ଖୋଲୁଛି ରେସଲିଂ ଫେଡେରେସନ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ମୁଖା

1 min read

ନୂଆଦିଲ୍ଲୀ: ଖୋଲୁଛି ରେସଲିଂ ଫେଡେରେସନ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ମୁଖା । ପ୍ରତି ମହିଳା ରେସଲରଙ୍କୁ ବ୍ରିଜ ଭୂଷଣ ସୁଯୋଗ ପାଇଲେ ସର୍ବଦା ଦୁର୍ବ୍ୟବହାର ପ୍ରଦର୍ଶନ କରିଆସୁଥିଲେ । ଦିଲ୍ଲୀ କୋର୍ଟରେ ଏନେଇ ରିପୋର୍ଟ ଦେଇଛି ଦିଲ୍ଲୀ ପୋଲିସ । ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟରେ ଚାଲିଥିବା ଶୁଣାଣି ପ୍ରକ୍ରିୟାରେ ଗତକାଲି ମତ ଉପସ୍ଥାପନ କରିଥିଲା ଦିଲ୍ଲୀ ପୋଲିସ । କିଛି ମାସ ତଳେ ୬ ଜଣ ମହିଳା ରେସଲର ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ଦେଶବ୍ୟାପୀ ସୃଷ୍ଟି ହୋଇଥିଲା ଝଡ଼ ।

ଦିଲ୍ଲୀରେ ବି ଚାଲିଥିଲା ଜୋରଦାର ଧାରଣା । କୋର୍ଟରେ ଦିଲ୍ଲୀ ପୋଲିସର ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଅତୁଲ ଶ୍ରୀବାସ୍ତବ କହିଥିଲେ- ରେସଲିଂ ଫେଡେରେସନ ସଭାପତି ଜାଣୁଥିଲେ ସେ କଣ କରୁଥିଲେ । ମହିଳା ରେସଲରମାନଙ୍କୁ ସେ ଅଶାଳୀନ ବ୍ୟବହାର କରିବା ଥିଲା ତାଙ୍କ ଉଦ୍ଦେଶ୍ୟ । ତାଙ୍କ ବିରୋଧରେ ଚାର୍ଜଫ୍ରେମ ଲାଗି ୩ଟି ପ୍ରମାଣ ରହିଛି । ସେଥିରେ ରହିଛି ଧାରା ୧୬୧ ଅନୁସାରେ ଦୁଇଟି ରେକର୍ଡ ବୟାନ ଓ ଗୋଟିଏ ଲିଖିତ ଅଭିଯୋଗ ।

ବ୍ରିଜ ଭୂଷଣଙ୍କ ଓକିଲ ରାଜୀବ ମୋହନ କହିଥିଲେ- ଦେଶବାହାରେ ହୋଇଥିବା ଅପରାଧ ସମ୍ପର୍କରେ ବିଚାର ଦିଲ୍ଲୀ କୋର୍ଟଙ୍କ ପରିସରଭୁକ୍ତ ନୁହେଁ । ରେସଲରଙ୍କ ଅଭିଯୋଗ କ୍ରମେ ୬ଥରର ଏମପି ବ୍ରିଜ ଭୂଷଣଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଗତ ଜୁନ ୧୫ରେ ଧାରା ୩୫୪, ୩୫୪-ଏ, ୩୫୪-ଡି, ଧାରା ୫୦୬ ଅନୁସାରେ ମାମଲା ରୁଜୁ କରିଥିଲା । ଗତ ଜୁଲାଇ ୨୦ରେ ଅତିରିକ୍ତ ଚିଫ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ହରଜିତ ସିଂ ଯଶପାଲ ଏଙି ଘଟଣାରେ ବ୍ରିଜ ଭୂଷଣଙ୍କୁ ଜାମିନ ପ୍ରଦାନ କରିଥିଲେ ଏବଂ ଫେଡେରେସନର ଅତିରିକ୍ତ ସଚିବ ବିନୋଦ ତୋମାରଙ୍କୁ ସସପେଣ୍ଡ କରିଥିଲେ ।