ମୋହନଙ୍କ ମୁହଁରେ ନବୀନଙ୍କ ପ୍ରଶଂସା: ଭୂତଳ ଜଳ ସଂରକ୍ଷଣରେ ବିଜେଡି ସରକାର ଭୂମିକା ପ୍ରଶଂସନୀୟ ବୋଲି କହିଲେ

1 min read

ଭୁବନେଶ୍ବର: ମୁଖ୍ଯମନ୍ତ୍ରୀ ମୋହନ ମାଝୀଙ୍କ ମୁହଁରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପ୍ରଶଂସା । ବିଶ୍ବାସ ନ ହେଉଥିଲେ ବି ସତ । ବିଧାନସଭାରେ ବିଧାୟକ ତାରା ବାହିନିପତିଙ୍କ ପ୍ରଶ୍ନର ଲିଖିତ ଉତ୍ତରରୁ ଏହା ସ୍ପଷ୍ଟ ହୋଇଛି । ମୋହନଙ୍କ କହିବା ଅନୁସାରେ ୨୦୦୯ରୁ ୨୦୨୩ ଭିତରେ ଓଡ଼ିଶାରେ ଭୂତଳ ଜଳର ସ୍ଥିତି ଭଲ ଥିଲା । ଯେଉଁଥିରେ ଛାତ ଓ ଅରୁଆ ଯୋଜନା ପ୍ରମୁଖ ଭୂମିକା ନେଇଛନ୍ତି । ତେବେ ବର୍ତ୍ତମାନ ଭୂତଳ ଜଳ ପରିଚାଳନା ଠିକ୍ ଭାବେ ହେଉ ନଥିବାରୁ ବିଜେଡି ଓ ବିଶେଷଜ୍ଞ ଚିନ୍ତା ପ୍ରକାଶ କରିଛନ୍ତି ।

ରାଜ୍ୟର ସାମଗ୍ରିକ ବିକାଶ ଉପରେ ଗୁରୁତ୍ବ ଦେଉଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ କଥାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବି ବିଧାନସଭାରେ ମାନିଛନ୍ତି । ଭୂତଳ ଜଳ ପ୍ରସଙ୍ଗରେ ବିଧାନସଭାରେ ପ୍ରଶ୍ନ କରିଥିଲେ ବିଧାୟକ ତାରା ପ୍ରସାଦ ବାହିନୀପତି । ଜଳ ସମ୍ପଦ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ କହିଥିଲେ, ନବୀନ  ସରକାର ସମୟରେ ଭୂତଳ ଜଳର ସଂରକ୍ଷଣକୁ ଗୁରୁତ୍ବ ଦିଆଯାଉଥିଲା । ଉତ୍ତରରୁ ସ୍ପଷ୍ଟ ଯେ, ୨୦୦୯ରୁ ୨୦୨୩ ମଧ୍ଯରେ ଭୂତଳ ଜଳର ପରିମାଣ ବୃଦ୍ଧି ପାଇଛି । ୨୦୨୩ ଆକଳନ ଅନୁଯାୟୀ ଭୂତଳ ଜଳର ସ୍ଥିତି କୌଣସି ବ୍ଲକରେ ଗୁରୁତର ଅବସ୍ଥାରେ ନାହିଁ । କେବଳ ୯ଟି ବ୍ଲକରେ ଭୂତଳ ଜଳର ସ୍ଥିତି ଅର୍ଦ୍ଧ ଗୁରୁତର ରହିଛି ।

ନବୀନ ସରକାର ସମୟରେ ହୋଇଥିବା ଛାତ ଓ ଆର୍ଟିଫିସିଆଲ ରିଚାର୍ଜ ସହ ଅଣ୍ଡରଗ୍ରାଉଣ୍ଡ ଆକ୍ୟୁଫର ବା ଅରୁଆ ଯୋଜନା ଏକ ଭଲ ପଦକ୍ଷେପ ଥିବା ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡୁଛି । ଧୀରେ ଧୀରେ ଭୂତଳ ଜଳ ସରୁଥିବାରୁ ବର୍ତ୍ତମାନର ସରକାର ବଡ଼ ଆହ୍ବାନର ସମ୍ମୁଖୀନ ହେବେ ବୋଲି ବିଜେଡି କହିଛି । ନବୀନ ସରକାର ସମୟରେ ଯେଉଁ ମେଗା ଜଳ ପ୍ରକଳ୍ପ କରାଯାଇଥିଲା, ତାହା ବହୁ ମାତ୍ରାରେ ଜଳ କଷ୍ଟ ଦୂର କରିଛି । ବିଜେପି କହିଛି, ମୋହନ ସରକାର ଏହାକୁ ଗୁରୁତ୍ବ ଦେବେ । ଦୈନିକ ଜଳର ଆବଶ୍ୟକତାକୁ ପୂରଣ କରିବା ପାଇଁ ଅମଳ ହୋଇଥିବା ବର୍ଷା ଜଳକୁ ବ୍ୟବହାର କରାଯାଇପାରିବ । ଏହି ଯୋଜନା ଅଧୀନରେ ଘରୋଇ କୋଠାଗୁଡ଼ିକରେ ଛାତ ଉପରେ ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା ଗ୍ରହଣ କରି ସର୍ବାଧିକ ୫୫ ହଜାର ଟଙ୍କା କେବଳ ସରକାରୀ ସବସିଡି ଭାବେ ପାଉଛନ୍ତି ।

ଛାତ ଯୋଜନା ୨୦୨୨-୨୩ ଆର୍ଥିକ ବର୍ଷରୁ ୨୦୨୬-୨୭ ଅର୍ଥାତ ୫ ବର୍ଷ ପାଇଁ ବୈଧ । ଏହି ଯୋଜନା ଓଡ଼ିଶାର ୨୭ଟି ସହର ସମେତ ୫୨ଟି ଜଳ ଚାପଗ୍ରସ୍ତ ବ୍ଲକ ଗୁଡ଼ିକରେ କାର୍ଯ୍ୟକାରୀ ହେଉଛି । ସେହିପରି ଛାତ ଯୋଜନାରେ ସହରାଞ୍ଚଳର ଛାତରୁ ବୋହି ଯାଉଥିବା ପାଣିକୁ ସଂରକ୍ଷଣ କରାଯାଉଛି । ଏଥିରେ ୨୭ଟି ସହରାଞ୍ଚଳରେ ୨୯ ହଜାର ୫୦୦ ବେସରକାରୀ ଗୃହ ଓ ୧୯୨୫ଟି ସରକାରୀ ଗୃହ ପାଇଁ ୫ ବର୍ଷିଆ ଯୋଜନାରେ ୨୭୦ କୋଟି ଟଙ୍କା ବ୍ୟୟରେ କାମ ଚାଲିଛି ।

୨୦୦୧ ସର୍ଭେ ଅନୁସାରେ ରାଜ୍ଯରେ ଭୂତଳ ଜଳର ପରିମାଣ ୨୧ ବିଲିୟନ କ୍ୟୁବିକ୍ ମିଟର । ଏଥିରୁ ୧୨ ବିଲିୟନ କ୍ୟୁବିକ୍ ମିଟର ଜଳ ବ୍ୟବହାର ଉପଯୋଗୀ । ମହାନଦୀ ବେସିନରେ ୧୬ ବିଲିୟନ କ୍ୟୁବିକ୍ ମିଟର ଭୂତଳ ଜଳ ଅଛି । ଯେହେତୁ ଭୂତଳ ଜଳ ଅଧିକ ବ୍ୟବହାର ହେଉଛି, ତାହା ସରି ଯାଉଛି । ତାକୁ ରିଚାର୍ଜ କରିବାର ଆବଶ୍ୟକତା ରହିଛି । ପୂର୍ବ ସରକାର ରିଚାର୍ଜ ପାଇଁ ରୁଫ ଟପ ରିଚାର୍ଜ, କୂଅ ଖୋଲି ରିଚାର୍ଜ, ଆକ୍ବିଫାଇରରେ ଇଂଜେକ୍ସନରେ ରିଚାର୍ଜ, ବନ୍ଧ ବାନ୍ଧିବା ଓ ଗଛ ଲଗାଇବା ପରି କାମ କରୁଥିଲେ । ଓଡ଼ିଶାରେ ୧୭୦୦ ମି.ମି. ବର୍ଷା ହୁଏ । ହେଲେ ସବୁ ସମୟରେ ବର୍ଷା ନ ହେଉଥିବାରୁ ଭୂତଳ ଜଳ ରିଚାର୍ଜର ଆବଶ୍ୟକତା ରହିଛି । ତେବେ ଆପାର୍ଟମେଣ୍ଟ ଓ ଶିଳ୍ପ ସଂସ୍ଥା ଯେପରି ଭୂତଳ ଜଳ ବ୍ୟବହାର କରୁଛନ୍ତି, ତାକୁ ସରକାର ନିୟନ୍ତ୍ରଣକୁ ଆଣିବା ପାଇଁ ଦାବି ହୋଇଛି ।

ନବୀନ ସରକାର ସମୟର ସଫଳତା ସଂପର୍କରେ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ବିଶ୍ବର ବଡ଼ ବଡ଼ ସଂଗଠନ ସ୍ବୀକୃତି ଦେଇଛନ୍ତି । ନୂଆ କରି ସରକାରକୁ ଆସିଥିବା ବିଜେପି କିନ୍ତୁ ନିଜ ରାଜନୈତିକ ଉଦ୍ଦେଶ୍ୟ ରଖି ମିଛ କହୁଥିବା ନେଇ ଚର୍ଚ୍ଚା ଜୋର ଧରିଛି ।