ଭୁବନେଶ୍ବର : ବିଧାନସଭାରେ କଂଗ୍ରେସ ବିଧାୟକ ଓ ସୁରକ୍ଷାକର୍ମୀ ମୁହାଁମୁହିଁ । ଟଣାଓଟରା ବେଳେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଆହତ ହୋଇଛନ୍ତି। ରାମଚନ୍ଦ୍ର କାଡାମଙ୍କ ହାତରେ ଆଘାତ ଲାଗିଛି। ଖବର ପାଇ ବିଧାନସଭା ସମ୍ମୁଖରେ ପହଞ୍ଚିଥିଲେ ବରିଷ୍ଠ କଂଗ୍ରେସ ନେତା। ବିଧାନସଭା ଭିତରେ ଥିବା ବିଧାୟକଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ ବରିଷ୍ଠ କଂଗ୍ରେସ ନେତା ଓ ପିସିସି ସଭାପତି। କିନ୍ତୁ ପୋଲିସ ସେମାନଙ୍କୁ ଅଟକାଇଥିଲା। ଯାହାକୁ ନେଇ ପୋଲିସ ସହ କିଛି ସମୟ ପାଇଁ କଂଗ୍ରେସ ନେତାଙ୍କର ଯୁକ୍ତିତର୍କ ହୋଇଥିଲା। ନିଜ ଦଳର ବିଧାୟକଙ୍କୁ ଭେଟିବାକୁ ଅଡି ବସିଥିଲେ କଂଗ୍ରେସ କର୍ମୀ। କିନ୍ତୁ ପୋଲିସ ସେମାନଙ୍କୁ ଛାଡିନଥିଲା। ଫଳରେ ବିଧାନସଭା ସମ୍ମୁଖରେ ଧାରଣାରେ ବସିଥିଲେ କଂଗ୍ରେସ କର୍ମୀ। ଶେଷରେ ପୋଲିସ କଂଗ୍ରେସ ନେତା ଓ ଛାତ୍ର କଂଗ୍ରେସ କର୍ମୀଙ୍କୁ ଉଠାଇନେଲା ପୋଲିସ। ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସର ୧୨ ଜଣ ବିଧାୟକଙ୍କୁ ନିଲମ୍ବିତ କରିଥିଲେ ବାଚସ୍ପତି। ନିଲମ୍ବନକୁ ବିରୋଧ କରି ଧାରଣା ଦେଇଥିଲେ କଂଗ୍ରେସ ବିଧାୟକ। ମାର୍ଶାଲ ଲଗାଇ ନିଲମ୍ବିତ କଂଗ୍ରେସ ବିଧାୟକଙ୍କୁ ବାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ ବାଚସ୍ପତି। ତେବେ ନିଲମ୍ବନକୁ ବିରୋଧ କରି ବିଧାନସଭାରେ ସାରା ରାତି ଧାରଣା ଦେବ ବୋଲି କହିଥିଲା କଂଗ୍ରେସ। ବାଚସ୍ପତିଙ୍କ ନିଷ୍ପତ୍ତିକୁ ବିରୋଧ କରି ଗୃହରେ ଧାରଣା ଦେଇଥିଲା କଂଗ୍ରେସ। ପଏଣ୍ଟ ଅଫ ଅର୍ଡର ନ ଦେବାରୁ ଅସନ୍ତୋଷ ଜାହିର କରିଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି। ଫଳରେ ଆସନ୍ତାକାଲି ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବି କରାଯାଇଛି। ତାରା ବାହିନୀପତି କହିଛନ୍ତି ଗଣତନ୍ତ୍ରର ହତ୍ୟା ହୋଇଛି। ଯେପର୍ଯ୍ୟନ୍ତ ନାରୀ ସୁରକ୍ଷା ପାଇଁ ଗୃହ କମିଟି ଗଠନ ନହୋଇଛି, ସେ ପର୍ଯ୍ୟନ୍ତ ବିଧାନସଭା ଭିତରେ ରାତି ସାରା ଧାରଣାରେ ବସିବେ ବୋଲି କହିଥିଲେ ତାରା ବାହିନୀପତି। ୱେଲରେ ଶୋଇବୁ, ଜବରଦସ୍ତ ଉଠାଇଲେ ପରେ ଦେଖାଯିବ ବୋଲି କହିଥିଲା କଂଗ୍ରେସ। ଆଜି କଂଗ୍ରେସର ୧୨ ଜଣ ବିଧାୟକ ବିଧାନସଭାରୁ ନିଲମ୍ବିତ ହୋଇଥିଲେ । ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବନ କରିଛନ୍ତି ବାଚସ୍ପତି। ତାରା ପ୍ରସାଦ ବାହିନୀପତି ଓ ରମେଶ ଜେନାଙ୍କୁ ଛାଡି ବାକି ସମସ୍ତଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି। କଂଗ୍ରେସ ଗୃହ ଚଳାଇ ଦେଉନଥିବା ଅଭିଯୋଗରେ ହୋଇଛନ୍ତି ନିଲମ୍ବିତ । ସେମାନଙ୍କୁ ୭ ଦିନ ପାଇଁ ନିଲମ୍ବିତ କରାଯାଇଛି। ନିଲମ୍ବିତ ବିଧାୟକମାନେ ହେଲେ ରାମଚନ୍ଦ୍ର କାଡାମ, ସୋଫିଆ ଫିର୍ଦ୍ଦୋସ, ଅଶୋକ ଦାସ, ରାଜନ ଏକ୍କା, ଦାଶରଥି ଗମାଙ୍ଗ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ପବିତ୍ର ସାଉନ୍ତା, ନୀଳମାଧବ ହିକକା ଓ କାଡ୍ରାକା ଆପାଲାସ୍ବାମୀ। ପୂର୍ବରୁ ୭ ଦିନ ପାଇଁ ନିଲମ୍ବିତ ହୋଇଥିଲେ ତାରା ବାହିନୀପତି।
ପ୍ରିପେଡ୍ ସ୍ମାର୍ଟ ମିଟର ରେଣ୍ଟ ଛାଡ଼ ପଛରେ ବଡ଼ ଷଡ଼ଯନ୍ତ୍ର
ଭୁବନେଶ୍ବର ; ପ୍ରିପେଡ୍ ସ୍ମାର୍ଟ ମିଟର ରେଣ୍ଟ ଛାଡ଼ ପଛରେ ରହିଛି ଶୋଷଣର ବଡ଼ ଷଡ଼ଯନ୍ତ୍ର। ଏପରି ସନ୍ଦେହ କରିଛି ଓଡ଼ିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ। ୬୦ ଟଙ୍କା ଲେଖାଏଁ ସ୍ମାର୍ଟ ମିଟର ରେଣ୍ଟ ଛାଡ଼ କରି ବିଦ୍ୟୁତ ଗ୍ରାହକଙ୍କୁ ଲୁଟିବାକୁ ବଡ଼ ଚକ୍ରାନ୍ତ କରାଯାଇଛି। ବିଦ୍ୟୁତ ଉପଭୋକ୍ତା ମହାସଂଘ କହିଛି, ଏଭଳି ଘୋଷଣାର ଉଦ୍ଦେଶ୍ୟ ହେଲା- ଲୋକେ ସ୍ମାର୍ଟ ମିଟର ଲଗାଇବେ। ତା ପରେ ଆରମ୍ଭ ହେବ ଶୋଷଣ। ଏବେ ଯାହାର ବିଲ୍ ହଜାରେ ଟଙ୍କା ଆସୁଛି, ସେମାନଙ୍କର ବିଲ୍ ୧୮୦୦ ଟଙ୍କା। ଏପରିକି ରାତି ଅଧରେ ପ୍ରିପେଡ଼ ରିଚାର୍ଜ ସରିଗଲେ, ଲାଇନ କଟିଯିବ। ଦେବାକୁ ପଡ଼ିବ ରିକନେକ୍ସନ ଚାର୍ଜ। ଲୋକଙ୍କୁ ଲୁଟ ପାଇଁ ଏହି ରେଣ୍ଟ ଛାଡ଼ କରାଯାଇଛି ଓ ଉପଭୋକ୍ତାଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଶୋଷଣର ବିଧିବଦ୍ଧ ଉଦ୍ୟମ ହୋଇଛି। ତେଣୁ ସ୍ମାର୍ଟ ମିଟର ଲଗାଇବା ସମ୍ପୂର୍ଣ୍ଣ ବନ୍ଦ କରାଯାଉ ବୋଲି ଦାବି କରି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କୁ ଚିଠି ଲେଖି ଦାବି ଜଣାଇଛି ମହାସଂଘ।
କଂଗ୍ରେସ ମଧ୍ୟ କହିଛି, ରାଜ୍ୟବାସୀଙ୍କୁ ଭୂତେଇବା ପାଇଁ ସ୍ମାର୍ଟ ମିଟର ରେଣ୍ଟ ଛାଡ଼ କରାଯାଇଛି । ସରକାରଙ୍କ ସହ ମିଲି ଭଗତରେ ଉପଭୋକ୍ତାଙ୍କୁ ଶୋଷଣ କରିବାକୁ ଏହି ଯୋଜନା। ଏହାକୁ ଜୋରଦାର ବିରୋଧ କରାଯିବ। ଦଳ ଅଭିଯୋଗ କରିଛି, ରାଜ୍ୟରେ ଅଘୋଷିତ ଏମର୍ଜେନସି ଲାଗୁ କରି ସାମ୍ବିଧାନିକ ସଂସ୍ଥାକୁ ଦୁର୍ବଳ କରୁଛି ବିଜେପି ସରକାର। ସେଭଳି ସଂସ୍ଥାକୁ ନିଜ ଅଧୀନକୁ ଆଣି ଜନବିରୋଧୀ ନିଷ୍ପତ୍ତି ନେଉଛି। ପ୍ରିପେଡ଼ ସ୍ମାର୍ଟ ମିଟର ଲଗାଗଲେ ରୋଷେଇ ଅଧା ରହିଯିବ, ହସ୍ପିଟାଲରେ ଅପରେସନ ଅଧାରେ ରହିଯିବ ଓ ଚତୁର୍ଦ୍ଦିଗ ଅନ୍ଧାର ହୋଇଯିବ। ସିପିଏମ୍ ମଧ୍ୟ କହିଛି, ପ୍ରିପେଡ୍ ସ୍ମାର୍ଟ ମିଟରକୁ ଗ୍ରହଣ କରାଯିବନି। ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଉ। ଏହା ସହିତ ଲଗାତର ପାୱାର କଟ୍ ବନ୍ଦ, ପ୍ରତିଶ୍ରୁତି ଅନୁଯାୟୀ ୩୦୦ ୟୁନିଟ ବିଜୁଳି ମାଗଣାରେ ପ୍ରଦାନ ଏବଂ ଓଡ଼ିଆରେ ବିଜୁଳି ବିଲ୍ ଦେବାକୁ ଓଇଆରସିକୁ ଚିଠି ଜରିଆରେ ଦୃଢ଼ ଦାବି ଜଣାଇଛି ଓଡ଼ିଶା ବିଦ୍ୟୁତ ଉପଭୋକ୍ତା ମହାସଂଘ।
ଅପାରଗ ସରକାରୀ କର୍ମଚାରୀଙ୍କୁ ବିଦା ନେଇ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ, ସମାଲୋଚନା କଲେ ବିରୋଧୀ
ଭୁବନେଶ୍ବର ; ବିଦା ହେବେ ଅପାରଗ ସରକାରୀ କର୍ମଚାରୀ। କାର୍ଯ୍ୟରେ ଅବହେଳା ସହ ସଚ୍ଚୋଟତାର ଅଭାବ ଥିବା ଅପାରଗ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ। ପ୍ରକୃତ ଅବସର ତାରିଖ ପୂର୍ବରୁ ଚାକିରୀ ବହିଷ୍କାର କରାଯିବ। ଏ ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସର୍କୁଲାରକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା। ଏ ସଂପର୍କିତ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ସର୍କୁଲାରରେ ଦର୍ଶାଯାଇଥିବା ନିୟମଗୁଡ଼ିକୁ ଅନେକ ବିଭାଗ ସମ୍ପୂର୍ଣ୍ଣ ଭାବେ ପାଳନ କରୁନଥିବା ସରକାରଙ୍କ ନଜରକୁ ଆସିଛି । ଫଳରେ ଯେଉଁ ଉଦ୍ଦେଶ୍ୟରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି, ତାହା ଫଳପ୍ରଦ ନହେବା ସହ ସଚ୍ଚୋଟତା ଓ ଦକ୍ଷତାର ମାନରେ ସ୍ପଷ୍ଟ ଅଭାବ ଥିବା ଅଧିକାରୀ ଓ କର୍ମଚାରୀମାନେ ସରକାରୀ ଚାକିରିରେ ରହିଛନ୍ତି। ଏହା କେବଳ ବ୍ୟବସ୍ଥାରେ ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁ ନାହିଁ ବରଂ ଜନସ୍ୱାର୍ଥ ପାଇଁ ମଧ୍ୟ ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହେଉଛି। ତେଣୁ କାର୍ଯ୍ୟରେ ସନ୍ଦେହଜନକ ସଚ୍ଚୋଟତା ଏବଂ ଅପାରଗତା ଥିବା ବ୍ୟକ୍ତିମାନଙ୍କୁ ସରକାରୀ ସେବାରୁ ହଟାଇ ସରକାରୀ କାର୍ଯ୍ୟାଳୟଗୁଡ଼ିକର ପ୍ରଭାବଶାଳୀ କାର୍ଯ୍ୟକାରିତା ଲାଗି ଜିଏ ଓ ପିଜି ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ନିୟମିତ ସମୀକ୍ଷା ବୈଠକ ଆୟୋଜନ ସୁନିଶ୍ଚିତ କରିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ନିଜ ନିଜ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ବିଭାଗୀୟ ମୁଖ୍ୟମାନଙ୍କୁ ଏ ସଂପର୍କରେ ନିର୍ଦ୍ଧାରିତ ସମୟରେ ସମୀକ୍ଷା ବୈଠକ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ସେପଟେ ସରକାରଙ୍କ ଏହି ନିର୍ଦ୍ଦେଶାବଳୀକୁ ନେଇ ସମାଲୋଚନା କରିଛନ୍ତି ବିରୋଧୀ। ସରକାର ଆଗ ବାଛନ୍ତୁ ଅପାରଗ ଅଫିସର କିଏ ବୋଲି କହିଛନ୍ତି ବିଜେଡି ବିଧାୟକ ଶାରଦା ଜେନା। କହିଛନ୍ତି ସେହି ଆଳରେ ଭଲ ଅଫିସରଙ୍କୁ କାଢ଼ିବାକୁ ଚେଷ୍ଟା କରାଯାଉଛି। ଭିଜିଲାନ୍ସ ରେଡ କରିବାକୁ ଯାଉଛି। ବହୁତ ସଂଖ୍ୟାରେ ଟଙ୍କା ମିଳୁଛି। ଏ କାହା ପଇସା। ଏହି ସରକାର ସମୟର ଟଙ୍କା। କଣ ଆକ୍ସନ ନିଆଯାଇଛି ବୋଲି ପଚାରିଛନ୍ତି ସାରଦା ଜେନା। ସରକାରୀ ଅଫିସରେ ଏତେ ଦୁର୍ନୀତି ହେଲାଣି ଯେ ୯ ମାସରେ ଏହାକୁ ବନ୍ଦ କରି ପାରିନାହାନ୍ତି ସରକାର। ସମସ୍ତେ ଦୁର୍ନୀତିରେ ଲିପ୍ତ ଥିବାରୁ ଲୋକଙ୍କ କାମ ହୋଇପାରୁନି।ଏଥିଲାଗି ଗାଇଡଲାଇନ ତିଆରି ହେଉ।ଭିଜିଲାନ୍ସକୁ ଅଧିକ ଅଧିକାରୀ ଦିଆଯାଉ। ଦୁର୍ନୀତି କଲେ ବରଖାସ୍ତ କରାଯାଉ। ତାହେଲେ ଭୟ ରହିବ ବୋଲି କହିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋସ। ସେପଟେ ବିଜେପି ସରକାରକୁ ଆସି ଦୁର୍ନୀତି ବିରୋଧରେ କାମ କରୁଛି ବୋଲି ଯବାବ ରଖିଛନ୍ତି ବିଜେପି ବିଧାୟକ ।
ମହାନଦୀ ଆନ୍ତଃ-ରାଜ୍ୟ ଜଳ ବିବାଦର ସମଧାନ ପାଇଁ ଫିଟିବ କି ବାଟ ?
ଭୁବନେଶ୍ବର ; ମହାନଦୀ ଆନ୍ତଃ-ରାଜ୍ୟ ଜଳ ବିବାଦର ସମଧାନ ପାଇଁ ଫିଟିବ କି ବାଟ ? ଛତିଶଗଡ଼-ଓଡ଼ିଶାର ଦୁଇ ବିଜେପି ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ପରେ ମହାନଦୀକୁ ନେଇ ପୁଣି ଚର୍ଚ୍ଚା । ଉଭୟ ରାଜ୍ୟ ମୁଖ୍ୟଙ୍କ ଆପୋଷ ଆଲୋଚନା ଉପରେ ସମସ୍ତଙ୍କ ନଜର। କଣ ହୋଇପାରେ ସମାଧାନର ବାଟ ? କଣ ରହିଛି ଟ୍ରିବ୍ଯୁନାଲରେ ବିଚାରାଧୀନ ମାମଲାର ସ୍ଥିତି ? ଦ୍ବିପାକ୍ଷିକ ବୈଠକରେ କଣ ଦାବି କରିପାରେ ଓଡ଼ିଶା ? ଏହାକୁ ନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ସାକ୍ଷ୍ୟ ତାଲିକାର ଅନ୍ୟତମ ସଦସ୍ୟ ତଥା ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀ ରମେଶ ତ୍ରିପାଠୀ କହିଛନ୍ତି, ପ୍ରଥମେ ଓଡ଼ିଶା ଜଳ ସଂରକ୍ଷଣର ଯୋଜନା କରିବା ଦରକାର। ଟ୍ରିବ୍ଯୁନାଲର ଅନୁମତି ନେଇ ହୀରାକୁଦରୁ ପାରାଦୀପ ମଧ୍ୟରେ ଦୁଇ-ଚାରୋଟି ଛୋଟ ବ୍ୟାରେଜ ନିର୍ମାଣ କରିବା ଦରକାର। ଯେଉଠି ଖରାଦିନ ପାଇଁ ଜଳ ସଂରକ୍ଷଣ ହେବ ଏବଂ ବିଜୁଳି ଉତ୍ପାଦନ ମଧ୍ୟ ହୋଇପାରିବ । ଏହା ସହ ଖରାଦିନେ ପର୍ଯ୍ୟାପ୍ତ ପରିମାଣର ଜଳ ପ୍ରବାହ ପାଇଁ ଓଡ଼ିଶା ଦାବି କରିବା ଉଚିତ।
