spot_img
Home Blog Page 903

କଂଗ୍ରେସ ଆନ୍ଦୋଳନ ବେଳେ ଗଣ୍ଡଗୋଳ ଘଟଣା, ଆଉ ଜଣେ ଗିରଫ

ଭୁବନେଶ୍ବର : କଂଗ୍ରେସ ଆନ୍ଦୋଳନ ବେଳେ ଗଣ୍ଡଗୋଳ ଘଟଣା। ଆଉ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଚନ୍ଦନ ସାହୁ ଓରଫ ବାପି । ଚନ୍ଦନଙ୍କ ଘର ଜଟଣୀ ଥାନା ଅନ୍ତର୍ଗତ ହରିପୁର। ତଦନ୍ତ ବେଳେ ଅଭିଯୁକ୍ତ ଜଣଙ୍କ ପୋଲିସ ଉପରକୁ ପଥର ଓ ଚେୟାର ଫିଙ୍ଗିଥିବା ଜାଣିବାକୁ ପାଇଛି ପୋଲିସ । ପୂର୍ବରୁ ଅଭିଯୁକ୍ତ ଜଣଙ୍କ ନାଁରେ ମଞ୍ଚେଶ୍ୱରରେ ୨ ଟି ଓ ଖାରବେଳନଗରରେ ୨ ଟି ମାମଲା ରହିଛି । ଗତକାଲି ଏହି ମାମଲାରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । କଂଗ୍ରେସ ଆନ୍ଦୋଳନ ବେଳେ ପୋଲିସ ଉପରକୁ ଆକ୍ରମଣ, ପୋଲିସ ଭ୍ୟାନ ପୋଡି ଉଦ୍ୟମ ଓ ବିଧାନସଭା ଗେଟ ସମ୍ମୁଖରେ ଉତ୍ତେଜନାକୁ ନେଇ ୩ ଟି ମାମଲା ରୁଜୁ କରାଯାଇଛି । ଅନ୍ୟ ଯେଉଁମାନେ ମଧ୍ୟ ଏଥିରେ ସାମିଲ ଅଛନ୍ତି, ସେମାନଙ୍କୁ ଧରିବା ପାଇଁ ସ୍ପେଶାଲ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା କହିଛନ୍ତି ଭୁବନେଶ୍ୱର ଡିସିପି ।

ସାରା ରାଜ୍ୟରେ ବିଜେଡି ପାଳିବ ଓଡ଼ିଶା ଦିବସ

ଭୁବନେଶ୍ବର : ସାରା ରାଜ୍ୟରେ ବିଜେଡି ପାଳିବ ଓଡ଼ିଶା ଦିବସ । ଆସନ୍ତା ଏପ୍ରିଲ ୧ରେ ଏହି ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଛି ବିଜୁ ଜନତା ଦଳ । ଓଡ଼ିଶାର ଅନେକ ବରପୁତ୍ର ମାନଙ୍କ ସଂଘର୍ଷ, ତ୍ୟାଗ, ବଳିଦାନ ଫଳରେ ୧୯୩୬ ମସିହା ଏପ୍ରିଲ ୧ ତାରିଖ ଦିନ ଭାଷା ଭିତ୍ତିରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଗଠନ ହୋଇଥିଲା । ଏହି ଦିନକୁ ଓଡ଼ିଶାବାସୀଙ୍କ ପାଇଁ ଚିରସ୍ମରଣୀୟ କରିବାକୁ ଓଡ଼ିଶା ଦିବସ ଭାବେ ପାଳିତ ହେଉଛି । ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ, ରାଜ୍ୟର ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ଓ ଜିଲ୍ଲା କାର୍ଯ୍ୟାଳୟରେ ବିଜେଡ଼ି ତରଫରୁ ଓଡ଼ିଶା ଦିବସ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଛି । ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିବା ବରପୁତ୍ରମାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ସେମାନଙ୍କ ଅବଦାନ ବିଷୟରେ ଆଲୋଚନା କରାଯିବ । ନିଜ ନିଜ ଅଞ୍ଚଳରେ ଓଡ଼ିଶା ଦିବସ କାର୍ଯ୍ୟକ୍ରମର ଫଟୋ ଓ ଭିଡିଓ ଶଙ୍ଖଭବନକୁ ପଠାଇବାକୁ ସମସ୍ତ ବିଧାୟକ, ସାଂସଦ, ନିର୍ବାଚନମଣ୍ଡଳୀ ନେତୃତ୍ବ, ଜିଲ୍ଲା ପରିଷଦ ସଭାପତି, ପୌରାଧ୍ୟକ୍ଷଙ୍କ ସହିତ ଯୁବ, ଛାତ୍ର, ମହିଳା, କୃଷକ, ଶ୍ରମିକ ସଙ୍ଗଠନର ଆବାହକମାନଙ୍କୁ ଚିଠି କରାଯାଇଛି ।

ଓଡ଼ିଆ ପକ୍ଷ ପାଳନକୁ ନେଇ ତେଜିଲା ରାଜନୀତି, ସରକାରଙ୍କ ନିଷ୍ପତ୍ତିକୁ ସବୁଠି ସମାଲୋଚନା

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଓଡ଼ିଆ ପକ୍ଷ ପାଳନ ପ୍ରସଙ୍ଗକୁ ନେଇ ତେଜିଛି ରାଜନୀତି। ଓଡ଼ିଆ ପକ୍ଷ ପାଳନ ପ୍ରସଙ୍ଗକୁ ନେଇ କଟାକ୍ଷ କରିଛି ବିଜେଡି। ଡବଲ ଇଞ୍ଜିନ ସରକାରରେ ଗୋଟିଏ ଇଞ୍ଜିନ ଆଉ ଗୋଟେ ଇଞ୍ଜିନର ପକ୍ଷ ଛେଦନ କରୁଛନ୍ତି । ଏମିତିରେ କି ପକ୍ଷ ପାଳନ କରିବେ ବୋଲି କଟାକ୍ଷ କରାଯାଇଛି । ଓଡିଶା ସରକାର ଦଶ ମାସରେ କେତେ କେନ୍ଦ୍ରୀୟ ଅନୁଦାନ ପାଉଛନ୍ତି ତାର ହିସାବ ଦେବେ କି ବୋଲି ପ୍ରଶ୍ନ ହୋଇଛି । କେନ୍ଦ୍ର ସରକାର ପ୍ରତ୍ୟେକ ଦିନ ରାଜ୍ୟର ସ୍ୱାର୍ଥର ପକ୍ଷ ଛେଦନ କରୁଛନ୍ତି । ପ୍ରଥମେ ରାଜ୍ୟ ସରକାର ନିଜର ପକ୍ଷ ମଜଭୁତ କରନ୍ତୁ । ବିନା ଭୟରେ ବିନା ରାଜନୀତିରେ ନିଜର ପକ୍ଷ କେନ୍ଦ୍ର ଆଗରେ ଜୋରଦାର ଉପସ୍ଥାପନ କରନ୍ତୁ। ନିର୍ବାଚନ ଜିତିବା ପାଇଁ ଅସ୍ମିତା କଥା କହିଲେ। ହେଲେ କାର୍ଯ୍ୟରେ କରି ଦେଖାଅ ବୋଲି ଦଳ ପକ୍ଷରୁ କୁହାଯାଇଛି । ପ୍ରତେକ ଦିନ ଓଡ଼ିଆ ଅସ୍ମିତା କ୍ଷୁଣ୍ଣ ହେଉଛି । ତେଣୁ ପକ୍ଷ ପାଳନ ଏକ ଘୋଡ଼ଣି ମାତ୍ର । ରାଜ୍ଯର ମୋହନ ସରକାର ସବୁବେଳେ ଦୋ ଛୋକିରେ ଓ କୌଣସି ନିଷ୍ପତ୍ତି ନେଇପାରୁ ନାହାନ୍ତି । ସରକାରଙ୍କୁ ରାସ୍ତା ମିଳୁନି ବୋଲି କଟାକ୍ଷ କରିଛି ବିଜେଡି।

ସେପଟେ ଓଡ଼ିଆ ପକ୍ଷ ପାଳନ ପ୍ରସଙ୍ଗରେ ସରକାରଙ୍କୁ କଡା ଭାଷାରେ ସମାଲୋଚନା କରିଛି କଂଗ୍ରେସ । ଓଡ଼ିଆ ପକ୍ଷ ସରକାର କାହିଁକି ପାଳନ କରୁଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ପିସିସି ସଭାପତି। ରାଜ୍ୟରେ ଓଡ଼ିଆ ଠିକାଦାରମାନଙ୍କୁ କାମ ମିଳୁନି । ବଡ ବଡ କମ୍ପାନୀ ଆସି ବାହାରୁ ଆସି ଓଡ଼ିଶାରେ ନିର୍ମାଣ କାମ କରୁଛନ୍ତି । ଓଡ଼ିଆ ବରପୁତ୍ରମାନଙ୍କୁ ସରକାର ସମ୍ମାନ ଦେଇପାରୁଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି । ଓଡ଼ିଆ ଅସ୍ମିତା ନାଁରେ ଓଡ଼ିଶାର କଳା ଏବଂ ସଂସ୍କୃତିକୁ ନଷ୍ଟ କରିବାକୁ ଯୋଜନା ଚାଲିଛି ବୋଲି ବଡ଼ ଅଭିଯୋଗ ଆଣିଛି କଂଗ୍ରେସ । ସେପଟେ ଓଡ଼ିଆ ଅସ୍ମିତା ପରିଷଦ ଏହି ପ୍ରସଙ୍ଗରେ କୋଟିଆରେ ବାରମ୍ବାର ଆନ୍ଧ୍ର ଅନୁପ୍ରବେଶର କଥା ମନେ ପକାଇଦେଇଛନ୍ତି । ଆନ୍ଧ୍ର କୋଟିଆରେ ଆଧାର ଅପଡେଟ କରିବାକୁ ଉଦ୍ୟମ କରୁଛି। ଏହା କଲେ ସେମାନେ ସୁପ୍ରିମକୋର୍ଟରେ ପ୍ରମାଣ କରିଦେବେ କୋଟିଆ ଓଡ଼ିଶାର ନୁହେଁ ଆନ୍ଧ୍ରର। ତେଣୁ ସୀମା ସୁରକ୍ଷା ପାଇଁ ସରକାର ଆଗେ ତତ୍ପର ହୁଅନ୍ତୁ। ଗୃହ କମିଟି କୋଟିଆ ଓ ଶଙ୍ଖମେଦି ଅଞ୍ଚଳ ଗସ୍ତ କରିବା ସହ ଓଡିଶା ସରକାର ପଡୋଶୀ ସରକାରଙ୍କ ସହ ଆଲୋଚନା କରି ନିଜ ଅଞ୍ଚଳକୁ ଆଗେ ସୁରକ୍ଷିତ କରନ୍ତୁ ଦାବି ରଖିଛି ଓଡ଼ିଆ ଅସ୍ମିତା ପରିଷଦ। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଏପ୍ରିଲ ଏକ ତାରିଖରେ ସବୁ ଜିଲ୍ଲାରେ ଓଡିଶା ଦିବସ ପାଳନ ହେବା ସହ ୨ ତାରିଖରେ ଖଡ଼ିଛୁଆଁ ଦିବସ, ୩ ରେ ପାରଂପରିକ ପୋଷାକ ପରିଧାନ ଦିବସ, ୫ ରେ ଭୁବନେଶ୍ୱରରେ ଐତିହ୍ୟ ଗଣଦୌଡ଼ ଏବଂ ୧୩ ତାରିଖ ଯାଏ ଏଭଳି ବିଭିନ୍ନ ଢଙ୍ଗରେ ଭିନ୍ନ ଭିନ୍ନ ଦିବସ ପାଳନ କରାଯିବ। ଶେଷରେ ଏପ୍ରିଲ ୧୪ ତାରିଖକୁ ଓଡ଼ିଆ ନବବର୍ଷ ଭାବେ ମହାସମାରୋହରେ ପାଳନ କରାଯିବ। ଏସବୁକୁ ନେଇ ଓଡ଼ିଆ ପକ୍ଷ ପାଳନ ନିଷ୍ପତ୍ତି ହୋଇଥିବା ବେଳେ ସରକାରଙ୍କୁ ଓଡ଼ିଶାର ସୀମା ଓ ସ୍ୱାର୍ଥର ସୁରକ୍ଷା ପ୍ରସଙ୍ଗ ନେଇ ବିରୋଧୀ ଘେରିଛନ୍ତି ।

