ରାଜ୍ୟରେ କାଲିଠୁ ପୁଣି ବଡ଼ବର୍ଷା, ଉପାନ୍ତରୁ ଉପକୂଳ ସବୁଠି ନିର୍ଦ୍ଧୁମ କାଚିବ

1 min read

ଭୁବନେଶ୍ୱର: ରାଜ୍ୟରେ କାଲିଠୁ ପୁଣି ବଡ଼ବର୍ଷା । ଉପାନ୍ତରୁ ଉପକୂଳ ସବୁଠି ନିର୍ଦ୍ଧୁମ କାଚିବ । କାଲି ପ୍ରବଳ ବର୍ଷା ନେଇ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି । ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, କଟକ, ରାୟଗଡା, କୋରାପୁଟ, ମାଲକାନଗିରି ଏବଂ ଢେଙ୍କାନାଳକୁ ସତର୍କତା । ୨୧ ତାରିଖ ପର୍ଯ୍ୟନ୍ତ ମିଳିବନି ନିସ୍ତାର । ଅଧିକାଂଶ ଜିଲ୍ଲାରେ ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ସକ୍ରିୟ ମୌସୁମୀ ନିମ୍ନଚାପରେଖା ସହ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଘୂର୍ଣ୍ଣିବଳୟ ।

ପ୍ରଭାବରେ ରାଜ୍ୟରେ ପୁଣି ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବ । ଅଧିକାଂଶ ସ୍ଥାନରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଥିବାରୁ ସହରାଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ଉପୁଜିପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । କାଲି ଉତ୍ତର-ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ୧୩ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଥିବା ବେଳେ ୧୯ ତାରିଖରେ ୧୯ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିଭଳି ୨୦ ତାରିଖରେ ୨୨ଟି ଏବଂ ୨୧ ତାରିଖରେ ୧୨ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।

ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଓ୍ବେଲମାର୍କ ଲୋପ୍ରେସର ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବା ସହ ଦକ୍ଷିଣ-ପୂର୍ବ ରାଜସ୍ଥାନ ଏବଂ ପଶ୍ଚିମ ମଧ୍ୟପ୍ରଦେଶ ଉପରେ ରହିଛି । ଜୁନ୍ ୧ ତାରିଖରୁ ଏପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକ ଠାରୁ ୫ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ କେନ୍ଦ୍ରାପଡା, ପୁରୀ, କଳାହାଣ୍ଡି ଏବଂ ନବରଙ୍ଗପୁରରେ ୨୦ ରୁ ୨୮ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ କଟକ ବାଙ୍କୀରେ ସର୍ବାଧିକ ୮୫ ମିଲିମିଟର ବର୍ଷା ହୋଇଥିବା ବେଳେ କେନ୍ଦୁଝର ଚମ୍ପୁଆରେ ୬୮.୮ ମିମି ଏବଂ ଭୁବନେଶ୍ବରରେ ୪୭.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି ।