spot_img
Home Blog Page 972

୫ ମାସ ହେଲାଣି ଧରାଶାୟୀ ପୁଞ୍ଜି ବଜାର, ନିବେଶକ ହରାଇଲେଣି ୯୦ ଲକ୍ଷ କୋଟି

ଭୁବନେଶ୍ବର ; ଦେବାଳିଆ ସ୍ଥିତିକୁ ଯାଉଛି ଭାରତ ! ଏପରି ଆଶଙ୍କା କଲେଣି ଅର୍ଥନୀତି ବିଶେଷଜ୍ଞ । ପ୍ରଚାରରେ ବ୍ୟସ୍ତ କେନ୍ଦ୍ର ସରକାର। ଚଳିତ ଆର୍ଥିକ ବର୍ଷର ଶେଷ କ୍ବାର୍ଟରରେ ବି ଅଭିବୃଦ୍ଧି ନିରାଶଜନକ । ପୁଣି ଥରେ ଭାରତୀୟ ବଜାରରେ ଦେଖିବାକୁ ମିଳିଛି ୧୯୯୬ ସମୟର ସ୍ଥିତି । ଲଗାତାର ୫ ମାସ ହେଲାଣି ମାଟି କାମୁଡି ଚାଲିଛି ପୁଞ୍ଜି ବଜାର । ୯୦ ଲକ୍ଷ କୋଟି ଟଙ୍କା ହରାଇଲେଣି ପୁଞ୍ଜି ନିବେଶକାରୀ । ସେପଟେ କୋଭିଡ ପରେ କେନ୍ଦ୍ର ସରକାର ବିଦେଶୀ ପୁଞ୍ଜିକୁ ଆକୃଷ୍ଟ କରିବା ପାଇଁ ଯେପରି ଘୋଷଣା କରିଥିଲେ । ସେଥିରେ ବାସ୍ତବତା ନଥିବା ଅନୁଭବ କଲେଣି ବିଦେଶୀ ସଂସ୍ଥାଗତ ପୁଞ୍ଜି ନିବେଶକାରୀ । ଯେଉଁଥି ପାଇଁ ଏବେ ସବୁଦିନ ଭାରତୀୟ ଷ୍ଟକ ବଜାରରେ ସେମାନେ ତାଙ୍କ ଅଂଶଧନ ବିକ୍ରି କରି ବାହାରି ଯାଉଛନ୍ତି । ସ୍ଥିତି ଏମିତି ହେଲାଣି ଯେ, ବାରମ୍ବାର ବଜାର କ୍ରାସ୍ କରିବାରୁ ପ୍ରଚୁର କ୍ଷତି ସହିଲେଣି ଘରୋଇ ଖୁଚୁରା ନିବେଶକାରୀ । ଏପରିକି ଋଣ କରି ଆଉ ନିବେଶ କରିବାକୁ ସାହାସ ଜୁଟେଇ ପାରୁନାହାନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଜ ଟ୍ରମ୍ପଙ୍କ ଟାରିଫ ଆକ୍ରମଣ ସତ୍ତ୍ବେ ବିଶ୍ବର ଅନ୍ୟ ଷ୍ଟକ୍ ମାର୍କେଟ୍ରେ ନିବେଶକାରୀ ଲାଭବାନ ହେଉଛନ୍ତି । ଯେପରିକି, ସଂଘାଇ, ହଂଗ୍କଙ୍ଗ୍, ୟୁରୋପ ମାର୍କେଟ୍, କୋରିଆର କୋସ୍ପି, ଆମେରିକା ଷ୍ଟକ ମାର୍କେଟ୍ ଡାଓ ଜୋନ୍ସ୍, ନାସଡାକ୍, ଏସ୍.ଆଣ୍ଡ.ପି ଆଦି ମାର୍କେଟ ବୁମ୍ରେ ଚାଲିଛି । କିନ୍ତୁ କାହିଁକି କ୍ଷତିରେ ଭାରତୀୟ ଷ୍ଟକ ମାର୍କେଟ ?  ବିଶେଷଜ୍ଞଙ୍କ ଅଭିଯୋଗ, ଏବେର କେନ୍ଦ୍ର ସରକାରଙ୍କ ନୀତିକୁ ଭରସା କରିପାରୁନାହାନ୍ତି ବିଦେଶୀ ପୁଞ୍ଜି ନିବେଶକାରୀ । କିଛି ମୁଷ୍ଟିମେୟ ପୁଞ୍ଜିପତିଙ୍କ ଫାଇଦା ପାଇଁ କେନ୍ଦ୍ର ସରକାର ଯେପରି ନୀତି ଆପଣାଉଛନ୍ତି, ତାହା ଦେଶର ଅର୍ଥନୀତିକୁ ଭିତରେ ଭିତରେ କଙ୍କାଳସାର କଲାଣି । ବେରୋଜଗାରୀ, ମହଙ୍ଗା ବଜାର ଯୋଗୁ ବେଶୀ ପ୍ରଭାବିତ ହେବାକୁ ଯାଉଛନ୍ତି ମଧ୍ୟବିତ୍ତ ।