ଖରାଦିନେ ମହାନଦୀ ପାଣି ଛତିଶଗଡ଼ ଅଟକାଉଥିବାରୁ ଓଡ଼ିଶାକୁ ଯେତିକି ପାଣି ଆବଶ୍ୟକ ତାହା ମିଳୁନାହିଁ। ୧୬ ଟି ଜିଲ୍ଲାର ଲୋକେ ମହାନଦୀ ଜଳ ଉପରେ ନିର୍ଭରଶୀଳ ଥିବାରୁ ଖରାଦିନେ ୨ଲକ୍ଷ ମିଲିଅନ୍ ଏକର ଫୁଟ ଜଳ ଆବଶ୍ୟକ। ହେଲେ ଏବେ ମିଳୁଛି ମାତ୍ର ୧.୨୫ଲକ୍ଷ ମିଲିଅନ୍ ଏକର ଫୁଟ ପାଣି । ଆପୋଷ ଆଲୋଚନା ହେଲେ ଓଡ଼ିଶା ପ୍ରଥମେ ଖରାଦିନେ ଆବଶ୍ୟକ ଜଳ ଛାଡ଼ିବାକୁ ଛତିଶଗଡ଼ ପାଖରେ ଦାବି ରଖିବା କଥା ବୋଲି ବିଶେଷଜ୍ଞ କହିଛନ୍ତି। ଏହା ସହ ସରକାର ଆଲୋଚନା ପୂର୍ବରୁ ମହାନଦୀର ସୁରକ୍ଷା ପାଇଁ କାମ କରୁଥିବା ବିଭିନ୍ନ ଜନ ସଙ୍ଗଠନକୁ ସାମିଲ କରିବାକୁ ମହାନଦୀ ବଞ୍ଚାଅ ଅଭିଯାନ ଦାବି କରିଛି। ଆନ୍ତଃ-ରାଜ୍ୟ ଜଳ ବିବାଦ ଟ୍ରିବ୍ଯୁନାଲରେ ମାମଲା ବିଚାରାଧୀନ ଥିବା ବେଳେ ଉଭୟ ରାଜ୍ୟ ଆପୋଷ ଆଲୋଚନା କରି ସମାଧାନ ପାଇଁ ଟ୍ରିବ୍ଯୁନାଲ ସବୁଜ ସଙ୍କେତ ଦେଇଛି। ଉଭୟଙ୍କ ମଧ୍ୟରେ ଯାହା ସମାଧାନ ହେବ, ତାହା ଗ୍ରହଣ କରିବାରେ ଟ୍ରିବ୍ଯୁନାଲ ପାଇଁ କିଛି ସମସ୍ୟା ହେବ ନାହିଁ। ହେଲେ ଉଭୟ ରାଜ୍ୟ ମଧ୍ୟରେ ଆଲୋଚନା ଆରମ୍ଭ ପାଇଁ କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତା ଗୁରୁତ୍ବପୂର୍ଣ୍ଣ।
ରଣ ହୁଙ୍କାର ଦେଲା ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ, କାଲି କମ୍ପିବ ଭୁବନେଶ୍ବର ଗାନ୍ଧୀମାର୍ଗ
ଭୁବନେଶ୍ବର ; ଋଣହୁଂକାର ଦେଲା ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ । କାଲି କମ୍ପିବ ଭୁବନେଶ୍ବର ଗାନ୍ଧୀମାର୍ଗ । ସାରା ଓଡ଼ିଶାରୁ ଏକାଠି ହେବେ ୭୦ ହଜାର କର୍ମଚାରୀ । ସ୍ଥାୟୀ ନିଯୁକ୍ତି ଦାବି ପୂରଣ ନହେବା ପର୍ଯ୍ୟନ୍ତ ଛାଡ଼ିବେନି ରାଜରାସ୍ତା । ମହାସଂଘ ଅଧ୍ୟକ୍ଷଙ୍କ ଅଭିଯୋଗ, ଦୀର୍ଘ ୯ ମାସ ଧରି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଉଛି । ୩୦ଟି ସ୍ମାରକପତ୍ର ଦିଆଗଲା । ହେଲେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରତିବିଧାନ କରିବେ କଣ । ଅଭିଯୋଗ ପତ୍ରଟି କେବଳ ଅଧିକାରୀଙ୍କୁ ବଢେଇ ଦେଇ ନିରବ ରହୁଛନ୍ତି । ସ୍ବାସ୍ଥ୍ୟ, ଅଗ୍ନି ନିର୍ବାପକ, ଜଙ୍ଗଲ , ଜଳଯୋଗାଣରେ ନିୟୋଜିତ ମାତ୍ର ୫ ପ୍ରତିଶତ କର୍ମଚାରୀଙ୍କୁ ଛାଡ଼ି ସମସ୍ତେ ଭୁବନେଶ୍ବରରେ ହେବାକୁ ଥିବା ଆନ୍ଦୋଳନରେ ଯୋଗଦେବେ । ଆଉଟସୋର୍ସିଂ କର୍ମଚାରୀଙ୍କୁ ନିୟମିତ କରିବେ କଣ । ଦିନକୁ ଦିନ ଛଟେଇ ବୃଦ୍ଧି ପାଉଛି ।
ପୂର୍ବ ସରକାର ଆମ ଦୁଃଖ ବୁଝିଥିଲେ । ଇଏସ୍ଆଇ ସୁବିଧା ସହିତ ମହିଳା କର୍ମଚାରୀଙ୍କ ମାତୃତ୍ବ ଛୁଟି ଲାଗୁ କରିଥିଲେ । ଏବର ମୁଖ୍ୟମନ୍ତ୍ରୀ ବିରୋଧୀରେ ଥିବାବେଳେ ଆମକୁ ସମର୍ଥନ ଜଣାଇଥିଲେ । କିନ୍ତୁ କ୍ଷମତାକୁ ଆସିବା ପରେ ଆଦୌ ଆମ ସହ ଥରୁଟିଏ ଆଲୋଚନା କଲେନି । ମୁଖ୍ୟମନ୍ତ୍ରୀଙ୍କ ବିଭାଗଠୁ ଆରମ୍ଭ କରି ରାଜ୍ୟର ୪୨ଟି ବିଭାଗରେ ଏହି କର୍ମଚାରୀ କାମ କରୁଛନ୍ତି । ଗତ ୧୭ ତାରିଖରୁ ୨୧ ତାରିଖ କଳାବ୍ୟାଜ ପିନ୍ଧି ପ୍ରତିବାଦ କଲୁ । ଆନ୍ଦୋଳନ ଡାକରା ଦେଲୁ । ଅପେକ୍ଷା କରିଥିଲୁ ସରକାର ଆଲୋଚନାକୁ ଡାକିବେ । କିନ୍ତୁ ମୋହନ ସରକାର ପେଟପାଟଣା କଥା ବୁଝୁନାହାନ୍ତି । ଆସନ୍ତାକାଲିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବୁ । ଆସନ୍ତାକାଲି ପଞ୍ଚାୟତ, ବ୍ଲକ୍ସ୍ତରରୁ ଆରମ୍ଭ କରି ସଚିବାଳୟ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀ ଆନ୍ଦୋଳନରେ ଯୋଗଦେବେ । ମହାସଂଘ କହିଛି, ଉତ୍ତରପ୍ରଦେଶ ଡବଲ ଇଞ୍ଜିନ ସରକାର ହୋଇ ଆଉଟସୋର୍ସିଂ ବ୍ୟବସ୍ଥା ଉଠେଇଦେବାକୁ ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶାରେ ଡବଲ ଇଞ୍ଜିନ୍ ସରକାର କାହିଁକି କର୍ମଚାରୀଙ୍କ ନ୍ୟାଯ୍ୟ ଦାବିକୁ ଅବହେଳା କରିଚାଲିଛନ୍ତି ବୋଲି ପ୍ରଶ୍ନ ଉଠିଛି ।
କାଳବୈଶାଖୀ ତାଣ୍ଡବର ୫ ଦିନ ପରେ ବି ଦୁର୍ଦ୍ଦଶାର ଅନ୍ତ ନାହିଁ
