କର୍ଣ୍ଣାଟକରେ ଲଞ୍ଚ ହେଲା ବହୁ ପ୍ରତୀକ୍ଷିତ ଗୃହଲକ୍ଷ୍ମୀ ଯୋଜନା

1 min read

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଲଞ୍ଚ ହେଲା ବହୁ ପ୍ରତୀକ୍ଷିତ ଗୃହଲକ୍ଷ୍ମୀ ଯୋଜନା । ମହୀଶୂରରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଏଆଇସିସି ସଭାପତି ମଲ୍ଲିକାର୍ଜୁନେ ଖଡଗେ ଓ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ସମାବେଶରେ ଯୋଗ ଦେଇ ରାହୁଲ କହିଛନ୍ତି ପ୍ରତିମାସରେ ମହିଳାଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଯିବ । କର୍ଣ୍ଣାଟକ ସରକାର ଏହି ଗ୍ୟାରେଣ୍ଟି ଦେଇଥିଲେ । ଶକ୍ତି ଯୋଜନା ଅନୁସାରେ ବସରେ ଯିବା ଲାଗି ମହିଳାଙ୍କୁ ଟଙ୍କା ଦେବାକୁ ପଡିବନି । ଅନ୍ନଭାଗ୍ୟ ଯୋଜନାରେ ପ୍ରତି ପରିବାରକୁ ୧୦ କେଜି ଚାଉଳ ଦିଆଯାଉଛି । ଗୃହଜ୍ୟୋତି ଯୋଜନାରେ ମାସିକ ୨୦୦ ୟୁନିଟ ବିଜୁଳି ମାଗଣା । ୫ଟି ଯୋଜନାରୁ ଚାରିଟି ଯୋଜନା ମହିଳାଙ୍କ ଲାଗି ଉଦ୍ଦିଷ୍ଟ । ଯୁବାନିଧି ଯୋଜନା ବି ଯୁବବର୍ଗର ଆଶାକୁ ପୂରଣ କରିଛି ବୋଲି ସେ କହିଛନ୍ତି ।

ରାହୁଲ କହିଛନ୍ତି- ସାରାଦେଶରେ ଯେଉଁ ବିକାଶ କାମ ଚାଲିଛି ତାହା ମାତ୍ର ଦୁଇ ତିନିଜଣଙ୍କୁ ହିଁ ଉପକୃତ କରୁଛି । ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧି କରିବା ଯୋଗୁ ଏହାର ପ୍ରଭାବ ମହିଳାଙ୍କ ଉପରେ ପଡୁଛି ବୋଲି ରାହୁଲ କହିଥିଲେ । କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର କହିଛନ୍ତି- ସାରା ଦେଶ ଲାଗି କର୍ଣ୍ଣାଟକ ମଡେଲ ସାଜିବ ଉଦାହରଣ । ଏହି ଯୋଜନା ଜରିଆରେ ରାଜ୍ୟବାସୀଙ୍କ ଜୀବନ ଧାରଣର ମାନ, ସାମାଜିକ ଓ ଅର୍ଥନୈତିକ ଅବସ୍ଥାର ପରିବର୍ତ୍ତନ ଘଟିବ । ରାଜ୍ୟରେ ସରକାର ଗଠନର ୧୦୦ ଦିନ ପୂର୍ତ୍ତି ଅବସରରେ ନିର୍ବାଚନ ବେଳେ କଂଗ୍ରେସ ଯାହା ପ୍ରତିଶ୍ରୁତି ଦେଇଥିଲା ତାହା ପୂରଣ କରାଯିବ ବୋଲି ସେ କହିଛନ୍ତି । ଗୃହଲକ୍ଷ୍ମୀ ଯୋଜନାରେ ଉପକୃତ ହେବ ରାଜ୍ୟର ୧ କୋଟି ୩୦ ଲକ୍ଷ ମହିଳା । ରାଜ୍ୟ ରାଜକୋଷରୁ ବାର୍ଷିକ ୩୩ ହଜାର କୋଟି ଟଙ୍କା ବ୍ୟୟ ହେବ ।