ଯେଉଁଠି ରୁହନ୍ତି ଆଲେକଜାଣ୍ଡରଙ୍କ ବଂଶଧର,ରାତି ହେଲେ ବାହାର ଲୋକଙ୍କ ପାଇଁ ଗାଁ ମନା

ପାହଡ ବନାନି ଘେରା ଏକ ଛୋଟିଆ ଗାଁ । ଯାହାର ସୁନ୍ଦରତାକୁ ଦେଖିଲେ କାହାର ବି ମନମୋହିଯିବ । ହିମାଳୟର ଉପରିଭାଗରେ ଅବସ୍ଥିତ ଥିବା ଏହି ପ୍ରାଚୀନ ଗାଁ, ନିଜ ଭିତରେ ଲୁଚାଇ ରଖିଛି ଅନେକ ରହସ୍ୟ । ହିମାଚଳ ରାଜ୍ୟର କୁଲୁ ଉପତ୍ୟକାର ଉତ୍ତରପୂର୍ବ ରେ ରହିଛି ଏହି ଗାଁ ମଲାଣା । ମଲାଣା ଗାଁ ଆଧୁନିକ ଦୁନିଆଠୁ ଖୁବ୍ ଦୂରରେ । ସେଥିପାଇଁ ଏହି ଗାଁରେ ଥିବା ଲୋକମାନଙ୍କର ଭିନ୍ନ ଧରଣର ଜୀବନଶୈଳୀ ଓ ଚାଲିଚଳନ ରହିଛି । ମଲାଣା ଗାଁର ଇତିହାସ ଖୁବ୍ ପୁରାତନ । କୁହାଯାଏ ଏହି ଗାଁରେ ଜମୁଲୁ ନାମକ ଜଣେ ଋଷି ରହୁଥିଲେ ଯିଏକି ଏଠାରେ ପ୍ରଚଳିତ ଥିବା ନିୟମକାନୁନକୁ ତିଆରି କରିଥିଲେ । ଆର୍ଯ୍ୟଙ୍କ ସମୟରୁ ଜମୁଲୁ ରୁଷିଙ୍କର ପୂଜା କରାଯାଉଥିଲା ବୋଲି ମଧ୍ୟ କୁହାଯାଏ । ଏଠାକାର ଲୋକଙ୍କ କହିବା ଅନୁସାରେ ଏହି ଗାଁର ଗଣତନ୍ତ୍ର ସବୁଠୁ ପୁରାତନ । କିଛି ଲୋକ ମଲାଣା ଗାଁର ଲୋକଙ୍କୁ ଜମୁଲୁ ଋଷିଙ୍କର ବଂଶଜ ବୋଲି କୁହନ୍ତି । ହେଲେ ଏହି ଗାଁଲୋକଙ୍କ ଅନୁସାରେ ସେମାନେ ଆଲେକଜାଣ୍ଡାରଙ୍କ ସୈନିକମାନଙ୍କର ବଂଶଜ । । ଆଲେକଜାଣ୍ଡାରଙ୍କ ସହିତ ଭାରତ ଆସିଥିବା ଏହି ସୈନିକ ପରେ ସବୁଦିନ ପାଇଁ ମଲାଣ ଗାଁରେ ରହିଯାଇଥିଲେ ବୋଲି କୁହାଯାଏ । ଆହୁରି ମଧ୍ୟ ଶୁଣିବାକୁ ମିଳେ ଯେ ଭାରତରେ ମୋଗଲଶାସନ ସମୟରେ ଥରେ ଅକବର୍ ଏହି ଗାଁଙ୍କୁ ନିଜର ଚିକିତ୍ସା କରାଇବାକୁ ଆସିଥିଲେ । ଯେବେ ସେ ସଂମ୍ପୂର୍ଣ୍ଣ ରୂପେ ଠିକ୍ ହୋଇଗଲେ ସେତେବେଳେ ଏହି ଗାଁର ଲୋକଙ୍କୁ ସବୁଦିନ ପାଇଁ କରଛାଡ କରିଦେଇଥିଲେ । ଏ ତ ଥିଲା ଇତିହାସର କଥା । ହେଲେ ଏହି ଗାଁର ଲୋକେ ନିଜ ଧର୍ମ,ଭାଷା,ପରମ୍ପରା ପାଇଁ ବି ବେଶ୍ ପରିଚିତ ।

ଏମାନେ ନିଜର ଧର୍ମ,ସଂସ୍କୃତି ଓ ଦେବତାକୁ ନେଇ ଖୁବ୍ ଅଧିକ ବିଶ୍ୱାସୀ । ତେଣୁ କରି ବାହାରୁ କେହି ବି ଅଜଣା ଲୋକ ଏହି ଗାଁକୁ ବୁଲିବାକୁ ଆସିଲେ ,ସେମାନେ ନିଜର ପୂଜାଘର,ଠାକୁର କିମ୍ବା ପୁରାତନ ଦେବସ୍ଥଳୀ ଗୁଡିକୁ ସ୍ଫର୍ଶ କରିବାକୁ ଅନୁମତି ଦେଇନଥାନ୍ତି । ଏହି ଗାଁର ଲୋକେ କନାଶି ଭାଷାରେ କଥା ହୁଅନ୍ତି । ଯାହା ଆମ ଦେଶରେ ଆଉ କେଉଁ ଅଂଚଳରେ ବି ବ୍ୟବହାର ହୁଏନି । ଏହି ଭାଷା ଶୁଣିବାକୁ ଖୁବ୍ ରହସ୍ୟମୟୀ ଲାଗେ । ମଲାଣାର ଗାଁ ଲୋକେ କନାଶି ଭାଷାକୁ ଏକ ପବିତ୍ର ଭାଷା ବୋଲି କୁହନ୍ତି ।

ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଏହି ଗାଁକୁ ବୁଲିବାକୁ ଆସନ୍ତି ସତ ହେଲେ ଏହି ଗାଁର ନୀତି ନିୟମ ଅନୁସାରେ ହିଁ ଏଠାରେ ବୁଲିବାର ଅନୁମତି ପାଆନ୍ତି । ପର୍ଯ୍ୟଟକମାନେ ବୁଲିସାରି ଏହି ଗାଁରେ ରହିବାର କୈାଣସି ବ୍ୟବସ୍ଥା ନାହିଁ । ଯଦି କେହି ବୁଲିବାକୁ ଆସନ୍ତି ତାହାଲେ ସେମାନେ ସଂନ୍ଧ୍ୟା ପୂର୍ବରୁ ଏ ଗାଁରୁ ପ୍ରସ୍ଥାନ କରିବା ଜରୁରୀ । ତାସହ ମଲାଣା ଗାଁର ବୟସ୍କ ଲୋକେ ଛୁଆଁ ଅଛୁଆଁକୁ ନିଜର ପରମ୍ପରା ମାନନ୍ତ ି । ଏବେବି ଏହି ଗାଁର ଏମିତି କିଛି ଦୋକାନ ବଜାର ରହିଛି । ଯେଉଁଠୁ ଆପଣ ଜିନିଷ କିଣିଲେ ଆପଣଙ୍କୁ ହାତ ହାତି କେହି ବି ଜିନିଷ ଦେବେନାହିଁ କିମ୍ବା ହାତାହାତି ପଇସା ନେବେନାହିଁ । ଗୋଟିଏ ସ୍ଥାନରେ ସେମାନେ ଜିନିଷ ରଖିବେ ଆଉ ଆପଣ ବି ସେଇଠି ପଇସା ରଖନ୍ତୁ ବୋଲି ସେମାନେ କହିବେ । ଏହି ଗାଁରେ ଲୋକେ ବିବାହ ପାଇଁ ବି ଏକ ନିର୍ଦ୍ଦିଷ୍ଟ ନିୟମ ରଖିଛନ୍ତି ।

ମଲାଣା ଗାଁର ଲୋକେ କେବଳ ସେହି ଗାଁ ଭିତରେ ହିଁ ବିବାହ କରିପାରିବେ । ଏହି ଗାଁର ଲୋକେ ଅନ୍ୟ କେଉଁ ଗାଁରୁ ଯଦି ବିବାହ କରନ୍ତି । ତେବେ ତାଙ୍କୁ ଗାଁରୁ ବାସନ୍ଦ କରିଦିଆଯାଏ । କିନ୍ତୁ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ଗାଁରେ ଅଧାରୁ ଅଧିକ ଯୁବକ ଡ୍ରଗ୍ସ ତିଆରି କରିବାର କାମ କରୁଛନ୍ତି । କାହିଁକି ନା ମଲାଣା ଗାଁରେ ଗଂଜେଇ,ଚରସ ଆଦି ନିଶାଦ୍ରବ୍ୟ ବହୁଳ ପରିମାଣରେ ଉତ୍ପାଦନ ହୁଏ । ଆଉ ଏହି ନିଶାଦ୍ରବ୍ୟର ବାହାର ରାଜ୍ୟକୁ ଚାଲାଣ କରିବାର ରେକର୍ଡ ମଧ୍ୟ ମଲାଣାର ରହିଛି । ସେଥିପାଇଁ ଏହି ଗାଁର ନିୟମକାନୁନକୁ ଜମଲୁ ଦେବତାଙ୍କର ଆଦେଶ କହି ଗାଁ ଲୋକେ ପର୍ଯ୍ୟଟକମାନଙ୍କୁ ରାତ୍ରିଯାପନ କରିବାକୁ ଅନୁମତି ଦିଅନ୍ତି ନାହିଁ । ଏହାହିଁ ଥିଲା ଭାରତର ଏକ ଅଜବଗଜବ ଗାଁର କଥା ।

Leave a Reply