କୋଲକାତା: ଝିଅ ପାଠ ପଢିବାକୁ କହିବାରୁ ୭ଦିନ ଧରି ଲୁହା ଶିକୁଳିରେ ବାନ୍ଧି ରଖିଲେ ଘର ଲୋକ। ଝିଅକୁ ପାଠ ପଡିବାକୁ ଦେବେ ନାହିଁ କହି ଏକ ବନ୍ଦ ଘରେ ଶିକୁଳିରେ ବାନ୍ଧି ରଖିଲେ ବାପାମାଆ ଏବଂ ବଡ ଭାଇ। ଏଭଳି ଘଟଣା ଘଟିଛି ପଶ୍ଚିମବଙ୍ଗ ହାୱଡା ଜିଲ୍ଲା ଘୁସୁଡ଼ି ଅଞ୍ଚଳ ଦୟାରାମ ନସ୍କର ଲେନରେ | ଛାତ୍ରୀ ଜଣଙ୍କ ତୃତୀୟ ସେମିଷ୍ଟାର ପଢିବାକୁ ଘର ଲୋକଙ୍କୁ କହିଥିଲେ । କିନ୍ତୁ ଘର ଲୋକ ପାଠ ପଢିବାକୁ ମନା କରି ଝିଅକୁ ଶିକୁଳିରେ ବାନ୍ଧି ଏକ ବନ୍ଦ ଘରେ ୭ଦିନ ଗୃହବନ୍ଦୀ ଭାବେ ରଖିଥିଲେ। ଏହି ଖବର ପାଖ ପଡୋଶୀ ଜାଣିବା ପରେ ମାଲି ପାଞ୍ଚଘୋଡା ପୋଲିସ ଷ୍ଟେସନରେ ଜଣାଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଝିଅକୁ ଉଦ୍ଧାର କରିବା ସହ ବାପା ମାଆ ଓ ବଡ ଭାଇକୁ ନେଇ ଅଧିକ ପଚରା ଉଚରା କରିଛି । ସ୍ଥାନୀୟ ଅଞ୍ଚଳରେ ଏହି ଖବର ପ୍ରଘଟ ପରେ ଲୋକମାନେ ଘଟଣାକୁ ନେଇ ଅନେକ ପ୍ରଶ୍ନ କରିଛନ୍ତି। ପୋଲିସ ପ୍ରକୃତ କାରଣ ଖୋଜୁଛି ।
କାମ କରୁନି UPI, ଗୋଟିଏ ମାସରେ ଅଟକିଲାଣି ଦୁଇ ଥର
ନନ୍ଦିଘୋଷ ବ୍ୟୁରୋ: ପୁଣି ଅଟକିଲା ୟୁପିଆଇ ପେମେଣ୍ଟ ସିଷ୍ଟମ । ଗୋଟିଏ ମାସରେ ଅଟକିଲାଣି ଦୁଇ ଥର । ଦିଲ୍ଲୀ ଏନସିଆର ସମେତ ଅନେକ ସହରରେ ଏପରି ଅବସ୍ଥା ଦେଖିବାକୁ ମିଳିଛି । ହଠାତ ୟୁପିଆଇ ସେବା ଠପ ହୋଇଯାଇଥିଲା । ତେବେ କିଛି ସମୟ ପରେ ଏହା ପୁଣି ଥରେ ଆକ୍ଟିଭ ହୋଇଥିଲା । ତେବେ ହଠାତ ସେବା ବ୍ୟାହତ ହେବାରୁ ଲୋକମାନେ କାରବାର କରିବାରେ ଅସୁବିଧା ଭୋଗିଥିଲେ । ଏ ନେଇ ଆଉଟେଜକୁ ଟ୍ରାକ କରୁଥିବା ୱେବସାଇଟ ଡାଉନଡିଟେକ୍ଟର ଏହି ଅସୁବିଧା ସଂପର୍କରେ ଗ୍ରାହକଙ୍କୁ ଅବଗତ କରିଥିଲା । ପେଟିଏମ, ଫୋନ ପେ, ଗୁଗଲ ପେରେ ଏପରି ଅଚଳାବସ୍ଥା ସୃଷ୍ଟି ହୋଇଥିଲା ।
