କେନ୍ଦ୍ର ମାଲାମାଲ ଓଡ଼ିଶା ବେହାଲ, କୋଇଲା ନେଇ ଆଖି ବୁଜିଦେଇଛି କେନ୍ଦ୍ର

ଭୁବନେଶ୍ବର: କୋଇଲା ଖଣି ଅଞ୍ଚଳରେ ବଢୁଛି ପ୍ରଦୂଷଣ । ପ୍ରଦୂଷଣ ନିୟନ୍ତ୍ରଣ ନେଇ ଆବଶ୍ୟକ ପଦକ୍ଷେପ ନିଆଯାଉନଥିବାରୁ ତାଳଚେର ଓ ଝାରସୁଗୁଡା ଭଳି ଖଣି ବହୁଳ ଜିଲ୍ଲା ଏବେ ବିଷ ବଳୟକୁ ଚାଲିଯାଇଛି । କେନ୍ଦ୍ର ସରକାର କୋଇଲା ଖଣି ଅଞ୍ଚଳରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଏକାଧିକ ଆଇନ କରିଛନ୍ତି । ହେଲେ ସେସବୁର ଅନୁପାଳନ ହେଉନଥିବା ବେଳେ କେନ୍ଦ୍ର ସରକାର ମଧ୍ୟ ପ୍ରଦୂଷଣ ସୃଷ୍ଟିକାରୀ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନାହାଁନ୍ତି । ଏନେଇ ସଂସଦରେ ବିଜେଡି ସାଂସଦ ମାନସ ମଙ୍ଗରାଜ ଉଦେବଗ ପ୍ରକାଶ କରି ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କେନ୍ଦ୍ରୀୟ ଆଇନ ଓ ଏହାର କାର୍ଯ୍ୟାକାରିତା ନେଇ ପ୍ରଶ୍ନ କରିଛନ୍ତି ।

କୋଇଲାରୁ କେନ୍ଦ୍ର ମାଲାମାଲ, ଓଡ଼ିଶା ବେହାଲ । ଓଡ଼ିଶା କୋଇଲାରୁ ପଇସା ନେଉଛି ଛାଣି । ଓଡ଼ିଶା ପାଉଛି ଦୂଷିତ ପବନ, ପିଉଛି ମଇଳା ପାଣି । ବିଷ ବଳୟରେ ଖଣି ବହୁଳ ତାଳଚେର ଓ ଝାରସୁଗୁଡା । କୋଇଲା ଖଣିରୁ ନିୟମିତ କୋଇଲା ଉତ୍ତୋଳନରୁ ବଢୁଛି ବାୟୁ ପ୍ରଦୂଷଣ । କୋଇଲା ଖଣି ଯୋଗୁ ହେଉଥିବା ପ୍ରଦୂଷଣକୁ ରୋକିବାକୁ ରହିଥିବା ଆଇନର କାର୍ଯ୍ୟକାରିତାକୁ ନେଇ ମଧ୍ୟ ଉଠୁଛି ପ୍ରଶ୍ନ । ଦେଖନ୍ତୁ ଅନୁଗୁଳ ଜିଲ୍ଲାର ଏହି ଚିତ୍ର । ନିୟମିତ ଭାବେ ଏମସିଏଲରୁ କୋଇଲା ଉତ୍ତୋଳନ କରାଯାଉଛି । କିନ୍ତୁ ଏହାଦ୍ବାରା ସୃଷ୍ଟି ହେଉଥିବା ପ୍ରଦୂଷଣକୁ ରୋକିବାକୁ ଆବଶ୍ୟକ ପଦକ୍ଷେପ ନିଆଯାଉନି । ଖୋଲା ଟ୍ରକରେ କୋଇଲା ପରିବହନ ହେଉଛି ।