ପ୍ରତିଦିନ କ୍ରାସ୍ କରିବାରେ ଲାଗିଛି ମାର୍କେଟ୍। କେତେକାଂଶରେ ଏହା ଜାଣିଶୁଣି କରାଯାଉଛି ବୋଲି ଅଭିଯୋଗ ହୋଇଛି । କ୍ଷୁଦ୍ର ନିବେଶକାରୀଙ୍କୁ ବଜାରରୁ ଆଉଟ୍ କରିବାକୁ ବଡ଼ ପୁଞ୍ଜି ନିବେଶକାରୀ ଏଫ୍ଆଇଆଇଙ୍କ ସହ ମଧୁଚନ୍ଦ୍ରିକା କରି ମାର୍କେଟ୍ ଡାଉନ୍ କରିବାରେ ଲିପ୍ତ ରହୁଛନ୍ତି । ବିଦେଶୀ ପୁଞ୍ଜିନିବେଶକାରୀଙ୍କୁ ଭାରତରେ ନିବେଶ କରିବା ମହଙ୍ଗା ପଡ଼ୁଛି । ଏହାସହିତ ଲଗାତାର ଭାବେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ପାଉଥିବାରୁ ସେମାନେ ଅଧିକ ଲାଭ ପାଉନାହାନ୍ତି । ଅନ୍ୟପଟେ ଚୀନ ସେୟାର ବଜାର ଶସ୍ତା ଥିବାରୁ ବିଦେଶୀ ପୁଞ୍ଜି ନିବେଶକାରୀ ଚୀନ ଷ୍ଟକ୍ ମାର୍କେଟରେ ପୁଞ୍ଜିଲଗାଣ ପାଇଁ ଆଗ୍ରହ ଦେଖାଉଛନ୍ତି । ଏହାସହିତ ଆମେରିକା ଫେଡେରାଲ ରିଜର୍ଭ ସୁଧ ହାର ବୃଦ୍ଧି କରିବାରୁ ଆମେରିକା ବଜାରରେ ବିନିଯୋଗ ପାଇଁ ଆଗଭର ହେଉଛନ୍ତି । ବିଶ୍ବର ଅନ୍ୟ ମାର୍କେଟ୍ ଲାଭରେ ଚାଲୁଥିବା ବେଳେ ଭାରତୀୟ ସେୟାର ବଜାର କ୍ଷତି କରିବା ହିସାବ କିଛି ବୁଝି ହେଉନି । ବିଶ୍ବ ମାନ୍ଦାବସ୍ଥାର ପ୍ରଭାବ କହି କେନ୍ଦ୍ର ସରକାର ଯେପରି ନିଜ ଦାୟିତ୍ବ ଖସାଇ ଚାଲିଛନ୍ତି, ତାର ଗୁମର ଫିଟିବାରେ ଲାଗିଛି ବୋଲି ବିଶେଷଜ୍ଞ ଅଭିଯୋଗ କରିଛନ୍ତି ।  ଆଜି ବି କାରବାର ବନ୍ଦ ହେବାବେଳକୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ, ମିଡ୍କ୍ୟାପ୍, ବ୍ୟାଙ୍କ ନିଫଟି, ନିଫଟି ଷ୍ଟକ୍ ମାର୍କେଟ୍ ୫୯୦.୪୩ ପଏଣ୍ଟ ମାଇନ୍ସରେ ବନ୍ଦ ହୋଇଛି । ପୁଞ୍ଜି ବଜାରର ଖରାପ ସ୍ଥିତି ଆଗାମୀ ଦିନରେ ବଡ଼ ଆର୍ଥିକ ସଂକଟ ଭିତରକୁ ଦେଶକୁ ଠେଲିଦେବ ବୋଲି ଆଶଙ୍କା ବ୍ୟକ୍ତ କଲେଣି ସମୀକ୍ଷକ । ଯାହା ଆର୍ଥିକ ସଂକଟର ପୂର୍ବାଭାସ ବୋଲି ମତ ପ୍ରକାଶ ପାଇଛି ।

ଲୋୟର ପିଏମଜିରେ ୧୨ ସଂଗଠନ କର୍ମଚାରୀଙ୍କ ରଣହୁଙ୍କାର, ସ୍ଥାୟୀ ନିଯୁକ୍ତି ଦେବାକୁ ନାରା

ଭୁବନେଶ୍ବର ; ଗାନ୍ଧୀ ମାର୍ଗରେ ଗର୍ଜନ।ବିଭିନ୍ନ ଦାବି ନେଇ ବର୍ଷିଲେ ୧୨ ସଂଗଠନର ସଦସ୍ଯ। ଡବଲ ଇଞ୍ଜିନ ସରକାରକୁ କଡା ସମାଲୋଚନା। ଓଷ୍ଟା ସମାବେଶରେ ଶିକ୍ଷୟିତ୍ରୀ ଖୋଲିଲେ ସରକାରଙ୍କ ମୁଖା। ଓଡିଶା ସ୍କୁଲ, କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ମହାସମାବେଶ। ରାଜ୍ୟ ସରକାରଙ୍କ ବିରୋଧରେ ରଣହୁଙ୍କାର। ଏବର ମୁଖ୍ୟମନ୍ତ୍ରୀ ବିରୋଧୀ ଦଳ ନେତା ଥିବାବେଳେ ଓଷ୍ଟାକୁ ଦେଇଥିବା ପ୍ରତିଶୃତିର ଭିଡିଓ ଦେଖାଇ ଖୋଲିଲେ ମୁଖା। ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ, ବିଜେପି ସରକାର ଆସିଲେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଆଉ ଗାନ୍ଧୀ ମାର୍ଗକୁ ଆସିବେ ନାହିଁ।ନୂଆ ସରକାରକୁ ୧୦ ମାସ ହେଲାଣି, ହେଲେ ଓଷ୍ଟାର ଦାବି ପୂରଣ ହେଲାନି।ଡବଲ ଇଞ୍ଜିନ ସରକାରଙ୍କ ଦୋମୁହାଁ ନିତୀ ଯୋଗୁଁ ଶିକ୍ଷକ ଓ ଶିକ୍ଷୟିତ୍ରୀ ଆଜି ରାଜରାସ୍ତାରେ। ଯୋଗ୍ୟ ସ୍କୁଲ, କଲେଜକୁ ଅନୁଦାନ ପ୍ରଦାନ, ସମସ୍ତ ନୂତନ ଅନୁଦାନପ୍ରାପ୍ତ ସ୍କୁଲ କଲେଜକୁ ଚାକିରୀ ସର୍ତ୍ତାବଳୀ ସହିତ ସରକାରୀ ଅନୁଷ୍ଠାନରେ ପରିଣତ କରି ପେନସନ ପ୍ରଦାନ ଦାବି କରିଛନ୍ତି। ପୂର୍ଣ୍ଣ ଅନୁଦାନରୁ ବଞ୍ଚିତ ଅନୁଷ୍ଠାନକୁ ପୂର୍ଣ୍ଣ ଅନୁଦାନ ସହ ନୂତନ ପେନସନ ବ୍ୟବସ୍ଥାକୁ ବାତିଲ କରି ପୂର୍ବ ପ୍ରଚଳିତ ପେନସନ ଲାଗୁ କରିବାକୁ ଦାବି କରିଛନ୍ତି।ଅବସର ବୟସସୀମା ୬୨ ବର୍ଷକୁ ବୃଦ୍ଧି କରିବାକୁ ଦାବି ଉଠିଛି।

ସେପଟେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ, ରାଜ୍ଯ ରୋଷେୟା ତଥା ସେବାୟତ ସଂଘର ୮ ଦଫା ଦାବି ନେଇ ଗାନ୍ଧୀ ମାର୍ଗରେ ଗର୍ଜନ କରିଛି।ମାସିକ ସର୍ବନିମ୍ନ ବେତନ ୨୬ ହଜାର ଟଙ୍କା, ମହିଳାଙ୍କୁ ପ୍ରସୂତିକାଳିନୀ ଛୁଟି ଭଳି ଦାବି କରିଛି।CITU ନେତୃତ୍ବରେ ଓଡିଶା ଆଶା କର୍ମୀ ସଂଘ ପକ୍ଷରୁ ୧୮ଦଫା ଦାବି ତୁରନ୍ତ କାର୍ଯ୍ୟକାରୀ କରିବାକୁ ଗଣବିକ୍ଷୋଭ କରିଛନ୍ତି। ଦାବି ତୁରନ୍ତ ପୂରଣ ନହେଲେ ଆଶା କର୍ମୀମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।ସେହିପରି ଜନସ୍ବାସ୍ଥ୍ୟ ପରିଚାଳନା ପଦବୀ ସୃଷ୍ଟି ଓ ଚାକିରୀ ସ୍ଥାୟୀ ଦାବି କରି ଗଣଧାରଣା ସହ ଆନ୍ଦୋଳନ କରିଥିଲେ କର୍ମଚାରୀ। ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟରତ ୪ ହଜାରରୁ ଅଧିକ କର୍ମଚାରୀ ୨୦୧୫ରୁନ କାର୍ଯ୍ୟ କରି ଆସୁଛନ୍ତି।ସେମାନଙ୍କ ଦାବି ନେଇ ବାରମ୍ବାର ଅବଗତ କରୁଥିଲେ ମଧ୍ୟ କୌଣସି ସୁପଳ ମିଳିନାହିଁ। ଗାନ୍ଧୀ ମାର୍ଗରେ ଗଣଧାରଣ ଓ ବିକ୍ଷୋଭ ବେଳେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନାରୁ କମିଶନରେଟ ପୋଲିସ ପକ୍ଷରୁ ବ୍ଯାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