ମଧ୍ୟାହ୍ନ ୧୨ଟାରୁ ଏହି ଅସୁବିଧା ଗ୍ରାହକ ସାମ୍ନା କରିବା ଆରମ୍ଭ କରିଥିଲେ । ଏହାକୁ ନେଇ ଗ୍ରାହକ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କଂମ୍ପାନୀମାନଙ୍କୁ ଅଭିଯୋଗ କରିଥିଲେ । ଗ୍ରାହକ ପେମେଣ୍ଟ କରିବା ପରେ ବଫରିଙ୍ଗ ହୋଇ ୫ ମିନିଟ ପରେ ପ୍ରକ୍ରିୟା ଫେଲ ବୋଲି ପେମେଣ୍ଟ ଆପ ଦର୍ଶାଉଥିଲା । କିଛି ସମୟ ମଧ୍ୟରେ ସୋସିଆଲ ସାଇଟ ଏକ୍ସରେ ହାସଟ୍ୟାଗ ୟୁପିଆଇ ଡାଉନ ବୋଲି ଟ୍ରେଣ୍ଡ ଚାଲୁ ହୋଇଯାଇଥିଲା ।
ରାଜ୍ୟରେ ମାଓ ଗତିବିଧି ନେଇ ଉଦବେଦ ପ୍ରକାଶ କଲା ବିଜେଡି
ଭୁବନେଶ୍ବର: ଢେଙ୍କାନାଳ, ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ମାଓ ଗତିବିଧି ନେଇ ଖବର ଆସୁଛି । ଏହା ଏକ ଚିନ୍ତାଜନକ ଓ ସମ୍ବେଦନଶୀଳ ପ୍ରସଙ୍ଗ କହି ଉଦବେଗ ପ୍ରକାଶ କରିଛି ବିଜେଡି । ଏଥିରେ ରାଜ୍ୟର ସୁରକ୍ଷା ଜଡ଼ିତ ଥିବାରୁ ବିଜେଡି ଉଦବେଦ ପ୍ରକାଶ କରିବା ସହିତ ସଂପୃକ୍ତ ତିନି ଜିଲ୍ଲାରେ ଲୋକେ ଆତଙ୍କିତ ଥିବା ଅଭିଯୋଗ କରିଛି ବିଜେଡି । ୨୦୧୩ରେ ଏହି ତିନି ଜିଲ୍ଲା ଜିରୋ ମାଓବାଦୀ ଜିଲ୍ଲା ଭାବେ ଘୋଷଣା ହୋଇଥିଲା । ହେଲେ ଏବେ ସେଠି ଦାଦାବଟି ମାଗିବା ସହିତ ଅସ୍ତ୍ରଶସ୍ତ୍ର ଧରି ଖୋଲାରେ ବୁଲୁଛନ୍ତି । ଲୋକଙ୍କ ସୁରକ୍ଷା ଓ ଆଇନଶୃଙ୍ଖଳାରେ ତ୍ରୁଟି ରହିଛି ବୋଲି ତାହା ଆଜି ପ୍ରମାଣିତ ହୋଇଛି । ଓଡ଼ିଶା ପୋଲିସର ଏହା ବଡ଼ ବିଫଳତା ।
ସେମାନେ ଏହାକୁ ଅନୁମାନ କରିବାରେ ବିଫଳ ହୋଇଛନ୍ତି । ରାଜ୍ଯବାସୀଙ୍କୁ ସୁରକ୍ଷା ଦେବାରେ ଗୃହ ବିଭାଗ ଆଜି ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ବିଜେଡି ଅଭିଯୋଗ କରିଛି । ମୁଖ୍ୟମନ୍ତ୍ରୀ ନିଜେ ବିଧାନସଭାରେ ଉତ୍ତର ଦେଇଛନ୍ତି ଯେ ରାଜ୍ୟରେ ୧୦୦ ରୁ ୧୨୦ ମାଓବାଦୀ ଅଛନ୍ତି । ସରକାର ଓ ଏସପିଙ୍କ ମଧ୍ଯରେ ସମନ୍ୱୟ ନାହିଁ । ଏସପି ଫୋନରେ ଲୋକଙ୍କ ଅଭିଯୋଗ ଶୁଣୁ ନାହାନ୍ତି । ତେଣୁ ମାଓବାଦୀ ଜନ୍ମ ନେଉଛନ୍ତି । ଯେଉଁଠି ସରକାରୀ ଯୋଜନା ପହଞ୍ଚୁନାହିଁ ସେଠି ମାଓବାଦୀ ଜନ୍ମ ନେଉଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଓବାଦୀ ଦମନ କରି ନିଯୁକ୍ତି ଓ ରୋଜଗାର ମାଧ୍ଯମ ବାହାର କରିଥିଲେ । ବର୍ତ୍ତମାନର ସରକାର ସେହି କାର୍ଯ୍ୟକ୍ରମ ସବୁକୁ ଆଗକୁ ନେଇ କର୍ମନିଯୁକ୍ତି ଦେଉ । ଯେଉଁ ୧୨୦ ମାଓବାଦୀଙ୍କୁ ସରକାର ଚିହ୍ନଟ କରିଛନ୍ତି, ସେ ଦିଗରେ କଣ ପଦକ୍ଷେପ ନିଆଯାଇଛି ? ନା କେବଳ ଗଣିକି ଓ ଚିହ୍ନିକି ରଖିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ନେତା ପ୍ରୀତିରଞ୍ଜନ ଘଡେଇ ।
କାହିଁକି ସରକାର ପଞ୍ଚାୟତ ଉପନିର୍ବାଚନ କରିନାହାନ୍ତି: ଦେବୀ ମିଶ୍ର
ଭୁବନେଶ୍ବର: ବହୁ ପଞ୍ଚାୟତରେ ଉପନିର୍ବାଚନ ବିଳମ୍ବ ହୋଇଚାଲିଛି । ଆଜି ପର୍ଯ୍ୟନ୍ତ କାହିଁକି ସରକାର ପଞ୍ଚାୟତ ଉପନିର୍ବାଚନ କଲେନି ବୋଲି ପ୍ରଶ୍ନ କରିଛି ଦଳ । ଏ ନେଇ ପ୍ରତିକ୍ରିୟାରେ ବିଜେଡି ସମନ୍ଵୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର କହିଛନ୍ତି, ବିଜେଡିକୁ ନିର୍ବାଚନ ପାଇଁ ଭୟ ନାହିଁ । ବିଜେପିର ଭୟ ରହିଛି ବୋଲି ୧୦ ମାସ ହେବ ନିର୍ବାଚନ କରାଉନଥିଲେ । ଗତକାଲି କେନ୍ଦ୍ରପଡ଼ାରେ ବିଜେଡି ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଛି ।
ଆଗାମୀ ସମୟରେ ନିର୍ବାଚନରେ ବିଜେଡି ଭଲ କରିବ ବୋଲି ସେ ଦୃଢ଼ୋକ୍ତି ଦେଖାଇଛନ୍ତି । ସେହିପରି ବିଜେପି ଭୟରେ ଅଛି ବୋଲି କହିଛନ୍ତି ବିଧାୟକ ଅରୁଣ ସାହୁ । ବିଜେପି ସରକାର ଏକ ଅପାରଗ ସରକାର ବୋଲି ଲୋକେ ଜାଣିଛନ୍ତି l ତେଣୁ ସେମାନେ ଉପନିର୍ବାଚନ ପାଇଁ ଡରୁଛନ୍ତି l ବିଜେଡି ସଶକ୍ତ ବିରୋଧୀ ଦଳ ଭାବେ ଓଡ଼ିଶାବାସୀଙ୍କ ସେବା କରୁଛି l ତେଣୁ ଲୋକେ ବିଜେଡି ସହ ଅଛନ୍ତି ବୋଲି କହିଛନ୍ତି ଅରୁଣ ।.. ..
