ନନ୍ଦିଘୋଷ ବ୍ୟୁରୋ: ମଣିପୁରରେ ଆଜି ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟ ପ୍ରତିଷ୍ଠାନ । ରାଜ୍ୟର ଜାତିଗତ ହିଂସା ଆରମ୍ଭର ଦ୍ବିତୀୟ ବାର୍ଷିକୀ ପାଳନ ଲାଗି ଦୁଇଟି କୁକି-ଜୋମି ଛାତ୍ର ସଂଗଠନ ପକ୍ଷରୁ ଆହ୍ବାନ ଦିଆଯାଇଛି । ଜୁମି ଛାତ୍ର ସଂଘ ବା ଜେଡଏସଏଫ ଓ କୁକି ଛାତ୍ର ସଂଗଠନ ବା କେଏସଓ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ୨୦୨୩ ମେ ୩ରୁ ଆରମ୍ଭ ହୋଇଥିବା ଜାତିଗତ ହିଂସାରେ ବର୍ତ୍ତମାନ ସୁଦ୍ଧା ପ୍ରାଣ ହରାଇଲେଣି ୨୫୦ରୁ ଅଧିକ ଲୋକ । ମେଇତେଇ ଓ କୁକିଙ୍କ ମଧ୍ୟରେ ହୋଇଥିବା ଲୋମହର୍ଷକ ହିଂସା ଘଟଣାରେ ବାସଚ୍ୟୁତ ହେଲେଣି ଲକ୍ଷାଧିକ ନାଗରିକ । ହିଂସା କାରଣରୁ ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂ ଇସ୍ତଫା ଦେଇଥିବାବେଳେ ରାଜ୍ୟରେ ଜାରି ହୋଇଥିଲା ରାଷ୍ଟ୍ରପତି ଶାସନ । ବନ୍ଦ ଅବସରରେ ବିଭିନ୍ନ ସ୍ଥାନରେ କଳାପତାକା ଉତ୍ତୋଳନ କରିବା ଲାଗି ଦୁଇ ସଂଗଠନ ପକ୍ଷରୁ ଡାକରା ଦିଆଯାଇଛି । ଚୁରାଚାନ୍ଦପୁର ଜିଲ୍ଲା ମୁଖ୍ୟାଳୟରେ ପ୍ରତିଷ୍ଠିତ ସହିଦ ସ୍ମାରକୀରେ ଏହି ଦୁଇ ସଂଗଠନ ପକ୍ଷରୁ ସମାବେଶ କରାଯିବ । ସେପଟେ ଇଣ୍ଡିଜେନସ ଟ୍ରାଇବାଲ ଲିଡର୍ସ ଫୋରମ ବା ITLF ପକ୍ଷରୁ ଘୋଷଣା କରାଯାଇଛି- ମେ ୩କୁ ସେପାରେସନ ଡେ ଭାବେ ପାଳନ କରାଯିବ ।
ପହଲଗାଓଁ ଆତଙ୍କୀ ଆକ୍ରମଣ ଘଟଣା: ଦଶମ ଦିନରେ ଏନଆଇଏର ତଦନ୍ତ ଜାରି
ନନ୍ଦିଘୋଷ ବ୍ୟୁରୋ: ଦଶମ ଦିନରେ ଏନଆଇଏର ତଦନ୍ତ ଜାରି । ଜାମ୍ମୁ କାଶ୍ମୀରର ପହଲଗାଓଁ ଆତଙ୍କୀ ଆକ୍ରମଣ ଘଟଣାରେ ବେସରନ ଘାଟିରେ ପୁଣିଥରେ ପହଞ୍ଚି ଏନଆଇଏ ଟିମ୍ ତଦନ୍ତ କରିଛି । ଅନେକ ଯାଞ୍ଚ ଉପକରଣ ସହିତ ପହଞ୍ଚି ଏନଆଇଏ ଟିମ୍ ବିଭିନ୍ନ ଦିଗକୁ ନେଇ ତଦନ୍ତ କରିଛି । ଜିଆଇଏସ ଅର୍ଥାତ ଜିଓ ଇନଫୋର୍ସମେଣ୍ଟ ସିଷ୍ଟମ ସହାୟତାରେ ତଦନ୍ତର ଭିଡିଓଗ୍ରାଫି କରାଯାଇଛି । ଏନଆଇଏ ଟିମ ସ୍ଥାନୀୟ ଅଞ୍ଚଳରେ ଥ୍ରୀଡି ମ୍ୟାପିଂ କରିଛନ୍ତି । ଏହି ଅବସରରେ ସେଠାରେ ଉପସ୍ଥିତ ଥିଲେ ଏନଆଇଏ ଡିଜି । ପରେ ଡିଜି ଶ୍ରୀନଗର ଯାଇ ତଦନ୍ତରେ ସଂପୃକ୍ତ ଅଧିକାରୀଙ୍କ ସହ ବୈଠକ କରି ସମୀକ୍ଷା କରିଛନ୍ତି ।
ଗତକାଲି ମଧ୍ୟ ସେ ବୈସରନ ଯାଇ ତିନି ଘଣ୍ଟା କାଳ ରହି ପୂରା ଅଞ୍ଚଳକୁ ବୁଲି ଦେଖିଥିଲେ ।
ଘରେ ପଶି ଯୁବତୀଙ୍କୁ ଛୁରା ମାଡ଼, ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି
ଗଞ୍ଜାମ: ଗଞ୍ଜାମରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ। କଥା କଥାକେ ବୁଲୁଛି ଖଣ୍ଡା। ଫୁଟୁଛି ଗୁଳି। ନିମଖଣ୍ଡି ଥାନା ବ୍ୟାଙ୍କ କଲୋନିରେ ଜଣେ ଯୁବତୀଙ୍କୁ ଛୁରା ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଯୁବତୀ ଜଣକ ହେଲେ ଅଳକା ମହାକୁଡ଼। ଘରେ ପଶି ତାଙ୍କ ଉପରେ ଆକ୍ରମଣ ହୋଇଛି । ଅଭିଯୁକ୍ତକୁ ଗିରଫ କରାଯାଇଛି।
ଗତକାଲି କରାପଲ୍ଲୀରେ ନାବାଳିକାକୁ ହତ୍ୟା ହୋଇଥିବା ବେଳେ ଆଜି ଜଣେ ଯୁବତୀଙ୍କୁ ହତ୍ୟା ଉଦ୍ୟମ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ଉଠା ଦୋକାନରେ ଚାଲିଲା ବୁଲଡୋଜର, ୨୦ରୁ ଅଧିକ ଦୋକାନୀ ବେସାହାରା
ଭୁବନେଶ୍ଵର: ଭୁବନେଶ୍ଵର ଚନ୍ଦ୍ରଶେଖରପୁର ଶ୍ରୀବିହାରର ରାସ୍ତା କଡରେ ଦୀର୍ଘ ବର୍ଷ ଧରି ଥିବା ଉଠା ଦୋକାନ ଉଚ୍ଛେଦ। ଗେଲ ଇଣ୍ଡିଆକୁ ଜାଗା ଦେବା ପାଇଁ ବିଡିଏ ବୁଲଡୋଜର ଲଗାଇ ଭାଙ୍ଗିଦେଲା ବୋଲି ଅଭିଯୋଗ ହୋଇଛି। ପୂର୍ବରୁ ବିଏମସି ତରଫରୁ ଦୋକାନୀମାନଙ୍କୁ ଅନ୍ୟତ୍ର ଜାଗା ଦେବା ପାଇଁ ଲିଖିତ ପତିଶ୍ରୁତି ମିଳିଥିଲା। ହେଲେ ବିଡିଏ କିଛି ନ ଶୁଣି ଦୋକାନ ଭାଙ୍ଗି ଦେଇଛି ବୋଲି ଅଭିଯୋଗ କରିଛନ୍ତି ଦୋକାନୀମାନେ । ବହୁ ବର୍ଷ ଧରି ଚନ୍ଦ୍ରଶେଖର ପୁର ଶ୍ରୀ ବିହାର ରାସ୍ତା କଡରେ ଦୋକାନ କରି ପରିବାର ଚଳାଉଥିଲେ ୨୦ରୁ ଉର୍ଦ୍ଧ ପରିବାର। ହେଲେ ବିଡିଏ ହଠାତ ଦୋକାନ ଭାଙ୍ଗି ଦେବା ଫଳରେ ବେସାହାରା ହୋଇ ରାସ୍ତାରେ ବସିଛନ୍ତି ଲୋକେ ।
ସାତ ଦିନର ଶିଶୁପୁତ୍ର ବିକ୍ରି ଅଭିଯୋଗ
ଫୁଲବାଣୀ: ୭ ଦିନର ଶିଶୁପୁତ୍ର ବିକ୍ରି ଅଭିଯୋଗ । ପୋଲିସ ସହୟତାରେ ବିକ୍ରି ଶିଶୁପୁତ୍ରକୁ ଉଦ୍ଧାର କଲା ଟାଇଲ୍ଡ ଲାଇନ । ଏଭଳି ଅଭିଯୋଗ ଆସିଛି ଜିଲ୍ଲା ମୁଖ୍ୟାଳୟ ଫୁଲବାଣୀ ଦଧିବାବନ ସାହିରୁ । ଜଣେ ମହିଳା ବିବାହର ୧୦ ବର୍ଷ ପରେ କୌଣସି ସନ୍ତାନ ନଥିବାରୁ ସେ ଅନ୍ୟଜଣେ ମହିଳାଙ୍କ ଠାରୁ ସାତ ମାସର ଶିଶୁପୁତ୍ରକୁ ନେଇଥିଲେ। ଏବେ ଶିଶୁପୁତ୍ରକୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ନିଜ ଇଚ୍ଛାରେ ଶିଶୁକୁ ଟେକିଦେଇଥିବା ମହିଳା ଜଣଙ୍କ କହିଥିବା ବେଳେ ମହିଳାଙ୍କର ଅଙ୍ଗନବାଡି କିମ୍ବା ମେଡିକାଲରେ ପ୍ରସବର କୌଣସି ତଥ୍ୟ ନାହିଁ । ଶିଶୁଟି କାହାର ଏ ପର୍ଯ୍ୟନ୍ତ କିଛି ସଠିକ୍ ତଥ୍ୟ ମିଳିନାହିଁ । କଣ ପାଇଁ ମହିଳା ଶିଶୁପୁତ୍ରକୁ ଜଣେ ଅଜଣା ମହିଳାକୁ ଦେଇଥିଲେ । ତାହା ତଦନ୍ତ ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ ।
