ସମବାୟ ସମିତିରେ ଦୁର୍ନୀତି, ଚାଷୀଙ୍କ ଖତାରୁ ଲକ୍ଷାଧିକ ଟଙ୍କା ଲୁଟ୍‌…!

Samabaya Durniti

ଚାଷ କାର୍ଯ୍ୟରେ ଉନ୍ନତି ପାଇଁ ସରକାରୀ ସ୍ତରରେ କରାଯାଉଛି ଅନେକ ଯୋଜନା । କିନ୍ତୁ କିଛି ଅସାଧୁ କର୍ମଚାରୀଙ୍କ ପାଇଁ ଏହାର ସୁଫଳ ମିଳିପାରୁନି । କଟକ ଜିଲ୍ଲା ଆଠଗଡ଼ ବ୍ଲକ ଗୁରୁଡୁଝାଟିଆ ସେବା ସମବାୟ ସମିତିରୁ ନଜର ଆସିଛି ଏପରି ଘଟଣା । ସୋସାଇଟରେ ଥିବା ଚାଷୀଙ୍କ ଖାତାରେ ଲକ୍ଷାଧିକ ଟଙ୍କା ଲୋନ୍ କରାଯାଇ ହଡପ୍ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।

କଟକ ଜିଲ୍ଲା ଆଠଗଡ ଗୁରୁଡୁଝାଟିଆ ସମବାୟ ସମିତିରୁ କୋଳଥପଙ୍ଗିର ଚାଷୀମାନେ ଧାନଚାଷ ପାଇଁ ଟଙ୍କା ଋଣ ନେଇଥିଲେ । ଚାଷୀଙ୍କୁ ୫୦୦୦ ରୁ ୧୦୦୦୦ ଟଙ୍କା ଦେଇ ଶତାଧିକ ଚାଷୀଙ୍କ ବ୍ୟାଙ୍କ ଖାତାରେ ଲୋନ୍‌ କରି ଅଧିକାଂଶ ଟଙ୍କା ବ୍ଲାଙ୍କ୍ ଚେକରେ ଦସ୍ତଖତ କରାଇ ଅନ୍ୟ ଏକ ଆକାଉଣ୍ଟକୁ ଟ୍ରାନ୍ସଫର କରାଇ ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି । ଏମିତି ଜଣେ କି ଦୁଇ ଜଣ ନୁହେଁ ଶହ ଶହ ଚାଷୀଙ୍କର କୋଟି କୋଟି ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି ।

ଚାଷୀମାନେ ୨୦୧୮ ମସିହାରୁ ଟଙ୍କା କରଜ ଆଣି ଚାଷ କାର୍ଯ୍ୟରେ ଲଗାଇଥିଲେ । ସୋସାଇଟିର ସମ୍ପାଦକ ଲୋନ୍‌ ନୂଆ ପୁରୁଣା ହେବାକୁ କହି ଚେକ୍‌ରେ ଦସ୍ତଖତ କରି ବ୍ୟାଙ୍କ ବହି ନିଜ ପାଖରେ ରଖିଛନ୍ତି । ଚାଷୀମାନେ ବ୍ୟାଙ୍କକୁ ଯାଇ ଯେତେବେଳେ ଟଙ୍କା ଉଠାଇଲେ ସେହି ସମୟରେ ଜାଣିବାକୁ ପାଇଲେ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା ଟ୍ରାନ୍ସଫର ହୋଇଛି । ଏକଥା ଜାଣିବା ପରେ ଚାଷୀ ମାନେ ସମ୍ପାଦକକୁ ବ୍ୟାଙ୍କ ଆକାଉଣ୍ଟ ଖାତା ମାଗିବାରୁ ସମ୍ପାଦକ ଆଜି ଦେବି କାଲି ଦେବି କହି ଦିନ ଗଡାଇ ଚାଲୁଛନ୍ତି ।

ସେପଟେ ଏଭଳି ଦୁର୍ନୀତିର ଖବର ପ୍ରକାଶ ପରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ରିପୋର୍ଟ ଆସିଲେ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ୟାଙ୍କ ମ୍ୟାନେଜର କହିଛନ୍ତି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଚାଷୀଙ୍କୁ ନ୍ୟାୟ ଦେବାକୁ ସାଧାରଣରେ ଦାବି ହୋଇଛି ।

(ସନ୍ଦୀପ କୁମାର ମହାନ୍ତି)

Leave a Reply