ଭୁବନେଶ୍ବର: ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ନାହିଁ ବର୍ଷା । ରାଜ କରିବ ଗରମ ଗୁଳୁଗୁଳି । ଉପାନ୍ତରୁ ଉପକୂଳ ସବୁଠି ଜାରି ରହିବ ଏଭଳି ସ୍ଥିତି । ମୌସୁମୀ ଦୁର୍ବଳ ହେବା ପରେ ସାରା ଓଡ଼ିଶାରେ ବଦଳିଛି ପାଣିପାଗର ମିଜାଜ୍ । ଅଧିକାଂଶ ଜିଲ୍ଲାରେ ସ୍ବାଭାବିକ ତୁଳନାରେ ୪ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିଛି ପାରଦ । ୩୧ ତାରିଖ ପରେ ପୁଣି ବଦଳିବ ପାଗ । ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ପ୍ରଭାବରେ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ପୁଣି ଭିଜିବ ଓଡ଼ିଶା । ବିଶେଷ କରି ଉତ୍ତର ଉପକୂଳ ସହ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେପଟେ ଜୁନ୍ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକ ଠାରୁ ୧୦ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ୫ ଦିନ ପର୍ଯ୍ୟନ୍ତ ମିଳିବନି ନିସ୍ତାର । କାଁ ଭାଁ ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ସମ୍ଭାବନା । ୩୧ ତାରିଖ ପରେ ବଦଳିବ ପାଗ । ପ୍ରଭାବରେ ପୁଣି ଭିଜିବ ଓଡ଼ିଶା । ଖରା ବର୍ଷାର ଲୁଚକାଳୀ ଖେଳ ମଧ୍ୟରେ ରାଜ୍ୟରେ ରାଜ୍ କରୁଛି ତାତି । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଏବେ ସ୍ବାଭାବିକ ଠାରୁ ଅଧିକ ରହୁଛି ତାପମାତ୍ରା । ରାଜଧାନୀ ଭୁବନେଶ୍ବରରେ ୩୦ ରୁ ୩୨ ଡିଗ୍ରୀ ତାପମାତ୍ରା ସ୍ବାଭାବିକ ଥିବା ବେଳେ ଏବେ ୩୫ ରୁ ୩୬ ଡିଗ୍ରୀ ମଧ୍ୟରେ ରହୁଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ ବୋଲି ଆକଳନ କରିଛନ୍ତୁ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ।