ଋଷ-ୟୁକ୍ରେନ୍ ଯୁଦ୍ଧ ହେଲେ ଭାରତ କ’ଣ କରିବ ?

1 min read
India What Will Do If Russia Invades Ukraine

ନୂଆଦିଲ୍ଲୀ: ୟୁକ୍ରେନ୍ ଓ ଋଷ ମଧ୍ୟରେ ବିବାଦ କୁହୁଳିବାରେ ଲାଗିଛି । କେତେବେଳେ ଲାଗୁଛି ଯୁଦ୍ଧ ହେବା ଏକରକମ ନିଶ୍ଚିତ । ପୁଣି କେତେବେଳେ ଲାଗୁଛି ଯୁଦ୍ଧ ଟଳିବାର ସମ୍ଭାବନା ରହିଛି । ୫୦/୫୦ ଆଶା ଓ ଆଶଙ୍କାରେ ପୂରା ଦୁନିଆ ଏବେ ପୁଟିନ୍ ଓ ବାଇଡେନଙ୍କ ଆଡ଼କୁ ଚାହିଁଛି । କାରଣ ଋଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧର ଅର୍ଥ ହେଉଛି ମୈଦାନରେ ବିଶ୍ୱର ବାକି ମହାଶକ୍ତିଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଏହି ଯୁଦ୍ଧ କରୋନା କାଳରେ ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରିବ । କାହିଁକିନା ବିଶ୍ୱ ଅଶୋଧିତ ତୈଳବଜାରରେ ଋଷର ଭାଗ ୧୩ ପ୍ରତିଶତ । ଯଦି ଯୁଦ୍ଧ ହୁଏ ତେବେ ଋଷ ତୈଳ ଯୋଗାଣ ବାଧାପ୍ରାପ୍ତ ହେବ । ଫଳରେ ଭାରତ ଭଳି ବିକାଶଶୀଳ ରାଷ୍ଟ୍ରଙ୍କ ଗ୍ରୋଥ୍ ଇଞ୍ଜିନ୍ ରାସ୍ତା ଅବରୋଧରେ ଶିକାର ହେବେ । ୟୁକ୍ରେନ୍ ସଂକଟରେ ଋଷର ଯେତିକି ଭୂମିକା ରହୁଛି ସେତିକି ମଧ୍ୟ ଆମେରିକାର ରହିଛି । ଋଷର ସୀମାକୁ ଲାଗିଥିବା ୟୁକ୍ରେନରେ ଆମେରିକା ନେତୃତ୍ୱାଧିନ ନାଟୋ ନିଜକୁ ମଜଭୁତ କରିବାକୁ ଚାହେଁ । ୟୁକ୍ରେନ୍ ମଧ୍ୟ ନାଟୋ ମେଣ୍ଟରେ ସାମିଲ ହେବାକୁ ଚାହୁଁଛି । ୟୁକ୍ରେନରେ ଯଦି ଆମେରିକା ସାମରିକ ଘାଟି ପ୍ରତିଷ୍ଠା କରେ ତେବେ ଏହା ଋଷର ସୁରକ୍ଷା ପାଇଁ ବିପଦର କାରଣ ହେବ । ଏହା ସହ ୟୁକ୍ରେନକୁ ଋଷ ନିଜ ସଭ୍ୟତାର ଜନ୍ମଭୂମି ବୋଲି ମାନେ । ୟୁକ୍ରେନର ସହର କିଏଭ୍ ହିଁ ଥିଲା ଋଷ ସଭ୍ୟତା ଓ ସାମ୍ରାଜ୍ୟର ଅନ୍ତୁଡିଶାଳ । ଏମିତିରେ ୟୁକ୍ରେନ ନାଟୋ ପଟକୁ ଢଳିବା ପୁଟିନ କେବେ ମଧ୍ୟ ଚାହିଁବେ ନାହିଁ । ଆଉ ଯଦି ଦୁଇ ପକ୍ଷଙ୍କ ଜିଦ୍ ଯୁଦ୍ଧର ରୂପ ନିଏ ତେବେ ବିଶ୍ୱର ବାକି ଶକ୍ତି ସବୁ କ’ଣ କରିବେ ? ଆମେରିକା ଯଦି ୟୁକ୍ରେନକୁ ସମର୍ଥନ କରି ଯୁଦ୍ଧଭୂମି ଓହ୍ଲାଏ ତେବେ ଭାରତ କ’ଣ କରିବ ? କାରଣ ଋଷ ଓ ଚୀନର ନୂଆ ନୂଆ ଦୋସ୍ତି ଭାରତକୁ ବିବ୍ରତ କଲାଣି । ଏମିତିରେ ଭାରତ କ’ଣ ଚୀନକୁ ଚେକମେଟ୍ କରିବାକୁ ଆମେରିକାକୁ ସମର୍ଥନ କରିବ ? ଏହି ସବୁ ପ୍ରଶ୍ନର ଉତ୍ତର ଆସନ୍ତୁ ଖୋଜିବା…

 India What Will Do If Russia Invades Ukraine

ଋଷ-ୟୁକ୍ରେନ୍ ବିବାଦରେ ଭାରତ କାହା ସହିତ ?

ୟୁକ୍ରେନ୍-ଋଷ ବିବାଦ ପରଠାରୁ ଏହି ପ୍ରଶ୍ନ ଉଠିବାରେ ଲାଗିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ନିଜ କାର୍ଡ୍ ଖୋଲି ନାହିଁ । ଭାରତ ଏବେ ତଟସ୍ଥ ଅଛି । ଦୁଇ ପକ୍ଷକୁ ସଂକଟର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ନିବେଦନ କରିଛି । ଭାରତ ମଧ୍ୟ ୨୦୧୪ରେ ୟୁକ୍ରେନର କ୍ରିମିଆ ଉପରେ ଋଷ କବଜା କାଳେ ନିରବ ରହିଥିଲା । ୟୁକ୍ରେନରେ ଏବେ ୧୮ ହଜାର ଭାରତୀୟ ଡାକ୍ତରୀ ଛାତ୍ରଙ୍କ ସହିତ ୨୦ ହଜାର ଭାରତୀୟ ଅଟକି ରହିଛନ୍ତି । ସେମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ଭାରତର ପ୍ରାଥମିକତା ।

 India What Will Do If Russia Invades Ukraine

ୟୁକ୍ରେନ୍ ମାମଲାରେ ଭାରତ କାହିଁକି ଖୋଲାଖୋଲି ଋଷର ବିରୋଧ କରୁନାହିଁ ?

  • ଋଷ ଭାରତର ସବୁଠାରୁ ବଡ଼ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ । ୨୦୨୦ରେ ଭାରତ ବିଦେଶରୁ ଯେତିକି ଅସ୍ତ୍ର କିଣିଛି ତା’ ମଧ୍ୟରୁ ୫୦ ପ୍ରତିଶତ ଋଷରୁ ଆସିଛି ।
  • ୨୦୧୮ରୁ ୨୦୨୧ ମଧ୍ୟରେ ମାତ୍ର ତିନି ବର୍ଷରେ ଭାରତ ଓ ଋଷ ମଧ୍ୟରେ ୧ ଲକ୍ଷ ୧୨ ହଜାର କୋଟି ଟଙ୍କାର ପ୍ରତିରକ୍ଷା କାରବାର ହୋଇଛି । ଏମିତିରେ ଭାରତ ନିଜର ସବୁଠାରୁ ବଡ଼ ଅସ୍ତ୍ରଶସ୍ତ୍ର ସପ୍ଲାୟରକୁ ଅସନ୍ତୁଷ୍ଟ କରିବାକୁ ଚାହୁଁନାହିଁ ।
  • ସୋଭିଏତ ସଂଘର ବିଘଟନ ପୂର୍ବୁର ଭାରତର ରପ୍ତାନୀରେ ଋଷର ଭାଗିଦାରୀ ୧୦ ପ୍ରତିଶତ ଥିଲା । କିନ୍ତୁ ୨୦୨୦-୨୧ ବେଳକୁ ଏହା ହ୍ରାସ ପାଇ ମାତ୍ର ୧ ପ୍ରତିଶତ ହୋଇଥିଲା । ପରେ ୨୦୨୧ରେ ଏଥିରେ ସାମାନ୍ୟ ବୃଦ୍ଧି ଘଟିଛି ।
  • ୨୦୨୦ରେ ଭାରତର ଋଷ ସହିତ ମୋଟ ବ୍ୟବସାୟ ଥିଲା ପାଖାପାଖି ୭୦ ହଜାର କୋଟି ଟଙ୍କା । ଯାହାକୁ ୨୦୨୫ ସୁଧା ୨ ଲକ୍ଷ ୨୦ କୋଟି ଟଙ୍କା କରିବା ଲକ୍ଷ୍ୟ ରଖିଛନ୍ତି ଦୁଇ ଦେଶ ।
  • ଋଷ ସହିତ ବାଣିଜ୍ୟିକ ସମ୍ବନ୍ଧକୁ ବଢାଇବା ଲକ୍ଷ୍ୟ ରଖିଥିବା ଭାରତ ୟୁକ୍ରେନ୍ ଓ ଆମେରିକାକୁ ସମର୍ଥନ କରି ବ୍ୟବସାୟିକ କ୍ଷତି ସହିବାକୁ ଚାହୁଁନାହିଁ ।

 India What Will Do If Russia Invades Ukraine

ଭାରତ କ’ଣ ପାଇଁ ଆମେରିକାକୁ ବିରୋଧ କରୁନାହିଁ ?

ୟୁକ୍ରେନ୍ ସଂକଟ ଭାରତକୁ ଏଣୁ ମାଇଲେ ବ୍ରହ୍ମ ହତ୍ୟା ତେଣୁ ମାଇଲେ ଗୋହତ୍ୟା ଭଳି ସ୍ଥିତିର ପକାଇଛି । ଭାରତ ଆମେରିକାକୁ ସମର୍ଥନ କରି ଋଷକୁ ଅସନ୍ତୁଷ୍ଟ କରିବାକୁ ଚାହୁଁନାହିଁ । କିନ୍ତୁ ଗୋଟିଏ କଥା ଦେଖିବାକୁ ମିଳୁଛି ଯେ, ନୂଆଦିଲ୍ଲୀ ମଧ୍ୟ ଆମେରିକାକୁ ବିରୋଧ କରୁନାହିଁ । ଏଥିରୁ ଜଣାପଡୁଛି ଯେ, ହରଡ଼ଘଣାରେ ପଡ଼ିଥିବା ଭାରତ ଦୁଇ ପକ୍ଷକୁ ସନ୍ତୁଷ୍ଟ କରିବାକୁ ଚାହୁଁଛି । ତେଣୁ ଭାରତ ନିରବ ଅଛି । ନା ଆମେରିକାକୁ ବିରୋଧ କରୁଛି ନା ଋଷକୁ ସମର୍ଥନ କରୁଛି । ଏବେ ପ୍ରଶ୍ନ ଉଠିବା ସ୍ୱଭାବିକ ଯେ, ଭାରତ କ’ଣ ପାଇଁ ଆମେରିକାକୁ ବିରୋଧ କରୁନାହିଁ ?