ସୁଟକେସରେ ପ୍ରେମିକାକୁ ନେଇ ହଷ୍ଟେଲ ଯାଉଥିଲା ପ୍ରେମିକ, ଆଉ ତା’ ପରେ…
ନନ୍ଦିଘୋଷ ବ୍ୟୁରୋ: ପ୍ରେମିକାକୁ ସୁଟକେସରେ ଭର୍ତ୍ତି କରି ହଷ୍ଟେଲକୁ ନେଉଥିଲା ପ୍ରେମିକ । ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ହଷ୍ଟେଲ ନେବା ବାଟରେ ଧରା ପଡ଼ିବା ପରେ ଏହି ଘଟଣା ସାମ୍ନାକୁ ଆସିଛି ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖାଯାଉଛି ଜଣେ ଝିଅ ସୁଟକେସରୁ ବାହାରୁଛନ୍ତି । ପାଖରେ ଯାଞ୍ଚ କରୁଥିବା ବ୍ୟକ୍ତିମାନେ ଅଛନ୍ତି । ଏହି ଘଟଣା ଘଟିଛି ଏକ ପ୍ରସିଦ୍ଧ ବିଶ୍ବ ବିଦ୍ୟାଳୟରେ । ଜଣେ ବିଶ୍ବ ବିଦ୍ୟାଳୟର ଛାତ୍ର ଏକ ସୁଟକେସରେ ପ୍ରେମିକାକୁ ନେଇ ହଷ୍ଟେଲ ଭିତରକୁ ଯାଉଛି ।
Guy tried Sneaking his Girlfriend into the Boys hostel in a Suitcase.. one Bump and she screamed from inside. guards Heard it and they got Caught, Op Jindal Uni
pic.twitter.com/xBkBTYymdt— Ghar Ke Kalesh (@gharkekalesh) April 12, 2025
ହଷ୍ଟେଲରେ ପଶିବା ପୂର୍ବରୁ ଏକ ସ୍ଥାନରେ ସୁଟକେସଟି ମାଡ଼ ହୋଇଯାଇଥିଲା । ଏହା ପରେ ଭିତରୁ ଛାତ୍ରୀଙ୍କର ଶବ୍ଦ ଶୁଣାଗଲା । ସେଠାରେ ଥିବା ମହିଳା ସୁରକ୍ଷା କର୍ମୀ ଛାତ୍ରଙ୍କୁ ଅଟକାଇଥିଲେ । ସୁଟକେସ ଖୋଲିବା ପରେ ହଠାତ ଜଣେ ଝିଅ ବାହାରିଥିଲେ । ଏହା ଦେଖି ସମସ୍ତେ ଚକିତ ହୋଇଯାଇଥିଲେ । ପଚାରିବାରୁ ସେ ତାଙ୍କା ପ୍ରେମିକା ବୋଲି ଜଣାପଡ଼ିଥିଲା । ହଷ୍ଟେଲରେ ଛାତ୍ରୀଙ୍କ ପ୍ରବେଶ ଉପରେ କଟକଣା ଥିବାରୁ ଛାତ୍ର ଜଣଙ୍କ ଏମିତି ଉପାୟ ଆପଣାଇଥିଲେ । ଯାହା ସଫଳ ହୋଇପାରିଲା ନାହିଁ ।
ପ୍ରଶାସନିକ ଅଧିକାରୀଙ୍କୁ ବିଜେପି କର୍ମୀ ଆକ୍ରମଣ ଘଟଣା, ଥାନାରେ ଏତଲା ଦେଲେ ଅଧିକାରୀ
ଜଗତସିଂହପୁର: ଆୟୁଷ୍ମାନ ଯୋଜନା ଶୁଭାରମ୍ଭ ବେଳେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ତରିକୁନ୍ଦ ପଞ୍ଚାୟତ ଅଫିସ ଆଗରେ ମହିଳା ପ୍ରଶାସନିକ ଅଧିକାରୀଙ୍କୁ ବିଜେପି ଗୁଣ୍ଡାମାନେ ଗୋଡାଇ ଗୋଡାଇ ଆକ୍ରମଣ କରିବା ଘଟଣା। ଜଗତସିଂହପୁର ଥାନାରେ ଏତଲା ଦେଲେ ମହିଳା ପ୍ରଶାସନିକ ଅଧିକାରୀ ପ୍ରଦୀପ୍ତା ଖୁଣ୍ଟିଆ । ଏହା ସହ ତରିକୁନ୍ଦ ପଂଚାୟତର ସରପଞ୍ଚ ଏବଂ ପିଏସ ମେମ୍ବର ଏହାକୁ ନିନ୍ଦା କରି ଆକ୍ରମଣକାରୀଙ୍କ ବିରୋଧରେ ଜଗତସିଂହପୁର ଥାନାରେ ଅଭିଯୋଗ କରିଛନ୍ତି । ବିଜେପି ନେତା ଓ ୨୦ରୁ ଅଧିକ କର୍ମୀଙ୍କ ନାମରେ ଥାନାରେ ମାମଲା ହୋଇଛି ।
ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ସୁବୋଧ ବାରିକଙ୍କ ସହ ୨୦ରୁ ଅଧିକ କର୍ମୀଙ୍କ ନାଁରେ ସଙ୍ଗୀନ ଦଫା ଲାଗିଛି । ରଘୁନାଥପୁର ବ୍ଲକ ମହିଳା କନିଷ୍ଠ ଯନ୍ତ୍ରୀଙ୍କୁ ଆକ୍ରମଣ, ସରକାରୀ ସମ୍ପତ୍ତି ନଷ୍ଟ, ଅଶାଳୀନ ବ୍ଯବହାର, ଅସଦାଚରଣ, ଟଣାଓଟରା କରିବା ସହ ଏସସି, ଏସଟି ଆକ୍ଟରେ ମାମଲା ରୁଜୁ ହୋଇଛି । ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଗତକାଲି ଆୟୁଷ୍ମାନ ଯୋଜନା ଶୁଭାରମ୍ଭବେଳେ ୨୫ରୁ ୩୦ ଜଣ ବିଜେପି କର୍ମୀ ସୁବୋଧ ବାରିକଙ୍କ ନେତୃତ୍ୱରେ ହଠାତ କାର୍ଯ୍ୟକ୍ରମ ଭିତରକୁ ପଶି ଆସି ଚୌକି ଟେବୁଲ ଫୋପଡା ଫୋପଡି କରି ବ୍ୟାନର ଚିରି ଅଶାଳୀନ ଭାଷା ପ୍ରୟୋଗ କରିଥିଲେ । ଏତିକିରେ ସେମାନେ ଅଟକିଯାଇନଥିଲେ । ସେଠାରେ ଉପସ୍ଥିତ ମହିଳା କନିଷ୍ଠ ଯନ୍ତ୍ରୀଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ । ଆକ୍ରମଣର ଦୃଶ୍ଯ ଏପରି ଭୟାନକ ଥିଲା ଯେ ସାରା ଜିଲ୍ଲାରେ ଭୟର ବାତାବରଣ ଖେଳିଯାଇଛି । ସେପଟେ ଆକ୍ରମଣ ଘଟଣାକୁ ତିର୍ତ୍ତୋଲ ବିଜୁ ଜନତାଦଳର ବିଧାୟକ ରମାକାନ୍ତ ଭୋଇ ଏହାକୁ ଦୃଢ଼ ନିନ୍ଦା କରିବା ସହିତ ତୁରନ୍ତ ଆକ୍ରମଣ କାରୀଙ୍କୁ ଗିରଫ କରାଯିବାକୁ ଦାବି କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ଜଗତସିଂହପୁର ଏସପି, ଜିଲ୍ଲାପାଳ ଏବଂ ଥାନାକୁ ଯାଇ ୨୪ ଘଣ୍ଟା ଭିତରେ ଆକ୍ରମଣ କରିଥିବା ବିଜେପି ଗୁଣ୍ଡାମାନଙ୍କୁ ଗିରଫ କରିବାକୁ ସେ ଦାବି କରିଛନ୍ତି । ଦାବି ପୂରଣ ନହେଲେ ତିର୍ତ୍ତୋଲ ବିଜୁ ଜନତା ଦଳ ପଷରୁ ଜଗତସିଂହପୁର ଥାନା ଘେରାଉ କରାଯିବା ସହିତ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ବିଧାୟକ ଚେତାବନୀ ଦେଇଛନ୍ତି।
ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ଜଣେ ଯବାନ ସହିଦ, ୩ ଆତଙ୍କବାଦୀ ନିହତ
ଜମ୍ମୁ-କାଶ୍ମୀରର ଅଖନୁର ସେକ୍ଟରରେ ନିୟନ୍ତ୍ରଣ ରେଖାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ କଲା ସେନା । ଅଖନୁର ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ କରୁଥିବା ବେଳେ ଆତଙ୍କବାଦୀଙ୍କ ସହିତ ଯବାନଙ୍କ ଗୁଳିବିନିମୟ ହୋଇଥିଲା । ଗୁଳିବିନିମୟରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଜଣେ ଜୁନିୟର କମିଶଣ୍ଡ ଅଫିସର ଗୁରୁତର ହୋଇଛନ୍ତି । ସହିଦ ଯବାନ କୁଲଦୀପ ଚାନ୍ଦ ନାଇନ୍ ପଞ୍ଜାବ ରେଜିମେଣ୍ଟର ଜଣେ ସୈନିକ ଥିଲେ । ସେ ଗତ ରାତିରେ ସୁନ୍ଦରବାଣୀର କେରି-ବଟଲ୍ ଅଞ୍ଚଳର ନିୟନ୍ତ୍ରଣ ରେଖାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ବିରୋଧୀ ଅପରେସନରେ ସାମିଲ ଥିଲେ ।
ଅଖନୁର ସେକ୍ଟର ବିଭିନ୍ନ ସ୍ଥାନରେ ଗାଡ଼ି ଚେକିଂ କରୁଛନ୍ତି ସୁରକ୍ଷାବାହିନୀ । ସେପଟେ ଜମ୍ମୁ-କାଶ୍ମୀରର କିସ୍ତୱାର ଜିଲ୍ଲାର ଛାତ୍ରୁ ଅଞ୍ଚଳରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି । ଯବାନଙ୍କ ଏନକାଉଣ୍ଟରରେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ଜୈଶ-ଏ-ମହମ୍ମଦର ଟପ୍ କମାଣ୍ଡର ସୈଫୁଲ୍ଲା ରହିଛି । ୯ ତାରିଖରୁ ଚାଲିଥିବା ଅପରେସନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ତିନି ଜଣ ଆତଙ୍କବାଦୀଙ୍କୁ ନିହତ କରିସାରିଛନ୍ତି । ….