ଅଧିକାଂଶ ସମୟରେ ଟ୍ରେନରେ କୋଇଲା ଚାଲାଣ ବେଳେ ନିଆଁ ମଧ୍ୟ ଲାଗୁଛି । ଦେଶର ୨୫ ପ୍ରତିଶତ କୋଇଲା ଆବଶ୍ୟକତା ଓଡିଶା ପୂରଣ କରୁଛି । ଆଉ ସେହି ଅନୁପାତରେ ପ୍ରଦୂଷଣର ବିଷକୁ ମଧ୍ୟ ସମ୍ପୃକ୍ତ ଅଞ୍ଚଳବାସୀ ବହନ କରୁଛନ୍ତି । କିନ୍ତୁ ଏଦିଗରେ ଖଣି ଉତ୍ତୋଳନାକାରୀଙ୍କ ନିଘା ନାହିଁ । ଏହାକୁ ନେଇ ସଂସଦରେ ବିଜେଡି ସାଂସଦ ମାନସ ମଙ୍ଗରାଜ ଉଦବେଗ ପ୍ରକାଶ କରିବା ସହ କେନ୍ଦ୍ର କୋଇଲା ମନ୍ତ୍ରୀଙ୍କୁ ଲିଖିତ ପ୍ରଶ୍ନ କରିଥିଲେ । ଯେଉଁଥିରେ ସେ କୋଇଲା ଖଣି ଯୋଗୁ ହେଉଥିବା ପ୍ରଦୂଷଣକୁ ରୋକିବାକୁ ଥିବା ଆଇନ ଓ ଏହାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଥିଲେ । ଅନୁଗୁଳର ବୁଦ୍ଧିଜୀବୀ ଓ ସ୍ଥାନୀୟ ଲୋକେ ମଧ୍ୟ ପ୍ରଦୂଷଣ ନିୟନ୍ତ୍ରଣରେ କେନ୍ଦ୍ରୀୟ ଅବହେଳା ଓ ବିଭାଗୀୟ ଅଧିକାରୀଙ୍କ ନିଷ୍କ୍ରିୟତାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଅନୁଗୁଳ ପରି ଝାରସୁଗୁଡାର ବି ପ୍ରଦୂଷଣରେ ବେହାଲ । ଦିନରାତି ଖଣିରୁ କୋଇଲା ଉତ୍ତୋଳନ ହେଉଛି । ବାୟୁ ପ୍ରଦୂଷଣ ଯୋଗୁଁ ଭୂତଳ ଜଳ ଓ ନଦୀନାଳ ଜଳ ବି ଦୂଷିତ ହୋଇଛି । ପ୍ରଦୂଷିତ ବାୟୁ ପାଇଁ ଲୋକେ ବି ନାନା ଦୂରାରୋଗ୍ୟରେ ପଡୁଛନ୍ତି । କୋଇଲା ଖଣି ଅଞ୍ଚଳରେ ପ୍ରଦୂଷଣକୁ ରୋକିବାକୁ ଅନେକ ଆଇନ କାନୁନ ରହିଥିବା କେନ୍ଦ୍ର କୋଇଲା ମନ୍ତ୍ରୀ ସଂସଦରେ କହୁଛନ୍ତି । ହେଲେ ପ୍ରକୃତପକ୍ଷେ ଏହାର ଅନୁପାଳନ କରାଯାଉନି । ନା ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଉଛି ନା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଛଅ ମାସରେ ଥରେ ରିପୋର୍ଟ ଦିଆଯାଉଛି । ଯେଉଁମାନେ ପ୍ରତିଷେଧକମୂଳକ ପଦକ୍ଷେପକୁ ଯାଞ୍ଚ କରିବାକୁ ଅଧିକାରଭୁକ୍ତ ସେମାନେ ବି ଆଖିବୁଜି ଦେଇଛନ୍ତି ।

ଏ ସମ୍ପର୍କରେ ଆଞ୍ଚଳିକ ପ୍ରଦୂଷଣ ଅଧିକାରୀ କୌଣସି ସୂଚନା ଦେଉନଥିବା ବେଳେ ଝାରସୁଗୁଡା ଓ ଅନୁଗୁଳର ଏହି ଚିତ୍ରକୁ ଦେଖିଲେ ସ୍ପଷ୍ଟ ହେଉଛି ଯେ, କୋଇଲା ଖଣି ଅଞ୍ଚଳରେ ପ୍ରଦୂଷଣ ନିୟନ୍ତ୍ରଣ ନିୟମାବଳୀର ସଠିକ କାର୍ଯ୍ୟକାରିତା ହେଉନାହିଁ । ପୂର୍ବରୁ ମଧ୍ୟ ରାଜ୍ୟ ସରକାର ବାରମ୍ବାର ଖଣିଖାଦନ ଥିବା ଅଞ୍ଚଳର ସୁରକ୍ଷା ପାଇଁ ଗ୍ରୀନ ସେସରୁ ରାଜ୍ୟକୁ ଭାଗ ଦେବାକୁ ଦାବି କରିଆସୁଛନ୍ତି । କେନ୍ଦ୍ର ସରକାର କିନ୍ତୁ ରାଜ୍ୟର ଦାବିକୁ ଗ୍ରହଣ କରୁନାହାଁନ୍ତି ।