ମୋହନା : ନାହିଁ ନାହିଁରେ ଚାଲିଛି ସରକାରୀ ବିଦ୍ୟାଳୟ । ସ୍କୁଲରେ ନା ଅଛି ଆବଶ୍ୟକୀୟ ଶ୍ରେଣୀ ଗୃହ । ନା ଅଛି ସୁଦୃଢ ଭିତ୍ତିଭୂମି । କ୍ଲାସ ରୁମ ଅଭାବରୁ ବାରଣ୍ଡାରେ ଚାଲିଛି ପାଠପଢା । ଅବ୍ୟବସ୍ଥା ଘେରରେ ଗଜପତି ଜିଲ୍ଲା ମୋହନା ବ୍ଲକର ମାଣ୍ଡିମେରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ସ୍କୁଲରେ ବାଲ ବାଟିକା ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୨୫୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ହେଲେ ଆବଶ୍ୟକୀୟ ଶିକ୍ଷକ ନାହାନ୍ତି । ମୁଖ୍ୟତଃ ବିଦ୍ୟାଳୟର ଭିତ୍ତିଭୂମି ପୂରା ଭୁଶୁଡି଼ ପଡିଛି । କ୍ୟାମ୍ପସରେ ପାନୀୟ ଜଳ ବ୍ୟବସ୍ଥା ନଥିବା ବେଳେ ବର୍ଜ୍ୟ ଜଳ ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା ବି ନାହିଁ । ଫଳରେ ଅପରିଷ୍କାର ପାଣି ବିଦ୍ୟାଳୟ ପରିସରରେ ଜମି ରହି ମଶା ମାଛିଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଯାହା ଫଳରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ମାଣ୍ଡିମେରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବରୁ ପିଲା ମାନେ ଭଙ୍ଗା ଦଦରା ଘରେ ବିପଦଶଙ୍କୁଳ ଅବସ୍ଥାରେ ପାଠ ପଢୁଛନ୍ତି । ସମସ୍ୟା ସଂପର୍କରେ ପ୍ରଧାନ ଶିକ୍ଷୟିତ୍ରୀ ଅନେକ ଥର ପ୍ରଶାସନକୁ ଜଣାଇଲେଣି । ହେଲେ କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଶ୍ରେଣୀ ଗୃହ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଜଣାଯାଇଥିବା କହିଛନ୍ତି ମୋହନା ଗୋଷ୍ଠୀ ଅଧିକାରୀ । ବିଦ୍ୟାଳୟ ଉପରେ ପ୍ରଶାସନର କେବେ ଦୃଷ୍ଟି ପଡୁଛି ? ତାକୁ ଗାଁଲୋକ ଚାହିଁ ବସିଛନ୍ତି ।
କ୍ଲାସ ରୁମ୍ ଅଭାବରୁ ବାରଣ୍ଡାରେ ଚାଲିଛି ପାଠପଢା
ଚୈତ୍ର ମାସର ପ୍ରଥମ ମଙ୍ଗଳବାରରେ ଚଳଚଞ୍ଚଳ ମା’ ତାରାତାରିଣୀ ଓ ମା‘ ମଙ୍ଗଳାଙ୍କ ପୀଠ….
ନନ୍ଦିଘୋଷ ବ୍ୟୁରୋ : ଘଣ୍ଟଘଣ୍ଟାରେ କମ୍ପୁଛି ପରିବେଶ । ସଜେଇ ହୋଇଛି ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ପୀଠ । ବେଶ ଆଡମ୍ବରରେ ଆରମ୍ଭ ହୋଇଛି ମାଆଙ୍କ ଚୈତ୍ର ଯାତ୍ରା । ପୀଠରେ ପ୍ରବଳ ଭକ୍ତଙ୍କ ସମାଗମ । ଭୋରରୁ ମାଆଙ୍କ ଦ୍ଵାରଫିଟା ନୀତି ସହିତ ଅନ୍ଯାନ୍ଯ ନୀତି ପରେ ମାଆ ଭକ୍ତମାନଙ୍କୁ ମହାକାଳୀ ବେଶରେ ଦର୍ଶନ ଦେଇଥିଲେ । ମାଆଙ୍କ ଦର୍ଶନ ପାଇଁ ବହୁ ଦୂରଦୂରାନ୍ତରୁ ଭକ୍ତ ମାନେ ଛୁଟି ଆସିଥିଲେ । ମାନସିକଧାରୀ ମାନେ ନିଜ ପିଲା ମାନଙ୍କ ମୁଣ୍ଡନ କରିଥିଲେ । ଅନେକ ଭକ୍ତ ୯୯୯ ପାହାଚ ଚଢି ମାଆଙ୍କୁ ଦର୍ଶନ କରିଥିଲେ । ଚୈତ୍ର ଯାତ୍ରା ସମୟରେ ମା’ଙ୍କୁ ଦର୍ଶନ କଲେ ସମସ୍ତ ପ୍ରକାରର ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ଭକ୍ତଙ୍କ ବିଶ୍ଵାସ ରହିଛି । ଅନ୍ୟପଟେ ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।…
ସେପଟେ ଚୈତ୍ର ମାସ ପ୍ରଥମ ମଙ୍ଗଳବାର ପାଇଁ ଚଳଚଞ୍ଚଳ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳାଙ୍କ ପୀଠ । ପ୍ରଥମ ପାଳିରେ ମାଆଙ୍କ ପ୍ରସିଦ୍ଧ ନେତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟୁଷରୁ ମାଆଙ୍କ ସ୍ନାନ ମାଜଣା, ସୂର୍ଯ୍ୟ ପୂଜା, ବଲ୍ଲଭ ପରେ ସାଧାରଣ ଦର୍ଶନ ହୋଇଥିଲା । ମାଙ୍କ ନେତ୍ର ଉତ୍ସବରେ ମାଆ ଶାରଳାଙ୍କ ପୀଠରୁ ଆସିଥିବା ପାଟୁଆ ମାନେ ପ୍ରାଚୀ ନଦୀରୁ ପାଣି ତୋଳି ମାଙ୍କ ସମ୍ମୁଖରେ ଘଣ୍ଟ ପାଟୁଆ ନୃତ୍ୟ କରି ମାସ ତମାମ ମାଙ୍କ ମହିମା ପ୍ରଚାର କରିବା ଉଦ୍ଦେଶ୍ଯରେ ବିଭିନ୍ନ ଗାଁକୁ ଯାତ୍ରା କରିଛନ୍ତି । ଆଜିର ଦିନରେ ମାଆଙ୍କୁ ରାଜରାଜେଶ୍ଵରୀ ବେଶରେ ଦର୍ଶନ କରି କୃତାର୍ଥ ମଣିଛନ୍ତି ଭକ୍ତ । ଚୈତ୍ର ମାସ ମଙ୍ଗଳବାରରେ ମାନସିକଧାରୀ ମହିଳାମାନେ ନିଜ ପରିବାରର ମଙ୍ଗଳ କାମନା କରି ପନ୍ଥେଇ ଓଷା କରିଥାନ୍ତି ।
ମାନସ ମଙ୍ଗରାଜ ଉଠାଇଲେ ଦୁର୍ବଳ ନେଟୱର୍କ ପ୍ରସଙ୍ଗ
ନନ୍ଦିଘୋଷ ବ୍ୟୁରୋ : ରାଜ୍ୟସଭାର ଶୂନ୍ୟକାଳରେ ରାଜ୍ୟର ଡିଜିଟାଲ ଓ ମୋବାଇଲ ସଂଯୋଗର ସାନ୍ଦ୍ରତା ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡି ସାଂସଦ ମାନସ ରଂଜନ ମଙ୍ଗରାଜ। ଗ୍ରାମାଞ୍ଚଳ ଓ ଆଦିବାସୀ ବହୁଳ ଅଞ୍ଚଳରେ ଏବେ ବି ନେଟୱର୍କ ଦୁର୍ବଳ ରହିଛି। ଇଣ୍ଟରନେଟ ସେବା ମଧ୍ୟ ଭଲ ନାହିଁ। ଏ ନେଇ ସେ ରାଜ୍ୟସଭା ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ଡିିଜିଟାଲ ସେବା ବୃଦ୍ଧି କରିବାକୁ ଦାବି କରିଛନ୍ତି ମାନସ ମଙ୍ଗରାଜ। ମୋବାଇଲ ନେଟୱର୍କ ପାଇଁ ପାହାଡ଼ ଚଢିବାକୁ ପଡୁଛି। ନେଟୱର୍କ ନ ଥିବାରୁ ବିଭିନ୍ନ ସରକାରୀ ସେବା ମିଳୁନି, ପାଠପଢ଼ା ଠିକରେ ହୋଇପାରୁନି। ଏହାର ସମାଧାନ ପାଇଁ ବ୍ରଡବ୍ୟାଣ୍ଡ ସେବା ବୃଦ୍ଧି କରିବାକୁ, ଅଧିକ ମୋବାଇଲ ଟାୱାର ବସାଇବାକୁ ଦାବି କରିଛନ୍ତି ମାନସ ମଙ୍ଗରାଜ।
ଟି-୨୦ ବିଶ୍ୱକପ୍ ବିଜୟ ପରେ BCCI ଟିମ୍ ଇଣ୍ଡିଆ ପାଇଁ ୧୩୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛି
ନନ୍ଦିଘୋଷ ବ୍ୟୁରୋ : ଟ୍ବେଣ୍ଟି-ଟ୍ବେଣ୍ଟି ବିଶ୍ବ କପ ବିଜୟ ପରେ ଭାରତୀୟ ଖେଳାଳିଙ୍କ ଉପରେ ଏବେ ଟଙ୍କା ବର୍ଷା ହେବାରେ ଲାଗିଛି । ବିଶ୍ବ ବିଜେତା ଦଳକୁ ବିସିସିଆଇ ୧୩୧ କୋଟି ଟଙ୍କା ପ୍ରଦାନ କରିଛି । ଏ ନେଇ ସୂଚନା ଦେଇଛନ୍ତି ବିସିସିଆଇ ଉପସଭାପତି ତଥା କଂଗ୍ରେସ ନେତା ରାଜୀବ ଶୁକ୍ଳା । ୧୩୧କୋଟି ଟଙ୍କା ଏ ପର୍ଯ୍ୟନ୍ତ ସୁଦ୍ଧା ସବୁଠୁ ବୃହତ ପରିମାଣ ହୋଇଥିବାବେଳେ ସବୁଠୁ ବଡ଼ ଉପହାର ବୋଲି ରାଜୀବ କହିଛନ୍ତି । ୨୦୨୪ରେ ରୋହିତ ଶର୍ମାଙ୍କ ଦଳ ୧୨୫ କୋଟି ପାଇଥିଲା । ବିଶ୍ବର ପ୍ରଥମ ଟିମ ଭାବେ ଲଗାତର ଦୁଇ ଥର ଟ୍ବେଣ୍ଟି-ଟ୍ବେଣ୍ଟି ବିଶ୍ବକପ ଜିତିବାରେ ସଫଳ ହୋଇଛି । ସେହିପରି ବିଶ୍ବର ପ୍ରଥମ ଦଳ ଭାବେ ତିନିଟି ଟ୍ବେଣ୍ଟି-ଟ୍ବେଣ୍ଟି ବିଶ୍ବକପ ଜିତି ଇତିହାସ ରଚିଛି । ଏଥିପାଇଁ ବିସିସିଆଇ ଏହି ରେକର୍ଡ ପରିମାଣର ଅର୍ଥ ରାଶି ପ୍ରଦାନ କରିଛି । ସେପଟେ ବିଶ୍ବ କପ ଜିତିଥିବାରୁ ଭାରତୀୟ ଟିମକୁ ରେକର୍ଡ ୨୭.୪୮ କୋଟି ଟଙ୍କା ମିଳିଛି । ଯାହା ୨୦୨୪ ତୁଳନାରେ ୨୦ ପ୍ରତିଶତ ଅଧିକ ।
ଇରାନରେ ଯୁଦ୍ଧ : ଭାରତରେ ଗ୍ୟାସ ଅଭାବ
ନନ୍ଦିଘୋଷ ବ୍ୟୁରୋ : ଇରାନ ଯୁଦ୍ଧକୁ ନେଇ ଭାରତରେ ଦେଖା ଦେଲାଣି ଗ୍ୟାସ ସଂକଟ। ମୁମ୍ଵାଇ, ଚେନ୍ନାଇ, ବେଙ୍ଗଳୁରୁରେ ଦେଖା ଦେଇଛି ଗ୍ୟାସ ଅଭାବ। ବିଶେଷ କରି ହୋଟେଲ, ରେଷ୍ଟୁରାଣ୍ଟରେ ଏହି ଅଭାବ ଦେଖା ଦେଇଛି। ଏହି ସବୁ ସହରର ହୋଟେଲ ସଂଘ ଗ୍ୟାସ ଅଭାବକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । କେତେକ ସ୍ଥାନରେ ରେଟ୍ ମଧ୍ୟ ବଢ଼ିଲାଣି। ପର୍ଯ୍ୟାପ୍ତ ପରିମାଣରେ ଗ୍ୟାସ ଆସୁନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଇରାନ ଯୁଦ୍ଧ ପାଇଁ ମଧ୍ୟପ୍ରାଚ୍ୟର ଦେଶଗୁଡ଼ିକରେ ଗ୍ୟାସ ଉତ୍ପାଦନ ଓ ପରିବହନ ଗୁରୁତର ବାଧାପ୍ରାପ୍ତ ହୋଇଛି। ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଥିବାରୁ ଗ୍ୟାସ ଠିକରେ ଆସି ପାରୁ ନାହିଁ। ତେଣୁ ବଡ଼ ବଡ଼ ସହରରେ ଦେଖାଦେଇଛି ସଂକଟ। ଏଥିରେ ହସ୍ତକ୍ଷେପ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି, ହୋଟେଲ ଓ ରେଷ୍ଟୁରାଷ୍ଟ ସଂଘ। ସେପଟେ ସରକାର ନିୟମ କରିଛନ୍ତି ଘରୋଇ ଏଲପିଜି ବୁକିଂ ମଧ୍ୟରେ ୨୫ ଦିନ ବ୍ୟବଧାନ ରହିବା ଜରୁରୀ। ଏହାର ଭିତରେ ଘରୋଇ ଏଲପିଜି ସିଲିଣ୍ଡର ଦାମ୍ ୬୦ ଟଙ୍କା ବୃଦ୍ଧି ପାଇଥିବା ବେଳେ କମର୍ସିଆଲ ଗ୍ୟାସ ୧୧୫ ଟଙ୍କା ବୃଦ୍ଧି ପାଇଛି।
ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଶାଳୀ ଭିଣୋଇ…
ଜଳେଶ୍ୱର : ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଶାଳୀ ଭିଣୋଇ । ଜଳେଶ୍ୱର ରେଳ ଷ୍ଟେସନ ଦକ୍ଷୀଣପୂର୍ବ କେବିନର କିଛି ଦୂରରେ ଘଟିଛି ଅଘଟଣ । ଗତକାଲି ସନ୍ଧ୍ୟା ସମୟରେ ବାଲେଶ୍ୱର ଆଡକୁ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନ ଆଗକୁ ଡେଇଁପଡିଥିଲେ ଉଭୟ। ମୃତକ ଜଳେଶ୍ୱର ଥାନା ରାଜପୁରର ଭିଣୋଇ ବିଜୟ ସାହୁ ଓ ବାଲିଆପାଳ ଥାନା ଅଂଚଳର ଶାଳୀ ସଂଯୁକ୍ତା ସାହୁ । ବିଜୟ ସାହୁ ଗତକାଲି ନିଜ ଶାଳୀ ସଂଯୁକ୍ତା ସାହୁଙ୍କୁ ନେଇ ଘରକୁ ଆସିଥିବାବେଳେ କୌଣସି କଥାକୁ ନେଇ ଟ୍ରେନ ଆଗକୁ ଡେଇଁ ପଡିଥିଲେ। ଟ୍ରେନ ଧକ୍କାରେ ଉଭୟ ଶାଳୀ ଭିଣେଇଙ୍କ ମୃତ୍ୟୁ ହୋଇଛି। ଖବର ପାଇ ରେଳବାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛି।
ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
ମୁନିଗୁଡା : ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ୩ ଜଣଙ୍କ ମୃତ୍ୟୁ। ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଦୁର୍ଗୀ ସିତଲ ଢାବା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ମୃତକମାନେ ଥେରୁବାଲି ଅଞ୍ଚଳର ହୋଇଥିବା ସୂଚନା। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ ଅନ୍ୟ ୨ ଜଣଙ୍କୁ ମେଡିକାଲ ନିଆଯାଇଥିଲା। ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣଙ୍କର ଓ ଅନ୍ୟ ଜଣଙ୍କର ରାୟଗଡା ଜ଼ିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ବିଷମକଟକ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ମୃତକ ରାମନାଗୁଡା ବ୍ଲକ ଶୁଣ୍ଡିଧାମୁନି ପଂଚାୟତର ଆକାଶ ମଣ୍ଡାଙ୍ଗୀ ଓ ଥେରୁବାଲି ବୁରୁଜୁଗୁଡା ଗାଁର ବିରିସିଙ୍ଗ ହିକକା ବୋଲି ଜଣାପଡ଼ିଛି।
ପାନୀୟ ଜଳ ଯୋଗାଣକୁ ନେଇ ଗୃହରେ ହଙ୍ଗାମା
ଭୁବନେଶ୍ବର : ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ। ପାନୀୟ ଜଳ ଯୋଗାଣକୁ ନେଇ ଗୃହରେ ହଙ୍ଗାମା ହୋଇଛି। ସରକାରଙ୍କ ବିଫଳତାକୁ ପ୍ରମାଣିତ କରିଛି ମନ୍ତ୍ରୀଙ୍କ ଉତ୍ତର। ଏଭଳି ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ। ମନ୍ତ୍ରୀ ନିଜେ ଯାହା କହିଥିଲେ ତାହାକୁ ରକ୍ଷା କରିନାହାନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ସରକାର ପାନୀୟ ଜଳ ଯୋଗାଇବାରେ ବିଫଳ ହୋଇଥିବା ବେଳେ, ଏହାକୁ ନେଇ ପ୍ରଶ୍ନକାଳରେ ଶାସକ ବିରୋଧୀ ହଙ୍ଗାମା କରିଛନ୍ତି। ତେଣୁ ପିଇବା ପାଣି ସମସ୍ୟାର ସମାଧାନ କରିବାକୁ ଗୃହରେ ଦାବି ହୋଇଛି। ଉତ୍ତର ରଖି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ କହିଛନ୍ତି, ୨୬ଟି ମେଗା ପାନୀୟ ଜଳ ପ୍ରକଳ୍ପ କାମ ସରିଲାଣି। ଆହୁରି ୨୮ଟି ପ୍ରକଳ୍ପ ହେବ। ଆସନ୍ତ ୨୦୨୭ ମାର୍ଚ୍ଚ ସୁଦ୍ଧା ୨୦୭ଟି ମେଗା ପାନୀୟ ଜଳ ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟର ବିଭିନ୍ନ ଗାଁରେ ମୋଟ ୫ଲକ୍ଷ ୨୭ ହଜାର ୬୯୪ ଟ୍ୟୁବୱେଲ ଅଛି। ବର୍ଷକରେ ସରକାର ୨୬ ହଜାର ଟ୍ୟୁବୱେଲ ଲଗାଇଛନ୍ତି ବୋଲି ଗୃହରେ ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ।
ଯୁଦ୍ଧ ସ୍ଥିତିକୁ ନେଇ କଥା ହେଲେ ଟ୍ରମ୍ପ ଓ ପୁଟିନ