ବିଜାପୁରରେ ୫୦ ନକ୍ସଲଙ୍କ ଆତ୍ମସମର୍ପଣ

ବିଜାପୁର : ଛତିଶଗଡ଼ ବିଜାପୁରରେ ୫୦ ନକ୍ସଲଙ୍କ ଆତ୍ମସମର୍ପଣ। ଗତ କିଛି ଦିନ ଧରି ରାଜ୍ଯରେ ଚାଲିଥିବା ମାଓ ଅପରେସନ ପରେ ଏହି ବଡ଼ଧରଣର ଆତ୍ମସମର୍ପଣ ହୋଇଛି। ସେମାନଙ୍କ ମୁୁଣ୍ଡ ଉପରେ ୬୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷିତ ହୋଇଥିଲା। ରାଜ୍ୟରେ ପ୍ରଥମ ଥର ପାଇଁ ଏତେ ଅଧିକ ସଂଖ୍ଯକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରେ ରହିଛନ୍ତି କେତେକ କମାଣ୍ଡର ଓ ଡେପୁଟୀ କମାଣ୍ଡର। ସମସ୍ତଙ୍କୁ ୨୫ ହଜାର ଲେଖାଏ ଟଙ୍କାର ସହାୟତା ଦିଆଯାଇଛି। ସେମାନଙ୍କୁ ଥଇଥାନ ଯୋଜନାରେ ବିଭିନ୍ନ ସହାୟତା ଯୋଗାଇଦିଆଯିବ।

ନାରୀ ନିର୍ଯାତନା ପ୍ରସଙ୍ଗ ଉଠିଲେ ଚିହିଁକି ଉଠୁଛି ଶାସକ ଦଳ

ଭୁବନେଶ୍ବର : ରାଜ୍ୟରେ ବିଜେପି ସରକାରକୁ ଡର। ନାରୀ ନିର୍ଯାତନା ପ୍ରସଙ୍ଗ ଉଠିଲେ ଚିହିଁକି ଉଠୁଛି। କାହିଁକି ଚଳାଇଛନ୍ତି ଦମନଲୀଳା। ବିଜେପି ସରକାରକୁ ଏଭଳି ଢଙ୍ଗରେ ପ୍ରଶ୍ନ କରିଛନ୍ତି ପିସିସି ସଭାପତି। ନାରୀ ନିର୍ଯାତନା ପ୍ରସଙ୍ଗରେ ବିଧାନସଭା ଓ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଜୋରଦାର କଲା ପରେ କଂଗ୍ରେସ ବିରୋଧରେ ଶକ୍ତ ହୋଇଛି ବିଜେପି। ବିଧାନସଭା ଘେରାଉ ବେଳେ କଂଗ୍ରେସ ନେତା ଓ କର୍ମୀଙ୍କ ବିରୋଧରେ ନିଆଗଲା ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ। ଆଜି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ବେଳେ ବହୁ କଂଗ୍ରେସ କର୍ମୀଙ୍କୁ ଅଟକ ରଖିବାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି କଂଗ୍ରେସ। ଦଳ କହିଛି, ଏଠି ଅପରାଧୀ ନୁହେଁ, ରାଜନେତାଙ୍କୁ ଭୟ କରୁଛନ୍ତି ସରକାର ଓ ମୁଖ୍ୟମନ୍ତ୍ରୀ। ପୋଲିସ ସାଜିଛି ଶାସକ ଦଳର ଗୁଣ୍ଡା। ବିଧାନସଭା ଘେରାଉ ବେଳେ କଂଗ୍ରେସ କର୍ମୀଙ୍କ ଉପରେ ପଥର ଫିଙ୍ଗିଲା ଖାକି ବାହିନୀ। ଖାଲି ସେତିକି ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ଏତେ ପରିମାଣରେ ଢ଼େଲା ପଥର କେଉଁଠୁ ଆସିଲା ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି। ନାରୀଙ୍କୁ ନ୍ୟାୟ ପାଇଁ କଂଗ୍ରେସ ଆଗାମୀ ଦିନରେ ଆହୁରି ୧୦ ଗୁଣ ଅଧିକ ଦମରେ ଲଢେଇ କରିବ ବୋଲି ଚେତାଇ ଦେଇଛନ୍ତି ପିସିସି ସଭାପତି।

ସେପଟେ କଂଗ୍ରେସ ବିଧାୟକ ଦଳ ନେତା ମଧ୍ୟ ରାଜ୍ୟ ସରକାରଙ୍କ ଆକ୍ରୋଶମୂଳକ ଆଭିମୁଖ୍ୟକୁ ଦୃଢ଼ ନିନ୍ଦା କରିଛନ୍ତି। ସବୁ ସାମ୍ବିଧାନିକ ନୀତି ନିୟମକୁ ଉଲ୍ଲଙ୍ଘନ କରୁଛି ବିଜେପି। ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ବିଧାନସଭା ପରିସରକୁ ପଶିବାକୁ ଦିଆଯାଉ ନାହିଁ ଅନୁମତି। ଏନେଇ ଜନ ଜାଗରଣ ସୃଷ୍ଟି କରାଯିବା ସହ ବିଜେପିରଏକଛତ୍ରବାଦ ନୀତି ବିରୋଧରେ ଆନ୍ଦୋଳନ କରିବ ଦଳ। ତେଣୁ ତୁରନ୍ତ ସରକାର ତୁରନ୍ତ ପ୍ରତିଶୋଧ ପରାୟଣ ରାଜନୀତିରୁ ଦୂରେଇ ରୁହନ୍ତୁ ବୋଲି କହି ଚେତାଇ ଦେଇଛନ୍ତି ପିସିସି ସଭାପତି। ରାଜ୍ୟସ୍ବାର୍ଥ ପ୍ରସଙ୍ଗରେ ସ୍ବର ଉଠାଇଲେ ବିରୋଧୀଙ୍କ ଉପରେ ରାଗ ସୁଝାଉଛି ବିଜେପି। ସରକାରଙ୍କ ଦୋଷ ଦୁର୍ବଳତାକୁ ପଦାରେ ପକାଇଲେ ନାଲି ଆଖି ଦେଖାଉଛି ଶାସକ ଦଳ। ବିରୋଧୀଙ୍କ ସ୍ବରକୁ ଚପାଇ ଦିଆଯାଉଛି। ପୋଲିସ ଲଗାଇ ଦିଆଯାଉଛି ଧମକ। ହେଲେ ଶାସକ ଦଳର କାର୍ଯ୍ୟାନୁଷ୍ଠାନକୁ ଭୟ ନକରି ଆନ୍ଦୋଳନକୁ ବ୍ୟାପକ କରିବାକୁ ସଜବାଜ ହେଉଛି କଂଗ୍ରେସ।

କୋରେଇ ଥାନା ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ

ଯାଜପୁର ରୋଡ : ଯାଜପୁର ଜିଲ୍ଲା କୋରେଇ ଥାନା ଅଧିକାରୀ ରାକେଶ ତ୍ରିପାଠୀଙ୍କୁ ସଂଘବଦ୍ଧ ଆକ୍ରମଣ । ଚୋରି ବାଇକ୍ ସିଜ୍ କରିବାକୁ ଆସିଥିବା ସମୟରେ ସଂଘବଦ୍ଧ ଆକ୍ରମଣର ଶିକାର ହୋଇଛନ୍ତି । କୋରେଇ ଥାନା ପୂର୍ବକୋଟ ହାଟ ନିକଟରେ ଥାନା କର୍ମଚାରୀଙ୍କ ସହ ଥାନା ଅଧିକାରୀଙ୍କୁ ଆକ୍ରମଣ କରି ଚୋରି ଗାଡି ଛଡେଇ ନେଲେ ଦୁର୍ବୁତ୍ତ । ଥାନା ଗାଡି ଭାଙ୍ଗିବା ସହ ଚୋରଙ୍କୁ ଛଡେଇ ନେଲେ ଦୁର୍ବୁତ୍ତ ।  କୁଆଖିଆ ଥାନା ଅଞ୍ଚଳରୁ ଚୋରି ହୋଇଥିବା ଏକ ବାଇକ୍ ସିଜ୍ କରିବାକୁ ଆଜି କୋରେଇ ପୋଲିସ କଣ୍ଟୋର ପଞ୍ଚାୟତ ତେଲେଙ୍ଗା ବସ୍ତି ନିକଟ ହାଟ ପଡ଼ିଆକୁ ଆସିଥିଲା । ସେଠାରେ ଚୋରଙ୍କୁ କାବୁ କରିଥିବା ବେଳେ ତେଲେଙ୍ଗା ବସ୍ତିର କିଛି ମହିଳା ସଂଘବଦ୍ଧ ଭାବେ ପୋଲିସକୁ ଆକ୍ରମଣ କରିଥିଲେ । ଗାଡି ଛଡାଇ ନେବା ସହ ଦୁର୍ବୁତ୍ତଙ୍କୁ ସେଠାରୁ ଫେରାର୍ କରି ପୋଲିସ ଗାଡି ଭଙ୍ଗାରୁଜା କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଆକ୍ରମଣରେ କୋରେଇ ଥାନା ଅଧିକାରୀ ରାକେଶ ତ୍ରିପାଠୀଙ୍କ ଆହତ ହୋଇଥିବା ଜଣାପଡିଛି ।

ରାଜ୍ୟ ରାଜକୋଷରୁ ୩ ବର୍ଷରେ ସାଢେ ୭ ହଜାର କୋଟି ଟଙ୍କା କାହା ପାଇଁ ?