ରାଜ୍ୟପାଳ ପଠାଉଥିବା ବିଲ ସମ୍ପର୍କରେ ୩ ମାସରେ ମଧ୍ୟରେ ବିଚାର କରିବେ ରାଷ୍ଟ୍ରପତି
ନୂଆଦିଲ୍ଲୀ: ବିଲ୍ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ। ରାଜ୍ୟପାଳ ପଠାଉଥିବା ବିଲ ସମ୍ପର୍କରେ ୩ ମାସରେ ମଧ୍ୟରେ ବିଚାର କରିବେ ରାଷ୍ଟ୍ରପତି। ପ୍ରଥମ ଥର ଲାଗି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ବିଲ୍ ସମ୍ପର୍କରେ ତାମିଲନାଡୁ ରାଜ୍ୟପାଳଙ୍କୁ ପୂର୍ବରୁ ଭର୍ତ୍ସନା କରିଥିଲେ ସର୍ବୋଚ୍ଚ ଅଦାଲତ। ବିଧାନସଭାରେ ଗୃହୀତ ବିଲକୁ ରାଜ୍ୟପାଳ ପକାଇ ରଖିପାରିବେ ନାହିଁ ବୋଲି କହିଥିଲେ ସୁପ୍ରିମକୋର୍ଟ।
ଜଷ୍ଟିସ ଜେ.ବି. ପାର୍ଦ୍ଦିବାଲା ଓ ଆର. ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି- ଧାରା ୨୦୧ ଅନୁସାରେ ରାଷ୍ଟ୍ରପତି ବିଭିନ୍ନ ବିଲ୍ ସମ୍ପର୍କରେ ନିଷ୍ପତ୍ତି ନେବା ଜରୁରୀ। ସୁପ୍ରିମକୋର୍ଟ ଆହୁରି କହିଛନ୍ତି- ରାଷ୍ଟ୍ରପତିଙ୍କ ନିକଟରେ ପକେଟ ଭିଟୋ କ୍ଷମତା ନାହିଁ ଏବଂ କୌଣସି ବିଲକୁ ସେ ଅନୁମତି ଦେବେ କିମ୍ବା ଏହାକୁ ସ୍ଥଗିତ ରଖିବେ।
ଚିତ୍ରକୋଣ୍ଡା ସହକାରୀ ଯନ୍ତ୍ରୀଙ୍କ ବାସଭବନ ଓ ଅଫିସରେ ରେଡ
ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ସହକାରୀ ଯନ୍ତ୍ରୀ ପବିତ୍ର ପାଣିଗ୍ରାହୀଙ୍କ ଠାରୁ ବିପୁଳ ଟଙ୍କା ଜବତ ହେବା ଘଟଣା। ଆଜି ସକାଳୁ ଚିତ୍ରକୋଣ୍ଡା ବ୍ଲକ କାର୍ଯ୍ୟାଳୟରେ ଥିବା ବାସଭବନ ଓ ଅଫିସରେ ରେଡ କରୁଛି ଭିଜିଲାନ୍ସର ପାଞ୍ଚ ଜଣିଆ ଟିମ। ଗାଡ଼ିରେ ଟଙ୍କା ନେଇ ଯିବା ବେଳେ ଧରିଥିଲା ଭିଜିଲାନ୍ସ ଟିମ୍। ଗାଡ଼ିରୁ ମିଳିଥିଲା ୫ ଲକ୍ଷ ୭ ହଜାର ଟଙ୍କା। ଭୁବନେଶ୍ୱର ବାସଭବନ ଓ ଚିତ୍ରକୋଣ୍ଡା କ୍ୱାର୍ଟର୍ସରେ ରେଡ୍ ହୋଇଥିଲା। ଉଭୟ ସ୍ଥାନରୁ ୧୩ ଲକ୍ଷ ୫୦ ହଜାର ଜବତ କରିଥିଲା ଭିଜିଲାନ୍ସ। ରେଡ ବେଳେ ଜବତ ହୋଇଥିବା ମୋଟ ୧୮ଲକ୍ଷ ୫୭ହଜାର ଟଙ୍କାର ହିସାବ ଦେଇପାରୁନାହାନ୍ତି ସହକାରୀ ଯନ୍ତ୍ରୀ। ଘଟଣାରେ ଯନ୍ତ୍ରୀ ପବିତ୍ର ମୋହନ ପାଣିଗ୍ରାହୀଙ୍କୁ ଅଟକ ରଖି ପଚରାଉଚରା କରୁଛି ତଦନ୍ତକାରୀ ଟିମ୍।
ଆମେରିକାରେ ୩୦ ଦିନରୁ ଅଧିକା ରହିଲେ କରନ୍ତୁ ନାହିଁ ଏହି ଭୁଲ, ହୋଇପାରେ ଜେଲ୍
ଓ୍ବାସିଂଟନ୍: ଆମେରିକାରେ ୩୦ ଦିନରୁ ଅଧିକା ରହିଲେ ଭାରତୀୟଙ୍କୁ ହୋଇପାରେ ଅସୁବିଧା । ଟ୍ରମ୍ପ ସରକାର ଏବେ ନୟମ ଏତେ କଡା କରିଦେଇଛନ୍ତି ଯେ, ସେଠାରେ ବିଦେଶୀ ନାଗରିକ ୩୦ ଦିନରୁ ଅଧିକା ରହିବାକୁ ହେଲେ ନିୟମ ମାନିବାକୁ ପଡ଼ିବ ।
ଆମେରିକାରେ ବିଦେଶୀ ନାଗରିକଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ଏହି ନିୟମରେ କୁହାଯାଇଛି ଯେ, ଯେ କୌଣସି ବିଦେଶୀ ନାଗରିକ ଯଦି ସେଠାରେ ୩୦ ଦିନରୁ ଅଧିକା ସମୟ ରହିବାକୁ ଚାହାନ୍ତି ତାହାଲେ ସଙ୍ଘୀୟ ସରକାରରେ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ । ଯଦି ଏହି ନିୟମ କେହି ପାଳନ ନ କରନ୍ତି ତାହାଲେ ଜରିମାନା ସହ ଗିରଫ ବି ହୋଇ ପାରନ୍ତି । କେବଳ ଏତିକି ନୁହେଁ ତାଙ୍କୁ ଆମେରିକାରୁ ବାହାର ମଧ୍ୟ କରାଯାଇପାରିବ ।
ରାଷ୍ଟ୍ରପତି ଡୋନାଲ ଟ୍ରମ୍ପଙ୍କ ପ୍ରଶାସନ ପ୍ରବାସୀଙ୍କ ପାଇଁ କଡ଼ା ନିୟମ କରିଛନ୍ତି । ଆମେରିକାରେ ବହୁ ସଂଖ୍ୟାରେ ଭାରତୀୟ ରହୁଥିବାରୁ ଏବଂ ସେଠାକୁ ପ୍ରତିବର୍ଷ ପର୍ଯ୍ୟଟକ ଯାଉଥିବାରୁ ଏହା ଭାରତୀୟଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ ।
ଆମେରିକାର ଫେଡରାଲ ଜଜ ଏହି ନିୟମକୁ ପାସ୍ କରିଛନ୍ତି । ଏହା ଦ୍ବିତୀୟ ବିଶ୍ବଯୁଦ୍ଧ ସମୟର ନିୟମ ଉପରେ ଆଧାରିତ ବୋଲି କୁହାଯାଉଛି ।

