spot_img
Home Blog Page 96

ପାଟପୁର ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ନିର୍ମାଣ ହୋଇଛି ଗ୍ରାମୀଣ ହାଟ, ସେଡ କରି ଟଙ୍କା ହଡ଼ପ…

ଗଞ୍ଜାମ : ଗ୍ରାମୀଣ ହାଟ ନାଁରେ ହରିଲୁଟ୍ । ବିନା ସୂଚନା ଫଳକରେ ଖେଳ ପଡ଼ିଆରେ ସେଡ କରି କରାଯାଇଛି ଟଙ୍କା ହଡ଼ପ । ବିଡିଓ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଅଭିଯୋଗ । ଗଞ୍ଜାମ ସାନଖେମୁଣ୍ଡି ବ୍ଲକ ପାଟପୁର ଉଚ୍ଚ ବିଦ୍ୟାଳୟର ଖେଳ ପଡ଼ିଆରେ ନିର୍ମାଣ ହୋଇଛି ଗ୍ରାମୀଣ ହାଟ । ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିନା ଅନୁମତିରେ କାର୍ଯ୍ୟ କରାଯାଇଛି । ଦୁଇଟି ଛୋଟିଆ ଭେଣ୍ଡିଂ ଜୋନ ନିର୍ମାଣ କରି ୨୩ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ସଂପୃକ୍ତ ଠିକାଦାର ତରବରିଆ ଭାବେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିକଟରୁ ଅନୁମତି ପତ୍ର ଲେଖି ନେଇଥିଲେ । ପରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ପ୍ରଧାନ ଶିକ୍ଷୟିତ୍ରୀ ଉକ୍ତ ଅନୁମତି ପତ୍ରକୁ ବାତିଲ ପାଇଁ ସାନଖେମୁଣ୍ଡି ବିଡ଼ିଓଙ୍କୁ ଚିଠି ଲେଖିଥିଲ । ଏଠି ପ୍ରଶ୍ନ ଉଠୁଛି- କାହା ନିର୍ଦ୍ଦେଶରେ ବେଆଇନ ଭାବେ ନିର୍ମାଣ ହୋଇଛି ଗ୍ରାମୀଣ ହାଟ ? ଏଥିପାଇଁ ଦାୟୀ କିଏ ?

ପାଟପୁର ପାଣ୍ଡା ଛକ ମୁଖ୍ୟ ରାସ୍ତାରେ ଅନେକ ବେପାରୀ ପରିବା ବ୍ୟବସାୟ କରୁଛନ୍ତି । ଫଳରେ ବିଭିନ୍ନ ସମୟରେ ଟ୍ରାଫିକ ସମସ୍ୟା ଉପୁଜୁଛି । ଦୁର୍ଘଟଣା ବି ଘଟୁଛି । ଯାହାକୁ ଦୃଷ୍ଟିରେ ରଖି ରାଧାଦେଇପୁର ସରପଞ୍ଚ ପଞ୍ଚାୟତର ସଂରକ୍ଷିତ ସରକାରୀ ଜାଗାରେ ଗ୍ରାମୀଣ ହାଟ ନିର୍ମାଣ ପାଇଁ ବ୍ଲକ ପ୍ରଶାସନକୁ ଲିଖିତ ଭାବେ ଜଣାଇଥିଲେ । ପ୍ରଶାସନ ପକ୍ଷରୁ ଜି.ଆଇ.ଏ ଓ ବିଜିବିଓ ପାଣ୍ଠିରୁ ରାଧାଦେଇପୁର ପଞ୍ଚାୟତରେ ରୁରାଲ ହାଟ ପାଇଁ ୧୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା । ମାର୍କେଟ ସେଡ ପାଇଁ ୩ ଲକ୍ଷ ଓ ପାଟପୁର ପଞ୍ଚାୟତ ଅଧୀନରେ ରୁରାଲ ହାଟ ପାଇଁ ୧୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା । ପାଟପୁର, ରାଧାଦେଇପୁର ପଞ୍ଚାୟତରେ ପର୍ଯ୍ୟାପ୍ତ ସରକାରୀ ଜାଗା ଅଛି । ହେଲେ ତରବରିଆ ଭାବେ ସ୍କୁଲ ପଡ଼ିଆରେ କାହିଁକି ନିର୍ମାଣ କରାଗଲା ହାଟ ? ଏହାର ଭବିଷ୍ୟତକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ସରପଞ୍ଚ ।

ପଟାଙ୍ଗୀରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା, ଦୁର୍ଗନ୍ଧରେ ଫାଟି ପଡୁଛି ପରିବେଶ

ପଟାଙ୍ଗୀ : ଯୁଆଡ଼େ ଦେଖିବେ ସିଆଡ଼େ ଅଳିଆ । ମୁକୁଳା ପଡ଼ିଛି ଡ୍ରେନ । ଦୁର୍ଗନ୍ଧରେ ଫାଟି ପଡୁଛି ପରିବେଶ । ଏ ହେଉଛି କୋରାପୁଟ ଜିଲ୍ଲା ପଟାଙ୍ଗୀ ସଦର ମହକୁମା ଜନଗହଳିପୂର୍ଣ୍ଣ ଅଞ୍ଚଳର ଦୃଶ୍ୟ । ବସଷ୍ଟାଣ୍ଡ ଠାରୁ ତହସିଲ ଅଫିସ ଆଗ ପର୍ଯ୍ୟନ୍ତ କୁଢ଼କୁଢ଼ ଅଳିଆ ଆବର୍ଜନା ପଡ଼ି ରହିଛି । ଡ୍ରେନରେ ଜମି ରହିଛି ଦୂଷିତ ପାଣି । ହେଲେ ଦୀର୍ଘ ଦିନ ଧରି ସଫେଇ ହେଉନଥିବା ଅଭିଯୋଗ ହୋଇଛି । ଡ୍ରେନେଜ ପାଣି ଜମି ରହିବାରୁ ମଶାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଯାହାକୁ ନେଇ ଚିନ୍ତାରେ ଲୋକେ ।

ପ୍ରତିଦିନ ଏହି ରାସ୍ତା ଦେଇ ଯାଆସ କରୁଛନ୍ତି ଶହ ଶହ ଲୋକ । ନିକଟରେ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ ବସଷ୍ଟାଣ୍ଡ ରହିଛି । ହେଲେ ଏଠାରୁ ଅଳିଆ ହଟୁନି । ଯାହା ପରିମଳ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଶୀଘ୍ର ଅଞ୍ଚଳରୁ ଅଳିଆ ହଟାଯାଉ, ଡ୍ରେନ ସଫା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । କେବେ ପ୍ରଶାସନର ନିଦ ଭାଙ୍ଗିବ ? କେବେ ପଟାଙ୍ଗୀରୁ ହଟିବ ଅଳିଆ ? କେବେ ସଫା ହେବ ଡ୍ରେନ ? ଏହା କଣ ସ୍ଵଚ୍ଛ ଭାରତ ଅଭିଯାନକୁ ଉପହାସ କରୁନି କି ?

ରାସ୍ତା କଡ଼ରେ ପଡ଼ିଛି ସରକାରୀ ଔଷଧ

ଜଳେଶ୍ବର : ରାସ୍ତା କଡ଼ରେ ପଡ଼ିଛି ସରକାରୀ ଔଷଧ । କନ୍ଧମାଳ ଜିଲ୍ଲା ଫୁଲବାଣୀ ସୁନାସିର ନଗର ରାସ୍ତା କଡ଼ରେ ପଡ଼ିଛି କୁଢକୁଢ ମେଡିସିନ । କଫ୍ ସିରପ୍, ଗର୍ଭଧାରଣ ପରୀକ୍ଷା କିଟ୍, ଇଞ୍ଜେକସନ, ଭିଟାମିନ, ସମେତ ବିଭିନ୍ନ ପ୍ରକାରର ଔଷଧ ପଡ଼ିଛି । ସବୁଠୁ ବଡ଼ କଥା ହେଲା କେତେକ ମେଡିସିନର ଏକ୍ସପାଏରୀ ସରିଥିବା ବେଳେ କେତେକର ଏବେବି ରହିଛି । ଏଠି ପ୍ରଶ୍ନ ଉଠୁଛି- ସରକାରୀ ମେଡିସିନ ଗୁଡିକ ରାସ୍ତା କଡ଼କୁ ଗଲା କେମିତି ? କିଏ ଓ କାହିଁକି ଆଣିଲା ? ଅନ୍ୟପଟେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ । ଯଦି କୌଣସି ଅବହେଳା କିମ୍ବା ଅନିୟମିତତା ହୋଇଥିବା ଜଣାପଡ଼େ । ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଦାଇତ୍ୱରେ ଥିବା ସିଡିଏମଓ ।

UNSCରେ ସ୍ଥାୟୀ ସଦସ୍ୟତା ପାଇଁ ଭାରତର ପ୍ରୟାସକୁ ବଡ଼ ସମର୍ଥନ

ନନ୍ଦିଘୋଷ ବ୍ୟୁରୋ : ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବା UNSCରେ ସ୍ଥାୟୀ ସଦସ୍ୟତା ପାଇଁ ଭାରତର ପ୍ରୟାସକୁ ବଡ଼ ସମର୍ଥନ। ମଧ୍ୟ-ୟୁରୋପୀୟ ଦେଶଗୁଡ଼ିକର ଭିସେଗ୍ରାଡ୍ ଗ୍ରୁପ୍ ଯଥା-ପୋଲାଣ୍ଡ, ହଙ୍ଗେରୀ, ସ୍ଲୋଭାକିଆ ଏବଂ ଚେକ୍ ଗଣରାଜ୍ୟ ପକ୍ଷରୁ ଆନୁଷ୍ଠାନିକ ଓ ସାମୂହିକ ସମର୍ଥନ ମିଳିଛି। ମିଳିତ ଜାତିସଂଘ ସାଧାରଣ ସଭା ଅଧିବେଶନ ସମୟରେ ଅନୁଷ୍ଠିତ ପ୍ରଥମ V4-ଭାରତ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଏହି ସମର୍ଥନ ପ୍ରକାଶ ପାଇଥିଲା। ସ୍ଲୋଭାକିଆର ବୈଦେଶିକ ମନ୍ତ୍ରୀ ଜୁରାଜ୍ ବ୍ଲାନାର୍ ଭାରତକୁ ଏକ ଉଦୀୟମାନ ମହାଶକ୍ତି ଭାବରେ ବର୍ଣ୍ଣନା କରିଥିଲେ। ଏଥିସହିତ, ଏହି ଗୋଷ୍ଠୀ ୧୯୪୫ ପରବର୍ତ୍ତୀ ସମୟରେ ଗଠିତ ଏହି ସଂସ୍ଥାର ସଂସ୍କାର ପାଇଁ ଭାରତର ଦାବିକୁ ଦୃଢ଼ ସମର୍ଥନ ଜଣାଇବା ସହ ବ୍ୟାପକ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କରିବାକୁ ସହମତି ପ୍ରକାଶ କରିଥିଲେ। ଯଦିଓ ଏହା ଭାରତର ସମର୍ଥକ ଗୋଷ୍ଠୀକୁ ମଜବୁତ କରୁଛି, ତଥାପି ସ୍ଥାୟୀ ସଦସ୍ୟତା ପାଇଁ UNGAର ଦୁଇ-ତୃତୀୟାଂଶ ସଦସ୍ୟଙ୍କ ଅନୁମୋଦନ ଏବଂ P5 ବା ପାଞ୍ଚଟି ସ୍ଥାୟୀ ସଦସ୍ୟ ରାଷ୍ଟ୍ରଙ୍କ ସହମତି ଆବଶ୍ୟକ।

ଆସନ୍ତାକାଲିଠାରୁ ବନ୍ଦ ରହିବ ଇରାନର ସମସ୍ତ ଏୟାରଲାଇନ୍ସ

ନନ୍ଦିଘୋଷ ବ୍ୟୁରୋ ; ଆସନ୍ତାକାଲିଠାରୁ ବନ୍ଦ ରହିବ ଇରାନର ସମସ୍ତ ଏୟାରଲାଇନ୍ସ। ଇରାନ ବିରୋଧରେ ଅର୍ଥନୈତିକ ଚାପ ସୃଷ୍ଟି ଉଦ୍ଦେଶ୍ୟରେ ବିଶ୍ବବ୍ୟାପୀ ଇରାନ ଏୟାରଲାଇନ୍ସର ସମସ୍ତ ବିମାନର ଚଳାଚଳ ଉପରେ ଆସନ୍ତାକାଲିଠାରୁ କଟକଣା ଜାରି କରିବ ଆମେରିକା। ଇରାନର ବିମାନଗୁଡିକର ଯାତାୟାତ ଲାଗି ଯଦି କୌଣସି ରାଷ୍ଟ୍ର ସହାୟତା କରିବ ତେବେ ସେହି ରାଷ୍ଟ୍ରଗୁଡିକ ବିରୋଧରେ କଟକଣା ଜାରି କରାଯିବ ବୋଲି କହିଛି ଆମେରିକା। ଆମେରିକା ଟ୍ରେଜେରୀ ସଚିବ ସ୍କଟ ବେସେଣ୍ଟ କହିଛନ୍ତି- ସାରା ବିଶ୍ବରେ ଇରାନ ଉପରେ ବିମାନ ସଂକ୍ରାନ୍ତ କଟକଣା ଜାରି କରାଯିବ। ବିଦେଶୀ ବିମାନ ବନ୍ଦର, ଇନ୍ଧନ ଯୋଗାଣକାରୀ, ଟିକେଟ କମ୍ପାନି ଓ ଅନ୍ୟାନ୍ୟ ବ୍ୟାବସାୟିକ ସହଯୋଗୀଙ୍କୁ ଏନେଇ ଚେତାବନୀ ଦିଆଯାଇଛି। ଯଦି ସେମାନେ ଇରାନ ଏୟାରଲାଇନ୍ସକୁ କୌଣସି ସହଯୋଗ କରିବେ ତେବେ ସେମାନଙ୍କ ବିରୋଧରେ କଟକଣା ଲାଗୁ ହେବ। ଇପାନପ ଶକ୍ତି, ଜାହାଜ ଚଳାଚଳ ଓ ପ୍ରଯୁକ୍ତି କ୍ଷେତ୍ର ଉପରେ ଚାପ ସୃଷ୍ଟି କରିବା ଲାଗି ଆମେରିକା ଏହି କଟକଣା ଜାରି କରିଛି। କିଛିଦିନ ଧରି ଆମେରିକାର କଟକଣାର ଶିକାର ହେବା ଯୋଗୁ ଇରାନ ଗଭୀର ଅର୍ଥନୈତିକ କ୍ଷତିର ସମ୍ମୁଖୀନ ହୋଇଛି।