ଭୁବନେଶ୍ବର : କାହା ସ୍ବାର୍ଥରେ ଅନ୍ତ୍ୟୋଦୟ ଗୃହ ଯୋଜନା ? ରାଜ୍ୟ ରାଜକୋଷରୁ ୩ ବର୍ଷରେ ସାଢେ ୭ ହଜାର କୋଟି ଟଙ୍କା କାହା ପାଇଁ ? ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କଚ୍ଚା ଘରେ ରହୁଥିବା ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇବାର ବ୍ୟବସ୍ଥା ଥିବା ବେଳେ, କ’ଣ ପାଇଁ ପୁଣି ଏକ ଯୋଜନାର ବୋଝ ? ରାଜ୍ୟରେ ପ୍ରଚାର ସର୍ବସ୍ବ ସରକାର ଆଉ ଏକ ଯୋଜନା ମାଧ୍ୟମରେ ନିଜର ଆତ୍ମ ପ୍ରଚାର କରୁଛନ୍ତି କି ? ଆବାସ ଯୋଜନାର ସଠିକ କାର୍ଯ୍ୟକାରିତା ଉପରେ ରହିଛି କି ସନ୍ଦେହ ? ଦିବ୍ୟାଙ୍ଗ, ବିଧବା, ରୋଗାକ୍ରାନ୍ତ, ସହିଦ ପରିବାର, ଘରପୋଡ଼ି, ବାତ୍ୟା, ବନ୍ୟା, ହାତୀ ଉପଦ୍ରବରେ କ୍ଷତିଗ୍ରସ୍ତ ପରିବାରକୁ ପକ୍କାଘର ଯୋଗାଇବା ପାଇଁ ଅନ୍ତ୍ୟୋଦୟ ଗୃହ ଯୋଜନା ଉଦ୍ଦିଷ୍ଟ ବୋଲି ସରକାର ପ୍ରଚାର କରିଛନ୍ତି। ଆବାସ ଯୋଜନା ହିତାଧିକାରୀ ଚୟନ ମାନଦଣ୍ଡରେ ସମସ୍ତେ ସାମିଲ ହୋଇଥିବା ବେଳେ, ଏଭଳି ଏକ ନୂଆ ଯୋଜନାର ଆବଶ୍ୟକତାକୁ ନେଇ ପ୍ରଶ୍ନ କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେଡି।

ଆବାସ ଯୋଜନାରେ କେନ୍ଦ୍ର ୬୦ ଓ ରାଜ୍ୟ ୪୦ ପ୍ରତିଶତ ଅନୁଦାନ ଦେଉଥିବା ବେଳେ, ଅନ୍ତ୍ୟୋଦୟ ଗୃହ ଯୋଜନାର ଅର୍ଥରାଶି ରାଜ୍ୟ ସରକାରଙ୍କ ନିଜସ୍ବ ବଜେଟରୁ ଖର୍ଚ୍ଚ ହେବ। ୨୫୦ ବର୍ଗଫୁଟର ଘର ପାଇଁ ସରକାର ଦେବେ ୧ ଲକ୍ଷ ୨୦ ହଜାର ଟଙ୍କା। ଯଦି ଆବାସ ଯୋଜନାରେ ରାଜ୍ୟର ସମସ୍ତ ହିତାଧିକାରୀ ସାମିଲ ହୋଇପାରିବେ, ତାହାଲେ ଅନ୍ତ୍ୟୋଦୟ ଗୃହ ଯୋଜନାର ଆବଶ୍ୟକତା କ’ଣ ? ଆବାସ ତାଲିକାରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ପକ୍କାଘର ଯୋଗାଇବା ପାଇଁ ନବୀନ ସରକାରରେ ହୋଇଥିଲା ବିଜୁ ପକ୍କାଘର ଯୋଜନା। ଏବେ ବିଜେପି କିନ୍ତୁ କରୁଛି ଅଜବ ଯୁକ୍ତି। ୨୦୧୬ରୁ ଆରମ୍ଭ ହୋଇଥିଲା ପିଏମ୍-ଆବାସ ଯୋଜନା। ମଞ୍ଜୁର ହୋଇଛି ୨୮ ଲକ୍ଷ ୨୫ ହଜାର ଘର, ୨୩ ଲକ୍ଷ ଘର କାମ ସରିଛି। ଯେଉଁମାନେ ବଞ୍ଚିତ ହୋଇଛନ୍ତି, ସେମାନଙ୍କ ପାଇଁ ଏବେ ସାରା ରାଜ୍ୟରେ ସର୍ଭେ ଚାଲିଛି। ଅନ୍ତ୍ୟୋଦୟ ଗୃହ ଯୋଜନାର ହିତାଧିକାରୀ ଚୟନ ପାଇଁ କୌଣସି ବିଜ୍ଞପ୍ତି ହୋଇନଥିବା ବେଳେ ଏହାର ତାଲିକାକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ।

