ପ୍ରବଳ ବର୍ଷାରେ ବେହାଲ ନାଗପୁର

ନାଗପୁର: ପ୍ରବଳ ବର୍ଷାରେ ବେହାଲ ମହାରାଷ୍ଟ୍ର ନାଗପୁର । ଗତ ଶୁକ୍ରବାରରୁ ଲଗାତାର ବର୍ଷା ଯୋଗୁ ଜଳବନ୍ଦୀ ନାଗପୁର । ହଜାର ହଜାର ଲୋକ ହୋଇଛନ୍ତି ସ୍ଥାନାନ୍ତରିତ । ସାରା ସହରରେ ଜଳପ୍ରବାହ ଯୋଗୁ ଜନଜୀବନ ହୋଇଛି ବିପର୍ଯ୍ୟସ୍ତ । ସହରର ଅଧିକାଂଶ ସହର ଓ ଆବାସିକ ଅଞ୍ଚଳରେ ଜଳତାଣ୍ଡବ ଜାରି ରହିଛି । ବର୍ଷା ଓ ଜଳପ୍ରବାହକୁ ଦୃଷ୍ଟିରେ ରଖି ସହରର ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି । ଲଗାତାର ବର୍ଷା ଯୋଗୁ ଆମ୍ବଜାରି ହ୍ରଦ ଉଛୁଳିଛି । ଫଳରେ ନାଗପୁରର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ଜଳବନ୍ଦୀ ଅବସ୍ଥାରେ ଥିବା ଲୋକଙ୍କଉ ଉଦ୍ଧାର କରିବା ଲାଗି ଉଦ୍ୟମ ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଓ ଏସଡିଆରଏଫ ଟିମ ନିୟୋଜିତ ହୋଇଛନ୍ତି । ପ୍ରବଳ ଜଳସ୍ରୋତ ଥିବାରୁ ଘରେ ରହିଥିବା ଲୋକଙ୍କୁ ନବାହାରିବା ଲାଗି ପରାମର୍ଶ ଦେଇଛନ୍ତି ନାଗପୁର ପୌର ନିଗମ କର୍ତ୍ତୃପକ୍ଷ । ଭଣ୍ଡାରା, ଗୋନ୍ଦିଆ ଜିଲ୍ଲାରେ ବି ସମାନ ଅବସ୍ଥା ଦେଖାଦେଇଛି । ସେପଟେ ଓ୍ବାର୍ଦ୍ଧା ସମେତ ଅନ୍ୟାନ୍ୟ ଜିଲ୍ଲାରେ ଅଧିକ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।