ଏଣିକି ସ୍କୁଲ୍ ପାଠ୍ୟକ୍ରମରେ ଯୋଡ଼ି ହେବ ସାଇବର ସୁରକ୍ଷା ସଚେତନତା କୋର୍ସ…

ଭୁବନେଶ୍ୱର:ଭୁବନେଶ୍ୱର: ଆପଣଙ୍କ ପିଲା ହାତରେ ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍ ଅଛ କି ?

ଅନଲାଇନ୍ କ୍ଲାସ ପରେ ସେ କରୁଛି କଣ ?

ଖାଲି ସମୟରେ ଇଣ୍ଟରନେଟ ଆଗରେ ବସୁଛି କି ?

ସାଇବର ସୁରକ୍ଷା ନେଇ ସଚେତନ ଅଛନ୍ତି ତ ?

କେଜିରୁ ପିଜି । କରୋନା ସମୟରେ ଅନଲାଇନ୍ ଶିକ୍ଷା ଯୋଗୁ ସମସ୍ତଙ୍କ ହାତରେ ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍ । ଦୁଇ ଘଣ୍ଟା ପଢିବା ପରେ ଛାତ୍ରଛାତ୍ରୀ ଫୋନରେ କଣ କରୁଛନ୍ତି, ସେ ସଂପର୍କରେ ଅଜ୍ଞ ଅଭିଭାବକ । କିଛି ଛାତ୍ରଛାତ୍ରୀ ଏହାର ବିପରୀତ ଦିଗ ପ୍ରତି ଆକର୍ଷିତ ହୋଇ କାମ ଚଳାଇଛନ୍ତି । କୁନି କୁନି ପିଲା ତ ବିଭିନ୍ନ ଆପସ୍ ସମ୍ପର୍କରେ ଜାଣି ବି ନାହାନ୍ତି । ଯାହାକୁ କ୍ଲିକ୍‌ କରିବା ପରେ ତଥ୍ୟ ହେରଫେର ହେଉଛି ।

ଟେକନୋଲୋଜିର ଏପରି ଅପବ୍ୟବହାରର ମୁଖ୍ୟ କାରଣ ସାଇବର ସଚେତନତାର ଅଭାବ । ଯାହାକୁ ଦୂର କରିବାକୁ କେନ୍ଦ୍ର ସରକାର ସ୍କୁଲ ପାଠ୍ୟକ୍ରମ ଆରମ୍ଭରେ ହି ସାଇବର ସୁରକ୍ଷା ସଚେତନତା ଶିକ୍ଷା ପ୍ରଦାନ କରିବାର ଯୋଜନା କରିଛନ୍ତି । ଏହାର ବିସ୍ତୃତ ପାଠ୍ୟକ୍ରମ ଉଚ୍ଚଶିକ୍ଷା ଓ ଆଇଆଇଟିରେ ପଢାଯିବ । ବିଶ୍ୱବିଦ୍ୟାଳୟ ଓ ଏହା ଅଧୀନରେ ଥିବା ଡିଗ୍ରୀ କଲେଜରେ ଏହା ପଢାଇବାର ଖସଡ଼ା ପ୍ରସ୍ତୁତ କରିବାକୁ କୁଳପତିମାନଙ୍କୁ ଗୁରୁ ଦାୟିତ୍ୱ ଦେଇଛି ୟୁଜିସି ।

ଖୁବ୍ ଶୀଘ୍ର କ୍ରାଇମବ୍ରାଞ୍ଚ ଅଧୀନରେ ଥିବା ସାଇବର ସେଲ ସହ କୁଳପତିମାନଙ୍କ ବୈଠକ ବସିବ । କାରଣ ସାଇବର ସୁରକ୍ଷା ସଚେତନତା ନେଇ ସେମାନଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ଦିଆଯାଇଛି । ହୁଏତ ଶିକ୍ଷାବିତମାନଙ୍କୁ ସେମାନଙ୍କ ବୈଷୟିକ ଟିମ୍ ପ୍ରାଥମିକ ପ୍ରଶିକ୍ଷଣ ଦେବେ । ଏହା ସହ ଏନଆଇସି ସହ ମଧ୍ୟ ସହବନ୍ଧିତାରେ ସାଇବର ସୁରକ୍ଷା ସଚେତନତା ଶିକ୍ଷା ପ୍ରଦାନ କରାଯିବ । ତେବେ ବିଶେଷଜ୍ଞଙ୍କ ମତ, ଥିଓରି ବଦଳରେ ସାଇବର ସୁରକ୍ଷା ସଚେତନତା ନେଇ ପ୍ରାକ୍ଟିକାଲ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେଲେ ଲାଭ ମିଳିବ ।

ବିଦେଶୀ କମ୍ପାନୀ ଏପରି ବି ଟେକନୋଲୋଜି ନିର୍ମାଣ କରିଛନ୍ତି ଯାହା ଦ୍ୱାରା ଘରେ ବସି ଆପଣଙ୍କ ଡାଟା ହ୍ୟାକ୍‌ କରି ଦେବେ । ଯାହା ଦେଶରେ ସୁରକ୍ଷା ବ୍ୟବସ୍ଥା ପ୍ରତି ବିପଦ ଆଣି ପାରେ । ଏହାକୁ ଦୂର କରିବାର ଏକ ମାତ୍ର ଉପାୟ ହେଉଛି, କୁନି ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ମଧ୍ୟରେ ସାଇବର ସୁରକ୍ଷା ନେଇ ସଚେତନତା ସୃଷ୍ଟି କରିବା ।

Leave a Reply