ନିଷ୍କ୍ରିୟ ଫୋନ ନମ୍ବରରେ କାମ କରିବନି ଫୋନ୍ ପେ କି ଗୁଗୁଲ ପେ

ଭୁବନେଶ୍ବର : ନିଷ୍କ୍ରିୟ ଫୋନ ନମ୍ବରରେ କାମ କରିବନି ଫୋନ୍ ପେ କିମ୍ବା ଗୁଗୁଲ ପେ । ଗାଡ଼ିରେ ଥିବା ଫାସ୍ଟାଗ୍ରେ ଜମା ନଥିଲେ ଟୋଲଗେଟ୍ରେ ଡବଲ ତଣ୍ଡ ଗଣିବେ । ନୂଆ ଟିକସ ବ୍ୟବସ୍ଥାରେ ଅଗ୍ରୀମ ଟିକସ କାଟିହେବ । ଏହିପରି ଏପ୍ରିଲ ପହିଲାରୁ ୭ଟି ନିୟମରେ ହେଉଛି ପରିବର୍ତ୍ତନ । ଯାହାକୁ ଜାଣିବା ନିହାତି ଦରକାର । ୨୦୨୫ ଫେବୃଆରୀ ପହିଲାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତ୍ୟକ୍ଷ କରଦାତାଙ୍କ ପାଇଁ ଘୋଷଣା କଲେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଦେବାକୁ ପଡ଼ିବନି । ଏହି ସୁବିଧା ପାଇବା ପାଇଁ ଆୟକରଦାତାଙ୍କୁ ନୂଆ ଟିକସ ବ୍ୟବସ୍ଥାରେ ରିଟର୍ଣ୍ଣ ଫାଇଲ କରିବାକୁ ପଡ଼ିବ । ଏପ୍ରିଲ ପହିଲାରୁ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଅଗ୍ରୀମ ଟିଡିଏସ୍ କାଟିପାରିବେ । ଯାହାକୁ ଆସନ୍ତାବର୍ଷ ରିଟର୍ଣ୍ଣ ଫାଇଲ କରିବାବେଳେ ଫେରସ୍ତ ପାଇଁ ଦାବି କରିହେବ । ଫାସ୍ଟାଗ୍ରେ ଜମା ନଥିଲେ ଟୋଲଗେଟ୍ ଆସିବା ପୂର୍ବରୁ ଲୋକେ ରିଚାର୍ଜ କରିଦେଉଥଲେ । ଏଣିକି ଏ ସୁବିଧା ଆଉ ଉପଲବ୍ଧ ହେବ ନାହିଁ । ଟୋଲଗେଟ୍ ଦେଇ ଗାଡ଼ି ଯିବାର ଘଣ୍ଟାକ ପୂର୍ବରୁ ରିଚାର୍ଜ କଲେ ଫି ସହିତ କଟିବ ପେନାଲଟି । ଗାଡ଼ି ଟୋଲଗେଟ୍ ପାର୍ ହେବାର ୧୫ ମିନିଟ ପର୍ଯ୍ୟନ୍ତ ରିଚାର୍ଜ ଫାସଟ୍ୟାଗ୍ କାମ କରିବନି । ଯଦି ଗାଡ଼ିଚାଳିକ ୧୫ ମିନିଟ ଭିତରେ ପୁଣି ଥରେ ରିଚାର୍ଜ କରନ୍ତି ତାହେଲେ କଟିଥିବା ପେନାଲଟି ଫାସଟାଗ୍ ଆକାଉଣ୍ଟକୁ ଫେରିଆସିବ ।

୨୦୨୪ ଅଗଷ୍ଟରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାର ଲାଗୁ କରିଛନ୍ତି ୟୁନିଫର୍ମ ପେନ୍ସନ୍ ସ୍କିମ୍ । ଏହି ବ୍ୟବସ୍ଥାଟି ଏପ୍ରିଲ ପହିଲାରୁ ଲାଗୁ ହେବାକୁ ଯାଉଛି । ଏହି ବ୍ୟବସ୍ଥାରେ କର୍ମଚାରୀ ଅନ୍ୟୁନ ୨୫ ବର୍ଷ ଚାକିରି କରିଥିବେ । ସେ ଅବସର ନେବାର ୧୨ମାସ ପୂର୍ବରୁ ପାଇଥିବା ମୂଳ ଦରମାର ୫୦ ପ୍ରତିଶତ ପେନ୍ସନ୍ ଆକାରରେ ପାଇବେ । ଏଥିରେ ପ୍ରାୟ ୨୩ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏହାର ଲାଭ ପାଇବେ । ସେହିପରି ଜିଏସ୍ଟି ବ୍ୟବସ୍ଥାରେ ବି ପରିବର୍ତ୍ତନ ଦେଖିବାକୁ ମିଳିବ । ଏଣିକି କ୍ରୟ-ବିକ୍ରୟ ଓ ପରିବହନ ପାଇଁ ମିଳୁଥିବା ଇ-ଓ୍ବେ ବିଲ୍ ୧୮୦ଦିନ ପର୍ଯ୍ୟନ୍ତ ବୈଧ ରହିବ । ଏହାସହିତ ଜିଏସ୍ଟି ପୋର୍ଟାଲରେ ମଲ୍ଟି ଫ୍ୟାକଟ୍ର ଅଥେଣ୍ଟିକେସନ୍ ବ୍ୟବସ୍ଥା ଉପଲବ୍ଧ ହେବ । ଏହାସହିତ କେତେକ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସମେତ କେତେକ ଘରୋଇ ବ୍ୟାଙ୍କ ସେମାନଙ୍କ କ୍ରେଡିଟ କାର୍ଡରେ ରିଓ୍ବାର୍ଡ ପଏଣ୍ଟ୍ରେ ପରିବର୍ତ୍ତନ କରିଛନ୍ତି । ଏପ୍ରିଲ ପହିଲାରୁ କେତେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସେମାନଙ୍କ ସଞ୍ଜୟ ଖାତାରେ ଅନ୍ୟୁନ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ଜମା ରଖିବା ପାଇଁ ନିୟମ ପରିବର୍ତ୍ତନ କରିଛନ୍ତି ।

ଓଡ଼ିଶାରେ କେତେ ଥର ହୋଇଛି ଟ୍ରେନ ଦୁର୍ଘଟଣା, ଆଉ କେଉଁଠି ହୋଇଛି ଜାଣନ୍ତୁ

ଭୁବନେଶ୍ବର : ଓଡ଼ିଶାରେ ଅନେକ ସମୟରେ ଟ୍ରେନ ଦୁର୍ଘଟଣା ହୋଇଛି । ତେବେ ଆସନ୍ତୁ ଜାଣିବା କେଉଁଠି ଆଉ କେତେବେଳେ ଟ୍ରେନ୍ ଦୁର୍ଘଟଣା ହୋଇଥିଲା  ।

୧ ଜୁନ୧୯୯୫- ହୀରାକୁଦ ଏକ୍ସପ୍ରେସ ଦୁର୍ଘଟଣାରେ ୧୫ ମୃତ ହୋଇଥିଲା । ୧୫ ଅଗଷ୍ଟ ୧୯୯୭- ବିଶାଖାପାଟଣା-ବ୍ରହ୍ମପୁର ମଧ୍ୟରେ କରମଣ୍ଡଳ ଦୁର୍ଘଟଣାରେ ୭୫ ମୃତ ହୋଇଥିଲା । ୧୩ ଫେବ୍ରୁଆରୀ ୨୦୦୯- ଯାଜପୁରରେ ହାଓ୍ବଡା- ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ, ୧୬ ମୃତ, ୧୬୦ ଆହତ ହୋଇଥିଲେ । ୨୯ ସେପ୍ଟେମ୍ବର ୨୦୧୬- କଟକରେ ଟ୍ରେନ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  ମୃତ ୨୭ ଜାନୁଆରୀ ୨୦୨୨- କଟକ ରେଳ ଷ୍ଟେସନ ୟାର୍ଡରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିଲା । ସେହିପରି ୯ ଫେବୃଆରୀ ୨୦୨୨- ଖୋର୍ଦ୍ଧା ଆଙ୍କୁଲାରେ ମଧ୍ୟ ମାଲବାହୀ ଟ୍ରେନ ଲାଇନଚ୍ୟୁତ ।

୨୩ ଏପ୍ରିଲ ୨୦୨୨- ରାୟଗଡ଼ା ପିତାମହଲରେ ଧାନବାଦ-ଆଲେପି ଏକ୍ସପ୍ରେସ ଧକ୍କାରେ ୨୭ ମଇଁଷି ମୃତ ହୋଇଥିବା ବେଳେ ୨୧ ମେ ୨୦୨୨- ବାଲେଶ୍ବର ସୋରରେ ଚଳନ୍ତା ଟ୍ରେନରେ ନିଆଁ ଲାଗିଯାଇଥିଲା । ୩୦ ମେ ୨୦୨୨-ଖୋର୍ଦ୍ଧା କାଳୁପଡା ଘାଟରେ କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ ହୋଇଥିଲା । ୨୩ ଅଗଷ୍ଟ ୨୦୨୨-ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ଓ ୧୨ ସେପ୍ଟେମ୍ବର ୨୦୨୨ ଜୟପୁରର ଛତ୍ରିପୁଟରେ ବିଶାଖାପାଟଣା-କିରଣ୍ଡୁଳ ଟ୍ରେନ ଲାଇନଚ୍ୟୁତ ହୋଇଥିଲା ।

୧୭ ସେପ୍ଟେମ୍ବର ୨୦୨୨- ଭଦ୍ରକରେ ହାଓ୍ବଡା-ଭୁବନେଶ୍ବର ଜନଶତାବ୍ଦୀ ଏକ୍ସପ୍ରେସ ଲାଇନଚ୍ୟୁତ

୧୩ ଅକ୍ଟୋବର ୨୦୨୨- ସମ୍ବଲପୁର ସରଲା ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