ବାରିପଦା : ସବୁ ଛଡାଇନେଲା କାଳବୈଶାଖୀ। କାହାକୁ ବି ଛାଡ଼ିଲାନ ତାଣ୍ଡବ। ଚାଳଘରଠାରୁ ଆରମ୍ଭ କରି ଛାତଘର। ସବୁଠି କ୍ଷତି ପହଞ୍ଚାଇଛି ଅଦିନିଆ ବିପତ୍ତି। କେଉଁଠି ଘର ନଇଁ ପଡିଛି ତ କେଉଁଠି ଉଡିଯାଇଛି ଆଜବେଷ୍ଟସ। ଗଛଲତା ହୋଇଯାଇଛନ୍ତି ଶ୍ରୀହୀନ। ଏବେ ପ୍ରଶ୍ନ- ବଞ୍ଚିବୁ କେମିତି। କିଏ ହେବ ସାହାରା। ମୟୂରଭଞ୍ଜ ବାଙ୍ଗିରିପୋଷି ଓ ବିଶୋଇ ଅଞ୍ଚଳରେ ଗତ ଗୁରୁବାର ଥିଲା କାଳରାତ୍ରୀ। ବହିଥିଲା ଅଣଚାଶ ପବନ। କୁଆପଥର ମାଡ ସହ ପବନର ବେଗ ଓ ବର୍ଷାରେ ଛାରଖାର ହୋଇଯାଇଥିଲା ଭିଟାମାଟି। ନିମିଷକେ ମଧ୍ଯରେ ସବୁ ଫୁଟପାଥର ବାସିନ୍ଦା ହୋଇଯାଇଥିଲେ ହଜାର ହଜାର ଲୋକ। କାଳ ରାତିକୁ ବିତିଲାଣି ପାଞ୍ଚ ଦିନ। ଦୁଃଖ ଦୁର୍ଦ୍ଦଶାରେ ଏବେବି ଜୀବନ କାଟୁଛନ୍ତି କ୍ଷତିଗ୍ରସ୍ତ ଗ୍ରାମବାସୀ। ନା ମିଳିଛି ପାଲ, ନା ସରକାରୀ ସହାୟତା । ଖୋଲା ଆକାଶ ତଳେ ଦିନରାତି କାଟୁଛନ୍ତି ଲୋକେ। ଧାନ ଭିଜିଯିବା ସହ ବର୍ଷକର ଦାନା ଛଡାଇନେଇଛି କାଳବୈଶାଖୀ। ନଷ୍ଟ ହୋଇଯାଇଛି ପିଲାଙ୍କ ବହିପତ୍ର। ଏକର ଏକର ଚାଷଜମି ହୋଇଯାଇଛି ନଷ୍ଟ। ବିଲରେ ମକା, କୁନ୍ଦୁରି, କଖାରୁ, ବାଇଗଣ ଫସଲର ହଜିଯାଇଛି ଚିହ୍ନବର୍ଣ୍ଣ। ଭାଙ୍ଗିଯାଇଛି ଶହ ଶହ ଅନ୍ନଦାତାଙ୍କ ଅଣ୍ଟା। ସହାୟତା ଲାଗି ଚାହିଁବସିଛନ୍ତି ବାସିନ୍ଦା।
ଗତକାଲି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବିବୃତି ପରେ ସତ୍ୟତା ଜାଣିବା ପାଇଁ. ଗ୍ରାଉଣ୍ଡ ଜିରୋରେ ପହଞ୍ଚିଥିଲା ନନ୍ଦିଘୋଷ ଟିଭି । ଗ୍ରାଉଣ୍ଡ ଜିରୋର ଅସହାୟଙ୍କ ନିକଟରେ ପହଞ୍ଚି ସାଉଁଟିଥିଲା ତଥ୍ୟ। ମନ୍ତ୍ରୀଙ୍କ ବକ୍ତବ୍ୟର କିଛି ସତ୍ୟତା ନାହିଁ ବୋଲି କହିଛନ୍ତି ବାଙ୍ଗିରିପୋଷି ବ୍ଲକ ଚାଷୀ ଓ ଗ୍ରାମବାସୀ। ଦୁଇଟି ସ୍ଥାନ ଛାଡିଦେଲେ ଗ୍ରାଉଣ୍ଡ ଜିରୋରେ ମନ୍ତ୍ରୀ କିମ୍ବା ପ୍ରଶାସନିକ ଅଧିକାରୀଙ୍କ ପାଦ ପଡ଼ିନାହିଁ। ମନ୍ତ୍ରୀ ମିଛ କହି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ହୋଇଛି ଅଭିଯୋଗ। ବିପନ୍ନଙ୍କ ନିକଟରେ ଏବେ ବି ପହଞ୍ଚିନାହିଁ ମେଡିକାଲ ଟିମ। ସରକାରଙ୍କ ପକ୍ଷରୁ ବି ମିଳିନାହିଁ ସହାୟତା।
ସରକାରଙ୍କ ପକ୍ଷରୁ ବାଙ୍ଗିରିପୋଷି ତହସିଲ ଅଧିନରେ ପାଖାପାଖି ୧୨ଟି ପଞ୍ଚାୟତର ୮୨ ଗାଁ କ୍ଷତିଗ୍ରସ୍ତ ହୋଇଛି। ଜିଳ୍ଲାର ୧୬ଟି ବିଭିନ୍ନ ତହସିଲରୁ ଅସି ଅଧିକାରୀ ସର୍ଭେରେ ଲାଗିଛନ୍ତି। ସେଥି ମଧ୍ୟରୁ ତିନି ହଜାରରୁ ଉର୍ଦ୍ଧ୍ବ ଘର ନଷ୍ଟ ହୋଇଥିବା ବେଳେ ୨୩୩ ଜଣ କ୍ଷତିଗ୍ରସ୍ତ ହିତାଧୀକାରୀଙ୍କ ଖାତାକୁ ୧୪ଲକ୍ଷ ୯୬ହଜାର ୫୦୦ ଟଙ୍କା ବ୍ୟାଙ୍କ ମାଧ୍ୟମରେ ପଠାଯାଇଛି। ସମ୍ପୂର୍ଣ ସର୍ଭେ ପରେ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ତହସିଲଦାର କହିଛନ୍ତି। କାଳବୈଶାଖୀ ବର୍ଷା ଓ କୁଆପଥର ମାଡରେ ଗରିବ ଅସହାୟ ଲୋକମାନେ ତଳିତଳାନ୍ତ ହୋଇଛନ୍ତି । ସରକାର କେବେ ସେମାନଙ୍କୁ ସହାୟତା ପ୍ରଦାନ କରିବେ ସେହି ଅପେକ୍ଷାରେ ଅଛନ୍ତି କ୍ଷତିଗ୍ରସ୍ତ।
ପ୍ରତିବାଦ ଓ ନାରାବାଜିରେ ଚାଲିପାରୁନି ପ୍ରଶ୍ନକାଳ କି ଶୂନ୍ୟକାଳ
ଭୁବନେଶ୍ବର : ବିଧାନସଭାରେ ଜିଦରେ ଅଟଳ ବିରୋଧୀ। ନାରୀଙ୍କୁ ସୁରକ୍ଷା ନେଇ ଗଠନ ହେଉ ଗୃହ କମିଟି। ପ୍ରତିବାଦ ଓ ନାରାବାଜିରେ ଚାଲିପାରୁନି ପ୍ରଶ୍ନକାଳ କି ଶୂନ୍ୟକାଳ। ହଟ୍ଟଗୋଳ ଯୋଗୁ ଧୋଇଯାଉଛି ଗୁରୁତ୍ବପୂର୍ଣ୍ଣ ଆଲୋଚନା। ଲଗାତର ୧୨ ଦିନ ହେଲାଣି ବିଧାନସଭାରେ ଜାରି ରହିଛି ଅଚଳାବସ୍ଥା। ରାଜ୍ୟରେ ଅସୁରକ୍ଷିତ ମହିଳା, ଗର୍ଭବତୀ ହେଉଛନ୍ତି ନାବାଳିକା। ତେଣୁ ସରକାର ତୁରନ୍ତ ଗୃହ କମିଟି ଗଠନ କରନ୍ତୁ ବୋଲି ଦାବି କରିଛି କଂଗ୍ରେସ। ଘଣ୍ଟ ଘଣ୍ଟା, ବଇଁଶୀ ଓ ଗିନି ବଜାଇ ନିଜର ଦାବିକୁ ଦୋହରାଇଛି କଂଗ୍ରେସ। ଅନ୍ୟପଟେ ଜାତିଭିତ୍ତିକ ଜନଗଣନା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ପ୍ରବେଶ ପଥକୁ ଅବରୋଧ କରି ଗୃହରେ ପ୍ରତିବାଦ କରିଛି ବିଜେଡି। ବିହାରରେ ଜାତିଭିତ୍ତିକ ଜନଗଣନା ହୋଇଛି। ହେଲେ ଓଡ଼ିଶାରେ କାହିଁକି ହେଉନି ବୋଲି ପ୍ରଶ୍ନ କରିଛି ବିଜୁ ଜନତା ଦଳ। ସଂଖ୍ୟା ଯାହାର ଯେତେ, ତା ଭାଗିଦାରୀ ସେତେ ହେବା ନ୍ୟାୟକୁ ଦୋହରାଇଛି ଦଳ। ରାଜ୍ୟରେ ନୂଆ ସରକାର ଆସିଲା। ଜୁନ ଜୁଲାଇରେ ନାମଲେଖା ସରିଗଲା। ହେଲେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେଲାନି। ନବୀନ ପଟ୍ଟନାୟକଙ୍କ ଶାସନରେ ସଂରକ୍ଷଣକୁ ୨୦ ପ୍ରତିଶତରୁ ୩୮.୭୫%କୁ ବୃଦ୍ଧି କରାଯାଇଥିଲା। କିନ୍ତୁ ଏବେ ବୈଷୟିକ ଶିକ୍ଷାରେ କେବଳ ୨୦ ପ୍ରତିଶତ ସଂରକ୍ଷଣ ମିଳୁଛି। ଅନୁସୂଚିତ ଜାତିଙ୍କ ପାଇଁ ୮ ଓ ଜନଜାତିଙ୍କ ପାଇଁ ୧୨ ପ୍ରତିଶତ ସଂରକ୍ଷଣ ରହୁଛି। କାହିଁକି ୪୯.୯୮ ପ୍ରତିଶତ ନ ମିଳିବ ବୋଲି ପ୍ରଶ୍ନ କରିଛି ବିଜେଡି। ସେପଟେ OBCଙ୍କୁ ଆଦୌ ସଂରକ୍ଷଣ ମିଳୁନି। ଯାହା ସେମାନଙ୍କ କ୍ଷେତ୍ରରେ ଅବିଚାର ବୋଲି ଅଭିଯୋଗ କରିଛି ଦଳ। ଜାତିଭିତ୍ତିକ ଜନଗଣନା ସହ ଏସସି ଓ ଏସଟିଙ୍କ ପାଇଁ ସଂରକ୍ଷଣ ଦାବିକୁ ଦୋହରାଇଛି ବିଜେଡି।
ବିରୋଧୀରେ ଥିବା ସମୟରେ ପଛୁଆ ବର୍ଗଙ୍କ ଅଧିକାର ପାଇଁ ଚିତ୍କାର କରୁଥିଲା ବିଜେପି। ହେଲେ ସରକାରକୁ ଆସିବା ପରେ ପଦକ୍ଷେପ ଶୂନ। ବାରମ୍ବାର ଗୃହକୁ ମୁଲତବି କରି ସରକାରୀ ଦଳ କି ଆଲୋଚନା କଥା କହୁଛନ୍ତି ବୋଲି ପ୍ରଶ୍ନ କରିଛି ବିଜୁ ଜନତା ଦଳ।
ଗୃହରେ ବାଜା କି ହୁଇସିଲ ନ ବଜାଇବାକୁ ଉପବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆଜି ବି ବିଧାନସଭାରେ ବାଜା ବଜାଇ ପ୍ରତିବାଦ ଜାରି ରଖିଥିଲା କଂଗ୍ରେସ। ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ୱରେ ଅଛନ୍ତି। ନାରୀ ସୁରକ୍ଷା ପାଇଁ ଗୃହ କମିଟି କରୁନଥିବାରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରତିବାଦ ଜାରି ରଖିଛି କଂଗ୍ରେସ। ନିଲମ୍ବନ ଓ ମୁଲତବିରେ ଚାଲିଛି ଗୃହକାର୍ଯ୍ୟ। ହେଲେ ବିରୋଧୀଙ୍କୁ ନେଇ କିପରି ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇ ସମାଧାନର ବାଟ ବାହାରିବ, ସେଥିପାଇଁ ସରକାରୀ ଦଳ କି ବାଚସ୍ପତି ସଚେତନ ନଥିବା ନେଇ ଚର୍ଚ୍ଚା ଜୋର ଧରିଛି।
ବିପର୍ଯ୍ୟୟ ପରିଚାଳନା ସଂଶୋଧନ ବିଲ ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ : ମାନସ ମଙ୍ଗରାଜ
ନୂଆଦିଲ୍ଲୀ : ବିପର୍ଯ୍ୟୟ ପରିଚାଳନା ସଂଶୋଧନ ବିଲ ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ। ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ବା ଏନଡିଆରଏଫର ବ୍ୟବହାରକୁ ବିକେନ୍ଦ୍ରୀକରଣ କରିବା ବଦଳରେ କେନ୍ଦ୍ର ସରକାର ଏହା ଉପରେ ଅଧିକ ନିୟନ୍ତ୍ରଣ ଜାହିର କରିଛନ୍ତି। ମୂଳ ଆଇନରେ ଜାତୀୟ, ରାଜ୍ୟ ଓ ଜିଲ୍ଲା ସ୍ତରରେ ପଦାଧିକାରୀମାନଙ୍କ ଦାୟିତ୍ବକୁ ଗୁରୁତ୍ବ ଦିଆଯାଇଥିବାବେଳେ ନୂଆ ବିଲରେ ଏସବୁର ବିପରୀତ ଦିଗକୁ ପ୍ରାଧାନ୍ୟ ଦିଆଯାଇଛି ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ। ରାଜ୍ୟସଭାରେ ବିଲ୍ ସମ୍ପର୍କରେ ଆଲୋଚନା ବେଳେ ସେ କହିଛନ୍ତି -ଗତ ୨୫ ବର୍ଷରେ ଓଡିଶା ୧୭ଟି ବଡ ବନ୍ୟା, ୧୧ଟି ମରୁଡି, ୧୨ରୁ ଅଧିକ ସାଇକ୍ଲୋନର ସମ୍ମୁଖୀନ ହୋଇଛି। ଏହି ସବୁ କାରଣରୁ ୨୦୦୦ରୁ ୨୦୨୦ ମଧ୍ଯରେ ଓଡ଼ିଶା ୮ ଲକ୍ଷ ୫୦ ହଜାର କୋଟି ଟଙ୍କାର କ୍ଷତି ସହିଛି। କିନ୍ତୁ କେନ୍ଦ୍ର ସରକାର ଏହି କ୍ଷତିର ଏକ ଦଶମାଂଶ ଅର୍ଥାତ ମାତ୍ର ୭ ହଜାର ୫୦୦ କୋଟିରୁ କମ୍ ଟଙ୍କା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଏହି ନଗଣ୍ୟ ଅନୁଦାନ ଅତ୍ୟନ୍ତ ଦୁଃଖଦାୟକ ଏବଂ ବିପୁଳ କ୍ଷତିର ସମ୍ମୁଖୀନ ହୋଇଥିବା ପୀଡ଼ିତଙ୍କ ଲାଗି ଏକ ଉପହାସ। ତେଣୁ ବିପର୍ଯ୍ୟୟ ପରିଚାଳନ କ୍ଷେତ୍ରରେ କେନ୍ଦ୍ର ସରକାର ନିଜର ମାନସିକତାରେ ପରିବର୍ତ୍ତନ କରନ୍ତୁ ବୋଲି କହିଛନ୍ତି ସାଂସଦ ମାନସ ମଙ୍ଗରାଜ। ସେ କହିଛନ୍ତି- ୨୯ ଅକ୍ଟୋବର ୧୯୯୯ ମହାବାତ୍ୟାରେ ଓଡ଼ିଶା ଭୟଙ୍କର କ୍ଷତିଗ୍ରସ୍ତ ହୋଇଥିଲା। ୧୦ ହଜାର ଲୋକ ପ୍ରାଣ ହରାଇଥିବା ନେଇ ସରକାରୀ ରିପୋର୍ଟ ଥିଲେ ବି ଏହି ସଂଖ୍ୟା ବହୁତ ଅଧିକ ଥିଲା। ଏଥିଲେ ୧୩ ଲକ୍ଷ ହେକ୍ଟର ଧାନଚାଷ, ୧ ଲକ୍ଷ ୭୬ ହଜାର ହେକ୍ଟର ଉଦ୍ଯାନ ଚାଷ, ୨ ଲକ୍ଷ ୫୭ ହଜାର ହେକ୍ଟର ଅନ୍ୟାନ୍ଯ ଚାଷ ନଷ୍ଟ ହୋଇଯାଇଥିଲା। ଏସବୁକୁ ଦୃଷ୍ଟିରେ ରଖି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଐତିହାସିକ ବିପର୍ଯ୍ୟୟ ପରିଚାଳନା ନିଷ୍ପତ୍ତି ନେଇଥିଲେ ବୋଲି ସେ କହିଛନ୍ତି। ୨୦୧୩ରେ ଫାଇଲିନ, ୨୦୧୪ରେ ହୁଦହୁଦ, ୨୦୧୮ରେ ତିତଲି, ୨୦୧୯ରେ ଫନି, ୨୦୨୦ରେ ଅମ୍ଫାନ, ୨୦୨୧ରେ ଆସିଥିଲା ସାଇକ୍ଲୋନ ୟାସ। ନବୀନଙ୍କ ଦୃଢ ନେତୃତ୍ବ ବଳରେ ଏହି ସମସ୍ତ ବିପର୍ଯ୍ୟୟର ସଫଳ ମୁକାବିଲା କରାଯାଇଥିଲା। କ୍ଷୟକ୍ଷତି ପରିମାଣ ବି ଉଲ୍ଲେଖନୀୟ ଭାବେ ହ୍ରାସ ପାଇଥିଲା। ଏହି ସଫଳତା କାରଣରୁ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବା ଓସଡମା କେନ୍ଦ୍ର ସରକାରଙ୍କ ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର ଲାଭ କରିଥିଲା। ପ୍ରତି ଜୀବନ ମୂଲ୍ୟବାନ ସଂକ୍ରାନ୍ତ ନବୀନଙ୍କ ବାର୍ତ୍ତାକୁ ବି ଜାତିସଂଘ ପ୍ରଶଂସା କରିଥିଲା। ଓଡିଶାକୁ ଏକ ବିପର୍ଯ୍ୟୟ ପ୍ରତିରୋଧୀ ରାଜ୍ୟରେ ପରିଣତ କରିବାରେ ନବୀନଙ୍କ ଭୂମିକା ଅଗ୍ରଗଣ୍ୟ। ଏହି ସଫଳତା ସତ୍ତ୍ବେ କେନ୍ଦ୍ର ସରକାରଙ୍କ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଓଡିଶାକୁ ପର୍ଯ୍ୟାପ୍ତ ସହାୟତା ଯୋଗାଯାଇନାହିଁ। ପ୍ରସ୍ତାବିତ ସଂଶୋଧନ ବିଲ୍ ଏହି ପାଣ୍ଠିର ବ୍ୟବସ୍ଥା ନେଇ ଅଧିକ ଆଶଙ୍କା ସୃଷ୍ଟି କରୁଛି। ୨୦୦୫ର ମୂଳ ଆଇନରେ ବିପର୍ଯ୍ୟୟ ମୁକାବିଲାକୁ ଏକ ବିପଜ୍ଜନକ ବିପର୍ଯ୍ୟୟ ସ୍ଥିତି ବା ବିପର୍ଯ୍ୟୟ ବୋଲି ଦର୍ଶାଯାଇଛି। ମାତ୍ର ନୂଆ ବିଲରେ ବିପର୍ଯ୍ୟୟ ପରିଚାଳନାରର ବିଭିନ୍ନ ଦିଗକୁ ବିଚାର କରାଯିବ ବୋଲି ରହିଛି। ଏହି ପରିବର୍ତ୍ତନ ଅତ୍ୟନ୍ତ ଚିନ୍ତାଦାୟକ ବୋଲି କହିଛନ୍ତି ସାଂସଦ ମାନସ ମଙ୍ଗରାଜ। ଏହି ପାଣ୍ଠିର ବ୍ୟବହାରକୁ ବିକେନ୍ଦ୍ରୀକରଣ କରିବା ବଦଳରେ କେନ୍ଦ୍ର ସରକାର ଏହା ଉପରେ ଅଧିକ ନିୟନ୍ତ୍ରଣ ଜାହିର କରିଛନ୍ତି ସରକାର। ବିପର୍ଯ୍ୟୟ ସମୟରେ ରିଲିଫ ସଂକ୍ରାନ୍ତ କାର୍ଯ୍ୟକ୍ରମରେ ଏହା ବାଧା ସୃଷ୍ଟି କରିବ। ସେ ଆହୁରି କହିଛନ୍ତି- ନୀତି ଆୟୋଗ ରିପୋର୍ଟ ଅନୁସାରେ ଦେଶର ଜିଡିପିକୁ ସହରାଞ୍ଚଳ ୬୦ ପ୍ରତିଶତ ଅବଦାନ ଦେଇଥାନ୍ତି। ମାତ୍ର ସଂଶୋଧନ ବିଲରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବା ଏନଡିଏମଏ ଓ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବା ଏସଡିଏମଏ ଜରିଆରେ ବିପର୍ଯ୍ୟୟ ପରିଚାଳନାକୁ ବିକେନ୍ଦ୍ରୀକରଣ କରାଯାଇଛି। ଆର୍ଥିକ ସଶକ୍ତିକରଣ ବଦଳରେ ଏହି ନିଷ୍ପତ୍ତି ଦୁର୍ଭାଗ୍ୟଜନକ ଏବଂ ଅଧିକ ସମସ୍ୟା ସୃଷ୍ଟି କରିବତତକାଳୀନ ବିଜୁ ଜନତା ଦଳ ନେତୃତ୍ବାଧୀନ ସରକାରଙ୍କ ଆଖିଦୃଶିଆ ଉଦାହରଣ ସତ୍ତ୍ବେ ପାଣ୍ଠି କ୍ଷେତ୍ରରେ ରାଜ୍ୟକୁ ବାରମ୍ବାର ଅବହେଳିତ କରାଯାଇଛି। ତେଣୁ ରାଜ୍ୟକୁ ଉପକୃତ କରିପାରିବା ପରି ଏକ ବିପର୍ଯ୍ୟୟ ପରିଚାଳନା ନୀତି ସରକାର ଆଣନ୍ତୁ ବୋଲି ଦାବି କରିଛନ୍ତି ସାଂସଦ ମାନସ ମଙ୍ଗରାଜ।
ନକଲି ଡିଏସପି ପରିଚୟ ଦେଇ ଲୋକଙ୍କୁ ଠକୁଥିଲା ମାନସ
ଭୁବନେଶ୍ବର : ଚାକିରି ନକଲି କିନ୍ତୁ ଠାଣି ପୁରା ଅସଲି । ନକଲି ଡିଏସପି ପରିଚୟ ଦେଇ ଲୋକଙ୍କୁ ଠକୁଥିଲା ଭଦ୍ରକ ବାସୁଦେବପୁର ଅଞ୍ଚଳର ମାନସ ରଞ୍ଜନ ସେନାପତି । ଭାଇରାଲ ହୋଇଛି ଫଟୋ ଓ କିଛି ଡକ୍ୟୁମେଣ୍ଟ । ନନ୍ଦିଘୋଷ ଟିଭି ହାତରେ ଲାଗିଥିବା ଏହି ଏକ୍ସକ୍ଲୁସିଭ ଫଟୋ ଓ ଗୃହ ବିଭାଗର ପ୍ରମୋସନ ଲେଟର କୁ ଭଲକରି ଦେଖନ୍ତୁ । ଡେପୁଟି ଏସପି ଭାବେ କୁଆଡେ ହୋଇଥିଲା ମାନସ ସେନାପତିର ପ୍ରମୋସନ। ଏହି ଅର୍ଡରକୁ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଥିଲା ଅଭିଯୁକ୍ତ । ତେବେ ଏହି ନୋଟିଫିକେସନ ର ସତ୍ୟତା ବର୍ତ୍ତମାନ ତଦନ୍ତ ସାପେକ୍ଷ । ସେପଟେ ଫେସବୁକ ଓ ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଫଟୋ ଗୁଡିକୁ ନଜର ପକାନ୍ତୁ । ଡିସିପି ଅଫିସ ସହ ଭଦ୍ରକ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଫଟୋ ଉଠାଇ ଏହି ନକଲି ପୋଲିସ ନିଜକୁ ଅସଲି ବୋଲି ପ୍ରମାଣ କରିବାକୁ ଚାହୁଁଥିବା ଜାଣିବାକୁ ପାଇଛି ପୋଲିସ ।
ରବିବାର ରାତି ୧୨ ଟା ୩୦ ବେଳେ ସହିଦନଗର ଥାନା IDBI ବ୍ୟାଙ୍କ ଆଗରେ ଚେକିଂ ଚାଲିଥିବା ବେଳେ ଏକ ବ୍ଲୁ ରଙ୍ଗର ସୁଇଫ୍ଟ କାରରେ ଧରାପଡିଥିଲେ ମାନସ ସେନାପତି ଓ ଆଶିଷ ସ୍ୱାଇଁ । ଗାଡି ଚେକିଂ ବେଳେ ମିଳିଥିଲା ପୋଲିସ ପୋଷାକ, ଜୋତା, ବେଲ୍ଟ, ଟୋପି, ବ୍ୟାଜ ଓ କିଛି ଷ୍ଟାମ୍ପ । ବରିଷ୍ଠ ଅଧିକାରୀଙ୍କ ସାଇନ ମରାଯାଇଥିବା କିଛି ଆପଏଣ୍ଟମେଣ୍ଟ ଲେଟର । ତେବେ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, କାର ଡାସବୋର୍ଡ ରୁ ମିଳିଥିଲା ୧ ଲକ୍ଷ ୯୭ ହଜାର ଟଙ୍କା । ଯାହାକି ଅବିକଳ ଅସଲି ପରି ଦେଖାଯାଉଥିବା ନକଲି ନୋଟ ।
ଲୁଟେରାଙ୍କ ଟାର୍ଗେଟରେ ଆପାର୍ଟମେଣ୍ଟ, ସୁରକ୍ଷା ନେଇ ଚିନ୍ତାରେ ଲୋକେ
କଟକ : ଲୁଟେରାଙ୍କ ଟାର୍ଗେଟରେ ଆପାର୍ଟମେଣ୍ଟ । ଘରୁ ବାହାରିବାକୁ ଡରୁଛନ୍ତି ଲୋକେ । କଟକ ବାଦାମବାଡ଼ି ବିକାଶ ନଗରରେ ଆପାର୍ଟମେଣ୍ଟରେ ପଶି ଲୁଟ୍ । ବ୍ଯବସାୟୀଙ୍କୁ ଆକ୍ରମଣ କରି ୫ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଆପାର୍ଟମେଣ୍ଟ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ । ମାଲଗୋଦାମ ବ୍ୟବସ୍ୟାୟୀ ନିରଞ୍ଜନ ଗୋୟାଙ୍କା ନିଜର ବ୍ୟବସାୟ ସାରି ଘରକୁ ଫେରିବା ସମୟରେ ୨ ଜଣ ଦୁର୍ବୁତ୍ତ ତାଙ୍କୁ ପିଛା କରିଥିଲେ । ଆପାର୍ଟମେଣ୍ଟରେ ପଶିବା ପରେ ବନ୍ଧୁକ ଦେଖାଇବା ସହ ମରଣାନ୍ତକ ଆକ୍ରମଣ କରି ଲୁଟି ନେଲେ ୫ ଲକ୍ଷ ଟଙ୍କା । ଦୁର୍ବୃତ୍ତଙ୍କ ଆକ୍ରମଣରେ ବ୍ଯବସାୟୀ ଓ ତାଙ୍କ ଡ଼୍ରାଇଭର ଆହତ ହୋଇଛନ୍ତି । ତେବେ ପୂର୍ବରୁ ମଧ୍ୟ ଦୁର୍ବୁତ୍ତ ତାଙ୍କୁ ପିଛା କରିଥିବା କହିଛନ୍ତି ବ୍ଯବସାୟୀ ।
ଥାନାର ମାତ୍ର ୫ ଶହ ମିଟର ଦୂରରେ ଏଭଳି କାଣ୍ଡ ଘଟାଇ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଦୁର୍ବୁତ୍ତ । ଏହି ଘଟଣା ପରେ ଆତଙ୍କିତ ହୋଇ ପଡ଼ିଛନ୍ତି ଆପାର୍ଟମେଣ୍ଟବାସୀ । ସେପଟେ ଡିସିପିଙ୍କ ନେତୃତ୍ବରେ ୩ଟି ଥାନାର ଆଇଆଇସି ସହ ସ୍ପେଶାଲ ସ୍କ୍ୱାଡ ଘଟଣାର ଖୋଳତାଡ ଆରମ୍ଭ କରିଛି । ଆପାର୍ଟମେଣ୍ଟରେ ଲୋକଙ୍କୁ ପଚରାଉଚରା କରିବା ସହ ରାସ୍ତାର ସିସିଟିଭି ଯାଞ୍ଚ କରାଯାଇଛି। ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି କହିଛନ୍ତି ଡିସିପି ।