‘ବିଜେପି ସରକାରକୁ ଆସିବା ପରେ ବଢ଼ିଛି ନାରୀ ବିରୋଧୀ ଅପରାଧ’

ଭୁବନେଶ୍ବର : ନାରୀ ନିର୍ଯାତନା ବିରୋଧରେ ସାରା ରାଜ୍ୟରେ କଂଗ୍ରେସର ଗର୍ଜନ। ବାଲେଶ୍ୱରରେ ଦୁଷ୍କର୍ମ ଓ ହତ୍ୟା, ଢେଙ୍କାନାଳରେ ଗଣବଳାତ୍କାର, କେନ୍ଦୁଝର ଜିଲ୍ଲାରେ ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ। ଏହା ହେଉଛି ରାଜ୍ୟରେ ନାରୀ ନିର୍ଯାତନାର ଗୋଟିଏ ଗୋଟିଏ ଉଦାହରଣ। ତାର ପ୍ରତିବାଦରେ ଆଜି ସାରା ରାଜ୍ୟରେ ଆନ୍ଦୋଳନ କରିଛି କଂଗ୍ରେସ। ଦଳ ଅଭିଯୋଗ କରିଛି ବିଜେପି ସରକାର ହେବା ପରେ ମାତ୍ର ୮ ମାସରେ ୫୪ ଟି ଗଣବଳାତ୍କାର ହୋଇଛି। ଏହା ରାଜ୍ୟ ସରକାରର ଅସଲ ଚେହେରା ଓ ପାରିବାପଣିଆକୁ ପଦାରେ ପକାଇଛି। ହାଣ୍ଡିର ଗୋଟିଏ ଭାତ ଚିପିବା ପରି ଏହା ହେଉଛି ମୋଟାମୋଟି ଭାବେ ସାରା ରାଜ୍ୟରେ ମହିଳା ବିରୋଧୀ ହିଂସାର ଚିତ୍ର। କଂଗ୍ରେସର ସମସ୍ତ ୩୫ ଟି ସାଙ୍ଗଠନିକ ଜିଲ୍ଲାରେ ଆଜି ହଜାର ହଜାର କର୍ମୀ ଆନ୍ଦୋଳନ କରିଛନ୍ତି। ଭୁବନେଶ୍ୱରରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଥିଲା ଦଳ।  ଆସ ଲଢ଼ିବା, ମହିଳାଙ୍କୁ ସୁରକ୍ଷା ଦେଵା । ଏହି ନାରା ଦେଇଥିଲା କଂଗ୍ରେସ। ନାରୀଙ୍କୁ ସୁରକ୍ଷା ଦେଇନପାରିଲେ ଗାଦି ତ୍ୟାଗ କରିବାକୁ ବିଜେପି ସରକାରକୁ ଆହ୍ଵାନ ଦେଇଛି କଂଗ୍ରେସ।

ଏ ତ ଗଲା ସାରା ରାଜ୍ୟର ଦୃଶ୍ୟ। ବିଧାନସଭାରେ ମଧ୍ୟ ନାରୀ ନିର୍ଯାତନା ପ୍ରସଙ୍ଗରେ ଗୃହକୁ ହୁଲସ୍ତୁଲ କରିଥିଲା କଂଗ୍ରେସ। ପ୍ରଶ୍ନକାଳ ଆରମ୍ଭରୁ ଦଳର ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ରାଜ୍ୟ ସରକାରଙ୍କ ବିରୋଧରେ ପ୍ରତିବାଦ କରିଥିଲେ। ରାଜ୍ୟରେ ନାରୀ ସୁରକ୍ଷିତ ନ ଥିବା ଅଭିଯୋଗ କରି ବିଜେପି ସରକାରରେ ଦୁଷ୍କର୍ମ, ଚୋରି ଓ ଅନ୍ୟ ଅପରାଧ ବଢିଥିବା କହିଛି କଂଗ୍ରେସ। ବିଧାୟକମାନେ ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ଧାରଣା ବି ଦେଇଥିଲେ। ରାଜ୍ୟରେ ବଢି ଚାଲିଥିବା ନାରୀ ନିର୍ଯାତନା ବିରୋଧରେ ଅନ୍ତର୍ଜାତୀୟ ମହିଳା ଦିବସରେ ଜୋରଦାର ପ୍ରତିବାଦ କରିଥିଲା କଂଗ୍ରେସ। ଆଜି ରାଜ୍ୟବ୍ୟାପି ଆନ୍ଦୋଳନ କରିଛି। ସରକାର ଯଦି ଠୋସ୍ ପଦକ୍ଷେପ ନେଇ ମାଆ ଭଉଣୀଙ୍କୁ ସୁରକ୍ଷା ନ ଦେବେ, ଆନ୍ଦୋଳନ ଆହୁରି ତୀବ୍ର କରିବାକୁ ଚେତାବନୀ ଦେଇଛି କଂଗ୍ରେସ।