୧୮ ଅକ୍ଟୋବର ୨୦୨୨-ଝାରସୁଗୁଡ଼ା-ବ୍ରଜରାଜନଗର ଷ୍ଟେସନରେ ପାସେଞ୍ଜର ଟ୍ରେନରେ ଅଗ୍ନିକାଣ୍ଡ

୨୦ ଅକ୍ଟୋବର ୨୦୨୨- ସୋରରେ ଖଡ଼ଗପୁର ଭୁବନେଶ୍ବର ମେମୁ ଟ୍ରେନରେ ଅଗ୍ନିକାଣ୍ଡ ।

୨୧ ନଭେମ୍ବର ୨୦୨୨-ଯାଜପୁର କୋରାଇରେ ମାଲବାହୀ ଟ୍ରେନ ଦୁର୍ଘଟଣା: ୩ ମୃତ

୨୨ ନଭେମ୍ବର ୨୦୨୨- ପୁରୀ ମାଳତିପାଟପୁରରେ ପୁରୀ-ହାଓ୍ୱଡା ଟ୍ରେନ ଲାଇନଚ୍ୟୁତ

୨ ଜୁନ ୨୦୨୩- ବାଲେଶ୍ବର ବାହାନଗାରେ ଦୁର୍ଘଟଣା: ୨୮୦ ମୃତ

୩୦ ମାର୍ଚ୍ଚ ୨୦୨୫- କଟକ ନିର୍ଗୁଣ୍ଡିରେ ବେଙ୍ଗାଳୁରୁ-କାମାକ୍ଷା ଏକ୍ସପ୍ରେସର ୧୧ ବଗି ଲାଇନଚ୍ୟୁତ ହୋଇଛି ।

କାହିଁକି ଲାଇନଚ୍ୟୁତ ହେଲା କାମାକ୍ଷା ଏକ୍ସପ୍ରେସ?

କଟକ : କାହିଁକି ଲାଇନଚ୍ୟୁତ ହେଲା କାମାକ୍ଷା ଏକ୍ସପ୍ରେସ? କଟକ ମଙ୍ଗୁଳି ଷ୍ଟେସନରେ କାମାକ୍ଷା ଏକ୍ସପ୍ରେସର ୧୧ଟି ବଗି ଲାଇନଚ୍ୟୁତ ହେବାର କାରଣ କଣ? ସୁପରଫାଷ୍ଟ ଏକ୍ସପ୍ରେସ ଲାଇନଚ୍ୟୁତ ହେବାର କାରଣ ଖୋଜିବା ପାଇଁ  ରେଳ ବିଭାଗର ଏକ କମିଟି  ଗଠିତ ହୋଇଛି । କମିଟି ତଦନ୍ତ କରି ରିପୋର୍ଟ ଦେବ ।  ତଦନ୍ତ କମିଟି ଦେଇଥିବା ରିପୋର୍ଟକୁ ରେଳ ମନ୍ତ୍ରଣାଳୟ କେତେ ଗୁରୁତର ସହ ନେବ ତାହା ଭିନ୍ନକଥା । କିନ୍ତୁ, ରେଳ ବିଭାଗର ଅବହେଳା ଯୋଗୁ ଯେ ବାରମ୍ବାର ରେଳ ଦୂର୍ଘଟଣା ଘଟୁଛି- ଏହା ସ୍ପଷ୍ଟ । ଜୁନ ୨୦୨୩ରେ ବାଲେଶ୍ବର ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣା ମନରୁ ନଲିଭିଣୁ, ଆଜିର ଏ ଟ୍ରେନ ଦୁର୍ଘଟଣା ସମସ୍ତଙ୍କୁ ଆତଙ୍କିତ କରିଛି ।

ଆଜିର ଦୁର୍ଘଟଣାର ପାରିପାଶ୍ବିକ ସ୍ଥିତି ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ଯେ- ରେଳଧାରଣାଗୁଡିକର ସଠିକ ରକ୍ଷଣାବେକ୍ଷଣ କରାଯାଉନାହିଁ । ବର୍ଷବର୍ଷ ଧରି ନୂଆ ରେଳଧାରଣା ପକାଯାଉନାହିଁ । ଏପରିକି ରେଳଧାରଣା ମଧ୍ୟରେ ଥିବା ପଥର ଗେଟି, ସିମେଣ୍ଟ ସ୍ଲାବର ମଧ୍ୟ ପରିବର୍ତ୍ତନ କରାଯାଉନାହିଁ । ନିୟମିତ ବ୍ୟବଧାନରେ ରେଳ ଧାରଣାର ଯାଞ୍ଚ ଓ ଖାମଖିଆଲି ମନୋଭାବ ଯୋଗୁ ରେଳଯାତ୍ରୀଙ୍କ ଜୀବନ ବିପଦରେ ପଡୁଛି । ଆଜି ମଧ୍ୟ ଦୁର୍ଘଟଣାର ଦୀର୍ଘ ସମୟ ପର୍ଯ୍ୟନ୍ତ ରେଳ ବିଭାଗ ମୃତାହତଙ୍କ ସଠିକ ସୂଚନା ଦେବାକୁ ଅସମର୍ଥ ହୋଇଥିଲା । ରେଳବାଇ ମୃତାହତଙ୍କ ସଂଖ୍ୟା ଲୁଚାଇବାକୁ ଚାହୁଁଥିଲା ନା, କାହା ଚାପରେ ସଂଖ୍ୟା କହୁନଥିଲା ତାକୁ ନେଇ ଉଠିଛି ପ୍ରଶ୍ନ । ବ୍ୟବସ୍ଥାଗତ ତୃଟି ଯୋଗୁ ଏଭଳି ଦୂର୍ଘଟଣାର ମୁଖ୍ୟ କାରଣ ବୋଲି ରେଳ ସୁରକ୍ଷା ବିଶେଷଜ୍ଞ କହିଛନ୍ତି ।