spot_img
Home Blog Page 981

ଖଣି ଲୁଟର ସର୍ଦ୍ଦାର ସାଜିଛନ୍ତି ସରକାର; ସାରା ରାଜ୍ୟରେ ମାଫିଆ ସକ୍ରିୟ, ପୋଲିସ ନିଷ୍କ୍ରିୟ

ଭୁବନେଶ୍ବର : ରାଜ୍ୟରେ ଲଘୁ ଖଣିଜ ପଦାର୍ଥର ଲୁଟ ଚରମସୀମାରେ ପହଞ୍ଚିଛି । ସାରା ରାଜ୍ୟରେ ମାଫିଆ ସକ୍ରିୟ, ପୋଲିସ ନିଷ୍କ୍ରିୟ । ଖଣି ଲୁଟର ସର୍ଦ୍ଦାର ସାଜିଛନ୍ତି ସରକାର । ସୁସଂଗଠିତ ଓ ବ୍ୟବସ୍ଥିତ ଭାବେ ଚାଲିଛି ଖଣି ଲୁଟ । ଏମିତି ଅଭିଯୋଗ ଆଣି ପ୍ରେସମିଟ କରି ବର୍ଷିଛି ବିଜେଡି । ଖଣି ଲୁଟ ବିଶେଷ କରି ଲଘୁ ଖଣିଜ ଲୁଟରେ ଧର୍ମଶାଳାରେ କ୍ୟାନ୍ସର ଷ୍ଟେଜରେ ପହଞ୍ଚିଲାଣି । ସୁନ୍ଦରଗଡ଼, ରାଉରକେଲା, ଧର୍ମଶାଳା, ନରସିଂହପୁର ହେଉ ସବୁଆଡେ ଲଘୁ ଖଣିଜ ପଦାର୍ଥ ଚୋରି ଶୀର୍ଷରେ ପହଞ୍ଚିଲାଣି । ଓଡ଼ିଶାରେ ନୂଆ ସରକାର ଆସିବା ପରେ ବ୍ୟବସ୍ଥିତ ଢଙ୍ଗରେ ଲୁଟ ହେଉଛି । ଶାସକ ଦଳ ବିଧାୟକଙ୍କ ଜରିଆରେ ହେଉଥିବା ଏହି ଲୁଟ ମୁଖ୍ୟମନ୍ତ୍ରୀ ଯାଏ ନେଟୱାର୍କ ରହିଛି । ଲୋକଙ୍କ ପାଇଁ କାମ ତ ଦୂରର କଥା ବର୍ତ୍ତମାନ ସରକାରଙ୍କର ଏକମାତ୍ର ଉଦ୍ଦେଶ୍ୟ ଖଣି ଲୁଟ ।

ଲୁଟ ରୋକିବା ବଦଳରେ ଲୁଟିବା ପାଇଁ ବ୍ୟବସ୍ଥା ହେଉଛି । ଗତ ୬ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ବୈଠକରେ ତିନୋଟି ପ୍ରସଙ୍ଗରେ ନିର୍ଦ୍ଦେଶ ଥିଲା । ଖଣି ଲୁଟ ରୋକିବାକୁ ଫୋକସ ଥିଲା । କିନ୍ତୁ ଏଥିରେ ମୁଖ୍ୟ ଶାସନ ସଚିବ ଦୁର୍ନୀତିର ଉତ୍ସ ବା କ୍ରସରକୁ ଛାଡିଗଲେ । ଏହାର ଭିତିରି ଉଦ୍ଦେଶ୍ୟ ସାଧାରଣ ଲୋକଙ୍କୁ ହଇରାଣ କରି ମାଫିଆଙ୍କୁ ସହଯୋଗ କରିବା ହିଁ ଉଦ୍ଦେଶ୍ୟ ବୋଲି କହିଛି ବିଜେଡି । ଏବେ ଦୁର୍ନୀତିର ନାଭି କେନ୍ଦ୍ର ହେଉଛି କ୍ରସର । ଲଘୁ ଖଣିଜ ପଦାର୍ଥର ଦାମ ୩୦ ରୁ ୪୦ ପ୍ରତିଶତ ବଢିଛି । ମହଙ୍ଗା ମାଡ଼ର ସରକାର ମୋହନ ସରକାରରେ ବାଲି ଗୋଡିର ଦାମ ବି ବଢିଛି । ରାଜନୈତିକ ବ୍ୟକ୍ତିଙ୍କ ଚାନ୍ଦା ଗରିବ ଲୋକଙ୍କ ମୁଣ୍ଡ ଉପରେ ପଡିଛି ।

ଗାଁରେ ଇନ୍ଦିରା ଆବାସ ପାଇଁ ଟ୍ରାକ୍ଟରରେ ବାଲି ନେଲେ ବି ପୋଲିସ ମାଡି ବସୁଛି। କିନ୍ତୁ ହାଇୱା ଗଲେ ଧରାଯାଉନି। କ୍ରସର ଉପରେ ଚଢ଼ାଉ ନାହିଁ। ମାଫିଆଙ୍କ ଅଧୀନରେ ସରକାର। ବ୍ୟବସ୍ଥାର ଅପରାଧିକରଣ ହୋଇଛି । ବେଆଇନ ଖଣି ଖନନ ରୋକିବାକୁ ଗାଇଡ଼ଲାଇନ ଅଛି । ହେଲେ ଛୋଟ ଗାଡି ଉପରେ ଆକ୍ସନ ହେଉଛି କିନ୍ତୁ ଖଣି ମାଲିକ ଓ କ୍ରସର ଉପରେ ଆକ୍ସନ ନାହିଁ ବୋଲି କହି ବିଜେଡି ଉଦବେଗ ପ୍ରକାଶ କରିଛି । ରାଜା ଚକ୍ର ପ୍ରସଙ୍ଗରେ ବିଜେଡି ପ୍ରତିକ୍ରିୟା ରଖିଛି । ରାଜା ଚକ୍ର ଉପରେ କାର୍ଯ୍ୟାନୁଷ୍ଠାନ ସ୍ୱାଗତଯୋଗ୍ୟ । କିନ୍ତୁ ଗୋଟିଏ ରାଜା ଚକ୍ର ଥିଲା ଏବେ ସବୁ ମନ୍ତ୍ରୀ ଚକ୍ର ହୋଇଗଲାଣି ବୋଲି କଟାକ୍ଷ କରିଛି ବିଜେଡି ।

କେମୋଥେରାପି ପରେ ଏମିତି ହେଇଯାଇଛି ହିନା ଖାନଙ୍କ ନଖର ଅବସ୍ଥା ..

ନନ୍ଦିଘୋଷ ବ୍ୟୁରୋ: କର୍କଟ ସହିତ ଲଢେଇ କରୁଥିବା ହିନା ଖାନ ନିଜ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ଅପଡେଟ ସୋସିଆଲ ମିଡିଆରେ ସେୟାର କରନ୍ତି । ନିକଟରେ  ଟିଭି ଅଭିନେତ୍ରୀ ହିନା ଖାନ ତାଙ୍କର କେମୋଥେରାପି ସେସନ୍ ସମାପ୍ତ କରିଛନ୍ତି । କିନ୍ତୁ କେମୋଥେରାପି ସମୟରେ ବହୁ ପାର୍ଶ୍ୱ ପ୍ରତିକ୍ରିୟାର ସମ୍ମୁଖୀନ ହେଉଛନ୍ତି ଟିଭି ଅଭିନେତ୍ରୀ  । ନିକଟରେ, ହିନା ତାଙ୍କ ମାଆଙ୍କ ହାତ ଧରି ଏକ ସୋସିଆଲ ମିଡିଆ କାହାଣୀ ସେୟାର କରିଛନ୍ତି ।

ଏହି ପୋଷ୍ଟରେ ତାଙ୍କ ନଖ ଦେଖି କିଛି ପ୍ରଶଂସକ ତାଙ୍କୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲେ ଯେ ସେ ରମଜାନ ମାସରେ ନେଲ ପେଣ୍ଟ କରି ନମାଜ ପଢୁଛନ୍ତି । ଏବେ ହିନା ଖାନ ଏକ ପୋଷ୍ଟ ସେୟାର କରି ତାଙ୍କୁ ଟ୍ରୋଲ୍ କରିଥିବା ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଉଚିତ ଜବାବ ଦେଇଛନ୍ତି । ହିନା ଖାନ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ସେ କୌଣସି ନେଲ୍ ପେଣ୍ଟ୍ ଲଗାଇ ନାହାଁନ୍ତି, ଏହା ହେଉଛି  କ୍ୟାନସର ଚିକିତ୍ସାର ପାର୍ଶ୍ୱ ପ୍ରତିକ୍ରିୟା । ଏହି ଚିକିତ୍ସା ଯୋଗୁଁ ତାଙ୍କ ନଖ ମରିଗଲାଣି ଏବଂ କେତେଗୁଡିକ ଭାଙ୍ଗିଗଲାଣି ।

ନେଲ୍ ପେଣ୍ଟ ଲଗାଇ ପାରିବେ ନାହିଁ ହିନା ଖାନ

ହିନା ଖାନ ଇନଷ୍ଟାଗ୍ରାମ ଷ୍ଟୋରୀରେ ତାଙ୍କ ନଖର ଏକ ଫଟୋ ସେୟାର କରି ଲେଖିଛନ୍ତି, “ଠିକ୍ ଅଛି, ତୁମେମାନେ ମୋ ନଖ ବିଷୟରେ ପଚାରୁଛ । ଏଗୁଡ଼ିକୁ ଦେଖିବା ପରେ କେବଳ ତୁମେ ନୁହେଁ, ମୋ ଆପାର୍ଟମେଣ୍ଟରେ ଥିବା ଲୋକମାନେ ମଧ୍ୟ ପ୍ରଶ୍ନ ପଚାରୁଛନ୍ତି। କିନ୍ତୁ ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଯେ ମୁଁ ମୋ ନଖରେ କୌଣସି ନେଲ୍ ପେଣ୍ଟ୍ ଲଗାଉନାହିଁ। ମୁଁ ନେଲ୍ ପଲିସ୍ ବିନା ନମାଜ ପଢ଼େ । ପ୍ରକୃତରେ, ମୋ ନଖର ରଙ୍ଗ ବଦଳି ଯାଇଛି ଏବଂ ଏହା କେମୋଥେରାପିର ଏକ ପାର୍ଶ୍ୱ ପ୍ରତିକ୍ରିୟା ।

କେମୋଥେରାପି ସେସନ୍ ସମାପ୍ତ ହୋଇଛି

ହିନା ଖାନ ଆହୁରି ଲେଖିଛନ୍ତି, “କର୍କଟ ଚିକିତ୍ସା ଯୋଗୁଁ ମୋର ନଖ ଭାଙ୍ଗିଯାଇଛି ଏବଂ ଶୁଷ୍କ ହୋଇଯାଇଛି । ସେମାନଙ୍କର ରଙ୍ଗ ବଦଳି ଯାଇଛି। କେତେବେଳେତ ନଖଗୁଡ଼ିକ ଆପେ ଆପେ ଭାଙ୍ଗିଯାଉଛି । ତଥାପି, ଏସବୁ ଅସ୍ଥାୟୀ ଏବଂ ସବୁଠାରୁ ଭଲ କଥା ହେଉଛି ଯେ ମୁଁ ଧୀରେ ଧୀରେ ଭଲ ହେଉଛି।” କିଛି ଦିନ ପୂର୍ବେ ଏକ କାର୍ଯ୍ୟକ୍ରମରେ ହିନା ଖାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସୂଚନା ଦେଇ କହିଥିଲେ ଯେ  ତାଙ୍କର କେମୋଥେରାପି ସେସନ୍ ସମାପ୍ତ ହୋଇଛି ଏବଂ ଏବେ ସେ ଏହି ରୋଗ ସହିତ ଜଡିତ ଅନ୍ୟାନ୍ୟ ଚିକିତ୍ସା ନେଉଛନ୍ତି । କର୍କଟ ରୋଗରେ ପୀଡିତ ହେବା ସତ୍ତ୍ୱେ, ହିନା ଖାନ ତାଙ୍କର କାମ ଜାରି ରଖିଥିଲେ, ଏବଂ ସେ ସୋନି ଟିଭିର କୁକିଙ୍ଗ ରିଆଲିଟି ଶୋ ‘ସେଲିବ୍ରିଟି ମାଷ୍ଟରସେଫ୍’ରେ ଅଂଶଗ୍ରହଣ କରିଥିଲେ ।

ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ବିରୋଧୀ ଦଳ ନେତା ନବୀନଙ୍କ ଶୋକ ପ୍ରକାଶ

ନନ୍ଦିଘୋଷ ବ୍ୟୁରୋ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ରାଜ୍ୟ ବିଜେପିର ପୂର୍ବତନ ସଭାପତି ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଗଭୀର ଶୋକ ପ୍ରକାଶ । ସ୍ଵର୍ଗତ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ନବୀନ ପଟ୍ଟନାୟକ । ନବୀନ କହିଛନ୍ତି ଦେବେନ୍ଦ୍ର ପ୍ରଧାନଙ୍କର ଅତୁଳନୀୟ ସାଂଗଠନିକ ଦକ୍ଷତା ଓ ଅମାୟିକ ବ୍ୟକ୍ତିତ୍ୱ ପାଇଁ ସ୍ମରଣୀୟ ହୋଇ ରହିବେ ।

ସେ ସ୍ଵର୍ଗତ ଅଟଳବିହାରୀ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ଜଣେ ମନ୍ତ୍ରୀ ଭାବରେ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱରେ କାର୍ଯ୍ୟ କରି ତାଙ୍କ ପ୍ରଶାସନିକ ଦକ୍ଷତାର ମଧ୍ୟ ପରିଚୟ ଦେଇଯାଇଛନ୍ତି । ଡକ୍ଟର ପ୍ରଧାନଙ୍କ ବିୟୋଗରେ ରାଜ୍ୟ ଜଣେ ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତିତ୍ୱ ଓ ଲୋକପ୍ରିୟ ରାଜନେତାଙ୍କୁ ହରାଇଲା । ତାଙ୍କ ଆତ୍ମାର ସଦଗତି କାମନା କରିବା ସହିତ ନବୀନ ପଟ୍ଟନାୟକ ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

ପଡ଼ିଲା ଶୂନ୍ୟ ଗଣ୍ଠି, ଶ୍ରଦ୍ଧାଳୁ କହିଲେ ଦୂର ହେବ ବିପର୍ଯ୍ୟୟ

ପୁରୀ : ଟଳିଯିବ ବିପର୍ଯ୍ୟୟ । ମହାପ୍ରଭୁ ଦେଇଛନ୍ତି ସଙ୍କେତ । ପୁରୀ ମନ୍ଦିରରେ ପଡ଼ିଲା ଶୂନ୍ୟ ଗଣ୍ଠି । ଶ୍ରୀମନ୍ଦିରରେ ଅନେକ ଅଲୌକିକ ଜିନିଷ ସଙ୍ଗଠିତ ହେଉଥିବା କଥା ଆପଣ ଶୁଣିଥିବେ । ହେଲେ ଶୂନ୍ୟଗଣ୍ଠି ପଡିବା କେତେ ଶୁଭ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଚୈତ୍ର ମାସ କୃଷ୍ଣ ପ୍ରତିପଦା ତିଥି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହୋଲି ଉତ୍ସବ ଏବଂ ଚନ୍ଦନ ଅନୁକୂଳ ନୀତି ସମ୍ପନ୍ନ ହୋଇଛି । ଏହି ପରିପ୍ରେକ୍ଷୀରେ ସୋମବାର ଶ୍ରୀମନ୍ଦିରର ନୀଳଚକ୍ରରେ ଉଡୁଥିବା ପତିତପାବନବାନାରେ ପଡ଼ିଛି ଶୂନ୍ୟ ଗଣ୍ଠି। ଶୂନ୍ୟ ଗଣ୍ଠି ପଡ଼ିଥିବା ବାନାକୁ ଅତ୍ୟନ୍ତ ଶୁଭ ଏବଂ ମଙ୍ଗଳ କାରକ ବୋଲି ଶ୍ରଦ୍ଧାଳୁ କହିଛନ୍ତି ।

ମହାପ୍ରଭୁଙ୍କର ଅପାର ଲୀଳା । ଶ୍ରୀମନ୍ଦିର ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି । ଯେତେବେଳେ ଶୂନ୍ୟ ଶୂନ୍ୟରେ ପତିତପାବନ ବାନାରେ ଗଣ୍ଠି ପଡ଼ିଯାଇଥାଏ ତାହାକୁ ଶୂନ୍ୟ ଗଣ୍ଠି କୁହାଯାଇଥାଏ । ବିଶ୍ଵାସ ରହିଛି ଶୂନ୍ୟଗଣ୍ଠି ଘରେ ରଖିଲେ ସମସ୍ତ ପ୍ରକାରର ବ୍ୟାଧିରୁ ମୁକ୍ତ ମିଳିଥାଏ । ବିପଦ ଆପଦ ଦୂର ହୋଇଥାଏ ବୋଲି ଚୂନରା ସେବକ କୁହନ୍ତି । ଗତକାଲି ପ୍ରବଳ ପବନ ବହିଥିଲା ଫଳରେ ପତିତପାବନ ବାନାରେ ଗଣ୍ଠି ପଡିଯାଇଥିଲା ।

ଗଣ୍ଠି ପଡିଯାଇଥିବା ପତିତପାବନ ବାନା ଫର ଫର ଉଡୁଥିବାର ଦୃଶ୍ୟ ପରିଲକ୍ଷିତ ହୋଇଛି । ଜଗତ କଲ୍ୟାଣ ନିମନ୍ତେ ବାନା ସଦୃଶ ଚକ୍ରକୁ ନିକ୍ଷେପ କରି ସର୍ବ ବାଧାବିଘ୍ନରୁ ଉଦ୍ଧାର ପାଇଁ ପ୍ରତିଶୃତି ଦେଇଛନ୍ତି କାଳିଆ ସାଆନ୍ତ  । ବାନାରେ ଶୂନ୍ୟ ଘଣ୍ଟି ପଡି ବିପଦକୁ ହରଣ କରି ଜଗତକୁ ଉଦ୍ଧାର କରିଛନ୍ତି ମହାବାହୁ  । ଆଜି ସନ୍ଧ୍ୟା ସମୟରେ ଚୁନରା ସେବାୟତ ମାନଙ୍କ ଦ୍ୱାରା ଓହ୍ଳାଇଦିଆଯିବ ଏହି ଶୂନ୍ୟ ଘଣ୍ଟି  ।

ଚାଲିପାରୁନି ବିଧାନସଭା, ୧୨ଟା ୧୫ ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର : ବିରୋଧୀଙ୍କ ହଟ୍ଟଗୋଳରୁ ଚାଲିପାରୁନି ବିଧାନସଭା । ଗୃହରେ ହଟ୍ଟଗୋଳ ଓ ହଙ୍ଗାମାରୁ ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି । ଆଜି ମଧ୍ୟ ବିଧାନସଭାରେ ହଙ୍ଗାମା ଦେଖିବାକୁ ମିଳିଛି । ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ଗୃହର ମଧ୍ୟଭାଗରେ ହଙ୍ଗାମା କରିଥିଲେ । ହୋଲି ଦିନ ରାଜ୍ୟରେ ହୋଇଥିଲା ପାଞ୍ଚ ପାଞ୍ଚଟି ମର୍ଡର ।

କେବଳ ରାଜଧାନୀରେ ଦୁଇଟି ମର୍ଡର ହୋଇଥିଲା। ଏହି ପ୍ରସଙ୍ଗକୁ ନେଇ ହଙ୍ଗାମା କରିଥିଲା ବିଜେଡି। ସେହିପରି କଂଗ୍ରେସ ମଧ୍ୟ ନାରୀ ନିର୍ଯାତନା ପ୍ରସଙ୍ଗ ଉଠାଇଥିଲା। ଗୃହରେ ପାଟିତୁଣ୍ଡ ଜାରି ରହିବାରୁ ବାଚସ୍ପତି ୧୨ଟା ୧୫ ଯାଏ ଗୃହକୁ ମୁଲତବୀ କରିଥିଲେ। କଂଗ୍ରେସ ବିଧାୟକମାନେ ଗାନ୍ଧି ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ।

ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ

ନନ୍ଦିଘୋଷ ବ୍ୟୁରୋ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କର ୮୪ ବର୍ଷ ବୟଷରେ ପରଲୋକ ହୋଇଯାଇଛି । ଗତ କିଛିଦିନ ଧରି ସେ ଅସୁସ୍ଥ ଥିଲେ । ଦିଲ୍ଲୀରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି । ସେ ଦେବଗଡ଼ ଲୋକସଭା କ୍ଷେତ୍ରରୁ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୧୯୯୮ ଓ ୧୯୯୯ରେ ସେ ଦେବଗଡ଼ ଲୋକସଭା ଆସନରୁ ସଂସଦକୁ ନିର୍ବାଚିତ ହୋଇଥିଲେ । ୧୯୯୮ରେ ସେ କେନ୍ଦ୍ର ଭୂପୃଷ୍ଠ ପରିବହନ ମନ୍ତ୍ରୀ ହୋଇଥିଲେ । ୧୯୯୯ରେ ସେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ର ଭୂପୃଷ୍ଠ ପରିବହନ ସହ କୃଷି ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ।

ତାଳଚେର ବିଜେପି ମଣ୍ଡଳ ସଭାପତି ଭାବେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୧୯୮୮ରୁ ୧୯୯୦ ଓ ୧୯୯୦ରୁ ୧୯୯୩ ପର୍ଯ୍ୟନ୍ତ କ୍ରମାଗତ ଭାବେ ଦୁଇଥର ସେ ରାଜ୍ୟ ବିଜେପି ସଭାପତି ଥିଲେ । ୧୯୯୫ରେ ସେ ତୃତୀୟ ଥର ପାଇଁ ବିଜେପି ରାଜ୍ୟ ସଭାପତି ଦାୟିତ୍ୱ ତୁଲାଇଥିଲେ । ୧୯୯୭ରୁ ୧୯୯୮ ପର୍ଯ୍ୟନ୍ତ ସେ ବିଜେପି କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ ।୨୦୦୧ରୁ ୨୦୦୨ ପର୍ଯ୍ୟନ୍ତ ସେ ବିଜେପି ରାଷ୍ଟ୍ରୀୟ ଉପସଭାପତି ଥିଲେ ।

ମହାକାଶରେ ୯ମାସର କଠିନ ପରିଶ୍ରମ ପାଇଁ ସୁନିତା ୱିଲିୟମ୍ସଙ୍କୁ କେତେ ଦରମା ମିଳିବ ?

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ବୁଧବାର ପୃଥିବୀପୃଷ୍ଠକୁ ଫେରିବେ ମହାକାଶକାରୀ ସୁନୀତା ୱିଲିୟମସ । ଏଥିପାଇଁ ସବୁ ପ୍ରସ୍ତୁତି ଏକ ପ୍ରକାର ଶେଷ ହୋଇଛି। ଏହା ସ୍ପଷ୍ଟ କରିଛି ନାସା । ସୁନୀତା ୱିଲିୟମସଙ୍କ ସହିତ ଆଉ ୩ ଜଣ ମହାକାଶକାରୀ ମଧ୍ୟ ଫେରିବେ । ଗତ ୯ମାସ ଧରି ମହାକାଶରେ ଫସି ରହିଥିବା ସୁନିତା ୱିଲିୟମ୍ସ ଏବଂ ତାଙ୍କ ସାଥୀ ବୁଚ୍ ୱିଲମୋର ମାର୍ଚ୍ଚ ୧୯ ତାରିଖରେ ସ୍ପେସଏକ୍ସର ଡ୍ରାଗନ ମହାକାଶଯାନରେ ପୃଥିବୀକୁ ଫେରିବାକୁ ଯାଉଛନ୍ତି । ତେବେ ISSରେ ୯ମାସ ବିତାଇବା ପରେ, ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି ଯେ ଏହି ଲମ୍ବା ମିଶନ ପାଇଁ NASA ସେମାନଙ୍କୁ କେତେ ଟଙ୍କା ଦରମା ଦେବ ? ଦରମା ସହିତ ଅନ୍ୟ କିଛି ସହଯୋଗ କରିବ କି ? ଆସନ୍ତୁ ଜାଣିବା ..

ସୁନିତା ୱିଲିୟମ୍ସ ମହାକାଶରୁ ଫେରି ଆସୁଛନ୍ତି । ନାସାର ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବୁଚ୍ ୱିଲମୋର ଆଠ ଦିନିଆ ମିଶନରେ ଯାଇଥିବାବେଳେ କିଛି ତ୍ରୁଟି କାରଣରୁ ସେମାନଙ୍କୁ ପ୍ରାୟ ନଅ ମାସ ମହାକାଶରେ ବିତାଇବାକୁ ପଡିଥିଲା। ଯାନ୍ତ୍ରିକ ଅସୁବିଧା ଯୋଗୁଁ ତାଙ୍କର ପ୍ରତ୍ୟାବର୍ତ୍ତନ ବାରମ୍ବାର ସ୍ଥଗିତ ହେଉଥିଲା ।  କିନ୍ତୁ ଶେଷରେ ଏହାର ଅନ୍ତ ଘଟିଛି । ମାର୍ଚ୍ଚ ୧୯ ତାରିଖରେ, ସେମାନେ ସ୍ପେସଏକ୍ସର ଡ୍ରାଗନ ମହାକାଶଯାନ ମାଧ୍ୟମରେ ପୃଥିବୀକୁ ଫେରିବାକୁ ଯାଉଛନ୍ତି ।

ନାସା କେତେ ଦରମା ଦେବ ?

ନାସାର ମହାକାଶଚାରୀମାନେ ସରକାରୀ କର୍ମଚାରୀ ଏବଂ ସେମାନଙ୍କ ପାଇଁ କୌଣସି ଓଭରଟାଇମ୍ ଦରମା ନାହିଁ। ତାଙ୍କର ଦରମା GS-15 ପେ ଗ୍ରେଡ୍ ଅଧୀନରେ ଆସେ, ଯାହା ଆମେରିକାର ବରିଷ୍ଠ ସରକାରୀ ଅଧିକାରୀମାନଙ୍କୁ ଦିଆଯାଏ । ଏହି ଅନୁସାରେ, ସୁନିତା ୱିଲିୟମ୍ସ ତାଙ୍କର ୯ମାସର ଦୀର୍ଘ ମିଶନ ପାଇଁ ପ୍ରାୟ ୮୧ ଲକ୍ଷ ଟଙ୍କାରୁ ୧.୦୫କୋଟି ଟଙ୍କା ପର୍ଯ୍ୟନ୍ତ ଦରମା ପାଇବେ। କିନ୍ତୁ ଯଦି ଆପଣ ଭାବୁଛନ୍ତି ଯେ ଏତେ ଦିନ ପର୍ଯ୍ୟନ୍ତ ମହାକାଶରେ ରହିବା ବଦଳରେ ସେମାନେ କିଛି ବଡ଼ ବୋନସ ପାଇବେ, ତେବେ ଏହା ଭୁଲ ଧାରଣା ।

ଏତିକି ଅତିରିକ୍ତ ଦେୟ ଦିଆଯିବ

ନାସା ମହାକାଶଚାରୀମାନଙ୍କୁ ମାତ୍ର $୪, ଅର୍ଥାତ୍ ପ୍ରାୟ ୩୪୭ଟଙ୍କା ପ୍ରତିଦିନ ଭତ୍ତା ଦିଏ। ଏହାର ଅର୍ଥ ହେଉଛି, ସମଗ୍ର ୨୮୭ ଦିନର ମିଶନରେ, ସେ ଅତିରିକ୍ତ ଦେୟ ଭାବରେ ମୋଟ ମାତ୍ର $୧,୧୪୮ (ପ୍ରାୟ ₹୧ ଲକ୍ଷ) ପାଇବେ। ଏହା ଜାଣି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ ଯେ ଏତେ ମାସ ଧରି ମହାକାଶରେ ରହିବା ଏବଂ ବିପଦ ନେବା ସତ୍ତ୍ୱେ, ସେମାନେ ଏତେ କମ ପରିମାଣର ଭତ୍ତା ପାଉଛନ୍ତି ।

ମହାକାଶଯାନରେ ବିପଦ କ’ଣ ?

ସ୍ପେସଏକ୍ସ ଫାଲକନ୍ ୯ ରକେଟ୍ ପ୍ରାୟ ୩ ଘଣ୍ଟାରେ ୪୦୦ କିଲୋମିଟର ଦୂରତା ଅତିକ୍ରମ କରିବ ଏବଂ ଆଟଲାଣ୍ଟିକ ମହାସାଗର କିମ୍ବା ମେକ୍ସିକୋ ଉପସାଗରରେ ପଡ଼ିଯିବ। କିନ୍ତୁ ପୃଥିବୀକୁ ଫେରିବା ଏତେ ସହଜ ନୁହେଁ। ବିଶେଷଜ୍ଞଙ୍କ ମତରେ, ଯେତେବେଳେ ଡ୍ରାଗନ୍ କ୍ୟାପସୁଲ୍ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରେ, ଏହାର କୋଣ ସମ୍ପୂର୍ଣ୍ଣ ସଠିକ୍ ହେବା ଆବଶ୍ୟକ। ଛୋଟ ଭୁଲ ମଧ୍ୟ ଏକ ବଡ଼ ଦୁର୍ଘଟଣାର କାରଣ ହୋଇପାରେ। ଏହା ପୂର୍ବରୁ ମଧ୍ୟ, ମହାକାଶ ଅଭିଯାନ ସମୟରେ, ଭୁଲ ପ୍ରବେଶ କୋଣ ଯୋଗୁଁ  କ୍ରୁ ସଦସ୍ୟମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଆନ୍ ମ୍ୟାକଲେନ୍, ନିକୋଲ୍ ଆୟର୍ସ, ଟାକୁୟା ଓନିଶି ଏବଂ କିରିଲ୍ ପେସକୋଭ୍ ଏବେ ସୁନିତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବୁଚ୍ ୱିଲମୋରଙ୍କ ସ୍ଥାନରେ ଆଇଏସଏସର ନୂତନ ମିଶନର ଦାୟିତ୍ୱ ନେବେ । ଗତ ବର୍ଷ ଜୁନ ୫ ତାରିଖରେ ସେମାନେ ISS କୁ ଯାଇଥିଲେ। ଏକ ମରାମତି କାମ କରିବାକୁ ଯାଇଥିଲେ ସୁନୀତା ଓ ବଚ୍ । କିଛି ଦିନରେ କାମ ଶେଷ କରି ସେମାନେ ବୋଇଂ ଷ୍ଟାରଲାଇନର୍ ରେ ଫେରିବାର ଥିଲା। କିନ୍ତୁ ଏହି ମହାକାଶଯାନରେ ତ୍ରୁଟି ଦେଖାଯିବାରୁ ସେମାନେ ଫେରି ପାରିନଥିଲେ।

ଅଶ୍ଳୀଳ ଗୀତ ବଜାଇଲେ ଏକ ବର୍ଷ ଜେଲ ! ବିହାର ପୋଲିସର ଚେତାବନୀ ..

ନନ୍ଦିଘୋଷ ବ୍ୟୁରୋ: ଅଶ୍ଳୀଳ ଗୀତ ବଜେଇଲେ ଯିବେ ଜେଲ । ଲୋକଙ୍କୁ ଏମିତି ଚେତାବନୀ ଦେଇଛି ବିହାର ପୋଲିସ । ବିହାରରେ ବଢ଼ୁଥିବା ଅପରାଧ ଗତ କିଛି ଦିନ ଧରି ଖବରର ଶିରୋନାମାରେ ରହିଛି । ଏହାକୁ ନେଇ କେବଳ ବିହାର ସରକାରଙ୍କ ଉପରେ ନୁହେଁ ବରଂ ପୋଲିସ ଉପରେ ମଧ୍ୟ ପ୍ରଶ୍ନ ଉଠାଯାଉଛି । ଏପରି ପରିସ୍ଥିତିରେ, ବିହାର ପୋଲିସ ଅପରାଧ ରୋକିବା ପାଇଁ ଏକ ନୂତନ ଅଭିଯାନ ଆରମ୍ଭ କରିଛି । ଅଶ୍ଳୀଳ ଗୀତ ବଜାଉଥିବା ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ଚେତାବନୀ ଦେଇଛି । ଏବେ ବିହାର ପୋଲିସ ଏକ ଭିଡିଓ ଜାରି କରି ଏହି ସୂଚନା ଦେଇଛି ।

ଅଭିଯୋଗ କେଉଁଠାରେ କରାଯିବ?

ଗତକାଲି ରାତିରେ ବିହାର ପୋଲିସ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ଭିଡିଓ ସେୟାର କରିଛି। ଏହି ଭିଡିଓ ଅନୁଯାୟୀ, ଯଦି କେହି ସାର୍ବଜନୀନ ସ୍ଥାନ, ରାସ୍ତା ଏବଂ ଟ୍ରାଫିକରେ ଅଶ୍ଳୀଳ ଗୀତ ବଜାଉଥିବାର ଦେଖାଯାଏ, ତେବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଲୋକମାନେ ଏହି ଅଶ୍ଳୀଳ ଗୀତଗୁଡ଼ିକ ବିଷୟରେ ନିକଟସ୍ଥ ପୋଲିସ ଷ୍ଟେସନରେ ଅଭିଯୋଗ କରିପାରିବେ। କାର୍ଯ୍ୟାନୁଷ୍ଠାନ ସମୟରେ, ଅଭିଯୋଗକାରୀଙ୍କ ନାମ ମଧ୍ୟ ଗୋପନ ରଖାଯିବ।

ବିହାର ପୋଲିସର ଭିଡିଓ ବାର୍ତ୍ତା

ବିହାର ପୋଲିସର ଏହି ଭିଡିଓରେ, ଅଭିନେତ୍ରୀ ଏବଂ ଚଳଚ୍ଚିତ୍ର ପ୍ରଯୋଜିକା ନୀତୁ ଚନ୍ଦ୍ରା ଲୋକଙ୍କୁ ସୂଚନା ଦେଉଥିବାର ଦେଖାଯାଉଛି। ନୀତୁ ଚନ୍ଦ୍ର କହିଛନ୍ତି ଯେ ଯଦି ଆପଣ କୌଣସି ସାର୍ବଜନୀନ ସ୍ଥାନ, ବସ୍ କିମ୍ବା ଅଟୋ ରିକ୍ସାରେ ଭୋଜପୁରୀ, ମାଗାହି, ମୈଥିଳୀ, ହିନ୍ଦୀ କିମ୍ବା ଅନ୍ୟାନ୍ୟ ଭାଷାରେ ଅଶ୍ଳୀଳ ଗୀତ ବାଜୁଥିବାର ଶୁଣନ୍ତି, ତେବେ ଆପଣ ଆପଣଙ୍କର ନିକଟସ୍ଥ ପୋଲିସ ଷ୍ଟେସନରେ ଅଭିଯୋଗ କରିପାରିବେ। ଧାରା ୨୯୬ ଏବଂ ୭୯ ଅନୁଯାୟୀ, ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଏବଂ ୧ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଦିଆଯାଇପାରିବ। ଅଭିଯୋଗକାରୀଙ୍କ ସୂଚନା ଗୋପନୀୟ ରଖାଯିବ। ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ବିହାର ସରକାର ଏବଂ ବିହାର ପୋଲିସ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କାରଣ କ’ଣ?

ବିହାର ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ପଛର କାରଣ ବ୍ୟାଖ୍ୟା କରି ନୀତୁ କହିଛନ୍ତି ଯେ ଅଶ୍ଳୀଳ ଗୀତ ମହିଳାଙ୍କ ସୁରକ୍ଷା ଏବଂ ଛୋଟ ପିଲାମାନଙ୍କ ମନ ଉପରେ ଖରାପ ପ୍ରଭାବ ପକାଏ । ତେଣୁ ଆସନ୍ତୁ ଆମର ସମ୍ମାନ ଏବଂ ସମାଜର ସୁରକ୍ଷା ପାଇଁ ଏକାଠି ଏହି ପଦକ୍ଷେପ ନେବା । ବିହାର ପୋଲିସ ଆପଣମାନଙ୍କୁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଆପଣଙ୍କ ଆଖପାଖକୁ ସଫା ଏବଂ ସୁରକ୍ଷିତ କରିବାରେ ଆମକୁ ସାହାଯ୍ୟ କରନ୍ତୁ।

 

 

ନିର୍ମାଣରେ ଖର୍ଚ୍ଚ ହୋଇଥିଲା ୨୧୫୦କୋଟି, ଦେଶକୁ ଏତେ କୋଟି ଦେଲା ଟ୍ୟାକ୍ସ…

ନନ୍ଦିଘୋଷ ବ୍ୟୁରୋ: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ବେଳେ ଯେଉଁମାନେ କହୁଥିଲେ ମନ୍ଦିର ହେଲେ କଣ ରୋଜଗାର ମିଳିବ ସେମାନଙ୍କୁ ମିଳିଯାଇଛି ସେମାନଙ୍କ ଉତ୍ତର । ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ୫ବର୍ଷ ମଧ୍ୟରେ ଦେଶକୁ ୪୦୦କୋଟିର ଟିକସ ଦେଇଛି ରାମ ମନ୍ଦିର । ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ରବିବାର, ମାର୍ଚ୍ଚ ୧୬ ତାରିଖରେ ଗତ ୫ ବର୍ଷର ହିସାବ ଦେଇଥିଲା । ଟ୍ରଷ୍ଟ ସଚିବ ଚମ୍ପତ ରାୟ କହିଛନ୍ତି ଯେ ଅଯୋଧ୍ୟାର ରାମ ମନ୍ଦିରରେ ଧାର୍ମିକ ପର୍ଯ୍ୟଟନଙ୍କ ବୃଦ୍ଧି  ହୋଇଛି । ଗତ ପାଞ୍ଚ ବର୍ଷ ମଧ୍ୟରେ ଏହା ସରକାରଙ୍କୁ ପ୍ରାୟ ୪୦୦ କୋଟି ଟଙ୍କା ଟିକସ ଦେଇସାରିଛି । ସେ କହିଛନ୍ତି ଯେ ଏହି ରାଶି ୫ ଫେବୃଆରୀ ୨୦୨୦ ରୁ ୫ ଫେବୃଆରୀ ୨୦୨୫ ମଧ୍ୟରେ ପ୍ରଦାନ କରାଯାଇଥିଲା। ଏଥିମଧ୍ୟରୁ ୨୭୦ କୋଟି ଟଙ୍କା ସାମଗ୍ରୀ ଏବଂ ସେବା ଟିକସ (GST) ଭାବରେ ପ୍ରଦାନ କରାଯାଇଥିବା ବେଳେ ବାକି ୧୩୦ କୋଟି ଟଙ୍କା ଅନ୍ୟାନ୍ୟ ବିଭିନ୍ନ ଟିକସ ବର୍ଗ ଅଧୀନରେ ପ୍ରଦାନ କରାଯାଇଛି ।

ଧାର୍ମିକ ଭକ୍ତଙ୍କ ସଂଖ୍ୟାରେ ବୃଦ୍ଧି

ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି ଯେ ରାମ ଲଲ୍ଲାଙ୍କ ଜନ୍ମସ୍ଥାନ ଅଯୋଧ୍ୟାରେ ଭକ୍ତ ଏବଂ ପର୍ଯ୍ୟଟକଙ୍କ ସଂଖ୍ୟା ନିରନ୍ତର ୧୦ ଗୁଣ ବୃଦ୍ଧି ପାଇଛି। ଏପରି ପରିସ୍ଥିତିରେ, ଏହି ସ୍ଥାନଟି ଏବେ ଧାର୍ମିକ ପର୍ଯ୍ୟଟନର ଏକ କେନ୍ଦ୍ର ପାଲଟିଛି । ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଏବଂ ଭକ୍ତ ରାମ ମନ୍ଦିର ପରିଦର୍ଶନ କରିବାକୁ ଆସୁଛନ୍ତି ।

ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଉଛି

ହଜାର ହଜାର ଧାର୍ମିକ ଭକ୍ତ ଏବଂ ପର୍ଯ୍ୟଟକଙ୍କ ଆଗମନ ଅଯୋଧ୍ୟାର ସ୍ଥାନୀୟ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି। ଏହା ଏକ ଭଲ କଥା କାରଣ କାମ ଖୋଜି ବୁଲିଥିବା ବେକାର ଲୋକଙ୍କୁ ମଧ୍ୟ ଜୀବିକା ନିର୍ବାହର ସୁଯୋଗ ମିଳୁଛି। ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି ଯେ ମହାକୁମ୍ଭ ୨୦୨୦ ସମୟରେ ପ୍ରାୟ ୧.୨୬ କୋଟି ଭକ୍ତ ଅଯୋଧ୍ୟା ଆସିଥିଲେ ଏବଂ ରାମ ଲଲ୍ଲାଙ୍କ ଦର୍ଶନ କରିଥିଲେ। ଚମ୍ପତ ରାୟ ସୂଚନା ଦେଇଛନ୍ତି ଯେ ଟ୍ରଷ୍ଟର ଆର୍ଥିକ ରେକର୍ଡଗୁଡ଼ିକ ନିୟନ୍ତ୍ରକ ଏବଂ ଅଡିଟର ଜେନେରାଲଙ୍କ ଅଧିକାରୀମାନଙ୍କ ଦ୍ୱାରା ଅଡିଟ୍ କରାଯାଏ।

ରାମ ମନ୍ଦିର ନିର୍ମାଣ ପାଇଁ କେତେ କୋଟି ଟଙ୍କା ଲାଗିଥିଲା?

ମହାସଚିବ ଚମ୍ପତ ରାୟ କହିଛନ୍ତି ଯେ ରାମ ମନ୍ଦିର ନିର୍ମାଣ ପାଇଁ ଏପର୍ଯ୍ୟନ୍ତ ୨୧୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ସମସ୍ତ ହିସାବ ୫ ଫେବୃଆରୀ ୨୦୨୦ ରୁ ୨୮ ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ ଥିଲା। ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ରାଜ୍ୟରୁ ଟିକସ ଭାବରେ ସରକାରଙ୍କୁ ମୋଟ ୩୯୬ କୋଟି ଟଙ୍କା ପ୍ରଦାନ କରାଯାଇଥିଲା, ଯାହା ମୋଟ ଖର୍ଚ୍ଚର ୧୮ ପ୍ରତିଶତ । ଚମ୍ପତ ରାୟ କହିଛନ୍ତି ଯେ ଜିଏସଟି ଭାବରେ ୨୭୨ କୋଟି ଟଙ୍କା, ଟିଡିଏସ୍ ଭାବରେ ୩୯ କୋଟି ଟଙ୍କା, ଶ୍ରମ ସେସ୍ ଭାବରେ ୧୪ କୋଟି ଟଙ୍କା ଏବଂ ପିଏଫ ଏବଂ ଇଏସଆଇ ଭାବରେ ୭.୦୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହା ବ୍ୟତୀତ ବିଦ୍ୟୁତ୍ ବିଲ୍, ବୀମା ପଲିସି, ଷ୍ଟାମ୍ପ ଡ୍ୟୁଟି ଏବଂ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ଦିଆଯାଇଥିବା ଫି ଇତ୍ୟାଦି ଅନେକ ଖର୍ଚ୍ଚ ଅଛି । ଯେତେବେଳେ ଜଳକର ଭାବରେ ପୌର ନିଗମକୁ କିଛି ଅର୍ଥ ଦିଆଯାଇନାହିଁ ।

 

ବେହାଲ ପାକିସ୍ତାନ, ଆକ୍ରମଣ ପରେ ସେନା ଛାଡୁଛନ୍ତି ସୈନିକ

ନନ୍ଦିଘୋଷ ବ୍ୟୁରୋ: ସେନା ଛାଡୁଛନ୍ତି ପାକିସ୍ତାନୀ ସୈନିକ । ଖରାପ ସ୍ଥିତି ଏବଂ ବଢୁଥିବା ଅସୁରକ୍ଷା ମଧ୍ୟରେ ସେନା ଛାଡି ପଳାୟନ କରୁଛନ୍ତି ସୈନିକ । ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ଗୋଟିଏ ସପ୍ତାହ ମଧ୍ୟରେ ୨୫୦୦ସୈନିକ ସେନା ଛାଡିଛନ୍ତ । ସୈନିକଙ୍କ ସଂଖ୍ୟାରେ ଏହି ହ୍ରାସ କେବଳ ସେନାର ଦକ୍ଷତାକୁ ପ୍ରଭାବିତ କରୁ ନାହିଁ ବରଂ ଦେଶର ସ୍ଥିରତା ଉପରେ ମଧ୍ୟ ପ୍ରଶ୍ନ ଉଠାଉଛି । କାହିଁକି ଏତେ ମାତ୍ରାରେ ସୈନିକ ସେନା ଛାଡୁଛନ୍ତି ଜାଣନ୍ତୁ ଏହି ସ୍ପେଶାଲ ରିପୋର୍ଟରେ …

କାହିଁକି ସେନା ଛାଡୁଛନ୍ତି ସୈନିକ ?

ପାକିସ୍ତାନରେ ଏକ ବଡ଼ ସଙ୍କଟ ସୃଷ୍ଟି ହୋଇଛି। ଦେଶରେ ପରିସ୍ଥିତି ଖରାପ ହେବା ଏବଂ ବଢ଼ୁଥିବା ଅସୁରକ୍ଷା ମଧ୍ୟରେ, ଏହାର ସୈନିକମାନେ ସେନା ଛାଡି ପଳାୟନ କରୁଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଗତ ସପ୍ତାହରେ ୨୫୦୦ ସୈନିକ ସେନା ଛାଡିଛନ୍ତି। ସୂତ୍ର ଅନୁଯାୟୀ ଏହା ପଛରେ କାରଣ ସୁରକ୍ଷା ପରିସ୍ଥିତିର ଅବନତି, କ୍ରମାଗତ ସାମରିକ କ୍ଷତି ଏବଂ ପାକିସ୍ତାନର ବର୍ତ୍ତମାନର ଅବନତିଶୀଳ ପରିସ୍ଥିତି ସହ ଜଡିତ ।

ରିପୋର୍ଟ ଅନୁଯାୟୀ, ପାକିସ୍ତାନୀ ସେନା ଛାଡିଥିବା ଅଧିକାଂଶ ସୈନିକ ସାଉଦି ଆରବ, କତାର, କୁଏତ ଏବଂ ୟୁଏଇରେ ଶ୍ରମିକ ଭାବରେ କାମ କରିବାକୁ ଯାଇଛନ୍ତି । ଦେଶର ବର୍ତ୍ତମାନର ପରିସ୍ଥିତିକୁ ଦେଖି, ସେ ଏପରି କରିବାକୁ ଉପଯୁକ୍ତ ବୋଲି ବିବେଚନା କରିଛନ୍ତି । ସାମ୍ପ୍ରତିକ ସମୟରେ ପାକ୍ ସେନାରେ ଅସ୍ଥିରତା ବହୁ ପରିମାଣରେ ବୃଦ୍ଧି ପାଇଥିବାରୁ ସେମାନେ ସେନାରେ ନିଜ ଜୀବନକୁ ବିପଦରେ ପକାଇବା ଅପେକ୍ଷା ବଞ୍ଚିବା ପାଇଁ ରାସ୍ତା ବାଛିଛନ୍ତି । ଏହି ଗଣ ପ୍ରସ୍ଥାନ ପାକିସ୍ତାନୀ ସେନାର ଆଭ୍ୟନ୍ତରୀଣ ଶକ୍ତି ଏବଂ ମନୋବଳ ବିଷୟରେ ଗମ୍ଭୀର ଚିନ୍ତା ସୃଷ୍ଟି କରୁଛି, କାରଣ ସେନା ଦେଶରେ ଚାଲିଥିବା ହିଂସା ଏବଂ ଅସୁରକ୍ଷା ମଧ୍ୟରେ ଯୁଦ୍ଧ ଜାରି ରଖିବାକୁ ଚାହୁଁନାହିଁ। ଏହି ପ୍ରସଙ୍ଗ ଗମ୍ଭୀର ସଙ୍କଟର କାରଣ ଏହା ଦେଶର ଆଭ୍ୟନ୍ତରୀଣ ଏବଂ ବାହ୍ୟ ସଙ୍କଟର ସଙ୍କେତ ଦେଉଛି ।

ପାକିସ୍ତାନର ସୁରକ୍ଷା ପ୍ରତି ବଡ଼ ବିପଦ

ସୈନିକଙ୍କ ସଂଖ୍ୟା ହ୍ରାସ କେବଳ ସେନାର ଦକ୍ଷତାକୁ ପ୍ରଭାବିତ କରେ ନାହିଁ ବରଂ ଦେଶର ସ୍ଥିରତା ଉପରେ ମଧ୍ୟ ପ୍ରଶ୍ନ ଉଠାଏ। ସୁରକ୍ଷା ପରିସ୍ଥିତି ଖରାପ ହେବା ଯୋଗୁଁ ସୈନିକମାନଙ୍କର ମନୋବଳ ହ୍ରାସ ପାଏ, ଯାହା କାରଣରୁ ସେମାନେ ସେନା ଛାଡିବାକୁ ନିଷ୍ପତ୍ତି ନିଅନ୍ତି। ଏହି ପରିସ୍ଥିତି ପାକିସ୍ତାନ ପାଇଁ ବିପଦ ସୃଷ୍ଟି ହୋଇପାରେ । କାରଣ ଏକ ଦୁର୍ବଳ ସାମରିକ ଶକ୍ତି ଦେଶର ସୁରକ୍ଷା ପାଇଁ ଏକ ବଡ଼ ବିପଦ ହୋଇପାରେ। ଶାହବାଜ ସରକାର ଏବଂ ପାକ୍ ସେନାକୁ ଶୀଘ୍ର ଏହି ସମସ୍ୟାର ସମାଧାନ ଖୋଜିବାକୁ ପଡିବ ଯାହାଦ୍ଵାରା ସୈନିକମାନଙ୍କର ମନୋବଳ ବୃଦ୍ଧି ପାଇପାରିବ ଏବଂ ସୁରକ୍ଷା ପରିସ୍ଥିତିରେ ଉନ୍ନତି ଆସିପାରିବ ।

ବଲୁଚିସ୍ତାନ ପାକିସ୍ତାନର ଚିନ୍ତା ବଢ଼ାଇଛି

ପ୍ରକୃତରେ, ବେଲୁଚିସ୍ତାନ ଆଜିକାଲି ପାକିସ୍ତାନର ଚିନ୍ତାକୁ ବଢ଼ାଇ ଦେଇଛି । ଏହା ନିରନ୍ତର ତାଙ୍କ ସୈନିକମାନଙ୍କୁ ଟାର୍ଗେଟ କରୁଛନ୍ତି । ମାର୍ଚ୍ଚ ୧୧ ପରଠାରୁ ଅନେକ ସୈନିକ ନିହତ ହୋଇଛନ୍ତି । ଏହି ଘଟଣା ପାକିସ୍ତାନ ପାଇଁ ଆଭ୍ୟନ୍ତରୀଣ ଅସୁରକ୍ଷା ଏବଂ ସଂଘର୍ଷର ପରିସ୍ଥିତିକୁ ଆହୁରି ବୃଦ୍ଧି କରିଛି । ବଲୁଚ୍ ବିଦ୍ରୋହୀମାନେ ପାକିସ୍ତାନୀ ସେନା ଉପରେ ଲଗାତାର ଆକ୍ରମଣ କରୁଛନ୍ତି। ଯଦି ପରିସ୍ଥିତି ଆହୁରି ଖରାପ ହୁଏ, ତେବେ ପାକିସ୍ତାନକୁ କେବଳ ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ବରଂ ଏହା ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ପ୍ରଭାବିତ ହୋଇପାରେ ।