ଜୟନାରାୟଣଙ୍କ ମନ୍ତବ୍ୟକୁ ନେଇ କମ୍ପିଲା ଗୃହ, ଶାସକ ଦଳକୁ ଘେରିଲା ବିଜେଡି

ଭୁବନେଶ୍ବର : ବିଜେପିର ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ବିବାଦୀୟ ବୟାନକୁ ନେଇ ବିଧାନସଭାରେ ତମ୍ବି ତୋଫାନ । ଓଡ଼ିଶା ବିଭାଜନ ଚଳିବ ନାହିଁ ନାରା ଦେଇ ଗୃହ ମଧ୍ୟଭାଗରେ ପ୍ରତିବାଦ କରିଛନ୍ତି ବିଜେଡି ବିଧାୟକ। ଓଡ଼ିଆ ଅସ୍ମିତା କଥା କହି ସରକାରକୁ  ଆସିଲା ବିଜେପି। ହେଲେ କ୍ଷମତାକୁ ଆସିବା ପରେ ଓଡ଼ିଶାକୁ ବିଭାଜନ କରିବାକୁ ଷଡଯନ୍ତ୍ର କରୁଛି ଗେରୁଆ ଦଳ। ଏହା କେନ୍ଦ୍ର ଓ ରାଜ୍ୟ ବିଜେପିର ଆଭିମୁଖ୍ୟ ବୋଲି ଅଭିଯୋଗ କରିଛି ବିଜେଡି। ସମ୍ବଲପୁରରେ ସରକାରୀ କାର୍ଯ୍ୟକ୍ରମରେ ଯେଉଁଠି କ୍ୟାବିନେଟ ମନ୍ତ୍ରୀ ରବି ନାୟକ ଉପସ୍ଥିତ ଥିଲେ, ସେଠି ବନ୍ଦେ ଉତ୍କଳ ଜନନୀକୁ ଅପମାନ କରାଗଲା। ଜୟ ନାରାୟଣ ମିଶ୍ର ଅକ୍ଷମଣୀୟ ଭୁଲ କରିଛନ୍ତି । ମୁଖ୍ୟମନ୍ତ୍ରୀ, ରାଜ୍ୟ ବିଜେପି ସଭାପତି କି ମନ୍ତ୍ରୀ କେହି ଜଣେ ବି ଜୟ ନାରାୟଣଙ୍କ ମନ୍ତବ୍ୟକୁ ନେଇ କାହିଁକି ସ୍ପଷ୍ଟୀକରଣ ଦେଉନାହାନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି। ଯଦି ମୁଖ୍ୟମନ୍ତ୍ରୀ କିଛି ନ କୁହନ୍ତି ତେବେ ଓଡ଼ିଶାକୁ ଭାଙ୍ଗିବାକୁ ଷଡଯନ୍ତ୍ର ଆରମ୍ଭ ହୋଇଛି ବୋଲି ଧରି ନିଆଯିବ ବୋଲି କହିଛି ବିଜେଡି। ଓଡ଼ିଆ ଅସ୍ମିତା କହୁଥିବା ବିଜେପି ନିଜ ସତୀତ୍ବ ପ୍ରମାଣିତ କରନ୍ତୁ ବୋଲି ଦଳ ଦାବି କରିଛି।

ଦିନ ସାରା  ଜୟ ନାରାୟଣଙ୍କ ଓଡିଶା ବିଭାଜନ ମନ୍ତବ୍ୟକୁ ନେଇ  ବିଜେଡି ଗୃହ ଭିତରେ ଓ ବାହାରେ  ପ୍ରବଳ ବିରୋଧ କରିବା ସହ ବିଜେପି ସରକାରଙ୍କୁ ଟାର୍ଗେଟ କରିଛି । ମୁଖ୍ୟମନ୍ତ୍ରୀ  ଓ ବିଜେପି କାହିଁକି ଚୁପ ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ। ବିଜେପି ନେତାଙ୍କର ଯଦି ମେରୁଦଣ୍ଡ ଅଛି ତେବେ ସେମାନେ ଜୟ ନାରାୟଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ । କାରଣ ଓଡିଶା ବିଭାଜନ କରିବା ମନ୍ତବ୍ୟ ସହ ରାଜ୍ୟ ସଂଗୀତକୁ ମଧ୍ୟ  ଜୟ ନାରାୟଣ ମିଶ୍ର ଅସମ୍ମାନ କରିଛନ୍ତି । ତାଙ୍କ ପାଇଁ କଣ ଆଇନ ନାହିଁ ବୋଲି ପଚାରିଛି ବିଜେଡି। ଏହି ଶାଣିତ ଆକ୍ରମଣ  ବିଜେପିକୁ ଅଡ଼ୁଆରେ ପକାଇଛି। ବିଜେପି ବିଧାୟକ ବାବୁ ସିଂହ କହିଛନ୍ତି ଯେ ଓଡ଼ିଶା ବିଭାଜନକୁ ନେଇ ଜୟନାରାୟଣ ଯାହା କହିଛନ୍ତି ତାହା ତାଙ୍କର ବ୍ୟକ୍ତିଗତ ମତ। ବିଜେପି କ୍ଷମତାକୁ ଆସିବାର ୯ ମାସ ଭିତରେ ପୂର୍ବ ଓଡିଶା, ପଶ୍ଚିମ ଓଡିଶା ପରି ବିଭାଜନ ନାରା ଦେଇ ବିଭେଦ ସୃଷ୍ଟି କରୁଛି ।ଏହି ଷଡ଼ଯନ୍ତ୍ର ବିରୋଧରେ ପଲ୍ଲୀରୁ ଦିଲ୍ଲୀ ଯାଏ ଲଢେଇ ଜାରୀ ରଖିବ ବୋଲି କହିଛି ବିଜେଡି। ୨୦୩୬ରେ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତି ପାଳନ ପୂର୍ବରୁ ଓଡ଼ିଶାକୁ ଭାଗ ଭାଗ କରିବାକୁ ବିଜେପି ଷଡ଼ଯନ୍ତ୍ର କରିଥିବାର ଅଭିଯୋଗ ହୋଇଛି।

ଫେଲ୍ ମାରୁଛି ରାଜ୍ୟ ବିଜେପି ସଭାପତି ଚୟନ ଡେଡଲାଇନ, ମନମୋହନଙ୍କ ମଙ୍ଗୁଆଳ ପଦକୁ ନେଇ ଦ୍ବନ୍ଦ୍ବ

ଭୁବନେଶ୍ବର : ଚାଲିଛି ବିଜେପି ସାଙ୍ଗଠନିକ ନିର୍ବାଚନ ପର୍ବ। ଫେଲ୍ ମାରୁଛି ରାଜ୍ୟ ସଭାପତି ଚୟନ ଡେଡଲାଇନ। ପ୍ରଥମେ ଜାନୁଆରୀ ୧୫, ପରେ ଜାନୁଆରୀ ଶେଷ, ପୁଣି ଫେବୃଆରୀ ଶେଷ ସପ୍ତାହ। ୧୫ ଦିନ ତଳେ ମାର୍ଚ୍ଚ ୧୫ ସୁଦ୍ଧା ସରିବ ବୋଲି ରାଜ୍ୟ ପ୍ରଭାରୀ କହିଥିବା ବେଳେ ଏବେ ପୁଣି ମାର୍ଚ୍ଚ ଶେଷକୁ ଯାଇଛନ୍ତି। ତାରିଖ ପରେ ତାରିଖ ବଦଳୁଛି। ହେଲେ ଦୂର ହୋଇପାରୁନି ରାଜ୍ୟ ସଭାପତି ଦ୍ବନ୍ଦ୍ବ। ସଭାପତି ପଦକୁ ନେଇ ଦଳ ଭିତରେ ସ୍ପଷ୍ଟ ଭାବେ ବାରିହେଲାଣି କନ୍ଦଳ। ମନମୋହନ ସାମଲଙ୍କୁ ଦଳ ପୁଣି ଥରେ ସଭାପତି ପଦରେ ବସାଇବା ପାଇଁ ଅନେକ ଚର୍ଚ୍ଚା ହେଉଥିବା ବେଳେ, ଏବେ ନୂଆ ମୁହଁକୁ ନେଇ ଦଳ ଭିତରେ ଆଲୋଚନା ହେଲାଣି। ହେଲେ ବାରମ୍ବାର ତାରିଖ ବଦଳୁଥିବାରୁ ସବୁ କିଛି କେନ୍ଦ୍ରୀୟ ନେତୃତ୍ବଙ୍କ ଉପରେ ନିର୍ଭର କରୁଛି। ସେହିପରି ଦଳ ଭିତରେ ଅନେକ ଗୋଷ୍ଠୀ ସକ୍ରିୟ ଥିବାରୁ ସଭାପତି ନେଇ ସହମତି ହୋଇପାରୁନାହିଁ ବୋଲି କହିଛନ୍ତି ପ୍ରଭାରୀ।

ଖାଲି ସଭାପତି ନୁହେଁ, ସରକାର ଗଠନର ୯ ମାସ ପୁରିବାକୁ ବସିଥିବା ବେଳେ, ନିଗମ ଓ ବୋର୍ଡ ନିଯୁକ୍ତିକୁ ନେଇ ମଧ୍ୟ ଶେଷ ହେଉନି କସରତ। ଜିଲ୍ଲା ଯୋଜନା କମିଟି, ସ୍ବତନ୍ତ୍ର ଉନ୍ନୟନ ପରିଷଦ, ରାଜ୍ୟ ଯୋଜନା ବୋର୍ଡ, ବିଭିନ୍ନ ବିଭାଗରେ ଉପଦେଷ୍ଟା, ନିଗମ ଓ ବୋର୍ଡ ଭଳି ଥଇଥାନ ପଦବୀରେ ଶତାଧିକ ନେତାଙ୍କୁ ନିଯୁକ୍ତି କରିବାକୁ ଦଳ ଯୋଜନା କରୁଛି। ଏଥିପାଇଁ ଏକ୍ସରସାଇଜ ଆରମ୍ଭ ହୋଇଛି ସତ, ହେଲେ ଆଶାୟୀଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଥିବାରୁ ଦଳ ପାଇଁ ମୁଣ୍ଡ ଟେକିଛି ସମସ୍ୟା। ଦଳ ଓ ସରକାର ମଧ୍ୟରେ ସମନ୍ବୟ ପାଇଁ ବସୁଛି ଘନ ଘନ କୋର କମିଟି ବୈଠକ। ରାଜ୍ୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ, ଦୁଇ ଉପ-ମୁଖ୍ୟମନ୍ତ୍ରୀଙ୍କ ସମେତ ଦଳର ଛାମୁଆ ନେତା ପୁଣି ଥରେ ଏକାଠି ହୋଇଛନ୍ତି। ଖୁବଶୀଘ୍ର ସାଙ୍ଗଠନିକ ନିର୍ବାଚନ ସହିତ ନିଗମ ଓ ବୋର୍ଡ ନିଯୁକ୍ତି କରାଯିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି। ସମସ୍ତଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯାଉଥିବାରୁ ବିଳମ୍ବ ହେଉଛି ଏବଂ କେନ୍ଦ୍ର ବିଜେପିର ସବୁଜ ସଙ୍କେତକୁ ଅପେକ୍ଷା କରାଯାଇଛି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ। ସଙ୍ଗଠନରେ ଦ୍ବନ୍ଦ, ସରକାରରେ ସ୍ଥାଣୁତା। ସଭାପତି ଚୟନ ନେଇ ପଦ୍ମ ଯେପରି ଘୁଞ୍ଚି ଘୁଞ୍ଚି ଚାଲିଛି, ନିଗମ ଓ ବୋର୍ଡ ନିଯୁକ୍ତି ସେତିକି ବିଳମ୍ବିତ ହେଉଛି। ନିଜର ପତିଆରା ଦେଖାଇବାକୁ ଦଳ ଭିତରେ ଥିବା ଗୋଷ୍ଠୀର ଛକାପଞ୍ଝା ଆଉ ଏକ ସମସ୍ୟା ଭାବେ ଉଭା ହୋଇଛି। ଅନ୍ୟପଟେ ଆଶାୟୀଙ୍କ ତାଲିକା ଲମ୍ବା ହେଉଥିବାରୁ ବିଜେପି ପାଇଁ ଚିନ୍ତାର କାରଣ ପାଲଟିଛି।

ଆକ୍ସନ ମୋଡରେ ଏସଟିଏଫ ଡିଆଇଜି, ଅନୁପ୍ରବେଶକାରୀଙ୍କ ଆଡ୍ଡାରେ ହେବ ଚଢାଉ

ଭୁବନେଶ୍ବର : ବାଂଲାଦେଶୀ ସାବଧାନ । ଗଳାବାଟ ଦେଇ ପ୍ରବେଶ କଲେ ତ୍ରାହି ନାହିଁ । ଆକ୍ସନ ମୋଡ଼କୁ ଆସିଲେ ଏସଟିଏଫ ଡିଆଇଜି । ଅନୁପ୍ରବେଶକାରୀଙ୍କ ଉପରେ କଡା ନଜର । ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଆଡ୍ଡା ସ୍ଥଳୀରେ ଚଢ଼ାଉ ହେବ । କିଏ, କେମିତି ଓ କେଉଁ ଉଦ୍ଦେଶ୍ୟରେ ଓଡ଼ିଶାରେ ଡେରା ପକାଇଛନ୍ତି, ସେ ନେଇ ଚାଲିଛି ଖୋଲତାଡ଼ । ଏ ନେଇ ଏକ ସ୍ପେଶାଲ ଟିମ ଗଠନ କରାଯାଇଛି । ତେବେ କଥା ହେଉଛି, ଅନୁପ୍ରବେଶକାରୀଙ୍କ ମାଷ୍ଟରମାଇଣ୍ଡ କିଏ ? କିଏ ସେମାନଙ୍କୁ ଓଡିଶା ଆଣୁଥିଲା ? ଜାଲ୍ ଡକ୍ୟୁମେଣ୍ଟ କିଏ ପ୍ରସ୍ତୁତ କରୁଥିଲା ? ସେ ନେଇ ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ । STF ସ୍କାନରରେ ରହିଛନ୍ତି ଶତାଧିକ ଦଲାଲ । ତେବେ ଜଳପଥରେ ଅନୁପ୍ରବେଶକାରୀ ଓଡିଶା ଭିତରକୁ ପ୍ରବେଶ କରୁଥିବା ବେଳେ ସେମାନଙ୍କ ସାହାଯ୍ୟରେ ଜାଲନୋଟ କାରବାର, ଚୋରା ଗାଡି ଚାଲାଣ, ନିଶା କାରବାର, ବନ୍ଧୁକ ଚୋରା ଚାଲାଣ ବଢୁଥିବା ଜାଣିବାକୁ ପାଇଛି STF ।

ଗତକାଲି ଭୁବନେଶ୍ବର ରେଳଷ୍ଟେସନରୁ ୧୦ ବାଂଲାଦେଶୀ ଗିରଫ ହୋଇଥିଲେ । ଅନୁପ୍ରବେଶକାରୀଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ STF । ବିନା କୌଣସି ପାସପୋର୍ଟ ଓ ଭିସାରେ ଏମାନେ ଭାରତରେ ପ୍ରବେଶ କରିବା ସହ ଭୁବନେଶ୍ବର ରେଳ ଷ୍ଟେସନରେ ରହୁଥିଲେ । ଗିରଫ ବାଂଲାଦେଶୀଙ୍କ ମଧ୍ୟରେ ୬ ଜଣ ପୁରୁଷ ଥିବା ବେଳେ ୩ ଜଣ ମହିଳା ଓ ଜଣେ ନାବାଳକ ଥିଲେ । ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ୭ ଟି ମୋବାଇଲ, ବଙ୍ଗଳାଦେଶ ଟଙ୍କା ସହ ଅନେକ ସମାଗ୍ରୀ ଜବତ କରାଯାଇଥିଲା।  ସମସ୍ତ ଅଭିଯୁକ୍ତ ଆସାମ ଡୁବୁରି ଦେଇ ଭାରତକୁ ପ୍ରବେଶ କରିଥିଲେ । ମାର୍ଚ୍ଚ ୬ ତାରିଖରେ ଦିବ୍ରୁଗଡ଼- ଚେନ୍ନାଇ ଏକ୍ସପ୍ରେସରେ ବେଙ୍ଗାଳୁରୁ ଯାଉଥିବା ବେଳେ ଧରିଥିଲା ଏସଟିଏଫ । ତେବେ ସ୍ପେଶାଲ ଟିମର ଏହି ସ୍ପେଶାଲ ଅପରେସନ ଜାରି ରହିବ ବୋଲି କହିଛନ୍ତି ଡିଆଇଜି । ଭାରତର ସୀମା ସୁରକ୍ଷାକୁ ନେଇ ବାରମ୍ବାର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନୁପ୍ରବେଶକୁ ପ୍ରଶୟ ଦେଉଥିବା ଅନେକ ଏଜେଣ୍ଟ ଭାରତର ବିଭିନ୍ନ ସହରରେ ଥିବା ଜଣାପଡ଼ିଛି । ସେମାନଙ୍କୁ ତୁରନ୍ତ ଠାବ କରିବାକୁ ଭାରତର ବିଭିନ୍ନ ସୁରକ୍ଷା ସଂସ୍ଥା ଏବେ ଏସ୍ଟିଏଫ୍ ଯୋଗାଯୋଗରେ ଅଛନ୍ତି । ଏହାକୁ ନେଇ ଏକ ବଡ଼ଧରଣର ଖୋଳତାଡ଼ ହେବ ବୋଲି ଜଣାପଡ଼ିଛି ।

ଲୋକଙ୍କ ଖାମଖିଆଲି ଗୁଣରୁ ପ୍ରଦୂଷିତ ହେଉଛି ଚିରସ୍ରୋତା ମହାନଦୀ

କଟକ ; ଜହର ପାଲଟୁଛି ଓଡ଼ିଶାର ଲାଇଫଲାଇନ୍ । ପ୍ରଦୂଷିତ ହେଉଛି ଚିରସ୍ରୋତା ମହାନଦୀ । ଆବର୍ଜନା ଘେରରେ ଶ୍ବାସରୁଦ୍ଧ ହେଉଛି ମଧୂର ସ୍ରୋତ । ଟିକିଏ ନଜର ପକାନ୍ତୁ । ଯେଉଁଆଡେ ଆଖି ବୁଲାଇଲେ, ଖାଲି କୁଢକୁଢ ଅଳିଆ ଓ ଆବର୍ଜନା । ଲାଗୁଛି ନଦୀ ଗର୍ଭକୁ ସତେଯେମିତି ଡମ୍ପିଂୟାର୍ଡ ଭାବି ନେଇଛନ୍ତି ଲୋକେ । କିଏ ଆବର୍ଜନା ପାଣି ଛାଡ଼ୁଛି ତ କିଏ ଅଳିଆ ଗଦାଇ ଚାଲି ଯାଉଛି । ଏପରିକି ନିଶା ବୋତଲ ମଧ୍ୟ ଭାସୁଛି । ଯେଉଁ ନଦୀ ଓଡ଼ିଶାବାସୀଙ୍କ ଜୀବନ ଧାରଣର ଉତ୍ସ, ଆଜି ଲୋକଙ୍କ ଖାମଖିଆଲି ନୀତିରୁ ପ୍ରଦୂଷିତ ହେବାରେ ଲାଗିଛି । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ ଓ ପରିବେଶବିତ । ନଦୀରେ ୮୦ ପ୍ରତିଶତ ପ୍ଲାଷ୍ଟିକ ପଡୁଥିବାରୁ ଏହା ଜୀବ ଜଗତ ଓ ଚାଷ ଉପରେ ସିଧା ପ୍ରଭାବ ପକାଇବା ଆଶଂକା ସୃଷ୍ଟି ହୋଇଛି । ତେଣୁ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି ।

ମହାନଦୀର ସୁରକ୍ଷା ଓ ବିକାଶ ଦାୟିତ୍ୱ ଜଳ ସମ୍ପଦ ବିଭାଗ ହାତରେ । ଜିଲ୍ଲା ପ୍ରଶାସନ ଏହାର ତଦାରଖ କରିବା କଥା । କିନ୍ତୁ କେହି ଏଥିପ୍ରତି ଧ୍ୟାନ ଦେଉଥିବା ଅଭିଯୋଗ ହୋଇଛି । ପ୍ରତିଦିନ ତୁଠରେ ଓ ନଦୀ କୁଳରେ ମଳମା ପଡୁଛି । କିନ୍ତୁ ଏହା ଉପରେ ରୋକ ନଲଗାଇ ଜଳ ସମ୍ପଦ ବିଭାଗ ଏହା ଦେଖିବା ଓ ପଦକ୍ଷେପ ନେବା ଦରକାର ବୋଲି କହିଛନ୍ତି ମେୟର ।

ପୁରୀ ରଥଯାତ୍ରାକୁ ମିଳିବ ୟୁନେସ୍କୋ ମାନ୍ୟତା, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହେଲା ପ୍ରସ୍ତୁତି

ପୁରୀ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇବ ବିଶ୍ୱ ଐତିହ୍ଯ ମାନ୍ୟତା । ୨୦୨୫ ରଥଯାତ୍ରାକୁ ମିଳିବ ୟୁନେସ୍କୋର ଇନଟାଞ୍ଜିବଲ ହେରିଟେଜ ମାନ୍ଯତା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହେଲା ପ୍ରସ୍ତୁତି । ସଂସ୍କୃତି ବିଭାଗ ଜରିଆରେ ୟୁନେସ୍କୋକୁ ଚିଠି ଲେଖିଥିଲା ଶ୍ରୀମନ୍ଦିର ପ୍ରଶାସନ । ନାମାଙ୍କନ ଦାଖଲ ନେଇ ରାଜ୍ଯ ସରକାରଙ୍କ ଓଡିଆ ଭାଷା , ସାହିତ୍ଯ ଏବଂ ସଂସ୍କୃତି ବିଭାଗ ପକ୍ଷରୁ ଅନୁମତି ମିଳିବା ପରେ ଶ୍ରୀମନ୍ଦିର ପ୍ରଶାସନ ଏନେଇ ନାମାଙ୍କନ ପତ୍ରର ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି । ଖୁବଶୀଘ୍ର ଏହା ଦାଖଲ କରାଯିବ । ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଦିଲ୍ଲୀ ଗସ୍ତ ଅବସରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ସହ ଏନେଇ ଆଲୋଚନା କରିଛନ୍ତି । ଏଥିପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହେବା ପରେ ସେଥିରୁ ୩ ଜଣ ସଦସ୍ଯ ଓ ୨ ଜଣ ମଠାଧୀଶଙ୍କୁ ନେଇ ଗଠନ ହେବ ପରାମର୍ଶ କମିଟି । ଗତବର୍ଷର ଅକ୍ଷୟ ତୃତୀୟା ଠାରୁ ଆରମ୍ଭ କରି ଚନ୍ଦନ ଯାତ୍ରା, ଅଣସର, ରଥଯାତ୍ରା ଓ ନୀଳାଦ୍ରି ବିଜେ ପର୍ଯ୍ଯନ୍ତ ସମସ୍ତ ନୀତିକାନ୍ତି ସହ ଭିଡିଓ ଫୁଟେଜ ମଧ୍ଯ ଦାଖଲ କରାଯିବ l ଶ୍ରୀମନ୍ଦିର ପ୍ରଶାସନର ଏପରି ପ୍ରକ୍ରିୟାକୁ ସାଧୁବାଦ

କରୋନା ମହାମାରୀ ସମୟରେ ସାରା ବିଶ୍ୱରେ ସମସ୍ତ ପର୍ବପର୍ବାଣୀ ଉପରେ ଅଙ୍କୁଶ ଲାଗିଥିବା ସତ୍ତ୍ବେ ପୁରୀରେ ମହାପ୍ରଭୂଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା କରାଯାଇଥିଲା । ସ୍କନ୍ଦପୁରାଣରେ ମହାପ୍ରଭୁଙ୍କ ରଥଯାତ୍ରା ବିଷୟରେ ବର୍ଣ୍ଣିତ ରହିଥିବା ବେଳେ ଏହି ଐତିହ୍ଯ ଯାତ୍ରା ୟୁନେସ୍କୋ ର ସମସ୍ତ ନିୟମାବଳି ଅନୁପାଳନ କରୁଥିବାରୁ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ୟୁନେସ୍କୋ କୁ ଚିଠି ଲେଖାଯାଇଛି । ମାନ୍ୟତା ମିଳିଲେ ମହାପ୍ରଭୁଙ୍କ ଏହି ରଥଯାତ୍ରା ସାରା ବିଶ୍ୱରେ ସ୍ୱତ୍ରନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି କହିଛନ୍ତି ଶ୍ରୀମନ୍ଦିର ବରିଷ୍ଠ ସେବାୟତ ଓ ବୁଦ୍ଧିଜୀବୀ । ବିଶ୍ୱରେ ୪୦ ରୁ ଅଧିକ ବିଭିନ୍ନ ବର୍ଗର ଫେଷ୍ଟିଭାଲକୁ ୟୁନେସ୍କୋ ମାନ୍ୟତା ଦେଇଥିବା ବେଳେ ଭାରତରେ ଏ ଯାବତ ହିମାଚଳ ପ୍ରଦେଶ ଓ କେରଳ ପ୍ରଦେଶର ଦୁଇଟି ଫେଷ୍ଟିଭାଲକୁ ମାନ୍ୟତା ମିଳିଛି ।

ରାଉରକେଲାରୁ ଆନ୍ତଃରାଜ୍ୟ ଡକାୟତ ରାଜେଶ ଆନ୍ଥୋନୀ ଗିରଫ ପରେ ଖୋଲୁଛି ଗୁମର

ରାଉରକେଲା : ନାକେଦମ କଲେଣି ଲୁଟେରା । ପୋଲିସକୁ ଚ୍ୟାଲେଞ୍ଜ ଦେଇ ସ୍ପଷ୍ଟ ଦିବାଲୋକରେ ଘଟାଉଛନ୍ତି ଅପରାଧ । ଜଣେ ଆନ୍ତଃରାଜ୍ଯ ଲୁଟେରା ଗିରଫ ପରେ ଖୋଲୁଛି ଗୁମର । ରାଉରକେଲା ସହରର ସେକ୍ଟର ୧୯ ଏସଵିଆଇ ବ୍ୟାଙ୍କ ନିକଟରୁ ଜାନୁଆରୀ ୯ ତାରିଖ ୫ ଲକ୍ଷ ଟଙ୍କା ଲୁଟ ଘଟଣାରେ ସମ୍ପୃକ୍ତ ଜଣେ କୁଖ୍ୟାତ ଡକାୟତକୁ  ଗିରଫ କରିଛି ରାଉରକେଲା ସେକ୍ଟର ୧୯ ଥାନା ପୋଲିସ । ଗିରଫ ଅଭିଯୁକ୍ତ ବିହାର କଟିହାର ରାଜେଶ ଆନ୍ଥୋନୀ । ଅଭିଯୁକ୍ତ ନିକଟରୁ ୫ ଲକ୍ଷ ଟଙ୍କା ଜଵତ କରିଛି ପୋଲିସ । ଅବସରପ୍ରାପ୍ତ ପୋଲିସ କନଷ୍ଟେବଳ ଶୁଶିଲ ମାଝୀ ତାଙ୍କ ପୁଅ-ଝିଅ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଉଠାଇ କାର ପାଖକୁ ଯାଉଥିବା ସମୟରେ କଳା ପଲସରରେ ଆସି ଲୁଟି ନେଇଥିଲେ ଦୁଇ ଦୁର୍ବୃତ୍ତ । ଦୁଇଜଣଙ୍କ ମଧ୍ଯରୁ ଶୁଶିଲକୁ ଗିରଫ କରାଯାଇଥିବାବେଳେ ଅନ୍ଯଜଣେ ଏବେବି ଫେରାର ଅଛି ।

ଓଡିଶା ସମେତ ଝାଡଖଣ୍ଡ, ବିହାର, ଛତିଶଗଡ, ପଶ୍ଚିମବଙ୍ଗ ଆଦି ରାଜ୍ଯରେ ଲୁଟ୍ ଘଟଣାରେ ଶୁଶିଲର ସଂପୃକ୍ତି ଥିବା ପୋଲିସ୍ ଜାଣିବାକୁ ପାଇଛି । ରାଜ୍ୟ ବାହାରର ୫ ଜଣିଆ ଲୁଟେରା ଗ୍ୟାଙ୍ଗ ଏହି ଘଟଣା ପଛରେ ଥିବା ଜଣାପଡ଼ିଛି । ଗୋଟିଏ ରାଜ୍ଯରୁ ଲୁଟ କରିବା ପରେ ଅନ୍ୟ ରାଜ୍ୟକୁ ଫେରାର ହୋଇଯାଉଥିଲେ । ଫଳରେ ପୋଲିସ୍ ସେମାନଙ୍କ ଟେର ପାଉ ନଥିଲା । ସେପଟେ ୫ ଲକ୍ଷ ଟଙ୍କା ଫେରି ପାଇଵା ପରେ ଅବସରପ୍ରାପ୍ତ ପୋଲିସ  କନଷ୍ଟେବଳ ଶୁଶିଲ ମାଝୀ ପୋଲିସକୁ ଧନ୍ଯବାଦ ଜଣାଇଛନ୍ତି । ଲୁଟେରଙ୍କୁ ଧରିବାକୁ ରାଉରକେଲା ପୋଲିସର ସ୍ବତନ୍ତ୍ର ପୋଲିସ ଟିମ ୪ଟି ରାଜ୍ୟର ପୋଲିସ ସହ ଯୋଗାଯୋଗ କରିଛି ।

ଟଇଲେଟରୁ ମିଳିଲା ଧମକପୂର୍ଣ୍ଣ ନୋଟ୍, ମୁମ୍ବାଇ ଫେରି ଆସିଲା ନ୍ୟୁୟର୍କ ଯାଉଥିବା ବିମାନ

ନନ୍ଦିଘୋଷ ବ୍ୟୁରୋ : ମୁମ୍ବାଇରୁ ନ୍ୟୁୟର୍କ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଉଡ଼ାଣ ଭରୁଥିବା ସମୟରେ, ଟଇଲେଟରୁ ବୋମା ଥିବା ନେଇ ଏକ ଧମକପୂର୍ଣ୍ଣ ନୋଟ୍ । ଅଧିକାରୀମାନଙ୍କ ଅନୁସାରେ, ଏହି ଧମକ ପରେ ବିମାନଟିକୁ ମୁମ୍ବାଇ ବିମାନବନ୍ଦରକୁ ଫେରାଇ ଅଣାଯାଇଥିଲା। ଏହି ବିମାନରେ ୩୨୦ରୁ ଅଧିକ ଲୋକ ଥିଲେ। ପରେ ଏହାକୁ ସୁରକ୍ଷିତ ଭାବରେ ମୁମ୍ବାଇରେ ଅବତରଣ କରାଯାଇଥିଲା  । ସୁରକ୍ଷା ଏଜେନ୍ସିଗୁଡ଼ିକ ଦ୍ୱାରା ଏହାର ତଦନ୍ତ କରାଯାଇଥିଲା।

ପୋଲିସ ଅଧିକାରୀଙ୍କ ଅନୁଯାୟୀ, ଜଣେ ଯାତ୍ରୀ ଶୌଚାଳୟ ଭିତରେ ଏକ ଚିଠି ପାଇଥିଲେ ଯେଉଁଥିରେ ଲେଖାଥିଲା ‘ବିମାନରେ ବୋମା ଅଛି’। ଏହା ଦେଖିବା ପରେ ସେ ଚିନ୍ତିତ ହୋଇଗଲେ ଏବଂ ଶୀଘ୍ର ଏହା ବିଷୟରେ କ୍ରୁକୁ ଜଣାଇଲେ। ଏହା ପରେ ବିମାନଟି ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା।

ଅଧିକାରୀ କହିଛନ୍ତି ଯେ ବିମାନରେ ଏପର୍ଯ୍ୟନ୍ତ କିଛି ସନ୍ଦେହଜନକ ଜିନିଷ ମିଳିନାହିଁ। ଏହାର ତଦନ୍ତ ଚାଲିଛି । ଏହି ମାମଲାରେ ସେ ଜଣେ ଅଜଣା ବ୍ୟକ୍ତିଙ୍କ ବିରୁଦ୍ଧରେ ଏଫଆଇଆର ଦାଖଲ କରାଯାଇଛି । ବୋଇଂ ୭୭୭-୩୦୦ ଇଆର ବିମାନରେ ୧୯ ଜଣ କ୍ରୁ ସଦସ୍ୟଙ୍କ ସମେତ ୩୨୨ ଜଣ ଲୋକ ଥିଲେ। ଏୟାର ଇଣ୍ଡିଆ ଅନୁଯାୟୀ, ସୋମବାର ମୁମ୍ବାଇରୁ ନ୍ୟୁୟର୍କ ଯାଉଥିବା ବିମାନ AI୧୧୯ ରେ ଏକ ସମ୍ଭାବ୍ୟ ସୁରକ୍ଷା ବିପଦ ଚିହ୍ନଟ ହୋଇଥିଲା। ଆବଶ୍ୟକୀୟ ପ୍ରୋଟୋକଲ ପାଳନ କରିବା ପରେ, ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ନେଇ ବିମାନଟି ମୁମ୍ବାଇ ଫେରି ଆସିଥିଲା।

ବିମାନ କମ୍ପାନୀ ଅନୁଯାୟୀ, ସୁରକ୍ଷା ଏଜେନ୍ସିଗୁଡ଼ିକ ଦ୍ୱାରା ବିମାନର ଆବଶ୍ୟକୀୟ ତଦନ୍ତ କରାଯାଉଛି ଏବଂ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କୁ ପୂର୍ଣ୍ଣ ସହଯୋଗ କରୁଛି। ଏବେ ମଙ୍ଗଳବାର ସକାଳ ୫ଟାରେ ବିମାନ ଚଳାଚଳ କରିବ। ସେପର୍ଯ୍ୟନ୍ତ ସମସ୍ତ ଯାତ୍ରୀଙ୍କୁ ହୋଟେଲରେ ରହିବା, ଖାଦ୍ୟ ଏବଂ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯାଇଛି। ଏହି ବ୍ୟାଘାତ ଯୋଗୁଁ ଆମର ଯାତ୍ରୀମାନଙ୍କୁ ହେଉଥିବା ଅସୁବିଧାକୁ କମ ସମୟ ମଧ୍ୟରେ ଦୂର କରିବା ପାଇଁ ସ୍ଥଳଭାଗରେ ଥିବା ସହକର୍ମୀମାନେ କାମ କରୁଛନ୍ତି। ସବୁବେଳେ ଏୟାର ଇଣ୍ଡିଆ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଏ।