ଓଡ଼ିଶାକୁ ଓମିକ୍ରନ ଚିନ୍ତା, ଚାଲିଛି କିଶୋରଙ୍କ ଟିକାକରଣ

ଭୁବନେଶ୍ବର: ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି କିଶୋରଙ୍କ ଟୀକାକରଣ । ବିଭିନ୍ନ ହସ୍ପିଟାଲରେ ଟୀକା ନେଉଛନ୍ତି ୧୫ରୁ ୧୮ ବର୍ଷ ବୟସ୍କ ପିଲା ନେଉଛନ୍ତି ଟିକା । ଜାନୁଆରୀ ୧ ତାରିଖରୁ ପଞ୍ଜିକରଣ ଆରମ୍ଭ ହୋଇଥିଲା । ଟିକା ନେବାକୁ ଆସିବା ବେଳେ ସମସ୍ତ କୋଭିଡ ନିୟମ ମାନିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ସକାଳୁ ବର୍ତ୍ତମାନ ସୁଦ୍ଧା ୧୮୮୨ ଜଣ ପିଲା ଟୀକା ନେଇ ସାରିଲେଣି । ମୋଟ ୨୬ ଶହ ଟିକାକରଣ କେନ୍ଦ୍ରରେ ଭ୍ୟାକ୍ସିନ ଦିଆଯାଉଛି । ରାଜ୍ୟର ମୋଟ ୨୩ ଲକ୍ଷ ୬୫ ହଜାର କିଶୋରଙ୍କୁ ଟିକା ଦିଆଯିବ । ପ୍ରଥମ ଡୋଜ୍ ନେବାର ୨୮ରୁ ୪୨ ଦିନ ମଧ୍ୟରେ ଦ୍ବିତୀୟ ଡୋଜ ଦିଆଯିବ । କରୋନାରେ ପୀଡ଼ିତ ଛାତ୍ରଛାତ୍ରୀ ସୁସ୍ଥ ହେବାର ୩ ମାସ ପରେ ଟିକା ନେଇପାରିବେ । ପ୍ରତି ଟୀକାକେନ୍ଦ୍ରରେ ୨୫୦ ଜଣଙ୍କୁ ଭ୍ୟାକ୍ସିନ୍ ଦେବାର ବ୍ୟବସ୍ଥା କରାଯାଇଛି । ପ୍ରତି ସ୍କୁଲ ମଧ୍ୟ ୧୫ରୁ ୧୮ ବର୍ଷ ପିଲାଙ୍କ ଏକ ତାଲିକା ପ୍ରସ୍ତୁତ କରିବେ । ଯେଉଁ ସ୍କୁଲ ଭିତ୍ତିଭୂମି ଠିକ ଅଛି କିମ୍ବା ପରୀକ୍ଷା ନାହିଁ ସେହି ସ୍କୁଲରେ ଟୀକାକରଣ କେନ୍ଦ୍ର କରିପାରିବେ । ଆଜି ବି ବହୁ ସ୍କୁଲରେ ଟୀକାକରଣ କେନ୍ଦ୍ର କରାଯାଇଛି ।

ସେପଟେ ରାଜ୍ୟରେ ସଂକ୍ରମଣ ବଢିବା ଚିନ୍ତାଜନକ ବିଷୟ ହୋଇଛି । ଓମିକ୍ରନର ସଂକ୍ରମଣ କ୍ଷମତା ଅଧିକ ଥିବାରୁ ବଢିଛି ଚିନ୍ତା ।  ବିଦେଶ ଫେରନ୍ତାଙ୍କର ଟେଷ୍ଟ କରାଯାଉଛି । ପଜିଟିଭ ଚିହ୍ନଟ ହେଲେ ଜିନମ ସିକ୍ବେନ୍ସିଂ ହେଉଛି । ଗତକାଲି ରାଜ୍ୟରୁ ୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୯ ଜଣ ଲକ୍ଷଣ ବିହୀନ ଥିଲେ । ୨୩ ଜଣଙ୍କର ବିଦେଶ ଲିଙ୍କ ନାହିଁ ।  ତେଣୁ ସ୍ଥାନୀୟ ସଂକ୍ରମଣ ହେଉଥିବା କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ତେବେ ସେମାନଙ୍କ ମଧ୍ୟରୁ କେହି ଗୁରୁତର ନଥିବା ଭଲ ଖବର ବୋଲି ସେ କହିଛନ୍ତି । ଟେଷ୍ଟିଂ ,ସର୍ଭିଲାନ୍ସ ଉପରେ ଗୁରୁତ୍ଵ ଦିଆଯାଉଛି । ତେଣୁ ଗହଳି ନ କରିବା ସହ କୋଭିଡ ନିୟମ ମାନିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ସରକାର ସବୁ ବିଭାଗରୁ ତଥ୍ୟ ନେଉଛନ୍ତି । ଜିଲ୍ଲା ପ୍ରଶାସନକୁ ବି କ୍ଷମତା ଦିଆଯାଇଛି । ଯେଉଁ ଜିଲ୍ଲାରେ ସଂକ୍ରମଣ ବଢିବ ସ୍ଥାନୀୟ ପ୍ରଶାସନ କଟକଣା କରିପାରିବେ ବୋଲି ସେ କହିଛନ୍ତି ।

ସେହିପରି ଓମିକ୍ରନକୁ ନେଇ ଚିନ୍ତା ବଢୁଥିବା ବେଳେ ରାଜ୍ୟରେ କୋଭିଡ ସ୍ଥିତିର ସମୀକ୍ଷା କରିବେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ବସିବ। ବୈଠକରେ ସ୍ବାସ୍ଥ୍ୟ ବିଭାଗର ସମସ୍ତ ଅଧିକାରୀ ଉପସ୍ଥିତ ରହିବେ । ରାଜ୍ୟରେ ଆଜି ୪୨୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସଂକ୍ରମଣ ଚେନ୍ ବ୍ରେକ୍ ନେଇ ହେବ ଆଲୋଚନା । ସେପଟେ ରାଜ୍ୟରେ ଏପର୍ଯ୍ୟନ୍ତ ୩୭ ଓମିକ୍ରନ ସଂକ୍ରମିତ ହୋଇଛନ୍ତି । ଏହାର ମୁକାବିଲା ନେଇ ବୈଠକରେ ଆଲୋଚନା ହେବ ।

Leave a Reply