ବନ୍ଦେ ମାତରଂ ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି

ନନ୍ଦିଘୋଷ ବ୍ୟୁରୋ :  ବନ୍ଦେ ମାତରଂ ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି। ବନ୍ଦେ ମାତରଂର ସମସ୍ତ ପଦଗୁଡ଼ିକୁ ଯଦି ଜଣେ ବ୍ୟକ୍ତି ଗାନ କରନ୍ତି ନାହିଁ ତେବେ ତାଙ୍କ ବିରୋଧରେ ଅପରାଧିକ ମାମଲା ଦୟର ହେବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଆସନ୍ତା ୨ ସପ୍ତାହ ମଧ୍ୟରେ କର୍ଣ୍ଣାଟ ସଂଗୀତଜ୍ଞ ଟିଏମ କ୍ରିଷ୍ଣାଙ୍କ ପିଟିସନର ଉତ୍ତର ରଖିବା ଲାଗି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଜାତୀୟ ସମ୍ମାନ ଅପମାନ ନିବାରଣ (ସଂଶୋଧନ) ଆଇନର ସାମ୍ବିଧାନିକ ବୈଧତା ପ୍ରସଙ୍ଗକୁ ଚାଲେଞ୍ଜ କରି ଦାୟର ଏକ ପିଟିସନର ଉତ୍ତର ଦାଖଲ ଲାଗି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ଆଇନରେ ଜାତୀୟ ସମ୍ମାନ ପ୍ରତି ଅବମାନନା ବିରୋଧରେ ୩ ବର୍ଷ ଯାଏ ଜେଲଦଣ୍ଡ ବ୍ୟବସ୍ଥା ରହିଛି। ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ସୁପ୍ରିମକୋର୍ଟ ମତ ଦେଇଛନ୍ତି- ଯେଉଁ ବ୍ୟକ୍ତିମାନେ ଧାର୍ମିକ କିମ୍ବା ବିବେକଗତ ବିଶ୍ୱାସ କାରଣରୁ ‘ବନ୍ଦେ ମାତରମ୍’ର ସମସ୍ତ ପଦ ଗାନ ନ କରିବାକୁ ନିଷ୍ପତ୍ତି ନିଅନ୍ତି, ସେମାନଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ କରାଯିବା ଉଚିତ୍ ନୁହେଁ। ଏନେଇ ଟି.ଏମ୍. କ୍ରିଷ୍ଣା ଏକ ‘ଜନସ୍ୱାର୍ଥ ମାମଲା’ ଦାଖଲ କରିଥିଲେ। ଏଥିରେ ସେ ‘ବନ୍ଦେ ମାତରମ୍’ର ସମସ୍ତ ଛଅଟି ପଦ ଗାନ କରିବାକୁ ବାଧ୍ୟତାମୂଳକ କରୁଥିବା ନିୟମ ଏବଂ ଏଥିପାଇଁ ଅପରାଧିକ ଦଣ୍ଡବିଧାନର ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରିଥିଲେ। କୋର୍ଟ ଏଠାରେ ନିଜର ୧୯୮୬ ମସିହାର ଏକ ପ୍ରସିଦ୍ଧ ରାୟ ବିଜୋ ଇମାନୁଏଲ୍ ବନାମ କେରଳ ରାଜ୍ୟର ଉଲ୍ଲେଖ କରିଥିଲେ। ଏହି ରାୟରେ ସେହି ବ୍ୟକ୍ତିମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଇଥିଲା ଯେଉଁମାନେ ଜାତୀୟ ସଙ୍ଗୀତ କିମ୍ବା ଜାତୀୟ ଗୀତ ସମୟରେ ସମ୍ମାନର ସହ ଛିଡ଼ା ହୁଅନ୍ତି, କିନ୍ତୁ ନିଜର ବ୍ୟକ୍ତିଗତ କିମ୍ବା ଧାର୍ମିକ ବିଶ୍ୱାସ ଯୋଗୁଁ ନିରବ ରୁହନ୍ତି। ଜାତୀୟ ସମ୍ମାନ ଅପମାନ ନିବାରଣ (ସଂଶୋଧନ) ଆଇନ, ୨୦୨୬’ ଅନୁଯାୟୀ, ଜାତୀୟ ଗୀତ ଗାନକୁ ଜାଣିଶୁଣି ବନ୍ଦ କରିବା କିମ୍ବା ବାଧା ସୃଷ୍ଟି କରିବା ପାଇଁ ଅପରାଧିକ ଦଣ୍ଡ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ କିମ୍ବା ଜରିମାନା ବ୍ୟବସ୍ଥା ଲାଗୁ କରାଯିବା ପରେ ଏହି ଆଇନଗତ ବିବାଦ ଉପୁଜିଥିଲା।

ରାଜଧାନୀରେ ବିଜେଡି ଯୁବ ଛାତ୍ର ସଂଗଠନର ଗର୍ଜନ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି

ଭୁବନେଶ୍ବର : ଆଜି ସରୁଛି ବିଜେଡିର ଡେଡ୍ ଲାଇନ। ଏବେ ଆରମ୍ଭ ହୋଇଛି ଆନ୍ଦୋଳନ। ବହି ତ୍ରୁଟି ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଆନ୍ଦୋଳନକୁ ଜୋରଦାର କରିଛି ବିଜେଡି। ଆଜିଠୁ ଭୁବନେଶ୍ବର ଗାନ୍ଧୀ ମାର୍ଗରେ ବିଜେଡି ଯୁବ ଛାତ୍ର ସଂଗଠନର ଅହୋରାତ୍ର ଧାରଣା ଆରମ୍ଭ ହୋଇଛି। ବିଧାନସଭା ବି ଘେରାଉ କରାଯିବ। ଏଥିରେ ବିଧାୟକ, ସାଂସଦଙ୍କ ସମେତ ବୁଦ୍ଧିଜୀବୀମାନେ ବି ସାମିଲ ହେବେ । ସ୍କୁଲ ବହିରେ ୧୬୭୮ରୁ ଅଧିକ ତ୍ରୁଟି ହୋଇଛି। ଏଥିପାଇଁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ  ଦାୟୀ କରି ତାଙ୍କ ଇସ୍ତଫା ଦାବି କରିଥିଲା ବିଜେଡି। ମନ୍ତ୍ରୀ କିନ୍ତୁ ପଦ ଛାଡି଼ନଥିବାରୁ ଆନ୍ଦୋଳନକୁ ଜୋରଦାର କରାଯାଇଛି। ବର୍ଷାରେ ଭିଜି ଭିଜି ଧାରଣା ଦେଇଛନ୍ତି ବିଜେଡି ଯୁବ ଓ ଛାତ୍ର ସଂଗଠନର କର୍ମୀ। ବିଜେଡି ବିଧାୟକମାନେ ବି ଏଥିରେ ସାମିଲ ହୋଇଛନ୍ତି।