ନନ୍ଦିଘୋଷ ବ୍ୟୁରୋ : ଯୁଦ୍ଧ ସ୍ଥିତିକୁ ନେଇ କଥା ହେଲେ ଟ୍ରମ୍ପ ଓ ପୁଟିନ। ମଧ୍ୟପ୍ରାଚ୍ୟ ଯୁଦ୍ଧ ସହ ଋଷ ଓ ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ କଥା ହୋଇଛନ୍ତି ଦୁଇ ସୁପର ପାୱାର । ପ୍ରାୟ ୧ ଘଣ୍ଟା ଧରି କଥାବାର୍ତ୍ତା ହୋଇଛନ୍ତି ଦୁଇ ନେତା । ଉଭୟ ଋଷ ଓ ଆମେରିକା ପକ୍ଷରୁ ଏହି ସୂଚନା ଦିଆଯାଇଛି । ନିଜେ ଟ୍ରମ୍ପ ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଉଭୟଙ୍କ ମଧ୍ୟରେ ସକାରାତ୍ମକ ଆଲୋଚନା ହୋଇଥିବା କହିଛନ୍ତି ଟ୍ରମ୍ପ । ଗତ ଡିସେମ୍ବର ପରେ ଏହା ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ କଥାବାର୍ତ୍ତା । ଇରାନ ଯୁଦ୍ଧର ତୁରନ୍ତ ଅବସାନ ପାଇଁ ପୁଟିନ ଏକ ପ୍ରସ୍ତାବ ଦେଇଛନ୍ତି । ଟ୍ରମ୍ପ ପୁଟିନଙ୍କୁ କହିଥିଲେ, ଆପଣ ୟୁକ୍ରେନ ଯୁଦ୍ଧ ଶେଷ କରି ଦିଅନ୍ତୁ । ବିଶ୍ବପାଇଁ ଏହା ସବୁଠୁ ବଡ଼ ସହାୟତା ହେବ । ଏ ଦିଗରେ ସହଯୋଗ କରିବାକୁ ପୁଟିନ ପ୍ରସ୍ତୁତ ଥିବା ଟ୍ରମ୍ପ ସୂଚନା ଦେଇଛନ୍ତି ।
ଇରାନକୁ ପୁଣି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକ
ନନ୍ଦିଘୋଷ ବ୍ୟୁରୋ : ଯୁଦ୍ଧ ଭିତରେ ପୁଣି ଇରାନକୁ ଧମକାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଇରାନକୁ ସଂପୂର୍ଣ୍ଣ ଭାବେ ହରାଇବା ପର୍ଯ୍ୟନ୍ତ ଆକ୍ରମଣ ଚାଲିବ ବୋଲି କହିଛନ୍ତି ଟ୍ରମ୍ପ। ଇରାନ ସେନା ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଇରାନର ଏବେ ନୌସେନା କିମ୍ବା ବାୟୁସେନା ନାହିଁ। ଧ୍ବଂସ ହୋଇସାରିଛି ଇରାନର ୪୬ ଜାହଜ । ଏହାସହ କ୍ଷେପଣାସ୍ତ୍ର ଭଣ୍ଡାର ଏବଂ ଡ୍ରୋନ-ନିର୍ମାଣ କାରଖାନା ମଧ୍ୟ ଧ୍ୱଂସ ପାଇଛି। ଦରକାର ପଡ଼ିଲେ ଲେଜର ମିସାଇଲ ପ୍ରୟୋଗ କରିବାକୁ ଧମକାଇଛନ୍ତି ଆମେରିକା ରାଷ୍ଟ୍ରପତି। ଟ୍ରମ୍ପ ଆହୁରି ମଧ୍ୟ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ଇରାନ କୌଣସି ଚାଲାକି କରେ ତେବେ ପରିଣାମ ଆହୁରି ଭୟାବହ ହେବ। ଦରକାର ପଡ଼ିଲେ ଇରାନକୁ ନିଶ୍ଚିହ୍ନ କରିଦେବାକୁ ଧମକ ଦେଇଛନ୍ତି ଟ୍ରମ୍ପ। ସେହିପରି ତେଲ ଯୋଗାଣରେ ବାଧା ଦେଲେ ପରିଣାମ ମଧ୍ୟ ସାଂଘାତିକ ହେବ।

