IPL 2021: ଆଜି ପଞ୍ଜାବ କିଙ୍ଗ୍‌ସକୁ ଟକ୍କର ଦେବ ରାଜସ୍ଥାନ ରୟାଲ୍ସ

1 min read

ଦୁବାଇ: ଆଇପିଏଲ୍‌ର ୩୨ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗ୍‌ସ ଓ ରାଜସ୍ଥାନ ରୟାଲ୍ସ । ଉଭୟ ଦଳ ପାଇଁ ମ୍ୟାଚ୍‌ଟି ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଛି । ଫଳରେ ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ରାଜସ୍ଥାନ ରୟାଲ୍ସ ମଙ୍ଗଳବାର ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ ।

ପ୍ରଥମାର୍ଦ୍ଧରେ ଅନୁଷ୍ଠିତ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସ ୪ ରନ୍‌ରେ ବିଜୟ ହାସଲ କରିଥିଲା । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍‌ସ ୬/୨୨୧ ରନ୍‌ କରିଥିଲା । ଜବାବରେ ରାଜସ୍ଥାନ ୭ ୱିକେଟ୍‌ ହରାଇ ୨୧୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ସଞ୍ଜୁ ସାମସନ ଶତକ(୧୧୯) ଅର୍ଜନ କରିଥିଲେ ହେଁ ଦଳକୁ ଜିତାଇପାରି ନଥିଲେ । ମଙ୍ଗଳବାର ମଧ୍ୟ ବ୍ୟାଟ୍ସମ୍ୟାନ୍‌ଙ୍କ ଆଧିପତ୍ୟ ଦେଖିବାକୁ ମିଳିବ । ଉଭୟ ଦଳରେ ବିସ୍ପୋରକ ବ୍ୟାଟ୍ସମ୍ୟାନ ରହିଛନ୍ତି । ତେଣୁ ଦୁବାଇରେ ଛକା ବର୍ଷା ହେବ । ପଞ୍ଜାବ କିଙ୍ଗ୍‌ସ ଦଳର ଲୋକେଶ ରାହୁଲ, ମୟଙ୍କ ଅଗ୍ରୱାଲ୍‌ ଓ କ୍ରିସ୍‌ ଗେଲ୍‌ ପ୍ରାରମ୍ଭିକ ବ୍ୟାଟିଂ ବିଭାଗ ସମ୍ଭାଳିବେ ।

ସେହିପରି ରାଜସ୍ଥାନ ଦଳରେ ରହିଛନ୍ତି ଏଭିନ ଲୁଇସ୍‌, ସଞ୍ଜୁ ସାମସନ ଓ ଲାଏମ ଲିଭିଙ୍ଗଷ୍ଟୋନଙ୍କ ଭଳି ଦୁର୍ଦ୍ଦର୍ଷ ବ୍ୟାଟ୍ସମ୍ୟାନ । ଜୋସ ବଟଲର ଦ୍ୱିତୀୟ ଭାଗ ଖେଳୁ ନଥିବାରୁ ତାଙ୍କ ସ୍ଥାନରେ ଲୁଇସଙ୍କୁ ଚୁକ୍ତି କରିଛି ରାଜସ୍ଥାନ ରୟାଲ୍ସ । ଗତ କାରିବିୟନ ପ୍ରିମିୟର ଲିଗ୍‌(ସିପିଏଲ୍‌)ରେ ସେ ଚମତ୍କାର ବ୍ୟାଟିଂ କରି ଫର୍ମରେ ରହିଛନ୍ତି । ସ୍ପିନରଙ୍କ ବିପକ୍ଷରେ ମଧ୍ୟ ତ୍ରୁଟି ସୁଧାରି ସାରିଛନ୍ତି ।

ସେହିପରି ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍‌ ଲିଭିଙ୍ଗଷ୍ଟୋନ ବେଶ୍‌ ଉନ୍ନତ ଫର୍ମରେ ରହିଛନ୍ତି । ସେ ଗତ ‘ହଣ୍ଡ୍ରେଡ୍ସ’ରେ ୩୪୮ ରନ୍‌ ସଂଗ୍ରହ କରିଥିଲେ । ପ୍ରଥମାର୍ଦ୍ଧ ଖେଳିଥିବା ପଞ୍ଜାବ କିଙ୍ଗସ ଦଳର ଦୁଇ ପେସ୍‌ ବୋଲର ଝେୟ ରିଚାର୍ଡସନ ଓ ରିଲି ମେରେଡିଥ୍‌ଙ୍କୁ ଏଥର ଦେଖିବାକୁ ମିଳିବ ନାହିଁ । ତଥାପି ବୋଲିଂ ବିଭାଗ ଶକ୍ତିଶାଳୀ ରହିବ । ଯୁବ ପେସ୍‌ ବୋଲର ନାଥାନ ଏଲିସ୍‌ ଆଇପିଏଲ୍‌ ପଦାର୍ପଣ କରିବେ । ସେ ଟି-ଟ୍ୱେଣ୍ଟି ପଦାର୍ପଣରେ ହ୍ୟାଟ୍ରିକ୍‌ ଅର୍ଜନ କରି ସମ୍ପ୍ରତି ଚର୍ଚ୍ଚାରେ ରହିଛନ୍ତି ।

Leave a Reply