ଘନଉଛି ବଲାଙ୍ଗୀର ଫରେଷ୍ଟର ବ୍ୟାସଦେବ ସାହୁଙ୍କ ମୃତ୍ୟୁ ମାମଲା ।

ନନ୍ଦିଘୋଷ ବ୍ୟୁରୋ :  ଘନଉଛି ବଲାଙ୍ଗୀର ଫରେଷ୍ଟର ବ୍ୟାସଦେବ ସାହୁଙ୍କ ମୃତ୍ୟୁ ମାମଲା । ୨୪ ଘଣ୍ଟା ପରେ ବି ରହସ୍ୟ ଉପୁରୁ ହଟିନି ପରଦା । ହତ୍ୟା ନା ଆତ୍ମହତ୍ୟା ? ପିସି ଟଙ୍କା ନାଁ ଧାରକରଜ ? କିଏ ପକାଉଥିଲେ ଚାପ ? ତାକୁ ନେଇ ପୋଲିସର ଖୋଳତାଡ଼ ।….  ଗୋଟିଏ ରେଞ୍ଜରେ ୨୦ ବର୍ଷ ଧରି ଚାକିରି। ଭଲ ଗୁଇନ୍ଦା ସୂଚନା ରଖୁଥିବାରୁ ଫରେଷ୍ଟର ବ୍ୟାସଦେବ ସାହୁଙ୍କୁ ଚଢାଉ ଟିମରେ ସାମିଲ କରାଯାଉଥିଲା I ବନ ବିଭାଗର ଦକ୍ଷ ଫରେଷ୍ଟର  ହୋଇଥିବାରୁ ଅନେକ ଥର ବନ ବିଭାଗ ଓ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପୁରସ୍କୃତ ହୋଇଥିଲେ ବ୍ୟାସ I ବିଭିନ୍ନ ସମୟରେ ଅନ୍ୟତ୍ର ବଦଳି ହୋଇ ପୁଣି ବଲାଙ୍ଗୀର ରେଞ୍ଜକୁ ଫେରି ଆସୁଥିଲେ ବ୍ୟାସଦେବ ସାହୁ । ହେଲେ ଗତକାଲି ଷ୍ଟାଫ କ୍ବାଟର୍ସରୁ ସନ୍ଦେହଜନକ ଭାବେ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେବା ଘଟଣା ସମସ୍ତଙ୍କୁ ଚକିତ କରିଛି I ସବୁ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି ବଲାଙ୍ଗୀର ପୋଲିସ I ଗତକାଲି ମଧ୍ୟାହ୍ନରେ ଅଫିସରୁ ଷ୍ଟାଫ୍ କ୍ୱାଟରକୁ ଯାଇଥିଲେ ବ୍ୟାସ  I ଆଉ ଅଫିସକୁ ନ ଫେରିବାରୁ ଅଫିସରେ ଡାଟା ଏଣ୍ଟ୍ରି କାମ କରୁଥିବା ସାନ ପୁଅ ସହ ରେଞ୍ଜର ଯାଇ ଡାକିଥିଲେ I ଭିତରୁ କୌଣସି ଉତ୍ତର ନ ଆସିବାରୁ ଅନ୍ୟ ବନବିଭାଗ ଷ୍ଟାଫ ଓ ପୋଲିସକୁ ଖବର ଦେଇଥିଲେ I ପୋଲିସ ଉପସ୍ଥିତରେ ଝୁଲନ୍ତା ଅବସ୍ଥାରେ ଫରେଷ୍ଟର ବ୍ୟାସଦେବ ସାହୁଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା I ବ୍ୟାସଙ୍କ ମୃତ୍ୟୁ ପଛରେ ବିଭାଗୀୟ କାମର ୩୦ ପ୍ରତିଶତ ପିସି ବୋଲି ବ୍ୟାସଙ୍କ ପୂର୍ବତନ ସହକର୍ମୀ ଫରେଷ୍ଟର ଭାଗବତ ଦାସ ଖୋଲାଖୋଲି ଗୁରୁତର ଅଭିଯୋଗ ଆଣିବା ପରେ ବିଭାଗୀୟ ଅଧିକାରୀଙ୍କ ପାଇଁ ଅଡ଼ୁଆ ସୃଷ୍ଟି ହୋଇଛି । …

ସେପଟେ ବିଭାଗୀୟ ଚାପ ଯୋଗୁ ବ୍ୟାସଦେବଙ୍କ ମୃତ୍ୟୁ ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଅନ୍ୟପଟେ ସେ ମାର୍କେଟରୁ ଲକ୍ଷାଧିକ ଟଙ୍କାର ଧାର ଟଙ୍କା ଉଠାଇଥିଲେ I ଏହି ଟଙ୍କା କାହାକୁ ଦେଇଥିଲେ ?  ଏସବୁ ଦିଗକୁ ନେଇ ପୋଲିସ ତଦନ୍ତ ଆରମ୍ଭକରିଛି ।  ମୃତ ଫରେଷ୍ଟରଙ୍କ ମୋବାଇଲ ଜବତ କରି ପ୍ରାଥମିକ ତଦନ୍ତ ଜାରି ରଖିଛି ପୋଲିସ  I  ବଲାଙ୍ଗୀର ରେଞ୍ଜରେ ୨ ଦଶନ୍ଧି ଧରି କାର୍ଯ୍ୟ କରୁଥିବାରୁ ବନବିଭାଗ ସବୁ କାମ ଓ ନେଣଦେଣ ଜାଣିଥିଲେ ଫରେଷ୍ଟର ବ୍ୟାସଦେବ ସାହୁ I ନିଜ ନାଁରେ କାମ କରୁଥିବାରୁ ଅନେକ ଲୋକଙ୍କ ଠାରୁ ସେ ଟଙ୍କା ମଧ୍ୟ ନେଇଥିଲେ । ହେଲେ ସେ ଟଙ୍କା ଫେରାଇ ପାରୁନଥିବା ମଧ୍ୟ ଚର୍ଚ୍ଚା ହେଉଛି  I ବଲାଙ୍ଗୀର ସହର ତାଳପାଲିପଡାର ସୌମ୍ୟରଞ୍ଜନ ପଣ୍ଡା ଅଗଷ୍ଟ ୨୧ ତାରିଖରେ ଧାର ଦେଇଥିବା ୩ ଲକ୍ଷ ଟଙ୍କା ଫେରସ୍ତ ପାଇଁ ବ୍ୟାସଙ୍କୁ କରିଥିବା ଓକିଲ ନୋଟିସ ନନ୍ଦିଘୋଷ ଟିଭିର ହସ୍ତଗତ ହୋଇଛି  I

ପିସି ପାଇଁ ଡିଏଫଓ, ଏସିଏଫ, ରେଞ୍ଜରଙ୍କ ଚାପ ରହିଥିଲା ନା ଧାର କରିଥିବା ଲକ୍ଷାଧିକ ଟଙ୍କା ଫେରସ୍ତ କରିନପାରି ଚାପରେ ଫରେଷ୍ଟର ବ୍ୟାସ ଏଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି ତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଅପରେସନ ‘ଦମନ’ ବନାମ ଅପରାଧୀଙ୍କ ଦମନଲୀଳା

ନନ୍ଦିଘୋଷ ବ୍ୟୁରୋ :  ଅପରେସନ ‘ଦମନ’ ବନାମ ଅପରାଧୀଙ୍କ ଦମନଲୀଳା । ପୂଜା ପୂର୍ବରୁ ଆକ୍ସନ ମୋଡ଼ରେ ଓଡ଼ିଶା ପୋଲିସ । ହାର୍ଡକୋରଙ୍କୁ ଏନକାଉଣ୍ଟର, ସେପଟେ ରାଜଧାନୀରେ ଫୁଟିଲା ଗୁଳି । ….ସରିଛି ଗଣେଶ ପୂଜା । ଆଗକୁ ଦଶହରା। ପାର୍ବଣ ଋତୁ ପାଇଁ ପୋଲିସ ଅଣ୍ଟା ଭିଡୁଥିବା ବେଳେ ରାଜଧାନୀରେ ଫୁଟିଛି ଗୁଳି । ଫେସବୁକ ଲାଇଭରୁ ଘଟିଛି ତୁମୁଳକାଣ୍ଡ । ଭରତପୁର ଥାନା ଅନ୍ତର୍ଗତ ଘାଟିକିଆର ଏକ ଘରୋଇ ହସ୍ପିଟାଲ ନିକଟରେ ୨ ରାଉଣ୍ଡ ବ୍ଲାଙ୍କ ଫାୟାରିଂ  ହୋଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଯୋଗୁ ୫ ଜଣ ଆହତ ହୋଇଛନ୍ତି । ରାତି ପ୍ରାୟ ୨ ଟା ୪୫ ରେ ଏଭଳି ଘଟଣା ଘଟିଥିବା ବେଳେ ଆଜି ପୋଲିସ ଆରମ୍ଭ କରିଛି ସର୍ଜମିନ ଯାଞ୍ଚ । ଘଟଣାସ୍ଥଳରୁ ୨ ଟି ଖୋକା ଜବତ ହୋଇଛି । ଖବର ପାଇ ସାଇଣ୍ଟିଫିକ ଟିମ ମଧ୍ୟ କ୍ରାଇମ ସ୍ପଟରେ ପହଁଚି ଖୋଳତାଡ଼ ଆରମ୍ଭ କରିଛି । ଜବତ ସିସିଟିଭି ରୁ ପୋଲିସ କିଛି ସୁରାକ ପାଇଥିବା ବେଳେ ଅଭିଯୁକ୍ତଙ୍କୁ ଧରିବାକୁ ଚଳାଇଛି ଚଢ଼ାଉ । ….

ସେପଟେ ଆଜିଠୁ ରାଜ୍ୟବ୍ୟାପୀ ‘ଦମନ’ ଅଭିଯାନ ଆରମ୍ଭ ହୋଇଛି ।  ଏହି ଅଭିଯାନ ଆଜିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ । ଅଭିଯାନ ସମୟରେ ଅପରାଧୀ ଓ ଅସାମାଜିକଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯିବ । ଜାମିନ ବିହୀନ ଗିରଫ ପରୱାନା କାର୍ଯ୍ୟକାରୀ କରିବା ସହ ପ୍ରତିଷେଧମୂଳକ ଆଇନଗତ ପଦକ୍ଷେପ ନିଆଯିବ । ବେଆଇନ ମଦ କାରବାର, ନିଶାଦ୍ରବ୍ୟ ଚାଲାଣ, ବେଆଇନ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ କାରବାର ଉପରେ ସ୍ୱତନ୍ତ୍ର ନଜର ରଖାଯିବ। ବଳପୂର୍ବକ ଚାନ୍ଦା ଆଦାୟ ଏବଂ ସଂଗଠିତ ଅପରାଧ ବିରୋଧରେ ମଧ୍ୟ କଡ଼ା ଆଇନଗତ ପଦକ୍ଷେପ ନିଆଯିବ । ଅପରାଧୀଙ୍କ ଗତିବିଧି ରୋକିବା ପାଇଁ ସୀମାନ୍ତ ଅଞ୍ଚଳରେ ବ୍ଲକିଂ ଓ ବର୍ଡର ସିଲିଂ କରାଯିବ। ଜିଲ୍ଲା ପୋଲିସ, ରେଳବାଇ ପୋଲିସ, କମିଶନରେଟ୍ ପୋଲିସ ଓ ସମ୍ପୃକ୍ତ ପୋଲିସ ୟୁନିଟ୍‌ଗୁଡ଼ିକ ପରସ୍ପର ସମନ୍ୱୟରେ ଏହି ଅଭିଯାନକୁ କାର୍ଯ୍ୟକାରୀ କରିବେ।

ଆସନ୍ତାକାଲି ଠାରୁ ବିଧାନସଭା । ପୁରା ସହରରେ ପୋଲିସର କଡା ପ୍ରହରା। ଏସବୁକୁ ମାତ୍ ଦେଇ ରାଜଧାନୀରେ ଗୁଳି ଫୁଟିବା ଘଟଣା ପୋଲିସ ପାଇଁ ବଢ଼ାଇଛି ଟେନ୍ସନ

ସମ୍ବଲପୁରର ମାଆ ସମଲେଶ୍ୱରୀଙ୍କ ହୁଣ୍ଡି ଟଙ୍କାକୁ ନେଇ ରାଜନୈତିକ ଝଡ଼

ନନ୍ଦିଘୋଷ ବ୍ୟୁରୋ :  ସମ୍ବଲପୁରର ମାଆ ସମଲେଶ୍ୱରୀଙ୍କ ହୁଣ୍ଡି ଟଙ୍କାକୁ ନେଇ ରାଜନୈତିକ ଝଡ଼ । ଦାନ ଅର୍ଥରେ ଅତିଥିଙ୍କ ପାଇଁ ନୂଆଁଖାଇ  ଭେଟଘାଟ କାର୍ଯ୍ୟକ୍ରମ ବୋଲି ଅଭିଯୋଗ । ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ରାଜ୍ୟର ପ୍ରମୁଖ ରାଜନୈତିକ ବ୍ୟକ୍ତି ଏବଂ ରାଜ୍ୟ ବାହାରୁ ଆସିଥିବା ଅତିଥିଙ୍କ ପାଇଁ ସ୍ବତନ୍ତ୍ର ଅୟୋଜନ ହୋଇଥିବା ବିଜେଡି ଅଭିଯୋଗ କରିଛି । ବିଜେଡି ରାଜ୍ୟ ସମ୍ପାଦକ ସଞ୍ଜିତ ମହାନ୍ତି ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ନୂଆଁଖାଇରେ ଏ ପରମ୍ପରା ନଥିଲା ବୋଲି କହିଛନ୍ତି ସଞ୍ଜିତ ମହାନ୍ତି  । ସେପଟେ କଂଗ୍ରେସ ମଧ୍ୟ ସମାନ ଅଭିଯୋଗ ଆଣିଛି ।

ଏଭଳି ଅଭିଯୋଗକୁ ଖଣ୍ଡନ କରିଛି ମାଆ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ । ମା’ଙ୍କ ହୁଣ୍ଡିରୁ ଗୋଟିଏ ଟଙ୍କା ମଧ୍ୟ ଏହି କାର୍ଯ୍ୟକ୍ରମ ପାଇଁ ଖର୍ଚ୍ଚ ହୋଇନାହିଁବୋଲି କହିଛି ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ । ଏଭଳି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ସେ କହିଛନ୍ତି। ନୂଆଁଖାଇ ଦିନ ଯେତେବେଳେ ସମଲେଶ୍ୱରୀ ମନ୍ଦିର ପରିସରରେ ନୂଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ହୋଇଥିଲା ଏଥିରେ ରାଜ୍ୟ ର ବହୁ ବରିଷ୍ଠ ରାଜନେତା ଯୋଗ ଦେଇଥିଲେ । ସେହି କାର୍ଯ୍ୟକ୍ରମ ସ୍ୱତନ୍ତ୍ର ଫଣ୍ଡରୁ ହିଁ ଖର୍ଚ୍ଚ କରାଯାଇଥିଲା ବୋଲି କହିଛନ୍ତି ଟ୍ରଷ୍ଟ ବୋର୍ଡ ସଭାପତି । …

ଯଦି ଏହି ଅଭିଯୋଗ ସତ ତେବେ ଶ୍ରଦ୍ଧାଳୁଙ୍କ ଭାବାବେଗ ସହ ଖେଳ ଖେଳାଯାଉଥିବା ମତପ୍ରକାଶ ପାଇଛି । …