  • ୨୦୦୧ ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର ଆକ୍ରମଣ ପରଠାରୁ ଭାରତ ଓ ଆମେରିକା ନିକଟତର ହୋଇଛନ୍ତି । ଇସଲାମିକ୍ ଆତଙ୍କବାଦକୁ ନେଇ ଦୁଇ ଦେଶଙ୍କ ମନୋଭାବ ପ୍ରାୟ ଏକା ।
  • ଗତ ଏକ ଦଶନ୍ଧି ମଧ୍ୟରେ ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ଓ ସାମରିକ ସମ୍ବନ୍ଧ ଦୃଢ଼ ହୋଇଛି ।
  • ୨୦୧୯ ପର୍ଯ୍ୟନ୍ତ ଭାରତ ଓ ଆମେରିକା ମଧ୍ୟରେ ମୋଟ ବ୍ୟବସାୟ ଥିଲା ୧୦ ଲକ୍ଷ କୋଟି ଟଙ୍କା । ଏହା ଋଷ ସହିତ ଭାରତର ବ୍ୟବସାୟର ପ୍ରାୟ ୧୫ ଗୁଣ ଅଧିକ । ଏମିତିରେ ଖୋଲାଖୋଲି ଆମେରିକାକୁ ବିରୋଧ କରିବାକୁ ଚାହୁଁନି ଭାରତ ।
  • ଋଷ ପରେ ଆମେରିକା ହେଉଛି ଭାରତର ଦ୍ୱିତୀୟ ସବୁଠାରୁ ବଡ଼ ପ୍ରତିରକ୍ଷା ସହଯୋଗୀ । ଭାରତର ମୋଟ ଅସ୍ତ୍ର ଆମଦାନୀର ୧୪ ପ୍ରତିଶତ ଆମେରିକାରୁ ଆସିଥାଏ ।
  • ଆମରିକା ସହିତ ଭାରତର ପ୍ରତିରକ୍ଷା ବ୍ୟବସାୟ ଏବେ ୧ ଲକ୍ଷ ୫୬ ହଜାର କୋଟି ଟଙ୍କାରୁ ଅଧିକ । ଏମିତିରେ ଖୋଲାଖୋଲି ବିରୋଧ କରି ଭାରତ ଅଙ୍କଲ ସାମଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁନି ।

 India What Will Do If Russia Invades Ukraine

ମୋଟାମୋଟି କହିବାକୁ ୟୁକ୍ରେନ୍ ସଂକଟ ମାମଲାରେ ଭାରତର ସ୍ଥିତି ସେହି ବ୍ୟକ୍ତି ଭଳି ଯିଏ ଦୁଇ ଦୁଇ ଶକ୍ତିଶାଳୀ ପକ୍ଷଙ୍କ ବିବାଦ ଭିତରେ କାହାକୁ ଦୁଃଖି ନକରି ଖସିବାର ମଧ୍ୟମ ମାର୍ଗ ଖୋଜେ । ଆଗକୁ ଭାରତୀୟ କୂଟନୀତିଜ୍ଞଙ୍କ ଉପରେ ଚାପ ଅଧିକ ରହିବ । କାରଣ ଏହି ବିବାଦ ହିଁ ଭାରତର ଆଗାମୀ ବୈଦେଶିକ ନୀତି ନିର୍ଦ୍ଧାରଣ କରିବାକୁ ଯାଉଛି । ୟୁକ୍ରେନ ସଂକଟରୁ ଯଦି ଭାରତ କାହାରିକୁ ମଧ୍ୟ ଅସନ୍ତୁଷ୍ଟ ନକରି ଉଭୟ ପକ୍ଷ ଶୁଭେଛା ହାସଲ କରେ ତେବେ ଏହା ମୋଦି ସରକାରର ବଡ଼ ଉପଲବ୍ଧି ହେବ । କିନ୍ତୁ ଯଦି ଭାରତ ଗୋଟିଏ ପକ୍ଷକୁ ସମର୍ଥନ କରିବାକୁ ବାଧ୍ୟ ହୁଏ ତେବେ ଭାରତକୁ ୨ଟି ବ୍ଲକରୁ ଗୋଟିଏରେ ଦେଖିବାକୁ ମିଳିବାକୁ ପଡ଼ିବ । ଯାହାର ସିଧା ଅର୍ଥ ହେଉଛି ଚୀନ୍ ଓ ପାକିସ୍ତାନ ସହ ଭାରତର ସମୀକରଣ ମଧ୍ୟ ବଦଳିବ । ଆଉ ଏହି ନିଷ୍ପତ୍ତି ନେବାବେଳେ ଭାରତକୁ ଏହା ମଧ୍ୟ ମନରେ ରଖିବାକୁ ପଡ଼ିବ ଯେ, ଡ୍ରାଗନ ବିରୋଧରେ ତାକୁ କେଉଁ ପକ୍ଷ ନିଃସର୍ତ୍ତ ସମର୍ଥନ ଦେବ ।

Leave a Reply