଞ୍ଚର ଟୁରିଜମ୍।
ନନ୍ଦିଘୋଷ ବ୍ୟୁରୋ : ଘଞ୍ଚ ଜଙ୍ଗଲରେ ଆରମ୍ଭ ହେବ ଆଡ଼ଭେଞ୍ଚର ଟୁରିଜମ୍। ଦେବ୍ରୀଗଡ଼, ଚନ୍ଦକା, ଶିମିଳିପାଳ, ସାତକୋଶିଆ ଭଳି ଅଭୟାରଣ୍ୟରେ ରାତ୍ରୀ ଯାପନ କରିବେ ପର୍ଯ୍ୟଟକ। ହେଲେ ବନ୍ୟଜନ୍ତୁଙ୍କ ସୁରକ୍ଷା ହେଉଛି ଜଙ୍ଗଲ ବିଭାଗର ପ୍ରାଥମିକତା। ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୩ ତାରିଖ ଯାଏଁ ଚାଲିବାକୁ ଥିବା ବନ୍ୟପ୍ରାଣୀ ସପ୍ତାହରେ ବିଭାଗର ମୂଳ ଳକ୍ଷ୍ୟ ହେଲା ଜଙ୍ଗଲ ସୁରକ୍ଷା ଓ ବନ୍ୟଜନ୍ତୁଙ୍କ ନିରାପତ୍ତା। ହାତୀ-ମଣିଷ ଲଢ଼େଇରେ କ୍ଷତିପୂରଣ ରାଶିକୁ ୬ଲକ୍ଷରୁ ୧୦ଲକ୍ଷ ଟଙ୍କାକୁ ବଢାଯାଇଛି। ଘଞ୍ଚ ଜଙ୍ଗଲରେ ବସୁଛି ଏଆଇ ଟାଓ୍ବାର, କ୍ୟାମେରା ନଜରରେ ରହୁଛି କୋର ଏରିଆ। ହାତୀ ଗତିପଥ ଜାଣିବା ପାଇଁ ଉଡୁଛି ଡ଼୍ରୋନ, ଦେହରେ ଲାଗୁଛି ରେଡ଼ିଓ କଲାର। ସେପଟେ ସାତକୋଶିଆ ଅଭୟାରଣ୍ୟକୁ ବାଘ ଆଣିବା ପାଇଁ ପୁଣି ଥରେ ଉଦ୍ୟମ କରାଯିବ ବୋଲି ପିସିସିଏଫ୍ କହିଛନ୍ତି। ହାତୀ-ମଣିଷ ଲଢେଇ ରୋକିବାକୁ ଚନ୍ଦକା-ଡ଼ମପଡ଼ା ଅଭୟାରଣ୍ୟର କୁମାରଖୁଣ୍ଟିରେ ଦିଆଯାଉଛି ହାତୀଙ୍କୁ ପ୍ରଶିକ୍ଷଣ। ଅମାନିଆ ହାତୀଙ୍କୁ ମନାଇବେ ଟ୍ରେନେଡ଼ ହାତୀ। କର୍ଣ୍ଣାଟକରୁ ଆଉ ୫ କୁମକୀ ହାତୀ ଆଣିବାକୁ ଯୋଜନା ହୋଇଛି।
ବନ୍ୟପ୍ରାଣୀ ସପ୍ତାହ ଆରମ୍ଭରେ ଟିମ୍ ନନ୍ଦିଘୋଷ ପହଞ୍ଚିଥିଲା ଚନ୍ଦକା-ଡ଼ମପଡ଼ା ହସ୍ତୀ ଅଭୟାରଣ୍ୟର ଗୋଡ଼ିବାରୀ। ଯେଉଁଠି ଚାଲିଛି ହାତୀଙ୍କ ଚିକିତ୍ସା, ଥଇଥାନ ଓ ପ୍ରଶିକ୍ଷଣ ଶିବିର। ଗୋଡ଼ିବାରୀର ପ୍ରବେଶ ପଥରେ ରାମୁର ବିଶାଳ କଙ୍କାଳ ପର୍ଯ୍ୟଟକଙ୍କ ପାଇଁ ରଖାଯାଇଥିବା ବେଳେ ଅକ୍ଟୋବର ୩ ତାରିଖରେ ମୁଖ୍ୟମନ୍ତ୍ରୀ ଏହାର ଲୋକାର୍ପିତ କରିବେ। ଜଙ୍ଗଲ ଭିତରେ ୧୩-୧୪ କିଲୋମିଟର ଗଲା ପରେ ଆସିବ କୁମାରଖୁଣ୍ଟି ହାତୀ ପ୍ରଶିକ୍ଷଣ ଶିବିର। ଏଠାରେ ଏବେ ୯ଟି ହାତୀ ଥିବା ବେଳେ ୧୮ ମାହୁନ୍ତ ଅଛନ୍ତି। ରଣପୁରର ରାଣୀ, କେନ୍ଦୁଝରର ଜଗା, ସୀମା ଏଠାରେ ଆଗରୁ ଥିବା ଉମା,କାର୍ତ୍ତିକ ସହ ରହୁଛନ୍ତି। ପୂର୍ବରୁ ମଣିଷମରା ଦନ୍ତାହାତୀ ଶଙ୍କର ମଧ୍ୟ ଏଠାରେ ଅଛି। ଏଠାରେ କେମିତି ଚାଲିଛି ହାତୀଙ୍କ ଚିକିତ୍ସା ? କିପରି ଚାଲିଛି ପ୍ରଶିକ୍ଷଣ,? କେମିତି ଅଛନ୍ତି ହାତୀ ? ସେ ବାବଦରେ ଜାଣିବାକୁ ଆମେ ମାହୁନ୍ତ ଓ ଅଧିକାରୀଙ୍କ ସହ କଥା ହୋଇଥିଲୁ।
ବନ୍ୟଜନ୍ତୁ ଓ ଜଙ୍ଗଲ ସୁରକ୍ଷା ପାଇଁ ନୂଆ ଟେକ୍ନୋଲୋଜି ବ୍ୟବହାର ଉପରେ ବନ ବିଭାଗ ଗୁରୁତ୍ବ ଦେଉଥିବା ବେଳେ ଏବେ ଆରମ୍ଭ ହେବାକୁ ଯାଉଛି ଆଡ଼ଭେଞ୍ଚର ଟୁରିଜମ୍। ଗୋଟେ ପଟେ ପର୍ଯ୍ୟଟନର ବିକାଶ ଅନ୍ୟପଟେ ଜଙ୍ଗଲ ସୁରକ୍ଷା ବନ ବିଭାଗ ପାଇଁ ଆଉ ଏକ ଆହ୍ବାନ।
ଆସନ୍ତା ଅକ୍ଟୋବର ୨ କୁ NO QR CODE ଦିବସ ଭାବେ ପାଳନ କରାଯିବ।
ନନ୍ଦିଘୋଷ ବ୍ୟୁରୋ : ଆସନ୍ତା ଅକ୍ଟୋବର ୨ କୁ NO QR CODE ଦିବସ ଭାବେ ପାଳନ କରାଯିବ। ବ୍ୟବସାୟୀମାନେ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ଦିନ ୟୁପିଆଇରେ କୌଣସି ଦେୟ ଗ୍ରହଣ କରାଯିବ ନାହିଁ। ୟୁପିଆଇ କାରବାର ଉପରେ କେନ୍ଦ୍ର ସରକାର ଦେୟ ଲାଗୁ କରିଥିବାରୁ ତାର ପ୍ରତିବାଦରେ ବ୍ୟବସାୟୀମାନେ ୟୁପିଆଇ ପେମେଣ୍ଟ ଗ୍ରହଣ ନ କରିବା ପାଇଁ ସ୍ଥିର କରିଛନ୍ତି। କଟକ ମାଲଗୋଦାମ ବ୍ୟବସାୟୀ ସଂଘ ତଥା ଉତ୍କଳ ଚାମ୍ବର ଅଫ କମର୍ସର ସାଧାରଣ ସଂପାଦକ ପ୍ରଫୁଲ ଛାଟୋଇ କହିଛନ୍ତି, କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ହେଉଛି ବ୍ୟବସାୟୀଙ୍କ ଉପରେ ବଡ ପ୍ରହାର। ଏହା ଦ୍ଵାରା ଯେ କେବଳ ବଡ଼ ବଡ଼ ବ୍ୟବସାୟୀ ପ୍ରଭାବିତ ହେବେ ତାହା ନୁହେଁ ବରଂ ମଧ୍ଯମ ବର୍ଗର ବ୍ୟବସାୟୀ ମଧ୍ଯ ଆର୍ଥିକ କ୍ଷତି ସହିବେ। ୨୫୦୦ ଟଙ୍କାର ବ୍ୟବସାୟ କଲେ ୫ ଟଙ୍କା ଲାଭ ପାଇବୁ, ସେ କ୍ଷେତ୍ରରେ ୧୨ ଟଙ୍କା କିପରି ଦେବୁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ତା ସହିତ ଅନଲାଇନ ପେମେଣ୍ଟରେ ବ୍ୟାଙ୍କର ମାନବସମ୍ବଳ ଜନିତ ଖର୍ଚ୍ଚ କମିବ, ସମୟ ବଞ୍ଚିବ। ସେଥିରୁ ସରକାର ୟୁପିଆଇ ଅର୍ଥ ଯୋଗାଡ଼ କରନ୍ତୁ ବୋଲି ବ୍ୟବସାୟୀ ସଂଘ ଦାବି କରିଛି।
ବ୍ରହ୍ମପୁରର ବ୍ୟବସାୟୀ ସଂଘ ମଧ୍ୟ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଛି। ୧୫ ଅକ୍ଟୋବରରୁ UPI ରେ ୨,୦୦୦ ଟଙ୍କାରୁ ଅଧିକ ଦେଲେ MDR ନିୟମ ଅନୁସାରେ ଦେୟ ଲାଗିବ ଶୂନ ଦଶମିକ ୪ ପ୍ରତିଶତ ଲାଗିବ। ଏହା ବ୍ୟବସାୟୀ ବିରୋଧ ବୋଲି କୁହାଯାଇଛି। …
ୟୁପିଆଇ ଲାଗୁ ହେବା ଦ୍ଵାରା ଲେଣ ଦେଣ ସହଜ ହୋଇଛି। ବିଶେଷ କରି ଛୋଟ ବ୍ୟବସାୟୀ ଓ ଗ୍ରାହକମାନେ ଉପକୃତ ହେଉଛନ୍ତି। ଖୁଚୁରା ସମସ୍ୟାର ବି ସମାଧାନ ହୋଇଛି। କିନ୍ତୁ MDR ଲାଗୁ ହେଲେ ଲୋକେ ୟୁପିଆଇ କରିବେ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଲାଣି। …
ବିପଦରେ କଳିଙ୍ଗର କଳିଙ୍ଗା ଘାଟି
ନନ୍ଦିଘୋଷ ବ୍ୟୁରୋ : ବିପଦରେ କଳିଙ୍ଗର କଳିଙ୍ଗା ଘାଟି । କନ୍ଧମାଳ ଜିଲ୍ଲାରେ ଥିବା କଳିଙ୍ଗ ଘାଟି ଫୁଲବାଣୀଠାରୁ ପ୍ରାୟ ୪୮ କିଲୋମିଟର ଦୂରରେ ଥିବାବେଳେ ହଜାର ହଜାର ଲୋକଙ୍କ ଲାଗି ସାଜିଆସିଛି ଲାଇଫଲାଇନ। ବକ୍ରାକାରରେ ଯାଇଥିବା ଏହି ରାସ୍ତା କନ୍ଧମାଳ ସହ ଦକ୍ଷିଣ ଓଡ଼ିଶାକୁ ଯୋଡ଼ି ଆସିଛି। ଫୁଲବାଣୀ-ବ୍ରହ୍ମପୁରକୁ ସଂଯୋଗ କରୁଥିବା ଏହି ରାସ୍ତା ବି ଅର୍ଥନୀତିର ଲାଇଫଲାଇନ। ଏହା NH-157 ପୁରୁଣାକୋଟକ-ଫୁଲବାଣୀ-କଳିଙ୍ଗ-ଭଞ୍ଜନଗର-ଆସିକା ରୁଟ୍କୁ ବି କରୁଛି ସଂଯୋଗ। ତେବେ ଏହି ରାସ୍ତାରେ ଭୂସ୍ଖଳନ ଘଟଣା ସାଜିଛି ଚିନ୍ତାର କାରଣ। ପ୍ରକୃତିକୁ ଧ୍ବଂସ କରାଯାଉଥିବ ଯୋଗୁ ଏପରି ଘଟୁଥିବା ଆଶଙ୍କା ବ୍ୟକ୍ତ କରିଛନ୍ତି ପରିବେଶବିତ।
ପୂର୍ବରୁ ବି ଏହି ରାସ୍ତାରେ ଘଟିଥିଲା ଭୂସ୍ଖଳନ। ୨୦୨୫ ସେପ୍ଟେମ୍ବର ୧୬ରେ ପ୍ରବଳ ବର୍ଷା ଯୋଗୁ ଏଠାରେ ଘଟିଥିଲା ଭୂସ୍ଖଳନ। ବର୍ଷ ପରେ ଗତ ୨୪ରେ ବି ଘଟିଛି ସମାନ ସ୍ଥିତି। ଅନ୍ଧାରିକୋଟ ନିକଟରେ NH-157ର ସୁରକ୍ଷା ବ୍ୟାରିୟର୍ର ଏକ ଅଂଶ ଭୁଶୁଡ଼ି ପଡ଼ିଛି। ସୁରକ୍ଷା ଦୃଷ୍ଟିରୁ କଳିଙ୍ଗ ଘାଟିରେ ଗାଡ଼ି ଚଳାଚଳ ବନ୍ଦ ରଖାଯାଇଛି। ମୁତୟନ ହୋଇଛନ୍ତି ପୋଲିସ। ମରାମତି ପରେ ସ୍ବାଭାବିକ ହେବ ସ୍ଥିତି।.
ଆକାଶ ମାର୍ଗରୁ ଦକ୍ଷିଣ ଓଡ଼ିଶାର ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ନନ୍ଦିଘୋଷ ବ୍ୟୁରୋ : ଆକାଶ ମାର୍ଗରୁ ଦକ୍ଷିଣ ଓଡ଼ିଶାର ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି। ୭ ଦିନ ଭିତରେ କ୍ଷୟକ୍ଷତିର ଆକଳନ କରି ତୁରନ୍ତ ରିପୋର୍ଟ ଦେବା ପାଇଁ ଜିଲ୍ଲାପାଳଙ୍କୁ ଦେଇଛନ୍ତି ନିର୍ଦ୍ଦେଶ। ତାଙ୍କ ସହିତ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ବି ଥିଲେ। ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ କରିବା ପୂର୍ବରୁ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହିତ ବନ୍ଯା ସ୍ଥିତି ସଂପର୍କରେ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ। ପରିସ୍ଥିତିର ସମୀକ୍ଷା କରିଥିଲେ। କ୍ଷତିପୂରଣ ଦିଆଯିବ ବୋଲି କହିଥିଲେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ। ଜୟପୁରରେ ସ୍ଥିତି ସମୀକ୍ଷା କରିବା ପରେ କୋଟପାଡ଼ ଅଭିମୁଖେ ବାହାରିଥିଲେ ମୁଖ୍ୟମନ୍ତ୍ରୀ। ବୋଟରେ ଯାଇ ତୁରୁଞ୍ଜି ଗାଁରେ ସେ ବନ୍ୟା ପ୍ରଭାବିତଙ୍କ ସହିତ ଆଲୋଚନା କରିଥିଲେ। ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଏହା ପରେ ସେ ଚାନ୍ଦିଲି ନିକଟରେ ଥିବା ରିଲିଫ କେନ୍ଦ୍ରକୁ ଯାଇ ବନ୍ୟା ପ୍ରଭାବିତଙ୍କ ସହିତ ଆଲୋଚନା କରିଥିଲେ। ଚାଷବାସ, ଘରଦ୍ୱାର, ରାସ୍ତାଘାଟ, ବିଦ୍ୟୁତ – ସମସ୍ତ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। …
ଡିଜେ ବିରୋଧରେ ପୁଣି ସାଂଘାତିକ ଅଭିଯୋଗ
ନନ୍ଦିଘୋଷ ବ୍ୟୁରୋ : ଡିଜେ ବାଜୁଛି, ଛାତି ଥରୁଛି । କାନ୍ଥ ଫାଟି ଆଁ କରୁଛି, ଛାତ ଗଳି ପଡୁଛି । ନିୟମକୁ ଜଳାଞ୍ଜଳି ଦେଇ ଦୁମ୍ ଦୁମ୍ କରୁଛି ଭାଇବ୍ରେଟର । ସେପ୍ଟେମ୍ବର ୨୪ ତାରିଖ । ପାର୍ବଣ ଓ ଦୁର୍ଗାପୂଜା ପାଇଁ ପୋଲିସ ସେବା ଭବନରେ ବସିଥିଲା ପ୍ରାକ୍ ପ୍ରସ୍ତୁତି ବୈଠକ । ଆଇନ କାନୁନ, ଟ୍ରାଫିକ, ମହିଳା ସୁରକ୍ଷା ସହ ଡିଜେ ନେଇ ହୋଇଥିଲା କଟକଣା। ସାଂସ୍କୃତିକ କାର୍ଯ୍ୟକ୍ରମ, ରାବଣପୋଡ଼ି, ଭସାଣିରେ କେହି ଡିଜେ ବଜାଇପାରିବେ ନାହିଁ । କେବଳ ଡିଜେ ନୁହେଁ, ଭସାଣି ସମୟରେ ଲେଜର୍ ଲାଇଟ୍ ଶୋ କିମ୍ବା ବାଣ ଫୁଟିବ ନାହିଁ । ଯେଉଁମାନ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ଡିଜେ ମାଲିକଙ୍କୁ ଜୋରିମାନା କରାଯିବ ବୋଲି ଚେତାବନୀ ଦେଇଥିଲେ ପୋଲିସ କମିଶନର । କିନ୍ତୁ ଦୁର୍ଗାପୂଜାର ଅବ୍ୟବହିତ ପୂର୍ବରୁ ଡିଜେର ବିକଟାଳ ଶବ୍ଦ ଜୀବନ ନେଇଛି । ଅଘଟଣ ଘଟିଛି ଜଟଣୀ ଭସାଣି ଉତ୍ସବରେ । ପ୍ରୋସେସନ ଯାଉଥିବା ସମୟରେ ପୋଷ୍ଟ ଅଫିସ ଛକରେ ଥିବା ଏକ ଘରୋଇ ବ୍ୟାଙ୍କ ଛାତ ତାଜା ଖସିବା ପରେ ଡେଲାଙ୍ଗ ଥାନା ହରିରାଜପୁରର ବିଶ୍ୱଜିତ ବାରିକଙ୍କ ମୃତ୍ୟୁ ହେବା ସହ ୧୦ରୁ ଉର୍ଦ୍ଧ୍ବ ଯୁବକ ଆହତ ହୋଇଥିବା ଜଣାପଡିଛି ।
ଓଡ଼ିଶା ଫାୟାର ୱାର୍କସ ଆଣ୍ଡ ଲାଉଡ ସ୍ପିକରସ୍ ରେଗୁଲେସନ ଆଇନ, ୧୯୫୮ ଅନୁସାରେ ଡିଜେ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି । ଡିଜେରୁ ୬୫ ଡେସିବେଲରୁ ଅଧିକର ଶବ୍ଦ ବାହାରୁଥିବା ଦର୍ଶାଯାଇ ବିବାହ ଓ ଅନ୍ୟ ଶୋଭାଯାତ୍ରାରେ ଏହା ଉପରେ କଟକଣା ଜାରି କରାଯାଇଥିଲା । ପରେ ନିୟମ ଅନୁପାଳନ କରି କେବଳ ସାଉଣ୍ଡ ବକ୍ସ ବ୍ୟବହାର ପାଇଁ ପ୍ରଶାସନ ଅନୁମତି ଦେଇଥିଲା । କିନ୍ତୁ ସମସ୍ତ ନିୟମର ଜଳାଞ୍ଜଳି ଦେଇ ଭସାଣିରେ ଛାତି ଥରାଇ ଦେଇଛି ଡିଜେ ଓ ଭାଇବ୍ରେଟର । ସେପଟେ ଘଟଣା ଘଟିବା ପରେ ଆକ୍ସନ । ଜଟଣୀରେ ସାମିଲ ହୋଇଥିବା ସମସ୍ତ ପୂଜା କମିଟିକୁ କମିସନରେଟ ପୋଲିସ ପକ୍ଷରୁ ନୋଟିସ୍ ଜାରି ହୋଇଛି । ଘଟଣାକୁ ନେଇ କମିଟି ଗଠନ ହୋଇଛି । କମିଟିରେ ଜୁନିୟର ଇଞ୍ଜିନିୟର ସହ ରହିଛନ୍ତି ଟେକ୍ନିକାଲ ଯନ୍ତ୍ରୀ । DJ ପାଇଁ ଦୁର୍ଘଟଣା ଘଟିଛି ନା ଆଉ କୌଣସି କାରଣ ପାଇଁ ଘଟିଛି ସେ ନେଇ ଚାଲିଛି ତଦନ୍ତ । ଗତ ଗୁରୁବାର ପ୍ରସ୍ତୁତି ବୈଠକରେ ଏ ସମ୍ପର୍କରେ କ’ଣ କହିଥିଲେ ପୋଲିସ କମିଶନର ଶୁଣନ୍ତୁ ।
ଡିଜେ ପାଇଁ ଶବ୍ଦ ପ୍ରଦୂଷଣ ହେଉଥିବାରୁ ଗଭୀର ଉଦବେଗ ପ୍ରକାଶ କରୁଛନ୍ତି ପରିବେଶବିତ । ଶିଶୁ ଓ ବୟସାଧିକ ବ୍ୟକ୍ତି ଏଭଳି ସାଉଣ୍ଡ ଯୋଗୁଁ ଅସୁସ୍ଥ ହେଉଥିବାରୁ, ତୁରନ୍ତ ଏହା ଉପରେ ଲଗାମ୍ ଲଗାଇବାର ସମୟ ଆସିଛି ।…
ଠିକାଦାରୀ ଲାଇସେନସ ନକଲି । କାମ ପାଇଥିଲେ ଅସଲି,ଶାଳକ ନାଁରେ ଲାଇସେନସ
ନନ୍ଦିଘୋଷ ବ୍ୟୁରୋ : ଠିକାଦାରୀ ଲାଇସେନସ ନକଲି…କାମ ପାଇଥିଲେ ଅସଲି…ଶାଳକ ନାଁରେ ଲାଇସେନସ…ନବୀକରଣ ହୋଇନଥିବା ଲାଇସେନସକୁ ଜାଲ କରି ଭିଣୋଇ ହାତେଇଥିଲେ ବଲାଙ୍ଗୀର ଲୋୟର ସୁକତେଲ କଲୋନୀ ନିର୍ମାଣ କାମ…ଏବେ କଥା ଧରାପଡ଼ିବା ପରେ ତରବରିଆ ଭାବେ ଟେଣ୍ଡରକୁ ବାତିଲ କରି ସରକାର ସମ୍ପୃକ୍ତ ଠିକା ସଂସ୍ଥାକୁ କଳାତାଲିକାଭୁକ୍ତ କରିଛନ୍ତି।…ଅଭିଷେକ କେଡ଼ିଆଙ୍କ ନାମରେ ଠିକାଦାରୀ ଲାଇସେନସ। ହେଲେ ଲାଇସେନସ ଅବଧି ସରିଯାଇଛି। ଚଞ୍ଚକତା କରି ଅବୈଧ ଲାଇସେନସରେ ଟେଣ୍ଡର ପକାଇଥିଲେ ଅଭିଷେକଙ୍କ ଭିଣୋଇ ସୌରଭ ଅଗ୍ରୱାଲ। ଗତ ମେ ୩୦ ତାରିଖରେ ରାଜ୍ଯ ସରକାର କପିଲବାହାଲରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗ୍ରାମବାସୀଙ୍କ ପାଇଁ କଲୋନି ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ କରିଥିଲେ। ଜିଲ୍ଲା ଠିକାଦାରୀ ସଂଘର ସଂକଳ୍ପକୁ ଉଲଂଘନ କରି ଅଭିଷେକଙ୍କ ଭିଣୋଇ ଅତି କମ ଦରରେ ଟେଣ୍ଡର ପକାଇଲେ। ଆଉ ଟେଣ୍ଡର ପାଇବାଲେ ସଫଳ ହେଲେ। ଏ ନେଇ ଜିଲ୍ଲା ଠିକାଦାରୀ ସଂଘ ପକ୍ଷରୁ ଅଭିଯୋଗ ହେବାରୁ ଅଭିଷେକଙ୍କ ଲାଇସେନସ ଜାଲ ହୋଇଥିବା ଜଣାପଡ଼ିଥିଲା। ପରେ ଲୋୟର ସୁକତେଲ ମୁଖ୍ଯ ନିର୍ମାଣ ଯନ୍ତ୍ରୀ ନକଲି ଲାଇସେନସରେ ଠିକା ହାତେଇଥିବା ଠିକାଦାରଙ୍କ ବିରୋଧ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିଛନ୍ତି। ଅନ୍ଯପଟେ ଠିକାଦାର ସଂଘ ଅଭିଯୋଗ କରିଛି ଲାଇସେନସ ରଖିଥିବା ଠିକାଦାର ଅଭିଷେକ କେଡ଼ିଆ ଏକ ଆଇଟି କମ୍ପାନିରେ ଚାକିରି କରୁଛନ୍ତି।…
ଲାଇସେନସ ଜାଲିଆତି ଘଟଣାରେ ସମ୍ପୃକ୍ତ ଠକାଦାରୀ ସଂସ୍ଥାକୁ ୩ବର୍ଷ ପାଇଁ କଳାତାଲିକୁ ଭୁକ୍ତ କରାଯାଇଛି। ଏ ନେଇ ଥାନାରେ ଏତଲା ଦିଆଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ଯ ନିର୍ମାଣ ଯନ୍ତ୍ରୀ। ଏହି ଅଭିଯୋଗକୁ ନନ୍ଦିଘୋଷ ଟିଭି ପକ୍ଷରୁ ଫୋନଯୋଗେ ଅଭିଷେକ କେଡ଼ିଆଙ୍କୁ ଯୋଗାଯୋଗ କରାଯାଇଥିଲା। ଅଭିଷେକଙ୍କ କହିବା କଥା ସେ ତାଙ୍କ ଲାଇସେନସ ଫର୍ମ ପୂରଣ କଲାବେଳେ କିଛି ତ୍ରୁଟି ଥିଲା। ପରବର୍ତ୍ତୀ ଅବସ୍ଥାରେ ସେ ତାକୁ ସଂଶୋଧନ କରି ଆବେଦନ କରିଥିଲେ। ତାଙ୍କ ପାଖରେ ଏବେ ବୈଧ ଲାଇସେନସ ଥିବା କହିଛନ୍ତି। ଏଠି ପ୍ରଶ୍ନ ଉଠୁଛି ସମ୍ପୃକ୍ତ ଟେଣ୍ଡର ପାଇବା ବେଳେ ଅଭିଷେକଙ୍କ ଲାଇସେନସ ବୈଥ ଥିଲା କି ନାହିଁ। ଯଦି ନଥିଲା, ଶାଳକ ନାଁରେ ଥିବା ଲାଇସେନସ ବଳରେ ଭିଣୋଇ ସରକାରୀ ଟେଣ୍ଡର ପାଇଲେ କେମିତି? ଲାଇସେନସ ବୈଧ ନଥିଲା ବୋଲି ସର୍ବୋଚ୍ଚ ଯନ୍ତ୍ରୀ ଯାଞ୍ଚ କରିଥିଲେ। ଯାଞ୍ଚ ପରେ ଅଭିଷେକଙ୍କୁ ଚଳିତ ମାସ ୮ ତାରିଖରେ କଳାତାଲିକାଭୁକ୍ତ କରାଯାଇଥିବା ମୁଖ୍ଯ ନିର୍ମାଣ ଯନ୍ତ୍ରୀ ସ୍ପଷ୍ଟ କରିଛନ୍ତି।…
ଆରମ୍ଭ ହେଲା ପିତୃପକ୍ଷ । ଆଶ୍ବିନ କୃଷ୍ଣପକ୍ଷ ପ୍ରତିପଦା ଠାରୁ ୧୫ଦିନ ଚାଲିବ ଅପରପକ୍ଷ ।
ନନ୍ଦିଘୋଷ ବ୍ୟୁରୋ : ଆରମ୍ଭ ହେଲା ପିତୃପକ୍ଷ । ଆଶ୍ବିନ କୃଷ୍ଣପକ୍ଷ ପ୍ରତିପଦା ଠାରୁ ୧୫ଦିନ ଚାଲିବ ଅପରପକ୍ଷ । ବିଶ୍ୱାସ ରହିଛି ଏହି ସମୟରେ ପିତୃ ପୁରୁଷମାନେ ପିତୃଲୋକ ତ୍ୟାଗ କରି ପୁତ୍ରଲୋକକୁ ଆସିଥାନ୍ତି । ଏଣୁ ପିତୃଲୋକଙ୍କ ଶାନ୍ତି ତଥା ମୋକ୍ଷ ପ୍ରାପ୍ତି ଉଦ୍ଦେଶ୍ୟରେ ବିଭିନ୍ନ ତୀର୍ଥ ପୁଷ୍କରିଣୀ, ନଦୀ ତଟ ମାନଙ୍କରେ ତିଳ ତର୍ପଣ ପିଣ୍ଡଦାନ ଆଦି କାର୍ଯ୍ୟ କରିଥାନ୍ତି । ଏହି ୧୫ ଦିନ ଧରି ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଗହଳି ଚହଳି ଲାଗି ରହିଥିବା ବେଳେ ପରିବାର କଲ୍ୟାଣ ପାଇଁ ଆରମ୍ଭ ହୋଇଛି ସ୍ବତନ୍ତ୍ର ପୂଜାପାଠ । ପୁରୀର ବିଭିନ୍ନ ତୀର୍ଥ ପୁଷ୍କରିଣିରେ ବ୍ରାହ୍ମଣଙ୍କୁ ଦ୍ବାରା ପିତୃଲୋକଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ ଓ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ ।
ଶ୍ରଦ୍ଧାରୁ କରାଯାଇଥାଏ ଶ୍ରାଦ୍ଧ । ବିଭିନ୍ନ ଫୁଲ,ରାଶି,ଚାଉଳ,ନୈବେଦ୍ୟ ଆଦି ଦ୍ୱାରା ଏହି ଶ୍ରାଦ୍ଧ ନିଜ ପିତୃପୁରୁଷଙ୍କ ଉଦ୍ୟେଶ୍ୟରେ କରାଯିବା ଦ୍ୱାରା ମିଳିଥାଏ ଆତ୍ମତୃପ୍ତି ଓ ଶାନ୍ତି । ଆବାହମାନ କାଳରୁ ଶ୍ରୀକ୍ଷେତ୍ରରେ ପିତୃପୁରୁଷଙ୍କୁ ସ୍ମରଣ କରି ଏହି ପିତୃପକ୍ଷ ଅବସରରେ ତର୍ପଣ ପୂଜାପାଠର ପରମ୍ପରା ଚାଲି ଆସୁଅଛି । ତେବେ ଏହି ତିଳ ତର୍ପଣ କରି ପିତୃପକ୍ଷଙ୍କ ମୁକ୍ତି ଉଦ୍ଦେଶ୍ୟରେ ଜାରି ରହିଛି ଏହି ପରମ୍ପରା । ଆଗାମୀ ପିଢ଼ି ଏହି ଧର୍ମ ଆଉ ସଂସ୍କୃତି ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଶ୍ରଦ୍ଧାଳୁ ।
ଯେଉଁମାନେ ପିତୃପକ୍ଷ ତିଥିରେ ତିଳ ତର୍ପଣ କରିପାରନ୍ତି ନାହିଁ ସେମାନେ ଦୀପାବଳି ଅମାବାସ୍ୟା ଦିନ ବଡ଼ବଡୁଆ ଡାକି ଶ୍ରାଦ୍ଧ ପ୍ରଦାନ କରିବାର ବିଧି ରହିଛି