ଘଟଣାକୁ ସ୍ଵିକାର କରିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ । ଚାଇଲ୍ଡ ହେଲ୍ପଲାଇନ ଓ ଫୁଲବାଣୀ ଟାଉନ ଥାନା ପୋଲିସ ଶିଶୁପୁତ୍ର ଉଦ୍ଧାର ପରେ ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରିଛି । କେଉଁ ପରିସ୍ଥିତିରେ ଶିଶୁ ପୁତ୍ରକୁ ମହିଳା ଜଣଙ୍କ ଅଚିହ୍ନା ମହିଳାଙ୍କୁ ଦେଇଥିଲେ ତାହା ଉପରେ ପଚାର ଉଚରା ଜାରି ରହିଛି । ନାବାଳିକା ଗର୍ଭବତୀ କୁହନ୍ତୁ ବା ନାରୀ ନିର୍ଯାତନା କୁହନ୍ତୁ ଦିନକୁ ଦିନ ଏପରି ଘଟଣା ବଢ଼ିଚାଲିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଜିଲ୍ଲା ମୁଖ୍ୟାଳୟ ଫୁଲବାଣୀର ଦଧିବାବନ୍ ସାହିରେ ।
ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗ: ପ୍ରତିକ୍ରିୟା ରଖିଲେ ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର
ପୁରୀ: ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିର ନାମକରଣ ବିବାଦରେ ମୁହଁ ଖୋଲିଛନ୍ତି ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର। ସେ କହିଛନ୍ତି, ପୁରୀ ହିଁ ଏକମାତ୍ର ଜଗନ୍ନାଥ ଧାମ। ଅନ୍ୟ ସ୍ଥାନରେ ଜଗନ୍ନାଥ ମନ୍ଦିର ହୋଇପାରିବ। କିନ୍ତୁ ଜଗନ୍ନାଥ ଧାମ କୁହାଯାଇପାରିବ ନାହିଁ। ନାଁ ବିବାଦକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିବେ ବୋଲି ସେ କହିଛନ୍ତି।
ଏହା ସହିତ ସେ ସ୍ପଷ୍ଟ କରିଛନ୍ତି, କେବଳ ପୁରୀରେ ଦାରୁବ୍ରହ୍ମଙ୍କର ବ୍ରହ୍ମ ସ୍ଥାପନା ହୁଏ। ଅନ୍ୟ କୌଣସି ସ୍ଥାନରେ ହୁଏ ନାହିଁ। ମହାପ୍ରଭୁଙ୍କ ରୀତି ନୀତିରେ କୌଣସି ତ୍ରୁଟି ବିଚ୍ୟୁତି ହେବାକୁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି। ପଶ୍ଚିମବଙ୍ଗ ଦୀଘାରେ କିଛି ଦିନ ତଳେ ଏକ ଭବ୍ୟ ଜଗନ୍ନାଥ ମନ୍ଦିର ନିର୍ମିତ ହୋଇଛି। ଏହାକୁ ଜଗନ୍ନାଥ ଧାମ କୁହାଯିବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ପୁୁରୀର ସେବାୟତଙ୍କ ସମେତ ସାରା ରାଜ୍ୟରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା।

